Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

3  

Amiya Bej

Others

ଅସୁବିଧା

ଅସୁବିଧା

2 mins
14.8K


ଅସୁବିଧା

ଅମିୟ ବେଜ୍

          {୧} ଶ୍ରୀ(ଶ୍ରେୟାଂଶ)କୁ ଅସୁବିଧା ହେଉଥିଲା ! ମୁଁ ବୁଝିପାରୁଥିଲି । ଆଜିକାଲିଆ ପିଲାଙ୍କୁ ଛୋଟବେଳୁଁ ଦରକାର ପଡ଼ୁଛି ପ୍ରାଇଭେସୀ ! ଆମେ, ଆମ ପିଲାମାନେ, ସାବାଳକ ହେବାପରେ ବି ଶୋଉଥିଲୁ ମା-ବାପାଙ୍କ ପାଖରେ । ବାବା-ମା' ବି କ୍ଷଣେ ଅଲଗା କରିବାକୁ ରାଜି ନଥିଲେ । ଶ୍ରୀକୁ ଅସୁବିଧା ହେଉଥିଲା ତେରବର୍ଷରୁ ! ସୌମ୍ୟା ଚାଲିଗଲା ପରେ, ସମସ୍ତଙ୍କ ସହଜ ନିଷ୍ପତ୍ତି ଥିଲା ବୁଢ଼ାବାପ ଏକାକୀ ନରହି ପୁଅ ପାଖକୁ ଚାଲିଯିବାକୁ । ସେଇଠିଁ ମିଳିବ ସର୍ବୋକୃଷ୍ଟ ସୁବିଧା ! ଅତଏବ ମୋତେ ଆସିବାକୁ ପଡିଲା ପୁଅ-ବୋହୂ-ନାତିଙ୍କ ହସଖୁସି ସଂସାର ଭିତରକୁ । କେବେକେବେ ସୌମ୍ୟା ସହ ଆସି ବୁଲି ଫେରିଯାଉଥିଲୁ । ଏବେ ସୌମ୍ୟା ବିନା ନଫେରିବାର କଣ୍ଟ ମୋତେ ମିଳିଛି । ଏଠାକୁ ଆସି ନାତିଟୋକାର ବିଛଣା ଭାଗ କରିବାକୁ ହେଲା । ଭାବିଥିଲି ତା ସହ ଖେଞ୍ଚାଖେଞ୍ଚିରେ କାଟିଦେବି ଅବଶିଷ୍ଟ । ଶ୍ରୀ ବଢୁଛି । ଦ୍ରୁତଗତିରେ ବଢୁଛି । ଗୋଟାଏ ଛୋଟ ବଖରାରେ ଦୁଇଟି ଜୀବନ । ଧିମେଇପଡ଼ିଥିବା ଆଉ ଗୋଟେ ଦ୍ରୁତତମ ! ଶ୍ରୀକୁ ଅସୁବିଧା ହେଉଥିଲା ! ମୁଁ ବୁଝିପାରୁଥିଲି ।

          {୨} - ବାପା ! ଭାବୁଛି, ଆମେ ଏ ଘରଟା ବଦଳାଇଦେବା । - କାହିଁକି ? ଏତେବର୍ଷ ହେଲାଣି ରହିଛ । ମାଲିକଟା ବି ଭାରି ଆମାୟିକ । ଦିଲ୍ଲୀ ପରି ଜାଗାରେ ଘର ମିଳିବା ଅସୁବିଧା ! - ନାଇଁ ଯେ, ଗୋଟେ ଥ୍ରୀ' ବି.ଏଚ୍.କେ ଘର ଦେଖିବା । - ଆରେ ! ଖର୍ଚ୍ଚ ବଢ଼ିଯିବ । ଥାଉ । - ନାଇଁ । ତୁମ ପାଇଁ ବି ଗୋଟେ ଅଲଗା ରୁମ୍ ଦରକାର ନା ! ମୁଁ ଚୁପ୍ ରହିଲି । ବୁଝିପାରୁଥିଲି ଶ୍ରୀକୁ ଅସୁବିଧା ହେଉଥିଲା !

