Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children Classics

2.5  

ଓଡିଆ ଶିଶୁ ଗପ

Children Classics

ଶୁଆ ଶାରୀ କଥା - ୯

ଶୁଆ ଶାରୀ କଥା - ୯

7 mins
595


ରାଜା ମଦନ ସେନ କଥା

ଶୁଆ କହିଲା – ଶୁଣଲୋ ଶାରୀ, ରତନ ପୁର ନଗ୍ରରେ ଚନ୍ଦ୍ରଗୁପ୍ତ ନାମକ ଜଣେ ରାଜା ରାଜତ୍ୱ କରୁଥିଲେ । ତାଙ୍କର ପୁଅ ମାନେ ଯେମିତି ବଳୁଆ ସେମିତି ପ୍ରତାପୀ । ସେମାନଙ୍କ ମଧ୍ୟରେ ବଡ ହେଉଛନ୍ତି ମଦନ ସେନ । ସେ ଦେଖିବାକୁ ଯେମିତି ସୁନ୍ଦର ସେହି ଭଳି ପରାକ୍ରମୀ । ଥରେ ମଦନ ସେନ ଗୁରୁତର ଅପରାଧ କରି ବସିଲେ । ରାଜା ଚନ୍ଦ୍ରଗୁପ୍ତ ଦଣ୍ଡ ସ୍ୱରୂପ ଦୁଇ ବର୍ଷ ପାଇଁ ରାଜ୍ୟରୁ ମଦନ ସେନକୁ ବାହାର କରି ଦେବା ପାଇଁ ଆଦେଶ ଦେଲେ । ଏହି କଥା ଶୁଣି ମଦନ ସେନଙ୍କ ପତ୍ନୀ ଚନ୍ଦ୍ରପ୍ରଭାକୁ ବହୁତ ବୁଝାଇଲେ, କିନ୍ତୁ ଚନ୍ଦ୍ରପ୍ରଭା ମାନିଲା ନାହିଁ । ଫଳରେ ମଦନ ସେନ ଚନ୍ଦ୍ରପ୍ରଭାକୁ ସାଥିରେ ନେବା ପାଇଁ ବାଧ୍ୟ ହେଲେ ।

ସ୍ୱାମୀ ସ୍ତ୍ରୀ ଦୁହେଁ ନଗରରୁ ବାହାରି ଚାଲି ଚାଲି ଯାଉଥାନ୍ତି । ଏମିତି କିଛି ଦୂର ଗଲା ପରେ ଏକ ଜଙ୍ଗଲ ପଡିଲା । ବାଟ ଚାଲି ଚାଲି ଥକି ଯାଇଥିଲେ । ଏକ ସଘନ ବୃକ୍ଷ ଛାଇରେ ଦୁହେଁ ବସି ଆରାମ କରିବାକୁ ଲାଗିଲେ । ଏଇ ସମୟରେ ଏକ ଭୟଙ୍କର ସାପ ଆସି ରାଣୀ ଚନ୍ଦ୍ରପ୍ରଭାର ପାଦକୁ କାମୁଡି ଦେଲା । ରାଣୀ ଚନ୍ଦ୍ରପ୍ରଭା ବିଷ ଜ୍ୱାଳାରେ ଥରିବାକୁ ଲାଗିଲା, ତାପରେ ପ୍ରାଣ ହାରି ଦେଲା । ଚନ୍ଦ୍ରପ୍ରଭାର ଏପରି ଅବସ୍ଥା ଦେଖି ମଦନ ସେନ ବହୁତ ବ୍ୟସ୍ତ ହୋଇ ଉଠିଲା । ବିକଳ ହୋଇ କାନ୍ଦିବାକୁ ଲାଗିଲେ । ଜଙ୍ଗଲର ପଶୁ ପକ୍ଷୀ ମାନେ ଏହି କାନ୍ଦ ଶୁଣି ଦୁଃଖି ହୋଇ ଉଠିଲେ ।

