Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Paramita Sarangi

Others

4.8  

Paramita Sarangi

Others

"ଜୀବନର ଅନ୍ୟ ଏକ ରଂଗ"

"ଜୀବନର ଅନ୍ୟ ଏକ ରଂଗ"

4 mins
7.7K


ମୁଁ କାହିଁକି ଲେଖେ? ମୁଁ ଲେଖିବା ଆରମ୍ଭ କଲି କିପରି?

ଗୋଟେ ଝଡ଼ କେଜାଣି କେବେଠୁ ମନ ଭିତରେ ଭୀଷଣ ରୂପ ଧରି ନେଉଥିଲା।ଏକ ଅବ୍ୟକ୍ତ ଯନ୍ତ୍ରଣାରେ ଅଧରାତିରେ ନିଦଭାଙ୍ଗି ଯାଉଥିଲା ତ କେତେବେଳେ ଶୋଇବା ଚେଷ୍ଟା ବି ବୃଥା ହୋଇ ଯାଉଥିଲା। କ'ଣ ଚାହେଁ ମୁଁ? କେଉଁ ଜିନିଷକୁ ପାଇବାକୁ ଏତେ ବ୍ୟାକୁଳିତ ମନ। ଅନ୍ଧାରରେ ବାଡି ବୁଲାଇ ଚାଲିଥିଲି। ହାତକୁ ବଢାଇ ଚାଲିଛି , ହେଲେ ଇପ୍ସିତଟି ଯେ ଝାପସା।ଉଫ, କି ଚିଡଚିଡ ଲାଗୁଥିଲା। ଭାବିଲି ନୂଆ ଶାଢ଼ୀ ପିନ୍ଧିବି, ବୁଲିଯିବି, କିଛିଟା ଭଲ ଲାଗିବ।

କିଛି ଦିନ ବିତିଗଲା, ପୁଣି ସେ ଝଡ଼ଟା ‌‌‌‌‌‌‌‌‌‌‌ମୁଣ୍ଡ ଟେକିଲା। ପୁଣି ସେମିତି ଛଟପଟ ଲାଗୁଥିଲା। ଭାବିଲି ସୁନା କିଣିବି।କିଣିଲି। ପିନ୍ଧିଲି ବି, ଘେରାଏ ବୁଲି ଆସିଲି। ସମସ୍ତେ ପ୍ରଶଂସା କଲେ। ପଚାରିଲେ କେତେ ଗ୍ରାମ୍, କାହାର ପସନ୍ଦ? ବର୍ଣ୍ଣନା କଲି ଖୁବ୍ ଗର୍ବର ସହ। ପୁଣି କିଛି ଦିନ ବିତିଗଲା। ଭାବିଲି ଏଥର ଝଡ଼ଟା ଥମିଗଲା।

ହେଲେ କିଛି ଦିନ ପରେ ସେହି ଅସନ୍ତୋଷ ପୁଣି ଉଙ୍କି ମାରିଲା। ଗୋଟେ ସର୍ବହରା ଦରିଦ୍ର ପଣରେ ଆକୁଳିତ ମନ, ଘାଣ୍ଟି ହେଉଥିଲା, କ'ଣ ନାହିଁ ....କ'ଣ ନାହିଁ ମୋ ପାଖରେ? ଜିଦ୍ କଲି ସ୍ବାମୀଙ୍କ ପାଖରେ ଘରଟିଏ ଦରକାର, ମୋ ନିଜର।ଘରଟେ କିଣା ହୋଇଗଲା।ଗୃହପ୍ରତିଷ୍ଠା ପୂଜାରେ କର୍ତ୍ତୀ ଭାବରେ ଆସନରେ ବସିଥିଲି।ହୋମ ଧୁଆଁରେ ନୁହେଁ ଖୁସିରେ ଆଖିରୁ ଲୁହ ବାହାରି ଯାଉଥିଲା। ଭାବିଲି ଏଥର ସବୁ କିଛି ମିଳିଗଲା।

