Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଭାଇ
ଭାଇ
★★★★★

© Satyaprakash Sethy

Inspirational

7 Minutes   220    8


Content Ranking

ଗୋଧୂଳିର କ୍ଷୀଣପ୍ରଭା ରବି । ଅସ୍ତାଚଳର ସିଂହାସନ ବ୍ୟସ୍ତ ଥିଲା ବୁଣିବାରେ ରକ୍ତ ମୁରୁଜର ନୀଡ଼ ।ସୁନା ପତିରିଆ ଖରା ତଳେ ଛିଡ଼ା ହୋଇ ହସି ଉଠିଲେ ବୃଦ୍ଧ ସୂର୍ଯ୍ୟମଣି-ସଇତାର ଭାଇ । ଅସ୍ତାଚଳର ଦୋଳିରେ ସୂର୍ଯ୍ୟଦେବ ମନ ଭରି ଉଡ଼ିଯାଉଛି । ସଜାଗ ରବି କରର ଜାଦୁଗରି ସୃଷ୍ଟି କରିଛି କ୍ରୀଡ଼ାଭୂମି । ଭାବୁଥିଲେ ସେ - ଏଇ ଯେ ସେହି ବିବିକ୍ତା ଧରଣୀ କ୍ଷଣ ମାତ୍ରର ପଟାନ୍ତରରେ ତମସାର ଭକ୍ଷ ହେବ । କିନ୍ତୁ ଏଇ ଯେ ସୁନେଲି ଆକାଶ ମୁଗ୍ଧ ସୂର୍ଯ୍ୟଜାଳ– କ’ଣ ବିନିଷ୍ପ୍ରଭ ହୋଇ ରହି ପାରିବ ? ସେ ମଧ୍ୟ କାଳ ରାତ୍ରରେ କାଳରେ ଲୀନ ହେବ । ନିଜ ଦେହକୁ ଅନାଇଲେ ସୂର୍ଯ୍ୟ ମଣି- ସେଠି ସେହି ଅସ୍ତାଚଳର ରବି । ତାଙ୍କ ଦେହରେ ସୂର୍ଯ୍ୟର ପ୍ରଖର ଜାଳ ଧିମେଇ ଯାଇଛି । ଦେହର ଉଷ୍ଣତା କମି ଯାଇଛି । କିନ୍ତୁ ମୃତ ସୂର୍ଯ୍ୟର ପରେ ପୁଣି ଜନ୍ମ ନେବ ଏକ ନୂତନ ସୂର୍ଯ୍ୟ, ନୂତନ ଯୈାବନର ପ୍ରଦୀପରେ ଦୀପ୍ତ ହୋଇ ଅମା ରାତ୍ରର ବିରୁଦ୍ଧରେ କରିବ ଅଭିଯାନ । ନେତୃତ୍ୱର ଉଦ୍ଦାମ ସଙ୍ଗୀତ ଗାନ କରି ଧରଣୀକୁ ନବ ଆଲୋକରେ ଉଦ୍ଭାଷିତ କରିବ । ନିଜର ଭାଗ୍ୟ ନେଇ ଆଗେଇ ଚାଲିବ । ସଇତା ଏଇ ନବ ଶକ୍ତିର ଉତ୍ସ ।

ମନକୁ ସ୍ଥିର ରଖି ନିଜକୁ ବୁଝାଇ ଦିଅନ୍ତି - ଏ ତ ନିତି ଦିନିଆ ସଂସାରର କଥା । ଘର କରି କେତେ କଳି ଝଗଡ଼ା ପ୍ରତ୍ୟହ ଘଟେ । ପୁଣି ଏତେ ସତ୍ତ୍ୱେ ବି ପରସ୍ପର ଆପୋଷ ବୁଝାମଣା ଭିତରେ ପୁଣି ହସର ଜୁଆର ଛୁଟେ । ସ୍ନେହ ମମତାର ଫଲ୍ଗୁ ପ୍ରବାହିତ ହୁଏ । ସତେ କି କାହାରି କିଛି ହୋଇ ନାହିଁ; ସବୁ କେମିତି ଠିକ୍ଠାକ୍ । ତେଣୁ ସେ କାହିଁକି ଏତେ ବ୍ୟସ୍ତ ହେବେ ? ତାଙ୍କର ଏତେ ଦୁଃଖ କରିବାର କ’ଣ ଅଛି ?

