Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଭଉଣୀ ଘର
ଭଉଣୀ ଘର
★★★★★

© Lopamudra Mishra

Drama Tragedy

9 Minutes   7.5K    20


Content Ranking

ଲୋପାମୁଦ୍ରା ମିଶ୍ର

କଲିଙ୍ଗ ବେଲ ର ଟିଂ ଟିଂ ଶବ୍ଦରେ ସୁରୁଚିଙ୍କର ଖରାବେଳର ଛାଇନିଦଟା ଭାଙ୍ଗିଗଲା l ମେନ ଡୋର ପାଖକୁ ଯାଇ ଦେଖିଲେ ହାଉସ ମେଡ ସୁନିତା କବାଟ ଖୋଲି ଆଗନ୍ତୁକଙ୍କ ପରିଚୟ ମାଗୁଛି l ସୁରୁଚି ପାଖକୁ ଯାଇ ଦେଖିଲେ ଦ୍ୱାର ସେପଟେ ତାଙ୍କ ମାଉସୀଙ୍କ ପୁଅ ରମେଶ ଭାଇ ଠିଆ ହୋଇଛନ୍ତି l ରମେଶ ଭାଇଙ୍କ ହାତରେ ଦୁଇଟି ଝୁଲା ବ୍ୟାଗ l ସୁରୁଚି ଖୁବ ଖୁସି ହୋଇ ଭାଇଙ୍କୁ ଭିତରକୁ ପାଛୋଟି ଆଣିଲେ l ହାତ ଧରି ଟାଣି ଟାଣି ଆଣି ଡ୍ରଇଂ ରୁମ ର ସୋଫା ଉପରେ ବସେଇଲେ l

" ଭାଇ !କେମିତି ହଠାତ ଚାଲିଆସିଲ? ଫୋନ କଲନାହିଁ, ମୁଁ ଗାଡି ପଠେଇ ଦେଇଥାନ୍ତି ବସ ଷ୍ଟାଣ୍ଡକୁ l " ସୁରୁଚି ବସୁ ବସୁ କହିପକେଇଲେ l

"ଆରେ ଟୁନୁ ବୁନୁ ମୋ ମୋବାଇଲ ଫୋନ ଟାରେ ଖେଳୁ ଖେଳୁ କଣ କରିଦେଇଛନ୍ତି ଯେ ଚାରି ପାଞ୍ଚ ଦିନ ହେଲାଣି ମୋ ଫୋନ ଖରାପ l ଆଉ ତତେ ଜଣେଇବି କଣ? ", ଉତ୍ତର ଦେଲେ ରମେଶ l

ସୁରୁଚି ରମେଶଙ୍କ ପାଇଁ କୋଲ୍ଡଡ୍ରିଙ୍କ ଆଣି ଥୋଇଲେ l ନିଜେ ଗୋଟେ ଗ୍ଲାସ ହାତରେ ଧରି କହିଲେ, "ଭାଇ ଏକା ଆସିଲ l ଭାଉଜ ଆଉ ପିଲାଙ୍କୁ ସାଙ୍ଗରେ ଆଣି ଆସିଲନାହିଁ କାହିଁକି? "

"ଭାଉଜ କଣ ଘର ଛାଡ଼ି ଆସିପାରିବ? ଗାଈ ଗୋରୁ ଦୁନିଆଁ ଧନ୍ଦା l ଟୁନୁ ଆଉ ବୁନୁ ଆସିବାକୁ ଜିଦ୍ଦି କରୁଥିଲେ ଯେ ହେଲେ ମୁଁ ତ ପ୍ରଥମ ଥର ପାଇଁ ଆସିଛି ତାଙ୍କୁ ଆଣିଲେ କାଳେ ହଇରାଣ ହେବି ଆଉ ଆଣିଲି ନାହିଁ l" କହିସାରି ରମେଶ ଥଣ୍ଡାପାନୀୟ ଗ୍ଲାସ ଟି ପିଇ ଶେଷ କରିଦେଲେ l

