ନମି ନାନୀଙ୍କ ପଶୁ ପ୍ରୀତି
ନମି ନାନୀଙ୍କ ପଶୁ ପ୍ରୀତି
ନମି ନାନୀ ସହରରେ ରୁହନ୍ତି କିନ୍ତୁ ତାଙ୍କ ଚାଲିଚଳନ ସବୁ ସେଇ ତାଙ୍କ ବାପଘର ଗାଁ ପରି । ପ୍ରାୟ 25 ବର୍ଷରୁ ଅଧିକ ହେଇଯିବ ସେ ଆସି ସହରରେ ରହିବାର । ସହରରେ ଲୋକମାନେ ଘରଟିଏ କରିଦେଲେ ବୋହୁତ୍ ଖୁସି ଅନୁଭବ କରନ୍ତି, ଯଦି ସେଇ ଘର ପଛପଟେ କି ଆଗରେ ଟିକେ ବି ଜାଗା ବଞ୍ଚିଯାଏ ତେବେ ଗଛ ଲତା ପୋତି ପକାନ୍ତି, ଛୋଟ ବଗିଚାଟିଏ ଠିଆ କରିଦିଅନ୍ତି । ନମି ନାନୀ ଠିକ୍ ସେହି ପରି, ଘର କରିବା ପରେ, ଘରର ଆଗ ପଛରେ ଯାହା ଟିକେ ଜାଗା ବଞ୍ଚି ଯାଇଥିଲା ସବୁଠି ଗଛବୃଛ ଲଗେଇ ଛୋଟିଆ ଜଙ୍ଗଲଟିଏ ଠିଆ କରେଇ ଦେଇଛନ୍ତି ।
ଆଜି ପ୍ରଥମାଅଷ୍ଟମି, ମୋ ଘର ଆଡ଼େ ବୁଲିବାକୁ ସଖାଳୁ ସଖାଳୁ ନମି ନାନୀଙ୍କ ସ୍ଵାମୀ ଦାଶ ବାବୁ ଆସିଥିଲେ ଏଣ୍ଡୁରି ପିଠା ଧରି । କିନ୍ତୁ ନମି ନାନୀ ଆସିନଥିଲେ , କାହିଁକି ଆସିଲେନି ପଚାରିବାରୁ ଦାଶ ବାବୁ ଶୋକ ଭରା କଣ୍ଠରେ କହିଲେ ନମି ନାନୀଙ୍କ କୁକୁର ଛୁଆଟା ଚାଲିଗଲା ବଡ଼ି ଭୋରୁ । ସେଥିପାଇଁ ନମି ନାନୀ ଦୁଃଖରେ ଅଛନ୍ତି । ଶୁଣି ଆଶ୍ଚର୍ଯ୍ୟ ଲଗିଲା , ମୋ ଘର ଠାରୁ 2 ମିନିଟ୍ ର ରାସ୍ତା ତାଙ୍କ ଘର ଆଉ ମୁଁ ଜାଣିବାରେ ସେ କିଛି ପଶୁପକ୍ଷୀ ପାଳି ନଥିଲେ ହଠାତ୍ କୁକୁର ଛୁଆଟେ କୋଉଠୁ ଆସିଗଲା । ବୁଝିଲା ବେଳକୁ ଜଣା ପଡିଲା ଏପାଳି ବି ନମି ନାନୀଙ୍କ ବଗିଚାରେ ଆଶ୍ରୟ ନେଇଥିଲା ମାଆ କୁକୁର ଟି, ଆଉ ଜନ୍ମ କରିଥିଲା ତିନି ଟା ଛୁଆ ,ଏମିତି ଜାଗାରେ ସେ ଆଶ୍ରୟ ନେଇଥିଲା ଯୋଉଠିକୁ ଯିବାକୁ ଠିକ୍ ରେ ବାଟ ନଥିଲା । ମାଆ ଟି ପ୍ରସବ ବେଦନା ସମ୍ଭାଳି ନପାରି ନିଜ ଜନ୍ମ କଲା ଛୁଆ ଦୁଇଟିକୁ ଖାଇଗଲା ଆଉ ନିଜେ ବି ଚାଲିଗଲା ,ବାସ୍ ବଞ୍ଚିଗଲା ଗୋଟେ ନିରୀହ ଛୁଆ । ଦାଶ ବାବୁଙ୍କ ସହ ନମି ନାନୀ ଝଗଡା କରି ସେଇ କୁକୁର ଛୁଆଟିକୁ ଘରେ ରଖିଥିଲେ । ଛୁଆଟିର ଆଖି ଫିଟି ନଥିଲା, ବିଚାରା କିଛି ଖାଇ ପାରିବା ଅବସ୍ତାରେ ନଥିଲା 2 ଦିନ ହବ ଜନ୍ମ ହୋଇଥିଲା । ନମି ନାନୀ ତା ପାଇଁ ଗୋଟେ ପପୁ ବୋତଲ ଯୋଗାଡ କରି ଗାଈ କ୍ଷୀର ଟିକେ ଟିକେ ପି ବାକୁ ଦେବାକୁ ଚେଷ୍ଟା କରିଥିଲେ , ଯେତେ ବେଳେ ନାନୀ ଘରେ ନଥାନ୍ତି ଦାଶ ବାବୁ ସେ ଛୁଆଟିକୁ ଖାଇବାକୁ ଦେଉଥିଲେ ,ଏମିତିରେ ପ୍ରାୟ ଦିନେ ଦୁଇ ଦିନ ହବ ବଞ୍ଚେଇକି ରଖିଥିଲେ ଛୁଆଟିକୁ , କିନ୍ତୁ ସେ କୁକୁର ଛୁଆଟି ଜୀବନ ଆଉ ମୃତ୍ୟୁ ସହ ସଂଘର୍ଷ କରି କରି ଶେଷରେ ଚାଲିଗଲା ନମି ନାନୀ ଆଉ ଦାଶ ବାବୁଙ୍କୁ ଶୋକରେ ଭସେଇ ।
