Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmayee Barik

Tragedy

3  

Chinmayee Barik

Tragedy

ମେରି ଗୋଲଡ୍

ମେରି ଗୋଲଡ୍

5 mins
7.1K


ଲମ୍ବା ଚଉଡା କାର୍ ଟିଏ ଆସି ଠିଆ ହୋଇଯାଏ ମନ୍ଦିର ପାଖରେ ।ସାବି ଦଉଡିଯାଏ କାଖରେ ଅଧା ଲଙ୍ଗଳା ଛୁଆଟିକୁ ଜାକିଧରି । ତିନି ବର୍ଷର ଛୁଆଟା କାନ୍ଦି ଉଠେ ଧୀରେ ଧୀରେ..ପୁଣି ଜୋର୍ ରେ ..ତା ପରେ ଚିତ୍କାର କରି ଗଳା ଫଟେଇ । ଛାତି ବେକ ଟାଙ୍କି ହେଇ ଯାଉଥାଏ କାନ୍ଦଣାରେ । କାର୍ ରୁ ଓହ୍ଲେଇ ଦମ୍ପତ୍ତି ଜଣଙ୍କ ଛୁଆଟି ହାତକୁ ବଢେଇ ଦିଅନ୍ତି ଦଶ ଟଙ୍କିଆ ନୋଟ୍ ଟିଏ । ଛୁଆଟି ଅଚାନକ ଚୁପ୍ ହୋଇଯାଏ ।

ଏ ରୋଜର କଥା । ଛୁଆଟି ଜାଣି ସାରିଛି ଲୋକଙ୍କ ଆଗକୁ ଗଲେ ତାକୁ ଜୋରରେ କାନ୍ଦିବାକୁ ପଡିବ । ନ କାନ୍ଦିଲେ ସାବି ତା ଜଙ୍ଘକୁ ଜୋରରେ ଚିମୁଟି ଦେବ ।ତେଣୁ ଚିମୁଟା ଖାଇବା ଆଗରୁ ସେ ଭାରୀ ସତର୍କ ହୋଇଯାଏ । ଲୋକଙ୍କୁ ଦେଖିଲେ ଚିତ୍କାର କରି କାନ୍ଦେ ।

ଗରିବ ପିଲା ସତରେ କେତେ ବୁଝିବାର ଥାଆନ୍ତି । ଖୁବ୍ ଶୀଘ୍ର ବୁଝି ନିଅନ୍ତି କଥା ସବୁ ।

************

ଛୁଆ ଝିଅଟିର ନାଁ ଥିଲା "ମେରି ଗୋଲଡ୍" ।ସବୁ ଦିନ ବାପା ମା ସହ ପାର୍କ ଆସେ ।ସୁନ୍ଦର ଗୁଲୁଗୁଲିଆ ଛୁଆଟା ।"କାଲୁ"ର ଆଖି ତା ପାଖରେ ଲାଖି ରହେ କାରଣ ଛୁଆଟାର ବାପା ମା ଭାରି ବେପରୱା ହୋଇ ବସନ୍ତି ପାର୍କରେ । ପିଲାଟି ପ୍ରତି ନଜର ନଥାଏ ।ବେଳ ଦେଖି ଚୋକଲେଟ୍ ଦେବା ବାହାନାରେ କାଲୁ ମେରିଗୋଲଡ୍ କୁ ଉଠେଇ ଆଣିଛି ନିଜ ବ୍ୟବସାୟ ଲାଗି । ଗ୍ରୁପ୍ ଲିଡର୍ "ଜଗୁଆ"ହାତରେ ଛୁଆଟିକୁ ଟେକି ଦେଇ କାଲୁ ଗଣି ନେଇଛି ତିନିହଜାର ଟଙ୍କା ।

