Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଆକବର ବିରବଲ - ୯୮
ଆକବର ବିରବଲ - ୯୮
★★★★★

© ଓଡିଆ ଶିଶୁ ଗପ

Children Classics Comedy

4 Minutes   7.7K    25


Content Ranking

ନଖ ଚିକିତ୍ସା - ୨

କର୍ମଚାରୀଠାରୁ ଏ ସମ୍ବାଦ ଶୁଣିବା ପରେ ବିରବଲ ତାଙ୍କ ସାଥିରେ ରାଜଦରବାରକୁ ଚାଲିଲେ । ସେତେବେଳକୁ ବାଦ୍ଶାହା ଚାତକପ୍ରାୟ ବୈଦ୍ୟଙ୍କୁ ଚାହିଁ ରହିଥାନ୍ତି ।

ବୈଦ୍ୟବେଶୀ ବିରବଲ ଯାଇ ପହଁଚିଗଲେ ରାଜଦରବାରରେ । ବାଦ୍ଶାହା ତାହାଙ୍କୁ ଦେଖି ଖୁବ୍ ଆଦର କଲେ । ବୈଦ୍ୟଙ୍କ ନିମନ୍ତେ ଚା’ ଜଳପାନର ବ୍ୟବସ୍ଥା କରି ଦେଲେ । ବୈଦ୍ୟଙ୍କର ରହିବା ନିମନ୍ତେ ଗୃହର ବ୍ୟବସ୍ଥା କଲେ । ତା’ପରେ ପଚାରିଲେ, ବୈଦ୍ୟରାଜ, ଦେଖନ୍ତୁ ଯୁଦ୍ଧବେଳେ ଯୁଦ୍ଧ କରିବା ସମୟରେ ଅସ୍ତ୍ରଦ୍ୱାରା ମୋର ଏହି ଆଙ୍ଗୁଳିଟି କଟି ଯାଇଥିଲା । ମୋ ରାଜ୍ୟରେ ବୈଦ୍ୟମାନଙ୍କର ଚିକିତ୍ସାରେ ଆଙ୍ଗୁଳିଟିର ମାଂସସିନା ପୂରଣ ହୋଇଗଲା ହେଲେ ନଖ ଉଠିଲା ନାହିଁ । ବହୁ ରାଜ୍ୟରୁ ବହୁ ବୈଦ୍ୟ ଆସି ଚିକିତ୍ସା କରିବାର ପ୍ରତିଶୃତି ଦେଇ ଶେଷରେ ଚିକିତ୍ସାରେ ବିଫଳ ହୋଇ ହଜାର ହଜାର ବୈଦ୍ୟ ମୋର କାରାଗାର ମଧ୍ୟରେ ବନ୍ଦୀ ହୋଇ ରହିଛନ୍ତି ।

ବିରବଲ ଏକଥା ଶୁଣି ଆଶ୍ଚର୍ଯ୍ୟ ଭାବରେ ବାଦ୍ଶାହାଙ୍କୁ ଚାହିଁ କହିଲେ, ଏଇ ଛାର କଥାଟାପାଇଁ ଜାହାଁପନା ବୈଦ୍ୟମାନଙ୍କୁ କାରାଗାରରେ ରଖିଛନ୍ତି, ଏହାଦ୍ୱାରା କ’ଣ ଜାହାଁପନାଙ୍କର ନଖ ଉଠିଯାଇଛି । ଅଯଥାରେ ବୈଦ୍ୟମାନଙ୍କ ପିଛା ରାଜକୋଷରୁ ଧନ ଖର୍ଚ୍ଚ ହେଉଛି ସିନା, ତା’ଛଡା ସମସ୍ତେ କ’ଣ ସବୁ ରୋଗର ସଫଳ ଚିକିତ୍ସା କରିପାରନ୍ତି ଜାହାଁପନା । ମୁଁ ପ୍ରତିଶୃତି ଦେଉଛି, ମାତ୍ର ଦୁଇ ପାନ ଔଷଧରେ ଆପଣଙ୍କ ନଖ କଅଁଳିବ ।

ବାଦ୍ଶାହା କହିଲେ – ତାହାହେଲେ ମୁଁ ତୁମ୍ଭପାଇଁ ଲକ୍ଷେ ସ୍ୱର୍ଣ୍ଣମୁଦ୍ରା ପୁରସ୍କାର ଦେବି । ଚାଷ କରିବା ନିମନ୍ତେ ଚାଷ ଜମି ଯୋଗାଇ ଦେବି । ରହିବା ଲାଗି ମହଲ ନିର୍ମାଣ କରିଦେବି ।

