Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସହରୀ ବୋହୁ....
ସହରୀ ବୋହୁ....
★★★★★

© Subal Mohapatra

Tragedy Inspirational

9 Minutes   9.2K    22


Content Ranking

ସହରୀ ବୋହୁ....

ସୁବଳ ମହାପାତ୍ର

ଖରା ଦିନ I ସ୍କୁଲ ଛୁଟି I ବହୁତ ଦିନ ହେଲା ଗାଁ ଆଡେ ଯାଇ ନଥିଲି I ପ୍ରାୟ ୨ ବର୍ଷ ହେଇ ଯିବ I ଭାବିଲି ଯାଏ, ଗାଁ ଆଡେ ଟିକେ ବୁଲି ଆସେ I ମୋ ହିରୋ ହୋଣ୍ଡା ବାଇକ ଧରି ଗାଁ ଅଭିମୁଖେ ବାହାରି ପଡିଲି I ଏକା ଏକା ମଣିଷ, ଯୁଆଡେ ମନ ସିଆଡେ ଯାଅ କିଏ ପଚାରୁଛି I ଖରା ବଢି ବଢି ଚାଲିଥାଏ I ଘରୁ ବାହାରୁ ବାହାରୁ ଦିନ ୧୦ ଟା ହେଇ ଗଲା I ମୋ ରହିବା ଜାଗା ଠୁ ଗାଁ ପ୍ରାୟ ୧୮୦ କିଲୋମିଟର I ପାଖାପାଖି ୪ ଘଣ୍ଟା ଲାଗିବ I ବସ ଛାଡି ବାଇକ ରେ ବାହାରିଲି I ସବୁ ଆଡେ ଦେଖି ଦେଖି ଯାଇ ହବ I ସେମିତି ବି ଗାଁ ରେ ଗଛ ପତ୍ର ବେଶି ତେଣୁ ଗରମ ବେଶି ହୁଏନି I ରାସ୍ତା ସାରା ଗଛ ଭର୍ତି ତେଣୁ ଖରା ବି ବାଧେନି I ପାଖା ପାଖି ୧୨୦ କିଲୋମିଟର ମୁଁ ଅତିକ୍ରମ କରି ସାରିଥାଏ I ରାସ୍ତା କଡ ରେ ଜାମୁକୋଳି ବିକ୍ରି ହେଉଥିବା ଦେଖି ଗାଡି ରଖିଲି I ଜାମୁ କୋଳି ମୋର ବହୁତ ପ୍ରିୟ, କିନ୍ତୁ ଏ ସହରରେ ରହିଲା ପରେ ନା ଜାମୁକୋଳି କିଣି କି ଖାଇ ହେଉଛି ନା ସେ ଜାମୁକୋଳି ର ସ୍ୱାଦ ଅଛି I

ବୁଢ଼ୀ ମାଉସୀ ଜଣେ ଜାମୁକୋଳି ବିକ୍ରି କରୁ ଥାନ୍ତି I ବୟସ ପାଖା ପାଖି ୭୫-୮୦ I ଏକା ଏକା ରାସ୍ତା କଡରେ ବସିଥାଏ ବୁଢ଼ୀ ମାଉସୀ I ଆଖ ପାଖରେ କେହି ବି ନଥାନ୍ତି I ଜାମୁକୋଳି ଭାଗ ୧୦ ଟଙ୍କା I ଗୋଟେ ଭାଗ ରେ ୨୦ ଟା ପାଖାପାଖି କୋଳି ଥାଏ I ସହରିଆ ଲୋକଙ୍କର ଅଭ୍ୟାସ ମୁଲା ମୁଲି କରିବା I ମୁଁ ବି ମାଉସୀ କୁ ଆଉ ଦି ଟା ଆଉ ଦି ଟା କହି ମୋ ଭାଗ ବଢ଼େଇ ଚାଲି ଥାଏ I ମାଉସୀ ବି ନାହିଁ ନାହିଁ କରି ଗୋଟେ ଗୋଟେ ଦେଉ ଥାଏ I ମାଉସୀ ଜାମୁକୋଳି ବଢା଼ଉ ବଢା଼ଉ ଦେଖିଲି ମାଉସୀ ହାତରେ ଗୋଟେ ଆଁଚୁଡା ଦାଗ I ଦାଗ ଟା କହୁଣୀ ପାଖରୁ କାନ୍ଧ ଯାଏ ଲମ୍ବି ଥାଏ I ମଜା ମଜା ରେ ପଚାରିଦେଲି, "କଣ ମାଉସୀ, ଗଛରେ ଚଢ଼ିଥିଲ କି?, ହାତ ଗୋଡ ଖଣ୍ଡିଆ କରି କି ଆସିଛ " I ମାଉସୀ ମୁହଁ ତଳକୁ କରି ଦେଲା I ମୁଁ ମାଉସୀ କୁ ୨୦ ଟଙ୍କା ଦେଇ ୨ ଭାଗ ଜାମୁକୋଳି ପଲିଥିନ ରେ ଭର୍ତି କଲି I