ସୁରୁଚି ରମେଶଙ୍କୁ ମୁହଁ ହାତ ଧୋଇ ଆସିବା ପାଇଁ ବାଥରୁମକୁ ରାସ୍ତା ଦେଖେଇଲେ l

ସୁରୁଚିଙ୍କ ବିଶାଳ ଭବ୍ୟ ପ୍ରାସାଦ, ଦାମୀ ଚକଚକିଆ ଅସବାବ ପତ୍ର, ବିଳାସ ପୂର୍ଣ୍ଣ ଗାଡି ଏସବୁ ଦେଖି ରମେଶ ଚକିତ ହେଇଯାଉଥାନ୍ତି l ସୁରୁଚିଙ୍କ ଚାକର ପୂଜାରୀଙ୍କ ଲୁଗା ପଟା ଠାରୁ ମଧ୍ୟ ତାଙ୍କ ନିଜର ସାର୍ଟ ପ୍ୟାଣ୍ଟ ମସିହା କୋତରା ଦିଶୁଥିବାରୁ ରମେଶଙ୍କୁ ଭାରି ଗୋଟେ ଅଡୁଆ ଅଡୁଆ ଲାଗୁଥାଏ l " ଛି.. କଣ ଭାବୁଥିବେ ଏମାନେ? ମାଲିକାଣୀଙ୍କ ଭାଇ ଏମିତି ମଳିମୁଣ୍ଡିଆ ", ରମେଶ ମନେ ମନେ ଭାବି ଲଜ୍ଜ୍ୟାରେ ସାଙ୍କୁଡ଼ି ଯାଉଥାନ୍ତି l ସାଙ୍ଗରେ ଆଣିଥିବା ବ୍ୟାଗ ଦୁଇଟା ଲୁଚେଇ ଦେଉଥିଲେ l ସୁରୁଚି ଦେଖି ପକେଇ ଛଡେଇନେଲେ l "ଦେଖି ଦେଖି ଭାଉଜ କଣ ମୋ ପାଇଁ ପଠେଇଛନ୍ତି ! ଆରେ ବଡି, ବିରି, ମାଉସୀଙ୍କ ଘର ବାଡ଼ି ନଡ଼ିଆ,ଆଉ ଏଇଟା କଣ? ଉଁ ଉଁ କି ବାସ୍ନା କାକରା !!ଭାଉଜ ନିଜେ ବନେଇଛନ୍ତି ନାଁ? ବହୁତ ବଢିଆ l " ସୁରୁଚି ଖୁସି ହୋଇ ବ୍ୟାଗ ଦୁଇଟିକୁ ଅଣ୍ଡାଳି ପକେଇ ଭିତରକୁ ନେଇ ପଳେଇଲେ l

ଏଇ ସୁରୁଚି, ନାଁ ନାଁ ତାଙ୍କ ମାଉସୀ ଝିଅ ଭଉଣୀ 'ଶାରୀ ', ଦିନେ ତାଙ୍କରି ଭଙ୍ଗା ଚାଳଘରେ ରହି ଦଶମ ଶ୍ରେଣୀ ଯାଏଁ ପାଠ ଶେଷ କରିଥିଲା l ସୁରୁଚିଙ୍କ ଘର ପାଖେ କୌଣସି ଭଲ ହାଇ ସ୍କୁଲ ନଥିବାରୁ ବହୁତ ଦୂରକୁ ନଦୀ ପାର କରି ତାଙ୍କୁ ପାଠ ପଢିବାକୁ ଯିବାକୁ ପଡୁଥିଲା l କିନ୍ତୁ ରମେଶଙ୍କ ଘରଠୁ ମାତ୍ର ଗୋଟେ କିଲୋମିଟର ଦୂରରେ ଥିଲା ସୁନାମଧନ୍ୟ ସ୍କୁଲ, ମହତାବ ଉଚ୍ଚବିଦ୍ୟାଳୟ l ଖୁବ ନାଁ ସ୍କୁଲ ଟିର l ପ୍ରତି ବର୍ଷ ଦଶମ ଶ୍ରେଣୀରେ ତିରିଶ ଚାଳିଶ ପିଲା ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ ହୁଅନ୍ତି ସ୍କୁଲଟିରୁ l ସେ ସମୟରେ ମହତାବର ସମସ୍ତ ଶିକ୍ଷକମାନେ ମଧ୍ୟ ପାଠ ପଢେଇବାରେ ବହୁତ ଦକ୍ଷ ଓ ଅଭିଜ୍ଞ ଥିଲେ l ସେଥିପାଇଁ ପାଠରେ ଖୁବ ଆଗୁଆ ଥିବା ଶାରୀକୁ ମଉସା ଆଣି ରମେଶଙ୍କ ଘରେ ଛାଡିଥିଲେ ମହତାବ ହାଇସ୍କୁଲରେ ନାମ ଲେଖେଇ ପଢେଇବା ପାଇଁ l

