Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅକୁହା କାହାଣୀ
ଅକୁହା କାହାଣୀ
★★★★★

© Satyaprakash Sethy

Others

8 Minutes   2.8K    26


Content Ranking

ଦିନେ ମେଜର ସାହେବ ସହର ଉପାନ୍ତରେ ଥିବା ଗୋଟିଏ ପାର୍କରେ ଅନ୍ଧାରୁଆ ଜାଗାଟିଏ ଚୟନ କରି ଏକାନ୍ତରେ ନିଭୃତରେ ଏକୁଟିଆ ନୀରବରେ ବସି ପଡ଼ିଥାନ୍ତି – ଶୀତୁଆ ସଞ୍ଜ ବେଳଟାରେ। ମୁଖ ମଣ୍ଡଳ ବଡ଼ ଗମ୍ଭିର ଓ ଉଦାସୀଆ ଜଣାପଡୁଥାଏ। ଜଣାପଡୁଥାଏ ସତେ କି ସେ କ’ଣ ଗୁଡ଼ାଏ ହଜାଇ ଖୋଜିବାର ପୁଣି ପ୍ରୟାସ କରୁଥାନ୍ତି-ମନେ ମନେ। ଗୋଡ଼ ଦୁଇଟିକୁ ଚେୟାର ଉପରକୁ ଆସ୍ତେ କରି ସାଉଁଟି ଆଣି ଆଣ୍ଠୁ ଉପରେ ମୁହଁ ପୋତି, ଆଖି ଉପରେ ହାତରେ ଆବରଣ ତୋଳି ଗୁମ୍ ସୁମ୍ ହୋଇ ବସି ରହିଥାନ୍ତି। ମନରେ କେଉଁ ପ୍ରଶ୍ନ ବାଢୁଥାନ୍ତି କେଜାଣି, କିନ୍ତୁ ଭାରି ଅଶାନ୍ତ ଜଣା ପଡୁଥାନ୍ତି। ଦୂରରୁ ଯେ କେହି ତାଙ୍କୁ ଅନିସା କରୁଥାଏ, ହେଲେ ସେ ଏକଥା ଜାଣି ପାରୁ ନଥାନ୍ତି।

ଅନ୍ଵେଷା ତାଙ୍କ ପିଲା ଦିନର ସାଙ୍ଗ। ବନ୍ଧୁଙ୍କର ଏପରି ଭାବଭଙ୍ଗୀ ଦେଖି, ଆସି ପାଖରେ ବସି ପଡିଥାନ୍ତି। କିଛି ସମୟର ନୀରବତା ପରେ ପାଟି ଖୋଲିଲେ। ସେ ଧୀର ଅଥଚ ବେଶ୍ ସନ୍ତର୍ପଣ ସହକାରେ ପଚାରିଲେ – ମେଜର ସାହେବ! ଏମିତି କ’ଣ ହୋଇଛି କି ଚୁପି ମାରି ବସି ଯାଇଛନ୍ତି? ଅଗତ୍ୟା କାହାର ସ୍ଵର ଶବ୍ଦରେ ବନ୍ଧୁ ଟିକିଏ ଅପ୍ରତିଭ ହୋଇ ପଡ଼ିଲେ। ବାନ୍ଧବୀଙ୍କୁ ଦେଖି କ୍ଷଣିକ ପାଇଁ ସେ ଶୁଖିଲା ହସଟିଏ ହସି ପକାଇ ପୁଣି ଗମ୍ଭିର ହୋଇ ଯାଉଥିଲେ। ଅନ୍ଵେଷା କହିବାକୁ ଲାଗିଲେ -” ମୁଁ ଯାହା ତୁମ ମନୋଭାବ ଏଯାଏଁ ପଢିବାକୁ ଚେଷ୍ଟା କରିଛି, ତୁମେ ନିଶ୍ଚୟ ଗୋଟାଏ ବହୁତ ବଡ଼ ଜଟିଳ ସମସ୍ୟାର ହେତୁ ନିର୍ଣ୍ଣୟ କରୁଛ। ତାହାର ସରଳ ସମାଧାନ ପାଇଁ ହୁଏତ ଉପାୟ ଖୋଜୁଛ। ହେଲେ ମୋତେ କହିବନି! ମୁଁ ପରା ତୁମର ବାଲ୍ଯ ବାନ୍ଧବୀ। ଦେଖ! ମନ ଭିତରେ ଘଟଣାଟିକୁ ଚାପି ରଖି ଦଗ୍ଧୀଭୂତ ହେବା ଦ୍ଵାରା ସମାଧାନର ରାହା ଫିଟେନା। ବରଂ ଅନ୍ୟ ଆଗେ ପ୍ରକାଶ କରିଦେଲେ କଥାଟାର ଗୋଟାଏ କିଛି ସିଦ୍ଧାନ୍ତ ମିଳିଯାଇ ପାରେ, ମନଟା ବି ଟିକିଏ ହାଲୁକା ହୋଇପାରେ। ”

ଏଥର ମେଜର ସାହେବ ଭରସି କହିବାକୁ ଆରମ୍ଭ କଲେ – ନିଜ ଜୀବନର ଅକୁହା କାହାଣୀ, ଅକୁହା ବେଦ ଯାହା ଚିର ଦିନ ପାଇଁ ସେ ଅକୁହା ହୋଇ ରହି ଯାଇଛି। କେବେ ବି ସେ କାହାକୁ କହି ପାରି ନାହାଁନ୍ତି, ନିଜ ସମ୍ଭ୍ରାନ୍ତ ଓ ରକ୍ଷଣଶୀଳ ପରିବାରର ମର୍ଯ୍ୟାଦା ହାନି ହେବା ଆଳରେ। ଆଜି ସେ ସବୁ ଫିଟାଇ କହିବେେ- ନିଜ ବାନ୍ଧବୀ ଅନ୍ଵେଷାକୁ, ଯାହାକୁ ହୁଏତ ସେ ଦିନେ ମନେ ମନେ ଭଲ ପାଇ ବସିଥିଲେ, ଯଦିଚ ହୃଦୟର ଅଭିବ୍ୟକ୍ତି କେବେ ବି ଅଭିବ୍ୟକ୍ତ ଲାଭ କରି ପାରି ନାହିଁ ବା ଆଜି ଯାହା ପୂର୍ବର ପ୍ରାସଙ୍ଗିକତା ହରାଇ ବସିଛି। ତେବେ ଯାହା ବି ହେଉ…ସେ ଏଥର କହି ଚାଲିଲେ –

ଆଜକୁ ଦୀର୍ଘ ବାଇଶି ବର୍ଷ ତଳେ ସେ ବିବାହ କରିଥିଲେ ଅପରୂପା ଅନିନ୍ଦ୍ୟ ସୁନ୍ଦରୀ ଉଛଳା ଯୌବନା ଅନୂଢ଼ା ତରୁଣୀ କୋଟି ଲାବଣ୍ୟ ସୁନ୍ଦରୀ ମଧୁପୁର ନିବାସୀ ତନ୍ଦ୍ରା ନାମ୍ନୀ ରୂପବତୀକୁ। ବଡ଼ ହତଭାଗିନୀଟାଏ। ପିଲାଟି ବେଳରୁ ମାଆ ମରିଗଲା ଯେ କେହି ତା’ର ଶିରୀ ଦେଖି ପାରିଲେ ନାହିଁ। ଭାଇ ଭାଉଜଙ୍କ ଗଞ୍ଜଣା ସହି ପାରିଲା ନାହିଁ ବୋଲି ତ ବାପା ତା’ର ଅଳ୍ପ ବୟସରେ ମୋ ହାତରେ ତାକୁ ଛନ୍ଦି ଦେଇ ଶ୍ୱଶୁର ଘରକୁ ପାରି କରିଦେଲେ।

ସେଦିନ ତନ୍ଦ୍ରା ଟିକି ଝିଅଟିଏ ପରି ମନେ ହେଉଥିଲା। କାମ କାର୍ଯ୍ୟରେ ସାଠଣା ଜାଣି ନଥିଲା ବୋଲି ମୋ ସାବତ ମାଆ ଓ ଭଉଣୀଙ୍କଠୁଁ କ’ଣ କମତି ଗାଳି ଶୁଣିଛି। ହେଲେ ତା ରୂପ ଯୌବନର ଆଲୋଚନା ଏକା ଏ ବସ୍ତି କାହିଁକି ଆଖ ପାଖ ଚାରିଆଡ଼େ। ଭାରି ସରଳ ଅମାୟିକ ଝିଅଟା, କିନ୍ତୁ ଯେମିତି ରୂପବତୀ ସେମିତି ଗୁଣବତୀ ନିରିମାଖି ବୋହୂ। କାହାକୁ କିଛି କହେ ନାହିଁ। ସବୁ ଦୁଃଖ କଷ୍ଟ ସହି ଯାଇ ସର୍ବଂସହା ବସୁମତୀ ମାଆ ଧରିତ୍ରୀ ପାଲଟି ଯିବାର ସଙ୍କଳ୍ପ ଯେମିତି ତା ଭିତରେ ।