ଗାଡି ଚଢି ଷ୍ଟାଟ ମାରିବା ପୂର୍ବରୁ ଦେଖିଲି ମାଉସୀ ଆଖି ରେ ଲୁହ ଢଳ ଢଳ କରୁଥିଲା I କ'ଣ ମନ ହେଲା, ଫେରି ଆସି ମାଉସୀ କୁ କହିଲି, ଅଧିକ ଦି ଟା ନେଇ ଗଲି ବୋଲି ମନ ଦୁଃଖ କରୁଛ କି ମାଉସୀ ? ମାଉସୀ କହିଲା ନାଁ ରେ ପୁଅ I କୋଳି ଦି ଟା ପାଇଁ କ'ଣ କିଏ ମନ ଦୁଃଖ କରେ? ଆଉ ଟିକେ ମାଉସୀ ସହ କଥା ହବାକୁ ଇଛା ହେଲା I ସେମିତି ବି ଖରା ବଢି ଯାଇଥାଏ I ମୁଁ ଆସୁଛି ବୋଲି ଗାଁ ରେ କାହାକୁ ଜଣେଇ ନଥାଏ, ତେଣୁ ମୋ ପାଇଁ କେହି ବି ବ୍ୟସ୍ତ ହେବାର ନାହିଁ I ଗଛ ମୂଳରେ ଥଣ୍ଡା ପବନ ମନକୁ ଶାନ୍ତ କରି ଦେଉ ଥାଏ I ମନ ହେଉଥାଏ ଦଉଡ଼ିଆ ଖଟ ଗୋଟେ ପକେଇ ଏଇ ଗଛ ମୂଳେ ଶୋଇ ଯିବାକୁ I ସହରରେ କଣ ମିଳିବ ଏ ଆନନ୍ଦ I ମାଉସୀ ସହ କଥା ହେବା ପାଇଁ ତା ପାଲ ଉପରେ ବସି ପଡିଲି I ମାଉସୀ ମୁଣ୍ଡରେ ସିନ୍ଦୂର, ହାତରେ ଶଙ୍ଖା ପିନ୍ଧି ବସିଥାଏ I ମାଉସୀ କୁ ପଚାରିଲି ତା’ ଘର କଥା I ମାଉସୀ କହିବ, କହିବନି, କହିବ, କହିବନି ହେଲା I ମୁଁ ବି ନଛୋଡବନ୍ଧା I ସ୍କୁଲ ରେ ପିଲାଙ୍କଠାରୁ ସତ ଆଦାୟ କରିବା କାଇଦା ଜଣା ମୋତେ I ବୁଲେଇ ଵାଲେଇ ମାଉସୀ ଠୁ କଥା ଆଦାୟ କଲି I ମାଉସୀ କୁ ତା ସ୍ୱାମୀ କଥା ପଚାରିଲି I କହୁ କହୁ ମାଉସୀ ମଝିରେ ମଝିରେ କାନ୍ଦି ପକାଉ ଥାଏ ଆଉ ବର୍ଣନା କରୁଥାଏ ତା ଘର କଥା I

