Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଘରବାହୁଡା
ଘରବାହୁଡା
★★★★★

© srutakirti Tripathy

Tragedy

5 Minutes   589    33


Content Ranking

ଜୀବନଠାରୁ ବେଶୀ ଭଲ ପାଉଥିବା ସ୍ୱାମୀ, ସମସ୍ତ ଘରଦ୍ୱାରର ମୋହ ଓ ଦୀର୍ଘ ଦଶ ବର୍ଷର ବୈବାହିକ ଜୀବନକୁ ପଛରେ ଛାଡ଼ିଦେଇ ଏକା ନିଶ୍ୱାସରେ ଆସି ଟ୍ରେନରେ ବସିପଡିଲା ସୁଗନ୍ଧା । ଅଭିମାନ କି ଅପମାନ... ନିଜେ ମଧ୍ୟ ଜାଣିପାରୁନଥିଲା, ତାର ଘର ଛାଡି ଚାଲିଆସିବାର କାରଣ । ସେ ନେଇଥିବା ପଦକ୍ଷେପ ଭୁଲ କି ଠିକ ଜାଣି ନ ପାରି ଅଣନିଶ୍ୱାସୀ ହୋଇଉଠୁଥାଏ ସେ । ଦୂର ଦିଗବଳୟରେ ସେତେବେଳେ ଅପରାହ୍ନ ମଳିନ ହୋଇଆସୁଥିଲା ଏବଂ ସେଇ ମଳିନ ଆଲୋକରେ ବଡ଼ କରୁଣ ଦେଖାଯାଉଥିଲା ତାର ତୋଫା ଗୋରା ମୁହଁଟି ।

ଅଳ୍ପ ସମୟ ମଧ୍ୟରେ ଟ୍ରେନ ଟି ଛୁଟିଚାଲିଲା ତା ଗନ୍ତବ୍ୟ ପଥରେ । ସ୍କୁଲ ଛୁଟିପରେ ପିଲାମାନେ ଖେଳିବାକୁ ଉଦ୍ୟତ ହେଲାପରି ଟ୍ରେନ ଟି ମଧ୍ୟ ଷ୍ଟେସନରୁ ମୁକୁଳି ତୀବ୍ର ବେଗରେ ମାଡିଚାଲିଥାଏ । ଟ୍ରେନର ଗତି ବଢିବା ସହିତ ସୁଗନ୍ଧାର ମନ ପଶ୍ଚାତାପ ଓ ଆତ୍ମଗ୍ଲାନିରେ ଭାରାକ୍ରାନ୍ତ ହୋଇଉଠୁଥାଏ । ଏତେ ନିଷ୍ଠୁର ପଦକ୍ଷେପ ସେ କେମିତି, କେଉଁ ଦୁର୍ବଳ ମୁହୂର୍ତ୍ତରେ ନେଲା, ଯାହାକି ତାର ଆତ୍ମା କୁ ମଧ୍ୟ ଥରାଇଦେଉଛି? ସେ ଚିତ୍କାର କରି କାନ୍ଦିବାକୁ ଚାହୁଁଥିଲା ହେଲେ ପାରିଲାନି । ବିପର୍ଯ୍ୟସ୍ତ ପୃଥିବୀରେ ଠିଆ ହୋଇ ସାହାଯ୍ୟ ପାଇଁ କାହାକୁ ଆହ୍ୱାନ ଜଣାଇଥାନ୍ତା? ତାର ମନ ଚାହୁଁଥିଲା ପୁଣି ଥରେ ତାର ମନର ମଣିଷ ସମୀର ପାଖକୁ ଫେରିଯିବା ପାଇଁ ।

ସମୀର ଓ ସୁଗନ୍ଧା, ଦୁଇଟି ପ୍ରେମ ପକ୍ଷୀ ଭଳି ବହୁତ ଖୁସିରେ ଜୀବନକୁ ଜିଇଁଚାଲିଥିଲେ । ସ୍ନେହ, ପ୍ରେମ, ସମ୍ମାନ, ସମସ୍ତ ସୁଖ ଓ ସୁବିଧା ଥିବା ସତ୍ତ୍ୱେ ଗୋଟିଏ ଅଭାବ ସମ୍ପୂର୍ଣ୍ଣ ରୂପେ କବଳିତ କରି ରଖିଥିଲା ସୁଗନ୍ଧାକୁ । ବିବାହର ଦଶବର୍ଷ ଅତିକ୍ରାନ୍ତ ହେଲା ପରେ ମଧ୍ୟ ଜନନୀ ହେବାର ସୁଖ ଓ ମର୍ଯ୍ୟାଦା ପାଇ ନ ଥିବାରୁ ନିଜକୁ ଦୋଷୀ ବୋଲି ମନେକରେ ସେ । ସମୀର କିନ୍ତୁ ଏସବୁ ପ୍ରତି ଏତେ ଚିନ୍ତାଶୀଳ ନୁହଁନ୍ତି । ତାଙ୍କର ଈଶ୍ୱରଙ୍କ ଉପରେ ଅଗାଧ ବିଶ୍ୱାସ, ଯେ ଦିନେ ନା ଦିନେ ଏହି ଦୁଃଖର ବାଦଲ ହଟିଯିବ ଓ ପରମେଶ୍ୱରଙ୍କ କୃପାରୁ ତାଙ୍କ କୋଳକୁ ଶିଶୁଟିଏ ନିଶ୍ଚୟ ଆସିବ ।

