Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijayini Panda

Inspirational

3  

Bijayini Panda

Inspirational

ନାରୀ ଏକ ପ୍ରେରଣା

ନାରୀ ଏକ ପ୍ରେରଣା

11 mins
14.9K


"ନାରୀ" ଦୁଇ ଅକ୍ଷର ବିଶିଷ୍ଠ ଏକ ଶବ୍ଦ । ମାତ୍ର ବ୍ୟାପକ ତାର ସଂଜ୍ଞା । ନାରୀ ଅର୍ଥାତ ନ-ଅରୀ । ଯେ କାହାରି ଶତ୍ରୁ ନୁହେଁ, ସେ ନାରୀ । ସୃଷ୍ଟିର ସର୍ବୋତ୍କୃଷ୍ଟ ଆକର୍ଷଣୀୟ ଶକ୍ତି ଓ ମଣିଷ ସମାଜର ଏକ ଅବିଛେଦ୍ୟ ଅଙ୍ଗ, ନାରୀ । ନାରୀ ର ଜୀବନ ଏକ ତପସ୍ୟା । ସାଂସାରିକ ଜଞ୍ଜାଳମୟ ଜୀବନରେ ସେ ପୁରୁଷର ପରାମର୍ଶଦାୟିନୀ, ସଖାସ୍ୱରୂପା, ସହଧର୍ମିଣୀ ଓ ସହକର୍ମିଣୀ । ନାରୀ ଜୀଇଁବାର ଏକ ପ୍ରେରଣା । ଜୀବନର ସବୁ ଚ୍ୟାଲେଞ୍ଜ କୁ ହସି ହସି ସ୍ୱାଗତ କରିବାର ନାରୀ, ଆଜି ସବୁ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । କାଲି ପର୍ଯ୍ୟନ୍ତ ଯେଉଁ ନାରୀ କେବଳ ଭାବନାତ୍ମକ ରୂପେ ଦୁର୍ବଳ ଥିଲେ, ଆଜି ସେ ସକାରାତ୍ମକ ରୂପେ ଆର୍ଥିକବସ୍ଥା ରେ ଆତ୍ମନିର୍ଭରଶୀଳ ହୋଇଯାଇଛନ୍ତି । ଏବଂ ନିଜ ଜୀବନ ର ସମସ୍ତ ନିଷ୍ପତ୍ତି ନିଜେ ନେଇପାରୁଛନ୍ତି । ନିଜର କ୍ଷମତା ବଳରେ ଯେଉଁ ନାରୀ ମାନେ ଆଜି ପୁରୁଷଙ୍କୁ ପଛରେ ପକାଇ ସମାଜରେ ଭିନ୍ନ ଏକ ପରିଚୟ ସୃଷ୍ଟି କରି ଆମ ଆଗରେ ଉଦାହରଣ ପାଲଟି ଯାଇଛନ୍ତି, ଆଜି ସତ୍ୟ ଘଟଣା ଉପରେ ଆଧାରିତ ଗଳ୍ପରେ ଆସନ୍ତୁ ସେଭଳି ଏକ ପ୍ରେରଣାଦାୟିନୀ ଙ୍କ ବିଷୟରେ ଜାଣିବା, ଯିଏ କି ସାମ୍ପ୍ରତିକ ଯୁଗରେ ଏକ ଯୁଗାନ୍ତକାରୀ ମାଇଲ ଖୁଣ୍ଟ ।

×××××××××××××

ଆଜି ବି ମନେପଡେ ହିରୁଭାଇଙ୍କ ଘଣ୍ଟା ଦୋକାନ । ଦୀର୍ଘ ୩୦ ବର୍ଷର କଥା ଇଏ । ହିରୁଭାଇ ଥିଲେ ଆମ ପଡୋଶୀ । ତିନୋଟି ଝିଅ ଓ ସ୍ତ୍ରୀ ଙ୍କୁ ନେଇ ତାଙ୍କ ହସଖୁସିର ପରିବାର । ପୁଅ ହେବାର ଆଶା ଓ ନିଶାରେ ତିନୋଟି କନ୍ୟା ସନ୍ତାନର ଜନକ ହିରୁଭାଇ । ଆର୍ଥିକ ପରିସ୍ଥିତି ସେତେ ସ୍ୱଚ୍ଛଳ ନ ହେଲେ ବି ଘଣ୍ଟା ଦୋକାନ ଟା ସେତେବେଳେ ସହରରେ ବେଶ ନାଁ କରିଥିଲା । କାରଣ ସେ ସମୟରେ "କଳ ଘଣ୍ଟା" ର ପ୍ରଚଳନ ଜୋରରେ ଚାଲିଥିଲା । ଆଉ ସମ୍ବଲପୁର ସହରରେ କାଁ ଭାଁ ଆଠ ଦଶ ଟି ଘଣ୍ଟା ଦୋକାନ ଥିଲା । ବଡ଼ ଝିଅ ଗୁଡି ମଝିଆ ଝିଅ "ବାବୁ" ଓ ସାନ ଝିଅ "ପିଂକି" । ବଡ଼ ଝିଅ ଜନ୍ମ ହେବାପରେ ବହୁ ଆଶାରେ ସ୍ୱାମୀ ସ୍ତ୍ରୀ ଗୋଟିଏ ପୁଅର ପରିକଳ୍ପନା କରିଥିଲେ । ତାଙ୍କ ଆଶାରେ ଭଟ୍ଟା ପଡିଗଲା ପୁଣି ଝିଅ ଟିଏ ହେଲା ଦ୍ବିତୀୟ ଥର । ଦୁଖୀ ତ ହେଲେ ନିଶ୍ଚୟ କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ମନକୁ ସୁଦୃଢ଼ କଲେ ଏବଂ ବିଚାର କଲେ ଭବିଷ୍ୟତରେ ଗୋଟିଏ ପୁଅ ଯାହା କରି ପାରିବ, ୟେ ଝିଅ ହୋଇ ତାହା କରି ଦେଖାଇବ । ଏଣୁ ପୂର୍ବରୁ ବାଛିଥିବା ନାଁ ଅନୁଯାୟୀ ତା' ନାଁ ରଖିଲେ 'ବାବୁ' । ସବା ସାନ ଝିଅ ପିଂକି ପୁଣି ତାଙ୍କ ଆଶାକୁ ନିରାଶ କରିଦେଲା । ସେ ଯାହେଉ ତିନି ଝିଅଙ୍କୁ ନେଇ ତାଙ୍କ ସଂସାର । କିନ୍ତୁ ସବୁଦିନ ସମାନ ଯାଏନା । ସୁଖ ପରେ ଦୁଃଖ ଆଉ ଦୁଃଖ ପରେ ସୁଖ, ଏଇତ ସଂସାର ର ନିୟମ । 