ରମେଶଙ୍କ ଦୁଇ ବଡ ଭଉଣୀ ରମା ନାନୀ ଓ ବୀଣା ନାନୀଙ୍କ ସହ ମିଶିଯାଇ ଏ ଶାରୀ ଖୁବ ଚିଡ଼ାଏ ରମେଶଙ୍କୁ l କେତେ ରାଗରୁଷା, ଖେଳକୁଦ, ମାଡ଼ଗୋଳ ଓ ସ୍ନେହଁ ଶ୍ରଦ୍ଧା ଭିତରେ ଦିନଗୁଡିକ କେମିତି ବେଗି ବେଗି ସରିଗଲା ଯେ ଜଣା ବି ପଡ଼ିଲାନାହିଁ l ଶାରୀ ମାଟ୍ରିକ ପରୀକ୍ଷା ପ୍ରଥମ ଶ୍ରେଣୀରେ ପାସ କରି ରମେଶଙ୍କ ଘର ଛାଡ଼ି ଚାଲିଗଲା ସହରର ବଡ କଲେଜର ହଷ୍ଟେଲରେ ରହି ପଢିବାପାଇଁ l କେତେବେଳେ କେମିତି ପୂଜା ପାର୍ବଣରେ ମାଉସୀ ଘରକୁ ଚାଲିଆସେ ବୁଲିବାକୁ l କିନ୍ତୁ ପଢାସାରି ଯେବେ ବାହା ହୋଇ ସ୍ୱାମୀଙ୍କ ସହ ସୁଦୂର ଆମେରିକା ଚାଲିଗଲା ସେବେଠୁ ଶାରୀକୁ ଦେଖିବା ସାତ ସପନ ହେଇଯାଇଥିଲା l ଏହି ଦୁଇମାସ ତଳେ ରମେଶଙ୍କ ମାମୁଁଙ୍କ ଶୁଦ୍ଧି କାମକୁ ଶାରୀ ଓ ତା ସ୍ୱାମୀ ପରେଶ ବାବୁଙ୍କୁ ନିମନ୍ତ୍ରଣ କରାଯାଇଥିଲା l ସେଇଠି ରମେଶ ଅନେକ ଦିନ ପରେ ତାକୁ ଭେଟିଲେ l କେତେ ବଦଳି ଯାଇଛି ତାଙ୍କ ପୁରୁଣ ଶାରୀ ଟା !! ସେବେ ଯାଇ ଜାଣିଲେ ସେମାନେ ବର୍ଷେ ହେବ ଆମେରିକାରୁ ଆସି ଭୁବନେଶ୍ୱରରେ ରହିଲେଣି l ନିଜର ଘର ମଧ୍ୟ କରିସାରିଛନ୍ତି l ପରେଶ ବାବୁ ଇଞ୍ଜିନିଅର ଚାକିରୀ ଛାଡ଼ି ନିଜର ଗୋଟେ କମ୍ପାନୀ ଖୋଲିଛନ୍ତି l ଖୁବ ଗୋଟେ ବଡ କଣ ବ୍ୟବସାୟ କରୁଛନ୍ତି l ଶାରୀି ନିଜର ଠିକଣା ଓ ଫୋନ ନମ୍ବର ଦେଇ ବାର ବାର କି ରମେଶଙ୍କୁ କହିଆସିଥିଲା ଯେମିତି ହେଲେ ତାଙ୍କ ପାଖକୁ ଆସିବା ପାଇଁ l

ପୁରୁଣା ଦିନ ଓ ପୁରୁଣା କଥାଗୁଡ଼ା ଭାବି ରମେଶ ଅନ୍ୟମନସ୍କ ହୋଇଯାଉଥିବା ବେଳେ ସୁରୁଚି ଆସି କହିଲେ, "ଭାଈ ! ବସ ଜର୍ଣ୍ଣି କରି ଆସି ତୁମ ସାର୍ଟ ପ୍ୟାଣ୍ଟ ସବୁ ଅସନା ହୋଇଯାଇଛି l ଏହିଟା ନିଅ ଆଉ ବଦଳେଇକରି ତୁମ ପ୍ୟାଣ୍ଟ ସାର୍ଟ ଦିଅ ମୁଁ ସଫା କରିଦିଏ l "

ସୁରୁଚି ରମେଶ ଙ୍କୁ ଗେଷ୍ଟ ରୁମ ଦେଖେଇଦେଲେ l ସେ ଆସ୍ତେ କରି ଯାଇ ପାଲଟା ପାଲଟି କରି ବସିଲେ l ସମୟ ଦିନ ଦୁଇଟା ବାଜି ପନ୍ଦର ମିନିଟ l ପରେଶ ବାବୁ କି ଶାରୀଙ୍କ ପୁଅ କେହି ଫେରିନାହାଁନ୍ତି ବୋଧେ l ସେମାନେ ଆସିଲେ ରମେଶ ଙ୍କୁ ଏଠି ଦେଖି କଣ ଭାବିବେ? କାହିଁକି ଆସୁଥିଲେ ସେ ଏତେ ବଡଲୋକ ର ଘରକୁ କୁଣିଆଁ ହୋଇ? ଏହିସବୁ କଥା ବସି ଭାବୁଛନ୍ତି କାମବାଲୀ ସୁନିତା ଆସି ଡାକିଲା, "ବାବୁ ! ବଢ଼ା ବଢ଼ି ସରିଲାଣି l ମାଆ ଡାକୁଛନ୍ତି ଡ଼ାଇନିଙ୍ଗ କୁ ଆସନ୍ତୁ l"