ଏବେ ମଦନ ସେନ କରିବେ କ’ଣ? ମନେ ମନେ ସ୍ଥିର କଲେ କାଠ ସଂଗ୍ରହ କରି ଚିତା ଜାଳିବେ ଆଉ ସେ ଚିତାରେ ପ୍ରାଣ ପ୍ରିୟା ପତ୍ନୀକୁ ପକାଇବା ସଙ୍ଗେ ସଙ୍ଗେ ନିଜେ ଡେଇଁ ପ୍ରାଣ ତ୍ୟାଗ କରିବେ । ଏହି କଥା ଭାବି ସେ କାନ୍ଦି କାନ୍ଦି କାଠ ସଂଗ୍ରହ କରିବାକୁ ଲାଗିଲେ ।

ଦୈବାତ୍ ସେହି ସମୟରେ ଶିବ – ପାର୍ବତୀ ସେହି ବାଟ ଦେଇ ଭ୍ରମଣ କରିବାକୁ ବାହରି ଥାନ୍ତି ।

ଯେତେବେଳେ ପାର୍ବତୀ, ମଦନ ସେନର କାନ୍ଦ ଶୁଣିଲେ ତାଙ୍କ ମନରେ ଦୟା ଆସିଲା, ମଦନ ସେନର ଦୁଃଖ ଦୂର କରିବା ନିମନ୍ତେ ମହାଦେବଙ୍କୁ ଅନୁରୋଧ କଲେ ଆଉ ମଧ୍ୟ ଶିବଙ୍କୁ ବୁଝାଇ ଶୁଝାଇ ମଦନ ସେନଙ୍କ ପାଖକୁ ନେଇ ଆସିଲେ ।

ଭଗବାନ ଶଙ୍କର କାନ୍ଦିବାର କାରଣ ପଚାରିଲେ । ମଦନ ସେନ ଆଦ୍ୟ ପ୍ରାନ୍ତ କରି ସବୁ କଥା କହି ଗଲା । ପିତା କିପରି ଦେଶରୁ ବାହାର କରିଦେବା ଠାରୁ ଚନ୍ଦ୍ରପ୍ରଭାକୁ ସର୍ପ ଦଂଶନ କରିବା ପର୍ଯ୍ୟନ୍ତ । ତାପରେ ସେ ପ୍ରଭୁଙ୍କୁ କହିଲେ – ପ୍ରଭୁ, ଏବେ ମୁଁ ସ୍ଥିର କରିଛି ସେହି ଚିତାକୁ ଡେଇଁ ଆତ୍ମ ବଳୀ ଦେବି । କାରଣ ମୋର ପ୍ରାଣ ପ୍ରିୟା ପତ୍ନୀକୁ ଛାଡି ମୁହୂର୍ତେ ସୁଦ୍ଧା ବଂଚି ପାରିବି ନାହିଁ ।

ମଦନ ସେନ ମୁହଁରୁ ଏ ପ୍ରକାର କଥା ଶୁଣି ମହାଦେବ ଜାଣି ଗଲେ ଯେ ରାଜ କୁମାର ରାଜ କୁମାରୀଙ୍କ ବିନା ବଂଚି ପାରିବ ନାହିଁ । ଏହା ଜାଣି ପ୍ରଭୁ ମଦନ ସେନକୁ କହିଲେ – ତୋର ପରମାୟୁ ହେଉଛି ଷାଠିଏ ବର୍ଷ । ଯେଉଁଥିରୁ କୋଡିଏ ବର୍ଷ କଟି ଗଲାଣି । ଆଉ ଚାଳିଶ ବର୍ଷ ବାକି ।

ତୁ ଯଦି ତୋ ବୟସରୁ କୋଡିଏ ବର୍ଷ ହାତରେ ଜଳ ଧରି ସଂକଳ୍ପ ପୂର୍ବକ ଦେଇ ଦେବୁ, ତେବେ ଦୁହିଁଙ୍କର ବୟସ ସମାନ ହୋଇଯିବ । ଏଥିରେ ତୁ ଯଦି ରାଜି, ତେବେ ତୋର ସ୍ତ୍ରୀ ବଂଚି ଉଠିବ ।

