Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅଭୁଲା ଅତୀତ
ଅଭୁଲା ଅତୀତ
★★★★★

© sasmita sahoo

Tragedy

5 Minutes   10.3K    14


Content Ranking

ମୁଁ ,ତିଳ । ଗେରସ୍ତ ଯିବାର ୭ ବର୍ଷ ହେଇଗଲାଣି । ଗୋଟିଏ ପୁଅ ବିଜୁ, ୮ ବର୍ଷର । ଗାଁ ସ୍କୁଲକୁ ପଢିବାକୁ ଯାଏ । ଘରେ ଆଉ କେହି ନାହାନ୍ତି । ବଖରାଏ ମାଟି ଘର । ପଡୋଶୀ କହିଲେ ବେଲ ମାଉସୀ । ବିଜୁ ସବୁଦିନ ସକାଳେ ସ୍କୁଲକୁ ଯାଏ, ଆଉ ମୁଁ ମୋ କାମକୁ । କାମ କହିଲେ, କେଉଁ ଅଫିସ ନୁହେଁ କି ବେପାର ନୁହେଁ । ପାଖ କଲୋନୀରେ ଥିବା ବଡ ବାବୁମାଙ୍କର ଘରେ ବ।ସନ ମାଜେ , ଝାଡୁ ପୋଛା କରେ ଲୁଗାପଟା ଧୁଏ ଏହି ସବୁ ମୋର ପାଇଟି । ପ୍ରାୟ ୬ /୭ ପରିବାର ଘରେ କାମ କରେ । ମାସ ଶେଷରେ ଦରମା ହିସାବରେ କିଛି ଟଙ୍କା ଦିଅନ୍ତି । ସେଇ ଟଙ୍କାରେ ମା’ ପୁଅ ଟାଣି ଓଟାରି ଚାଲି ଯାଉ । ସଂଚୟ କିଛି ହୁଏନି । ଖାଲି ପେଟକୁ ଗଣ୍ଡେ ଖାଇବା ଆଉ ଦେହକୁ ଖଣ୍ଡେ କନା* ଏହି ଆମର ଜୀବନ । କିନ୍ତୁ କାମ ସାରି ସଞ୍ଜକୁ ଫେରି ଆସେ । ପୁଅ ସ୍କୁଲରୁ ଆସିଲେ ତା କଥା ବେଲ ମାଉସୀ ବୁଝନ୍ତି । ମୁଁ ଗଲା ପରେ ରନ୍ଧା ବଢ଼ା କରି ପୁଅ କଥା ବୁଝେ ।

ସେ ଦିନ ଥିଲା ଗୁରୁବାର । କାମରୁ ଫେରି ଘରେ ଦେଖିଲା ବେଳକୁ ଛୁଆଟା ଜ୍ବରରେ କମ୍ପୁଛି , ବେଲ ମାଉସୀ ତା ପାଖରେ ବସିଛି । ଦେହ ତାତି ଖାଇ ଫୁଟୁଛି । ଜ୍ବରରେ ବାଉଳି ଚାଉଳି ହେଉଛି । କ’ଣ କରିବି କିଛି ବୁଝି ପାରିଲିନି । ବେଲ ମାଉସୀ କହିଲ, " ମା ,ତାକୁ ଡାକ୍ତର ପାଖକୁ ନେଇ ଯା " କାନିରେ ୧୫ ଟଙ୍କା ଥିଲା ଆଉ ବେଲ ମାଉସୀ ୨୦ ଟଙ୍କା ଦେଲା । ଛୁଆକୁ କାଖେଇ ନେଇ ଡାକ୍ତର ପାଖକୁ ଗଲି । ଘରୋଇ ଡାକ୍ତର ଖାନା । ବାହାରେ ଚୌକିଦାର ଜଗିଛି ।

ପଚାରିଲି," ଡାକ୍ତର ବାବୁ ଅଛନ୍ତି" ।

ହଁ -କହିଲା

"ଫିସ କେତେ" ?