ହଠାତ୍ ଭାବନାର ଅନ୍ତ ଘଟିଲା । କାହାର ଯେମିତି ପାଟି ଶୁଣି ସେ ଚିହିଁକି ଉଠିଲେ । ସଇତା ହଠାତ୍ ଝିଞ୍ଜାଡ଼ି ଉଠିଲା- “କାମିନୀର ଦେହ ପା ଭଲ ରହୁ ନାହିଁ । ସେ ଏତେ କାମ କରି ପାରିବ ନାହିଁ କି କାହା କଥା ସହି ପାରିବ ନାହିଁ । ସିଧା କଥା - ଆମେ ଭିନେ ହେବୁ । ଆଜି ଠାରୁ ହାଣ୍ଡି ଚାଉଳ ଅଲଗା ହେବ । ତେଣିକି ତୁମ କଥା ତୁମର ଆମ କଥା ଆମର” ।

ସୂର୍ଯ୍ୟ ମଣିର ମୁଣ୍ଡଟା ଝାଇଁ ଝାଇଁ ହୋଇଗଲା । ଏ କ’ଣ ଟୋକାଟା କହିଗଲା ସେ ଭିନେ ହେବ । ଭିନେ ହେଉ । କିନ୍ତୁ ସଇତା ଅଲଗା ହେବ କାହା ପାଖରୁ…….? ଯାହାର ରକ୍ତ ଦୁଇଟା ରକ୍ତ ହୋଇଛି । ଯାହାର ନାଡ଼ି ଦୁଇ ଖଣ୍ଡ ହୋଇଛି । ଯାହାର ରକ୍ତ ମାଉଁସରେ ଏତେ ଟିକିଏ ପାର୍ଥକ୍ୟ ନାହିଁ — ସେଇ ଭାଇ-ଭାଉଜ ଆଉ ଭଉଣୀ ମୁନି ପାଖରୁ ? ନାଁ –ନାଁ ସେ କଥା ହେବନାହିଁ । ସଇତା ମଣିଷ ହେଉ । ଏ ଘର ତା’ର । ସେ ମଣିଷ ହୋଇଛି । ଏ ଘରର ଦାୟିତ୍ୱ ସେ ବୁଝିବ । ମୋର ଆଉ କିଛି ନାହିଁ । ମୋର ବଳ -ବୟସ ସରିଗଲାଣି । ମୁଁ କାହିଁକି ଅଜଥାରେ କାହା ଉପରେ ବୋଝ ହେବି ? ସେ ପଛେ ଏ ଘରେ ରହିବେ ନାହିଁ । କିନ୍ତୁ ଏ ଘରର କାନ୍ଥ ଦିଆଯିବ ନାହିଁ କି ମଝିରେ ପାଚେରୀ ବସିବ ନାହିଁ । ଏ ଘର ସଇତାର । ସଇତା ଏକା ରହୁ । ସଇତାର ସୁଖ ପାଇଁ ସେ ସବୁ କିଛି ପରିତ୍ୟାଗ କରିବାକୁ ପ୍ରସ୍ତୁତ । ଏପରିକି ଏ ଜନ୍ମ ମାଟିର ମୋହ-ମାୟା-ମମତାକୁ କାଟି ଦେଇ ସେ ଚାଲିଯିବେ କୁଆଡ଼େ - ଯୁଆଡ଼କୁ ଆଖି ପାଇବ; ଯେଉଁଠି ମନ ସ୍ଥିର ହେବ ।