ସେବେ ଠାରୁ ଜଗୁଆ ପାଖରେ ମେରି ଗୋଲଡ୍ ରହିଛି ।ଗ୍ରୁପ୍ ରେ ଆଠ ଜଣ ଲୋକ ।ପାଞ୍ଚଜଣ ମହିଳା ଆଉ ତିନିଜଣ ପୁରୁଷ ଜଗୁଆକୁ ଲଗେଇ ।ସାତଟି ଛୁଆଙ୍କୁ ଚୋରି କରି ରଖାଯାଇଛି ପାଖରେ । କାମ ହେଉଛି ସ୍ତ୍ରୀ ଲୋକମାନେ ଗୋଟିଏ ଲେଖା ଛୁଆକୁ ଭୋକିଲା ପେଟରେ ନେଇକି ଯିବେ ମନ୍ଦିର ,ବସ୍ ଷ୍ଟାଣ୍ଡ ,ମେଳା ଇତ୍ୟାଦିକୁ ଆଉ ତାଙ୍କୁ କନ୍ଦେଇ ଆଛା ଖାସା ପଇସା ରୋଜଗାର କରିବେ । ସବୁ ପଇସା ଜଗୁଆ ହାତକୁଯାଏ , ତା ପରେ ସମସ୍ତଙ୍କୁ ତାଙ୍କ ବାଣ୍ଟ ମିଳେ ଆଉ ତା ପରେ ଛୁଆଙ୍କୁ ଖାଇବାକୁ ମିଳେ ମୁଠାଏ

ଛୁଆଟି ଏବେ "ମେରି ଗୋଲଡ୍ "ରୁ "ମଡି"ପାଲଟି ଯାଇଛି ।ସବୁ ମଡି ଡାକୁଛନ୍ତି ତାକୁ ।ଜଗୁଆ" ସାବି" ହାତରେ ଟେକି ଦେଇଛି "ମଡି" କୁ। ସେ ଏବେ ତାକୁ ନେଇଯାଏ ମନ୍ଦିର ପାଖକୁ ।

ପ୍ରଥମେ ସାବି ଯେତେବେଳେ ମେରି ଗୋଲଡ୍ କୁ ଦେଖିଲା ନାକ ଟେକିଲା ।କହିଲା ଏ ଥୁକୁଲ୍ ଥାକୁଲ୍ ମୋଟା ଛୁଆଟାକୁ କିଏ ଦେବ ଭିକ? ରାଜା ଛୁଆ ଭଳି ଦେଖାଯାଉଛି ..ଗୋରା ତକତକ । ତାକୁ କେହି ଦେବେନି ଭିକ ...ମୋ ବେପାର ମାନ୍ଦା ହେବ । ମୋତେ ଆଉ ଗୋଟେ କଙ୍କାଳିଆ ଛୁଆ ଦରକାର ।

ଜଗୁଆ ସାବିକୁ ଆଶ୍ୱାସନା ଦେଲା ଯେ ଦଶ ଦିନ ଛୁଆଟାର ଖାଇବା ଟାଇଟ୍ କରିଦେଲେ ଛୁଆଟା କଙ୍କାଳିଆ ହୋଇଯିବ ଆଉ କଳା ବି ପଡିଯିବ ।

ସେମିତି ହିଁ ହେଲା ...ମେରି ଗୋଲଡ୍ ରୁ ମଡି ବନେଇବାକୁ ତାର ଖାଇବା ପିଇବା କମେଇ ଦିଆଗଲା । ତା ଆଖି ପଶିଗଲା । ଭୋକରେ ରା ରା ହେଲା । ଅପପୁଷ୍ଟି ରୋଗୀ ଭଳି ଦେଖାଗଲା । ଛିଣ୍ଡା ମଇଳା ଜାମାଟେ ବି ପିନ୍ଧେଇ ଦିଆଗଲା । ହଁ...ଏବେ ପୁରା ଠିକ୍ । ସାବି ରୋଜ୍ ନେଇ ସକାଳୁ ବାହାରିଯାଏ ମନ୍ଦିରକୁ ମଡିକୁ ଭୋକିଲା ରଖି ।ଦି ପହରେ ପାଁ ରୁଟିଟିଏ ଦେଇ ଦିଏ ଆଉ ସନ୍ଧ୍ୟାକୁ ଫେରିଲେ ପେଟ ପୁରା ଖାଇବାକୁ ଦିଏ ।