ସମୀର ସୁଗନ୍ଧାକୁ ବୁଝାଇଦିଅନ୍ତି ବ୍ୟସ୍ତ ନ ହେବ। ପାଇଁ । ଡାକ୍ତରୀ ରିପୋର୍ଟ ଅନୁସାରେ କୌଣସି ପ୍ରକାର ଅସୁବିଧା ନାହିଁ । ଭଗବାନ କେବଳ ସେମାନଙ୍କର ପରୀକ୍ଷା ନଉଛନ୍ତି, ଡେରି ହଉ ପଛକେ ତାଙ୍କର ବିଶ୍ୱାସ ତାଙ୍କ ସଂସାର ହସିଉଠିବ କୁଆଁ କୁଆଁ ଶବ୍ଦରେ । ମନକୁବୁଝେଇ ଦେଇ ରହିଯାଏ ସୁଗନ୍ଧା । କିନ୍ତୁ ପାଖ ପଡୋଶୀ ଙ୍କ ଶବ୍ଦବାଣ ଅସ୍ତବ୍ୟସ୍ତ କରି ଲହୁଲୁହାଣ କରିଦିଏ ତାର ମନକୁ । ସମୀର ପୁଣି ସ୍ନେହବୋଳା କଥା ର ବିଶଲ୍ୟକରଣୀ ବୋଳିଦେଇ ତାର ଅନ୍ତଃ ଦହନକୁ ପ୍ରଶମିତ କରିଦିଅନ୍ତି ।

କଥା ଟି କିନ୍ତୁ ବହୁତ ଗୁରୁତର ହୋଇଗଲା ଯେତେବେଳେ ନଣନ୍ଦ ଙ୍କ ତୀର ଭଳି ଶବ୍ଦ ସୁଗନ୍ଧା ର ଅସ୍ତିତ୍ବ କୁ ଦୋହଲାଇ ଦେଇଗଲା ଏବଂ ଆଜିର ଏଭଳି ଭୟଙ୍କର ପଦକ୍ଷେପ ନେବାକୁ ସୁଗନ୍ଧ। ଏକ ପ୍ରକାର ବାଧ୍ୟ ହେଲା ।