୧୬ ବର୍ଷ ରେ ସେ ବୋହୁ ହେଇ ଆସିଥିଲା ଏ ଗାଁ କୁ I ସେତେବେଳେ ତା ସ୍ୱାମୀ ର ବୟସ ୨୭ ବର୍ଷ I ଭେଣ୍ଡିଆ ପିଲା, ବଳିଷ୍ଠ ବାହୁ, ଚଉଡା ଛାତି ସାଙ୍ଗକୁ, ହାତୀଟାକର ବଳ ତା ସ୍ୱାମୀ ଦେହରେ I ଛୋଟ ଛୁଆ ହାତରେ କଣ୍ଢେଇ ପରିକା ଦେଖା ଯାଉ ଥାଏ ମାଉସୀ ତା ସ୍ୱାମୀ ସାଙ୍ଗେ I ଘରେ ଶାଶୁ ଶଶୁର ଆଉ ଗୋଟିଏ ବୋଲି ନଣନ୍ଦ I ସେ କହି ଚାଲି ଥାଏ, " ବାପ ଘରୁ ଆସିଲା ବେଳେ ମା ମୋତେ ସବୁ ଶିଖେଇ କି ପଠେଇ ଥିଲା I ପିଠା କରା ଠୁ ଘଷି ପରା ଯାଏ, ମାଉଁସ ରନ୍ଧା ଠୁ ଗୋବର ଲିପା ଯାଏ, ସଅବୁ I ବଡ ମାନଙ୍କୁ ସମ୍ମାନ ସହ ସାନ ମାନଙ୍କୁ ସ୍ନେହ ଆଉ ଶାଶୁ ଘରେ କେମିତି ଚଳିବାକୁ ହୁଏ, ସବୁ ମୋ ମା ମୋତେ ଶିଖେଇ ଥିଲା I ମୋ ଶାଶୁ ଶଶୁର ମଲେ ପଛେ କେବେ ବି ଆମ ପାଖରୁ କଡା କଥା ଶୁଣି ନଥିଲେ I ଶଶୁରଙ୍କ ମୁହଁ କୁ ଯିବାକୁ ଡର ଲାଗୁଥିଲା I ଶାଶୁ ଉଠ କହିଲେ ଉଠୁଥିଲୁ, ବସ କହିଲେ ବସୁଥିଲୁ I ନା କହିବାର ଜୁ ନଥିଲା I ନଣନ୍ଦ ମୋ ସାଙ୍ଗ ପରି ଥିଲା I କିଛି ଅଛପା ନଥିଲା ଆମ ଦୁହିଁଙ୍କ ଭିତରେ I ନୂଆଉ, ନୂଆଉ ବୋଲି ପାଣି ପିଉ ନଥିଲା ସେ I ସ୍ନେହ ଆଦର ର ସହ ଚାଲୁଥିଲା ଆମ ଘର ସଂସାର " I ଆଉ ଏବେ.. ଛିଃ ଛିଃ... ଯଉ ମାଇକିନା ଖଣ୍ଡେ ଖଣ୍ଡେ, ପାଠ ଦି ଅକ୍ଷର କ'ଣ ପଢି ଦେଲେ ବୋଲି ବଡ କୁ ବଡ ଆଉ ସାନ କୁ ସାନ ବୋଲି ମାନୁ ନାହାନ୍ତି I ଆମ ଗାଁ ଝିଅ ଭଲ, ଏ ଯଉ ସହରୀ ଝିଅ ଅଛନ୍ତି ସେ ଭାରି ମାରାତ୍ମକ I