ଆସ୍ତେ ଆସ୍ତେ କଳଘଣ୍ଟାର ଯୁଗ ପରିବର୍ତନ ହୋଇ ଇଲେକ୍ଟ୍ରୋନିକ ଘଣ୍ଟାର ପ୍ରଚଳନ ଆଦୃତ ହେଲା । ଫଳରେ ତାଙ୍କର ଆର୍ଥିକ ଅବସ୍ଥା ଦୁର୍ବଳ ହେବାରେ ଲାଗିଲା । ଦୋକାନର ବିକ୍ରିବଟା ମାନ୍ଦା ହେବାକୁ ଲାଗିଲା । ତିନି ଝିଅର ପାଠପଢାର ବୋଝ, ଘରଖର୍ଚ୍ଚ , ଘରଭଡା, ପୁଣି ଦୋକାନ ଘର ଭଡା । ଆର୍ଥିକ ପରିସ୍ଥିତି ରେ ସୁଧାର ଆଣିବା ପାଇଁ ହିରୁଭାଇ ଙ୍କ ସ୍ତ୍ରୀ ଘରେ ବଡି, ପାମ୍ପଡ଼, ଆଚାର ଇତ୍ୟାଦି ପ୍ରସ୍ତୁତ କଲେ । ଝିଅ ମାନେ ପାଠ ପଢିବା ସଂଗେ ସଂଗେ ତାଙ୍କୁ ଏ କାମରେ ସହଯୋଗ ମଧ୍ୟ କରୁଥିଲେ । ସେ ସମୟରେ ହାତବୁଣା ସୁଇଟର ର ଚାହିଦା ଅଧିକ ଥିଲା । କାରଣ ଯୁଗ ଏତେ ଆଗକୁ ବଢି ନ ଥିଲା କି ମେସିନ ବୁଣା ସୁଇଟର ଲୋକେ ଦେଖି ନଥିଲେ । ଏମିତି ବିଭିନ୍ନ ଆୟ ଉପାୟ କରି ପରିବାର ଦୁଇ ପଇସା ଯୋଗାଡ଼ କରିବାରେ ଲାଗିଲେ । ଆସ୍ତେ ଆସ୍ତେ ପରିସ୍ଥିତି ଜଟିଳ ହେବାକୁ ଲାଗିଲା । ସାନ ଝିଅ ପିଂକି ଏକ ଅଜଣା ରୋଗରେ ଆକ୍ରାନ୍ତ ହେଲା । ତାକୁ ଚିକିତ୍ସା କରିବା ପାଇଁ ମଧ୍ୟ ଅର୍ଥ ବାଧକ ସାଜିଲା । ଏମିତି ପରିସ୍ଥିତି ବି ଜୁଟିଲା ଯେ, ସେମାନେ ଗୋଟିଏ ବେଳା ଖାଇ ଆଉ ଗୋଟିଏ ବେଳା ଓପାସ ରେ ରହିଲେ । ସୁଦୂର ଗୁଜୁରାଟ ରୁ ରୋଜଗାର ଆଶାରେ ସେମାନେ ଆସିଥିଲେ ସମ୍ବଲପୁର । ଏଠାରେ ତାଙ୍କ ନିଜ ଜାତି ବିରାଦରୀ ର କେତେ ଘର ଛାଡ଼ି ଦେଲେ ଆଉ କେହି ଆତ୍ମୀୟ ସ୍ଵଜନ ନାହାନ୍ତି । ପାଖ ପଡୋଶୀ ବି କେତେ ବା ସାହାଯ୍ୟ କରିବେ ? ତଥାପି ଗୁଡି ମମି ର ବ୍ୟବହାର ଅତି କୋମଳ ବୋଲି ପାଖ ଆଖର ସ୍ତ୍ରୀ ଲୋକମାନେ ନିଜ ଘର ଲୋକଙ୍କ ଠୁ ଲୁଚେଇ ଛପେଇ ବହୁତ ସାହାଯ୍ୟ କରୁଥିଲେ । କିଛିଦିନ ପରେ ହଠାତ ପିଂକି ଆଖି ବୁଜିଦେଲା । ଘର ଲୋକେ ଭାଙ୍ଗି ପଡିଲେ । ଉପଯୁକ୍ତ ଚିକିତ୍ସା ଅଭାବରୁ ପିଲାଟା ଆଖି ବୁଜି ଦେଲା ବୋଲି ମର୍ମାହତ ହୋଇପଡିଲେ ପିତାମାତା । ସେତେବେଳେ ବଡ଼ ଦୁଇ ଝିଅ ଉଚ୍ଚ ଶିକ୍ଷାରେ ପାଦ ଦେଇ ସାରିଥିଲେ । ବହୁତ ଅଭାବ ଅନଟନ ତଥା ମାନସିକ ଅଶାନ୍ତି ଘେରରେ ପାଠପଢ଼ା ଚାଲିଥିଲା । ବଡ଼ ଝିଅ ସ୍ନାତକ ରେ ବିଦ୍ୟା ଶିକ୍ଷା ରେ ପୂର୍ଣ୍ଣଛେଦ ପକାଇଥିବା ବେଳେ ମଝିଆ ଝିଅ "ବାବୁ" ଅର୍ଥନୀତିରେ ସ୍ନାତକୋତ୍ତର ପର୍ଯ୍ୟନ୍ତ ପଢିପାରିଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ । ବୋହି ଯାଉଥିବା ନଈ ର ସୁଅ କୁ ଯେମିତି କୌଣସି ପ୍ରତିବନ୍ଧକ ଅଟକାଇ ପାରେନି, ଠିକ ସେଭଳି ବାବୁର ପାଠପଢିବାର ଦକ୍ଷତା ଆଗରେ କେହି ବି ପ୍ରତିବନ୍ଧକ ସାଜି ପାରିନ ଥିଲେ । ଏତେ ଝଡଝଞ୍ଜା ସତ୍ତ୍ୱେ ଆଖିରେ ଆଖିଏ ସ୍ବପ୍ନ ନେଇ ଜୀବନର ଗୋଟିଏ ଲକ୍ଷ ରେ ପହଂଚିବାର ଆଶାଟିଏ ସଞ୍ଚୟ କରିଥିଲେ ମନ ଭିତରେ । ବାରମ୍ବାର ନିଜର ଗରିବ ପଣିଆ ଠାରେ ଅସହାୟ ହୋଇ ପଡୁଥିବା ଝିଅ "ବାବୁ" କିନ୍ତୁ ମାନସିକ ସ୍ତରରେ ଭାଙ୍ଗି ପଡି ନ ଥିଲା । ଅସହାୟତା ହିଁ ନାରୀ କୁ ପ୍ରବୀଣା କରେ । ସେ ଠିକ ଜାଣିଥିଲା ଯେ କେତେବେଳେ ଚାବିପେନ୍ଥାର ଶେଷ ଚାବିରେ ହିଁ ତାଲା ଖୋଲିଥାଏ । 

