Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ୟୁନିଫର୍ମ
ୟୁନିଫର୍ମ
★★★★★

© Sarada Parida

Abstract Inspirational

5 Minutes   14.2K    10


Content Ranking

ନାମମାଳୀ ଆଉ ଉତ୍ତରୀୟ ପକେଇଦେଲେ କେହି ସାଧୁ ହୋଇଯାନ୍ତିନି । ସମାଜର ସବୁ ଅପରାଧକୁ ରୋକିବାକୁ ନିୟୋଜିତ ହୋଇଥିବା ସେଇ ୟୁନିଫର୍ମ ପିନ୍ଧା ପୋଲିସ ଗୁଡାକ ବି ଚୋରିକରନ୍ତି । ତାଙ୍କ ଦେହରେ ବି ୟୁନିଫର୍ମ । କେଉଁଠୁ ଲୋପ୍ୟ ହେଇଯାଏ ସେତେବେଳକୁ ଅନୁଶାସନ ଗୁଡା । ଧେତ ସବୁଗୁଡା ଖାଲି ଡ୍ରାମାବାଜି । ଯେତେ ଚେଷ୍ଟା କଲେବି ଏ ୟୁନିଫୋର୍ମଟା କେବେ ସମାନ ହବାର କଥା କହିପାରେନି । ଖାଲି କଣ ଏଇ ଡ୍ରେସ ଖଣ୍ଡିକ କୁନି କୁନି ପିଲା ମାନଙ୍କ ଭିତରେ ଖେଞ୍ଚି ଖେଞ୍ଚି ଭର୍ତ୍ତି କରିଦେବ ସମାନ ହେବାର ଚିନ୍ତାଧାରା । ଓଲଟି ଆଉ କେଉଁ ବାଗରେ ଆରମ୍ଭ କରିଦେବ ଦଉଡ ନିଜ ନିଜ ଭିତରେ ଭିନ୍ନ ଭିନ୍ନ ଚିଜ କୁ ନେଇ । କଣ ଲୋଡା ଏ ୟୁନିଫର୍ମର ?

ତଥାପି ବି ସମସ୍ତଙ୍କର ସେଇ ଗୋଟାଏ ମୋହ ଏଇ ୟୁନିଫର୍ମ । ମେହେନ୍ତର ଠୁ ମିନିଷ୍ଟର ଯାଏ , ସେଇଟା ତ ସମସ୍ତଙ୍କର ଗୋଟାଏ ଗୋଟାଏ ପରିଚୟ ଆଉ ଆଭିଜାତ୍ୟର ଛାପ । ବେଳେ ବେଳେ ଲାଗେ ଏଇ ୟୁନିଫର୍ମଟା ବି ଖୁବ ଗୋଟାଏ ବଡ କମ୍ପ୍ଲେକ୍ସ ତିଆରି କରେ ପିଲାଠୁ ବୁଢା ସମସ୍ତଙ୍କ ଠାରେ । ଭାଗ ଭାଗ କରି ବାଣ୍ଟି ଦିଏ ସମାଜକୁ । ବଡ ଲୋକ , ସାନ ଲୋକ , ମଝିଆ ଲୋକ । ଏମିତି ଅନେକ ବର୍ଗରେ । ସେମିତି ବଣ୍ଟା ହୋଇଯାନ୍ତି ନିରହ ଛୁଆ ଗୁଡାକ । ଆଉ ତାଙ୍କ ସାଙ୍ଗରେ ତାଙ୍କ ବାପ ମାର ପାରିବା ପଣିଆ ବି । ବିନା ଦୋଷରେ ହରେଇ ବସନ୍ତି ଅଧିକାର ଆଉ ଘୃଣିତ ହୋଇ ବଡ ଲୋକି ଛୋଟ ଲୋକିର ତଫାତ ଭିତରେ ହୋଇଯାନ୍ତି ବାସନ୍ଦ ସମାଜର ଗୋଟାଏ ଗୋଟାଏ ଶ୍ରେଣୀରୁ । ଏ ୟୁନିଫର୍ମର କମ୍ପ୍ଲେକ୍ସରୁ ସମ୍ଭବ ତ ପିଲାଟିଏ ବାହାରି ଯାଇ ପାରେ । କିନ୍ତୁ ବାପା ମାଙ୍କୁ ନିସ୍ତାର କାହିଁ । ସେମିତି ଗୋଟିଏ କମ୍ପ୍ଲେକ୍ସରେ ଫସିଯାଇଥିଲେ ରାମାକାନ୍ତ ବାବୁ ।