ଏବେ ତା’ ଶରୀରରେ ଉଷ୍ଣତା ସିନା କମି ଯାଇଛି, ହେଲେ ଦିନେ ତା ‘ଶରୀରର ମାଦକତାରେ ମୁଁ ପ୍ରାୟ ମୂର୍ଛିତ ହୋଇ ଯାଉଥିଲି। ମୋର ତ ମିଲିଟାରୀ ଚାକିରୀ, ତେଣୁ ବାହାଘରର ଅଳ୍ପ କେଇଟା ଦିନ ପରେ ମୋତେ ସହର ଛାଡ଼ି ବିଦେଶ ଯିବାକୁ ପଡିଲା। ପୁଣି ଫେରିଲା ବେଳକୁ ବର୍ଷେ କି ଛଅ ମାସ। ଏଇମିତି ଚାକିରୀ ତମାମ ମୁଁ ବିଦେଶରେ। ଦୀର୍ଘ ଦିନର ବ୍ୟବଧାନ ପରେ ଘରକୁ କେବେ ଆସେ। ପୁଣି ଅଳ୍ପ ଦିନ ରହି ଚାଲିଯାଏ । ସେଇ ଯେତକ ଦିନ ଛୁଟିରେ ଘରେ ରହେ, ତନ୍ଦ୍ରା ଜୀବନରେ ଖୁସିତକ ବୁଣି ହୋଇପଡେ। ମୋ ଫେରିଯିବା ସମୟ ହେଲେ ତା ମନ ଶୁଖିଯାଏ।ଶଙ୍କା ଆଶଙ୍କାରେ ତା ମନ ଆନ୍ଦୋଳିତ ହୁଏ। ହେଲେ ତା ଦୁଃଖ ବୁଝିବାକୁ କେହି ନାହିଁ। ତେଣୁ ମନ ଫୁଲେଇ ବସେ, ଇଛା ହେଲେ ଦମେ କାନ୍ଦେ। ବିଦେଶରେ ଥିଲା ବେଳେ ବଡ଼ ବ୍ୟସ୍ତ ହୁଏ। କେତେ ଜୁହାର ନେହୁରା ହୋଇ ଚିଠି ଖଣ୍ଡେ ପଠାଏ, ତାର ହେଲା ଦିନଠୁଁ ଟିକିଏ ସୁବିଧା। ଶୀଘ୍ର ଫେରି ଆସିବାକୁ ଆପତ୍ତି କରେ। ହେଲେ ମୁଁ ନାରୀ ମନ ଗହନର ଭାଷା କେବେ ବି ବୁଝିବାକୁ ଚେଷ୍ଟା କରି ନାହିଁ କି ନାରୀର ସୁକ୍ଷ୍ମ ମନସ୍ତତ୍ତ୍ଵକୁ ପଢିବାକୁ କେବେ ସକ୍ଷମ ହୋଇ ନାହିଁ। ସବୁ ବେଳେ ବାସ୍ତବତାର ଦ୍ୱାହି ଦେଇ ତା ମନ ତଳର ଭାବକୁ ଦବାଇ ରଖେ। ତେଣୁ ତା’ର ସମସ୍ତ ସ୍ଵପ୍ନ ସେଇଠି ମରିଯାଏ।ମନ ନିରାସକ୍ତ ହୋଇଉଠେ।

ଘରେ ଏକମାତ୍ର ଆହା ପଦେ କହିବା ପାଇଁ ବାପା ଥାଆନ୍ତି। ହେଲେ ସେ ନିରୁପାୟ। ସାବତ ମାଆ ଓ ସାବତ ଭଉଣୀଙ୍କର ଦବଦବା ବେଶୀ ଘର ଭିତରେ ଚାଲେ। ସେହିମାନଙ୍କ ହାତରେ ଶାସନର ଡୋରି। ତନ୍ଦ୍ରାକୁ ସେମାନେ ଦେଖି ପାରନ୍ତି ନାହିଁ। ମୋ ଅନୁପସ୍ଥିତିରେ ନାନା ଅକଥନୀୟ ଅତ୍ୟାଚାର କରନ୍ତି। ଜୀବନ ତମାମ ଖଟେଇ ଖଟେଇ ତାକୁ ବେହାଲ୍ କଲେଣି। ଅବଶ୍ୟ ତନ୍ଦ୍ରା ଏ ସମ୍ପର୍କରେ ଅନେକ ବାର ମୋର ଦୃଷ୍ଟି ଆକର୍ଷଣ କରିଛି। ହେଲେ ମୋର ତ ମିଲିଟାରୀ ଚାକିରୀ ।ମୁଁ ବା କେମିତି ତାକୁ ସାଙ୍ଗରେ ଧରି ଯାଇ ପାରିଥାନ୍ତି?

ପୁଣି ମାଆ ମଲା ପରେ ସେଇ ସାବତ ମାଆ କୋଳରେ ମୁଁ ବଢିଛି। ତେଣୁ ଅଲଗା ହୋଇ ରହିଲେ ଲୋକ କଅଣ କହିବେ ବୋଲି ମନ ଭିତରେ ଭାବାନ୍ତର ସ୍ରୁଷ୍ଟି ହୁଏ। ନିଜର କର୍ତ୍ତବ୍ଯ ପ୍ରତି ଯଥେଷ୍ଟ ସଚେତନ ରହି ମୁଁ କିଛି କରି ପାରେ ନାହିଁ। ପୁଣି ଭାବେ – ମୋ ଅନୁପସ୍ଥିତିକୁ ବରଦାସ୍ତ ନକରି ପାରି ହୁଏତ ତନ୍ଦ୍ରା ଇଆଡୁ ସିଆଡୁ ବକୁଛି। ତନ୍ଦ୍ରାର ଅଭିଯୋଗ ପ୍ରତି ମୁଁ କେବେ ବି ଠିକ୍ ସେ ଧ୍ୟାନ ବାଣ୍ଟି ନାହିଁ। ବରଂ ହେଟହାଟ କରି ତାକୁ ଦବାଇ ରଖିବାର ଯେତକ ଅପଚେଷ୍ଟା କରି ତା’ର ଦାବୀକୁ ଅଗ୍ରାହ୍ୟ କରି ଦେଇଛି। ସବୁବେଳେ କର୍ତ୍ତବ୍ୟର ଦ୍ୱାହି ଦେଇ ସବୁ ସହି ଯିବାକୁ ତାକୁ ବାଧ୍ଯ କରେ।