ଟେବୁଲ ରେ ନାନା ରକମ ର ସ୍ୱାଦିଷ୍ଟ ବ୍ୟଞ୍ଜନ ବଢ଼ା ହୋଇ ରହିଛି l ଖାଦ୍ୟ ରୁ ଏତେ ସୁନ୍ଦର ବାସ୍ନା ବାହାରୁଛି ଯେ ସକାଳୁ ଭୋକିଲା ଥିବା ରମେଶ ଙ୍କ ଭୋକ ଦୁଇଗୁଣା ବଢ଼ିଯାଉଛି l ସେ କିନ୍ତୁ ଆଗ ଭଳି ସୁରୁଚି ଙ୍କୁ କହିପାରୁନାହଁନ୍ତି, "ଏ ଶାରୀ !ଜଲଦି ବାଢ଼ିଲୁ ! ବହୁତ ଭୋକ ଲାଗୁଛି "l

ରମେଶ ଡ଼ାଇନିଙ୍ଗ ରେ ଚୁପ ଚାପ ବସିଛନ୍ତି l ସାରି ପ୍ଲେଟ ରେ ବାଢୁଛନ୍ତି l ରମେଶ ପଚାରିଲେ, " ପୁଅ ଆଉ ପରେଶ ବାବୁ? "

ଶାରୀ ତରକାରୀ ଗିନା ଟା ଥୋଉ ଥୋଉ କହିଲେ, "ସେମାନଙ୍କର ଲେଟ ହେବ l ତୁମେ ଖାଇନିଅ l ମୁଁ ପା ସେମାନଙ୍କୁ ଅପେକ୍ଷା କରେନି l ତୁମେ ଆସିବା ଆଗରୁ ଖାଇକି ଶୋଇଥିଲି l "

ରମେଶ ଗୋଟେ ଥର ଖାଇବା ପାଟିକୁ ନେଇଛନ୍ତି, "ଓହଃ.. କି ସୁନ୍ଦର ସ୍ୱାଦ..ପିଲା ଦୁଇଟା ସାଙ୍ଗରେ ଆସିବାକୁ ଚାଁହୁଥିଲେ l ନେଇଆସିଥିଲେ କେତେ ଖୁସି ହେଇ ଖାଇଥାନ୍ତେ l ମୁଁ କଣ ବା ଦେଇପାରୁଛି ତାଙ୍କୁ "l ପିଲାଙ୍କ କଥା ଭାବି ଦ୍ୱିତୀୟ ଥର ପାଟିକୁ ନେଇଥିବା ହାତ ଟା ତାଙ୍କର ଅଟକି ଗଲା l

"ଭାଈ !ଭଲ ଲାଗୁନି କି? ଆଉ କିଛି ଦେଵି ? ",ଶାରୀ ପଚାରିଲେ l

"ନାଇଁ ରେ ସବୁ ବହୁତ ଭଲ ହେଇଛି l ତୁ ବସ ଏଇଠି l "

ଶାରୀ କହୁଥିଲେ, "ଭାଇ !ମନେ ଅଛି?ପିଲାବେଳେ ମାଉସୀ ରାନ୍ଧିଥିବା ମାଛଆଳୁ ଝୋଳରୁ ମତେ ଗୋଟେ କି ଦୁଇଟା ଅଧିକା ଆଳୁ ଦେଇଦେଲେ ତୁମେ କେମିତି ମୋ ଠୁ ଛଡେଇ ନେଉଥିଲ "l କହିସାରି ସୁରୁଚି ଖିଲ ଖିଲ ହେଇ ହସିଦେଲେ l ସେହି ପୁରୁଣା ହସ l ରମେଶଙ୍କୁ ଲାଗିଲା ଦିନଗୁଡାକ ଯେମିତି କୁଆଡେ ଯାଇନାହିଁ l ତାଙ୍କରି ମାନଙ୍କ ମନତଳେ ସ୍ମୃତି ହୋଇ ଲୁଚି ରହିଛି l ମନଖୋଲି ଗପିଦେଲେ ସେହି ସବୁସମୟ ପୁଣି ଛାତି ତଳୁ ବାହାରିଆସି ଚାରିପଟେ ଘୁରିବୁଲିବ l

