ଭ୍ୟାନିଟ ବ୍ୟାଗ
ଭ୍ୟାନିଟ ବ୍ୟାଗ
ପ୍ରକାଶ ତ୍ରିପାଠୀ
ଭୁବନେଶ୍ୱରର ୟୁନିଟ ଟୁ ମାର୍କେଟ ବିଲ୍ଡିଂଗ ଯେତେ ପୁରୁଣା ହେଉଛି, ତା ପ୍ରତି ଭୁବନେଶ୍ୱରବାସୀଙ୍କ ଆକର୍ଷଣ ସେତେ ବଢୁଛି । ଭୁବନେଶ୍ୱର ରେ ନୂଆ ରାଜଧାନୀ ପ୍ରତିଷ୍ଠା ହେଲାପରେ ଏହା ପ୍ରଥମ ମାର୍କେଟ ବିଲ୍ଡିଂଗର ମାନ୍ୟତା ପାଇଥିଲା । ଏଠାରେ ବ୍ରାଣ୍ଡେଡ଼ ଦୋକାନ ସହ ଆକର୍ଷଣୀୟ ଫୁଟପାଥ ମାର୍କେଟ ଥିବାରୁ ଏବେବି ରାଜଧାନୀର ଅନ୍ୟାନ୍ୟ ମାର୍କେଟ ଏରିଆ ତୁଳନାରେ ଏଠାରେ ଗରାଖଙ୍କ ସଂଖ୍ୟା ସର୍ବଦା ଅଧିକ ଥାଏ । ମୁଁ ଯେତେବେଳେ ବି ଭୁବନେଶ୍ବର ଯାଏ, ଦୁଇ ନମ୍ବର ମାର୍କେଟ ବିଲ୍ଡିଂଗରୁ ହିଁ ସବୁ ଜିନିଷ କିଣିଥାଏ । ମୁଁ ଜାଣିବାରେ ଏହି ମାର୍କେଟଟି କୌଣସି ମେଟ୍ରୋସିଟିର ମାର୍କେଟ କମ୍ପ୍ଲେକ୍ସ ଠାରୁ କେଉଁଥିରେ ବି ନ୍ୟୁନ ନୁହେଁ ।
ଗତ ରବିବାରର ଘଟଣା । କୌଣସି ଏକ କାମରେ ଭୁବନେଶ୍ୱର ଯାଇଥାଏ । ଭଲ ଭ୍ୟାନିଟ ବ୍ୟାଗଟିଏ ଆଣିବାକୁ ମିଲି କହିଥିଲା । ମୋ କାମ ସରିବାପରେ ମୁଁ ମୋର ପ୍ରିୟ ସେହି ୟୁନିଟ ଟୁ ମାର୍କେଟ ବିଲ୍ଡିଂଗରେ ପହଂଚିଲି । ସମୟ ଅପରାହ୍ନ ଚାରିଟା ହେବ । ମାର୍କେଟ ବିଲ୍ଡିଂଗ ର୍ ସୁନ୍ଦରତା ବହୁଗୁଣିତ ଥିଲା ଅନେକ ସୁନ୍ଦରୀ ଲଳନାଙ୍କ ଆତଯାତରେ,ସେମାନଙ୍କ ଖିଲଖିଲ ହସରେ,ଜିନ୍ସ ଓ ଟି ସାର୍ଟର ସମ୍ଭାରରେ ଓ ସେମାନଙ୍କ ଫିସ ଫିସ ହିନ୍ଦୀ ଓ ଇଂଲିଶ କଥାରେ । ସେମାନଙ୍କ ଡିଓଡ୍ରଣ୍ଟ ବାସ୍ନାରେ ସମଗ୍ର ମାର୍କେଟ ଏରିଆ ସତେ ଯେମିତି ମତୁଆଲା ହୋଇପଡିଥିଲା ।
ସତରେ, ମାର୍କେଟ ବିଲ୍ଡିଂଗ ଭିତରେ ଥିବା ବେଳେ ସବୁ ଦୁଃଖ ଓ ଜୀବନ ଯନ୍ତ୍ରଣା ଯେମିତି ଦୁରେଇ ଯାନ୍ତି । ମନରେ ଅଫୁରନ୍ତ ଉନ୍ମାଦନା ଭରିଯାଏ । ଭୁବନେଶ୍ୱରରେ ପଢିବା ବେଳେ ଉଦାସିଆ ମନକୁ ହାଲ୍କା କରିବା ପାଇଁ ମୁଁ ମନ୍ଦିର,ପାର୍କ ବା ସିନେମା ହଲ ଅପେକ୍ଷା ଏହି ସ୍ଥାନକୁ ଅଧିକ ପସନ୍ଦ କରେ ।
- ଆରେ ଭାଇ , ସେ ଭ୍ୟାନିଟ ଟା ଦେଲେ, ରେଟ କେତେ ଅଛି ?