ଏମିତି ସହି ସହି ତନ୍ଦ୍ରା ଏବେ ପଥର ମୂର୍ତ୍ତିଟିଏ ପାଲଟି ଯାଇଛି। ତା’ର ଆଉ କାହା ପ୍ରତି ଆପତ୍ତି ଅଭିଯୋଗ ନାହିଁ କି କୌଣସି ଜିନିଷ ପାଇଁ ତା’ର ଆଉ ସେତେଟା ଆକର୍ଷଣ ନାହିଁ। ମୁହଁରେ ପ୍ରେମର ସମ୍ଭାଷଣ ନାହିଁ, ମନର ପ୍ରେମ ମନରେ ମରି ଯାଇଛି। ଦୁଃଖ, ଯନ୍ତ୍ରଣା, ଅଶ୍ରୁ ଓ ଅବସାଦରେ ଯୁଝିଯୁଝି ମନ ପୂରାପୂରି ବିଷାଦିତ। ହତାଶା ତା’ର ପୁଞ୍ଜି, ଅଶ୍ରୁ ନୈବେଦ୍ଯ। ସବୁଥିରେ ସେ ନିରୁଦ୍ଦେଗ ଓ ଉଦାସୀନ। ସବୁ ସହି ଯିବାର କଠୋର ତପସ୍ୟାରେ ସେ ଏବେ ମଗ୍ନ।

ମୁଁ ଏବେ ଚାକିରୀରୁ ଇଚ୍ଛାଧୀନ ଅବସର ଗ୍ରହଣ କରି ଘରେ। ପୁଅ ଝିଅ ଦୁହେଁ ବାହାରେ ରହି କଲେଜରେ ପଢୁଛନ୍ତି, ଯାହାଙ୍କୁ ଦିନେ ମଣିଷ କରି ଗଢି ତୋଳିବା ପାଇଁ ସେ କେତେ ତ୍ୟାଗ ଓ ଅପଯଶ ମୁଣ୍ଡାଇଛି। ଏବେ ନିଜେ ମୁଁ ଘରେ ରହି ସବୁ କଥା ନିଜ ଆଖିରେ ଦେଖୁଛି – ସ୍ତ୍ରୀର ଦୟନୀୟ ଅବସ୍ଥା, ସାବତ ମାଆର କିଳିକିଳା ରାବ ଓ ତା’ ସହିତ ପାଖାପାଖି ରହି ଆସୁଥିବା ଦୁଇ ସାବତ ଭଉଣୀଙ୍କର ତାନା ମରା। ସତେକି ତନ୍ଦ୍ରା ଏ ଘରର ବୋହୂ ନୁହେଁ, ଗୋଟାଏ ଚାକରାଣୀ। ସେମାନଙ୍କର ଫରମାଇସ୍ ପୂରଣ କରିବା ପାଇଁ ଗୋଟିଏ ମାନବ ତିଆରି ରୋବଟ୍।

ଏ ସବୁ ଦେଖିଲା ପରେ ମୁଁ ଚାହିଁଲି – ମୋ ସ୍ତ୍ରୀକୁ ନେଇ ଅଲଗା ରହିବି। ହେଲେ ସ୍ତ୍ରୀ କହେ -” ଅଲଗା ହୋଇ ରହିବାର ବେଳ ସରିଯାଇଛି। ଯେତେବେଳେ ସହିବାର ସୀମା ଅତିକ୍ରାନ୍ତ ହେଉଥିଲା, ସେତେବେଳେ ତ ମୁଣ୍ଡ ଝାଳ ତୁଣ୍ଡରେ ମାରି ସବୁ ସହିଲି। ଏବେ ବୃଦ୍ଧ ଶ୍ୱଶୁର ଓ ଶାଶୁଙ୍କୁ ଛାଡ଼ି ଚାଲିଗଲେ ଅଯଥା କର୍ତ୍ତବ୍ୟରେ ଅବହେଳା ହେବ ନାହିଁ କି? ତା ଛଡ଼ା ଏ ବେଳରେ ସମାଜ କ’ଣ କହିବ? ବୁଢା ଶ୍ବଶୁରଟା ମୋତେ ଛାଡି ଦଣ୍ଡେ କି ମୁହୂର୍ତ୍ତେ ବଞ୍ଚି ପାରିବ ନାହିଁ। ”

