ଓଡ଼ିଆ ଗଳ୍ପ ଓ କବିତା - ୧

Children Classics


2  

ଓଡ଼ିଆ ଗଳ୍ପ ଓ କବିତା - ୧

Children Classics


ଜହ୍ନମାମୁଁ -162

ଜହ୍ନମାମୁଁ -162

3 mins 7.7K 3 mins 7.7K

ବୀର ହନୁମାନ -୨

ସୁଗ୍ରୀବ କହିଲେ “ସେକଥା ତ ମୁଁ ମଧ୍ୟ ଭଲଭାବେ ଜାଣେ । ତେବେ ଦେଖ ଏ ଦୁଇଜଣ ମନୁଷ୍ୟ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଏ ଆଡକୁ ଆସୁଛନ୍ତି । ରାଜାମାନେ ନାନା ପ୍ରକାର ଚେଷ୍ଟା କରି ତାଙ୍କର ଶତ୍ରୁ ବଧ କରନ୍ତି । ଆମେମାନେ ସାବଧାନ ହେବା ଉଚିତ୍ । ପୁଣି ବାଳୀ ତ ବହୁତ ବୁଦ୍ଧିମାନ । ତୁମେ ବରଂ ଛଦ୍ମବେଶରେ ଯାଇ ସେମାନଙ୍କର ପରିଚୟ ଓ ଏହି ବନକୁ ଆସିବାର କାରଣ ପଚାରି ଆସ ।”

ସୁଗ୍ରୀବଙ୍କ କଥା ଅନୁସାରେ ହନୁମାନ ଏକ ବ୍ରାହ୍ମଣର ବେଶ ଧରି ରାମଲକ୍ଷ୍ମଣଙ୍କ ପାଖକୁ ଗଲେ । ତା’ପରେ ସେ ସେଠାରେ ପହଁଚି କହିଲେ, “ମହାଶୟ, ଆପଣ ଦୁଇଜଣ ତ ରାଜର୍ଷି ପରି ଲାଗୁଛନ୍ତି, ପୁଣି ଦେବତାଙ୍କ ପରି ମଧ୍ୟ ମନେ ହେଉଛନ୍ତି । ଆପଣମାନେ କିଏ? ଏହି ପମ୍ପା ସରୋବରର ତଟକୁ କାହିଁକି ବା ଆସିଛନ୍ତି? କିନ୍ତୁ ଆପଣଙ୍କ ଶରୀର ଗଠନ ଦେଖିଲେ ମନେହୁଏ ଆପଣମାନେ କ୍ଷତ୍ରିୟ ।”

ଲକ୍ଷ୍ମଣ କହିଲେ “ହଁ ଆପଣଙ୍କ ଅନୁମାନ ଠିକ୍; ଆମେ ଦୁଇଭାଇ ଅଯୋଧ୍ୟାର ମହାରାଜ ପୂଣ୍ୟାତ୍ମା ଦଶରଥଙ୍କ ଦୁଇ ପୁତ୍ର । ଇଏ ମୋର ବଡଭାଇ ଶ୍ରୀରାମ, ଆଉ ମୁଁ ତାଙ୍କ ଅନୁଜ ଲକ୍ଷ୍ମଣ । ପଂଚବଟୀ ବଣରୁ ମୋର ବଡଭାଇ ଶ୍ରୀରାମଙ୍କ ପତ୍ନୀ ମାତା ସୀତାଙ୍କୁ କେହି ଜଣେ ଛଳନା କରି ହରଣ କରି ନେଇଛି । ଆସିବା ରାସ୍ତାରେ ମାତା ଶବରୀ କହିଲେ ଯେ ଏ ବିଷୟରେ କେବଳ ମହାରାଜା ସୁଗ୍ରୀବହିଁ ଆମର ସହାୟତା କରିପାରିବେ । ସେଥିପାଇଁ ଆମେ ମହାରାଜ ସୁଗ୍ରୀବଙ୍କ ସଂଧାନରେ ଏଠାରେ ବୁଲୁଛୁ । ଆପଣ ଯଦି ପାରିବେ ସୁଗ୍ରୀବଙ୍କ ଘର ଟିକେ ଦେଖାଇ ଦିଅନ୍ତୁ ନହେଲେ ଅନ୍ତତଃ ତାଙ୍କର ବିଜ୍ଞମନ୍ତ୍ରୀ ହନୁମାନଙ୍କ ସହିତ ଆମର ଦେଖା କରାଇ ଦିଅନ୍ତୁ ।”