- ସାର୍, ଛ ଶହ ଟଙ୍କା । ବ୍ରାଣ୍ଡେଡ଼ ମ୍ୟାଟେରିଆଲ । ମଲରୁ କିଣିଲେ ଦେଢ଼ ହଜାରରୁ କମ୍ ହେବନି ।
ମୋ ହାତକୁ ଭ୍ୟାନିଟ ବଢାଇଦେଇ ଦୋକାନୀଟି ଅନର୍ଗଳ ଭ୍ୟାନିଟ ର୍ ଆଡ଼ଭାଟାଇସମେଣ୍ଟ କରିଚାଲିଥାଏ । ଏହି ସମୟରେ ଦୁଇଜଣ ତରୁଣୀ ସେଇ ଦୋକାନରେ ପହଞ୍ଚି ମୁଁ ପସନ୍ଦ କରିଥିବା ଭ୍ୟାନିଟକୁ ଦେଖି ସେହିଭଳି ଭ୍ୟାନିଟ ଦୁଇଟା ଦେବାକୁ କହିଲେ । ଦୋକାନୀଟି ମୋ ପିଛା ଛାଡି ତରୁଣୀଦ୍ୱୟଙ୍କୁ ଭ୍ୟାନିଟ ଦେଖାଇବାରେ ଲାଗିଲା । କିଛି ସମୟରେଟ ବାର୍ଗେନିଂ କରିବା ପରେ ଦୁଇଟା ନେଲେ ଆଠଶହ ଟଙ୍କା ପଡିବ ବୋଲି ତାର ଫାଇନାଲ ରେଟ ସୁନାଇଦେଲା ।
- ଆରେ ଭାଇ, ଆମେ ତିନିଟା ବ୍ୟାଗ ନେବୁ, ନଅ ଶହ ଟଙ୍କାରେ ଦେବ କି ? ତରୁଣୀଦ୍ୱୟଙ୍କ ଦୁଇଟି ଓ ମୋର ଗୋଟିଏ, ଏହିପରି ତିନୋଟି ହିସାବ କରି ମୁଁ ଦୋକାନୀଙ୍କୁ ପ୍ରସ୍ତାବ ଦେଇଥିଲି । ପ୍ରଥମେ ଅମଙ୍ଗ ଥିଲେ ବି ଶେଷରେ ସେହି ରେଟରେ ଦେବାକୁ ଦୋକାନିଟି ରାଜି ହୋଇଗଲା । ମୁଁ ମୋ ବ୍ୟାଗର ଦାମ ୩ଶହ ଟଙ୍କା କାଢ଼ନ୍ତେ ଦୋକାନୀଟି ସମ୍ପୁର୍ଣ ନଅ ଶହ ଟଙ୍କା ମୋ ଠାରୁ ନେବାକୁ ଚାହିଁଥିଲା । ସତେଯେମିତି ତରୁଣୀଦ୍ୱୟ ମୋର ସମ୍ପର୍କୀୟ ଅବା ମୋ ପରିବାରର । ଦୋକାନୀଟିର ଭାବନାକୁ ମୁଁ ସାଦରେ ଗ୍ରହଣ କରିନେଲି ଓ ଦୋକାନୀକୁ ତୁରନ୍ତ ଦୁଇଟି ପାଞ୍ଚଶହ ଟଙ୍କିଆ ନୋଟ ଵଢାଇ ଶହେ ଟଙ୍କା ଫେରିପାଇଲି । ଏବେ ତରୁଣୀ ମାନଙ୍କ ଠାରୁ ଛଅ ଶହ ଟଙ୍କା ଫେରିପାଇବାର ପାଳି ।