ଏବେ ଦେଖୁଛି ପତ୍ନୀ ମୋର ସାଂସାରିକ ଭାବ ପ୍ରତି ସମ୍ପୂର୍ଣ୍ଣ ନିରାସକ୍ତ। ସତେ କି ଦୀପ୍ତିମୟୀ ଦେବୀ ମୂର୍ତ୍ତିଟିଏ ପାଲଟି ଯାଇଛି। ନୀରବରେ ସମସ୍ତ ଅତ୍ୟାଚାର ସେ ସହି ଯିବେ ପଛେ ଆଉ ପ୍ରତିବାଦ କରିବେ ନାହିଁ ବୋଲି – ସେ ପଣ କରିଛି । ସମସ୍ତ ଆଶା ଓ ଭରସା ସଲିଳ ସମାଧି ଲଭିଲା ପରେ ସେ ଆଉ ସାଂସାରିକ ମୋହ ମାୟାରେ ନିଜକୁ ଆଚ୍ଛନ୍ନ କରି ରଖି ପାରୁ ନାହିଁ। ସ୍ଵାମୀ ଉପରେ ମଧ୍ୟ ତା’ର ସମସ୍ତ ଭରସା ତୁଟି ଗଲାଣି।

କାହିଁକି ତା ଜୀବନରେ ଆଜି ଏ ବିରାଟ ପରିବର୍ତ୍ତନ? କିଏ ଏଥିପାଇଁ ଦାୟୀ? ମୁଁ.. ନା ମୋ ପରିବାର… ନା ହାଲାତ? କିଏ ସେ ପ୍ରକୃତରେ ଦାୟୀ – ମୁଁ ତା’ର କୂଳ କିନାର କିଛି ପାଉ ନାହିଁ। ସମାଧାନର ପନ୍ଥା ନିରୂପଣ କରିବା ଯେହେତୁ ସହଜ ହେଉନାହିଁ, ଏଇଠି ଏଇମିତି ଘୁମେଇ ବସି ପଡ଼ିଛି।

ଏତେବେଳ ଯାଏଁ ଅନ୍ୱେଷା ସବୁ ଶୁଣୁଥିଲେ। ଏକା ନିଶ୍ବାସକେ ସେ ଗାଇ ଯାଉଥିଲେ ନିଜ ଜୀବନ ବେଦ। ସବୁ ଶୁଣି ବାନ୍ଧବୀ କେବଳ ଏତିକି କହିଲେ – “ତୁମେ ଶୁଣିଥିବ ନିଶ୍ଚୟ କପିଲ ଶର୍ମାଙ୍କ ପ୍ରଶ୍ନରେ କୌନ୍ ବନେଗା କୋରଡପତି ଏପିସୋଡରେ ଅମିତା ବଚ୍ଚନଙ୍କ ଉତ୍ତର-ପତ୍ନୀକୁ ମନେଇବାର ମହାମନ୍ତ୍ର ଓ ସରି ଉପାଖ୍ଯାନ । ଯାହାବି ହେଉ ‘ଅତୀତରେ ସବୁ ତ୍ରୁଟି ହୋଇଛି’ – ଏକଥା ମୁକ୍ତ କଣ୍ଠରେ ସ୍ୱୀକାର କରି ନେଇ ପତ୍ନୀଙ୍କୁ ଥରେ ‘ସରି ‘କହିଦିଅ। ବାସ୍ ଦେଖିବ! ଜୀବନରେ ତୁମର ସମସ୍ତ ଦୂରିଆ ଅଚିରେ ଦୂର ହୋଇଯିବ ଆଉ ସମସ୍ୟାର ମଧ୍ୟ ସମାଧାନ ହୋଇଯିବ।”

ବାନ୍ଧବୀଠାରୁ ସଲାହ ଗ୍ରହଣ କରି ଘରକୁ ଫେରି ଆସି ଥିଲେ ଗର୍ବୋନ୍ମତ୍ତ ଦାମ୍ଭିକ ପୁରୁଷ ଦର୍ପିତ ମେଜର ସାହେବ। କ’ଣ ଦି’ ଟା ସଅଳ ଖାଇ ଦେଇ ଶୟନ କକ୍ଷକୁ ଚାଲି ଗଲେ। ଚତୁର୍ଥୀ ରାତିର ପ୍ରତୀକ୍ଷା ପରି ମଧ୍ୟ ଆଜି ରାତିର ପ୍ରତୀକ୍ଷା ଥିଲା ବେଶ୍ କିଛି। ମନ ବି ଉଚ୍ଚାଟିତ ହେଉଥିଲା କ’ଣ କିଛି ଶୀଘ୍ର ଶୀଘ୍ର କହି ପକାଇବାକୁ। ଯେମିତି ଯୁଗ ଯୁଗର ସବୁ କାହାଣୀ ଏକାବେଳକେ ଉଗାଳି ପକାଇବେ।

