ପ୍ରେମ ଓ ପୋଖରୀପାଣି
ପ୍ରେମ ଓ ପୋଖରୀପାଣି
“ଜୀବନଟା ଗୋଟା ଚୁଇଁଗମ୍ ଭଳିଆ Iଉପରଟା ନୂଆବେଳେ ଟାଣ ସିନା,ଚୋବେଇ ଚୋବେଇ ପୁରୁଣା କଲେ ନରମ ନାଗିବ I” ବୋଲି, ଆମ ଗାଁ ନଣ୍ତାଇର ବିଚାର ଥେଲା Iସେଇ କାଳୁରୁ ଗାଁ ମୁଣ୍ତ ନଣ୍ତା ବରଗଛ ମୂଳେ, ନଣ୍ତାଇ ଅଣ୍ତା ଦୋକାନଟା କରି ସାରିଥେଲା Iବେପାର ହଉ କି ନହଉ ରାଜନୀତିଆ ଭେଣ୍ତାଙ୍କର ସେଠି ସବୁବେଳେ ଭିଡ Iଏ ସବୁ ଦେଖି ପାଖ ଗାଁ’ର ଲୁଣ୍ତେଇନାନୀ ତା’ସହ ଭାବନାବ ଆରମ୍ଭ କରିଦେଲା Iଏମିତି ହେଲା ଯେ ଧିଏଁ ଧିଁ’ଙ୍କୁ ଦଣ୍ତେ ନଦେଖିଲେ ୟା’ପିଣ୍ତା ତା’ପିଣ୍ତାରେ ଉଣ୍ତୁଳା ଉଣ୍ତୁଳି ଆରମ୍ଭ କରି ଦଉଥେଲେ Iସେମାନଙ୍କ କଥା ଧିରେ ଧିରେ ଦୋକାନ ପିଣ୍ତାରୁ ଯାଇ ଗାଁ ଦାଣ୍ତରେ ଗଡିଲା Iଦି’ଜଣଙ୍କ ଘରଲୋକ ଏକଥା ଶୁଣି ପୁରା ନିଆଁ ହେଇ ଗଲେ I
ଲୁଣ୍ତେଇନାନୀର ବାପା ଦାମାଖଣ୍ତି କଇଲା ନଣ୍ତା କ’ଣ ଭାବିଚିକି?ଦୋକାନରୁ ଦିନକରେ ଗୋଟାଇ ଅଣ୍ତା ବିକି ପାରୁନି,ମୋ ଝୁଅକୁ ନେଇ କ’ଣ ହାଉଆ ଖୁଆଇବ?ନଣ୍ତାଇ ବାପା ଧଣ୍ତ ସାମଲ ଖଣ୍ତି କଥା ଶୁଣି ରାଗରେ ଫଁ ଫଁ ହେଇ କଇଲା,“ମୋ ପାସଙ୍ଗରେ ଖଣ୍ତି ପଡିବନି,ତା’ଧିଏରେ ପୁଣି ଏତେ ନାଲି?ମୋ ପୁଅ ଦୋକାନ ବାବଦରେ ଏତେ କଥା କଉଚି ?ମୋ ପୁଅ ବସିକିରି ଖାଇଲେବି ମୋର ସରିବନି I ତା’ଝୁଅ ଭଳିଆ ତିନିଟା ଝୁଅକୁ ମୁଁ ମୋ ପୁଅକୁ ବାହା କରେଇଲେ ବି ମୋ ଧନ ସରିବନି I ଆରେ...... ଖଣ୍ତିର ଏତେ ବହପ?” ଏମିତି ବେଳରେ ଅନ୍ୟ ଉପାୟ ନପାଇ ଧିଏଁ ଠିକ୍ କଲେ ଏମିତି ତ ଚୋରା ପିରତି କରିକି ତ ଭାଣ୍ତିଆ ହେଲେଣି ,ଘରେ ବୁଝେଇଆ ଅପେକ୍ଷା,ଗାଁ ସରପଞ୍ଚ ହୁଣ୍ତାଇ ସହ କଥାହେଇ କିଛି ଗୋଟା ଫଇସଲା କରିବେ Iଧିଁ’ଙ୍କ ଘରେ ହୁଣ୍ତାଇର କଥାକୁ ଭଲ ଓଜନ ଦିଅନ୍ତି,ତେଣୁ ତାଙ୍କର ଭରସା ଥିଲା ସବୁ ଠିକ୍ ହେଇଯିବ ବେଲି Iଧିଏଁ ଯାଇ ହୁଣ୍ତାଇ ସହ ମିଶିଲେ Iସବୁ ଶୁଣିବା ପରେ ହୁଣ୍ତାଇ କଇଲା ଏମିତି ନଣ୍ତଭଣ୍ତ ହେଇ ସେ କିଛି ବିଚାର କରି ପାରିବନି,ଆଗେ କୁହ ଦି’ଜଣ କେତେକାହାକୁ ନଭ୍ କରୁଚ?ଲୁଣ୍ତେଇ ନାନୀ କହିଲା, “ତାଙ୍କ ପେଇଁ ମୁଁ ସବୁ ଛାଡିଛୁଡି ଦେଇ ଆସି ପାରିବି I” ନଣ୍ତାଇ ଜୋଡିଲା,“ହଁ’ରେ ହୁଣ୍ତା ୟା’ପେଇଁ ମୋର ସବୁ ଅସାର,ଲୁଣ୍ତେଇ ପେରେମ ମୋ ପେଇଁ ସବୁଠୁଁ ବଡ I” “ହଉ ହେଲା ତମେ କାଲି ଦି’ଜଣ ଯାକ ମୋ ଘରକୁ ଆସ Iଭୋଜିଟାଏ ଅଛି, ଖାଇପି’ ସିଧା ନଈ କୂଳକୁ ଯିବା,ସେଇଠି ମୁଁ ତମ ଭାବନାବ କଥା ମୁଣ୍ତରୁ ଗଣ୍ତି ଯାଏ ଶୁଣିବି Iତା’ପରେ ଯାଇ, ତମ ଦି’ଜଣ ଘରକୁ ଯିବିI”ତା’କଥାରେ ଧିଏଁ ହଁ ମାଇଲେ Iକଥା ଅନୁସାରେ ସେଦିନ ଦି’ଜଣ ହୁଣ୍ତାଇ ଘରେ ଖିଆପିଆ କଲେ Iଶେଷରେ ହୁଣ୍ତି ନୂଆବୋଉ କ’ଣ ଗୋଟା ରସ ଦେଲା,ତାକୁବି ପିଇଲେ Iହୁଣ୍ତାଇ ଲୁଣ୍ତେଇନାନୀକୁ ମଟର ସାଇକଲରେ ବସେଇ ଆଗେଆଗେ ଚାଲିଲା,ନଣ୍ତାଇ ସାଇକଲ ପେଲିପେଲି ପଛରେ ଚାଲିଲା Iସେମାନେ ପହଞ୍ଚିବାର ଘଡିଏ ଖଣ୍ତେ ପରେ ନଣ୍ତାଇ ପହଞ୍ଚିଲା ସତ,ହେଲେ ମୁହଁଟା ତା’ର ପୁରା ବିଷିପିତା ହେଇଯାଇଥେଲା Iଓହ୍ଲୋଉ ଓହ୍ଲୋଉ କହିଲା,“ତମେ ଟିକେ ଥାଅ ମୁଁ ଏଇଛୁଣି ଆଉଚି I”ହୁଣ୍ତାଇ କହିଲା, “ଇରେ ରହ ଗୋଟାଇ କଥା ପଚାରିବି, ଦି’ଜଣ ଯାକ ହଁ’ ମାଇଲେ ଯାଇ ଯାହା ଫଇସଲା କରିବି Iକଥାଟା ନିମିଷେକେରେ ସରିବ,ତୋର ଏମିତି କି’ କାମକି? ଆଗେ ଏ କାମଟା ସାରିକି ଗଲେ ହବନି?” ନଣ୍ତାଇ ଏଥର ପୁରା ଅସମ୍ଭାଳ ହେଇ ସାରିଥେଲା I ଥିରିକିନା ହୁଣ୍ତାଇକି କହିଲା, “ହଇରେ ନୂଆବୋଉ କ’ଣ ପିଆଇ ଦେଲା? ମୋ ପେଟୁଟା ସେତିକିବେଳୁ କଳକଳ ବଜବଜ ହଉଚି,ଏବେତ ପୁରା ଅସମ୍ଭାଳ I