ବିରବଲ ଏକଥା ଶୁଣି ସାରି କହିଲେ, ଜାହାଁପନା, ମୋର ଧର୍ମ ଆପଣଙ୍କର ନଖ ଉଠାଇବା, ତେଣିକି ଆପଣଙ୍କ ଧର୍ମ ପ୍ରଜାମାନଙ୍କର ହିତସାଧନ କରିବା ।

ବାଦ୍ଶାହା କହିଲେ, ଉତ୍ତମ, ଉତ୍ତମ ତୁମର ବିଚାର । ତୁମ୍ଭେ ଠିକ୍ କଥା କହୁଅଛ ।

ବିରବଲ କହିଲେ, ମୋର ଧାରଣା ନଥିଲା ଯେ ଏହି ଛୋଟ ଛୋଟ ରୋଗର ଚିକିତ୍ସା ଏତେଗୁଡିଏ ବୈଦ୍ୟ ନ ଜାଣିଲେ କିପରି? ମୁଁ କଥା ଦେଉଛି ଚିକିତ୍ସା କରି ଆପଣଙ୍କର ନୂଆ ନଖ ଗଜୁରାଇ ଦେବି ।

ବାଦ୍ଶାହା କହିଲେ – ଠିକ୍ ଅଛି, ଏବେ ତୁମ୍ଭେ କୁହ ଯେ ମୋତେ କ’ଣ କରିବାକୁ ପଡିବ ।

ବିରବଲ କହିଲେ, ମୁଁ ଦୁଇ ପାନ ଔଷଧରେ ନଖ କଅଁଳେଇ ଦେବି । ମୋର ଦୁଇ ଗୋଟି ସର୍ତ୍ତକୁ ଲିଖିତ ଆକାରରେ ଜାହାଁପନାଙ୍କୁ ପୂରଣ କରିବାକୁ ହେବ ।

ବାଦ୍ଶାହା କହିଲେ, ସେହି ସର୍ତ୍ତ ତୁମର କ’ଣ? ତାହା ମୋତେ କୁହନ୍ତୁ ।

ବିରବଲ କହିଲେ – ମୋର ପ୍ରଥମ ସର୍ତ୍ତ, ଆପଣ ଯେଉଁ ବୈଦ୍ୟମାନଙ୍କୁ ବର୍ତ୍ତମାନ କାରାଗାରରେ ବନ୍ଦୀ କରି ରଖିଛନ୍ତି, ସେମାନଙ୍କୁ ବନ୍ଦୀମୁକ୍ତ କରିଦେବେ । କାରଣ ସେମାନଙ୍କର ଅଭିଶାପ ମୋ ଉପରେ ପଡିଯିବ ।

ଦ୍ୱିତୀୟ ସର୍ତ୍ତ ହେଲା, ଆପଣ ମୋର ଚିକିତ୍ସା ନିମନ୍ତେ ଦୁଇଗୋଟି ଦ୍ରବ୍ୟ ଯୋଗାଇ ଦେବେ ।

ବାଦ୍ଶାହା ଭାବିଲେ – ବନ୍ଦୀମାନଙ୍କୁ ମୁକ୍ତ କରିଦେବି । ହେଲେ ଏଇ ସାମାନ୍ୟ ଦୁଇଗୋଟି ଦ୍ରବ୍ୟ କ’ଣ ମୁଁ ସଂଗ୍ରହ କରିଦେଇପାରିବି ନାହିଁ । ମୋ ରାଜ୍ୟରେ ପୁଣି କେଉଁ ଦ୍ରବ୍ୟର ଅଭାବ ଅଛି ଯେ ।

ଏହାପରେ ବାଦ୍ଶାହା ଲିଖିତ ଆକାରରେ ବିରବଲଙ୍କର ଦୁଇଟିଯାକ ସର୍ତ୍ତ ପୂରଣ କରିବା ଲାଗି ରାଜି ହୋଇଗଲେ ଓ ଲିଖିତ ଆକାରରେ ତାହା ବୈଦ୍ୟଙ୍କୁ ଧରାଇ ଦେଲେ ।