କହିଲା, ୧୫୦ ଟଙ୍କା

ଭାବିଲି ୪୫ ଟଙ୍କାରେ ମୋ ଛୁଆକୁ କଣ ଡାକ୍ତର ଦେଖିବେ । ତଥାପି ଚଉକିଦାରର ଅନୁମତି ନେଇ ଭିତରକୁ ଗଲି । ଡାକ୍ତରଙ୍କୁ ପୁଅକୁ ଦେଖେଇଲି , କହିଲେ’’ ଫିସ ଆଣିଛୁ ‘’ । ଡାକ୍ତରଙ୍କୁ ମୋ ପରିସ୍ଥିତି କଥା କହିଲି । ଆଉ ୪୫ ତାଙ୍କ ଆଣିବା କଥା ବି କହିଲି । ମୋତେ ମନା କରିଦେଲେ, କହିଲେ ‘’ଆଗେ ଫିସ ଆଣ ,ତା ହେଲେ ଯାଇ ମୁଁ ଔଷଧ ଲେଖିବି ‘’।ଆଉ ଯେତେ ଶୀଘ୍ର ଆଣିବୁ ସେତେ ଭଲ ତୋ ପୁଅ ଦେହ ଅତିଶୟ ଖରାପ । ନେହୁରା ହେଲି ଶୁଣିଲେ ନାହିଁ । କାନ୍ଦି କାନ୍ଦି ଛୁଆକୁ ନେଇ ବାହାର କୁ ଆସିଲି । ବାହାର ପିଣ୍ଡାରେ ପୁଅକୁ ଶୁଆଇ ଚଉକିଦାରକୁ କହିଲି ,"ଭାଇ ଟିକେ ଛୁଆକୁ ଦେଖୁ ଥିବ"। ମୁଁ ଟଙ୍କା ନେଇ ଆସୁଛି, ସେ’’ ହଁ ‘’କହିଲା ।

ଯେଉଁ ବାବୁମାନଙ୍କ ଘରେ କାମ କରୁଥିଲି ତାଙ୍କରି ଘରକୁ ଯାଇ ସାହାଯ୍ୟ ମାଗିଲି । ସମସ୍ତେ ମନା କରି ଦେଲେ ,କହିଲେ ‘’ମାସ ପୂରିନି ଟଙ୍କା ମିଳିବନି ‘’ । କାନ୍ଦି କାନ୍ଦି ଶେଷରେ ସିଂ ବାବୁ ଘରକୁ ଗଲି । ଶେଷ ଆଶା କାଳେ ମିଳିବ । ୭ ବର୍ଷ ହେଲା କାମ କରୁଛି ,କାଳେ ମୋ କଥା ଶୁଣି ଦୟା କରିବେ । ଏହା ଭାବି କବାଟ ଠକ ଠକ କଲି । ସେତେବେଳକୁ ସମୟ ସନ୍ଧ୍ୟା ୭ ଟା । ବାବୁ କବାଟ ଖୋଲିଲେ କହିଲେ, ,"ମା ନାହାନ୍ତି କଟକ ଯାଇଛନ୍ତି ବାପ ଘରକୁ'' । ମୁଁ ସବୁ କଥା କହିଲି । ସେ ଶୁଣିଲେ ଆଉ ଟଙ୍କା ଦେବାକୁ ରାଜି ହେଇ ଗଲେ । ହେଲେ ଗୋଟେ ସର୍ତ୍ତରେ ଦେବ।କୁ କହିଲେ । ମୁଁ ପଚାରିଲି,’’ କି ସର୍ତ୍ତ ବାବୁ ମୋ ପିଲାର ଜୀବନ ରକ୍ଷା ପାଇଁ ସବୁ ସର୍ତ୍ତ ମାନିବି ‘’। ଏହା ଶୁଣି ବାବୁ ଦାଣ୍ଡ କବାଟଟିକୁ ଧଡ଼ କରି ବନ୍ଦ କରିଦେଲେ । ଏବେ ମୁଁ ତାଙ୍କ ସର୍ତ୍ତଟିକୁ ଜାଣି ପାରିଲି । ଟଙ୍କା ବଦଳରେ ସେ ମୋ ଶରୀରକୁ ଉପଭୋଗ କରିବାକୁ ଚାହୁଁ ଥିଲେ । ମୋ ଆଖିରୁ ଧାର ଧାର ହୋଇ ଲୁହ ବୋହି ଗଲା । ମୁଁ ନିରାଶ୍ରୀ ଟା, ମୋର ତ କେହି ନାହାନ୍ତି । କିଏ ମୋ ପୁଅ ଜୀବନକୁ ରକ୍ଷା କରିବ । ଏ ଅସମୟରେ କିଏ ସାହା ହେବ । ମୋ ପାଇଁ ଯଦି ମୋ ପୁଅ ର ଜୀବନ ରହିଯାଏ ସେଇଟା ମୋ ପାଇଁ ବଡ କଥା । ତେଣୁ ମୁଁ ଆଉ କିଛି ଆଗକୁ ପଛକୁ ଚିନ୍ତା ନ କରି ତାଙ୍କ କଥାରେ ରାଜି ହୋଇ ଗଲି । ତା ବଦଳରେ ମୋତେ ୫୦୦ ଟଙ୍କିଆ ନୋଟ ଟିଏ ଧରେଇ ଦେଲେ । ଦୌଡ଼ି ଦୌଡ଼ି ଯାଇ ୫୦୦ ଟଙ୍କାଟିକୁ ଡାକ୍ତରଙ୍କୁ ଧରାଇ ଦେଇ ପୁଅକୁ ଦେଖେଇଲି । ଔଷଧପତ୍ର ଆଉ ପାଉଁରୁଟି ଟିଏ ନେଇ ଘରକୁ ଫେରିଲି । ପୁଅକୁ ଔଷଧ ଖୁଆଇ ତାକୁ ଶୁଆଇ ତା ମୁଣ୍ଡ ପାଖରେ ବସିଲି । ପ୍ରାୟ ୩ ଘଣ୍ଟା ପରେ ଆଖି ଖୋଲିଲା । ମା’ ମା’ ବୋଲି ଖୋଜିଲା । ଦେହରୁ ଝାଳ ବୋହି ଯାଉ ଥାଏ ,କାନିରେ ପୋଛି ଦେଲି । ଜ୍ୱର ଦେହରେ ନ ଥାଏ । ପାଉଁରୁଟି ଦି ଖଣ୍ଡ ଖୁଆଇ ପାଣି ଟୋପେ ପିଆଇ ପୁଅକୁ ଶୁଆଇଦେଲି । ରାତି ଯାକ ନ ଶୋଇ ଭାଗ୍ୟ କୁ ନିନ୍ଦୁ ଥାଏ ।

