Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mishra

Inspirational Tragedy

3  

Manorama Mishra

Inspirational Tragedy

ବାପାଙ୍କ କଥା

ବାପାଙ୍କ କଥା

14 mins
13.8K


ଅନେକ ଅତୀତର କାହାଣୀ ମୋ ବାପା । କେମିତି ବା ତାଙ୍କୁ ଗୋଟିଏ ଗପରେ ଲେଖିହେବ ।

ଆମ ବ୍ରାହ୍ମଣ ଘରେ ବାପାଙ୍କୁ ନନା ଡାକନ୍ତି । ମୁଁ ମଧ୍ୟ ମୋ ବାପାଙ୍କୁ ନନା ଡାକେ । ନନା ପ୍ରାଇମେରୀ ସ୍କୁଲର ପ୍ରଧାନ ଶିକ୍ଷକ ଥିଲେ । ଚାରି ଟଙ୍କାରୁ ଚାକିରୀ ଜୀବନ ଆରମ୍ଭ କରି ପଂଚସ୍ତରି ଟଙ୍କାରେ ଅବସର ଗ୍ରହଣ କରିଥିଲେ। ସେତେବେଳେ ବଜାର ଦର ଏତେ ମହଙ୍ଗା ନଥିଲା । ଆମେ ଆଠ ଭାଇ ଭଉଣୀଙ୍କୁ ନାନା ଆମର ସେତିକି ଦରମାରେ ଢେର୍ ଚଳାଇଛନ୍ତି । ଖାଇବା ପିନ୍ଧିବା କେଉଁଥିରେ ଉଣା ରଖନ୍ତି ନାହିଁ ।ମାସର ଶେଷ ତାରିଖକୁ ଆମେ ଅନାଇ ଥାଉ । ନନା ଆମର ମାଲ ମତ୍ତା ଆଣିଲେ ଆମେ ଭାରି ଖୁସି ।

ନନା ଦରମା ପାଇଲା ଦିନ ଗୁଡିଆ ଦୋକାନରୁ ଗଲୁଗୁଲା ଓ ମିଠା ଡାଳି ଗଜା ଆଣି ବୋଉ ହାତକୁ ବଢାଇ ଦିଅନ୍ତି। ବୋଉ ମାଲ ପୁଡିଆଟି ଫିଟାଇ ଆଗ ଘର ଜାଗୁଳାଇଙ୍କୁ ପାଣି ଛଡାଇ ଦିଏ । ତା ପରେ ଆମ ଭାଇ ଭଉଣୀମାନଙ୍କୁ ଗୁଲୁଗୁଲା ବାଣ୍ଟି ଦିଏ । ଡାଳି ଗଜାକୁ ରଖି ଦେଇ କହେ । ଗଜା ଥାଉ କାଲି ଓ ଅପର ଦିନ ଖାଇବ । ସବୁ ଏକାବେଳକେ ଖାଇଲେ ସରିଯିବ । ଆମେ ବି ପ୍ରତିବାଦ କରିବାର କୌଶଳ ଜାଣି ନ ଥିଲୁ ।

ନନା ହାଟକୁ ଗଲେ ବ୍ୟାଗ୍ ରେ ପରିବା ଆଣନ୍ତି ନାହିଁ । ବେପାରୀ ଠାରୁ ପୁରା ଝୁଡି ମୂଲ କରି ପରିବା କିଣନ୍ତି। ବେପାରିଟି ଝୁଡି ମୁଂଡାଇ ପରିବା ଘରେ ଆଣି ଦେଇ ଯାଏ । ବୋଉ ଏହା ଦେଖି ଭାରି ରାଗେ । ଏତେ ଗୁଡାଏ ପରିବା ଏକା ଥରକେ କିଣି ପକାଇଲ ।

ନନା ସଙ୍ଗେ ସଙ୍ଗେ ଉତ୍ତର ଦିଅନ୍ତି।

ହଁ ଏସବୁ ପରିବା ମୋ ପିଲା ଖାଇବେ। ହଁ ଶୁଣ ପିଲାମାନଙ୍କୁ ଚାରି ଭାଗରୁ ଭାଗେ ଭାତ ଦେବ । ଦୁଇ ଭାଗ ପରିବା ତରକାରୀ । ଏବଂ ଗୋଟିଏ ଭାଗ ପେଟ ଖାଲି ରଖିବ ପିଲାମାନଙ୍କର ପାଣି ପିଇବା ପାଇଁ ।