କିଛିଦିନ ପରେ ସେମାନେ ନିଜର ସ୍ୱାଭିମାନ ସାମନାରେ ଆଉ ନିଜକୁ ବନ୍ଧା ନ ପକାଇ ବାହାରିଲେ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବାକୁ । କାରଣ ଗାଁ ରେ ନିଜର ବୋଲି ଟିକିଏ ଜମିବାଡ଼ି ଥିଲା । ସେଇ ଜମି କୁ ହିଁ ବୋହିଯାଉଥିବା କୁଟାଖିଅ ଆଶ୍ରା କରି ଦିନେ ରାତ୍ରିର ନିସ୍ତବ୍ଧ ପ୍ରହରରେ ଫେରିଗଲେ ଗୁଜୁରାଟ । ଆସ୍ତେ ଆସ୍ତେ ସେଇ ଗୁଜୁରାତି ପରିବାର ଆମ ପାଇଁ ଇତିହାସ ପାଲଟି ଗଲେ ।

×××××××××××××××××

ଦୀର୍ଘ ତିରିଶ ବର୍ଷ ପରେ........

ଦିନେ ଡ୍ୟୁଟିରେ ସ୍ୱାମୀ ବାହାରିଲେ ଅହମଦାବାଦ। ସ୍ୱାମୀଙ୍କ ସାଥିରେ ମୋର ବି ଟିକେଟ କରାହେଲା । ଇଚ୍ଛା ଥିଲା ସୋମନାଥ ମନ୍ଦିର ଓ ଦ୍ଵାରିକା ଧାମ ଦର୍ଶନ କରିବା ଏଣୁ ବାହାରିଲି । ମନ ଭିତରେ ଆଉ ଗୋଟିଏ ଉତ୍ସୁକତା ବି ଥିଲା ଯଦି ସମ୍ଭବ ହୁଏ ତାହେଲେ ସେ ଗୁଜୁରାଟୀ ଫାମିଲି କୁ ବି ଭେଟିବି । ସ୍ୱାମୀ ମଧ୍ୟ ପ୍ରତିଶୃତି ଦେଲେ। ଟ୍ରେନ ର ଗତି ଯେତେ ବଢୁଥାଏ, ମୋ ମନ ଭିତର ଟା ସେତେ ଉଦବେଗ ହେଉଥାଏ । ଆଜି ମୁଁ 40 ବର୍ଷ ର ପୌଢା। କିନ୍ତୁ ସେ ୩୦ ବର୍ଷ ତଳ ର କଥା କେଜାଣି କାହିଁକି ମୋ ମନ କୁ ଅସ୍ତବ୍ୟସ୍ତ କରି ପକାଉଥାଏ । ବହୁ କଷ୍ଟରେ ଫୋନ ନମ୍ବର ଟା ସଂଗ୍ରହ କରିଥିଲି ତାଙ୍କର ଜଣେ ଆତ୍ମୀୟ ଲୋକଙ୍କ ଠାରୁ । ମନରେ ଅସରନ୍ତି ଆଶା ଲହଡା ଭାଙ୍ଗୁଥିଲା ସେମାନଙ୍କ ସହ ସାକ୍ଷାତ ପାଇଁ । ମୁଁ ଶୁଣିଥିଲି ସେମାନେ କୁଆଡେ ଏବେ ବହୁତ ବଡ଼ଲୋକ ହୋଇଯାଇଛନ୍ତି । ଇତି ମଧ୍ୟରେ ଟ୍ରେନ ପହଂଚିଗଲା ଅହମ୍ମଦାବାଦ ରେ ଷ୍ଟେସନ ରେ । ଆମେ ଗୋଟିଏ ଭଲ ହୋଟେଲ ରେ ପହଂଚିଲୁ। ରାତି ରେ ରେଷ୍ଟ କରିସାରିବା ପରେ ସକାଳ 9 ଟା ରେ ସ୍ୱାମୀ ବାହାରିଲେ ତାଙ୍କ କାମରେ । ଏବେ ମୁଁ ହୋଟେଲରେ ପୁରା ଏକା। ଲୁଗା ପଟା ଟିକେ ସଜାଡିକି ରଖିବା ପରେ ଟି ପଏ ଉପରେ ହୋଟେଲ ବଏ ରଖିଯାଇଥିବା ଏକ ମେଗାଜିନ ଉପରେ ନଜର ଟା ଅଟକିଗଲା। ମେଗାଜିନ ର କଭର ପେଜ ରେ ଥିବା ଫୋଟୋ ଟି ମତେ ଚିହ୍ନା ଚିହ୍ନହା ଲାଗିଲା।ସେଇ ପ୍ରଚ୍ଛଦ ପଟ ଉପରେ ଲେଖାଥିଲା "ଭାଗ୍ୟେଶ ସୋନିଜୀ " "The successful business woman of Gujarat." ତାପରେ ..ମୁଁ ରଖିଥିବା ଫୋନ ନମ୍ବର ରେ ଏକ ଅଜଣା ଉତ୍ସୁକତା ର ସହ ଫୋନକୁ ଡାଏଲ କଲି। ଅପର ପାର୍ଶ୍ୱ ରୁ ଏକ ନାରୀ କଣ୍ଠସ୍ୱର ଭାସି ଆସିଲା ହେଲ୍ଲୋ, who are u ??? ମୁଁ କମ୍ପିଲା ଓଠରେ ମୋର ପରିଚୟ ଦେବା ପରେ ସେ ପାର୍ଶ୍ୱ ରୁ ସମ୍ପୂର୍ଣ୍ଣ ଓଡିଆରେ ଉତ୍ତର ଆସିଲା ତୋର ହୋଟେଲର ଆଡ଼ଡ୍ରେସ କଣ ?