ଶାଶୁ, ଶ୍ୱଶୁର, ନଣନ୍ଦ ଓ ତାଙ୍କ ଟିକି ପୁଅ ଆସିଥିଲେ ଛୁଟିରେ ଅଳ୍ପ କେତେଦିନ ରହି ବୁଲାବୁଲି କରିବା ପାଇଁ ସମୀର ପାଖକୁ । ନିଜର ସମସ୍ତ ଶକ୍ତି, ଅତ୍ମୀୟତା ଓ ସ୍ନେହ ଦେଇ ସେମାନଙ୍କୁ ଖୁସି କରିବାରେ ସୁଗନ୍ଧା ବ୍ୟସ୍ତ ହୋଇଗଲା । କାହାର କିଛି ଯେମିତି ଅସୁବିଧା ନ ହୁଏ ସେଥିପ୍ରତି ବହୁତ ଯତ୍ନଶୀଳ ଥିଲେ ମଧ୍ୟ ଅଜାଣତରେ ଥରେ ଗୋଟିଏ ଭୁଲ ଯୋଗୁଁ ଟିକି ପୁଅଟି ଗାଧୁଆଘରେ ଥିବା ଗରମପାଣି ବାଲ୍ଟିରେ ହାତ ମାରିବାରୁ ଅଳ୍ପକେ ରକ୍ଷା ପାଇଯାଇଥିଲା । ରୋଷେଇ ଘରକାମ ର ବ୍ୟସ୍ତତା ଯୋଗୁଁ ଗାଧୁଆଘର କବାଟଟା ବନ୍ଦ କରିବାକୁ ଭୁଲିଯାଇଥିଲା ସେ । 'ଏଇନା ଗରମ ପାଣି ରେ ହାତ ବୁଡ଼େଇଦେଇଥିଲେ ପିଲାଟାର କଣ ହୋଇଥାନ୍ତା? 'ବୋଲି ଗର୍ଜି ଉଠିଲେ ନଣନ୍ଦ । ତା ପରେ ଆରମ୍ଭ ହୋଇଗଲା କଟାକ୍ଷ ମା ହୋଇ ନ ଥିବାରୁ ଏ ସବୁ ପ୍ରତି ସେ ଏମିତି ଅନ୍ୟମନସ୍କ ହୋଇପାରୁଛି ବୋଲି । ଅପମାନ ର ଜ୍ୱାଳା ସେତିକିବେଳେ ଶେଷ ସୀମା ଟପିଲା ଯେତେବେଳେ ଶାଶୁ କହିଲେ, 'ସମୀର ଯଦି ଆଉକାହାକୁ ବାହା ହୋଇଥାନ୍ତା, ତାଙ୍କ ଘର ଟି ଏବେ ହସ ଖୁସି ରେ ପୁରିଉଠୁଥାନ୍ତା । ' ସୁଗନ୍ଧାକୁ ସଂସାରରେ ତାର ଘରଟି ଗୋଟିଏ କାରାନିବାସ ଭଳି ମନେହେଲା, ଯେଉଁଠି ତାର ମନ ଓ ବିଚାରକୁ ବନ୍ଧାପକାଇ ସେ ସଶ୍ରମ କାରାଦଣ୍ଡ ଭୋଗ କରୁଛି ବୋଲି ସେ ଅନୁଭବ କଲା । ମନ ଭିତରେ ବିଦ୍ରୋହ ଓ ବିପ୍ଲବର ଏକ ତୀକ୍ଷ୍ଣ ସ୍ୱର ତେଜିଉଠିଲା, ବହୁତ କିଛି କହିବାକୁ ଚେଷ୍ଟା କରି ଚୁପ ରହିଗଲା ସେ । କିନ୍ତୁ ମନ ଭିତରର ଅଶାନ୍ତ ଝଡ ଯେମିତି ବୋଲ ମାନୁ ନ ଥାଏ । ଛାଟିପିଟି ହେଲା ସେ ଏକ ନିରୋଳା ସ୍ଥାନ ସନ୍ଧାନରେ । ସମସ୍ତଙ୍କ ଠାରୁ ଦୂରରେ ଏପରିକି ସମୀର ଠାରୁ ମଧ୍ୟ । ସମୀର ଅଫିସ ଯାଇଥିଲେ, ନ ହେଲେ ଏତେ ସବୁ ଘଟିଯାଇ ନ ଥାନ୍ତା ।

ଦ୍ବିପହରେ ସମସ୍ତେ ଶୋଇଥିଲା ବେଳେ ଚୁପଚାପ ସୁଗନ୍ଧା ଚାଲିଆସିଲା ଗୋଟିଏ ଆଟାଚିରେ ନିଜର ଦୁଇଖଣ୍ଡ ଲୁଗା ଓ ଅଳ୍ପ କିଛି ଟଙ୍କା ନେଇ । ଅଜଣା ରାଜ୍ୟର ସନ୍ଧାନରେ ବାହାରିଗଲା ଯେଉଁଠି କେହି ଅପବାଦ କିମ୍ବା ନିନ୍ଦା କରିବାକୁ ନ ଥିବେ ତାର ଅନିଚ୍ଛାକୃତ ଭୁଲ ର । ଆଖି ଲୁହରେ ଭର୍ତ୍ତି ହୋଇଗଲା ଏସବୁ ମନେପକେଇ । ଟ୍ରେନ ଭିତରୁ ଝରକା ଦେଇ ବାହାରକୁ ଅନେଇଲା, ରାସ୍ତା କୁ ଅନ୍ଧକାର ଗିଳିବା ଆରମ୍ଭ କରିଦେଇଥିଲା ।