ମୁଁ ପଚାରି ଦେଲି କାଇଁ, କଣ ହେଲା କି ମାଉସୀ? ତମକୁ କିଏ କଣ କହିଲା କି? ମାଉସୀ ର ଆଖିରୁ ଧାର ଧାର ଲୁହ ବୋହିବାକୁ ଲାଗିଲା I କହିଲା ମୋତେ ଏବେ ୩କୋଡ଼ି ପୁରି ୧୬ ଚାଲିଲା I ମୋ ଘଇତା କୁ ୪କୋଡ଼ି ୭ I ତାର ଆଉ ବଳ ବୟସ ନାହିଁ I ବୁଢା ଶେଜ ରେ ଶୋଇ ରହୁଛି I ଚାଲିବାକୁ ବଳ ନାହିଁ I ମୋର ଗୋଟିଏ ପୁଅ ଗୋଟିଏ ଝିଅ I ଝିଅ କୁ ବାହା ଦେଇଛି I ସେ ମଝିରେ ମଝିରେ ଘରକୁ ଆସୁଥିଲା I ତା ଭାଇ, ସେ ଶାଶୂଘରକୁ ଗଲା ବେଳେ ଭାର ଆଉ ପଇସା ଦେଲାନି ବୋଲି ଏବେ ଆଉ ଆସୁନି I ପୁଅ ସହରରେ ରହେ I ସେଠାରେ ଗୋଟେ ଦୋକାନ ରେ କାମ କରେ I ମାସକୁ ଥରେ ଘରକୁ ଆସେ I ଦିନେ ଘରକୁ ଆସିଲା ବେଳେ ସହରରୁ ଝିଅଟେ ଧରି କି ଆସିଲା I ମୋର କେତେ ଆଶା ଥିଲା ପୁଅ କୁ ବାହାଘର କରିବି I ହେଲାନି, ସେ କୁଆଡୁ ଗୋଟେ ଧରିକି ଆସିଲା I କହିଲା ମନ୍ଦିର ରେ ବାହା ହେଇ ସାରିଚୁ, ଆଉ ପଇସା ଖର୍ଚ କରିବା ଦରକାର ନାହିଁ I ଯାହା ଟଙ୍କା ସୁନା ତା' ବାହାଘର ପାଇଁ ରଖିଥିଲି ସବୁ ନେଇ ଗଲା I ଏ ଗଳଗ୍ରହ କୁ ଏଠି ଛାଡ଼ିଦେଇ ଗଲା I ଆମେ ତ ଆଉ କାମ ଦାମ କୁ ପାରୁନୁ I ବୋହୁ ରୋଷେଇ ବାସ, ଘର କାମ ପାଇଟି ସବୁ କରେ I ମାସ ଦି ଟା ଯାଇଛି କି ନାହିଁ ସେ ତା ରଙ୍ଗ ଦେଖେଇବା ଆରମ୍ଭ କଲା I କଥା କଥା ରେ ପାଟି, ଗାଳି, ଅସଭ୍ୟ ଭାଷା ସବୁ କହିଲା I ଥରେ ଅଧେ ପୁଅ କୁ କହିଲି, ପୁଅ ଶୁଣି, ନ ଶୁଣିଲା ପରିକା ହେଲା I କହିଲା, ସେ ସହରୀ ଝିଅ, କାମ ଦାମ କରି ନଥିଲା, ଏଠି ଟିକେ ହଇରାଣ ହଉଚି, କଣ ଯଦି ଟିକେ କହିଦେଲା ତୁ ଦିହ କୁ ନେଏ ନି I ଆସ୍ତେ ଆସ୍ତେ ତା ଦୌରାତ୍ମ୍ୟ ବଢି ବଢି ଚାଲିଲା I ମୁଁ କେତେ ବେଳେ କେମିତି ଆଗରୁ କହି ଦଉ ଥିଲି I ଏବେ ତ ସେ ମାରିବାକୁ ଗୋଡ଼ଉଛି I

ମୁଁ ପଚାରିଲି, ମାଉସୀ ଏ ଜାମୁ କୋଳି କେବେଠୁ ବିକ୍ରି କରୁଛ? ମାଉସୀ ପୁଣି ଆରମ୍ଭ କଲା ,"୧୫ ଦିନ ହେଲାଣି I ଦିନକୁ ୧୦୦ ଟଙ୍କା ର ବିକ୍ରି ନକଲେ, ସେ ଡାହାଣୀ ଖାଇବାକୁ ଦଉନି I ଏ ଜାମୁ ଗଛ ମୁଁ ବାହା ହେଇ ଆସିବାର ବର୍ଷେ ପୁରିବା ଦିନ ବୁଢା ଆଉ ମୁଁ ନିଜ ହାତରେ ଲଗେଇ ଥିଲୁ I ଏବେ ଏଇ ଆମର ଭରସା I ସବୁଦିନ ସକାଳୁ ଉଠି ଆଙ୍କୁଡ଼ି ରେ କୋଳି ପାରେ ଆଉ ଧରିକି ଏଠାକୁ ଆସେ I ୧୦୦ ଟଙ୍କା ନେଇ କି ନଗଲେ ସେ ସବାଖାଇ ରାତିରେ ଖାଇବାକୁ ଦିଏନି I ବୁଢା କୁ ଠିଆ ଗୋଇଠା ମାରେ I ସକାଳୁ ପଖାଳ ଗଣ୍ଡେ ଯାହା ଖାଇ ଥାଏ I ବେଳେ ବେଳେ ବୁଢାକୁ ଖାଇବାକୁ ଦିଏନି I କହେ, ଏଟା ର ତ ଆଉ କିଛି କାମ ନାହିଁ , ଏଟା ବଞ୍ଚିକି ଯାହା ଅନ୍ନ ଧ୍ୱଂସ କରୁଛି I ମରିଗଲେ ଯାଆନ୍ତା I ମୁଁ କାମ କୁ ପାରୁଛି ବୋଲି ମୋତେ ପଖାଳ ମୁଠେ ମୁଠେ ଦିଏ I ମୁଁ ତାକୁ ଲୁଚେଇ ବୁଢା ପାଟିରେ ଗୂଂଡେ ଗୂଂଡେ ଦେଇ ଦିଏ I କାଲି ଜମା ଦି କୋଡ଼ି ୧୦ ଟଙ୍କା ହେଲା ବୋଲି ସେ ବୁଢାକୁ ଖାଇବାକୁ ଦେଲାନି I ମୁଁ ଲୁଚେଇକି ମୋ ଭାଗ ରୁ ଦେଲା ବେଳେ ଦେଖି ଦେଲା ଯେ ମାରି କି ନୋଳା ଫଟେଇ ଦେଇଛି I ହାତ ରେ ଯାହା ପଡିଲା ସେଇଥିରେ ବାଡ଼ଉଛି " I ଏତିକି କହି ଲୁହ ଢଳ ଢଳ ଆଖିରେ ମାଉସୀ ତା' ହାତ ର ଆଁଚୁଡା ଦାଗ କୁ ଦେଖେଇଲା I କହିଲା, "ଚୁଲି ମୁଣ୍ଡେ ଜାଳ ପାଇଁ ବାଉଁଶ ଫାଳ ରଖିଥିଲା, ସେଇଥିରେ ବାଡେଇଛି I " ମାଉସୀ ହାତର ନୋଳା ଦେଖି ମୋ ଆଖି ଓଦା ହେଇ ଆସିଲା I ମଣିଷ ଯେ ଏତେ ନିଷ୍ଠୁର ହେଇ ପାରେ, ମୋ କଳ୍ପନା ବାହାରେ ଥିଲା I