ସକାଳ ହେଲା ପୁଅ ଉଠିଲା ତା କଥା ବୁଝିଲି । ଆଉ କାମକୁ ଗଲିନି । ୫ ଦିନ ପରେ ,ପୁଅ ସଂପୁର୍ଣ ଠିକ ହେଇ ଗଲା ସ୍କୁଲ ଗଲା ତା ପରେ ମୁଁ କାମକୁ ଗଲି । ହେଲେ ଏ କଣ ମୋତେ ଆଉ କେହି କାମରେ ରଖିଲେ ନାହିଁ । ସମସ୍ତେ ପୁଅ କଥା ଜାଣିଥିଲେ ତଥାପି କାହାର ବି ମୋ ପ୍ରତି ଦୟା ନ ଥିଲା । ଗୋଡ ହାତ ଧରି ନେହୁରା ହେଲି ସମସ୍ତେ ତଡି ଦେଲେ । କାନ୍ଦି କାନ୍ଦି ଶେଷରେ ଇଛା ନ ଥିଲେ ବି ସିଂ ବାବୁ ଘରକୁ ଆସିଲି । ମା’ ସେ ଯାଏଁ ଆସି ନ ଥିଲେ । ସେ ଦେଖିକି ଖୁସି ହୋଇଗଲେ । ମୁଁ ମୋ କାମ ଦାମ ସାରି ଘରକୁ ଆସିବାକୁ ବାହାରୁ ଥାଏ ,ପଛପଟୁ କାନି ଟାକୁ ଟାଣି ଧରିଲେ । ଆଜି କିନ୍ତୁ ମୁଁ ପ୍ରତିବାଦ କଲି । ନା ବାବୁ ଆଉ ନୁହେଁ , କାଲି ମୋ ପୁଅର ଜୀବନ ରକ୍ଷା କରିବାକୁ ଯାଇ ସିନା ଏ କାମ କଲି, କିନ୍ତୁ ଆଜି ନୁହେଁ । ଆପଣଂକ ଘରେ ୭ ବର୍ଷ ହେଲା କାମ କରୁଥିଲି ,ସେହି ଭରସାରେ ଆପଣଂକ ପାଖକୁ ସାହାଯ୍ୟ ପାଇଁ ଆସିଥିଲି । ହେଲେ, ଆପଣ ସାହାଯ୍ୟ ବଦଳରେ ମୋର ଇଜ୍ଜତ ଲୁଟି ନେଲେ । ଗୋଟେ ମା'ର ମନର ବେଦନାକୁ ଆପଣ ସେଦିନ ବୁଝି ପାରିଲେନି । ଭାବନ୍ତୁ ଏଇ କ’ଣ ଆପଣଙ୍କ ମଣିଷ ପଣିଆ । ଆମ ପରି ଗରିବ ଦୁଃଖୀଙ୍କୁ ଏଇପରି ସାହାଯ୍ୟ ଦେବେ । ଧିକ ଆପଣଙ୍କ ବଡ଼ପଣକୁ । ଏହା ଶୁଣି ସିଂ ବାବୁ ମୋ କାନିଟିକୁ ଛାଡି ଦେଲେ । ନିଜର ଭୁଲ ବୁଝି, ମୋତେ କ୍ଷମା ମାଗିଲେ ଏବଂ ନିଜେ ଅନ୍ୟାୟ କରିଛନ୍ତି ବୋଲି ସ୍ୱୀକାର କଲେ । ପରେ ପରେ ଭୋ ଭୋ ହୋଇ କାନ୍ଦିଲେ । ହେଲେ ବୋହି ଯାଇଥିବା ପାଣି କ’ଣ ଫେରି ଆସେ ? ତାଙ୍କୁ ବୁଝାସୁଝା କରି ଘରକୁ ଫେରି ଆସିଲି ।

