Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nirmal Kumar

Tragedy

2  

Nirmal Kumar

Tragedy

କୁଳାଙ୍ଗାର

କୁଳାଙ୍ଗାର

6 mins
7.7K


ଆଧୁନିକ ସମାଜର ଉତ୍ତୁଙ୍ଗ ଆସନରେ ଅଧିଷ୍ଠିତ ହେବା ଏବଂ ଏହାକୁ କଳେ ବଳେ କୌଶଳେ ଜାବୁଡି ଧରିବାର ସମସ୍ତ ଆଦବ କାଇଦା ମୁଁ ଓ ମୋ ସ୍ତ୍ରୀ ମିତାକୁ ଜଣା । ମୁଁ ସମ୍ଭବ ମିଶ୍ର ଓ ମୋ ସ୍ତ୍ରୀ ମିତା ପ୍ରିୟଦର୍ଶିନୀ ଏ ସହରର ଜଣାଶୁଣା ସଫଳ ଦମ୍ପତ୍ତିମାନଙ୍କ ମଧ୍ୟରେ ଅନ୍ୟତମ । କାରଣ ସହରର ସର୍ବ ବୃହତ ସଫ୍ଟଓୟାର କମ୍ପାନୀ ର ଆମେ ଦୁଇ ଜଣ ଉଚ୍ଚ ପଦବୀ ଅଳଙ୍କୃତ କରିଛୁ। ବେଳେ ବେଳେ ଅନୁଭବ ହୁଏ, ହିମାଳୟର ସୁଉଚ୍ଚ ଶିଖରରେ ତୁଷାର ବେଷ୍ଟିତ ପର୍ବତ ଗହ୍ଵରରେ ଋଷି ମାନେ କଠୋର ତପସ୍ୟା କରି ଯାହା ପାଇପାରି ନାହାନ୍ତି, ଆମେ ତା ଠାରୁ ବହୁତ ଉଚ୍ଚରେ ପହଞ୍ଚି ପାରିଛୁ। ଆମ ପାଖରେ ଅଛି ଇମ୍ପୋର୍ଟେଡ କାର , ଆଲିସାନ ବଙ୍ଗଳା, ଏବଂ ମୋଟା ଅଙ୍କର ବ୍ୟାଙ୍କ ବାଲାନ୍ସ ,ଯାହା ବର୍ତ୍ତମାନ ସମାଜରେ ଖୁବ୍ କମ୍ ଭାଗ୍ୟଶାଳୀ ବ୍ୟକ୍ତିଙ୍କ ଭାଗ୍ୟରେ ମିଳେ।