ଏହିପରି ଅନେକ ଭାବନାରାଜି ଭାବ ସମୁଦ୍ରର ଲହଡ଼ି ଦୋଳାରେ ଆସି ଦୋଦୁଲ୍ୟମାନ ଅବସ୍ତାରେ ଖେଳି ବୁଲିବାକୁ ଲାଗିଲେ । ଯାହାର କୂଳ-କିନାରା କିଛି ମିଳିବାକୁ ନାହିଁ । ହଠାତ୍ ମୁଣ୍ଡଟା ଚକ୍କର କାଟି ଦେଲାକି କ’ଣ; ସେ କାହାକୁ କିଛି ନ କହି ସେଇଠି ବସି ପଡ଼ିଲେ । ରାତି ଯେ କେତେ ହୋଇଗଲାଣି ଆଉ ମାଲୁମ ନାହିଁ । ଘରେ ଚୂଲି-ଚାଉଳ କିଛି ଜଳି ନାହିଁ । ରୋଷେଇ ପତର ସବୁ ବନ୍ଦ । ଭିନେ ହେବାର ସିଦ୍ଧାନ୍ତଟା ଅମୂଳକ ହେଲେ ହେଁ ଚୂଡାନ୍ତ ନିଷ୍ପତ୍ତିଟା ନ ହେବା ଯାଏଁ କିଛି ହେବ ନାହିଁ । ସାନ ବୋହୂ ଗମ୍ଭିରୀ ଘରେ ଗୁମାନ ମାରି ଶୋଇଛନ୍ତି । ଚୁଡ଼ା-ମୁଢ଼ି ମୁଠେ ଖାଇବାକୁ ପତ୍ନୀ ବାଧ୍ୟ କଲା ରୁ ଖାଇବି ନାହିଁ କହି କଥା ଟାଳି ଦେଲେ । ସଅଳ ଶୟନ କକ୍ଷକୁ ଯାଇ ବିଶ୍ରାମ ନେଲେ । କେତେ ଚିତ୍ର ଆଖି ସାମ୍ନାରେ ଝଟକି ଉଠିଲା ।

ସେଦିନ ବୋଉ ମରିଗଲା ବେଳେ କହି ଯାଇଥିଲା– ସୁରୁଯାରେ ! ତୋତେ ସଇତା ଲାଗିଲା । ଟିକି ଛୁଆଟା କିଛି ଜାଣି ନାହିଁ । ତାକୁ ବୁଦ୍ଧି -ଅକଲ ଶିଖାଇବୁ । ସମାଜରେ ଅନ୍ୟମାନଙ୍କ ପରି ତାକୁ ଜଣେ କରି ଗଢ଼ିବୁ । ତା’କୁ ଦୁଃଖ କ’ଣ ଜାଣିବାକୁ ଦେବୁ ନାହିଁ ।

ବୋଉଲୋ ! ଆଜି ବି ତୋର ପ୍ରତିଟି କଥା ମୋର ମନେ ଅଛି । ଯାହା ସ୍ମୃତି ହୋଇ ଅହରହ ମୋ ଚାରିପଟେ ଘୂରି ବୁଲୁଛି । ତାହାକୁ ମୁଁ ଅକ୍ଷରେ ଅକ୍ଷରେ ପାଳିଛି । ସଇତାକୁ ଏଡ଼ୁଟେରୁ ଏଡ଼ୁଟେ କରିଛି । ଆଜି ସେ ବେଶ୍ କ୍ଷମ । ନିଜ ଗୋଡ଼ରେ ନିଜେ ଚାଲିବାକୁ ସକ୍ଷମ । ମୁଣ୍ଡକୁ ହାତ ପାଇ ଗଲାଣି । ଏ ବୃଦ୍ଧ ସ୍ତବିର ଅର୍ଥର୍ବ ଭାଇଟା ଠେଇଁ ତା’ର ଆଉ କି ଲାଭ ? ମୋର ପ୍ରୟୋଜନୀୟତା ସବୁ ଶେଷ ହୋଇଛି । ତୋ କଥା ମୁଁ ସବୁ ରଖିଛି ଲୋ ବୋଉ । ସେଦିନ ପର ଝିଅ କେହି ଆସିଲେ ସଇତାକୁ ଅବହେଳା କରିବ ବୋଲି ମୋର ବିବାହ ଘର ପ୍ରସ୍ଥାବଟାକୁ ଅନେକ ଦିନ ଟାଳି ଦେଇ ଆସିଥିଲି । ଖାଲି ମାମୁ ବାଧ୍ୟ କଲେ ବୋଲି ନା; ବାସନ୍ତୀକୁ ବୋହୂ ବେଶରେ ସଜାଇ ଘରକୁ ଆଣିଲି । ହେଲେ ତାକୁ ଚତୁର୍ଥୀ ରାତିରେ ରୋକ୍ଠୋକ୍ କହି ଦେଇଥିଲି– “ସଇତା ମୋର ଭାଇ ନୁହେଁ ପୁଅ । ତାକୁ ମା-ବାପାର ଅଭାବ କେବେ ମୁଁ ଜାଣିବାକୁ ଦେଇନାହିଁ । ତା’ ମନ ନେଇ ଚଳିବ । କେବେ ହେଁ ତା’ ମନରେ କେବେ କୈାଣସି ଆଘାତ ଦେବୁ ନାହିଁ ।”

