Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଗଣେଶ ପୂଜା
ଗଣେଶ ପୂଜା
★★★★★

© Titi Sarangi

Others

2 Minutes   1.5K    11


Content Ranking

ଆଜି ପିଲାମାନେ ଭାରୀ ଖୁସି ଥିଲେ।ସକାଳ ପାଇଲେ ଗଣେଶ ପୂଜା ।କେତେ ଅଳି ଅର୍ଦ୍ଦଳି ସେମାନଙ୍କର ମୋ ପାଖରେ।କଣ କଣ ଆସିବ ,କେମିତି ସଜାସଜି ହବ,ଭୋଗରେ କ୍ଷିରୀ ପୁରି ହବ କି ନାଇଁ ,ଆମ୍ବ ତୋରଣ ବାନ୍ଧିବାକୁ କେତେବେଳେ ଯିବୁ,ରଙ୍ଗୀନ୍ ପତାକା ଆଉ ଝାଲର କାଟି ଦିଅ.....ଏମିତି ଅନେକ ଉତ୍ସାହ ଆଉ ଉଦ୍ଦୀପନା ସେମାନଙ୍କ ମନରେ।ମୁଁ ବି ସେମାନଙ୍କ କଥା ଶୁଣୁଶୁଣୁ ହଜି ଯାଉଥିଲି ମୋ ପିଲା ଦିନରେ। ଏଇ ଦିନେ ତ ଆମେ ବି ଏମିତି କେତେ ମଜା କରୁଥିଲୁ।ଫୁଲ ତୋଳିବାକୁ କଣ୍ଟା ଝଟା ଅରମାରେ ପଶୁଥିଲୁ।କନିଅର,ଗୟଶ ଟଗର,ଅପରାଜିତା ଆଉ କେତେ କଣ ଫୁଲ ତୋଳିକି ମାଳ ଗୁନ୍ଥିଲା ବେଳେ ଭୋକ ଶୋଷ ମନେ ପଡୁ ନଥିଲା।ଏବେ ବି ଗାଁର ସେ ବାସ୍ନା ନାକରେ ବାଜି ଯାଉଛି।ଭିଜା ମାଟି,ଧାନ ବିଲ,ପୋଖରୀ କୂଳ ଆଉ ମଶାଣି ପାଖ କିଆ ବୁଦା ସବୁଠି କେମିତି ମିଠାଳିଆ ବାସ୍ନାଟେ ଆବୋରି ରଖିଥାଏ।ଫୁଲମାନଙ୍କର ବି ଆପଣାର କରି ନେଲା ଭଳି ନିଆରା ହସ।ଏବେ ପଢୁଛି ଅନେକ ଯାଗାରେ ଫୁଲର ହସଟି କାଳେ ଭଗବାନଙ୍କର ହସ।ସେତେବେଳେ ନଜାଣି ବି ଏତକ ଅନୁଭବ ହେଇ ଯାଉଥିଲା ମନକୁ ମନ।ସେଇଥି ପାଇଁ ଫୁଟିଲା ଫୁଲଟିଏ ଦେଖିଲେ ଭାରୀ ଆପଣାର ମନେ ହୁଏ।ଫୁଲ ସାଥୀରେ ଗେଲ ହବାକୁ ଭଲଲାଗେ।ପାଣି କାଦୁଅ ପଚପଚ ଗାଁ ଦାଣ୍ଡରେ ଚାଲିଲା ବେଳେ ଭାରୀ ଆରାମ ଲାଗେ।ସତେ କି ଏଇ ମାଟି ମୁଠାକ ଏକାନ୍ତ ଭାବେ ମୋର।ସେଇ ମାଟିରେ ପଡିଥିଲା ଦିନେ ଜୀବନର ମୂଳଦୁଆ।ଏବେ ସମୟ ବୁହାଇ ଆଣିଛି ଦେହଟାକୁ ଅନେକ ଦୂର।କିନ୍ତୁ ମନ ବନ୍ଧା ପଡିଛି ସେଇ ମାଟିର ଛାତିରେ ।କେତେ କାମ କଲେ ବି ତୃପ୍ତି ଆସୁନି ଯେତିକି ତୃପ୍ତି ଆସୁଥିଲା ସ୍କୁଲରେ ମନ ପସନ୍ଦର ଡେକୋରେସନ୍ କରି ସାରିଲେ।ସତେ ଅବା ସେତିକି କମ୍ଳିଟ୍ କରିବା ମୋର ଡ୍ରିମ୍ ପ୍ରୋଜେକ୍ଟ ଥିଲା।ଯେତେ ଭଲ ମନ୍ଦ ଖାଇଲେ ବି ତୃପ୍ତି ଆସୁନି ଯେତିକି ତୃପ୍ତି ଆସୁଥିଲା ମାଟି କ୍ଯାମ୍ପସ୍ ଭିତରେ ଧାଡି ବାନ୍ଧି ସାଙ୍ଗମାନଙ୍କ ମେଳରେ ବସି ଭୋଜି ଖାଇଲା ବେଳେ ଆସୁଥିଲା ।ଏତେ ସ୍ବାଦ,ଏତେ ବାସ୍ନା ଏତେ ବିଭୋରପଣ ବୋଧେ ସେଇ ସମୟର ମାଦକତା।ପିଲାଦିନ ଆଉ ତା ଦେହକୁ ଲାଗି କିଶୋର ଜୀବନ ହିଁ ଦେଇଯାଏ ଅମୂଲ୍ଯ ଅନୁଭବ ସମୟ ପଥରେ।ସେଇ ଅନୁଭବଗୁଡାକ କିଏ ଲେଖି ଦଉଥିଲା ମନ ଭିତରେ।କିଏ ସେଇ କଥାର ଅଦୃଶ୍ଯ ଲିପିକାର !!ସେଇ ତ ଏଇ ମୋର ଦୃଶ୍ଯ ଜୀବନରେ ଭରି ଦେଇଛନ୍ତି ଅନେକ ରସର ମଧୁ।ଚିର କାଳ ସ୍ମୃତିର ପୃଷ୍ଠା ଓଲଟାଇ ମୋତେ ପଢିବାକୁ ଭଲ ଲାଗେ ସେଇ ଲିପିକାରର ଲିଖିତ କାହାଣୀ ମୋ ଜୀବନକୁ ନେଇ।ଜେଜେମା କହେ ଏଇ ପୂଜାକୁ ହରିତାଳିକା କହନ୍ତି।କାହିଁକି ବୋଲି ପଚାରିଲେ ଭାରୀ ବିଗିଡେ।"ଏ ଟୋକୀଟା ସବୁ କଥାକୁ କେତେ ଫଟେଇ କି ପଚାରୁଛି ମ" କହି ନିଜ ନଜାଣିବା ପଣକୁ ଘୋଡେଇ ଦିଏ।ମୋତେ ବି ଭାରୀ ହସମାଡେ।କଥା ପୁଣି ଫଟେଇଲି କେମିତି ମୁଁ ?