ଆଜି ଦ୍ଵିତୀୟ ଶନିବାର, ଅଫିସ ଛୁଟି। ଅଫିସ ର ବଳକା କାମ ସହିତ ଘରର ସମସ୍ତ କାମ ସାରି ଦେଇଛି। କାରଣ ମିତାର ଏକା ଜିଦ୍ ଆସନ୍ତା କାଲି ରବିବାର । ମସ୍ତିଷ୍କକୁ ଜମା ବି ବୋଝ ଦିଆଯିବନି । ସମୁଦ୍ରର ଅବୋଲକରା ଢେଉ ପରି ନାଚିବାକୁ ଦିଆଯିବ। କାଲି ଦିନଟି କଟିବ କିଛି ଚିଲ୍ଡ ବିଅର , ଲଙ୍ଗ୍ ଡ୍ରାଇଭ୍ ଆଉ ବିଚର ମନ ମତାଣିଆ ହାୱାରେ । ଆସନ୍ତା କାଲିର ପ୍ଲାନିଂ ପାଇଁ ତା'ର ନିର୍ଦ୍ଦେଶ କ୍ରମେ ଲାପଟପ୍ ଧରି ବାଲକୋନୀରେ ବସିଥାଏ। ସନ୍ଧ୍ୟା ବେଳଟାର ଚୁଲବୁଲି ଜହ୍ନ ଆଉ ବଉଦର ଲୁଚକାଳି ଖେଳ ତତ୍ ସହିତ ସଦ୍ୟଜାତ କଅଁଳା ବାଛୁରୀ ଭଳି ସୁଲୁ ସୁଲିଆ ପବନର ମନ ମତାଣିଆ ଧାଁ ଧଉଡ , ମୋ ମନଟାକୁ କାଇଁ ଟିକେ ବେପରୁଆ କରିଦେଲା। ତାକୁ ଆଉଟିକେ ଫୁଙ୍ଗୁଳା କରିଦେବା ପାଇଁ ମିତାକୁ ଗୋଟେ ଚିଲ୍ଡ ବିଅର ଆଣିବା ପାଇଁ ବରାଦ କଲି। ସେ ବି ଆଜ୍ଞାଧୀନା ସ୍ତ୍ରୀ ଭାବେ ଗୋଟେ ବିଅର ଓ ଆଉ କିଛି ସଲଟେଡ୍ କାଜୁ ଆଣି ମୋ ଟି-ପୟ ଉପରେ ରଖିଦେଇ ଗଲା । ଦୁଇ ତିନି ପେଗ ଢୋକି ଦେଲା ପରେ ମୋ ମସ୍ତିଷ୍କର ତନ୍ତୁ ମାନେ ଦ୍ରୁତ ଗତିରେ ଧାଁ ଧଉଡ କରିବାକୁ ଲାଗିଲେ। ସତେକି ପୃଥିବୀର ସବୁ ସୁଖ ଏଇ କ୍ଷଣି ସରିଯିବ, ତାକୁ ନିଜ ମୁଣିରେ ଭରିବା ପାଇଁ ଜୋରରେ ଧାଇଁବା ନିହାତି ଆବଶ୍ୟାକ। ମାତ୍ର ସମୟର ତୀବ୍ରତା ଠାରୁ ମନର ବ୍ୟଗ୍ରତା ଧ୍ୱନି ଓ ଆଲୋକ ର ଗତିର ପ୍ରତିଯୋଗୀତା ସଙ୍ଗେ ସମାନ। ଅନେକ ସୁଖକୁ ଏକ ସଙ୍ଗେ ଆବୋରି ନେବା ତ ମନର ଆଦିମ ପ୍ରବୃତ୍ତି। ସେହି ସୁତ୍ରରେ ମତୁଆଲା ମନକୁ ମୋ ଲାପଟପ୍ ର ଏକ ଫଟୋ ଗ୍ୟାଲେରୀ ମଧ୍ୟରେ ଛାଡି ଦେଲି। ବିନା କଣ୍ଟାର ଆଘାତରେ ହଠାତ୍ ଅଟକି ଗଲି ଗୋଟେ ବହୁତ ପୁରୁଣା ଫଟୋ ପାଖେ। ସେହି ଫଟୋ ପାଖେ ମୋ ଆଙ୍ଗୁଠିଟା ଟଚ୍ ସ୍କ୍ରିନ ଠାରୁ ଦୂରେଇ ଗଲା । ମୋ ମସ୍ତିଷ୍କର ବେଗ ତୀବ୍ର ଗତିରେ କମିଗଲା। ହୁଁ , ସେଇଟି ଥିଲା ମୋ ବୋଉ ର ଫଟୋ ।

ମୋ ଦୃଷ୍ଟି ନିବଦ୍ଧ ହେଲା, ଦୂର ଦିଗବଳୟ ଆଡକୁ । ମୋ ନିଶା ଗ୍ରସ୍ତ ମସ୍ତିଷ୍କ କୁ ମୋ ବୋଉ ର ସ୍କେଚଟା ଧୀରେ ଧୀରେ କାବୁ କରୁଥାଏ। ମୋ ପ୍ରତ୍ୟେକଟି ଅଙ୍ଗ ପ୍ରତ୍ୟଙ୍ଗ ନିସ୍ତେଜ ହେଉଥାଏ। ମୁଁ ଅନୁଭବ କରୁଥିଲି, ମହାଦେବ ଗରଳ ପାନ କରି ନୀଳକଣ୍ଠ ସାଜିବା ବେଳର ଅନୁଭୂତି। ଜୀବନର ପ୍ରତ୍ୟେକ ରେସ୍ ରେ ଜିତୁଥିବା ମୋ ଭଳି ଘୋଡାର ଗୋଡଟା ବିନା ଶିକୁଳୀରେ କାହିଁକି ଅଟକି ଯାଉଛି ବୁଝି ପାରୁନି । ସାମାନ୍ୟ ଗୋଟାଏ ଫଟୋ ସାମ୍ନାରେ।ଅବଶ୍ୟ ସେ ଫଟୋରେ ଥିବା ବ୍ୟକ୍ତିଟି ମୋ ପ୍ରତ୍ୟେକଟି ବାଜିର ଲକି ମାସ୍କଟ୍।