ବୋଉ ବେଳେବେଳେ ଚିଡି ଉଠି କୁହେ । ମଲା ତମେ ଡାକ୍ତର ହେଲନି ଏ ମାଷ୍ଟର କାହିଁକି ହେଲ । ନନା ହସନ୍ତି ଏବଂ ବୋଉକୁ କହନ୍ତି ଏ ଡାକ୍ତର ଗୁଡାକୁ ପରା ମୋ ପରି ମାଷ୍ଟର ପାଠ ପଢାନ୍ତି । ନ ହେଲେ ଡାକ୍ତର କଣ ଗଛରୁ ଫଳନ୍ତି କି ?

ନନାଙ୍କ ଠାରୁ ବୋଉର ବୟସ ବାଇଶି ବର୍ଷ ସାନ। ତେଣୁ ନନାଙ୍କୁ ବୋଉର ଟିକେ ଭୟରୁ ହେ । ନନା ଯେତେବେଳେ ସ୍କୁଲ୍ ବାହାରନ୍ତି ବୋଉ ଡରି ଡରି ନନାଙ୍କୁ କହେ ମୋତେ ଦଶ କୋଡିଏ ପଇସା ଦେଇ ଯାଆନ୍ତ ନାହିଁ । ଗାଁକୁ ଗୁଡିଆ ପୁଅ ଆସିଲେ ଏ ସାନ ଝିଅଟି ଭାରି ଅଝଟ ହେଉଛି । ଚଣା ମଟର ଖାଇବାକୁ । ବୁଝେଇ ଦେଲେ ବେଳେବେଳେ ବୁଝି ଯାଉଛି । ହେଲେ ବେଳେବେଳେ ଭାରି ଅଝଟ ହେଉଛି । କାଲି ଗୁଡିଆ ପୁଅକୁ ଦେଖି ଏମିତି ଯିଦି କଲା ଯେ ଚାପୁଡାଟେ ପକାଇ ଦେଲି । ସେ ତୁନି ହବ କଣ ଦାଂଡ ମଝିରେ ବାଲିଟାରେ ଗଡିଗଲା। ପଧାନ ଘର ବାସୁ ମଟର ଭଜା କିଣୁଥିଲା ତ ଝିଅ ହାତକୁ ଦିଟା ଦେବାରୁ ତୁନି ପଡିଲା ।

ନନା ବିରକ୍ତ ହୋଇ କହିଲେ ମା " ହୋଇଛ ସତ ପିଲାଟିକୁ ବୁଝାଇପାରୁନ । ଖାଲି ଅଭିଯୋଗ ।

ଗୁଡିଆ ଘର ଯେଉଁ ଜିନିଷ ବିକୁଛି ତା ଦେହରେ ମାଛି ବସୁଥିବ । ତେଣୁ ସେ ସବୁ ପିଲାଙ୍କୁ ନ ଦେଲେ ଭଲ । ହଉ ମାଗୁଛ ଯେତେବେଳେ କୋଡିଏ ପଇସା ରଖ । କିନ୍ତୁ କୋଡିଏ ପଇସାରେ କଣ କଣ କିଣିଲ ମୋତେ ମାସ ଶେଷକୁ ଲିଖିତ ହିସାବ ଦେବ ।

ନନା ଥିଲେ ଭାରି ହିସାବି ମଣିଷ। ଯାହା ଖର୍ଚ୍ଚ କରନ୍ତି ଚଟି ଖାତାରେ ସବୁ ଟିକିନିଖି ଲେଖନ୍ତି । ବର୍ଷକୁ ବର୍ଷ ଚଟି ଖାତା ବଦଳେ । ବର୍ଷ ଶେଷକୁ ଦେଖନ୍ତି ଦରମା ପଇସାରୁ ଘର ଖର୍ଚ୍ଚ । ପିଲାଙ୍କ ପଢା ଖର୍ଚ୍ଚ। ଅନ୍ୟାନ୍ୟ ଖର୍ଚ୍ଚ ପରେ କେତେ ପଇସା ଆଉ ବଳୁଛି ।