ମୁଁ କହିଲି ମାଉସୀ, ତମେ ଗାଁ ରେ ସରପଞ୍ଚ କୁ କହୁନ, ଏବେ ତ କେତେ ଆଇନ ହେଲାଣି I ମାଉସୀ କହିଲା, "ପୁଅ ରେ, ସାଇ ପଡିସା, ଭାଇ ଭଗାରୀ ମାନେ ତ ସବୁ କଥା ଦେଖି ନାକରେ କାଠି ଗେଞ୍ଜି ହସୁଛନ୍ତି I ଆଉ କଣ କୋରଟ, କଚିରି ରେ କଥା ପକେଇ ନିଜକୁ ଲାଜ ଦେବି I ନିଜ ଘର ଇଜତ ତଳେ ପକେଇବି? ବୟସ ଆଉ ଅଛି, କୋରଟ କୁ ଧାଇଁବାକୁ ? ଆମେ ତ ପାଚିଲା ପତର, କେତେବେଳେ ଛିଡି ପଈଲେ ଗଲା I କଣ ମିଳିବ ସେ କୋରଟ, କଚିରି ରୁ " I

ମୁଁ ପଚାରିଲି, ଆଚ୍ଛା ମାଉସୀ, ଆଜି ସକାଳୁ କଣ ଖାଇଛ? ମାଉସୀ ଆଉ କୋହ ସମ୍ଭାଳି ପାରିଲା ନାହିଁ I କାନ୍ଦି କାନ୍ଦି କହିଲା, ସକାଳୁ କଂସା ରେ ଭାତ ଗଣି ଗଣି ୨ ଟା ଆଉ ତୋରାଣି ମୁନ୍ଦେ ମୋ ଆଗରେ ଥୋଇ ଦେଲା I ବୁଢା କୁ ଦେଲାନି I ସେ ଗାଧେଇ ଗଲା ବେଳେ ମୁଁ ବୁଢାକୁ ତୋରାଣି ତକ ପିଏଇ ଦେଇ ଆଇଲି I ଆସିଲା ବେଳେ ଗୁଡ଼ିଆ ଘରୁ ଭୁଜା ଦି କଳ ମାଗି କି ଆଣି ଥିଲି ଯେ ଅଣ୍ଟି ରେ ବନ୍ଧା ହେଇଚି I ପାଟିକୁ ୠଚୁନି I ଆଜି ଯଦି ୧୦୦ ଟଙ୍କା ନହେବ, ସେ ଆଜିବି ଖାଇବାକୁ ଦବନି I ମୁଁ ତ ହେଲେ ପାରୁଚି, ବୁଢା ନଖାଇଲେ ଆଉ ବଞ୍ଚିବ? ବୁଢା ପାଇଁ ଏଇ ତକ ରଖିଛି I ସେ ମୋତେ ତା କାନି ରେ ବନ୍ଧା ହୋଇଥିବା ଦି ମୁଠା ମୁଢି ଦେଖେଇଲା I ମୁଢି ସେତେ ବେଳକୁ ଶୁଖି କି ସେମେଟି ଯାଇଥାଏ I ମୋ ଆଖିର ଲୁହ ଆଉ କଥା ମାନିବା ଅବସ୍ଥା ରେ ନଥାନ୍ତି I