ବିରବଲ ଲିଖିତ ସର୍ତ୍ତକୁ ଦେଖି ତାକୁ ଯତ୍ନରେ ରଖିଲେ ।

ବାଦ୍ଶାହା କହିଲେ – ମୁଁ ତୁମ୍ଭର ପ୍ରଥମ ସର୍ତ୍ତ ସଂଗେ ସଂଗେ ପୂରଣ କରିବା ନିମନ୍ତେ ଆଦେଶ ଦେଉଛି ଯେ, ଯେତେ ବୈଦ୍ୟ ବନ୍ଦୀ ହୋଇ ମୋ କାରାଗାର ମଧ୍ୟରେ ଅଛନ୍ତି ସେମାନେ ଖଲାସ୍ ହେବେ । ଏଥର ଦ୍ୱିତୀୟ ସର୍ତ୍ତ କୁହନ୍ତୁ, ତୁମ୍ଭର ଔଷଧ ନିମନ୍ତେ କେଉଁ ଦ୍ରବ୍ୟର ଆବଶ୍ୟକତା ରହିଛି ।

ବିରବଲ ଦେଖିଲେ, ବନ୍ଦୀ ହୋଇଥିବା ସମସ୍ତ ବୈଦ୍ୟ ବନ୍ଦୀମୁକ୍ତ ହେଲେ ଏଥର ବାଦ୍ଶାହାଙ୍କୁ ଦ୍ରବ୍ୟ ସଂଗ୍ରହ କଥା ଜଣାଇବା ।

ବିରବଲ କହିଲେ, ଆପଣଙ୍କର ନଖ ଉଠିବା ଲାଗି ମୋର ମାତ୍ର ଦୁଇଗୋଟି ଦ୍ରବ୍ୟଲୋଡା, ଯାହାକୁ କି ଆପଣ’ ସ୍ୱୟଂ ଯୋଗାଡ କରିଦେବେ । ଆଉ ମଧ୍ୟ ତାହା ଆପଣଙ୍କର ରାଜ୍ୟରେ ହିଁ ଅଛି । ବିଶେଷ ଖୋଜିବାକୁ ପଡିବ ନାହିଁ । ତାହା ହେଲେ ମୁଁ ଦ୍ରବ୍ୟ କଥା କହୁଛି ଜାହାଁପନା । ତାହାକୁ ଲିପିବଦ୍ଧ କରନ୍ତୁ ।

ବିରବଲ କହିଲେ, ଦ୍ରବ୍ୟ ସୁଲଭ ଜାହାଁପନା । ଗୋଟିଏ ଦ୍ରବ୍ୟ ହେଲା, ଡିମ୍ବିରି ଫୁଲ ଓ ଅନ୍ୟଟି ହେଲା ଯେକୌଣସି ମାଛର ମୂତ୍ର । ଦେଖନ୍ତୁ ଜାହାଁପନା, ଆପଣଙ୍କ ରାଜ୍ୟରେ ଡିମ୍ବିରି ବୃକ୍ଷରୁ ଡିମ୍ବିରି ଫଳୁଛି । ତେଣୁ ଫୁଲ ସଂଗ୍ରହ କରିବାରେ ଅସୁବିଧା ହେବ ନାହିଁ । ଆଉ ମଧ୍ୟ ଆପଣଙ୍କ ରାଜ୍ୟରେ ତ ଅଶେଷ ନଦୀ ପୁଷ୍କରିଣୀ ଅଛି ମାଛମାନଙ୍କର ମୂତ୍ର ବା କାହିଁକି ସଂଗ୍ରହ କରି ନ ପାରିବେ?

ବାଦ୍ଶାହା କହିଲେ – ଏହି ସାମାନ୍ୟ ଦ୍ରବ୍ୟ, ଏକଥା କ’ଣ ଅନ୍ୟ ବୈଦ୍ୟମାନେ ଜାଣିନଥିଲେ ।

ବିରବଲ କହିଲେ, ଚିକିତ୍ସା ଶାସ୍ତ୍ର ତ ଅନେକ ବାଦ୍ଶାହା । ସବୁ ଚିକିତ୍ସା ଶାସ୍ତ୍ର ଅଧ୍ୟୟନ କରିବାକୁ ସମୟ କାହିଁ ଜାହାଁପନା ।

ବାଦ୍ଶାହା କହିଲେ – ତାହାହେଲେ ଆପଣ ଆପଣଙ୍କର ସଠିକ୍ ଠିକଣା ଏଠାରେ ଲିପିବଦ୍ଧ କରିଦେଇ ଯାଆନ୍ତୁ । ମୁଁ ମାସକ ମଧ୍ୟରେ ଦୁଇଗୋଟି ସାମଗ୍ରୀ ସଂଗ୍ରହ କରି ତୁମ୍ଭଙ୍କୁ ଜଣାଇ ଦେବି । ତା’ପରେ ତୁମ୍ଭେ ଆସି ଚିକିତ୍ସା କରିବ ।