ପହିଲେ କରି ଯେତେବେଳେ ସେଇ ନାମୀ ଇଂଲିସ ମିଡିୟମ ସ୍କୁଲରେ ନା ଲେଖେଇଥିଲେ ଝିଅର , ବେଶ କିଛି ଫରକ ଥିବାର ଅନୁଭବ କରିନଥିଲେ । ବଡ ସରାଗରେ ଭର୍ତ୍ତି କରିଦେଇଥିଲେ । ଭାବି ଥିଲେ ବର୍ଷା କେଇଟାରେ ପାଠ ଧରିଲେ ଉଠେଇ ଆଣିବେ ସରକାରୀ କି କମ ଦେୟଯୁକ୍ତଵ ଆଉ ଗୋଟାଏ ଇଂରାଜୀ ବିଦ୍ୟାଳୟକୁ । ମାତ୍ର ସମ୍ଭବ କେଉଁଠୁ , ୟୁନିଫର୍ମର କମ୍ପ୍ଲେକ୍ସ ଆଜ୍ଞା , କିଏ ଜାଣି ଜାଣି ବୁଡେଇ ବସିବ ସେଇ ପରିଚୟ ଖଣ୍ଡିକ ।

           ଝିଅ ବର୍ଷ ପରେ ବର୍ଷ ଡେଇଁ ଡେଇଁ ଯାଉଥିଲା ଗୋଟାଏରୁ ଆଉ ଗୋଟାଏ ଶ୍ରେଣୀ , ଆଉ ବଢି ବଢି ଚାଲୁଥିଲା ରାମାକାନ୍ତଙ୍କର ବୋଝ । ସ୍କୁଲ ଫି, ଟିଉସନ ଫି, ୟୁନିଫର୍ମ ଫି ,ଅମୁକ ଫି ,ସମୁକ ପେମେଣ୍ଟ କେମିତି କେଜାଣି ପ୍ରତିବର୍ଷ ଏମିତି ଏମିତି ବଢି ଚାଲନ୍ତି ? କେଉଁ ଗାଣିତିକ ସୂତ୍ର ରେ କେଜାଣି ? ଘରୋଇ ଚାକିରିର ସୀମିତ ଆୟ। ଏଇ ଫି ତକ ଭରିବା କାଠିକର ପାଠ ହୋଇଯାଏ । ହେଲେ ସେ କଥା କଣ ବୁଝେ ନିତିଦିନର ଖର୍ଚ୍ଚ । ପେ କମିଶନର ହିସାବ ପରି ସେମାନେ ବି ଜ୍ୟାମିତିକ ପ୍ରଗତିରେ ବଢି ଚାଲନ୍ତି । ଫି ସାଲ ଘର ଭଡା ଭଡେ । ବାଢୁଥାଏ ବୟସ । ବୁଢା ବାପ ମାଙ୍କର ଔଷଧ ପତ୍ର ଖର୍ଚ୍ଚ ଆଉ ତେଲ ଲୁଣର ଘର ସଂସାର ବୋଝ । ଯଦି କେଉଁଟା ବଢି ପାରେନି , ଏ ସବୁ ଖର୍ଚ୍ଚକୁ ତୁଲେଇବାକୁ ରାମାକାନ୍ତ ବାବୁଙ୍କ ଆୟ ଗଣ୍ଡିକ । ଅଣନିଶ୍ଵାସୀ ହୋଇ ପଡନ୍ତି ରାମାକାନ୍ତ ଆଉ ଝିଅର ୟୁନିଫର୍ମ ବଦଳେଇ ଦବାକୁ ଚିନ୍ତା କରନ୍ତି । ମାତ୍ର ପୁଣି ମାଡିପକାଏ ସେଇ କମ୍ପ୍ଲେକ୍ସ ଟା । ଯେତେବେଳ ତାଙ୍କ ପଡିଶା ମଦନା ତା ପୁଅକୁ ପଞ୍ଚମ ଶ୍ରେଣୀରୁ ଉଠେଇ ଆଣି ଭର୍ତ୍ତି କରିଥିଲା ସରକାରୀ ବିଦ୍ୟାଳୟରେ । ଗୋଟାଏ ପରେ ଗୋଟାଏ କଲୋନୀର ସବୁ ପିଲା ମିଳା ମିଶା ବନ୍ଦ କରିଦେଇଥିଲେ ତା ସହ ବାପ ମାଙ୍କ ତାଗିଦାରେ । କେଉଁ ଗୋଟାଏ ଅଦୃଶ୍ୟ ଭୟ । ଛି ସରକାରୀ ସ୍କୁଲ ଛୁଆ ଗୁଡା କଣ ପାଠ ପଢନ୍ତି ! ବରଂ ନଷ୍ଟ ହୋଇଯିବେ ବାକି ପିଲାଏ ତା ସହ ମିଶିଲେ । ଯେଉଁ ବୟସରେ ପାଠ ପଢି ଖେଳି ବୁଲିବାର କଥା ସେଇ ସମୟରେ ଏଇ ୟୁନିଫର୍ମ ତାଙ୍କୁ ବାସନ୍ଦ କରିଦେଇଥିଲା । ଶେଷରେ ମଦନାକୁ ଏ କଲୋନୀ ଛାଡି ଆଉ କେଉଁଠି ରହିବାକୁ ପଡିଥିଲା ନିର୍ବାସନରେ । ନା ମଦନ ନା ତା ପୁଅ , କିଏ କଣ ନିଜକୁ ବଞ୍ଚେଇ ନେଇଥିବେ ଏ ୟୁନିଫର୍ମର କମ୍ପ୍ଲେକ୍ସରୁ ?