ସମୟ 4ଟା । ସ୍ୱାମୀ ଅଫିସ କାମ ସାରି ଠିକ ହୋଟେଲ କୁ ପହଞ୍ଚିଛନ୍ତି କି ନାଇଁ ବଏ ଆସି କହିଲା କିଏ ଜଣେ ଆପଣ ଙ୍କ ସାକ୍ଷାତ ରେ ଆସିଛନ୍ତି । ମୁଁ ଜାଣିଗଲି । ହୋଟେଲର ମିଡ଼ିଲ ଫ୍ଲୋରରୁ ଯେତେବେଳେ ଓଲ୍ହାଇଲି ତଳ କୁ, ଯାହା ଦେଖିଲି ଆନନ୍ଦ ଓ ଆଶ୍ଚର୍ଯ୍ୟ ହେବା ସହ ଅସଂଖ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଥିଲା ମୋ ମନ ଭିତରେ । ରିସେପସନ ଲାଉଞ୍ଚ ରେ ବସିଥିଲେ ଜଣେ ଅତ୍ୟନ୍ତ ଆଧୁନିକା ବେଶଭୁଷାରେ ସଜ୍ଜିତା ସୁନ୍ଦରୀ ମହିଳା । ମାଇକ୍ରୋ ଏକଜିକ୍ୟୁଟିଭ ଡ୍ରେସ ପରିହିତା, ଆଭିଜତ୍ୟର ଏକ ପ୍ରତିମୂର୍ତ୍ତି। ତାଙ୍କୁ ଘେରି ରହିଛନ୍ତି ହୋଟେଲ ମାଲିକ ତଥା ମେନେଜର ଓ ଅନ୍ୟାନ୍ୟ କର୍ମଚାରୀ । ପାଖରେ ଜଣେ ବନ୍ଧୁକ ଧାରୀ ଦେହରକ୍ଷୀ । ମତେ ଲାଗୁଥିଲା ମୁଁ ଯେମିତି ସ୍ୱପ୍ନ ରାଇଜ ରେ ଅଛି। ମତେ ଦେଖିବା ପରେ ହଠାତ ସେ ମୋ ବେଶ ଭୁଷାରୁ ବୋଧହୁଏ ଚିହ୍ନିଯାଇଥିଲେ। ନିଜେ ସୋଫା ଉପରୁ ଉଠିଆସି ମତେ କୁଣ୍ଢାଇ ଧରିଲେ। ମୋ ପାଟିଟା ଯେମିତି ଖନୀ ମାରିଯାଉ ଥିଲା । ଅନେକ ଗୁଡିଏ ଅସମାହିତ ପ୍ରଶ୍ନ ରେ ଗୁଡେଇ ହୋଇ ଯାଉଥିଲି ମୁଁ । ତାଙ୍କ ଘରକୁ ନେବାପାଇଁ ସେ ଆସି ଥିଲେ। ସଂଗେ ସଂଗେ ଆମେ ଦୁହେଁ ରେଡି ହୋଇ ବାହାରିଲୁ ତାଙ୍କ ସହ। ଆମେ ରହୁଥିବା ହୋଟେଲ ଠାରୁ 30 କି.ମି ଦୂର ଥିଲା ତାଙ୍କ ନିବାସ। ଦୁଇ ଦୁଇଟି ଲମ୍ବା ଚାରିଚକିଆ ଭାରି ଯାନ ସହ ଦୁଇଟି ଚାକର ୟୁନିଫର୍ମ ପରିହିତ । ଏକା ନିଶ୍ୱାସ ରେ ମୁଁ ତାଙ୍କୁ ଗୁଡିଏ ପ୍ରଶ୍ନ ପଚାରିଦେଲି ଗାଡି ଭିତରେ ।