          {୩} ପୂରା ମାସଟିଏ ଲାଗିଲା ଘର ବଦଳାଇବା ଆଉ ସଜାଡ଼ିବାରେ । ପରିଶ୍ରମରେ ସମସ୍ତେ ନଇଁପଡ଼ିଥିଲେ । ମୋ ପାଇଁ ଅଲଗା ବଖରାଟିଏ । ସୌମ୍ୟା ଫଟୋ ଟାଙ୍ଗିବାକୁ ଜାଗା ଇ ଜାଗା ! ଶ୍ରୀ ଖୁସି ଥିଲା ତା ପ୍ରାଇଭେସୀକୁ ନେଇ ! ସକାଳୁ ରାତିଯାଏଁ ମୋ'ପାଇଁ - ଚା, ଜଳଖିଆ, ଯୋଗ, ଟିଭି, ଖବରକାଗଜ, ବହିପଢ଼ା, ଖିଆପିଆ, ଔଷଧପତ୍ର ଆଦିର ସୁବନ୍ଦୋବସ୍ତ । କାମବାଲୀଟେ ଆସି ସଫାସୁତରା,ସଜଡ଼ାସଜଡ଼ି କରି ଯାଉଥିଲା । ନିତ୍ୟକର୍ମ ବ୍ୟତିରକେ ପ୍ରାୟ କିଛି କରିବାକୁ ପଡୁନଥିଲା ମୋତେ । ମନେପଡୁଥିଲା, ପୁଅ ଛୋଟ ଥିଲାବେଳେ, ସୌମ୍ୟା ଆଉ ମୁଁ କେମିତି ବ୍ୟସ୍ତ ହୋଇପଡ଼ୁ ତା'ର ଟିକେ ଅସୁବିଧା ହେଲେ । କେତେ ଝଗଡ଼ିଛୁ ବି ତା'ଲାଗି ! ଏବେ ସେଇ ପୁଅ , ବାପ ପରି ବନି ଋଣ ସୁଝୁଛି !!! ମୁଁ ଆନନ୍ଦିତ ।

          {୪} ତେବେ ! ପ୍ରତ୍ୟେକ ଥର ଦେଖାରେ, ଅଫିସ୍ ଯିବା ଆଗରୁ ଓ ଅଫିସରୁ ଫେରିବା ପରେ ଗୋଟାଏ ପ୍ରଶ୍ନ ବାରମ୍ବାର ପଚାରୁଥିଲା - ''ବାପା, କିଛି ଅସୁବିଧା ହେଉନି ତ ?'' କେଜାଣି ସେ କେଉଁ ଆଶଙ୍କାରେ ଥିଲା ?? - ''ନାଇଁ , ଅସୁବିଧା କିଛି ନାଇଁ ।'' ମୁଁ ଏଇ ଉତ୍ତର ସବୁବେଳେ ଫେରାଉଥିଲି ସତ, ତଥାପି ମନ ହେଉଥିଲା କହିବାକୁ - ''ବାପାର ଅସୁବିଧା ଖୋଜିବା ହିଁ ସବୁଠାରୁ ବଡ଼ ଅସୁବିଧା । ବାରମ୍ବାର ନପଚାରି ବୁଝିନିଅନ୍ତୁ ଯଦି ଭଲ । ଯେମିତି ତୋ ଅସୁବିଧା କଥା ଆମେ ବୁଝିପାରୁଥିଲୁ...।''

(ବି.ଦ୍ର : ବୋଝ > ରଘୁକୁଲି > ପେଣ୍ଟିଂ ଏଇ କ୍ରମାନ୍ୱୟରେ କଥାଟି ଲିଖିତ ।)

ଘଟଗାଁ, କେନ୍ଦୁଝର

*****


Rate this content
Log in