ରମେଶ ଖାଇସାରି ଗଡ଼ପଡ଼ ହେଉଛନ୍ତି ପରେଶ ବାବୁ ଓ ସୁରୁଚି ଙ୍କ ଏକମାତ୍ର ପୁଅ ସିପୁନ ଦୁହେଁ ଯାକ ଆସିଲେ l ସିପୁନ ଭୁବନେଶ୍ୱର IIT ରେ ବି.ଟେକ ତୃତୀୟ ସେମିଷ୍ଟାରର ଛାତ୍ର l ଶାରୀ ପୁଅକୁ କହିଲେ, "ମାମୁଁ ଆସିଛନ୍ତି ଯା ପ୍ରାଣମ କରିଆସିବୁ "l

ସିପୁନ ରମେଶ ଙ୍କୁ ଟିକେ ଅବୁଝା ଆଖିରେ ଅନେଇ ମୁଣ୍ଡ ନୁଆଇଁ ତାଙ୍କ ପାଦ ଛୁଇଁ ପ୍ରଣାମ କଲା l ରମେଶ ତା ମୁଣ୍ଡରେ ହାତ ରଖି ଆଶୀର୍ବାଦ କଲେ l

ସନ୍ଧ୍ୟାରେ ରମେଶ ଆଉ ପରେଶ ବାବୁ ଡ୍ରଇଂ ରୁମରେ ବସି ଚା ପିଉଛନ୍ତି l ସୁରୁଚି ଆସି ସେମାନଙ୍କ ସହ ଯୋଗ ଦେଲେ l ରମେଶ ଏଯାଏଁ ଭଉଣୀ ଜ୍ୱାଇଁଙ୍କ ସହ ଭଲରେ କଥା ହୋଇନାହାଁନ୍ତି l କଣ ବା କଥା ହେବେ? କେଡେ ବଡ ଲୋକ ସିଏ ! ଆମେରିକାରେ ରହି କେତେ ନାଁ କରିଛନ୍ତି ! ଏ ଛାର ମଳିମୁଣ୍ଡିଆ ଗାଉଁଲୀ ଚାଷୀକୁ ସେ କାହିଁକି ପାସଙ୍ଗରେ ପକେଇବେ? ରମେଶଙ୍କୁ ବଡ ଅସହଜ ଲଗୁଥାଏ l ଶାରୀ ଆସିଯିବାରୁ ଟିକେ ସହଜ ଅନୁଭବ କଲେ l

"ଭାଇ ୟାଙ୍କୁ ମୋ ନଦୀ ପହଁରା କଥା ଟିକେ କହିଲ l ୟାଙ୍କର ମୋ କଥାରେ ବିଶ୍ୱାସ ହୁଏନି l ସ୍ବୀମିଙ୍ଗ ପୁଲ କୁ ଛାଡ଼ନ୍ତିନି ମତେ l ଆଉ ଆମେ ଯେଉଁ ଖରାବେଳେ ନଶୋଇ ତୋଟା ରେ ଗଛ ଚଢି ଆମ୍ବ ଝଡ଼ାନ୍ତି !ଆହାଃ.. କି ସୁନ୍ଦର ଦିନଗୁଡା ଥିଲା ସତରେ !! ଏଇ ଯେମିତି କାଲି ର କଥା ପରି ଲାଗୁଛି l କିନ୍ତୁ ଆଜି ଦେଖ ଆମ ପୁଅ ଝିଅ ମାନେ କେତେ ବଡ ବଡ ହେଇଗଲେଣି ", ଏତକ କହୁ କହୁ ସୁରୁଚି ଙ୍କର ଆଉ କଣ ମନେପଡ଼ିଗଲା ପରି ସେହିକଥା ସେତିକି ରେ ରଖି ପୁଣି କହିଲେ, "ଭାଈ ! କହୁଥିଲ ପା ଝିଲି ର ବାହାଘର ଖୋଜା ଚାଲିଛି? କୋଉଠି ଠିକ ହେଲା କି? "

"ହଁ ରେ l ବୃନ୍ଦାବନ ପୁରର ରାଘବ ସ୍ୱାଇଁଙ୍କ ବଡ ପୁଅ ସହ ଝିଲିର ବାହାଘର କଥା ଫାଇନାଲ ହେଇଛି l ପିଲାଟି ଭଲ ଗୁଣର l ମୁଗୁପଦା ହାଇ ସ୍କୁଲରେ ଖେଳ ଶିକ୍ଷକ ଅଛି l ଲୋକେ କହିଲେ, "କଥା ଆଗାଅ ପିଲାର କିଛି ମନ୍ଦ ଅଭ୍ୟାସ ନାହିଁ" l ପୁଅଘର କିନ୍ତୁ ଟିକେ ଜଲଦି କରିବାକୁ କହୁଛନ୍ତି l ଏହି ଜୁନ ଦଶକୁ ପା ଠିକ ହେଲା l କାର୍ଡ ତ ଛପା ହେଇନି l ମୁଁ ଭାବିଲି ତତେ ଟିକେ ଆଗୁଆ ଜଣେଇଦେବି l ପରେଶ ବାବୁଙ୍କର ତ ଅନେକ କାମ ରହୁଥିବ l ଆଗୁଆ କହିଲେ ବାହାଘର ପାଇଁ ଟିକେ ସମୟ ବାହାର କରିପାରିବେ l " ରମେଶ ଭଉଣୀ ଜ୍ୱାଇଁଙ୍କ ଆଡକୁ ଟିକେ ଅନୁରୋଧ କଲା ପରି ଅନେଇ ଏତକ କଥା କହିଦେଲେ l