ମଦନ ସେନ କହିଲା – ପ୍ରଭୁ ! ଏଥିରେ ମୁଁ ରାଜି । ତାପରେ ମହାଦେବ, ମଦନ ସେନ ହାତରେ ଜଳ ଦେଇ କୋଡିଏ ବର୍ଷ ଆୟୁଷ ଦେବା ପାଇଁ ସଙ୍କଳ୍ପ କରାଇ ନେଲେ । ଆଉ ତା ପୂର୍ବରୁ ମଦନ ସେନକୁ ସତର୍କ କରାଇ ଦେଲେ ଯେ ହଁ, ଯେତେ ବେଳେ ତୁ ଦେଇଥିବା ବୟସକୁ ସଙ୍କଳ୍ପ କରି ଫେରାଇ ଆଣିବୁ, ସେତିକି ବେଳେ ରାଣୀ ମରି ଯିବ । କିନ୍ତୁ ଏକଥା ରାଣୀକୁ କଦାପି କହିବୁ ନାହିଁ । କାରଣ କଥାଟାକୁ ଗୋପନ ରଖିଥିଲେ କେତେ ବେଳେ ତୋର କାମରେ ଆସିବ ।

ଏହି କଥା କହି ସାରି ମହାଦେବ ଓ ପାର୍ବତୀ ଚାଲିଗଲେ । ମାତ୍ର ରାଣୀ ଚନ୍ଦ୍ରପ୍ରଭା ନିଦରୁ ଉଠିଲା ଭଳି ଉଠି ଗଲା । କିଛି ସମୟ ବାଦ୍ ଦୁହେଁ ଚାଲି ଚାଲି ଅନ୍ୟ ସ୍ଥାନ ଆଡକୁ ଆଗେଇ ଗଲେ ।

ଏମିତି ଚାଲୁ ଚାଲୁ କିଛି ଦିନ ବାଦ୍ ଏକ ରମଣୀୟ ସ୍ଥାନରେ ଯାଇ ପହଁଚିଲେ । ସେଠି ଜଣେ ଯୁବା ସନ୍ନ୍ୟାସୀ ବସିଥାନ୍ତି । ସନ୍ନ୍ୟାସୀଙ୍କର ହାତ ଓ ଗଳାରେ ସୁନ୍ଦର ଫୁଲ ମାଳା । ସୁକୋମଳ ଗଦି ଓ ତକିଆ ପଡିଛି । ଏମାନେ ତ ବିଶ୍ରାମ ଖୋଜୁଥିଲେ, ସନ୍ନ୍ୟାସୀଙ୍କ ବିଶ୍ରାମ ସ୍ଥଳ ଦେଖି ପହଁଚି ଗଲେ । ପାଖରେ ବସିଲେ ମଧ୍ୟ । ମଦନ ସେନକୁ ବହୁତ ଶୋଷ ମଧ୍ୟ ଲାଗୁଥିଲା । ସେ ନିକଟରେ ଥିବା କୂଅ ପାଖକୁ ପାଣି ପିଇବା ପାଇଁ ଚାଲି ଗଲା । ଏଇ ଅବସରରେ ରାଣୀ ଚନ୍ଦ୍ରପ୍ରଭାର ଆଖି ସହିତ ସନ୍ନ୍ୟାସୀର ଆଖି ମିଶି ଗଲା । ଚାରି ଆଖିର ମିଳନରେ ଉଭୟେ ଉଭୟଙ୍କ ପ୍ରତି ଆକୃଷ୍ଟ ହୋଇ ଗଲେ । ଚନ୍ଦ୍ରପ୍ରଭା ସନ୍ନ୍ୟାସୀ ପ୍ରତି ଆସକ୍ତ ହୋଇ ଉଠିଲା ।

ସେ ସନ୍ନ୍ୟାସୀକୁ କହିଲା, ସନ୍ନ୍ୟାସୀ ତୁମ ପ୍ରତି ମୁଁ ଆସକ୍ତ ହୋଇ ଗଲି ଆଉ ତୁମ ସାଥିରେ ସବୁ ଦିନ ପାଇଁ ରହି ଯିବା ପାଇଁ ଚାହୁଁଛି । ଏଥି ପାଇଁ କିଛି ରାସ୍ତା ପ୍ରସ୍ତୁତ କର ।