ମୋ ଗାଁ ଠୁ ମୋ ସ୍କୁଲର ଦୂରତା ୩ କି. ମି.। ସେତେବେଳେ ରାସ୍ତା ଘାଟ ଏତେ ଉନ୍ନତ ନଥିଲା । ଗାଁ ବାଟ କିଆ ଗୋହିରୀ ଦେଇ ଯିବାକୁ ପଡେ। ଦିନକର କଥା । ସ୍କୁଲ ଯିବା ବାଟ କିଆ ଗୋହିରୀରେ ବରକୋଳି ଗଛଟିଏ ଥାଏ। ସେଥିରେ ପ୍ରବଳ କୋଳି ପାଚିଥିଲା। ପାଚିଲା କୋଳି ତୋଳିଲା ବେଳେ ଲାଗୁଥାଏ , ମୁଁ ଗଭୀର ସମୁଦ୍ରରୁ ମୁକ୍ତା ସଂଗ୍ରହ କରୁଛି। ଉନ୍ମାଦନା ଓ ଶଙ୍କା ମଧ୍ୟରେ କୋଳି ତୋଳୁ ତୋଳୁ ସ୍କୁଲ ବେଳ ଗଡିଗଲା । ଆଉ ସେଦିନ ସ୍କୁଲ ଗଲି ନାହିଁ । ତା ପର ଦିନ ପ୍ରାର୍ଥନା ସଭାରେ ପ୍ରଧାନ ଶିକ୍ଷକ ଙ୍କ ତାଗିଦ୍, “ ସମ୍ଭବ, କାଲି ତୁ କାହିଁକି ସ୍କୁଲ କୁ ଆସିନଥିଲୁ ? “ ମୋର ଗୋଟେ ଛୋଟିଆ ଉତ୍ତରରେ ପ୍ରଧାନ ଶିକ୍ଷକ ସଦ୍ୟ ନିର୍ଗତ ଆଗ୍ନେୟ ଉଦ୍ଗିରଣରୁ ହିମାଲୟର ଅଗ୍ରଭାଗରେ ଥିବା ସୁଉଚ୍ଚ ବରଫ ପାହାଡରେ ପରିଣତ ହେଇଯିବେ, ମୁଁ ବିଶ୍ଵାସ କରି ପାରୁ ନଥିଲି। ମୁଁ କାନ୍ଦି କାନ୍ଦି ଉତ୍ତର ଦେଇଥିଲି ," କାଲି ମୋ ବୋଉର ଦେହ ବହୁତ ଖରାପ ଥିଲା। ସେ ଶେଜରୁ ଉଠି ପାରୁ ନଥିଲା। ଭାରି କଷ୍ଟରେ ମୋତେ ରୋଷେଇ ସାରି ଖାଇବାକୁ ଦେଲା ବେଳକୁ ମୋର ଡେରି ହୋଇଗଲା। “ ସେଦିନ ଏକ ନିଶ୍ଚିତ ଯମ ଦଣ୍ଡରୁ ମୁକ୍ତି ପାଇଲା ଭଳି ଲାଗିଲା। ସେହି ଭଳି ଅନେକ ବାର ସ୍କୁଲରେ ମୋତେ ଶିକ୍ଷକ ମାନଙ୍କ ଘନ ଘନ ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ମୁଁ ପ୍ରୟୋଗ କରେ ମୋର ଅମୋଘ ଅସ୍ତ୍ର , “ମୋ ବୋଉର ଦେହ ଖରାପ।“