ହେଲେ ଏସବୁ ବୋଉକୁ ଜମାରୁ ଭଲ ଲାଗେ ନି। ଅଛଟ ଛଟରେ ପଇସାଟେ ମାଗିଲେ ପୁଣି ଲିଖିତ ହିସାବ । ତେଣୁ ବୋଉ ଏଇ ହିସାବ ଭୟରେ ନନାଙ୍କୁ ପଇସା ନ ମାଗିବାକୁ ଚେଷ୍ଟା କରେ ।

ଥରେ ବୋଉ ଗାଁ ଦାଂଡରୁ ଆଇସକ୍ରୀମ କିଣି ଖାଇଦେଲା । ଆଇସକ୍ରୀମରେ ପିଲାବେଳୁ ତାର ଭାରି ଶରଧା । ହେଲେ କଣ ହେବ । ତା ପର ଦିନକୁ ତଣ୍ଟି ଓ କାନମୁଂଡା ଫୁଲି ଜ୍ୱର ହୋଇଗଲା । ଆଠଦିନ ପର୍ଯ୍ୟନ୍ତ ଜ୍ୱର ଛାଡିଲା ନାହିଁ । ଡାକ୍ତର ବୋଉକୁ ପଚାରି ଦେଲେ କଣ ଆଇସକ୍ରୀମ ଖାଇ ଦେଇଛ କି ?

ବୋଉ ହଁ ଭରିଲା । ନନା ଶୁଣି ନିଆଁ ବାଣ । ଘରକୁ ଆସି ବୋଉକୁ ଠୋ କିନା ଚାପୁଟାଏ ବସାଇଲେ । କହିଲେ କେତେଥର ମନା କରିଛି ସେ ବାଜ୍ୟ ଜିନିଷ ଗୁଡାକ ଦାଂଡ ରୁ କିଣି ଖାଇବ ନାହିଁ ବୋଲି ।

ବୋଉ କୁ ଭାରି ଖରାପ ଲାଗିଲା । ପିଲା ମାନଙ୍କ ଆଗରେ ନନା ବାଡେଇ ଥିବାରୁ । ଦିନ ସାରା ବୋଉ କାନ୍ଦିଲା ।

ନନା ଚାରିଟା ବେଳେ ସ୍କୁଲ୍ ରୁ ଫେରି ଆଗ ବୋଉ ପାଖକୁ ଗଲେ । ବୋଉ ମୁଂଡରେ ପାଣି କପଡା ପକାଇ ଲେ । ବୋଉର ଗୋଡ ହାତ ଘସା ମୋଡା କରି ବୋଉକୁ ଅଦା ଗୋଲ ମରିଚ ପକା ନାଲି ଚା ପିଇବାକୁ ଦେଲେ । ବୋଉ ଟିକିଏ ସୁସ୍ଥ ହେବା ପରେ ପାଖରେ ବସି ବୁଝାଇ କହିଲେ । ମୁଁ ତୁମକୁ ମାରିଲି ସିନା ଭାରି ଅନୁତପ୍ତ । ବଡ ପୁଅ ବାହାରେ କହିଲା ନନା ମୁଁ କଲେଜ ପଢିଲାଣି। ମୋ ଆଗରେ ତମେ ବୋଉକୁ ବାଡେଇଲ । ଏବସୁ ଭଲ କଥା ନୁହେଁ ।