ମଡି ନୂଆ ନୂଆ ଭାରି ଅତିଷ୍ଠ ହେଉଥିଲା ହେଲେ ଏବେ ସହଜ ହୋଇ ଗଲାଣି ଏ ଜୀବନ ସହ ।

************

"ମଡି"ଭାରି ଭଲପାଏ ଜଗୁଆକୁ । ଉଁ ..ଆଁ ହୋଇ ଜଗୁଆ ପାଖକୁ ଆଣ୍ଠେଇ ଆଣ୍ଠେଇ ଯାଏ । ଜଗୁଆ ଅନେକ ଥର ନାତ ମାରି ଏଡେଇ ଦେଇଛି ମଡିକୁ । ତଥାପି ମଡି ଜଗୁଆକୁ ଦେଖିଲେ ହାତ ବଢେଇ ଦିଏ କୋଳ ହେବାକୁ । ଜଗୁଆ ଯେତିକି ଘୃଣା କରେ ମଡିକୁ ,ମଡି ସେତିକି ଭଲପାଏ ଜଗୁଆକୁ । ଖନି ପାଟିରେ ଜୁଗୁ..ଜୁଗୁ ବୋଲି ବି ଡାକେ।

ଦିନେ ହଠାତ୍ କାଲୁ ଦୌଡି ଆସି ଜଣେଇ ଦେଲା..ପୋଲିସ୍ ଚଢାଉ କରିବ ଆଡଡାକୁ ।ଯେ ଯୁଆଡେ ଫେରାର୍ ହୋଇଗଲେ । ଘର ଭିତରେ ଖାଲି ଯାହା ଛୁଆ ମାନେ । ଜଗୁଆ ବି ଦୌଡି ଯିବାକୁ ବାହାରିବା ବେଳେ ମଡି ତାକୁ ଧରି କାନ୍ଦି ଉଠିଲା । ବୋଧେ ଜଗୁଆର କୋଳ ଖୋଜୁଥିଲା ମଡି । ଜଗୁଆ ତାକୁ ଲାତଟେ ମାରି ବାହାରି ଗଲା। ମଡିର ଚିତ୍କାର ଶୁଭିଲା । ମଡି ଭଲ କାନ୍ଦିପାରେ, ଅଭ୍ୟାସ ହୋଇଗଲାଣି ।ତା କାନ୍ଦଣା ଶୁଣି ଜଗୁଆର ମନ କଣ ହେଲା କେଜାଣି ଏକାଛାଏଁ ତାକୁ ହାତରେ ଉଠେଇ କୁଆଡେ ଉଭାନ ହୋଇଗଲା।