ସେହିଭଳି ଦୁଇ ତିନି ବର୍ଷ ତଳର କଥା । ସେତେବେଳେ ମୁଁ ହାଇଦରାବାଦରେ ଚାକିରି କରିଥାଏ। ଏକଦା ମୋ ବର୍ତ୍ତମାନର ସ୍ତ୍ରୀ ତଥା ତତକାଳୀନ ପ୍ରେମିକା ମିତା ମୋତେ ଦେଖା କରିବାକୁ ଜିଦ ଧରିଲା। ଅଫିସରୁ ମୋତେ ଛୁଟି ମିଳୁ ନଥାଏ। ଅନନ୍ୟ ଉପାୟ ହୋଇ ମୁଁ ମୋର ଶେଷ ଅସ୍ତ୍ର ପ୍ରୟୋଗ କଲି। ଦରଖାସ୍ତର ମୁଖ୍ୟ ବିଷୟ ବସ୍ତୁ , “ ମୋ ବୋଉ ମରିଯାଇଛି।“ ଏକାଥରେ ପନ୍ଦର ଦିନ ଛୁଟି ମିଳିଲା। ମିତାକୁ ଧରି ଗୋଆ ବୁଲିବାକୁ ଯାଇଥିଲି। ଗୋଆରେ ଥିବା ସମୟରେ ବୋଉ ଗାଁ ରୁ ଫୋନ କଲା , “ମୋ ଦେହ ବହୁତ ଖରାପ। ତୁ ଶୀଘ୍ର ଗାଁ କୁ ଆସେ। ମୋର ଗୋଟିଏ ବୋଲି ପୁଅ। କେତେବେଳେ କଣ ହେଇଯିବ। ତତେ ଟିକେ ଦେଖିଥାନ୍ତି।“ ଆଉ କିଛି କହିବା ପୂର୍ବରୁ ମୁଁ ସେଦିନ ତାକୁ ଚଢା ଗଳାରେ ଶୁଣେଇ ଦେଇଥିଲି , "ମୁଁ ନୂଆ କରି ଚାକିରି କରିଛି । ଛୁଟି ମିଳିବନି । କିଛି ମିଛ ସତ କରି ଛୁଟି ନେଲେ ଦରମା କଟିବ। ଇନକ୍ରିମେଣ୍ଟ ହେବନି ଆଉ ପ୍ରୋମୋଶନରେ ପ୍ରୋବ୍ଲେମ ହେବ"। ମୋ କଥା ଶୁଣି ବୋଉ ଉତ୍ତର ଦେଲା ," ନାହିଁ , ଥାଉ ଥାଉ, ତୁ ଆସିବା ଦରକାର ନାହିଁ । ତୋ ଚାକିରିରେ ଯେମିତି କିଛି ଅସୁବିଧା ନହୁଏ। ମୋର ବଳ ବୟସ ଗଲାଣି। ଦେହ ସେମିତି ହେବ । ତୁ ଜମା ବ୍ୟସ୍ତ ହୁଅନା"। ତାର ଏତିକି କଥା ଶୁଣି ମୁଁ ଫୋନ ଟାକାଟିଦେଲି। କାହିଁକି ନା ତାର ଇଆଡୁ ସିଆଡୁ କଥା ପାଇଁ ମିତା ସହ ମୋର ମୂଲ୍ୟବାନ ସମୟକୁ ନଷ୍ଟ କରିବାକୁ ଚାହୁଁନଥିଲି । “