ତୁମେ ମୋତେ ଭୁଲ୍ ବୁଝି ବନି । ଆଇସକ୍ରୀମ ଯେଉଁ ଅପରିଷ୍କାର ପାଣିରେ ତିଆରି ହେଉଛି ତାକୁ ଖାଇଲେ ଜ୍ଜରରୁ ଦଂଡିଶ୍ ହୋଇଯିବ। ଶିକ୍ଷକର ସ୍ତ୍ରୀ ହୋଇ ସ୍ୱାସ୍ଥ୍ୟ ବିଷୟରେ ଧ୍ୟାନ ଦେବିନି। ତୁମେ ଯଦି ଆଇସକ୍ରୀମ ଖାଇବ ପିଲାଙ୍କୁ କେମିତି ବାରଣ କରିବ । ଦେହ ଖରାପ ହେଲେ ପଇସା ଖର୍ଚ୍ଚ ହେଉଛି। ଆମେ ଯଦି ଦେଖି ଚାହିଁ ନ ଚଳିବା ତେବେ ଅଭାବ ଆମକୁ ମାଡିବସିବ । ବଡ ପରିବାର। ଧାର ଓଧାର ବଢିବ । ତମ ଦେହ ଖରାପ ହେଲେ ଆମେ ସମସ୍ତେ ହଇରାଣ ହେବୁ । ତେଣୁ ରାଗରେ ନୁହେଁ ଶାସନ ଭାବି ମୋ ମାଡକୁ ସହିନେବ । ଯେହେତୁ ବାଇଶି ବର୍ଷ ସାନ ତମେ ବି ମୋ ଆଗରେ ଛୁଆ ଏବଂ ଶିଖିବାରେ ଛାତ୍ରୀଟିଏ ।

ନନା ଏଇମିତି ମଣିଷ। କଠୋର ଶାସନରେ କେତେ ସ୍ନେହ ।

ଏବେ ଗାଁକୁ ଗଲେ ବାଡିପଟ ପୋଖରୀ ଭାଇ ମାନେ ପୋତି ସାରିଲେଣି ହେଲେ ଘଡିଏ ବସିବାକୁ ଇଛା ହୁଏ । ମନେ ପଡିଯାଏ ନନା ଛୁଟି ଦିନରେ କେମିତି ହାଂଡିଏ ଉଷୁମ ପାଣି କରି ଆମ ଭାଇ ଭଉଣୀମାନଙ୍କ ଶୁଖିଲା ପିତା ତରଡା ଜାଲିରେ ନିମ ସାବୁନ ଲଗାଇ ଘଷି ମାଜି ଗାଧୋଇ ଦେଇ ମରା ନଡିଆ ତେଲ ଲଗାଇ ଦିଅନ୍ତି । ସେ ମରା ନଡିଆ ତେଲରେ ମେଥି ଓ ବାସ୍ନା କର୍ପୂର ପଡିଥିବ ଯେ ମହ ମହ ବାସ୍ନାରେ ଦେହ ମୁଂଡ ବାସି ଯାଉଥିବ । ଗାଧୋଇ ଦେବା ବେଳେ ନନା ଆମକୁ ଶରୀର ସ୍ୱାସ୍ଥ୍ୟ ଉପରେ ସଚେତନତା ଦିଅନ୍ତି। କହନ୍ତି ଏଇ ମରା ନଡିଆ ତେଲ ଦେହରେ ଲଗାଇ ଲେ କାଛୁ କୁଂଡିଆ ହେବନି କି ଶୀତ ଦିନେ ଦେହ ଫାଟିବନି । ବୋଉକୁ ମଧ୍ୟ ତାଗିଦା କରନ୍ତି ଆଜି ଛୁଟି ଦିନ ଅଛି ବୋଲି ପିଲାଙ୍କୁ ସିନା ମୁଁ ଗାଧୋଇ ଦେଉଛି ହେଲେ ମନେ ରଖ ସବୁ ଦିନ ପିଲାଙ୍କୁ ଏଇ ଭଳି ଗାଧୋଇ ଦେବ ।

ଗାଧୋଇ ସାରିବା ପରେ ନନା ଆମକୁ ଠାକୁର ଘରକୁ ନେଇ ଯାଆନ୍ତି ଏବଂ ଅଖଣ୍ଡ ମଂଡଳକାର ବ୍ୟାପ୍ତ ଜନ ଚରାଚର ପ୍ରାର୍ଥନାଟି ବୋଲାନ୍ତି ଏବଂ ତାଗିଦା କରନ୍ତି ସବୁଦିନ ବୋଲୁଛ ଟି । ଆମେ କହିବା ପୂର୍ବରୁ ବୋଉ କହି ଉଠେ । ବୋଲିବେନି ଯିବେ କୁଆଡେ। ନହେଲେ ଖାଇବା ବନ୍ଦ ।