ବାବାଜୀ କହିଲେ, ତୁ ଯଦି ମୋ ସହିତ ରହିବା ପାଇଁ ଚାହୁଁଛୁ ତେବେ କୌଣସି ପ୍ରକାରେ ତୁ ତୋ ପତିକୁ କୂଅକୁ ଠେଲିଦେ ।

ଏକଥା ବାବାଜୀଙ୍କ ଠାରୁ ଶୁଣି ରାଣୀ କହିଲା – ବଢିଆ ହେବ ତାହାହିଁ କରିବି । ଏଇ ସମୟରେ ମଦନ ସେନ ପାଣି ପିଇ ସାରି ଫେରି ଆସି ଥାଏ । ଚନ୍ଦ୍ରପ୍ରଭା କହିଲା, ପ୍ରାଣନାଥ ମୋତେ ମଧ୍ୟ ଶୋଷ ଲାଗୁଛି । କେଉଁଠି କୂଅ ଅଛି ମୋତେ ଦେଖାଇ ଦିଅ । ମୁଁ ମଧ୍ୟ ମୁନ୍ଦିଏ ପାଣି ପିଇ ଦିଏ । ଆଉ ମଧ୍ୟ ବଣରେ ବୁଲା ବୁଲି ବି ହୋଇ ପାରିବ । ରାଜ କୁମାର କହିଲେ ଠିକ୍ ଅଛି ଚାଲ ।

ଶୁଆ କହିଲା ଏ ଶାରୀ, ଦେଖ ସ୍ତ୍ରୀ ଲୋକ ମାନଙ୍କର ଗୁଣ । ଯେମିତି ମଦନ ସେନ ଲୋଟାରେ ଡୋର ବାନ୍ଧି କୂଅ ଭିତରକୁ ମୁହଁ କରିଛି ରାଣୀ ପଛରୁ ଥାଇ ଦେଲା ଗୋଟାଏ ଧକ୍କା ଯେ ମଦନ ସେନ କୂଅ ଭିତରେ ଯାଇ ପଡିଲା । ତାପରେ ସେ ବାବାଜୀ ପାଖରେ ଆସି ପହଁଚି ଗଲା ।

ସେଇଠୁ ସେ ଭଣ୍ଡ ବାବାଜୀ ରାଣୀକୁ ସାଥିରେ ନେଇ କେଉଁ ଏକ ବଡ ସହରରେ ରହିବାକୁ ଲାଗିଲା । ସେ ବାବାଜୀ ମାତ୍ର ପନ୍ଦର ଦିନରେ ରାଣୀକୁ ଏମିତି ନାଚ, ଗୀତ ଶିଖାଇ ଦେଲା ଯେ ତା ସଙ୍ଗେ ବରାବର ହେବା ପାଇଁ ସେ ସହରରେ ଆଉ କେହି ନଥିଲେ । ଗୀତ ଶୁଣିବା ପାଇଁ ଓ ନାଚ ଦେଖିବା ପାଇଁ ସହରର ଧନୀ ଓ ରସିକ ମାନେ ଧାଡି ଲଗାଇଲେ । ବାବାଜୀ ଢେର ପଇସା ରୋଜଗାର କଲା । ରାଣୀ ଚନ୍ଦ୍ରପ୍ରଭା ବାବାଜୀ ସହିତ ବହୁତ ମଜାରେ ଥାଏ । ଅଭାବ ବୋଲି ତ କିଛି ନାହିଁ । ଏବେ ମଦନ ସେନର ହାଲ୍ ଶୁଣ ।

