Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rakesh Mishra

Horror Others

3  

Rakesh Mishra

Horror Others

ମଶାଣି

ମଶାଣି

6 mins
8.1K


ଭୂତର ଅସ୍ତିତ୍ଵ ଥାଉ ବା ନା ଥାଉ, ଭୂତ ପ୍ରତି ସମସ୍ତଙ୍କ ମନରେ ଥିବା ଭୟ ଥିଲା, ଅଛି ଆଉ ରହିଥିବ । ଦିନର ଉଜ୍ଜ୍ୱଳ ଆଲୋକରେ ଭୂତ ପ୍ରେତକୁ ଫୁତ୍କାରରେ ଉଡେଇ ଦେଉଥିବା ସାହସୀ ବ୍ୟକ୍ତିଟି ବି ରାତ୍ରିର ଅନ୍ଧକାରରେ ଏକା ଏକା ମଶାଣି ଦେଇ ଯିବାକୁ ଭୟପାଏ । ନିର୍ଜନ ଜଙ୍ଗଲି ରାସ୍ତାରେ ଚାଲି ଚାଲି ଯିବା ବେଳେ ସାମାନ୍ୟ ଖୁଡ଼ଖାଡ଼ ଶବ୍ଦରେ ବି ଚମକି ଉଠେ। କାନ୍ଧ ଆଉ କାନ ମଝିରେ ହଠାତ ଅନୁଭବ କରେ କେଉଁ ଏକ ଅଜଣା ଅଦୃଶ୍ୟ ଶକ୍ତିର ଶୀତଳ ସ୍ପର୍ଶ, ଆଉ ସେତେ ବେଳେ ମନ ଭିତରେ ଏକ ଅଜଣା ଭୟରେ ହୃଦସ୍ପନ୍ଦନ ବଢ଼ିଯାଏ। 

- ଫାଲତୁ କଥା।

ସିଗାରେଟରେ ଲମ୍ବା ଟାଣ ମାରି ଶେଷ ଅଂଶଟି ମଝି ଆଙ୍ଗୁଳି, ତର୍ଜନୀ ଆଉ ବୁଢା ଆଙ୍ଗୁଳି ମଝିରେ ରଖି ଦୂରକୁ ଲକ୍ଷ୍ୟ କରି ଫିଙ୍ଗୁ ଫିଙ୍ଗୁ କହିଲା ରାଜୀବ ।

ଏତେ ବେଳ ହେଲା ଭୂତ, ପ୍ରେତ, ଆତ୍ମା ଆଦି ଉପରେ ଚାଲିଥିବା ଆଲୋଚନା ଏବଂ ତଦୁପରି ଅବିନାଶର ଲମ୍ବା ଶୁଦ୍ଧ ସାହିତ୍ୟିକ ଭାଷଣରେ ପୂର୍ଣ୍ଣଛେଦ ପଡିଲା । 