ନନା ରାତି ଚାରିଟାରୁ ବିଛଣା ଛାଡନ୍ତି । ଉଠିବା ପରେ ବଡ ପାଟିରେ ଗୀତ ଗାଆନ୍ତି । ପାହିଲା ରଜନୀ ଅନ୍ଧାର ଉଠ ଉଠ ବାଳକେ ଏବଂ ଅଖିଳ ବ୍ରହ୍ମାଂଡ ପତି ମୋ ଜୀବନ ସ୍ୱାମୀ । ଭାରି ମଧୁର ଲାଗେ ଏସବୁକୁ ଶୁଣିବା ପାଇଁ ।

ସେତେବେଳ ନାନାଙ୍କୁ ଆମର ଗାଁର ଘଣ୍ଟା ବୋଲି କହନ୍ତି। ନନାଙ୍କ ଭୋରୁ ଗୀତ ଶୁଣି ବହୁ ଲୋକ ବିଛଣା ଛାଡନ୍ତି । ଏବଂ କହନ୍ତି ଆରେ ମାଷ୍ଟର ଆମର ଗୀତରେ ଗୀତରେ ଘଣ୍ଟା ବଜେଇ ଲେଣି ।

ନନା ସକାଳୁ ଉଠି ବାଡି ବଗିଚା କାମ କରନ୍ତି । ଘାସ ଉପାଡିବା । ଗଛ ମୂଳରେ ପାଣି ଦେବା ପାଇଁ ମଂଦା କରିବା। ଋତୁ ଅନୁସାରେ ନୂଆ ଚାରା ଲଗାଇବା ଇତ୍ୟାଦି ଇତ୍ୟାଦି କାମ ସବୁ କରନ୍ତି ।

ଆଠଟା ବାଜିଲେ ବୋଉକୁ ବଡ ପାଟିରେ ବଡ ଭାଇନାଙ୍କ ନାମ ରେ ଡାକନ୍ତି। ଏ କୃଷ୍ଣ ପିଲାଙ୍କୁ ବଗିଚାକୁ ପଠା । ଆମେ ସବୁ ପଢା ପାଖରୁ ବହି ବସ୍ତାନି ବ୍ୟାଗ୍ ରେ ରଖି ନନାଙ୍କ ପାଖକୁ ବଗିଚାକୁ ଧାଉଁ । ଯାଉ ଯାଉ ନନା ଆଗ ପଚାରନ୍ତି ଆଜି ବଟା ହଳଦି ଳିମ ପତର ବଟା ବୋଉ ଖାଇବାକୁ ଦେଇଛି ତ । ଏକା ସ୍ୱରରେ ଆମେ ହଁ ଭରୁ । ତା ପରେ ଆମକୁ ନାନା କହନ୍ତି ହଉ ବଗିଚା କାମ ଟିକେ କର ।