ପତ୍ନୀ ଶୟନକକ୍ଷକୁ ପ୍ରବେଶ କରନ୍ତେ, ସେ ହାତ ଧରି ଟାଣି ନେଲେ କୋଳକୁ। ସ୍ନେହ ଆଶ୍ଳେଷରେ ମୁହୂର୍ତ୍ତକ ପାଇଁ ବାନ୍ଧି ରଖି ଅନେକ ସ୍ନେହ ସମ୍ଭାଷଣ ପରେ ଧୀର ଅଥଚ ନରମ ଗଳାରେ କହିଲେ -” ସରି ମାଇ ଡାର୍ଲିଙ୍ଗ”। ଆହୁରି କହିଲେ – “ଜୀବନର ବାସ୍ତବତାକୁ ଭୂଲି ମୁଁ ଅତୀତରେ ଯେଉଁ ଭୂଲ କରିଛି, ତା’ର ଆଜି ପ୍ରାୟଶ୍ଚିତ କରିବାକୁ ଚାହେଁ” । ଜୀବନ ତମାମ ଯେଉଁ ସବୁ ପ୍ରତିକୂଳ ପରିସ୍ଥିତି ଦେଇ ତନ୍ଦ୍ରା ଆସିଛନ୍ତି ତାକୁ କେତେ ଅନ୍ତରଙ୍ଗ ଭାବେ ସେ ସବୁ ହୃଦୟଙ୍ଗମ କରି ପାରିଛନ୍ତି ତାହା ସବୁ ସେ ତନ୍ଦ୍ରାକୁ ଅଭିହିତ କରିଛନ୍ତି। କେବଳ ପରିସ୍ଥିତି ଓ କର୍ତ୍ତବ୍ୟର ତାଡ଼ନାରେ ସେ ଜୀବନରେ ଅନେକ ଭୂଲ କରିଛନ୍ତି ଏବଂ କିପରି ନିଜ ପତ୍ନୀ ପ୍ରତି ସେ ମଧ୍ଯ ନିଜେ ଘୋର ଅବହେଳା ପ୍ରଦର୍ଶନ କରିଛନ୍ତି-ସବୁ କହିଛନ୍ତି। ସେଥିପାଇଁ ସବୁ ଭୂଲି ସେମାନେ ଏବେ ନୂଆ କରି ଜୀବନ ଜିଇଁବାକୁ ଚାହାଁନ୍ତି ଓ ପରସ୍ପର ପ୍ରତି ସମବେଦନଶୀଳ ହୋଇ ମିଳିମିଶି ଆଗାମୀ ସମୟକୁ ମୁକାବିଲା କରିବାକୁ ପତ୍ନୀକୁ ଭରସା ଦେଇଛନ୍ତି ।

ଅତର୍କିତ ସ୍ୱାମୀଙ୍କର ସ୍ନେହ ସମ୍ଭାଷଣରେ ତନ୍ଦ୍ରା ଆଶ୍ଚର୍ଯ୍ୟ ଓ ଚକିତ ହେଲେ ସତ ହେଲେ ବାସ୍ତବିକତାକୁ ଉପଲବ୍ଧି କରି ନୟନରୁ ଧାର ଧାର କରି ବୁହାଇ ଚାଲିଥାନ୍ତି ଲୋତକ। କଠୋର ନିର୍ଦ୍ଦୟ ମେଜର ସାହେବଙ୍କର ହୃଦୟ ମଧ୍ଯ ତରଳିବାକୁ ଲାଗୁଥିଲା। ସେ କଅଁଳା ଶିଶୁ ପରି କଇଁ କଇଁ ହୋଇ କାନ୍ଦି ପକାଇ ପତ୍ନୀ କୋଳ ଉପରେ ଗଡି ପଡୁଥିଲେ। ଯେମିତି ଜୀବନଯାକର ସବୁ ପାପ ସେଇ ସେତିକିରେ ଧୋଇ ହୋଇଗଲା। ତନ୍ଦ୍ରା ଧୀରେ ଧୀରେ ସବୁ ଭୂଲିବାକୁ ଲାଗୁଥିଲେ। ପତିଦେବଙ୍କୁ ସାନ୍ତ୍ୱନା ଦେବାକୁ ଲାଗିପଡିଲେ। ନିମିଷକେ ବିଭେଦର ପ୍ରାଚୀର ଗୁଡାକ ସବୁ ତାସ୍ ଘର ପରି ଭାଙ୍ଗିଗଲା। କ୍ଷଣକେ ଲାଗିଲା- ଏମାନେ ସତରେ ପତି ପତ୍ନୀ ଓ ଏମାନଙ୍କ ବୈବାହିକ ଜୀବନରେ ସାର୍ଥକତା ଆସି ଯାଇଛି।