ନୂଆବର୍ଷ ପାଇଁ ପୂର୍ବ ପରିକଳ୍ପନା ମାଫିକ ସବୁ ପୁରୁଣା ସାଙ୍ଗ ଏକାଠି ହୋଇଛନ୍ତି ୩୧ ଡିସେମ୍ବର ରାତିରେ ଗାଁ ସ୍କୁଲରେ । ପ୍ରାଇମେରୀ, ମାଇନର ଏବଂ ହାଇସ୍କୁଲ ପାଇଁ ଉଦ୍ଧିଷ୍ଟ ଏକ ତଳ, ଦ୍ୱିତଳ ଓ ଆଜବେଷ୍ଟସ ଘରଟି ମାନ ତିନି ଦିଗରେ, ଗୋଟିଏ ଦିଗରେ ସ୍କୁଲ ଅଫିସ । ମଝାମଝି ଖୋଲା ଅଂଶରେ ପ୍ରାର୍ଥନା ଏବଂ ଡ୍ରିଲ ହୁଏ । ସେଇ ମଝାମଝି ଜାଗାରେ ତିନିଟି ପଥରକୁ ଚୁଲି କରି ରୋଷେଇର ଆୟୋଜନ । ଖିଆ ପିଆ ହେବ ସ୍କୁଲ ପିଣ୍ଢାରେ । ସ୍କୁଲକୁ ଘେରି ରହିଛି ଅନୁଚ୍ଚ ପାଚେରୀ । ସ୍କୁଲ ପଛ ପଟେ ଖେଳ ପଡିଆ । ସ୍କୁଲ ପଡ଼ିଆର ଠିକ ଶେଷ ମୁଣ୍ଡରେ ଦି'ମାଣିଆ ପୋଖରୀ । ଦି'ମାଣିଆ ପୋଖରୀ ସେପଟେ ଆତଙ୍କାବର ପଡିଆ, ମଶାଣି ଭୂଇଁ । ଯେଉଁଠି ଆଖ ପାଖ ୧୦ ଖଣ୍ଡ ଗାଁର ମଡ଼ା ପୋଡା ହୁଏ । ପଡ଼ିଆର ଏମିତି ନାମକରଣ ପଛରେ ଥିଲା ଉକ୍ତ ପଡ଼ିଆର ମଝିରେ ଥିବା ବିଶାଳ ବରଗଛ ଏବଂ ଉକ୍ତ ବରଗଛକୁ ନେଇ ଜନମୁଖରେ ପ୍ରଚାରିତ ବିଭିନ୍ନ ଆତଙ୍କ ଉଦ୍ରେକକାରୀ ଓ ଲୋମହର୍ଷଣକାରୀ ଭୂତ ଗପ । କୁହାଯାଏ ଉକ୍ତ ବିଶାଳ ବଟବୃକ୍ଷର ସଠିକ୍ ଆୟୁଷ କେତେ ତାହା କାହାରିକୁ ଜଣା ନାହିଁ। ଶହଶହ ବର୍ଷ ଧରି ବିଶାଳ ବପୁ ମେଲେଇ ଆତଙ୍କିତ କରି ରଖିଛି ଆଖ ପାଖ କେଇ ଖଣ୍ଡ ଗ୍ରାମର ଗ୍ରାମବାସୀ ମାନଙ୍କୁ ।

ଲୋକ ମୁହଁରୁ ଶୁଣାଯାଏ ବହୁ ବର୍ଷ ଆଗରୁ, ସ୍କୁଲ ପଡିଆ ଆଉ ଆତଙ୍କାବର ପଡିଆ ଗୋଟିଏ ଥିଲା । କିଏ ଜଣେ ପ୍ରଜାନୁରଞ୍ଜକ ଜମିଦାର ପଡିଆ ମଝିରେ ପୋଖରୀ ଖୋଳେଇ ଥିଲେ ଚାଷୀ ମାନଙ୍କ ସୁବିଧା ପାଇଁ। ସ୍ଵାଧୀନୋତ୍ତର ସମୟରେ କିଛି ଉଦ୍ୟମି ବ୍ୟକ୍ତିଙ୍କ ପ୍ରଚେଷ୍ଟାରେ ପଡିଆର ଗାଁ ପଟ ମୁଣ୍ଡରେ ତିଆରି ହୁଏ ସ୍କୁଲ । କହିବା ବାହୁଲ୍ୟ ଉକ୍ତ ସ୍କୁଲରୁ ହିଁ କେଇ ବର୍ଷ ତଳେ ସମସ୍ତେ ଏକ ସାଙ୍ଗରେ ମାଟ୍ରିକ ପାସକରିଥିଲେ । ପରେ ଉଚ୍ଚ ଶିକ୍ଷା ଶେଷ କରି କର୍ମ ସୂତ୍ରରେ କେହି କେହି ଦେଶ ବିଦେଶରେ ଆଉ କେହି କେହି ଏବେ ବି ଗାଁ'ରେ । ବର୍ଷର ଶେଷ ଦିନଟି ରବିବାର ଛୁଟିଦିନ ହୋଇ ଥିବାରୁ ସମସ୍ତେ ଏକାଠି ଭୋଜି କରିବାର ଯୋଜନା କରନ୍ତି । ଯୋଜନା ମୁତାବକ ରାତିରେ ଭାତ, ଖାସି ମାଂସ, ଖଟା, ସାଲାଡ଼, ପାପଡ ଖାଇ ମଧ୍ୟ ରାତ୍ରରେ ସମସ୍ତେ ଏକ ସଂଗେ ସ୍ୱାଗତ କରିବେ ନୂଆ ବର୍ଷକୁ । ମୁଖ୍ୟ ରୋଷେଇଆ ରଞ୍ଜିତ କମରରେ ଖୋରଧା ଗାମୁଛା ଭିଡି ମାଂସ କଷିବାରେ ବ୍ୟସ୍ତ। ଏତେ ବର୍ଷ ପରେ ଏକାଠି ହେବାର ଆନନ୍ଦରେ ସମସ୍ତେ ପୁରୁଣା ଦିନର ସ୍ମୃତି ନେଇ ଗପ କରୁ କରୁ ସେ ଗପ ଧୀରେ ଧୀରେ ଯାଇ ପହଂଚିଛି ଭୁତ ବା ଆତ୍ମାର ଅସ୍ତିତ୍ଵ ସମ୍ପର୍କିତ ଆଲୋଚନାରେ ।