ନାନା ଉପାଡି ଥିବା ଘାସକୁ ଆମେ ନେଇ ଏକ ଖାତରେ ପକାଉ । ସେ ଖାତରେ ବୋଉ ଆମର ପରିବା ଚୋପା ମଧ୍ୟ ପକାଏ । ନନା ମଧ୍ୟ ଗାଁ ଦାଂଡରେ ପଡିଥିବା ଗୋବର ଆଣି ପକାନ୍ତି । ସେ ସବୁ ଏକାଠି ପଡି ରହେ । ନନା ପଚାରନ୍ତି ଏସବୁ କାହିଁକି ଏକାଠି ପଡିଲା । ଆମେ କହୁ ଖତ ହେବ । ନନା ପୁଣି ପଚାରି ଥାନ୍ତି ଏ ଖତ କଣ ହେବ । ଆମେ କହୁ ଗଛ ମୂଳରେ ଦିଆହେବ । ତା ପରେ ବଡ ଭାଇନା ଓ ବଡ ନାନୀକୁ ନାନା ପଚାରନ୍ତି ଗଛରେ ଖତ କାହିଁକି ଦିଆଯାଏ । ଭାଇନା ଓ ନାନୀ କହନ୍ତି ଖତ ହେଉଛି ଗଛର ଖାଦ୍ୟ ରୂପୀ ଭିଟାମିନ୍। ଗଛ ହୁଷ୍ଟ ପୃଷ୍ଟ ହେବ ଓ ଭଲ ଫଳ ଧରିବ । ତା ପରେ ନନା ଆମକୁ ବଗିଚା ସାରା ବୁଲାଇ ବିଭିନ୍ନ ଗଛମାନ ଚିହ୍ନାଇଥାନ୍ତି । ଏଇଟା ଆତ ଗଛ । ଏଇଟା ପିଜୁଳି । ଏଇଟା ସେପେଟା । ଏଇଟା ଯାମୁ କୋଳି ।ଏଇଟା ଡାଳିଂବ । ଏଇଟା କରମଙ୍ଗା । ଏଇଟା ଆଂବ ।

ଏମିତି ଅନେକ ପ୍ରକାର ଗଛ ନନା ନିଜେ ପରିଶ୍ରମ କରି ବଗିଚାରେ ଲଗାଇ ଥାନ୍ତି । ଗାଁରେ ଯାହାର ଯାହା ଦରକାର ପଡେ ଦୁବ ବରକୋଳି ପତ୍ର। କଦଳୀ ପତ୍ର। ଆଂବ ଡାଳଠାରୁ ଠାରୁ ସବୁ ପ୍ରକାର ଫୁଲ ମାଷ୍ଟରଙ୍କ ବଗିଚାରୁ ମିଳିବ ।

ଏମିତି କୋଉ ପନି ପରିବା ନ ଥିବ ଯାହା ମାଷ୍ଟରଙ୍କ ବାରିରେ ନ ଫଳିଥିବ ।

ବଗିଚା ବୁଲା ପରେ ନନା ବଗିଚାରୁ ତୋଳିଥିବା ବାରମିଶା ଶାଗ ଆମ ହାତକୁ ବଢାଇ ଦେଇ କୁହନ୍ତି । ନିଅ ବୋଉକୁ ଦେଇଦେବ । ଯେମିତି ମୁଁ ରେଡି ହେବା ବେଳକୁ ଏ ଶାଗ ବଛାବଛି କରି ଭାଜି ଦେଇଥିବ । ଆଉ ତମେ ସବୁ ସ୍କୁଲକୁ ଯିବା ପାଇଁ ବି ରେଡି ହୋଇ ଯିବ ।

ନାନା ଖାଇ ବସିଲେ ବୋଉ କୁ ଭାରି ଡର । ସବୁ ଜିନିଷ ଗରମ ଗରମ ହୋଇ ଥିବ ନନା ଖାଇବେ। ସେଇଥିପାଇଁ ନାନା ସାତଟା ଚୁଲିର ମୁହଁ ଗୋଟିଏ କରିଥାନ୍ତି । ଏବଂ ଗୋଟିଏ ମୁହଁରେ ନିଆଁ ଧରିଲେ ସାତ ଚୁଲି ଏକାବେଳକେ ଜଳିବ। ନଅଟା ଭିତରେ ବୋଉ ଭାତ ଡାଲି ସହିତ ପାଂଚ ଛଅ ପ୍ରକାର ତୁଣ (ତରକାରୀ ) ତରକାରୀ ପରସିବାର ଅଛି ନାନାଙ୍କୁ ଏମିତି କି ପ୍ରତିଦିନ ଶାଗ ସହିତ। ଚୁଲି ରେ କଢେଇ ବସିଥିବ ତୁଣ ଢକ ଢକ ହୋଇ ଫୁଟୁଥିବ । ସେମିତିରେ ନାନାଙ୍କୁ ପରସା ହେବ । ହାତ ବୁଡାଇଲେ ହାତ ପୋଡିଯିବ । କେମିତି କେଜାଣି ନନା ଖାଆନ୍ତି । ଖାଇବା ମଝିରେ ନନା ବୋଉକୁ ପଚାରନ୍ତି। ଶାଗ ଭଜା ପିଲାଙ୍କୁ ଦେଇଛଟି । ପ୍ରତି ଦିନ ଶାଗ ଖାଇଲେ ଅନ୍ଧାର କଣା ରୋଗ ହବନି । ତମେ ବି ସାଗ ଖାଉଥିବ । ଆଖିକୁ ଚଷମା ଦରକାର ପଡିବିନି । ହେଲେ ବୋଉ ଚିଡି ଉଠେ । କହେ ଏ ବାରମିସା ଶାଗ ମୋତେ ଭଲ ଲାଗୁନି । ଏକ ପତ୍ରରେ ଶାଗ କଣ ତମକୁ ତୋଳିବାକୁ ମିଳୁନାହିଁ। ନନା କହନ୍ତି ପାଟିକୁ ଯାହା ଭଲ ନୁହେଁ ଶରୀର ପାଇଁ ତାହା ଉପକାର । ବାରମିଶା ଶାଗରେ ବାର ପ୍ରକାର ଭିଟାମିନ୍ ମିଳିବ ଶରୀରକୁ । ଶକ୍ତି ବଢିବ ।