ଏଇ ଟ୍ରେନ ଯେତେବେଳେ ରହିବ କେଉଁ ଏକ କରୁଣ ବାସ୍ତବତା ତାକୁ ଅପେକ୍ଷା କରିଥିବ? ଆଗକୁ ତା ଜୀବନରେ କଣ ସବୁ ଘଟିଯିବ? ସମୟ ବି ବେଳେବେଳେ ଦୁଃଖର ନଦୀ ପରି ଅଙ୍କାବଙ୍କା ହୋଇ ଅନେକ ଦିଗ ପରିବର୍ତ୍ତନ କରେ । କେମିତି ଭୁଲିବି ସେ ସମୀର ଙ୍କୁ, ଯିଏ ଦୁଃଖ ସୁଖ ସବୁବେଳେ ସବୁଠାରେ ତା ପାଖରେ ଛାଇ ଭଳି ଛିଡା ହୁଅନ୍ତି? ଭଲ ପାଇବା ତ ଏକ ସହଜ ପ୍ରକ୍ରିୟା । ମାତ୍ର ଭୁଲିଯିବାର ଜଟିଳ ପ୍ରକ୍ରିୟା ତା ମୁଣ୍ଡରେ ପଶିବ କେମିତି? ଭୁଲିବ। ପାଇଁ ତ ତପସ୍ୟା ଦରକାର । ପୁଣି ଭାବିଲା, ସମୀର ତ ତା ମନର ଅନ୍ତଃମନ୍ଦିରରେ ଅଧିଷ୍ଠିତ :ତାଙ୍କୁ ଭୁଲିବାର ଛଳନା କରିବା, ବିରହର ଗାଥା ଗାଇବା ଅବାନ୍ତର ନୁହେଁ?

ଟ୍ରେନ ଷ୍ଟେସନ ରେ ପହଞ୍ଚିସାରିଥିଲା । ଭାବନା ରାଜ୍ୟରେ ନିମଗ୍ନ ସୁଗନ୍ଧା ମନ୍ଥର ପାଦରେ ଓଲ୍ହାଇ ଆସିଲା ବାସ୍ତବତା ର ପ୍ଲାଟଫର୍ମ ଉପରକୁ । ଯୁଆଡେ ଆଖି ପକେଇଲା କେବଳ ଅଜଣା ବ୍ୟକ୍ତିଙ୍କ ସମାଗମ । ତା ଭିତରେ ଏକ ଶୂନ୍ୟତା ର ହାହାକାର ଝଡ଼ ଭଳି ଅଶାନ୍ତ ହୋଇ ଘୁରିବୁଲିବାକୁ ଲାଗିଲା । ଅନେକ ସମୟ ଯାଏ ଅଖିଆ ଅପିଆ ରହି ଯାତ୍ରା କରିବା ଫଳରେ ତାର ଶରୀର ନିସ୍ତେଜ ହୋଇଆସିଲା ଏବଂ ସେ ସେଇଠି ହିଁ ସଂଜ୍ଞା ହରାଇ ପଡିଗଲା ।

କାହାର ଶୀତଳ ହାତର ସ୍ପର୍ଶପାଇ ଆଖିଖୋଲିଲା ସୁଗନ୍ଧା । ନିଜକୁ ଏକ ସୁରକ୍ଷିତ କୋଳରେ ଆବିଷ୍କାର କରି ଆଶ୍ୱସ୍ତ ହେଲା । ସମୀର ତାକୁ କୋଳରେ ଶୁଆଇ ଥଣ୍ଡା ପାଣି ମୁହଁରେ ଛାଟୁଥିଲେ । ଲଜ୍ଜ୍ୟା ରେ ଉଠିବସିପଡିଲା ସୁଗନ୍ଧ। । ଦୋଷୀଟିଏ ପରି ମୁହଁ ତଳକୁ କରିବସିରହିଲା । ସମୀର ଙ୍କ ମୁହଁକୁ ସିଧା ସିଧା ଅନେଇବାର ସାହସ ସେ ହରେଇ ସାରିଥିଲା ।