ମୁଁ ଚିନ୍ତା କରୁ ଥାଏ, ସକାଳୁ ମୁଁ ବରା ଆଉ ଆଳୁଚପ ୨୦ ଟଙ୍କା ର ଖାଇଛି I ଆସିଲା ବେଳେ ପଛ ଛକରେ ୧୦୦ ଟଙ୍କା ଦେଇ ମାଂସ ଆଉ ଭାତ ଖାଇକି ଆସିଲି I ଏଇ ବୁଢ଼ୀ ପାଖରୁ ଆଉ ଦି ଟା, ଆଉ ଦି ଟା, କରି ଭାଗ ୧୦ ଟଙ୍କା ରେ ୩୦ ଟା ଜାମୁ କୋଳି ହିସାବରେ ୨ ଭାଗ ପଲିଥିନ ରେ ରଖିଛି I ଏଠି ସୁଲୁ ସୁଲିଆ ପବନ ରେ ଆଖି ମାଡି ମାଡି ପଡୁଥିଲା I ଆଉ ଏ ବୁଢ଼ୀ ଲୋକ ଟି ନିଜ ବାସି ତୋରାଣି ତା ସ୍ୱାମୀ କୁ ଦେଇ ମୁଢି ଦି ଟା ବି ନଖାଇ ସକାଳ ପହରୁ କଞ୍ଚା ପାଣି ମୁନ୍ଦେ ପିଇ ଏଠି ବସିଛି, କିନ୍ତୁ କି ମିଠା କଥାରେ ସେ ମୋତେ କହିଥିଲା, "ନାଁ ରେ ପୁଅ I କୋଳି ଦି ଟା ପାଇଁ କ'ଣ କିଏ ମନ ଦୁଃଖ କରେ?" I କେତେ ବଡ ହୃଦୟ ଏମାନଙ୍କର I ପାଖରେ ପଇସା ନାହିଁ, ଦି ଦିନ ହେଲା ପେଟରେ ଅନ୍ନ ମୁଠେ ପଡିନି I ବୁଢା ବୁଢ଼ୀ ବୟସ ରେ ବୋହୁ ପାଖରୁ ମାଡ ଖାଉଛନ୍ତି I ତଥାପି ମୁହଁ ରେ ହସ ଅଛି I ସବୁ କିଛି ସହି ନେବାର ଶକ୍ତି ଅଛି ଆଉ ସ୍ୱାମୀ ସ୍ତ୍ରୀ ଭିତରେ ଜଣଙ୍କ ପ୍ରତି ଆଉ ଜଣକ ର ଭଲ ପାଇବା ଅଛି I ସତରେ ଏମାନେ ମହାନ I

ମୁଁ ଆଉ ସେଠି ବସି ପାରିବା ଅବସ୍ଥା ରେ ନଥିଲି I ପର୍ସ ରୁ ୨୦୦ ଟଙ୍କା ବାହାର କରି ମାଉସୀ ହାତରେ ଧରେଇ ଦେଲି I କହିଲି ମାଉସୀ ଏଇଟା ମୋ ତରଫରୁ ତମ ମିଠା ମିଠା କଥା ପାଇଁ I ବୁଢ଼ୀ କହିଲା, "ବାବୁ, ମୁଁ ଭିକାରି ନୁହଁ " I

ପୁଅ ରୁ ବାବୁ? କିଛି ସମୟ ପୂର୍ବରୁ କେତେ ଅତ୍ମୀୟତା ରେ ସେ ପୁଅ କହୁଥିଲା I ଏବେ ବାବୁ? କି ସ୍ୱାଭିମାନ ଏ ବୁଢ଼ୀର I ମରି ଯିବେ ପଛେ ଭିକ ନେବେନି I