ସେହିଦିନୁ ବାସନ୍ତୀଟା ଏମିତି କ’ଣ ବୁଝିଲା କେଜାଣି ସଇତାକୁ ଭାରି ଆଦର କଲା । ସଇତା ବି ତାକୁ କେମିତି ଗୋଟାଏ ଆଦରି ନେଲା । ଆପଣାର ପଣିଆଟାକୁ ଗୋଟା ପୁଣି ଅଜାଡ଼ି ଦେଲା । ତା’ର ସମସ୍ତ ଅଳି ଅର୍ଦ୍ଦଳିକୁ ସେ ଅକ୍ଳେଶରେ ସହିଯାଏ । କେବେ କିଛି ପ୍ରତିବାଦ କରିନାହିଁ କି ମୋତେ ଅଭିଯୋଗ କରିବାର ସୁଯୋଗଟିଏ ଦେଇ ନାହିଁ । ଗୋଟିଏ କନ୍ୟା ସନ୍ତତିର ସେ ଜନନୀ । ହେଲେ ହେଁ ପୁତ୍ର ସନ୍ତାନଟିଏ ପାଇଁ ସାହି ପଡ଼ିଶା କଣ କମତି ବାଧ୍ୟ କରିଛନ୍ତି । କିନ୍ତୁ ବାସନ୍ତୀ କହେ —

“ସଇତା ମୋର ବଡ଼ ପୁଅ । ଝିଅଟିକୁ ବାହା ଦେଇଦେଲା ପରେ ସେହି ମୋର ସାହା ଭରସା ହେବ । ଆଉ ପୁତ୍ର ସନ୍ତାନ ମୋର ଲୋଡ଼ା ନାହିଁ ।

ସେଇ ସଇତା ଆଜି ବଡ଼ ହୋଇଛି । ସମସ୍ତ ଅଭାବ ଅସୁବିଧା ସତ୍ତ୍ୱେ ତାକୁ ପାଠ ଦି ଅକ୍ଷର ପଢ଼େଇଛି । ସେ ଏବେ ଗାଁ ସ୍କୁଲ୍ରେ ଶିକ୍ଷକ । ଭଲ ପାତ୍ରୀଟିଏ ଦେଖି ମଧ୍ୟ ତା’କୁ ବାହା କରେଇ ଦେଇଛି । ମନରେ କେତେ ସ୍ୱପ୍ନ ଥିଲା ନୂଆ ବୋହୂଟିଏ ଆସିବ । ନଣନ୍ଦ, ଯା’- ଦେଢ଼ଶୁରଙ୍କୁ ନିଜର କରିନେବ । ଆମର ସବୁ ଦୁଃଖ ଚାଲିଯିବ । ଘରଟା ହସି ଉଠିବ ।

କିନ୍ତୁ ହେଲା କ’ଣ ? ସାନ ବୋହୂ କହୁଛି ଭିନେ ହେବ, ଟୋକାଟା ବି ତା’ କଥାରେ ପାଳି ଧରୁଛି । ଆମେ କୁଆଡ଼େ ତା ପାଇଁ ଆଜି ବୋଝ ହୋଇ ଉଠିଛୁ ।