"ଏତେ ଶୀଘ୍ର? ଆଉ ତ ମାସେ ଖଣ୍ଡ ରହିଲା ବୋଧେ l ଭାଇ ଟଙ୍କା ପଇସା ସବୁ ଯୋଗାଡ଼ କଲଣି କି ନାହିଁ?", ସୁରୁଚି ପଚାରିଲେ l

" ହଁ ଯୋଗାଡ଼ ଚାଲିଛି l ଭାବୁଛି ସେ ଯେଉଁ ଗଡ଼ଢିଅରେ ଖାଲୁଆ ଜମିଟା ଅଛି ତାକୁ ବିକିଦେଇ ବାହାଘର କାମଟା ଚଳେଇ ଦେବି l" ରମେଶ ପୁଣି ଟିକେ ଅଟକି ଯାଇ ନିଜ ମୁଣ୍ଡର ବାଳକୁ ବାମ ହାତରେ ସାଉଁଳାଉ ସାଉଁଳାଉ କହିଲେ, " ଆଉ...ହଁ ତୁମେମାନେ କିନ୍ତୁ ବାହାଘର ଦିନେ ଦୁଇଦିନ ଆଗରୁ ନିଶ୍ଚୟ ଆସିବ " l ରମେଶ ଆଉ କିଛି ଅଲଗା କଥା ବୋଧେ କହିବାକୁ ଚାଁହୁଥିଲେ l ତାଙ୍କ ହାବ ଭାବରୁ ହିଁ ସେମିତି ଜଣା ପଡୁଥିଲା l

ପରେଶ ବାବୁ ଏଥର ମୁହଁ ଖୋଲିଲେ, "ହଁ ଆପଣ ଚିନ୍ତା କରନ୍ତୁନି l ଟାଇମ ବାହାର କରି ଆମେ ଯିବୁ l ମୁଁ ଯଦି ବି କୌଣସି କାମରେ ଅଟକି ଯାଇ ନଯାଇ ପାରେ, ଆପଣଙ୍କ ଭଉଣୀ କିନ୍ତୁ ନିଶ୍ଚୟ ଯିବେ " l କଥା ଶେଷ ନକରୁଣୁ ପରେଶ ବାବୁଙ୍କର ଫୋନ ଆସିବାରୁ ସେ ସେଠୁ ଉଠି ଚାଲିଗଲେ l

ରାତ୍ରୀ ଭୋଜନ ସମୟରେ ରମେଶ ସୁରୁଚିଙ୍କୁ ଜଣାଇ ଦେଲେ ଯେ ଘରେ ତାଙ୍କର ବହୁତ କାମ ଅଛି କାଲି ସକାଳୁ ହିଁ ତାଙ୍କୁ ବାହାରିଯିବାକୁ ପଡିବ l ସେ ପୁଣି ନିମନ୍ତ୍ରଣ କାର୍ଡ ଧରି ଆଉ ଦିନେ ଆସିବେ ବୋଲି କହିଲେ l

ସକାଳୁ ସକାଳୁ ରମେଶ ସୁରୁଚି ଓ ପରେଶ ବାବୁଙ୍କ ଠାରୁ ବିଦାୟ ନେଇ ସ୍ୱଗୃହାଭିମୁଖେ ବାହାରିଲେ l ପରେଶ ବାବୁ ଡ୍ରାଇଭରକୁ ନିର୍ଦେଶ ଦେଲେ ରମେଶଙ୍କୁ ବସ ଷ୍ଟାଣ୍ଡରେ ନେଇ ଛାଡ଼ି ଆସିବା ପାଇଁ l ଶାରୀ ଭାଇଙ୍କୁ ପ୍ରଣାମ କଲେ l ପରେଶ ବାବୁ ମଧ୍ୟ ହାତ ଯୋଡି ପ୍ରଣାମ ଜଣେଇଲେ l

