Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amiya Bej

Others

3  

Amiya Bej

Others

ମହୁଲ

ମହୁଲ

2 mins
6.9K


ମହୁଲ
ଅମିୟ ବେଜ୍
     {୧} - ନାଇଁ ନାନୀ ଯିବିନି । - ଆଲୋ କାଣ ହେଲା ? - ମା-ବୁଆ ମନେପଡୁଛନ୍ତି ? - ଚୁପ୍ ! ପାଁଚହଜାର ମାସକୁ । ସାରା ବରଷ ଟୁଳ, ଷଢ଼ିଙ୍ଗ, ମହୁଲ କୁଢ଼େଇ କୁଢ଼େଇ କେତେ ଅର୍ଜିବୁ ତୁ ? - ନାଇଁ ଯେ ! - ନାଇଁ ଯେ କ'ଣ ଲୋ ! ତୋ ବାପ ବାହା ଦେଇଦେବ କେଉଁ ଗଞ୍ଜୋଡ଼କୁ । ମାତାଲ ହୋଇ, ମରଦପଣିଆ ଦେଖାଇ ଝୁଣିଝୁଣି ଖାଇବ ତୋତେ । ମୁକୁଳିବାକୁ ମନ ଅଛି କି ନା ତୋର ? - ହୁଁ ! - ଏଇ ଜଙ୍ଗଲରୁ ଥରେ ବାହାରିଗଲେ ଦିଲ୍ଲୀ । ରାତି ବୋଲି କିଛି ନାଇଁ ସେଠି । ବାଗେଇଯିବୁ ଲୋ ବାଗେଇଯିବୁ । - ମଁ ମାଁ' ? - ଆସିବୁ ! ବର୍ଷରେ ଥରେ । ମୁଁ ନେଇଆସିବି । ମା' ପାଇଁ ଆଣିଥିବୁ କେତେ କଅଣ ! ବୁଢ଼ୀ ଖୁସି ହେବ, ସେଇଥିପାଇଁ ତ଼ ଇଚ୍ଛା କରି ଛାଡ଼ିଛନ୍ତି ତୋ ମାଁ-ବୁଆ ! ତୁ କିଆଁ ଏନ୍ତା ହେଉଚୁ ?
     {୨} ସତରେ, ଏଠି ରାତି ବୋଲି କିଛି ନାଇଁ । ନାନୀ ଛାଡ଼ିଦେଇ ଗଲା ଜଣେ ବାବୁଘରେ । ଜନ୍ତୁ ଦେଖିଲାପରି ଦିନାକେତେ ଭେଲେକା ହୋଇ ଚାହିଁଲେ ସମସ୍ତେ ତାକୁ । କି କି ଭାଷାରେ ସବୁ କଥାବାର୍ତ୍ତା ! କାମ ଖାଲି ଛୁଆଧରା । ଧୋବ ଫରଫର ଛୁଆକୁ ସେ କଳା ମଚମଚ ମଣିଷ ! ପାଖକୁ ଆସିବାକୁ ନାରାଜ । ଡେଟଲ୍ ପାଣିରେ ହାତ ଧୋଇ ଛୁଆକୁ ହାତ ମାରିବାକୁ ତାଗିଦ୍ । ଶିଖିଗଲା ଧୀରେଧୀରେ, ଖୁଆଖୋଇ, ଗୁହମୁତ ।
     {୩} ସକାଳୁ ସକାଳୁ ତା ହାବୁଡ଼ରେ ଛୁଆ ଗତେଇ କାମକୁ ବାହାରନ୍ତି ବାବୁ-ମା' । ଘରଟାରେ ସେ ଆଉ କୁନିପୁଅ । କୁନିପୁଅ କାନ୍ଦେ । ମା'କୁ ଖୋଜେ । ନାନା ଗେଲ କରି ତୁନି କରେ ତାକୁ । ଶେଷକୁ ପିଲାଟା ଶୋଇପଡ଼େ । ଲୁହସବୁ କପଡ଼ାରେ ପୋଛିଦିଏ । ସେ ଶୋଇପାରେନା । ମା' କଥା ମନେପକାଇ କାନ୍ଦେ । ଆଣିଥିବା ନାନୀ ବି ନଥାଏ ତୁନି କରିବାକୁ ତାକୁ । ସଂଜ ହେଲେ ମୁହଁ ଧୋଇପକାଏ । ବାବୁ-ମା' କାମରୁ ଫେରି ଜାଣିପାରନ୍ତିନି ଦୁହିଙ୍କର କାନ୍ଦ କଥା !! କୁନିପୁଅ ଖୁସି ହୋଇଯାଏ ତା ମମିକୁ ଦେଖି । ଆଉ ଆସେନି ତା ପାଖକୁ ରାତିସାରା !!
     {୪} ନାନୀ ଆସେ । ମାସକୁ ଥରେ । ବାବୁ-ମାଙ୍କ ସହ ହସଖୁସି ହୁଏ । ଗଣିଗଣି ପଇସା ଦେଖାଇ କହେ, - ଦେଖ୍ ! ଏସବୁ ତୋ ମାଁକୁ ଦେବି । ସେ ସାଇତି ସାଇତି ତୋ ବା'ଘର କରିବ । ପିଲା ଦେଖିଛି । ରାଜକୁଅଁର । ହେ ହେ...। ନାନୀ ଫେରିଯାଏ, ମନଦେଇ କାମ କରିବାକୁ ତାଗିଦ୍ କରି । ମା' ତାକୁ ଛାଡ଼ି ଫେରିଯାଉଥିବା ପରି ବୋଧହୁଏ ତାକୁ !!!!
     {୫} ଆସିଥିଲା ବର୍ଷେ ପରେ ନାନୀ ସହ ଗାଁକୁ । ଛୁଟି ନେଇ । ମାଁକୁ ଧରି କାନ୍ଦିଲା ବହେ । ମା' ବି । ଦେହମୁଣ୍ଡ ଆଉଁସି ମାଁ କହିଲା - ଭଲ ଦୁ'ଛୁ । ହସିଦେଲା ସେ, କହିଲା - ଆଉ ଯିବିନି । - କାଇଁ ? - ତୋ ସାଙ୍ଗେ ରହିବି ! - ଏଠେଁ କି ସୁଖ ପାଇବୁ ଲୋ ? - ପାଇବି, ବହୁତ ପାଇବି । ମାଁ ଏଥର କଅଣ ବୁଝିଲା କେଜାଣି, ଚାହିଁଲା ଖାଲି ପାଦରୁ ମୁଣ୍ଡ ଯାଏଁ । ପଚାରିଲା - ତୋ କୁନିପୁଅ ? - ମନେପଡ଼ିବ ଭାଆରି... ଭେଁ କିନା କାନ୍ଦିପକାଇଲା ଆଉଥରେ ସେ । ଟୋକେଇଟେ ହାତକୁ ବଢ଼େଇଦେଇ ମାଁ କହିଲା - - ତୁନି ହ' ! ଚାଲ୍ ମହୁଲ କୁଢ଼େଇ ...!!!!
ଅମିୟ ବେଜ୍ ଘଟଗାଁ , କେନ୍ଦୁଝର
*****


Rate this content
Log in