ଲୁଣ୍ତେଇଟା ଅଛି,ମତେ ଆଉ ଏଠି ଭାଣ୍ତିଆ କରନାରେ Iମତେ ଛାଡିଦେ I” ହୁଣ୍ତାକ’ଣ କଉଥେଲା ସେକଥା ନଶୁଣି ନଣ୍ତାଇ ବୁଦା ଆଢୁଆଳକୁ ଦାଣ୍ତି ମାଇଲା Iହୁଣ୍ତାଇର ଫର୍ମୂଲା କାମ କରିଚି ଜାଣି ସେ ଖୁସି ହେଇଗଲା Iନିଜ କାମ ସାରି ଫେରିଲା ବେଳକୁ ନଣ୍ତାଇର କି’ହସ ଦେଖିବ !କଇଲା,“କହରେ ହୁଣ୍ତା କ’ଣ ପଚାରିବୁ ପଚାରେ?ହୁଣ୍ତାଇ କଇଲା,“ଆଉ କ’ଣ ନେମ୍ବୁ ପଚାରିବି? ତମ ଭାବନାବ କେତେ ଗହୀରିଆ ମୁଁ ଦେଖିଲି Iହଇରେ ତୋ ପେଇଁ
କୁଆଡେ ପେରେମ ବଡଟି?ପେରେମ ପେଇଁ ପୋଖରୀପାଣିଟାକୁ ନିମିଷେ ଅଟକେଇ ପାରିଲୁନି?କି’ପେରେମ କରୁଚୁ? ତେମେ କୁଆଡେ ପେରେମ ପେଇଁ ସବୁକିଛି କରି ପାରିବ ପରା?ଯା’ ଯା’….I”ସାଡୁ ଲୁଣ୍ତେଇନାନୀ ସୁଁ ସୁଁ ହେଇ ସକେଇ ହେଇ କଇଲା,”ତମ ପେଇଁ ଛାର ପୋଖରୀପାଣିଟା ମୋ ପେରେମ ଠଉଁ ବଡ ହେଇଗଲା?”ଆଉ ସମାଳି ନପାରି ନୁଗା କାନିକୁ ବିଣ୍ତାକରି ପାଟିରେ ପୁରେଇ ନଣ୍ତାଇକି ଧକାଟା ମାରି ନଣ୍ତଭଣ୍ତ ହେଇ ପଳେଇଲା ଯେ....ପଳେଇଲା Iତା’ପରେ କ’ଣ ହେଲା କେଜାଣି ?ମୁଁ ଗାଁ’କୁ ଗଲାବେଳକୁ ଦେଖିଲି ଲୁଣ୍ତେଇନାନୀ ଛୁଆଟାକୁ ଧରି ତା’ ଗାଁରେ ବୁଲୁଥେଲା ଆଉ ନଣ୍ତାଇ ତା’ ଦୋକାନରେ ବସି ଆସନ୍ତା ଭାଲେଣ୍ଟାଇନ୍ ଡେ’ ପାଇଁ ରସିକିଆ ମାନଙ୍କୁ ଉପରେ ଲେଖିଥିବା ପ୍ରବଚନ ଶୁଣଉଥେଲାI” ଜୀବନଟା ଗୋଟେ ଚୁଇଁଗମ୍..........I” ମୁଁ ଭାବୁଥିଲି ଯାହାହଉ ଆମ ଗାଁ’ର ପ୍ରଥମ ପ୍ରେମିକ ନଣ୍ତାଇ ସହରିଆ ଭାଲେଣ୍ଟାଇନ୍ ଡେ’ର ମୂଳଦୁଆଟା ଆମ ଗାଁ’ରେବି ପକେଇ ସାରିଲାଣି I