ମୁଁ କହିଲି ମାଉସୀ, ମୁଁ ଭିକ ଦଉନି I ତମର ସବୁ ଯାକ ଜାମୁକୋଳି ମୁଁ କିଣି ନେଲି I ନିଅ ରଖ I ଆଉ ତମ ବୋହୁ କୁ ଆଜି ୧୦୦ ଟଙ୍କା ଦବ ଆଉ ୧୦୦ ଟଙ୍କା କାଲି ଦବ I ହେଲା I ବୁଢ଼ୀ ମୁହଁ ରେ ହସ ଦେଖି ଯେତେ ଆତ୍ମ ତୃପ୍ତି ମିଳିଲା, ମୋ ଜୀବନରେ ସେ ଭଳି ଖୁସି ମୋତେ ଆଜି ଯାଏ ମିଳି ନଥିଲା I ବୁଢ଼ୀ ମୋତେ ଆଶୀର୍ବାଦ ଦେଉ ଦେଉ ମୋ ପାଇଁ କୋଳି ତକ ପଲିଥିନ ରେ ବାନ୍ଧି ଦେଲା I ଆଉ ତା' ସରୁ ଟାଣୁଆ ଶିରାଳ ହାତ ଟା ମୋ ମୁଣ୍ଡ ଉପରେ ବୁଲେଇ ଆଣିଲା I

ମୁଁ ଆଉ ଗାଁ କୁ ନଯାଇ ପୁଣି ସହରକୁ ଗାଡି ବୁଲେଇଲି I ଆସିଲା ବେଳେ ବୁଢ଼ୀ ପୁଅ ର ଠିକଣା ଟା ବୁଝି କି ଆସିଥିଲି I ଠିକ କଲି ଘର କୁ ଯିବା ପୂର୍ବରୁ ତା ପୁଅ କୁ ଟିକେ ଦେଖା କରି କି ଯିବି I ଆସିଲା ବେଳେ ଭାବି ଭାବି ଆସୁଥିଲି ଗାଁ ଆଉ ସହର ମଧ୍ୟରେ ପାର୍ଥକ୍ୟ I ସେଇ ବୁଢ଼ୀ ଗାଁ ଝିଅ, ବୋହୁ ବେଳେ କଣ ନକରି ଥିଲା? ଆଉ ଶାଶୁ ହେଲା ପରେ କଣ ପାଇଲା I ଏଥିରେ ଭୁଲ କାହାର? ନ୍ୟୁକ୍ଲିଅର ଫ୍ୟାମିଲି ର ନା ସହରୀ ଝିଅ ମାନଙ୍କର ନା ସେମାନଙ୍କ ମା ବାପାଙ୍କର?

କିଛିଦିନ ପୂର୍ବରୁ ଫେସବୁକ ରେ ଗୋଟେ ଫୋଟୋ ଦେଖିଥିଲି, ଯେଉଁଥିରେ ଲେଖା ଥିଲା, "ଦରକାର ଥାଉ ଵା ନଥାଉ, ବେଳେ ବେଳେ କିଛି ଜିନିଷ ଅକାରଣ ରେ କିଣିବା କଥା I କାରଣ ଏମାନେ ନିଜ ଲାଭ ପାଇଁ ଜିନିଷ ବିକ୍ରି କରନ୍ତି ନାହିଁ I ଜିନିଷ ବିକ୍ରି କରନ୍ତି ବଞ୍ଚିବା ପାଇଁ I ଦି ମୁଠା ଖାଦ୍ୟ ପାଇଁ " I ଆଜି ହୃଦୟଙ୍ଗମ କରୁଥିଲି I

--------------------------------xxx--------------------------------

ପଢନ୍ତୁ, ମଜା ନିଅନ୍ତୁ ଓ ମତାମତ ଦିଅନ୍ତୁ

ସୁବଳ ମହାପାତ୍ର

ଗାନ୍ଧିନଗର, ଗୁଜରାଟ , ୩୮୨୦୦୯

ଦୂରଭାଷ - ୯୩୭୬୦୧୨୫୦୦

ଇମେଲ - subal.mohapatra@gmail.com

ବୋହୁ ଜାମୁକୋଳି ଦଉଡ଼ିଆ ଖଟ

Rate the content


Originality
Flow
Language
Cover design

Comments

Post

Some text some message..