ପ୍ରଥମ ଥର ପାଇଁ କାହାରି ମନା ନମାନି ଉଭୟ ପତି ପତ୍ନୀ ଭୋରରୁ ଉଠି ଦିଅଁ ଦର୍ଶନ ପାଇଁ ମନ୍ଦିର ଯାଇଛନ୍ତି। ଆଜି ନିଜର ବୈବାହିକ ଜୀବନର ସଫଳତା କାମନା କରି ଖୁସିରେ ଦୀପାଳୀ ଜାଳିଛନ୍ତି। ଭୋଗରାଗ ଧରି ଘରକୁ ଫେରିଲେ, ହେଲେ ଘରେ କାହାରି ମନରେ ସରାଗ ନଥାଏ ଦେଖି ମନଟା ଫିକା ହୋଇ ଯାଉଥାଏ। ଘର କୋଣର ବୋହୂ ଆଜି ବାହାରକୁ ବାହାରିବାଟା ଯେମିତି ଅଶୁଭ, କାହାରିକୁ ସହ୍ୟ ହେଉ ନଥାଏ। ପୁଣି ସନ୍ଧ୍ଯା ହେଲାଠୁଁ ସ୍ଵାମୀ ବାଧ୍ୟ କଲେ ବଜାର ଯିବା ପାଇଁ।

ଆଜି ପାର୍କରେ ଦୁଇ ପତି ପତ୍ନୀ ବସି କିଛି ସମୟ ସୁଖ ବାଣ୍ଟିଲେ। ଅନ୍ୟ ପତି ପତ୍ନୀଙ୍କର ହସିଲା ହସିଲା ନିକଟ ନୈକଟ୍ଯ ସମ୍ପର୍କ ଦେଖି ପିଛିଲା ଦିନରେ କେତେ ଅନ୍ତରଙ୍ଗ ମୁହୂର୍ତ୍ତ ସେମାନେ ନଷ୍ଟ କରିଛନ୍ତି ବୋଲି ଭାବି ମନରେ ଭାବାନ୍ତର ସ୍ରୁଷ୍ଟି ହେଉଥାଏ। ପୁଣି ଦହିବରା ଓ ଆଳୁଦମ ତନ୍ଦ୍ରାର ପ୍ରିୟ ବୋଲି ମେଜର ସାହେବ ପେଟେ ଖୁଆଇଲେ। ନିଜ ପସନ୍ଦରେ ରକ୍ତ ବର୍ଣ୍ଣର ରକ୍ତିମ ଶାଢୀଟିଏ କିଣି ଆଜି ପ୍ରଥମ ଥର ତନ୍ଦ୍ରାକୁ ଭେଟି ଦେଲେ। ମନଦୋଳା ଉଭୟଙ୍କର ନାଚି ଉଠୁଥିଲା ପୁଣି ଶଙ୍ଖା ଚୁଡ଼ି ଆଦି କିଣି ଖୁସିରେ ଘରକୁ ପ୍ରତ୍ୟାବର୍ତ୍ତନ କଲେ। ଘରେ ପହଂଚି ସ୍ଵାମୀ ବାଧ୍ୟ କରିବାରୁ ତନ୍ଦ୍ରା ସେହି ଶାଢ଼ି ଖଣ୍ଡିକ ପିନ୍ଧି ସ୍ୱାମୀଙ୍କୁ ମୁଣ୍ଡିଆଟେ ମାରିଲା। ଝଣଝଣ ହେଉଥିଲା ନୂଆ କାଚ ଚୂଡି ଓ ଶଙ୍ଖା କେଇପଟ ବାସ୍ ସେତିକି। ଇତି ହେଲା କାହାଣୀ ସେଇଠି। ଆର ଘରୁ ସାବତ ଶାଶୁଙ୍କର ଗର୍ଜନ ଶୁଭିଲା – “ଆବେ ମାଇପ ସୁଆଙ୍ଗିଆ! ବୋହୂଟାକୁ କେତେ ଆକଟ କରି ରଖିଥିଲି, ତାକୁ ତୁ ଟୋକା! ବଜାରବୁଲି ନ କରି ଛାଡିବୁ ନାହିଁ। “ଏମିତି କେତେ କ’ଣ କଟାକ୍ଷ। ଆଉ ବୁଢୀକୁ ଏ କାର୍ଯ୍ୟରେ ସାହାଯ୍ଯ କରିବା ପାଇଁ ମଧ୍ୟ ନଣନ୍ଦ ଦ୍ୱୟ ଡାକରା ହୋଇ ଆସି ଯାଇଥାନ୍ତି, ଯେଉଁମାନେ କି ପଦେ ପଦେ ପାଳି ଧରୁଥାନ୍ତି। ମେଜର ସାହେବ ଏଥିରେ ପ୍ରତିବାଦ କରି ଚିଲେଇ ଉଠି ବାହାରକୁ ଧାଇଁ ଆସୁଥିଲେ। ତନ୍ଦ୍ରା କିନ୍ତୁ ସେଇ ଚିରାଚରିତ ଢଙ୍ଗରେ ତାଙ୍କୁ ବାରଣ କରିବା ପାଇଁ ବୋଧହୁଏ ଧଡାସକିନା ବସିବା ଜାଗାରୁ ଉଠି ଆସୁଥିଲେ। ଆସନ୍ନ ବିପର୍ଯ୍ୟୟର ସମ୍ଭାବନା ଦେଖି ହଠାତ୍ କ’ଣ ହେଲା କେଜାଣି ସେ ଛାତିଟାକୁ ଜୋହର୍ କରି ଚାପି ଧରି ବିଛଣା ଉପରକୁ ଟଳି ପଡ଼ିଲେ। ପାଟି ତୁଣ୍ଡ ଉପରାନ୍ତେ ମେଜର ସାହେବ ରୁମ୍ ରେ ଯାଇ ଦେଖନ୍ତେ ତନ୍ଦ୍ରା ମୁହଁ ମାଡି ପଡ଼ି ରହିଛି ବିଛଣାରେ। ନିଶ୍ଚଳ ଓ ନିରୁଦ୍ଦେଗ ଭଙ୍ଗୀରେ। ହଲାଇ ଦେଲାଠୁଁ ସତେ କି ଦେହରେ ଜୀବନ ନାହିଁ, ନିର୍ବାକ, ନିରୁତ୍ତର ଓ ନିସ୍ପନ୍ଦ ହୃତ୍ ସ୍ପନ୍ଦନ। ଦେହଟା କଞ୍ଚା ପାଣିଆ ହୋଇ ଆସୁଥିଲା। 108 ଆମ୍ବୁଲାନ୍ସ ଡାକି ଡାକ୍ତରଖାନା ନେଲାଠୁଁ ଡକ୍ଟର କହିଲେ.. ଆଉ ନାହିଁ.. ସବୁ ଶେଷ.. ହୃଦ୍ଘାତ ଜନିତ ଅପମୃତ୍ୟୁ.. ।