ସହର ଜୀବନ। ସମସ୍ତେ ଧାଉଁ ଥାନ୍ତି। ମୁଁ ବି ଧାଉଁ ଥିଲି।କାହା ପାଇଁ? କ'ଣ ପାଇଁ? କେତେ ଦିନ?ଏ ପ୍ରଶ୍ନ ପଚାରିବା ପାଇଁ କି ତାର ଉତ୍ତର ଭାବିବା ପାଇଁ। ଯେମିତି ଗୋଟେ ମେସିନ୍ । ଯାହାର ପ୍ରୋଗ୍ରାମରେ 'ଥକିଯିଵା' ଶବ୍ଦଟି ହିଁ ଡିଲିଟ ହୋଇଯାଇଛି।ବେଶ୍ କିଛି ଦିନ ବିତିଗଲା।। ଏମିତି ନୁହେଁ ଯେ ଏତେ ସେ ଝଡ଼ଟି ଉଙ୍କି ମାରିନି। ମୁଁ ଜାଣି ଜାଣି ସେ ଝଡଟିକୁ ଚାପି ଦେଉଥିଲି କେଉଁ ଏକ ଅଜଣା ଭୟରେ।

ମୋର ଠିକ୍ ମନେ ଅଛି। ସେଦିନ ଶାରଦୀୟ ସଂଧ୍ୟାର ମନ୍ଦ ମନ୍ଦ ଶୀତଳ ପବନରେ ପୁଲକିତ ମନ। ଖୁବ୍ ଆନନ୍ଦିତ ଥିଲି। ତଥାପି ‌‌‌‌‌‌‌‌‌‌ କିଛି ‌‌‌‌‌‌‌‌‌‌‌‌‌‌‌‌ ଗୋଟେ ପାଇ ନ ପାରିବା‌ ର କ୍ଷୋଭ ରେ ଅନ୍ତର ଭାରି ହୋଇ ପଡ଼ିଥିଲା। ନିଜକୁ ଖୁବ୍ ବୁଝାଇଥିଲି। ସବୁ ଅଛି ତ ପାଖରେ, ଶାଢ଼ୀ, ଗହଣା ,ଘର....ଆଉ କ'ଣ ଦରକାର...ଆଉ କ'ଣ? କ'ଣ ଭାବିଥିଲି କେଜାଣି ସେଦିନ କାଗଜ କଲମ ଉଠାଇ ନେଲି....ସତ କହିଲେ କିଛି ଭାବି ନ ଥିଲି। ବୋଧହୁଏ କେଉଁ ଅଦୃଶ୍ୟ ଶକ୍ତିଙ୍କର କିଛି ଅଜଣା ନିର୍ଦ୍ଦେଶ, କିଛି ଆଶିର୍ବାଦ ଥିଲା ମୋ ଉପରେ ସେଦିନ।

ଆଜି ମୁଁ ଲେଖୁଛି, ବା ଲେଖିବା ପାଇଁ ଚେଷ୍ଟା କରୁଛି। ପ୍ରତୀକ୍ଷା କରୁଛି ମନ ଭିତରେ ଗୋଟେ କଳ୍ପନା ପାଇଁ... ଚେଷ୍ଟା କରୁଛି କିଛି ଶବ୍ଦ ଗୁଡିକୁ ସଜାଇ ସେ କଳ୍ପନାକୁ ରୂପ ଦେବା ପାଇଁ।