ଇତି ମଧ୍ୟରେ ପହଂଚି ସାରିଥିଲୁ ତାଙ୍କ ଘରେ। ଏତେ ବଡ଼ ବିରାଟ ରାଜପ୍ରାସାଦ ଓ ଆନୁମାନିକ 12 ରୁ 15 ଜଣ ଭୃତ୍ୟ, ବଡ଼ ଭଉଣୀ ଗୁଡ୍ଡି ଦିଦି, ତଥା ମାଁ ନିଜେ ଆମ ସ୍ୱାଗତ ରେ ଛିଡା ହୋଇଥିଲେ । ଜୋରଦାର ଗୋଟିଏ ସ୍ୱାଗତ ହେଲା ପରେ ଯେତେବେଳେ ସେ ସ୍ୱପ୍ନ ମହଲ ଭିତରକୁ ଆମେ ପ୍ରବେଶ କଲୁ,ଦେଖିଲି ଆଗରୁ ଗଣ ମାଧ୍ୟମ ତଥା ନିଉଜ ପେପର ବାଲା (ସାମ୍ବାଦିକ) ଓ ନିଜ ଅଫିସ ର କେତେକ କର୍ମଚାରୀ ତାଙ୍କ ଅପେକ୍ଷା ରେ ଥିଲେ। ଏମିତି ଜଣେ କର୍ମବ୍ୟସ୍ତ ମହିଳା ଙ୍କ ଅନ୍ତରଙ୍ଗ ସାଜି ନିଜକୁ ଖୁବ ଗର୍ବିତ ମନେ କରୁଥିଲୁ ଆମେ ଦି ଜଣ। ମୋର ଜିଦ କ୍ରମେ, ଆତିଥ୍ୟରେ ଆପ୍ୟାୟିତ ହେବା ପରେ ଆରମ୍ଭ ହେଲା "ଭାଗ୍ୟେଶ ସୋନିଜି" ଓରଫ 'ବାବୁ ଦିଦି'ଙ୍କ ସଫଳତାର କାହାଣୀ ।

ଯେତେବେଳେ ସେମାନେ ସମ୍ବଲପୁର ଛାଡି ନିଜ ପୈତୃକ ମାଟି କୁ ଫେରିଯିବାକୁ ନିଷ୍ପତ୍ତି ନେଲେ ସେତେବେଳେ ବାବୁ ଦିଦିଙ୍କ PG ସରିଯାଇଥିଲା ଅର୍ଥନୀତି ଶାସ୍ତ୍ରରେ । ନିଜ ମାଟିକୁ ଫେରିବା ପରେ ପ୍ରଥମେ ସେ ଓ ବଡ଼ ଭଉଣୀ ସେଠି ଟିଉସନ ଆରମ୍ଭ କଲେ । ଟିଉସନ କରିବା ସହ ଗୁଜୁରାଟ ସରକାର ଙ୍କ ଏକ ପ୍ରଶିକ୍ଷଣ ଶିବିରରେ ଯୋଗଦେଲେ ଦୁଇ ଭଉଣୀ । ସେଠି ତାଲିମ ଦିଆଯାଉଥିଲା ବିନା ରାସାୟନିକ ସାର ପ୍ରୟୋଗରେ ଚାଷ ପ୍ରଣାଳୀ । ସମ୍ପୂର୍ଣ ଜୈବିକ ଚାଷ । ଦୁଇ ଭଉଣୀ ଟ୍ରେନିଂ ପରେ ନିଜର କରି ଯେଉଁ ଚାଷ ଜମି ଥିଲା, ସେଥିରେ ପ୍ରଥମେ ନିଜେ ପରିଶ୍ରମ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ ପ୍ରକ୍ରିୟା ଶୁଭାରମ୍ଭ କଲେ ।