ଅଵିନାଶର ଶୁଦ୍ଧ ସାହିତ୍ୟିକ ଭାଷଣର ପୂର୍ଣ୍ଣଛେଦ ପକେଇଥିବା ରାଜୀବର କଥା ଶୁଣି ସମସ୍ତେ ବୁଲି ଚାହିଁଲେ ତା ଆଡକୁ ।

- କଣ ! ଏମିତି ଚାହୁଁଚ କଣ ??

- ମାନେ ତୁ କହିବାକୁ ଚାହୁଁଚୁ ଆମେ ସମସ୍ତେ ଡରୁଆ, ତୁ ଏକା ସାହସୀ !! କହିଲା ଶୁଭାଶିଷ..

- ନା, ମୁଁ ଆଉ କାହା କଥା କହି ପାରିବିନି । କିନ୍ତୁ ମୁଁ ଯେ ଭୂତ ପ୍ରେତରେ ବିଶ୍ୱାସ କରେନା ସେତକ କହି ପାରେ । ଭୂତ ପ୍ରେତ ଆତ୍ମା ଏ ସବୁ କେବଳ ମନର ଭ୍ରମ ଆଉ କିଛି ନୁହେଁ । ତୁମେ ସବୁ ପାଠ ଶାଠ ପଢି ବିଂଶ ଶତାବ୍ଦୀରେ ଯଦି ଭୂତ ପ୍ରେତ ନେଇ ଛାନିଆ ହେବ ତା’ହେଲେ ମୋର ଆଉ କିଛି କହିବାର ନାହିଁ ।

- ଶୁଣ ଭାଇ, ପାଠ ଶାଠ ତା ଜାଗାରେ, କିନ୍ତୁ ମୁଁ ଏବେ ବି ଅନ୍ଧାରରେ ସିଡ଼ି ଚଢି ଛାତକୁ ଗଲେ ମୋତେ ଲାଗେ କେହି ମୋ ପିଛା କରୁଛି । କହିଲା ରଘୁ ।

- ସେ ସବୁ ଛାଡ଼ ଏଇ ସ୍କୁଲ ଘରେ କେତେ କେତେ ଘଟଣା ଘଟିଛି କହିଲେ ତୁମେ ଆଜି କେହି ରାତିରେ ଶୋଇ ପାରିବନି , କହିଲା ନିର୍ମଳ ।