ଛଦ୍ମବେଶୀ ହନୁମାନ ହଠାତ୍ ନୀରବ ରହିଗଲେ । ତାଙ୍କର ମୁଖମଣ୍ଡଳ ଦିବ୍ୟ ଭକ୍ତିଭାବରେ ଉଜ୍ଜ୍ୱଳ ହୋଇ ଉଠିଲା । ଚକ୍ଷୁରେ ଦିବ୍ୟ ଆନନ୍ଦର ଅଶ୍ରୁ ଢଳ ଢଳ ହେଲା । ସେ ସବୁ ଭୁଲିଯାଇ ଶ୍ରୀରାମଙ୍କ ପାଦପଦ୍ମରେ ସାଷ୍ଟାଙ୍ଗ ପ୍ରଣିପାତ କଲେ ।

ଶ୍ରୀରାମ ଆଶ୍ଚର୍ଯ୍ୟ ହୋଇ କହିଲେ, “ଏ କ’ଣ ବ୍ରାହ୍ମଣ ମହାଶୟ? ଆମେ କ୍ଷତ୍ରିୟ, ଆମ ପାଦତଳେ ଆପଣଙ୍କ ପରି ଜଣେ ବେଦନିଷ୍ଠ ବ୍ରାହ୍ମଣ ପ୍ରଣାମ କରିବା ଦ୍ୱାରା ତ ଆମକୁ ପାପ ଲାଗିବ ।”

ହନୁମାନ କହିଲେ “ପ୍ରଭୁ, ସୁଗ୍ରୀବଙ୍କର ସନ୍ଦେହ ଓ ଭୟ ଯୋଗୁଁ ମୁଁ ଛଦ୍ମବେଶରେ ଆପଣମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ଆସିଥିଲି । ଆଜି ମୋର ଓ ରାଜା ସୁଗ୍ରୀବଙ୍କର ଅତି ଶୁଭଦିନ । ଏହି ଦିନଟି ପାଇଁ ମୁଁ ଯୁଗ ଯୁଗ ଧରି ପ୍ରତୀକ୍ଷା କରି ରହିଥିଲି । ଅହୋ ଭାଗ୍ୟ ପ୍ରଭୁ । ପ୍ରଭୁ ମୋର କେଉଁ ଅପରାଧ ଯୋଗୁଁ ମୋତେ ଆପଣ ଚିହ୍ନି ପାରିଲେ ନାହିଁ? ମୁଁ ଯେ ଆପଣଙ୍କର ଚିର ସେବକ ହନୁମାନ ।”

ଲକ୍ଷ୍ମଣ ଆଶ୍ଚର୍ଯ୍ୟ ହୋଇ କହିଲେ “ହନୁମାନ?”

ହନୁମାନ କହିଲେ “ହଁ, ମୁହିଁ ସେହି ହନୁମାନ ଯିଏ କି ବ୍ରହ୍ମାଙ୍କ ଆଜ୍ଞାରେ ପ୍ରଭୁଙ୍କର ପ୍ରତୀକ୍ଷା କରି ରହିଥିଲି । ମୋର ଆଜି ଇଷ୍ଟ ଦର୍ଶନ ହେଲା । ପ୍ରଭୁ, ଏବେ ମୁଁ ସିଧା ଋଷ୍ୟମୁକ ପର୍ବତ ଉପରକୁ ଆପଣ ଦୁହିଁଙ୍କୁ କାନ୍ଧ ଉପରେ ବସାଇ ଆକାଶ ମାର୍ଗରେ ଉଡିଯିବି । କାରଣ ଆମର ଏ ପାହାଡର ରାସ୍ତା ବଡ ଦୁରୁହ । ପାଦରେ ଚାଲି ଚାଲି ସେଠାରେ ପହଁଚିବାକୁ ବହୁତ କଷ୍ଟ ହେବ ଓ ଅନେକ ସମୟ ମଧ୍ୟ ଲାଗିବ । ଏଣୁ ଆସନ୍ତୁ ମୋ କାନ୍ଧ ଉପରେ ବିରାଜମାନ କରନ୍ତୁ ।”

ଲକ୍ଷ୍ମଣ ଅଳ୍ପ ହସି ପଚାରିଲେ “କିନ୍ତୁ ଏହା କିପରି ସମ୍ଭବ?”