ତା ପରେ ପରେ ମିତା ସହ ମୋର ବାହାଘର ହୋଇଗଲା। ଆମେ ଦୁହେଁ ଆସି ସହରରେ ରହିଲୁ। ମୋ ଗାଁ ର ଲୋକମାନେ, ବନ୍ଧୁ ବାନ୍ଧବମାନେ ମୋତେ ବାଧ୍ୟ କରୁଥାନ୍ତି, ବୋଉକୁ ନେଇ ସହରରେ ରଖିବା ପାଇଁ। ହେଲେ ମିତାର ଏକା ଜିଦ୍ ସେ ମୋ ବୋଉ ପାଖରେ ଚଳି ପାରିବନି। ତା’ ଭଳି ଆଧୁନିକା ଝିଅ ମାନେ ଶାଶୁକୁ ଅନ୍ୟ ଗ୍ରହର ଜୀବ ରୂପେ ଦେଖନ୍ତି। ସେମାନଙ୍କ ସହ ଚଳିବା କେତେ ଯେ କଷ୍ଟ, ତାହା ସେମାନେ ବାହାଘର ପୂର୍ବରୁ ହୃଦୟଙ୍ଗମ କରି ପକାନ୍ତି ଏବଂ ସେମାନଙ୍କ ମୋହନୀ ଶକ୍ତିରେ ସ୍ଵାମୀ ଭଳି ଏକ ଅରଣା ମହିଁଷୀକୁ ମଧ୍ୟ ଗୃହପାଳିତ ପଶୁରେ ପରିଣତ କରି ପାରନ୍ତି। ସେ ଗୌରବ ଅଧିକାରୀ ଯେ ମୁଁ ନିଜେ , ତାହା ଜଣେ ସଦ୍ୟ ସାମ୍ରାଜ୍ୟ ଅଧିକାର କରିଥିବା ସମ୍ରାଟ ଭଳି ସ୍ଵୀକାର କରିବାକୁ କୁଣ୍ଠାବୋଧ କରୁନି। ସେପଟେ ଗାଁ ଲୋକଙ୍କ କଥା। ଏପଟେ ମୋ ସ୍ତ୍ରୀ । କ’ଣ କରିବି ଭାବି ଭାବି ଗୋଟେ ଆଇଡିଆ ବି ମିଳିଗଲା। ବୋଉକୁ ଯାଇ ବୁଝେଇଲି, “ଦେଖ ବୋଉ , ଆମେ ଦୁଇ ଜଣ ଚାକିରି କରିଛୁ। ସକାଳୁ ଅଫିସ୍ ଯିବୁ ଯେ ଆସିଲା ବେଳକୁ ରାତି । ତୁ ଏଡେ ବଡ ଘରଟାରେ ଏକୁଟିଆ। କ’ଣ ଖାଇବୁ କ’ଣ ନାହିଁ । ଏଠି ଯେମିତି ଏକୁଟିଆ ସେଠି ବି ସେମିତି ଏକୁଟିଆ। ମୋତେ କାଇଁ ଭଲ ଲାଗୁନି। ତୋତେ ନେଇ ବୃଦ୍ଧାଶ୍ରମରେ ଛାଡିଦେବି । ସେଠି କିଛି ଅସୁବିଧା ହେବନି। କ’ଣ କହୁଛୁ ? ‘’ମୋ ବୋଉ ମୋ ମୁହଁ କୁ ଚାହିଁଲା, ଆଉ ବୁଝିଗଲା ବି। ସେ କହିଲା, ହଉ, ସେୟା କର। ମୁଁ ବି ଗାଁ ର ସାହି ପଡିଶା ଙ୍କୁ ଜଣେଇ ଦେଲି, “ମୋ ବୋଉକୁ ସହରକୁ ନେଇ ଯାଉଛି।“ସମସ୍ତେ କହିଲେ “, ଯା ହଉ, ପୁଅ ହବ ତ ଏମିତି। “