ଲେଖିବା ସମୟରେ କେବେ କେବେ ଗୋଟେ ସମ୍ବେଦନଶୀଳ ମନମୋହନ ଉପରେ ଭାରି ହୋଇ ପଡ଼େ ତ କେତେବେଳେ ଏକ ବିଦ୍ରୋହୀ ଆତ୍ମା ମୋ ଅସ୍ତିତ୍ଵକୁ ଯାବୁଡି ଧରେ। କେଉଁ ଏକ ସମୟରେ ମା'ଙ୍କ ମଧୁର ସ୍ପର୍ଶ ତାକୁ ଅନ୍ୟ ଏକ ସମୟରେ ପ୍ରେମୀର ଉଷ୍ମତାକୁ ନେଇ ମୋ ଶବ୍ଦ ଗୁଡ଼ିକ ସଜାଇ ହୋଇଥାନ୍ତି। ହେଲେ ସମୟର ଆରପାଖେ ଥାଏ ଗୋଟେ ନିର୍ଯାତିତ ସମାଜ।ତାର ନିଷ୍ଠୁର ପଣ‌ କି ଅସହାୟତାର ବର୍ଣ୍ଣନା କରି ବାକୁ ଶବ୍ଦ ଗୁଡ଼ିକ ସଜାଇ ବାକୁ ଚେଷ୍ଟା କଲାବେଳେ ଅନ୍ତର୍ମନ ସେତିକି ମର୍ମାହତ ହୋଇଥାଏ।

ସାହିତ୍ୟିକ ପରିବେଶ ଭିତରେ ପିଲାଦିନ କଟିଥିଲା। ଘରେ ଭାଗବତ, ରାମାୟଣ, ମହାଭାରତର ଚର୍ଚ୍ଚା ପ୍ରାୟ ଲାଗି ରହିଥାଏ।ଦ୍ରୋପଦୀଙ୍କ ପଞ୍ଚ ପତି ଗ୍ରହଣ କଲାବେଳେ, ଅହଲ୍ୟାଙ୍କ ପାଷାଣ ରୂପେ ପରିବର୍ତନରେ, ଆମ୍ବାଙ୍କ ବିବଶତା ମନ ଓଦା ହୋଇଯାଏ। ସେ ସମୟରେ ସମାଜ ପାଇଁ ମନ ବିଦ୍ରୋହୀ ବି ହୋଇଯାଏ। ମର୍ଯ୍ୟାଦାକୁ ମାପିବାକୁ କୋୖଣସି ମାପକାଠି ନାହିଁ। ହେଲେ ଆଧୁନିକ ସମାଜରେ କିଛି ବଦଳିଛି କି? ପୁଣି ସେହି ବିଦ୍ରୋହ ଭରା ପ୍ରଶ୍ନ ବ୍ୟାକୁଳିତ କରେ ମନକୁ।"ଅସହାୟତା" ତ ଗତି ପରି ଚାଲିଛି କାହିଁ କେଉଁ ଯୁଗରୁ ତା'ର କାୟା ବିସ୍ତାର କରି।

ସ୍ତ୍ରୀ କୁ ପ୍ରତାରିତ କରିଥିବା ସ୍ବାମୀ, ଆତ୍ମହତ୍ୟା କରିଥିବା ମାର ଅନାଥ ପିଲା , ବେରୋଜଗାରର ନିର୍ମମ ଘାତରେ କିନ୍ନର ରୂପରେ ଭିକ ମାଗୁଥିବା ପୁରୁଷ , ପରିବାରର ପେଟ ପୋଷିବା ପାଇଁ ବେଶ୍ୟା ପାଲଟିଥିବା ଗାଁ ର ନିରିହ ଝିଅ_ଏସବୁ ଗୋଟେ ଗୋଟେ ଚରିତ୍ର ନୁହନ୍ତି ସମାଜର ଅନ୍ୟ ଏକ ସତ୍ୟ। ଗଳ୍ପ ଓ କବିତା ଦ୍ଵାରା ସମାଜର ଦୃଷ୍ଟି ଆକର୍ଷଣ କରିବାକୁ ଚାହେଁ।ଏକ ଦରଦୀ ମନର ସର୍ମପଣ ଭାବନା ଏବଂ ଶବ୍ଦ ମାନଙ୍କର ଉଷ୍ମତାକୁ ନେଇ ସାହିତ୍ୟର ସାଧନା କରିବାକୁ ଚେଷ୍ଟା କରେ।