- ଏତେ କଥାରେ କାମ ନାହିଁ । କିଏ ଡରୁଆ କିଏ ସାହସୀ ସେ କଥା ଆଜି ଏଇଠି ପ୍ରମାଣ ହେଇ ଯାଉ.. କହିଲା ଜିତୁ ।

- ଆଛା ?? ପ୍ରମାଣ କରିବା ପାଇଁ ମୋତେ କଣ କରିବାକୁ ପଡିବ। ପଚାରିଲା ରାଜୀବ। 

- ବେଶୀ କିଛି ନୁହେଁ.. ତୋତେ ଏକା ଏକା ଆତଙ୍କାବର ପଡ଼ିଆ ମଶାଣି ପଦାକୁ ଯାଇ ଫେରିବାକୁ ହେବ, ପାରିବୁ ??

- ହୁଃ.. ଏଇଟା ତା ମୋ ବାଏଁ ହାଥ କା ଖେଲ ।

- କିନ୍ତୁ ଆମେ କେମିତି ଜାଣିବୁ ତୁ ସତରେ ମଶାଣି ପଦାକୁ ଗଲୁ ବା ପୋଖରୀ କୂଳରେ ବସି ହାୱା ଖାଇ ଫେରି ଆସିଲୁ। କହିଲା ରବୀନ ।

- ତା ହେଲେ ତୁମେ କୁହ.. କଣ କଲେ ତୁମର ବିଶ୍ୱାସ ହେବ।

ଜଳନ୍ତା ଚୁଲିରୁ ଅଧାପୋଡ଼ା କାଠ ଖଣ୍ଡେ କାଢି ଆଣି ରାଜୀବ ହାତକୁ ବଢ଼େଇ ଦେଉ ଦେଉ କହିଲା ବୀରେନ..

- ଏ ନେ, ଅଧା ଜଳା କାଠ । କେଇ ଦିନ ଆଗରୁ ଦାଶ ଘର ବୁଢା ପୋଡା ହେଇଥିଲା ମଶାଣିରେ, ଶେଷ ମୁଣ୍ଡରେ । ତା ସମାଧୀ ଉପରେ ଏଇ କାଠଟା ତୋତେ ପୋତି ଦେଇ ଆସିବାକୁ ହେବ। ଆମେ ପରେ ଯାଇ ଦେଖିବୁ ତୁ ପୋତିଛୁ କି ନା!

- ବଢିଆ ଆଇଡ଼ିଆ.. ସମସ୍ତେ କହି ଉଠିଲେ ସମସ୍ଵରରେ । 

- ଆଇ ଏମ ରେଡି.. ଗ୍ଲାସରୁ ବାକି ହୁଇସ୍କି ଗୋଟେ ଢ଼ୋକରେ ଶେଷ କରି କହିଲା ରାଜୀବ ।

- ମିଶନକୁ ଯିବା ଆଗରୁ ଆଉ ଗୋଟେ ଗୋଟେ ପେଗ ହେଇଯାଉ ଭାଇ ମାନେ ??

ଗୋଟେ ହାତରେ ବୋତଲ ଉପରକୁ କରି କହିଲା ସନ୍ତୋଷ ।

- ହେଇ ଯାଉ.. ପୁଣି ସମସ୍ତେ କହି ଉଠିଲେ ସମସ୍ଵରେ ।

- ଯିଏ ଯାହା କରୁଛ କର, ମୋର କିନ୍ତୁ ମାଂସ ରନ୍ଧା ଶେଷ । ଭାତ ହେଇ ସାରିଛି । ଖାଲି ଟମାଟୋ ଖଟା କରି ଦେଲେ ମୋ ଡିଉଟି ଶେଷ । ଯାହା କରୁଛ ଶୀଘ୍ର କର, ମାଂସ ଥଣ୍ଡା ହେଲେ ଟେଷ୍ଟ ଆସିବନି । କହିଲା ରଞ୍ଜିତ ।