ନନା ଖାଇ ସାରି ସ୍କୁଲ୍ ବାହାରନ୍ତି। ଯିବା ପୂର୍ବରୁ ଦାଂଡ ଦୁଆରେ ଆମକୁ ଏକାଠି ଠିଆ କରାଇ ଆହେ ଦୟାମୟ ବିଶ୍ବାବିହାରି ପ୍ରାର୍ଥନାଟି ବୋଲାନ୍ତି ଓ ନିଜେ ମଧ୍ୟ ବୋଲି ଭୂମିକୁ ପ୍ରଣାମ କରନ୍ତି। ଆମକୁ କହନ୍ତି ପ୍ରଣାମ କର ଭୂମି ମା’କୁ । ଆମେ ମଧ୍ୟ ଏହା ଖୁସିରେ କରୁ । ତା ପରେ ବଡ ଭାଇନା ଓ ବଡ ନାନୀ ନନା ବୋଉଙ୍କୁ ଭୂମିଷ୍ଠ ପ୍ରଣାମ କରି ଯେ ଯାହା ସ୍କୁଲ୍ କୁ ଯିଏ ଯାଆନ୍ତି। ମୁଁ କିନ୍ତୁ ନନାଙ୍କ ସାଙ୍ଗରେ ସାଇକେଲ ପଛରେ ବସି ନନାଙ୍କ ସ୍କୁଲ୍ କୁ ଯାଏ । ଯେ ହେତୁ ବହୁତ ଛୋଟ ପିଲା ଥାଏ ।

ଥରେ ଆମ ସାହିର ଜଣେ ବ୍ୟକ୍ତି ନନାଙ୍କୁ ପଚାରିଲେ ମାଷ୍ଟ୍ରେ ଆଜ୍ଞା। ଆପଣ ତ ଗାଧୋଇ ସାରିବା ପରେ ଘରେ ରଖିଥିବା ଶାଳ ଗ୍ରାମ ପୂଜା କରୁଛନ୍ତି। ହେଲେ ସବୁ ନିତ୍ୟ କର୍ମ ସାରିବା ପରେ ଏମିତି ଖାଇ ସାରିବା ପରେ ପୁଣି ଏ ଦୟା ମୟ ବିଶ୍ଵ ବିହାରି ଗାଇବାର ମାନେ କଣ ?