ସେହିଦିନଠାରୁ ଆଉ କାମକୁ ଗଲିନି ଘରେ ରହିଲି । ମନେ ମନେ କାମ ଖୋଜୁଥାଏ । ଘର ଘର ବୁଲି ପଚରାଉଚରା କରୁଥାଏ । ଠିକ ୭ ଦିନ ସିଂ ବାବୁ ମୋ ଘରକୁ ଆସିଲେ, ଆଉ କହିଲେ ,ସେ ମୋ ପାଇଁ ସ୍କୁଲରେ ଗୋଟିଏ କାମ ବୁଝି ଛନ୍ତି । ଚପରାଶି ହୋଇ ରହିବାକୁ ପଡିବ, ଦରମା ୫୦୦୦ ଟଙ୍କା । ପରଘର କାମ କରିବାକୁ ପଡ଼ିବନି । ଏହା ଶୁଣି ମୁଁ ଟିକେ ଖୁସି ହୋଇ ଗଲି । ହେଲେ ତାଙ୍କ ପ୍ରତି ସମ୍ମାନ କି ଭକ୍ତି ଭାବ ଆସୁ ନ ଥାଏ । ସେ ସ୍କୁଲ ର ଠିକଣା ଦେଇ ଚାଲି ଗଲେ । ‘’ହଉ ବାବୁ ‘’କହି କାଗଜଟିକୁ ରଖିଲି । ସେହିଦିନଠାରୁ ମୁଁ ସ୍କୁଲରେ ଚପରାଶି ଭାବେ କାମ କରୁଛି । ବିଜୁ କଲେଜରେ ପଢୁଛି । ଆମେ ଭଲରେ ଚଳୁଛୁ । ତଥାପି ସେ ଅଭୁଲା ଅତୀତ କଥା ମନେ ପଡିଲେ ଆଖିରେ ଲୁହ ଚାଲି ଆସେ । ସତରେ ଏ ଦୁନିଆ କେତେ ସ୍ୱାର୍ଥପର । ସାହାଯ୍ୟ ପାଇବା କେଡେ କଷ୍ଟ । ସାହାଯ୍ୟ ପାଇବା ପାଇଁ କିଛି ହରାଇବାକୁ ପଡେ ବୋଲି ଜାଣିଗଲି । ଦେଖିଲି ,ସ୍ୱାର୍ଥ ନ ଥିଲେ କେହି ସାହାଯ୍ୟ କରନ୍ତିନି । ଘଟଣା ଘଟିବାର କେତେ ବର୍ଷ ବିତି ଗଲାଣି, ହେଲେ ମନରୁ ସେ ଅଭୁଲା ଦିନ କଥା ପାଶୋର ଯାଇନି ।

(ସସ୍ମିତା ସାହୁ , ନାଶିକ )

ତିଳ ଡାକ୍ତର ଟଙ୍କା

Rate the content


Originality
Flow
Language
Cover design

Comments

Post

Some text some message..