- ହଉ, ତୁ ଖଟା ଓହ୍ଲେଇ ପାମ୍ପଡ ଭାଜୁଥା। ମେ ୟୁଁ ଗୟା ଅଉର ୟୁଁ ଆୟା । 

ନୀଳ ଜିନ୍ସ , ସଫେଦ ପଞ୍ଜାବୀ ଉପରେ ସଫେଦ କାଶ୍ମିରୀ ସାଲକୁ ସଜାଡି ନେଉ ନେଉ ସିନେମା ଷ୍ଟାଇଲରେ କହିଲା ରାଜୀବ ।

ତ୍ରୟୋଦଶୀର ଜହ୍ନ ଆଲୁଅରେ ଝଲମଲ କରୁଛି ପୋଖରୀ ପାଣି । ଡାହାଣ ହାତରେ ସିଗାରେଟ , ବାଁ ହାତରେ କାଠ ଖୁଣ୍ଟି ଧରି ସଦର୍ପେ ଆଗେଇ ଚାଲିଛି ରାଜୀବ । ମଶାଣି ପଦା ସାରା ଛୋଟ ବଡ ସମାଧି ଚଉରା, କିଛି କିଛି ଚଉରାରେ ଚୂନ ଦିଆ ଯାଇଛି, ଦୂରରୁ ଧଳା ଶାଢୀ ପିନ୍ଧି ମୁହଁ ତଳକୁ କରି ବସିଥିବା ସ୍ତ୍ରୀଲୋକ ପରି ଦିଶୁଛି । ଦୂର କିଆବଣରେ କେଇଟା କୋକି ଶିଆଳ ହଠାତ୍ ଭୁକି ଉଠିଲେ ।