ଏକଦା ବୃଦ୍ଧାଶ୍ରମରୁ ମୋ ପାଖକୁ ଫୋନ ଆସିଲା। , “ ହେଲୋ , ସମ୍ଭବ ବାବୁ । “

: ହଁ ।

: ଆପଣଙ୍କ ବୋଉ ଆଉ ନାହାନ୍ତି। ଶୀଘ୍ର ଆସନ୍ତୁ, ସତ୍କାର କାର୍ଯ୍ୟ କରିବା।

ମୁଁ ମୋ ଗାଁ କୁ ଫୋନ କରି ଜଣେଇଲି। ମୋତେ ଗାଁ ଲୋକ କହିଲେ, ତୋ ବୋଉକୁ ଗାଁ କୁ ଆଣେ । ଏଇଠି ଗାଁ ମଶାଣିରେ ସତ୍କାର ହେବ। ସାହି ଭାଇ ଅଛନ୍ତି ନା, ସେଠି କିଛି କରିବୁନି। ଆମ୍ଭେ କିଏ ଯିବୁ କି ତୋ ପାଖକୁ ?” ମୁଁ ତ୍ଵରିତ୍ ଗତିରେ ନାଁ କଲି। ମୋତେ ବୃଦ୍ଧାଶ୍ରମରେ ଏକ ମିଛ ନାଟକ କରିବାକୁ ପଡିଲା। ସେମାନଙ୍କୁ କହିଲି, ମୋ ବୋଉ ଗୋଟେ ଇଚ୍ଛା ପାତ୍ର ଲେଖି ଦେଇ ଯାଇଛି। ସେ ଗାଁ ମଶାଣିରେ ହିଁ ସତ୍କାର ହେବ। ଏତିକି କହି ଏକ ସ୍ଵ-ଲିଖିତ ଇଚ୍ଛାପତ୍ର ଦେଖାଇଲି। ଅବଶ୍ୟ ସେମାନେ ବୋଉକୁ ଗାଁ କୁ ପଠାଇବା ପାଇଁ ସହଯୋଗ କଲେ। ମିତା ବି କହିଲା ,” ଶୁଣ ,” ବୋଉଙ୍କ କାମରେ ଯେମିତି କିଛି ଊଣା ନ ହୁଏ। ଯାହା ଟଙ୍କା ଖର୍ଚ୍ଚ ହେବା କଥା ହେଉ। ହେଲେ ଆମ ମାନ ସମ୍ମାନ ଯେମିତି ତଳେ ନ ଖସେ। “

ଗାଁ ରେ ବୋଉର କାମ ବହୁ ଆଡମ୍ବରରେ କଲି। ଖାଇବା, ପିଇବା , କୋଉଥିରେ ଊଣା ହେଲାନି। କିଛି ଲୋକ କଥା ହେବାର ମଧ୍ୟ ଶୁଣିଲି , “ ପୁଅ ହେବ ତ ଏମିତି। ମା କୁ ନେଇ ସହରରେ ରଖିଲା । ମା ଅନ୍ତେ ଗାଁ କୁ ବି ଭୁଲିଲାନି । କେତେ ଟଙ୍କା ପାଣି ପରି ବୁହେଇ ଦେଲା। ଧନ୍ୟ ତା ପୁଅ ପଣିଆକୁ। ଏଇ ଗାଁ ରେ ଯୋଉ ସବୁ ଘୋଡା ମୁହାଁ ପୁଅ ବୁଲୁଛନ୍ତି , କୁଳାଙ୍ଗାରାଗୁଡାକ ତ ।“

ହଠାତ୍ ଦଲକାଏ ପବନ ମୋ ବାଲକୋନୀ ଭିତରକୁ ବେପରୁଆ ଭାବେ ଗୋଟାଏ ଝାମ୍ପରେ ପଶି ଆସିଲା। ମୁଁ ଚମକି ପଡି ଛାତିରେ ଛେପ ପକେଇଲା ବେଳକୁ ଆଖିରେ ପୋକଟେ ମାଡ ହୋଇଗଲା। ଟି ପୟ ଉପରେ ବିଅର ଗରମ ହୋଇ ଯାଇଥିଲା, ଆଉ ମୋ ମସ୍ତିଷ୍କର ତନ୍ତୁ ମାନେ ଶୀତଳ । ଦୂର ଆକାଶର ଜହ୍ନଟା କାଇଁ ମଉଳି ଗଲା ଭଳି ଦେଖା ଯାଉଥିଲା। ଏହି ସମୟରେ ମୋ ବିବେକ କୁଳାଙ୍ଗାରର ସଂଜ୍ଞା ନିରୂପଣ କରୁଥିଲା।

ନିର୍ମଳ କୁମାର ଦଳାଇ

ସହକାରୀ ଶିକ୍ଷକ,

ରଇପୁର ଉଚ୍ଚ ବିଦ୍ୟାଳୟ , ରଇପୁର

ଜିଲ୍ଲା : ଯାଜପୁର

ମୋବାଇଲ ନମ୍ବର :- ୯୦୯୦୦୬୯୩୫୦


Rate this content
Log in

More oriya story from Nirmal Kumar

Similar oriya story from Tragedy