- ଅଙ୍କଲ ଏ କଣ କଲେ, ଆମେ ତ ଭ୍ୟାନିଟଟା ସୁନ୍ଦର ଲାଗିଲା ବୋଲି ତା'ର ରେଟ କେବଳ ଜାଣିବାକୁ ଚାହୁଁଥିଲୁ । କିଣିବାର ପ୍ରୋଗ୍ରାମ ନଥିଲା କି ଆମ ପାଖରେ ଏବେ ବି ଏତେ ଟଙ୍କା ନାହିଁ । ତରୁଣୀ ଦ୍ୱୟ ଏକ ପ୍ରଶ୍ନିଳ ଦୃଷ୍ଟିରେ ମୋଆଡ଼େ ଚାହିଁ ରହିଥାନ୍ତି । ଦୋକାନୀଟି ଆମମାନଙ୍କ କଥା ଶୁଣି ଭ୍ୟାନିଟ ଫେରାଇ ନ ନେବାକୁ ପ୍ରସ୍ତୁତ ହୋଇସାରିଥାଏ । ଶୁଣେଇ ଶୁଣେଇ କହୁଥାଏ ଯେ ତାହା ତାର ଅନୁକୂଳ ବିକ୍ରିଥିଲା । ଟଙ୍କା ଫେରାଇପାରିବନି । ତିନିଟା ଯାକ ଭ୍ୟାନିଟ ନେଇ ଘରକୁ ଗଲେ ମହାଭାରତ ସୃଷ୍ଟିହେବା ନିଶ୍ଚିତ ।
ଶେଷରେ ମୋ ଉନ୍ନତମସ୍ତିସ୍କରୁ ଉପାୟଟେ ବାହାରି ଆସିଲା । ସଂଗେ ସଂଗେ ଦାନୀ କର୍ଣ୍ଣଙ୍କ ବଂଶଧର ପାଲଟିଗଲି । ତରୁଣୀଦ୍ୱୟଙ୍କୁ କହିଲି- ଆରେ ପିଲେ ଚିନ୍ତା କରନି । ମୋ ତରଫରୁ ତୁମ ଦୁହିଁଙ୍କୁ ଏଇଟା ଗିଫ୍ଟ ।
ଓଃ, ସୋ ସୁଇଟ ଅଙ୍କଲ,ଥ୍ୟାଙ୍କ ୟୁ ଭେରୀମଚ କହି ମନ ଖୁସିରେ ଭ୍ୟାନିଟ ଦୁଇଟା ଧରି ଚାଲିଗଲେ ତରୁଣୀଦ୍ୱୟ । ତୃତୀୟ ଭ୍ୟାନିଟ ଟି ମିଲି ପାଇଁ ଧରି ମୁଁ ଫେରୁଥିଲି ମାର୍କେଟବିଲ୍ଡିଂଗରୁ । ଫେରିଲାବେଳେ କାହିଁକି କେଜାଣି କାହାର ଡିଓ ବାସ୍ନା ମୋତେ ଖୁବ ଦୁର୍ବିସହ ଲାଗୁଥିଲା ।
@କୋଣାର୍କ, ପୁରୀୀ