ଏମିତି ବହୁତ ସଂଘର୍ଷ ସହ ଚାଷ କାମରେ ଆଗେଇ ଯିବାପରେ ଆଜି ସମୟରେ ସେମାନେ ଶହେ ଏକର ପରିମିତ ଏକ ଅର୍ଗାଅନିକ ଫାର୍ମର ମାଲିକାଣି ସାଜିଛନ୍ତି । ସେ ଚାଷ ଜମିର ସମ୍ପୂର୍ଣ ଦାୟିତ୍ୱ ବଡ଼ ଭଉଣୀ ଗୁଡି ତୁଲାଉଛନ୍ତି । ଏହାପରେ ବାବୁ ଦିଦି ଦୃଢ଼ ନିଷ୍ପତ୍ତି ନେଇଥିଲେ ଯେ ସେ ବିଜିନେସ କରିବେ । ଆଉ ଦିନେ ସଫଳତାର ଶୀର୍ଷରେ ନିଶ୍ଚୟ ପହଞ୍ଚିବେ । ଏହି ମନୋବୃତ୍ତି ନେଇ ସେ ଏକ ସ୍ବପ୍ନ ଦେଖିଲେ । ସେ ଅନୁଭବ କଲେ ଯେ PG କରିବା ସମୟରେ ତାଙ୍କର ସ୍ପେସିଆଲ ପେପର ଯେହେତୁ ଆନ୍ତର୍ଜାତିକ ବ୍ୟାପାର ଥିଲା, ତାକୁ ଭିତ୍ତି କରି ବା ଏହି ପାଠ୍ୟକ୍ରମ ର ସାହାଯ୍ୟରେ ସ୍ବପ୍ନ ଦେଖିଲେ ଯେ ସେ ଦିନେ ସାତ ସମୁଦ୍ର ଲଙ୍ଘନ କରିବେ । ଆଉ ସେଇ ସ୍ବପ୍ନ କୁ ସେ ନିଦ୍ରିତ ଅବସ୍ଥା ରେ ଦେଖୁ ନଥିଲେ ବରଂ ଦେଖୁଥିଲେ ଖୋଲା ଆଖିରେ । କାରଣ ସେ ଅନୁଭବ କରିଥିଲେ ଶୋଇଥିବା ଅବସ୍ଥାରେ ଦେଖୁଥିବା ସ୍ବପ୍ନ କେବେ ସଫଳ ହୁଏ ନାହିଁ, ସେହି ସ୍ବପ୍ନ ସଫଳ ହୁଏ ଯେଉଁ ସ୍ବପ୍ନ ନିଜକୁ ଶୋଇବାକୁ ଦିଏ ନାହିଁ । ଏହିଭଳି ଏକ ଲକ୍ଷ କୁ ଆଖି ଆଗରେ ରଖି ଆରମ୍ଭ କଲେ ସେ ନିଜର ଯାତ୍ରା । ପ୍ରଥମେ ଏକ ପ୍ରାଇଭେଟ କମ୍ପାନୀ ରେ ମାର୍କେଟିଙ୍ଗ ମେନେଜର ଭାବେ ଯୋଗଦାନ କଲେ । ଚାରି ବର୍ଷ ଚାକିରୀ କରିବା ପରେ ସେ ନିଷ୍ପତ୍ତି ନେଲେ ଯେ ଏକା ବ୍ୟକ୍ତିଗତ ବ୍ୟବସାୟ କରିବେ । ସେଇ ଅନୁଭୂତି ହିଁ ପରବର୍ତ୍ତୀ ମୁହୂର୍ତ୍ତରେ ଜଣେ ସଫଳ ଉଦ୍ୟୋଗପତି ହେବାରେ ସାହାଯ୍ୟ କଲା । ତାପରେ ସେ ବାହାରିଲେ ସାତ ସମୁଦ୍ର ଲଙ୍ଘନ ନିମନ୍ତେ । ଚାକିରୀ ଓ ଟିଉସନରୁ ସଞ୍ଚୟ କରିପାରିଥିଲେ ମାତ୍ର ପନ୍ଦର ହଜାର ଟଙ୍କା । ବ୍ୟାପାର ଦୁନିଆରେ ମାତ୍ର ପନ୍ଦର ହଜାର ଓ ଅସରନ୍ତି ସ୍ବପ୍ନ । ଅପୂର୍ବ ସାହାସ ନେଇ ବାହାରିଲେ ସେ ବିଜିନେସ ଦୁନିଆଁ କୁ । ଏଇ ଚାରି ବର୍ଷ ର ଅଭିଜ୍ଞତା ତାଙ୍କୁ ବିଶେଷ କାମ ଦେଲା ଏକ ବ୍ୟକ୍ତିଗତ ବିଜିନେସ ଟିଏ ଛିଡା କରିବାକୁ । 

୧୯୯୧ ରେ ଯେତେବେଳେ ସୋଭିଏତ ୟୁନିଅନ ଖଣ୍ଡ ହୋଇ ଭାଗ ହୋଇଗଲା । ସେ ଭିତରେ ଯେଉଁ ଛୋଟ ଛୋଟ ଦେଶ ବାହାରିଲେ ଯଥା ୟୁକ୍ରେନ, ଉଜବେକିସ୍ତାନ, ଅର୍ମେନିଆ, ଜର୍ଜିଆ ଇତ୍ୟାଦି ଦେଶକୁ ପ୍ରଥମେ ମେଡ଼ିସିନ ରପ୍ତାନି କଲେ । ଯେହେତୁ ସେହି ଦେଶ ମାନେ ନୁଆଁ କରି ଗଠନ ହୋଇଥିଲେ ଓ ଛୋଟ ଛୋଟ ଗରିବ ରାଷ୍ଟ୍ର ଥିଲେ, ତେଣୁ ସେ ରାଷ୍ଟ୍ର ଗୁଡିକୁ ଔଷଧ ରପ୍ତାନି କେହିବି ବିଜିନେସ ମେନ ସାହାସ ବି କରୁ ନ ଥିଲେ । ସେହି ପରିସ୍ଥିତିରେ ଆଜିର ନାରୀ ନିଜର ବୁଦ୍ଧିମତା ଓ ଅଦମ୍ୟ ସାହାସ ବଳରେ ପ୍ରଥମେ ଔଷଧ ରପ୍ତାନୀ କରିବାର ଏକ ଚେଲେଞ୍ଜ ନେଲେ ଏବଂ ସେହି ଚେଲେଞ୍ଜ ହିଁ ତାଙ୍କ ଜୀବନର ମାଇଲଖୁଣ୍ଟ ହୋଇ ତାଙ୍କୁ ପ୍ରତିଷ୍ଟିତ କରାଇଲା, ଏକ ସଫଳ ବିଜିନେସ ଓମେନ ଭାବରେ । ବର୍ତମାନ ର ଯୁଗରେ ପୁରୁଷ ସହିତ ସମାନ ତାଳ ଦେଇ ଆଗକୁ ବଢ଼ିବାର ପରିବର୍ତେ ଅସଂଖ୍ୟ ପୁରୁଷ ଙ୍କୁ ପଛରେ ପକେଇ ଜୀବନ ର ଦୌଡ ରେ ଆଗକୁ ବଢିଚାଲିଲେ ଭାଗ୍ୟେଶ ସୋନିଜୀ।

ଏହା ସହିତ ସାରା ଭାରତ ର ହସ୍ତକଳା ସଂଗ୍ରହ କରି ବିଦେଶ କୁ ଏକ୍ସପୋର୍ଟ କରନ୍ତି ଭାଗ୍ୟେଶ । ଶହ ଶହ ମହିଳା ଙ୍କୁ ନିଜ କମ୍ପାନୀ ରେ ଚାକିରୀ ଦେଇ ଅନେକ ପରିବାର ର ଖୋରାକ ସାଜିଛନ୍ତି ସେ । ଆଜି ର ନାରୀ ମାନେ, ଯେଉଁମାନେ କି ପରିସ୍ଥିତି ର ଶିକାର ହୋଇ ଚାରିକାନ୍ଥ ରେ ଆବଦ୍ଧ ,ସେମାନଙ୍କୁ ହସ୍ତକଳା ର ପ୍ରୋତ୍ସାହନ ଦେବା ସହ ତାଙ୍କ ଠାରୁ ହସ୍ତକଳା ସଂଗ୍ରହ କରି ତାର ଉଚିତ ମୂଲ୍ୟ ଦେଇପାରିଛନ୍ତି ସେ। ଆଜିର ପୃଷ୍ଠା ରେ ସେ "Ameda Pharma Pvt Ltd ର Chief Managing Director.