'ସାହିତ୍ୟ' ଶବ୍ଦଟିକୁ ମୁଁ 'ସହିତ' ଶବ୍ଦ ସାଥିରେ ବେଶୀ ଯୋଡ଼ିଥାନ୍ତି। ମୋ ସହିତ ଥିବା ଘଟଣା ଗୁଡ଼ିକୁ ଚିତ୍ରଣ କରେ,ଆଉ ସେଇ ଚରିତ୍ର ଗୁଡ଼ିକ ସହିତ ମିଶିଯାଏ। ଯେମିତି ସେମାନଙ୍କ ବିନା ମୋର କୋୖଣସି ଅସ୍ତିତ୍ଵ ନାହିଁ।

ଚରିତ୍ର ଗୁଡ଼ିକ ଚିତ୍ରଣ କଲା ବେଳେ ହଜିଯାଏ ତାଙ୍କ ଭିତରେ। ହଜିଯାଏ କହିବାଟା ପୁରା ଠିକ୍ ହେବନି.... ମାନେ... ମୁଁ ନିଜେ ସେହି ଚରିତ୍ର ହୋଇ ଯାଏ। ପହଞ୍ଚି ଥାଏ ତାଙ୍କ ଦୁନିଆରେ, ଭୋଗେ ତାଙ୍କ ସୁଖ ଦୁଃଖକୁ। ଭୁଲିଯାଏ ମୋ ଆଖପାଖର ଦୁନିଆ। ସେହି କିଛି କ୍ଷଣ ବିସ୍ତୃତ ଚେତନାରେ ଯେ କେତେ ଆନନ୍ଦ, ତାହା ଅବର୍ଣ୍ଣନୀୟ। ଫେରିବାକୁ ଇଛା ହୁଏନାହିଁ, କିନ୍ତୁ ଫେରିବାକୁ ପଡ଼େ... କଷ୍ଟ ହୁଏ... ଅପେକ୍ଷା ବି ଥାଏ ଆଉ ଗୋଟେ ନୂଆ ଚରିତ୍ର , ନୂଆ ଦୁନିଆ ପାଇଁ।

ଏବେ ସମୟ କାଢି ନିଏ ବ୍ୟସ୍ତତା ଭରା ଜୀବନରୁ ନୂଆ ଶାଢ଼ୀ କି ଗହଣା କିଣିବା ପାଇଁ ନୁହେଁ, କିଛି ଲେଖିବା ପାଇଁ। ମୁଁ ଲେଖେ ଆତ୍ମ ସନ୍ତୋଷ ପାଇଁ .....ସମାଜରେ ଆଜି ବି ଆଧିପତ୍ୟ ବିସ୍ତାର କରିଥିବା କେତେକ କୁସଂସ୍କାର ପ୍ରତି ଦୃଷ୍ଟି ଆକର୍ଷଣ କରିବା ପାଇଁ , ନିଜ କଳ୍ପନାକୁ ଗୋଟେ ରୂପ ଦେବା ପାଇଁ। ଏବେ ଅନ୍ତର୍ମନରେ ନିଃସ୍ଵ କି ସର୍ବହରାର ଭାବନା ନାହିଁ।ମନ ଭିତରେ ଆଉ ସେ ଝଡ଼ ଉଠେ ନାହିଁ। ଆଜି ତା ସ୍ଥାନ ନେଇ ସାରି ସାରିଛି ଅନ୍ୟ ଏକ ଯନ୍ତ୍ରଣା.... ଯେମିତି ପ୍ରସୂତି ବେଦନା। ଖୁବ୍ କଷ୍ଟ ହୁଏ, ଯେମିତି ଗରମ ଲାର୍ଭା ଭିତରେ ଘାଣ୍ଟି ଚକଟି ହେଉଥାଏ.... ମୁଁ କାଗଜ କଲମ ଧରି ନିଜ। ଯେତେବେଳେ ସେ ବେଦନା ଉପଶମ ହୁଏ, ସୃଷ୍ଟି ନେଇ ସାରିଥାଏ ମୋ କଳ୍ପନାର ଏକ ନୂଆ ରୂପ।

ପାରମିତା ଷଡ଼ଙ୍ଗୀ


Rate this content
Log in