                       ଇଏ କଣ ଗୋଟାଏ କମ କଥା କି , ସ୍ୱଳ୍ପ ଆୟ ଭିତରେ ବି ସିଏ ପଢେଇ ପାରିଛନ୍ତି ଝିଅକୁ ସେଇ ନା କରା ବିଦ୍ୟାଳୟରେ ? କେଉଁ ଗୋଟାଏ ବଡିମା ଦେଖେଇ କଥା ହୁଅନ୍ତି ରାମାକାନ୍ତ ବାବୁ ପଡା ପଡିଶାରେ । । ହୁଏତ ଟଙ୍କା ପଇସାରେ ସେମାନଙ୍କଠୁ କମ ଥାଇପାରେ ସେମାନଙ୍କ ପାଖରେ ମାତ୍ର ଛାତିରେ ହାତ ଦେଇ କହିପାରନ୍ତି ମହାପାତ୍ର ବାବୁଙ୍କ ଆଗରେ ସ୍କୁଲର ପ୍ୟାରେଣ୍ଟ ମିଟିଂ ରେ । ସିଏ ବି କିଛି କମ ନୁହନ୍ତି । ସିଏ ବି କମ ଜାଣି ନାହାନ୍ତି ତାଙ୍କଠୁ , ଯିଏ ଦିନେ ମଦନକୁ ଥାଡ କ୍ଳାସ ଲୋକ କହି ଏଡେଇ ଯାଇଥିଲେ । ଦି ପଦ ତାଙ୍କ ସହ ତ କଥା ହେଉଛନ୍ତି । ସବୁକିଛି ସମ୍ଭବ ତ ଝିଅର ସେଇ ୟୁନିଫର୍ମ ପାଇଁ । ସେମିତିକା କମ୍ପ୍ଲେକ୍ସ ରାମାକାନ୍ତ ବାବୁଙ୍କ ମନକୁ ବି ବହୁତ ବାର ଗ୍ରାସିଛି । ସ୍ଵତ ସ୍ଫୁର୍ତ୍ତ ହୋଇ ମଳିଛିଆ କଳା ଧଳା ୟୁନିଫର୍ମ ପିନ୍ଧିଥିବା ପିଲାଟାକୁ ଦେଖିଲେ ମନ ଭିତରେ ଆଙ୍କି ବସନ୍ତି ତା ଗରିବୀର ଛବିଟା ।“ ନିହାତି କେଉଁ ଏକ ସରକାରୀ ବିଦ୍ୟାଳୟର ହେଇଥିବ । ତା ବୋପା କଉ ଠେଲା ବେପାରୀ  କି ଦିନ ମଜୁରିଆ ଟାଏ ହେଇଥିବ ନିଶ୍ଚୟ । ୟୁନିଫର୍ମ ଖଣ୍ଡକ ସିଏ ନ ଚାହିଁଲେ ବି କହିପକାଏ ରାମାକାନ୍ତ ବାବୁଙ୍କୁ ତା ଘର ଭିତରର ଭିତିରି କଥାଟା । ସେତେବେଳେ ସମାଜର ଭାଗ ବଣ୍ଟାର କେଇପାହାଚ ଉପରେ ନିଜକୁ ଆବିଷ୍କାର କରନ୍ତି ସେ । ସେମିତି ଈର୍ଷାଟିଏ ବି ଚେଇଁ ଉଠିଛି ମନ ଭିତରେ ଅନେକ ବାର । ସେଇ ମିନିସ୍କଟ ପିନ୍ଧା ଝିଅ ଗୁଡାଙ୍କୁ ଦେଖିଲେ । ନିଶ୍ଚୟ ସହରର ସବୁଠାରୁ ଦାମୀ ସ୍କୁଲ ର ଛାତ୍ରୀ । ତେବେ ମିନିସ୍କଟର ୟୁନିଫର୍ମଟା ତାଙ୍କ ମୁଣ୍ଡକୁ ବୁଝାପଡେନି । କଣ ସୂତ୍ର ୟାର । ପୁଅ ମାନଙ୍କର ଡ୍ରେସ ଗୁଡ ବେଏଁ ବେଏଁ ପାଦ ଯାଏ ଲମ୍ବା । ଅଥଚ ଝିଅ ମାନଙ୍କର ଝଙ୍ଘ ଲୁଚେଇବାକୁ ନଖଟ । ଧେତ । ସବୁଗୁଡା ବି ବୁଝିବା ଅନାବଶ୍ୟକ । ଲାଜ ଭିତରେ ରହିଲେ କିଏ କଣ ଆଗକୁ ବଢିପାରିବ । ଏଇଟା ତ ପ୍ରଥମ କଡି , ପ୍ରଥମ ଶିକ୍ଷା , ଲାଜକୁ ଡେଇଁ ଦି ପାଦ ଆଗକୁ ଯିବାର । ତେବ ଡିସେମ୍ବର ମାସର ଶୀତରେ ବି କେଉଁ ଲାଜକୁ ଅନାବରଣ କରିବାକୁ କର୍ତ୍ତୁପକ୍ଷ ସେମାନଙ୍କୁ ଫୁଲ ୟୁନିଫର୍ମଟାଏ ପିନ୍ଧିବାକୁ ଦିଅନ୍ତିନି କେଜାଣି ।