କୂଅରେ ତ ଅକାତକାତ ପାଣି । ମଦନ ସେନ ପାଣି ଭିତରେ ପଡି ଉବୁ ଟୁବୁ ହେଉଥାଏ । ଦଳେ ବେପାରୀ ସେ ବାଟ ଦେଇ ଯାଉଥିଲେ । ଶୋଷ ହେଲା । ପାଣି ପିଇବା ପାଇଁ କୂଅ ପାଖରେ ପହଁଚିଲେ । କୂଅ ଭିତରେ ମଣିଷଟିଏ ପଡିଥିବା ଦେଖି ଉପରକୁ ବାହାର କଲେ । ସମସ୍ତ ହାଲ୍ ଶୁଣିଲେ । ସେମାନଙ୍କ ମନରେ ଦୟା ଆସିଲା । ସେମାନେ ମଦନ ସେନକୁ ସାଥିରେ ଧରି ସହର ଆଡକୁ ଚାଲିଲେ । ଯେଉଁ ସହରରେ ବାବାଜୀ ଓ ଚନ୍ଦ୍ରପ୍ରଭା ରହୁଥାନ୍ତି । ବେପାରୀ ମାନେ ଜଣେ ସାହୁକାରର ଗୁମାସ୍ତା ରୂପେ ମଦନ ସେନକୁ ରଖାଇ ଦେଲେ । ମଦନ ସେନ ବେଶ ଦୁଇ ପଇସା ପାଇ ସେଠାରେ ବେଶ୍ ଖୁସିରେ ରହିଲା ।

ଚନ୍ଦ୍ରପ୍ରଭାର ନୃତ୍ୟ, ଗୀତ ସୁଖ୍ୟାତି ରାଜ୍ୟ ସାରା ବ୍ୟାପୀ ଗଲା । ସେ ଦେଶର ରାଜା ଚନ୍ଦ୍ରପ୍ରଭାର ନୃତ୍ୟ ଦେଖିବା ପାଇଁ ଦିନେ ତାକୁ ଡକାଇଲେ । ଆଉ ମଧ୍ୟ ସହରର ମାନ୍ୟଗଣ୍ୟ ଲୋକ, ଧନୀ ସାହୁକାର ମାନଙ୍କୁ ନିମନ୍ତ୍ରଣ କଲେ । ମଦନ ସେନ ମଧ୍ୟ ପ୍ରଶଂସା ଶୁଣିଥାଏ । କେମିତି ସୁଯୋଗ ଆସିଲେ ନୃତ୍ୟ ଦେଖିବା ପାଇଁ ବିଚାରୁ ଥାଏ । ରାଜା ମଧ୍ୟ ସେହି ସାହୁକାରକୁ ଡକାଇଲେ । ମଦନ ସେନ ସେହି ସାହୁକାର ସାଥିରେ ସୁଯୋଗ ପାଇ ଆସିଲା । ସେଠି ନାଚୁଥିବା ଚନ୍ଦ୍ରପ୍ରଭା ମଦନ ସେନକୁ ଚିହ୍ନି ଗଲା । ଭାବିଲା ଏ ତ ଅନର୍ଥ ହୋଇ ଗଲା । ମୋ ସ୍ୱାମୀତ ଏବେ ବି ଜୀବିତ ।

ସେ ରାଜାଙ୍କୁ ଖୁସି କରିବା ପାଇଁ ମନ ଦେଇ ନାଚିବାକୁ ଲାଗିଲା । ଯେମିତି ରାଜା ଖୁସି ହୋଇଯିବେ । ସତକୁ ସତ ନୃତ୍ୟ ଦେଖି ଓ ଗୀତ ଶୁଣି ରାଜା ଚନ୍ଦ୍ରପ୍ରଭା ଉପରେ ବିଶେଷ ଖୁସି ହୋଇଗଲେ । ରାଜା କହିଲେ, ତୋର ଯାହା ଇଚ୍ଛା ପୁରସ୍କାର ଏବେ ମାଗି ପାରୁ ।

ଚନ୍ଦ୍ରପ୍ରଭା କହିଲା, ମହାରାଜ ! ଏଇ ସଭାରେ ଜଣେ ଚୋର ବସିଛି । ଯିଏ କି ମୋ ସର୍ବସ୍ୱ ଲୁଟି ନେଇଛି । ତାକୁ ପ୍ରାଣ ଦଣ୍ଡ ଦିଅନ୍ତୁ ।