ଶାରୀ ଗେଟ ପାଖରୁ ଭାଇଙ୍କୁ ବିଦାୟ ଦେଇ ଘର ଭିତରକୁ ପ୍ରବେଶ କରୁଛନ୍ତି ସୁନିତା ଆସି କହିଲା, "ମାଆ ସେଇ ଯେଉଁ ବାବୁଙ୍କ ସାର୍ଟ ପ୍ୟାଣ୍ଟ ଦେଇଥିଲେ ମତେ ସଫା କରିଦେବା ପାଇଁ, ତାଙ୍କ ସାର୍ଟ ପକେଟରେ ଏଇ କାଗଜଟା ଥିଲା l ମୁଁ ଭୁଲି ଯାଇଥିଲି ଦେବାକୁ l "

" ଆରେ ସେ ତ ଏବେ ପଳେଇଲେ l ଟିକେ ଆଗରୁ ମନେପକେଇ ପାରିଲୁନି? ଦେଲୁ ଦେଲୁ ସେ କାଗଜ ଟା l"

ସୁରୁଚି କାଗଜଟିକୁ ଖୋଲି ପକେଇଲେ l" ଏଟା ତ କଣ ଗୋଟେ ଚିଠି ପରି ଲାଗୁଛି " l ସେ ପଢିବା ଆରମ୍ଭ କରିଦେଲେ -

" ଏଇ ! ତୁମେ ମୋବାଇଲଟା ତ ଖରାପ କରି ପକେଇଦେଇ ଯାଇଛ l ସେଥିପାଇଁ ଦୁଇଧାଡି ଲେଖି ତୁମ ପକେଟରେ ରଖୁଛି l ମୁଁ ଜାଣିଛି ବସରୁ ଓଲ୍ହେଇ ପଇସା କାଢିଲା ବେଳେ ତୁମେ ନିଶ୍ଚୟ ପକେଟରେ ହାତ ପୁରେଇ କାଗଜଟା ପାଇବ l ତୁମେ ତ ଭୁଲା ଲୋକ l ସବୁ ଭୁଲିଯିବ l ଶୁଣ! ମନେକରି ଶାରୀଙ୍କୁ ଆମ ଦୁଃଖ କଥା ଜଣେଇବ l ତାଙ୍କୁ ଝିଲି ବାହାଘରକୁ ନିମନ୍ତ୍ରଣ କଲାବେଳେ ଅଳ୍ପ କିଛି ସାହାଯ୍ୟ କରିବା ପାଇଁ କହିବ l ସେ ନିଶ୍ଚୟ ବୁଝିବେ ଯେ ଜମିଟା ମାସେ ଭିତରେ ବିକ୍ରି ହେଇପାରୁନି ଓ ବିକ୍ରି ହେଇ ପଇସା ଆସିଗଲେ ତାଙ୍କ ଟଙ୍କା ଆମେ ଆଗ ଫେରେଇଦେବୁ l ଆଉ ମୁଁ ଯେଉଁ ଶାଢ଼ୀଟା ତାଙ୍କ ପାଇଁ ଦେଇଛି ସେଇଟି ତାଙ୍କୁ ମନେ କରି ଦେବ l

ଆଉ ଆସିଲା ବେଳକୁ ବୁନୁର ହଳେ ଚପଲ ଆଣିବ l ବିଚରା ଖାଲିପାଦରେ ମାସେ ହେଲା ସ୍କୁଲ ଯାଉଛି l ଟୁନୁର ଖଣ୍ଡେ ସୂତା ସାର୍ଟ ଆଣିବ l କୁଆଡେ ଯିବା ଆସିବା ପାଇଁ ସାର୍ଟ ଖଣ୍ଡେ ନାହିଁ ତାର l ସେହି ସ୍କୁଲ ସାର୍ଟକୁ ପିନ୍ଧି ସବୁଆଡେ ଯାଉଛି l ଭୁଲିବନି l ବୁଝିଲ? ହଉ ମୁଁ ରହୁଛି l ପୁଣି ଭାବିବ ଫୋନ ନେଇନାହଁ ବୋଲି ଚିଠି ଲେଖି ମୁଁ ବିରକ୍ତ କରୁଛି l ହେଇ !ଆଉ ଥରେ କହୁଛି ଶାରୀଙ୍କୁ ସବୁ କହିବ l "