ଆଉ ଆସିବନି ସେଦିନ ।ନ ଆସୁ ବି।ଦୁଃଖ ନାଇଁ।ସବୁ ଦିନ ଯଦି ଖାଲି ମୋ ପିଲାଦିନ ଥାଆନ୍ତା ତେବେ ଆଜିର ଏ ପିଲାଗୁଡିକ କୋଉଠି ଥାନ୍ତେ।ଆଗକୁ ବହି ଯିବା ତ ଜୀବନର ଧର୍ମ ଯାହା କେବେ ପଛକୁ ଫେରେନି ।ହେଲେ ସେଇ ସମୟ ଦେଇ ଯାଇଥିବା ଅନୁଭବଟି ମୁକ୍ତାଟିଏ ଭଳି ଚିରକାଳ ମୋ ହୃଦୟରେ ସାଇତା ହୋଇ ରହିଛି।ଏମିତି ମନେ ପଡିଲେ ତାକୁ ମୁଁ ଆଉଁସି ଦେଇ ଆଦରରେ ଦେହରେ ପିନ୍ଧି ପକାଇ ଅନୁଭବ କରେ ମୁଁ ପିଲାଟିଏ ହେଇ ଯାଇଛି ।ଅଜି ସେଇଭଳି ଆବେଶ ଭିତରେ ମୁଁ ମୋ ପିଲାଙ୍କ ସାଥୀରେ ପିଲା ହେଇ ଯାଉଥିଲି ।

ଗଣେଶ କିଶୋର ଅନୁଭବ

Rate the content


Originality
Flow
Language
Cover design

Comments

Post

Some text some message..