ବନ୍ଦୀମାନେ ମୁକ୍ତ ହୋଇଗଲେ । ସେଥିଲାଗି ବିରବଲଙ୍କ ପ୍ରତି ସମସ୍ତ ବୈଦ୍ୟମାନେ କଲ୍ୟାଣ ତଥା ଆଶୀର୍ବାଦ କଲେ । ଏଥର ବାକି ରହିଲା ସେହି ଦୁଇଗୋଟି ସାମଗ୍ରୀ ।

ଏହାପରେ ବିରବଲ ବାଦ୍ଶାହାଙ୍କଠାରୁ ମାସକ ଯାଏଁ ବିଦାୟ ନେଇ ଚାଲି ଆସିଲେ । ଆଉ ଆସିବା ସମୟରେ କହି ଆସିଲେ, ଦ୍ରବ୍ୟ ଦୁଇଟି ସଂଗ୍ରହ ନିମନ୍ତେ ବିଶେଷ ସମୟ ନେବେ ନାହିଁ ଜାହାଁପନା ।

ବାଦ୍ଶାହାଠାରୁ ବିଦାୟ ନେଇ ବିରବଲ ସମ୍ରାଟ ଆକବରଙ୍କ ନିକଟରେ ପହଁଚି ସମସ୍ତ କଥା ବୁଝାଇ ଦେଲେ ।

ସମ୍ରାଟ୍ ଖୁସି ହୋଇ କହିଲେ – ବନ୍ଦୀମାନଙ୍କୁ ତ ମୁକ୍ତ କଲ, ହେଲେ ନିଜର ମୁକ୍ତି ନିମନ୍ତେ ଚିନ୍ତା କରିଛ ତ?

ବିରବଲ ହସି ଦେଇ କହିଲେ – ଜାହାଁପନା, ବିରବଲ ତ ସେଠାରୁ ମୁକ୍ତି ପାଇ ଆସି ପାରିଛି ।

ସମ୍ରାଟ୍ କହିଲେ – କିପରି? ତୁମେ ବାଦ୍ଶାହାଙ୍କ ନଖ ଉଠିବା ନିମନ୍ତେ ଚିକିତ୍ସା କରିବ ନାହିଁ ତ ସେଠାରେ ସର୍ତ୍ତ ଲେଖିଲେ କାହିଁକି?

ବିରବଲ କହିଲେ – ଡିମ୍ବିରି ଗଛ ଅଛି, ତା’ର ଫଳ ମଧ୍ୟ ଅଛି, ହେଲେ ଡିମ୍ବିରି ଫୁଲ ଏପରି ଫୁଟେ ତାହା କିନ୍ତୁ କେହି ଶତ ଚେଷ୍ଟା କଲେ ମଧ୍ୟ ପାଇପାରିବ ନାହିଁ । ଦ୍ୱିତୀୟ ଦ୍ରବ୍ୟ କଥା ଲେଖିଲେ ମାଛ ଯେତେବେଳ ଯାଏଁ ବଂଚି କରିଥିବ ସେତେବେଳ ଯାଏଁ ସେ ପାଣିରେ ରହିବ ନା ହଜୁର୍ । ତେଣୁ ମାଛ ସଦାସର୍ବଦା ସେହିପାଣିରେ ତା’ର ମଳମୂତ୍ର ତ୍ୟାଗ କରିବ । ଏପରି ମାଛ ମୂତ୍ର ମୋତେ ବାଦ୍ଶାହା ଆଣିଦେବେ କିପରି? ତେଣୁ ମୋର ମରିବା ଯାଏଁ ବାଦ୍ଶାହା ମାଛ ମୂତ୍ର ଓ ଡିମ୍ବିରି ଫୁଲ ଯୋଗାଡ କରିପାରିବେ ନାହିଁ କି ମୋତେ ଡକାଇ ପାରିବେ ନାହିଁ । ବାଦ୍ଶାହା କେବଳ ସର୍ତ୍ତକୁ ବସି ଦେଖୁଥିବେ ।

ସମ୍ରାଟ୍ ଆକବର ବିରବଲଙ୍କର ଏପରି ବୁଦ୍ଧିକୁ ତାରିଫ୍ ନ କରି ରହିପାରିଲେ ନାହିଁ । ସଂଗେ ସଂଗେ ବିରବଲଙ୍କୁ ପୁରସ୍କାର ଦେଇ ବିଦାୟ ଦେଲେ ।

କର୍ମଚାରୀ ବିରବଲ ବୈଦ୍ୟବେଶୀ

Rate the content


Originality
Flow
Language
Cover design

Comments

Post

Some text some message..