କିନ୍ତୁ ମୁଣ୍ଡ ଝାଳ ତୁଣ୍ଡରେ ମାରି ପେଟପୂରା ଦି-ଓଳି ଦି-ମୁଠା ନିଜେ ନ ଖାଇ ତାକୁ ଯେଉଁ ବଞ୍ଚାଇ ରଖିଥିଲି, ସେ ସମସ୍ତ ତ୍ୟାଗ ଓ ଅସୁମାରୀ ଉଦ୍ୟମ– କ’ଣ ସବୁ ଗୋଟିଏ ଝାଞ୍ଜରେ ବୁଦ୍ ବୁଦ୍ ପରାଏ ବିଲୀନ ଭଜିବ? ଜୀବନର ରଣ କ୍ଷେତ୍ରେ ଜୁଝି-ଜୁଝି, ଅଶାନ୍ତି ଅସନ୍ତୋଷର ଦାବାନଳେ ଝଳି ଝଳି ତାକୁ ଯେଉଁ କୃତିତ୍ୱର ମହାମନ୍ତ୍ର ଶିଖାଇଲି ସେ ସମସ୍ତ କ’ଣ ବେକାର ଯିବ ? ତ୍ୟାଗ ଓ ମହନୀୟତାର ଏ ଯେଉଁ ସୁଦୀର୍ଘ ପ୍ରାଚୀର ଗଢ଼ିଲି– ତାହା କ’ଣ ଏମିତି ଦମକାଏ ପବନରେ ଦୋହଲି ଯିବ ? ନାଁ–ନାଁ ଏପରି ହେବାକୁ ସେ ଦେବେ ନାହିଁ । ବାସନ୍ତୀଟା ବି ଏ ସବୁକୁ ସହି ପାରିବ ନାହିଁ । ତା’ର ମାତୃତ୍ୱ କାନ୍ଦି ଉଠିବ । ତା’ର ପାଣ୍ଡୁର ମଳିନ ଶରୀର ତଳେ ଲୁକ୍କାୟିତ ପ୍ରାୟ କୋମଳ ହୃଦୟଟି ବିଳାପ କରି ଉଠିବ । ସଇତା ଯେ ତା’ର ବଡ଼ପୁଅ । ତେବେ ଏବେ ମୁଁ କ’ଣ କରିବି ? କ’ଣ କରିବା ଉଚିତ୍ ? କାହିଁ କିଛି ବୁଦ୍ଧିବାଟ ତ ଦିଶୁ ନାର୍ହିଁ । ନାଁ କିଛି ସିନ୍ଧାନ୍ତ ବି କରି ହେଉ ନାହିଁ ।

ଏଥର ସୂର୍ଯ୍ୟମଣି ଆସ୍ତେ କରି ବିଛଣାରୁ ଉଠିଲେ । ଚାରି ଆଡ଼କୁ ଥରୁଟିଏ ଆଖି ପୂରାଇ ଆଣିଲେ । ବାସନ୍ତୀ, ମୁନି ସମସ୍ତେ ନିଘୋଡ଼ ନିଦରେ ଶୋଇ ପଡ଼ିଛନ୍ତି । ଭାବିଥିଲେ - ସମସ୍ତଙ୍କୁ ଶେଷ ଥର ପାଇଁ ଥରୁଟିଏ ଗେହ୍ଲ କରି ଦେଇ ଯିବେ । ନାଁ– ଏପରି କଲେ ସମସ୍ତେ ଉଠି ପଡ଼ିବେ । କଥା ସରିଯିବ । ସେ ଛାଡି ଯାଇ ପାରିବେ ନାହିଁ, ଏଥର ଉଠି ଛିଡ଼ା ହେଲେ । କାଗଜଟିଏ ବାହାର କରି ଚିଠିଟିଏ ଲେଖିଲେ– ସତାରେ ! ତୋରି ଭାଇ ତୋରି ସୁଖ ପାଇଁ ଏ ଘର ଛାଡ଼ି ଚାଲି ଯାଉଛି । ସାଥିରେ କିଛି ନେଉ ନାହିଁ । ସବୁ ଛାଡ଼ି ଯାଉଛି ସବୁ ତୋର ଏ ଘର -ଦ୍ୱାର, ଜମି-ବାଡ଼ି, ଟଙ୍କା-ପଇସା ସବୁ କିଛି, ଆଉ ତୋ ଭାଉଜ ମା ଏବଂ ମୁନି । ଗଲା ବେଳେ କେବଳ ଏତିକି ତୋତେ କହି ଦେଇ ଯାଉଛି - ତୋ ଭାଉଜ ମାଘଟା କାନ୍ଦି କାନ୍ଦି ଶୋଇ ପଡ଼ିଛି । ତୋତେ ଛାଡ଼ି ସେ ବଞ୍ଚି ପାରିବ ନାହିଁ । ତାକୁ ଟିକେ ବଞ୍ଚେଇ ରଖିବୁ । ତୋର ଆଉ ଅଲଗା ହେବା ଦରକାର ନାହିଁ । ମା’କୁ ଦେଇଥିବା କଥା ମୁଁ ରଖିଛି । ତେଣିକି ଯାହା ଭାଗ୍ୟରେ ଥିବ ତାହା ହିଁ ହେବ । ଇଶ୍ୱର ତୋତେ ସୁବୁଦ୍ଧି ଦିଅନ୍ତୁ । ମୋର ଆଶୀର୍ବାଦ ସଦା ସର୍ବଦା ତୋ ଉପରେ ରହିଛି ଆଉ ରହିଥିବ ମଧ୍ୟ ଇତି