"Elegent India Company ର Owner .ଯେଉଁ କମ୍ପାନୀ କି ବାହାର ଦେଶ କୁ, ବିଶେଷତଃ ୟୁକ୍ରେନ, ଅଷ୍ଟ୍ରେଲିଆ, କେନିଆ ଆଦି ଦେଶକୁ ଔଷଧ ରପ୍ତାନି କରେ। ତାଛଡା ASSOCHAM (Associate Chamber of Commerce of Gujrat ) ର Chairperson. 

ଗୁଜୁରାଟ ର ବିଭିନ୍ନ ଖବରକାଗଜ, ଗଣମାଧ୍ୟମ, ବିଭିନ୍ନ ମେଗାଜିନ ଏବଂ ସୋସିଆଲ ମିଡ଼ିଆ ରେ ଆଜି ର ତାରିଖ ରେ ଉଦ୍ୟୋଗ ପତି ଭାଗ୍ୟେଶ ସୋନିଜୀ ଙ୍କ ସ୍ଥାନ ସବା ଶୀର୍ଷରେ। ଆଜି ଯୁଗର ସହିତ ତାଳ ଦେଇ ତାଙ୍କର ଚାଲି ଚଳନ, ବେଶଭୁଷା, ବସିବା ଉଠିବା ର ଶୈଳୀ, କଥା କହିବାର ଢଙ୍ଗ ସବୁକିଛି ପରିବର୍ତନ ହୋଇଯାଇଛି । ମାତ୍ର ହୃଦୟ ତାଙ୍କର ଏ ଯାବତ ପରିବର୍ତନ ହୋଇ ପାରିନାହିଁ ।

ଗରିବ, ଅସହାୟ, ପିଡିତା ମହିଳାଙ୍କ ଆଶା ର କିରଣ ଟିଏ ସାଜିଛନ୍ତି। ଅନେକ ଗରିବ ଶିଶୁ ଯେଉଁମାନେ କି ପାଠ ପଢ଼ାରୁ ବଂଚିତ ହେଇଯାଇଛନ୍ତି ସେମାନଙ୍କ ଉପରେ ସହାନୁଭୂତି ର ହାତ ଟିଏ ରଖିଛନ୍ତି ଭାଗ୍ୟେଶ।

 ଗୁଜୁରାଟ ସରକାର ଙ୍କ ପୁରସ୍କାର ପ୍ରାପ୍ତ ମହିଳା ଭାଗ୍ୟେଶ କୁ ଯେତେବବଳେ ମୁଁ ପଚାରିଲି "ଦିଦି" ଏହି ସଫଳତା ର ଶ୍ରେୟ ଆପଣ କାହାକୁ ଦେବାକୁ ଚାହାନ୍ତି ??? 

  ଏକ କୋମଳ ହୃଦୟ ତଥା ବାଷ୍ପରୁଦ୍ଧ କଣ୍ଠରେ ସେ କହିଲେ ନିଶ୍ଚିତ ଭାବେ ମାଁ ଙ୍କୁ ଦେବୀ।କାରଣ ମାଁ ହିଁ ସକଳ ପ୍ରେରଣା ର ଉତ୍ସ। ତାପରେ ଆଖି ଛଳ ଛଳ କରି କହିଲେ ମୋର ଦ୍ଵିତୀୟ ପ୍ରେରଣା ହେଉଛି ମୋ ଗରିବପଣିଆ ।

  ଦାରିଦ୍ର୍ୟର କଷା ଘାତ ହିଁ ମତେ ସଫଳ ମଣିଷ ଟିଏ କରି ଗଢି ତୋଳିଛି । ଏହାପରେ ମୋ ପିଠିରେ ହାତଟେ ରଖି କହିଲେ...

  ଗୋଟିଏ ସ୍ୱପ୍ନ ଭାଙ୍ଗିଯିବା ପରେ ଆଉ ଗୋଟିଏ ସ୍ୱପ୍ନ ଦେଖିବାର ସାହସ ହିଁ ବୋଧହୁଏ ଜୀବନ । ମୁଁ ସ୍ପଷ୍ଟ ଲକ୍ଷ କରୁଥିଲି ଏ ସବୁ କହିଲା ବେଳେ ତାଙ୍କର ଆଖି ଦୁଇଟିରୁ ଆନନ୍ଦ ର ଅଶ୍ରୁ ଅବାରିତ ହୋଇ ବାରମ୍ବାର ବୋହି ଆସୁଥିଲେ ଓଠ ପାଖକୁ। କେବଳ ଏତିକି ରେ କାହାଣୀ ର ସମାପ୍ତି ହୋଇ ନ ଥିଲା ମାଁ ଙ୍କୁ ଯେତେବେଳେ ପଚାରିଲି ତାଙ୍କ ନିଜ କଥା ସେ ଯାହା ଉତ୍ତର ଦେଲେ ,ମୋର ଛାତି ଗର୍ବ ରେ ଫୁଲିଗଲା। ୭୨ ବର୍ଷୀୟା ମନୁ ବେନ କହିଲେ ସେ ବର୍ତମାନ ସଂସ୍କୃତ ରେ PG କରୁଛନ୍ତି, ପ୍ରାଇଭେଟ ରେ । ଜୀବନ ର ଉଠାଣି ଗଡାନି ରେ ତାଙ୍କର ଯାହା ଯାହା ଇଛା ଅଭିଳାଷ ବାକି ରହିଯାଇଥିଲା ଆଜି ସେ ନିଜ ଝିଅ ର ଉଦ୍ୟମ ରେ ତାହା ପୂରଣ କରିପାରୁଛନ୍ତି। ସେ ଆହୁରି କହିଲେ ପିଲାବେଳେ ଦେଇଥିବା ଭାଗ୍ୟେଶ ନାମ ଟି କୁ ସେ ନିଜେ ସାର୍ଥକ କରିଛି। ମୋ ବେଟା ନିଜ ହାତରେ ନିଜ ଭାଗ୍ୟକୁ ନେଇ ଆସିଥିଲା।