**********

ତିନି ମାସ ହୋଇଗଲାଣି ଗୋଟିଏ ଅଚିହ୍ନା ଜାଗାରେ ଆସି ରହିଛି ଜଗୁଆ ମଡିକୁ ସାଥୀରେ ଧରି ।ଯାହା ପଇସା ପତ୍ର ଥିଲା ସବୁ ବିକି ଭାଙ୍ଗି ଖାଇସାରିଲାଣି ।ମଡିର ଭୋକର ଚିତ୍କାର କାହିଁକି ଜଗୁଆ ଆଉ ସହିପାରେନି । ଏବେ ଦୁଇଦିନ ହେଲା ଯାଉଛି ପାଖରେ ଥିବା ପାହାଡକୁ ପଥର ଭାଙ୍ଗିବା କାମରେ । ଦିନକୁ ଦୁଇଶହ ଟଙ୍କାରେ । ଦେହ ସାରା ଦରଜ ,ହାତରେ ଫୋଟକା । କେଜାଣି ଏବେ ଆଉ କାହିଁକି ଇଛା ହୁଏନି କିଛି ଅପରାଧୀ କାମ କରିବାକୁ । ଏମିତି ବି ପୋଲିସ ତାକୁ ଖୋଜୁଛି । ହାତ ଖୋଲି ଦେଖେ ଜଗୁଆ..ହାତରେ ଫୋଟକା ହୋଇ ଘା ହୋଇଗଲାଣି । ଅନାଏ ମଡିକୁ ଥରେ । ମଡି ଦୁଇଟି ଦାନ୍ତ ଦେଖାଇ ହସିଦିଏ ।ଜଗୁଆ ଦେହରେ ଘସି ନେସି ହୁଏ । ଜଗୁଆର ସବୁ କଷ୍ଟ ଯେମିତି ଚାଲିଯାଏ । ରାତିସାରା ମଡିକୁ ଛାତିରେ ପକେଇ ଶୁଏ ।ଭାବେ କେତେ କଷ୍ଟ ହେଉ ନଥିବ ଯେତେବେଳେ ଛୁଆ ଗୁଡାକ ଭୋକିଲା ପେଟରେ କାନ୍ଦୁଥିଲେ ଆଉ ସେ ରୋଜଗାରରେ ଜଗୁଆ ଅୟେଶ ଆରାମ କରୁଥିଲା । ଛିଃ..ନିଜକୁ ନିଜେ କୁହେ । ମଡିର କଙ୍କାଳ ସାର ଦେହରେ ହାତ ବୁଲେଇ ଆଣେ ।

ଏବେ ବି ମଡି ଗାଁରେ ଗୋଟିଏ ଗାଡି ଆସିଲେ ତାକୁ ଦେଖି ଜୋରରେ କାନ୍ଦେ ।ସେ କାନ୍ଦିବାର ଅଭ୍ୟାସ ଏବେ ବି ଅଛି ତାର । ହାତ ପତେଇ ଥାଏ । ଜଗୁଆର ଛାତି ଧଡ ଧଡ ହୁଏ । ସେ ମଡିକୁ ଘୋଷାରୀ ଆଣେ । ତା ହାତକୁ ଲୁଚାଇ ଦିଏ । ନା,ମଡି ଆଉ ଭିକ ମାଗିବନି କି କାନ୍ଦିବନି ।ଜଗୁଆ ମଡିକୁ ଘରକୁ ଟାଣି ଆଣେ ।

କାମକୁ ଗଲେ ମଡିକୁ ସାଙ୍ଗରେ ନେଇକି ଯାଏ ଆଉ ତା ଖାଇବା ସାଥୀରେ ନିଏ । ଦିନ ସାରା ମଡି ଗଛତଳେ ବସିଥାଏ । କାମ ସରିଲେ ଜଗୁଆ ପିଠିରେ ଲାଉ ହେଇ ଫେରେ ।

************

କିଛି ଦିନ ହେଲା ଜଗୁଆକୁ ଭୀଷଣ ଜ୍ୱର ।ତଥାପି କାମକୁ ଯାଉଛି ।ଜଗୁଆକୁ ଲାଗୁଛି ଯେମିତି ଆଉ ସେ ପାରିବନି କାମକରି । କାଲି "କାଲୁ"ଦେଖା ହୋଇଥିଲା । ଭାରି ନେହୁରା ହେଇ ମାଗିଲା ମଡିର ଘର ଠିକଣା । ଏବେ ଭାବୁଛି ମଡିକୁ ତା ବାପା ମା ପାଖକୁ ପଠେଇ ଦେବ ଆଉ ନିଜକୁ ପୋଲିସ୍ ହାତରେ ଦେଇ ଦେବ । ବହୁ କଷ୍ଟରେ ଗୋଡ କାଢି ଗଲା ଛକ ପାଖକୁ ପୋଲିସ୍ ଷ୍ଟେସନ୍ କୁ ଫୋନ କରିବାକୁ ।ଫୋନ୍ ରେ ସବୁ ସତ କଥା କହି ମଡିର ଘର ଠିକଣା ବି ଦେଲା ।ପୋଲିସ୍ ମଡିର ବାପା ମାକୁ ନେଇ ଘଣ୍ଟାଏ ଭିତରେ ପହଞ୍ଚି ଯିବେ । ଜଗୁଆ ଘର ମୁହାଁ ହେଲା । ମନେ ପଡିଲା ଆସିଲା ବେଳେ ଘର କବାଟ ଦେଇନି ବୋଲି । ମଡି ବାହାରକୁ ପଳେଇ ଆସିଥିବ । ଜଗା ଜୋରରେ ଦୌଡିଲା ..ଆହୁରି ଜୋରରେ ।ଛାତି ପାଖରେ ନିଃଶ୍ୱାସ ଅଟକି ଯାଉ ଥିଲା ...ଦେହ ଅବଶ ।