ଚନ୍ଦ୍ରପ୍ରଭାର କଥା ଶୁଣି ରାଜା କହିଲେ, ତୁ ସେହି ଚୋରକୁ ମୋତେ ଦେଖାଇ ଦେ । ମଦନ ସେନର ହାତକୁ ଟାଣି ଟାଣି ଚନ୍ଦ୍ରପ୍ରଭା ରାଜାଙ୍କ ପାଖରେ ଉପସ୍ଥିତ କରାଇଲା । ରାଜା ଆଦେଶ ଦେଲେ ଶୀଘ୍ର ଏହାକୁ ଘାତକ ହାତରେ ଦେଇ ଦିଅ । ବଧ କରୁ ।

ଏହି ଆଦେଶ ପାଇ ଘାତକ ମଦନ ସେନକୁ ଧରି ମାରିବା ପାଇଁ ନେଇ ଯାଉଥିଲା । ସାହୁକାର ଏ ସବୁ ଘଟଣା ଦେଖି ବ୍ୟସ୍ତ ହୋଇ ଉଠିଲା । ଦୌଡି ଆସି ମଦନ ସେନ ପାଖରେ ପହଁଚିଲେ ବ୍ୟସ୍ତ ହୋଇ ପଚାରିଲେ ତୁ ଏ ବେଶ୍ୟାର ଏମିତି କ’ଣ ଭୁଲ୍ କରିଛୁ ଯେ, ସେ ତୋତେ ମାରିବା ପାଇଁ ବ୍ୟବସ୍ଥା କରୁଛି ।

ମଦନ ସେନ କହିଲା – ମୋର କିଛି ଦୋଷ ନାହିଁ । ଦୟାକରି ରାଜାଙ୍କ ସହିତ ମୋର କଥା ବାର୍ତା କରାଇବାର ସୁବିଧା କରାଇ ଦିଅନ୍ତୁ । ତାହା କରାଇ ଦେଲେ ମୋ ଜୀବନ ଅବା ବଂଚିଯାଇ ପାରେ ।

ସାହୁକାର ରାଜାଙ୍କ ପାଖରେ ପହଁଚି ଅନୁରୋଧ କଲା ମହାରାଜ! ମଦନ ସେନ ଆପଣଙ୍କ ପାଖରେ କିଛି ବିନତି କରିବାକୁ ଚାହୁଁଛି । ତାର ବିନତି ସ୍ୱୀକାର କରନ୍ତୁ । ତାକୁ ପଚାରନ୍ତୁ ସେ ବେଶ୍ୟାର ତା ସହିତ କିପ୍ରକାର ଶତ୍ରୁତା । ଯଦି ଆପଣଙ୍କ ଠାରୁ ଉଚିତ୍ ନ୍ୟାୟ ନମିଳିବ ତେବେ ଆମେ ସମସ୍ତ ସାହୁକାର ସହର ଛାଡି ଚାଲି ଯିବୁ ।

ସାହୁକାରଙ୍କ ଠାରୁ ଏପରି କଥା ଶୁଣି ରାଜା କହିଲେ, ତେବେ ତାକୁ ଏଠାକୁ ଡକାଅ ।

ରାଜା ପଚାରିଲେ, କ’ଣ ତୋର କହିବାର ଅଛି? ସେ ବେଶ୍ୟା ସହିତ ତୋର କ’ଣ ଶତ୍ରୁତା ଅଛି? ବେଶ୍ୟା କାହିଁକି ତୋତେ ମାରିବା ପାଇଁ ବ୍ୟବସ୍ଥା କରାଉଛି । ସବୁ ଖୋଲି କରି କୁହ ।

ମଦନ ସେନ କହିଲା, ମହାରାଜ ! ମୁଁ କୌଣସି ଚୋର ନୁହେଁ । ଏହି ସ୍ତ୍ରୀ ଲୋକର ମୁଁ ସ୍ୱାମୀ ଅଟେ । ମୋତେ ଇଏ କୂଅ ଭିତରକୁ ଠେଲି ଦେଇ ସନ୍ନ୍ୟାସୀ ସହିତ ଚାଲି ଆସିଛି ।

ଏ କଥା ଶୁଣି ଚନ୍ଦ୍ରପ୍ରଭା କହିଲା, ମହାରାଜ ! ଏଇ ବଦମାସ୍କୁ ମୁଁ ଆଦୌ ଚିହ୍ନିନି ସେ କାହିଁକି ମୋର ସ୍ୱାମୀ ହେବ? ସେ ଚୋର ମୋର ଅଳଙ୍କାର ଚୋରୀ କରିଛି ।