                       ନିଜକୁ ପଚାରୁଥିବା ସବୁ ପ୍ରଶ୍ନର ସେଇ ଗୋଟାଏ ଉତ୍ତର ଆସେ । ଇଡିଅଟ୍ସଟା କିରେ , ଆଜି କାଲୀ କା ଦୁନିଆରେରେ ଇଏ କି ରକ୍ଷଣଶୀଳ ଚିନ୍ତାଧାରା । ଗୋ ଫର ମଡନାଇଜେସନ । ଗୋ ଫର ଆଡଭାଂଶମେଣ୍ଟ । ଗୋ ଫର ଟୁମରୋ । ଗୋ ଫର ୟୁନିଫର୍ମିଟି । ଆପେ ଆପେ ପୁଣି ଆଉ ଗୋଟାଏ ଇଚ୍ଛାଟାଏ ଚେଇଁ ଉଠେ ଝିଅପାଇଁ ସେଇ ଜଙ୍ଘ ଲୁଚୁନଥିବା ସ୍କୁଲର ୟୁନିଫର୍ମଟା ପାଇଁ   । ନିଜର ନ ପାରିବା ପଣିଆ ସେତିକି ବେଳକୁ ଦାନ୍ତ ଦେଖେଇ ଖୁବ ଜୋରରେ ହସେ ତାଙ୍କ ଆଡକୁ ଚାହିଁ । ଛି କେମିତିକା ବାପ ମ ସିଏ , ପିଲା ମାନେ କେଡେ କେଡେ ସ୍କୁଲରେ ପଢୁଛନ୍ତି । ଆଉ ସାମାନ୍ୟ କେଇଟା ଟଙ୍କା ଭୟରେ ପାଠ ଅଧାରୁ ଛୁଆଟାର ସ୍କୁଲ ଚେଞ୍ଜ କରିବାକୁ କହିବେ । କଣ କରିବ ଝିଅଟା ଏ କମ୍ପ୍ଲେକ୍ସର । ବରଂ ଯାହା କଷ୍ଟ ହେଉଛି ହଉ , କଷ୍ଟେ ମଷ୍ଟେ ଝିଅକୁ ଇଣ୍ଟର ମିଡିଏଟ ଯାଏ ତ ପଢେଇବାକୁ ପଡିବ । ନିଜର ପାରିବାଠୁ ଅଧିକ ମୁଣ୍ଡେଇ ଥିବା ସେଇ ଆର୍ଥିକ ବୋଝ ଭିତରେ ବି ନିଜର ପାରିବା ପାଣିଆକୁ ନେଇ ମିଛି ମିଛି କା ଗର୍ବ କରି ବସନ୍ତି । କେଉଁ ଏକ ଗଗନ ଶ୍ଚୁମ୍ଭୀ ଗମ୍ବୁଜ ଉପରେ ନିଜର ବାପ ପଣିଆକୁ ରଖିଥବାର ଅନୁଭବ କରିବସନ୍ତି । ଅନେକ ବାପ ମା ବି ଠିକ ଏମିତି , କେଉଁଠି କଣ ପଢାଯାଏ ସେଗୁଡାକ ବୁଝାପଡେନି ସେମାନଙ୍କୁ । ପିଲା କେତେ ବୁଝେ ସେମାନଙ୍କର ମତଲବ ନଥାଏ । ଗୋଟାଏ ରିତି ମତ ଦଉଡ ଲାଗେ ନିଜ ନିଜ ଭିତରେ । ଷ୍ଟାଟସର , ଟଙ୍କାର , ପ୍ରତିପତ୍ତିର । ବେଳେ ବେଳେ ଲାଗେ , ପିଲା ନୁହେଁ ସତରେ ଯେମିତି ବାପା ମା ଧାଉଁଛନ୍ତି ଖଣ୍ଡିଏ ଖଣ୍ଡିଏ ସ୍କୁଲ ୟୁନିଫର୍ମ ପିନ୍ଧି ।

 

 

  ଶାରଦା ପ୍ରସାଦ ପରିଡା

ଅଧ୍ୟାପକ, ମେକାନିକାଲ ଇଂଜିନିୟରିଗଂ,

କୋଣାର୍କ ବିଜ୍ଞାନ ଏବଂ ବୈଷୟିକ ମହାବିଦ୍ୟାଳୟ , ଖୋର୍ଦ୍ଧା

ଆଭିଜାତ୍ୟ ୟୁନିଫର୍ମ ରାମାକାନ୍ତ

Rate the content


Originality
Flow
Language
Cover design

Comments

Post

Some text some message..