  ଭାଗ୍ୟେଶ ସୋନିଜୀ ଙ୍କୁ ସେତେବେଳେ ଅପେକ୍ଷା କରିଥିଲେ ଏକ TV ଚେନାଲ ଏକ ସାକ୍ଷାତ କାର ପାଇଁ। ତାଙ୍କର ଏକ ପ୍ରଶ୍ନ ର ଉତ୍ତର ରେ ସେ କହିଲେ ତାଙ୍କର ସଫଳତା ର କାରଣ ଓଡିଶା ମାଟି ର ଶିକ୍ଷା ବ୍ୟବସ୍ଥା। ସେ ପ୍ରଦେଶ ର ଶିକ୍ଷା ଏତେ ଉନ୍ନତ ଯେ ଆଜି ମତେ ଏକ ସଫଳ ବିଜିନେସ ଓମେନ ରୂପେ ସମାଜ ରେ ମୁଣ୍ଡଟେକି ଛିଡା କରେଇ ପାରିଛି।

  

 ମୁଁ ମର୍ମେ ମର୍ମେ ଅନୁଭବ କରୁଥିଲି, ସତ୍ୟ ପଥରେ ଅସୁବିଧା ଅଛି, ଉତଥାନ ପତନ ଅଛି ,ସଂଘର୍ଷ ଅଛି ହେଲେ ପରାଜୟ ନାହିଁ। ମିଥ୍ୟା ପଥରେ ସବୁ ସୁବିଧା ହେଲେ ବି ବିଜୟ ର ଆତ୍ମତୃପ୍ତି ନାହିଁ। ଯେଉଁଠି ଆତ୍ମତୃପ୍ତି ନାହିଁ ସେଇଠି ବିଜୟର ସ୍ୱାଦ କାହିଁ ???

ଆଜି ର ନାରୀ "ଭାଗ୍ୟେଶ ସୋନିଜୀ" ଅପୂର୍ବ ଦୀପ୍ତି ଓ ଦ୍ୟୁତି ର ଅଧିକାରିଣୀ..... 

ନାରୀ ପ୍ରେମର ଚିରନ୍ତନ ଆଦର୍ଶ, ମହାସମୁଦ୍ର ପରି ଗଭୀର.....

ସ୍ନେହାସିକ୍ତ ତାର ହୃଦୟ.......

ସ୍ରୋତସ୍ୱିନୀ ନଈ ପରି ତାର ଗତି....

ଜନନୀ, ଭଗିନୀ,ପତ୍ନୀ,ନନ୍ଦିନୀ ସବୁ ରୂପରେ ସେ ମଙ୍ଗଲଦାୟିନୀ......

ସୁନ୍ଦରତା ରେ ସେ ମେନକା, ଉର୍ବଶୀ......

ବିଦୁଷି ନାରୀ ର ପ୍ରତିମୂର୍ତ୍ତି ସେ ଗାର୍ଗୀ, ମୈତ୍ରୀ......

ପୁରୁଷ ସହ ସମସ୍କନ୍ଧ ହୋଇ ପାଦ ରେ ପାଦ ମିଳାଇ ଆଗକୁ ବଢ଼ିବା ପରିବର୍ତେ ଅନେକ ପୁରୁଷ ଙ୍କୁ ଜୀବନର ଦୌଡ ରେ ପଛରେ ପକାଇ ଆଜି ଶୀର୍ଷ ସ୍ଥାନରେ ପହଂଚି ପାରିଛି ନାରୀ ......

ଦୁଷ୍ଟ ସଂହାର କର୍ତ୍ତା ଦୁର୍ଗା, କାଳୀ, ସିଂହବାହିନୀ ....

ଦୁର୍ବଳା ନୁହେଁ ସେ, ପ୍ରତିକ୍ଷେତ୍ର ରେ ସବଳା....

ଯୁଗେ ଯୁଗେ ପୂଜନୀୟା, ବନ୍ଦନୀୟା, ବିଜୟିନୀ....

ସାମ୍ପ୍ରତିକ ଯୁଗରେ ସେ ପାଲଟିଛି ପ୍ରେରଣା ଦାୟିନୀ ...... 

 

ଏପରି ଏକ ଉଦାହରଣ ପାଲଟିଛନ୍ତି ଆଜିର ନାରୀ ଭାଗ୍ୟେଶ ସୋନିଜୀ.. "ନାରୀ ଜାତି ପାଇଁ ଏକ ପ୍ରେରଣା।"

●●● ବିଜୟିନୀ ପଣ୍ଡା

ଶିକ୍ଷୟିତ୍ରୀ, 

ମହମ୍ମଦପୁର ନୋଡାଲ ହାଇ ସ୍କୁଲ, ସମ୍ବଲପୁର


Rate this content
Log in

Similar oriya story from Inspirational