ତୋର ଭାଇ,

ସଇତାର ଘର କବାଟ କଣରେ ଥରେ ସଇତାକୁ ଅନାଇଲେ । ନିଶ୍ଚିତ ନିଦରେ ଶୋଇଛି ସଇତା । ପାଖରେ ତାଙ୍କରି ବୋହୂ । ଚିଠିଟି ଭିତରକୁ ପକାଇ ଫେରି ଆସିଲେ । ମୁନିର ଗାଲରେ ଛୋଟ ବୁକଟିଏ ଦେଲେ । ଆଉ ସେ ଭାବୁଥିଲେ - ଆରେ ! ଘରେ ତାଙ୍କର ଯେ ବୃଦ୍ଧା ପତ୍ନୀ । ତା’କୁ ସେ କ’ଣ ସାଙ୍ଗରେ ନେବେ ନାହିଁ ? କ’ଣ ତାଙ୍କ ଦେହରେ ଉଷ୍ଣତା କମି ଯାଇଛି ବୋଲି ? ଚମଡ଼ା ରୁକ୍ଷ ହୋଇଯାଇଛି ବୋଲି ? କାମିନୀ ତ ପୁଣି ପାଖରେ ସଇତାକୁ ପାଇବା ପାଇଁ ଏବଂ ଏକା ଏକା ତାହା ଉପରେ ନିଜର ଅଧିକାର ଜାହିର କରିବା ପାଇଁ ଅନବରତ ସଂଗ୍ରାମ ଜାହିର କରିଛି । ନାଁ-ସେ ତାଙ୍କର ବୃଦ୍ଧା ପତ୍ନୀଙ୍କୁ ହଇରାଣରେ ପକାଇବେ ନାହିଁ । ଯାହାର ଗୋଟାଏ ନିର୍ଦ୍ଦିଷ୍ଟ ଗତି ନାହିଁ; ସେ ଅନ୍ୟକୁ ସାଙ୍ଗ କରିବ କାହିଁକି ?

ଆଜି ବର୍ଷା ରାତି । ସେଦିନ ବି ଥିଲା ବର୍ଷା ରାତି; ଯେଉଁ ଦିନ ବାସନ୍ତୀ ନବବଧୂ ସାଜି ଆସିଥିଲା, ଏ ଘରକୁ ନୂଆ କରି । ସେଦିନ ସେ ପାଖରେ ଥିଲା ଆଜି ବି ପାଖରେ ଅଛି । କିନ୍ତୁ ଆଜି ବାହାରେ ବର୍ଷା; ଭିତରେ ବି ବର୍ଷା । ଅନ୍ତରରେ ଗଭୀର କ୍ଷତ ତୀବ୍ର ମାନସିକ ଯନ୍ତ୍ରଣା । ଓଃ…ଭାରି ଅସହ୍ୟ …ଭୀଷଣ କଷ୍ଟ ନା ଆଉ ନୁହେଁ ।ଏଥର ସୂର୍ଯ୍ୟମଣି ଗୋଡ଼ ଚାପି ଚାପି ବାହାରିଗଲେ ଘରୁ । ଗାଁ ମୁଣ୍ଡରେ ଜନ୍ମ ଭୂଇଁକୁ ଶେଷ ପ୍ରଣତି ଜଣାଇବା ଉଦ୍ଦେଶ୍ୟରେ ମାଟି ମୁଣ୍ଡାଏ ମୁଣ୍ଡରେ ଲଗାଇଲେ । ଆଉ ସେ ପଛକୁ ଫେରି ଚାହିଁଲେ ନାହିଁ । ଏଥର ଚାଲିଲେ ଦୂରକୁ ଦୂରକୁ । ବହଳ ଅନ୍ଧକାରର ପେଟ ଭିତରେ ସେ ମିଳେଇ ଗଲେ ।

ଗୋଧୂଳି ସିଂହାସନ ମୁରୁଜ

Rate the content


Originality
Flow
Language
Cover design

Comments

Post

Some text some message..