ଶାରୀ ଚିଠିଟି ପଢୁ ପଢୁ ଲୁହ ଛଳ ଛଳ ହୋଇଗଲେ l ଚିଠିଟି ଧରି ଅନ୍ୟମନସ୍କ ହୋଇ ଭାବୁଛନ୍ତି, "ଭାଇ !ତୁମେ ମତେ ଏସବୁ କହିବାକୁ ସତରେ ଭୁଲିଯାଇଥିଲା ନାଁ ତୁମ ସାନ ଭଉଣୀଟିକୁ ବହୁତ ପର ଭାବୁଥିଲ ? ଭଉଣୀ କେବେ ପର ହେଇଯାଏନି ଭାଇ l ତାକୁ ତୁମେ ମାନେ ପରଘରକୁ ପଠେଇ ଦିଅ l ବାପଘର ପ୍ରିୟଜନ ମାନଙ୍କୁ ପଛରେ ଛାଡ଼ି ଯେଉଁଘରଟାକୁ ସେ ଚାଲିଆସେ ସେ ବି ତାର ନିଜର ହୋଇପାରେନାହିଁ l ସେମାନେ ମଧ୍ୟ ତାକୁ ପରଘର ଝିଅ କହନ୍ତି l ସତ କହିବାକୁ ଗଲେ ଭାଇ,ଭଉଣୀଘର ବୋଲି କିଛି ନଥାଏ l ଭଉଣୀର ନିଜର ଘରଟେ କାହିଁ? ଝିଅର ଶାଶୁଘରଟାକୁ ଲୋକେ ଭୁଲରେ ଝିଅଘର କିମ୍ବା ଭଉଣୀଘର କହନ୍ତି l ପ୍ରକୃତରେ ସେହିଟା ହୋଇଥାଏ ଜ୍ୱାଇଁଙ୍କ ଘର l ଆମ ସମାଜରେ ଝିଅଟିର ନିଜର ବୋଲି କହିବାକୁ ଘରଟେ ସତରେ କୋଉଠି ନଥାଏ l ତାକୁ କେବଳ ମାତ୍ର ଗୋଟେ ଭ୍ରମରେ ରଖାଯାଇଥାଏ l ସେ କିନ୍ତୁ ସର୍ବଦା ପରାଧୀନ l ଭାଇ ! ତୁମ ଭଉଣୀ ମଧ୍ୟ ଅନ୍ୟର ଅଧୀନରେ ପରିଚାଳିତ l ସେ ବା ଆଉ କାହାକୁ ସ୍ୱଇଚ୍ଛାରେ କି ସାହାଯ୍ୟ କରିପାରିବ? "

ସୁରୁଚି ଆଖିରୁ ଲୁହ ପୋଛି ପୋଛି ଚିଠିଟିକୁ ଭାଙ୍ଗି ଭୁଙ୍ଗି ଧରିଛନ୍ତି ତାଙ୍କ କାମବାଲୀ ହାତରେ ଗୋଟେ ଧଳା ପଲିଥିନ ବ୍ୟାଗ ଆଣି ମାଲିକାଣୀଙ୍କୁ ବଢ଼େଇଲା, "ମାଆ ଏଇଟା ଶିଢ଼ି ତଳେ ଥୁଆ ହୋଇଥିଲା l ସେ ବାବୁ ସେଠି ଚପଲ ରଖୁଥିବା ବେଳେ ତାଙ୍କ ବ୍ୟାଗରୁ ବୋଧେ ଖସିପଡିଥିଲା କି କଣ l"

ଧଳା ଜରିଟି ଉପରେ ନାଲି ଅକ୍ଷରରେ ଲେଖାଯାଇଛି "ମହାଲକ୍ଷ୍ମୀ ବସ୍ତ୍ରାଳୟ, ମଙ୍ଗଳପୁର ବଜାର " l ଇଏ ତ ତାଙ୍କ ମାଉସୀ ଘର ଗାଁ ବଜାରର ନାଁ ! ଜରିଟିକୁ ଖୋଲିପକେଇ ଦେଖିଲେ ନୀଳ ରଙ୍ଗର ସୂତା ଶାଢ଼ୀରେ ସୁନେଲି ରଙ୍ଗର ଧଡ଼ି l ସେହି ଶସ୍ତା ଶାଢ଼ୀ ଖଣ୍ଡକ କାହିଁକି କେଜାଣି ତାଙ୍କୁ ଖୁବ ଆପଣାର ଲାଗିଲା l ଜରିରେ ଲେଖାଥିବା ନାଁ ଟିକୁ ସୁରୁଚି ବାରମ୍ବାର ପଢୁଥିଲେ ଓ ନିଜ କୈଶୋର ବେଳର ଚପଳାମୀକୁ ମନେପକାଇ ମନେ ମନେ କହୁଥିଲେ "ଭାଇ !ଭଉଣୀର ଘର ପର ହେଇପାରେ କିନ୍ତୁ ଭଉଣୀ ସବୁବେଳେ ଆପଣାର " ।

ଲୋପାମୁଦ୍ରା ମିଶ୍ର

ସୁରୁଚି ରମେଶ ଭଉଣୀର ଘର

Rate the content


Originality
Flow
Language
Cover design

Comments

Post

Some text some message..