ଆକାଶକୁ ନିଶୁଣି
ଆକାଶକୁ ନିଶୁଣି
ଚିଣ୍ଟୁ ନାମରେ ଛୋଟ ପିଲାଟି ଜନ୍ମରୁ ସିଆଣିଆ ।ବଡଲୋକକୁ ଉତ୍ତର ନାହିଁ କି ସରଗକୁ ନିଶୁଣି ନାହିଁ ଏ କଥା ସେ ନିତି ଜେଜେଙ୍କ ଠାରୁ ଶୁଣି ଆସୁଥିଲା । ଦିନେ ଦିନେ ସେ ଏକା ଏକା ବସି ଭାବୁଥାଏ ଘରେ କିଏ ନଥିଲା ସମୟରେ ନିଶୁଣି ପକାଇ ଆକାଶକୁ ଛୁଇଁବ ।
ଭାରୀ ଗରମ ହେଉଥାଏ ସୂର୍ଯ୍ୟଙ୍କ ପ୍ରଖର କିରଣ ଯୋଗୁଁ । ବାବା ବଉ ଆଉ ଜେଜେ ସମସ୍ତେ ଗଛ ମୁଳରେ ପବନ ଖାଇବା ପାଇଁ ଚାଲିଗଲେ ।ସାଙ୍ଗରେ ଚିଣ୍ଟୁକୁ ବି ନେବାକୁ ଭୁଲିନଥିଲେ । କିନ୍ତୁ ଚିଣ୍ଟୁ ଭାରୀ ଚତୁରତା ଦେଖାଇ ଘର ପାଖରେ ଥିବା ନିଶୁଣି ନେଇ ବାହାରପଟକୁ ଚାଲିଗଲା । ଭାବିଲା ଆଜି ଯେମିତି ବି ହେଉ ମୁଁ ନିଶୁଣି ଆକାଶକୁ ପକାଇବି । ଆଉ ତା ବାବାଙ୍କ ମୋବାଇଲ୍ ରେ ସେଲ୍ଫି ଉଠାଇ ସମସ୍ତଙ୍କୁ ଦେଖାଇବି କି ଅସମ୍ଭବ ବୋଲି କିଛି ନ ଥାଏ ।
କଳାମେଘ ଘୋଟି ଆସିଲାଣି ଖରା ଭାଙ୍ଗିଗଲାଣି । ଚିଣ୍ଟୁର ଖୁସି ଦୁଇଗୁଣା କି ଯାହା ହେଉ ମୁଁ ଆଜି ଖଣ୍ଡ ଖଣ୍ଡ ବାଦଲକୁ ଛୁଇଁକି ଆସିବି । ଆନନ୍ଦର ସୀମା ନ ଥାଏ । ବାରମ୍ବାର ନିଶୁଣି ପକାଇଚେଷ୍ଟା କରୁଥାଏ ଆଉ ତଳେ ଦୁଡ୍ ଦାଡ୍ ହୋଇ ପଡିଯାଉଥାଏ । ଠିକ୍ ଏସମୟରେ ବଉକୁ ଚିଣ୍ଟୁ କଥା ମନେ ପଡିଗଲା ସେ ଖୋଜି ଖୋଜି ଘରକୂ ଚାଲିଆସିଲା ଏବଂ ଅନ୍ୟମାନେ ମଧ୍ୟ ତାଙ୍କ ପଛରେ ଗଲେ । ଦେଖିଲାବେଳକୁ ଚିଣ୍ଟୁର ଏ କି ବଦ୍ମାସୀ କରୁଛି ? ଆରେ ହେଇ ପଡିଯିବୁ ମୋ ସୁନାଟା ଦୁଷ୍ଟ ହୁଅନି କହି ଚିଣ୍ଟୁକୁ କୁଣ୍ଢାଇ ପକାଇଲେ ।
ଚିଣ୍ଟୁ ଜିଦ୍ କଲା ନାଇଁ ମୁଁ ଚଢିବି ମୋତେ ଶିଖାଅ । ଜିଦ୍ କୁ ରଖିବାକୁ ଯାଇ ଜେଜେ ନିଶୁଣିଟି ଅଧା ପୋତିଦେଲେ ଆଉ ଧିରେ ଧିରେ ଚଢିବାକୁ କହିଲେ । ଦୁଇପଟେ ଦୁଇ ଗଛ ଲଗାଇଥିଲେ ଜେଜେ । ସେଥିରେ ଦୁଇପଟୁ ନିଶୁଣିକୁ ବାନ୍ଧିଦେଲେ ଆଉ ଚିଣ୍ଟୁ ଏଥର ଚଢିଲା ।ଏଥର ଜାଣିପାରିଲା ଯେ ବଡମାନଙ୍କ କଥାର ସତ୍ୟତା କେତେ ? ଏମିତି ଦୁଃସାହାସ ଆଉ କେବେ କରିବନି କହି ସାନ୍ତ୍ବନା ଦେଲା ନିଜେ ନିଜକୁ ।