“ଆମେମାନେ ଯୋଗସାଧନା ବଳରେ ଅଣିମାଲଘିମା ଆଦି ସିଦ୍ଧ କରିଛୁ । ଇଚ୍ଛାମତ ଶରୀରକୁ ଲଘୁ ବା ବିରାଟ କରିଦେଇ ପାରୁ ।” ଏତିକି କହି ହନୁମାନ ତାଙ୍କ ଶରୀରକୁ ବୃଦ୍ଧି କରାଇବାରେ ଲାଗିଲେ । ଦେଖୁ ଦେଖୁ ତାହା ଏକ ଛୋଟ ପର୍ବତ ସମାନ ହୋଇଗଲା । ରାମ ଓ ଲକ୍ଷ୍ମଣ ବଡ ସନ୍ତୋଷ ଓ ଆନନ୍ଦର ସହିତ ହନୁମାନଙ୍କ ସ୍କନ୍ଧ ଉପରେ ବସିଲେ । ହନୁମାନ ମଧ୍ୟ “ଜୟ ଶ୍ରୀରାମ” କହି ଆକାଶକୁ ଉଠିଲେ ଓ ବାୟୁବେଗରେ ଶୁନ୍ୟରେ ଭାସି ଚାଲିଲେ । ଖୁବ୍ ଅଳ୍ପ ସମୟ ମଧ୍ୟରେ ସୁଗ୍ରୀବଙ୍କ ଗୁମ୍ଫା ପାଖରେ ସେମାନେ ଯାଇ ପହଁଚିଲେ । ଗୁମ୍ଫା ବାହାରେ ରାମଲକ୍ଷ୍ମଣଙ୍କୁ ଅପେକ୍ଷା କରିବାକୁ କହି ହନୁମାନ ଭିତରକୁ ଗଲେ । ସେଠାରେ ସୁଗ୍ରୀବ ଓ ତାଙ୍କର ଅନ୍ୟାନ୍ୟ ମନ୍ତ୍ରୀଙ୍କୁ ରାମଙ୍କ ବିଷୟରେ ସେ କହିଲେ । ତା’ପରେ ହନୁମାନ ସୁଗ୍ରୀବଙ୍କୁ କହିଲେ, “ମହାରାଜ, ଏବେ ଆପଣଙ୍କ ସୌଭାଗ୍ୟର ଦିନ ଆସିଗଲା । ଶ୍ରୀରାମ ହେଉଛନ୍ତି ସ୍ୱୟଂ ବିଷ୍ଣୁଙ୍କର ଅବତାର । ମୋତେ ବ୍ରହ୍ମା ଏକଥା ବହୁ ପୂର୍ବରୁ କହିଥିଲେ । ଏବେ ଆପଣଙ୍କର ଓ ଶ୍ରୀରାମଙ୍କର ମିତ୍ରତା ଅର୍ଥ ଆପଣଙ୍କର ରାଜ୍ୟପ୍ରାପ୍ତି ଏବଂ ଶ୍ରୀରାମଙ୍କ କାର୍ଯ୍ୟରେ ଆମେ ସହାୟତା କରିବାର ସୁଯୋଗ ପ୍ରାପ୍ତି । ଚାଲନ୍ତୁ, ସେମାନେ ଗୁମ୍ଫା ବାହାରେ ଅପେକ୍ଷା କରିଛନ୍ତି । ଆପଣ ଆଦରର ସହିତ ସ୍ୱାଗତ କରି ସେମାନଙ୍କୁ ଭିତରକୁ ନେଇ ଆସନ୍ତୁ ।”

ସୁଗ୍ରୀବଙ୍କ ମନ ଆନନ୍ଦରେ ଭରି ଉଠିଲା । ସେ ନିଜର ମନ୍ତ୍ରୀମାନଙ୍କୁ ନେଇ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ସ୍ୱାଗତ କରିବାକୁ ଗଲେ । ସୁଗ୍ରୀବ ଶ୍ରୀରାମଙ୍କୁ ପ୍ରଣାମ କରି କହିଲେ, “ଆପଣଙ୍କ ଆଗମନ ମୋ ପାଇଁ ଶୁଭ ସମାଚାର ଆଣି ଦେଇଛି । ଆସନ୍ତୁ ଭିତରକୁ ଆସନ୍ତୁ । ଆପଣ ଯାହା କିଛିବି ଆଜ୍ଞା ଦେବେ ମୁଁ ଓ ମୋର ମନ୍ତ୍ରୀମାନେ ଅଚିରେ ତାହା ପାଳନ କରିବୁ । ମୁଁ ହନୁମାନଙ୍କଠାରୁ ସବୁ ଶୁଣିଛି ।”


Rate this content
Originality
Flow
Language
Cover Design