ଘରେ ପହଞ୍ଚି ଦେଖିଲା ମଡି ନାହିଁ ।ଚାରିଆଡ ହନ୍ତାଳି ପକେଇଲା ।ବାଡି ପଛପଟେ ଦେଖିଲା ...ଇସ୍ ଗଡିଆରେ ମଡି ପଡି ଯାଇ ନାକେ ପାଣିରେ ଚାବୁ ଚାବୁ ହେଉଛି । ମଡି ବୋଲି ଚିତ୍କାର କରି ଡିଆଁଟିଏ ପକେଇଲା ଗଡିଆ ଭିତରକୁ । ଘୋଷାରୀ ଆଣିଲା ମଡିକୁ ଗଡିଆ କୂଳକୁ । ମଡିର ଦେହ ଚେତାଶୂନ୍ୟ ଥିଲା ଆଉ ଜଗୁଆ ହାଲିଆ । ଗଛ ମୂଳରେ ଢେରି ଜଗୁଆ ବସି ପଡିଲା ।

ଅଧଘଣ୍ଟାଏ ଭିତରେ ପୋଲିସ୍ ପହଞ୍ଚିଗଲେ ମଡିର ବାପା ମାଙ୍କୁ ନେଇ ।ମଡିର ଚେତାଶୂନ୍ୟ ଦେହ ଦେଖି ବାପା ମା ଦୁଇ ଜଣ ହାଉଳି ଖାଇଲେ । ହେଲେ କିଛି ସମୟ ପରେ ମଡିର ଚେତା ଫେରିଲା । ମଡିର ଆଖି ଜଗୁଆକୁ ଖୋଜୁଥିଲା ।ଜୁଗୁ....ଜୁଗୁ ହୋଇ କାନ୍ଦିଲା ।ପୋଲିସ୍ ଦେଖିଲା ଜଗୁଆ ବସିଛି ଗଛ ମୂଳେ । ପୋଲିସ୍ ତାକୁ ଲାତେ ମାରିଲା ଯେ ଜଗୁଆ ଟଳି ପଡିଲା । ଦେହରେ ଆଉ ଜୀବନ ନଥିଲା ।

ମଡି ତା ବାପା ମା କୋଳରୁ ବାହାରି ଯାଇ ଜଗୁଆ ପାଖରେ ନେ...ନେ....ଜୁଗୁ....ଉଥ୍ ...ଉଥ୍ କହି କାନ୍ଦୁଥିଲା । ମଡି ଚିତ୍କାର କରି କାନ୍ଦିଲା...ଗଳା ଫଟେଇ କାନ୍ଦିଲା ...ଯେମିତି ସେ ଭିକ ମାଗେ ।ହାତ ବି ପତେଇଲା....କାନ୍ଦି କାନ୍ଦି ।

ନାଁ....ଏଠି ମଡି ପଇସା ଲାଗି ହାତ ପତେଇ ନ ଥିଲା ...ଲାଗୁଥିଲା ଯେମିତି ସେ ଈଶ୍ୱରଙ୍କ ପାଖରେ ହାତ ପତେଇ ଜଗୁଆର ଜୀବନ ମାଗୁଥିଲା...।


Rate this content
Log in

Similar oriya story from Tragedy