ମଦନ ସେନ କହିଲା, ମହାରାଜ ! ଯଦି ଇଏ ମୋ ସ୍ତ୍ରୀ ନୁହେଁ ତେବେ ସେ ଗୋଟିଏ କଥା କରୁ । ଯେଉଁ ବସ୍ତୁ ମୁଁ ଏହାକୁ ରାସ୍ତାରେ ସଙ୍କଳ୍ପ କରି ଦେଇଛି । ତାହାକୁ ସେ ସଙ୍କଳ୍ପ କରି ମୋତେ ଫେରାଇ ଦେଉ ।

ରାଣୀ ଚନ୍ଦ୍ରପ୍ରଭା କହିଲେ, ହଁ ସେଥିରେ ମୁଁ ରାଜି । ତେବେ ନିଜ ହାତରେ ପାଣି ଧରି ସଙ୍କଳ୍ପ କରି କଥାକୁ ମୋତେ ଫେରାଇ ଦେଉ ।

ଚନ୍ଦ୍ରପ୍ରଭା କହିଲେ, ହଁ ମୁଁ ରାଜି ଅଛି । ତେବେ ଭଲ ହେଲା । ହାତରେ ପାଣି ଧର ଆଉ କୁହଯେ ରାସ୍ତାରେ ଦେଇଥିବା ସଙ୍କଳ୍ପ ମୁଁ ଫେରାଇ ଦେଉଛି । ଚନ୍ଦ୍ରପ୍ରଭା ତାହା ହିଁ କଲା ।ଯେମିତି ଜଳ ମଦନ ସେନ ହାତରେ ପଡିଛି । ସେମିତି ଚନ୍ଦ୍ରପ୍ରଭା ଯନ୍ତ୍ରଣାରେ ତଳେ ପଡି ଗଲା ଓ ସଙ୍ଗେ ସଙ୍ଗେ ପ୍ରାଣ ବାୟୁ ମଧ୍ୟ ଉଡି ଗଲା । ସେଠି ଉପସ୍ଥିତ ଥିବା ସବୁ ଲୋକ ଚକିତ ହୋଇ ଉଠିଲେ ।

ସେହି ସହରର ରାଜା ଏହାର ପ୍ରକୃତ ସତ୍ୟ କ’ଣ ବୋଲି ପଚାରିଲେ, ମଦନ ସେନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ କଥା କହି ଗଲା । ରାଜା ଖୁସିରେ ମଦନ ସେନକୁ ନିଜ ଛାତି ଉପରେ ଲଗାଇ ନେଲେ, ନିଜ ରାଜ କୁମାରୀ ସହିତ ମଦନ ସେନକୁ ବାହା କରାଇ ଦେଲେ । ଆଉ ସନ୍ନ୍ୟାସୀକୁ ଫାଶୀ ଖୁଂଟ ଉପରକୁ ଚଢାଇ ଦେଲେ ।

ଶୁଆ କହିଲା, ଏ ଶାରୀ ଯେଉଁ ଦିନ ଏହି କାହାଣୀ ଶୁଣିଛି, ସେହି ଦିନ ଠାରୁ ମୁଁ ସ୍ତ୍ରୀ ଲୋକକୁ ଘୃଣା କରେ । ସେଥି ପାଇଁ ଆଜି ପର୍ଯ୍ୟନ୍ତ ମୁଁ ବାହା ହୋଇନି ।

ଏକଥା ଶୁଣି ଶାରୀ କହିଲା, ଏ ଶୁଆ ତୁ ଠିକ୍ କଥା କହିଛୁ । କିନ୍ତୁ ପୁରୁଷ ଲୋକ ବେଶୀ ଅବିଶ୍ୱାସୀ । ସ୍ତ୍ରୀଲୋକ ବହୁତ କମ୍ । ସେମିତିଆ ଗୋଟିଏ କଥା କହୁଛି ଶୁଣ ।


Rate this content
Log in

Similar oriya story from Children