ସମୀର ତାକୁ ବୋଧ ଦେଉ ଦେଉ କହିଲେ, 'ବୋଉ କହିଲା ସକାଳେ ଘଟିଯାଇଥିବା ଘଟଣା କଥା । ମୁଁ ସାଙ୍ଗେସାଙ୍ଗେ ଷ୍ଟେସନ କୁ ଆସି ଦେଖିଲାବେଳକୁ ତମକୁ ଟ୍ରେନ ରେ ବସିଥିବାର ଦେଖିଲି, ବହୁଥର ଡାକ ପକେଇଲି ହେଲେ ଟ୍ରେନ ର ଶବ୍ଦ ଯୋଗୁଁ ତମେ ଶୁଣିପାରିଲନି । ଟ୍ରେନ ଛାଡିଲାପରେ ମୁଁ ବି ମୋଟରସାଇକେଲ ରେ ଚାଲିଲି ଟ୍ରେନ ଅତିକ୍ରମ କରୁଥିବା ସମସ୍ତ ଷ୍ଟେସନ ଆଡକୁ । ଏଇଟା ଶେଷ ଷ୍ଟେସନ ଥିଲା ବୋଲି ତମକୁ ପାଇଲି ନ ହେଲେ ଆଜି ହରେଇ ବସିଥାନ୍ତି ମୋ ସୁଗନ୍ଧାକୁ । କେଡେ ବୋକୀ ତମେ ସୁଗନ୍ଧା ! ସନ୍ତାନପ୍ରାପ୍ତି ର ସୁଖ ମୋର ମଧ୍ୟ କାମ୍ୟ କିନ୍ତୁ ତମକୁ ତ୍ୟାଗ କରି ଆଉ କାହାଠାରୁ ସେ ସୁଖ ପାଇବା ର କାମନା ଏଇ ଜନ୍ମରେ ତ ମୋ ପକ୍ଷେ ସମ୍ଭବ ନୁହେଁ । କେମିତି ତମେ ଭାବିନେଲ, ତୁମେ ଗଲାପରେ ମୁଁ ଆଉ କାହାକୁ ବାହାହେଇ ସୁଖରେ ସଂସାର କରିବି? ମୋ ଓ ତୁମ ମଧ୍ୟରେ ଥିବା ଏହି ଭାବ ଦୁନିଆରେ ସବୁ ପ୍ରକାର ଆବେଗ ଠାରୁ ଉପରେ । ଏହି ଭାବର ମୂଲ୍ୟାୟନ କେହି କରିପାରିବେନି । ମୋର ଅତି ନିକଟ ସମ୍ବନ୍ଧୀୟ ମାନେ ମଧ୍ୟ ଏହି ସୀମାହୀନ ଆବେଗକୁ ବୁଝିପାରିବେନି । ଆମର ସଂଯୋଗ ନିଷ୍ପାପ, ନିଃସ୍ୱାର୍ଥପର ଓ ଗଭୀର ।'

ସୁଗନ୍ଧା ଭାବି ହଉଥାଏ, ସତରେ କଣ ଯେବେ କାଳର କରାଳ ସାଗରରେ ମଣିଷ ବୁଡି ଯାଉଥାଏ, କାହାର ସ୍ନେହିଳ ଆଶ୍ୱାସନା, ଭଲପାଉଥିବାର ପବିତ୍ର ଭାବନା, ଭରସା ସାଜି ସାହାଯ୍ୟ କରିବା ପାଇଁ ହସ୍ତ ପ୍ରସାରିତ କରେ? ସେ ସମୀର ଙ୍କ ହାତରେ ହାତ ଛନ୍ଦି କହିଲା, 'ମୋ ମନରେ ନୈରାଶ୍ୟ ର ଅନ୍ଧକାର ଚାରିପଟୁ ଘୋଟିଆସିଥିଲା । ଅତ୍ୟନ୍ତ ଭାବପ୍ରବଣ ହୋଇ ମୁଁ ଅନ୍ଧକାରକୁ ବାଛିନେଇଥିଲି ସମୀର । ସେଇ ଅନ୍ଧକାର ଏତେ ଗଭୀର ଥିଲା ଯେ ମୋତେ ଆଶା ଓ ଆଶ୍ୱାସନା ଦେଲା, ଯାହା ବେଳେବେଳେ ଆଲୁଅ ବି ଦେଇପାରେନା । ମୋତେ କ୍ଷମାକର ସମୀର, 'ମୁଁ ତୁମକୁ ଛାଡି ଯିବାକୁ ବାହାରିଗଲି । ହେଲେ ନା, ଆଉ ସେ ଭୁଲ କରିବିନି । ମୋ ମନରେ ବହୁ କ୍ଷତ । କିଏ ଶୁଖିଗଲାଣି, କୋଉଠୁ ଏବେବି ରକ୍ତ ଝରୁଛି, ତଥାପି ଦୁନିଆର ଲୁଣିଆ ସ୍ରୋତରେ ମୋ ଜୀବନ ତରୀ କୁ ବାହିନେବି । ସେହି ଜ୍ବଳନ କୁ ମନଭରି ଉପଭୋଗ କରିବି । ମୋର ଆଉ କି ଚିନ୍ତା କହିଲ? ମୋ ସାଥିରେ ପରା ତମେ ଅଛ, ମିଳିମିଶି ସମୟ ଟା କଟିଯିବନି? '

ଶୃତକୀର୍ତ୍ତି ତ୍ରିପାଠୀଠୀ

ବୈବାହିକ ସୁଗନ୍ଧା ସମୀର

Rate the content


Originality
Flow
Language
Cover design

Comments

Post

Some text some message..