ଯେତେ ମୁହଁ ଫୁଟାଣି ମାରିଲେ ବି ମଶାଣି ପଦାରେ ପାଦ ଦେଉ ଦେଉ ଛାତି ଭିତରଟା ଛକ ଛକ କରୁଛି ରାଜୀବର । କିନ୍ତୁ ଚ୍ୟାଲେଞ୍ଜ ନେଇଛି ମାନେ ଯାହାବି ହେଉ ତାକୁ ପୂରଣ କରିବାକୁ ହେବ, ନିଜକୁ ନିଜେ ସାହସ ଦେବାକୁ ଚେଷ୍ଟା କଲା ରାଜୀବ । ବିରେନ କହିବା ଅନୁସାରେ ଦାଶ ଘର ବୁଢାର ପୋଡା ହେବା ଯାଗା ଖୋଜି ବାହାର କରିବାକୁ ବେଶୀ ସମୟ ଲାଗିଲାନି । ଚାରି ପାଞ୍ଚ ଫୁଟ ଲମ୍ବ ତିନି ଫୁଟ ଭଳି ଚଉଡ଼ା ସାମାନ୍ୟ ଉଚ୍ଚା ଆଉ ପରିଷ୍କାର ମାଟି ଢିପ। ଉପରେ ଶୁଖିଲା ତୁଲସୀ ଗଛଟେ । ଏଇଟା ହୋଇ ଥିବ। ଖୁଣ୍ଟି ପିଟିବା ପାଇଁ ସ୍କୁଲ ପାଖରୁ ଭଙ୍ଗା ଇଟାଟିଏ ଯୋଗାଡ଼ କରି ଆଣିଥିଲା, ଗୋଟେ ହାତରେ ଇଟା ଅନ୍ୟ ହାତରେ କାଠ ଖୁଣ୍ଟି ଧରି ସମାଧି ପାଖରେ ଆଣ୍ଠେଇ ପଡିଲା ରାଜୀବ। ବାଁ ହାତରେ କାଠ ଖୁଣ୍ଟ ଧରି ଡାହାଣ ହାତରେ ଅଧା ଇଟାର ପାହାର ଦେଇ ଚାଲିଥିଲା। ଯଥାଶୀଘ୍ର ଏ କାମ ସାରି ସ୍କୁଲଘରକୁ ଫେରିଯିବାକୁ ବ୍ୟାକୁଳ ହେଉଥିଲା ରାଜୀବ। ଚାରିପଟେ ନିସ୍ତବ୍ଧତାକୁ ଝିଙ୍କାରୀର ଝିଁ ଝିଁ ଶବ୍ଦ ପରିବେଶକୁ ଅତ୍ୟନ୍ତ ଭୟାବହ କରି ରଖିଛି । ଦୂରରେ କେଉଁ ଗଛରେ ବସି ପେଚାଟିଏ ଅନବରତ ରାବି ଚାଲିଛି । କାଠ ଖୁଣ୍ଟି ଅଧାରୁ ଅଧିକ ପୋତି ସାରି ଉଠି ଛିଡ଼ା ହେବା ପାଇଁ ଚେଷ୍ଟା କଲା ରାଜୀବ। କିନ୍ତୁ ଉଠି ପାରିଲାନି । ତାର ମନେ ହେଲା କେହି ସମାଧି ଭିତରୁ ତା ଶାଲର ଗୋଟିଏ ମୁଣ୍ଡ ଟାଣି ଧରିଛି । ଶାଲଟିକୁ ଟାଣିବାକୁ କେତେ ଥର ଅସଫଳ ଚେଷ୍ଟା କଲା ରାଜୀବ, କିନ୍ତୁ ପାରିଲାନି । ଥର ଥର ହୋଇ କମ୍ପିତ ହାତରେ ଶାଲଟିକୁ ନିଜ ଦେହରୁ କାଢି ସମାଧି ଉପରେ ଫିଙ୍ଗି ଦେଲା । ନା, ଏଥର ବି ସେ ଉଠି ପାରୁନି। କେହି ଜଣେ ତା ପଞ୍ଜାବୀ ଟା ବି ଟାଣି ଧରିଛି । ଆଉ କିଛି ଭାବି ପାରୁ ନଥିଲା ରାଜୀବ । ସତେ ଅବା ମସ୍ତିଷ୍କ ଭିତରକୁ ରକ୍ତ ଚଳା ଚଳ ବନ୍ଦ ହୋଇ ଯାଉଛି । ଚିତ୍କାର କରି ସାଙ୍ଗ ମାନଙ୍କୁ ଡାକିବାକୁ ଚେଷ୍ଟା କରି ବି ପାରୁନି, ଶବ୍ଦଟିଏ ଉଚ୍ଚାରଣ କରିପାରୁନି । ତଣ୍ଟି ଶୁଖିଗଲା ପରି ଲାଗୁଛି । ଦେହ ହାତ କ୍ରମଶଃ ଅବସ ହୋଇ ପଡୁଛି ।

ଅନେକ ସମୟ ବିତିଯିବା ପରେ ବି ରାଜୀବର ନ ଫେରିବା ଦେଖି ସମସ୍ତେ ମନେ ମନେ ଆତଙ୍କିତ ତଥା ଅନାଗତ ଅଘଟଣର ଆଶଙ୍କାରେ ମଶାଣି ପଦାରେ ପହଞ୍ଚି ଯାହା ଦେଖିଲେ ସମସ୍ତଙ୍କ ପାଦ ତଳୁ ମାଟି ଧସି ଯାଇଥିଲା । ରାଜୀବର ନିସ୍ତେଜ ଅଚେତ ଦେହଟା ମୁହଁ ମାଡି ପଡି ରହିଥିଲା ସମାଧି ଉପରେ, ଏବଂ ରାଜୀବର ଶାଲର ଗୋଟିଏ କୋଣ ଓ ପଞ୍ଜାବୀର ନିମ୍ନ ଦେଶ କାଠ ଖୁଣ୍ଟି ସହ ପୋତି ହୋଇ ରହି ଥିଲା ମାଟିରେ।

॥ ସମାପ୍ତ ॥

- ରାକେଶ ମିଶ୍ର


Rate this content
Log in

Similar oriya story from Horror