ଦିନେ ଯେଉଁ ବୋହୂକୁ ସାହି ପଡ଼ିଶା କେହି ଦେଖି ନଥିଲେ, ମଲା ବେଳକୁ ହଜାର ହଜାର ସଂଖ୍ୟାରେ ଲୋକ ରୁଣ୍ଡ। ସମସ୍ତଙ୍କ ମୁହଁରେ ପ୍ରଶଂସାର ବାଣୀ।ହେଲେ ଶାଶୁ ଓ ନଣନ୍ଦ ଦୁଇଟାକୁ ଦେଖି ସମସ୍ତେ ମୁହଁ ମୋଡ଼ୁଥାନ୍ତି। ଛୁଆ ଦୁଇ ଜଣ ମାଆ ଉପରେ ଲୋଟି ପଡି କାନ୍ଦି ଉଠୁଥାନ୍ତି ଓ ଏକ ପ୍ରକାର ବାପକୁ ଧିକ୍କାରୁଥାନ୍ତି – ତୁମେ ଆମ ମାଆଙ୍କର ଯତ୍ନ ନେଇ ପାରିଲ ନାହିଁ, ତୁମରି ସ୍ନେହ ସୋହାଗର ଅଭାବରୁ ଆମେ ଆଜି ମାଆ ଛେଉଁଣ୍ଡ ହୋଇଗଲୁ… ହେଲେ ବାପା! ମୋ ବୋଉ କାହାର କ’ଣ କ୍ଷତି କରିଥିଲା? ଜେଜେ ମାଆ! ତୁମେ ଆଉ ମୋୋ ବୋଉ ପରି ସରଳ ମନିଷଟେ ପାଇବ ତ…? ପିଲା ଦୁଇଟାର କଥା ଶୁଣିି ସମସ୍ତେ ସ୍ତବ୍ଧ ହୋଇଯାଉଥିଲେ। ଆଉ ଏକ ନିସ୍ତବ୍ଧତା ଛାଇ ହେଇଯାଉଥିଲା। ଶବ ଉଠିଲା ମଶାଣି ଭୂଇଁକି.. ବହୁ ବେଳ ଯାଏଁ କାନରେ ଖାଲି ଗୁଞରିତ ହେଉଥାଏ – ରାମ ନାମ ସତ୍ଯ ହେ.. ହରି ନାମ ସତ୍ଯ ହେ…. ।

By ସତ୍ୟ ପ୍ରକାଶ ସେଠୀ

ଉପ ସହକାରୀ ନିବନ୍ଧକ,

ସମବାୟ ସମିତି ସମୂହ

ଭଦ୍ରକ ସର୍କଲ, ଭଦ୍ରକ

ଓଡିଶା ସରକାର

Mob 9937181846

ଅନ୍ଧାରୁଆ ଭାବଭଙ୍ଗୀ ସନ୍ତର୍ପଣ

Rate the content


Originality
Flow
Language
Cover design

Comments

Post

Some text some message..