ଆଉ ଦିନକର ଘଟଣା ନମି ନନୀଙ୍କ ବାଟଘର ତାଜାରେ ଗୁଣ୍ଡୁଚି ଛୁଆ ଦେଇଥିଲେ ଆଉ ତଳେ ବିଲେଇମାନଙ୍କ ଡେରା । ଛୁଆ ଗୁଡା ବାରମ୍ବାର ତଳେ ପଡ଼ି ଯାଉଥିଲେ ଆଉ ନାନୀ ଆମର ଜଗି ରହିଥିଲେ ବିଲେଇମାନଙ୍କୁ, ଗୁଣ୍ଡୁଚି ଛୁଆମାନଙ୍କୁ ବାରମ୍ବାର ତାଜାରେ ରଖୁଥିଲେ । ଏମିତି ରେ ଛୁଆ ଗୁଡା ବଞ୍ଚି ଯାଇଥିଲେ ଆଉ ନିଜ ନିଜ ବାଟରେ ଚାଲିଗଲେ ।
ନିତିଦିନ ନାନୀଙ୍କ ଚୁ ଚୁ ସବଦରେ ଗଳିର ବୁଲା କୁକୁର ଏକାଠି ହୋଇ ଖାଇବାକୁ ତାଙ୍କ ଘର ଆଗକୁ ଦୌଡ଼ି ଆସନ୍ତି ଆଉ ନାନୀ ପରସି ଦିଅନ୍ତି ତାଙ୍କ ରୋଷେଇରୁ କିଛି ଖାଦ୍ୟ । ଦିନ ବେଳା ବୁଲା ଗାଈ ଆସି ନାନୀଙ୍କ ଘର ଆଗରେ ହମା ହମା ରଡି ଛାଡ଼ନ୍ତି ଆଉ ନାନୀ ଆମର ପରିବା ଚୋପା, ତୋରାଣି ଯାହା ପାଆନ୍ତି ସବୁ ଆଣି ଗାଈ ଆଗରେ ରଖି ଦିଅନ୍ତି । କେବେ କେବେ ଶୀତଦିନେ, ତାଙ୍କ ଘର ଗେଟକୁ ଆଉଯେଇ ଶୋଇଥିବା କୁକୁରମାନଙ୍କୁ ଅଖାରେ ଘଡେଇ ଦିଅନ୍ତି । ଦାଶ ବାବୁ ରହସ୍ୟ କରି କୁହନ୍ତି, "କମ୍ବଳ ଗୁଡା ନେଇଯା ଘୋଡାଇବାକୁ" । ଦାଶ ବାବୁ କୁକୁର ବିଲେଇ ଦେଖିଲେ ବାଡ଼େଇବାକୁ ବାହାରି ପଡ଼ନ୍ତି କିନ୍ତୁ ନାନୀଙ୍କ ପଶୁ ପକ୍ଷୀ ସେବା ଦେଖି ଦାଶ ବାବୁ ବି ଆଜି କାଲି ନିଜକୁ ବଦଳେଇ ଦେଇଛନ୍ତି । ସହରର ଅନ୍ୟ କୌଣସି ଘର ହେଇଥିଲେ, ଘର ଅସନା ହୋଇଯିବା ଡରରେ ପଶୁ ପକ୍ଷୀଙ୍କୁ ଆଶ୍ରୟ ଦେବାକୁ ଡରନ୍ତି । ନାନୀ ପଶୁପକ୍ଷୀଙ୍କୁ ଘରେ ପାଳିବାକୁ ମନା କରନ୍ତି କୁହନ୍ତି "କାହିଁକି ନିରୀହ ଜୀବ ଗୁଡାଙ୍କୁ ବନ୍ଦୀ କରି ରଖିବି" । କିନ୍ତୁ ଯେତେବେଳେ କୋଉ ପଶୁପକ୍ଷୀ ନାନୀଙ୍କ ସରଣରେ ଆସନ୍ତି ନାନୀ ନିଜ ଛୁଆଙ୍କ ପରି ତାଙ୍କ ଯତ୍ନ ନିଅନ୍ତି ।
ନାନୀ କୁହନ୍ତି-" ପଶୁପକ୍ଷୀମାନେ ବି ଜୀବ, ସେମାନେ କହିପାରିବେନି ତାଙ୍କ କଷ୍ଟ କିନ୍ତୁ ଆମେ ଯେମିତି ମଣିଷକୁ ବୁଝୁଛେ ସେମିତି ସେମାନଙ୍କୁ ବି ବୁଝିବା ଦରକାର "।