ନନା ହସନ୍ତି ଏବଂ କହନ୍ତି ଏହା କେବଳ ପିଲାଙ୍କୁ ଶିକ୍ଷା ଦେବା ପାଇଁ। ଏଇ ପ୍ରାର୍ଥନାର ମର୍ମ ପିଲା ବୁଝିଲେ କେବେ ବି ଆଉ ଅବାଟରେ ଯିବେନି । ଏଇ ପ୍ରାର୍ଥନା ମୁଁ ମଧ୍ୟ ସ୍କୁଲରେ ପିଲାଙ୍କୁ ବୋଲାଇ ଥାଏ । ତା ବ୍ୟତୀତ ମୁଁ ଯଦି ନିଜ ପିଲାଙ୍କୁ ସୁଧାର କରି ଗଢି ପାରିବି ନାହିଁ ମୋ ସ୍କୁଲର ଛାତ୍ର ଛାତ୍ରୀଙ୍କୁ କେମିତି ଗଢିବାରେ ସକ୍ଷମ ହେବି ।

ନନା ଆଜି ବହୁ ଦୂରରେ। ହେଲେ ସବୁ କଥା ତାଙ୍କର ସ୍ମୃତିରେ ସ୍ମୃତିରେ ଆନ୍ଦୋଳିତ ହେଉଛି। ବେଳ ଅବେଳରେ ଭାରି ଅସ୍ତ ବ୍ଯସ୍ତ କରୁଛି। ଆଖି ପାଉନି ତାଙ୍କୁ ଆଉ ସ୍ଵଚକ୍ଷୁରେ ଦେଖିବା ପାଇଁ। କେତେ ବଡ ମହାନାୟକ ଥିଲେ ନନା ପରିବାର ର ମଝି ଖୁଣ୍ଟରେ । ଆଜିକାଲି ଏଇ ଭଳି ବାପା ମାନେ କଣ ଆବିର୍ଭାବ ହେବେ ନାହିଁ ଆଉ ଏ ସଂସାର ରେ ।

ଏମିତି ଅନେକ ଘଟଣା ରେ ନନା ମୋର ମନେ ପଡନ୍ତି। ବହୁତ ଖୋଜେ ନିଜ ଭିତରେ ।

ନନା କହନ୍ତି କାଉଁରୀଆ ବାଡି ପରି ଭାଙ୍ଗି ଯିବ ପଛେ ମୁଂଡ ନୁଆଁଇବ ନାହିଁ ଅନ୍ୟ ପାଖରେ। ଭିକ ମାଗିବ ପଛେ ଚୋରି କରିବ ନାହିଁ କେବେ ।

ବୋଉ କହୁଥିଲା ନନା ଭାରି ନୀତିବା ନ ମଣିଷ ଥିଲେ । ନ୍ୟାୟରେ ବାଟ ଚାଲୁଥିଲେ ।

ବଡ ଭଉଣୀ ପ୍ରଥମ ଥର ମାଟ୍ରିକ ପରୀକ୍ଷା ଦେଇ ଗଣିତରେ ତିନି ନଂବର ପାଇଁ ଅକୃତକାର୍ଯ୍ୟ ହେଲା । ସବୁ ବିଷୟରେ ପାସ୍ କରିଥିଲେ ବି କାହିଁକି ଗଣିତରେ ଫେଲ୍ ହେଲୁ ନନା ବାରଂବାର କଇଫଦ ଚାହିଁ ଲେ । ହେଲେ ନନାଙ୍କ ମୁହଁରେ କିଏ କଥା କହିବ । ନାନୀ ନୀରବ। ନନା କହିଲେ କଇଫଦ ନାହିଁ ତ ଆଉ ଦ୍ୱିତୀୟ ବାର ପରୀକ୍ଷା ଦେବାର ସୁଯୋଗ ନାହିଁ। ଲୋକ ମାନେ କଣ ଭାବିବେ । କଣ ନା ମାଷ୍ଟରଙ୍କ ଝିଅ ହୋଇ ପରୀକ୍ଷାରେ ଫେଲ୍ । ବୋଉ ଗୋଡ ହାତ ଧଇଲା ନନାଙ୍କର । ପରୀକ୍ଷା ପାଇଁ ଗୋଟିଏ ଥର ସୁଯୋଗ ଦେବାପାଇଁ।

ବୋଉ ଯୁକ୍ତିକଲା ନନାଙ୍କ ସହିତ। ବଡ ଝିଅ ବୋଲି ସାନ ଭାଇ ଭଉଣୀଙ୍କର ସବୁ କାମ କରି । ଘର କାମରେ ମୋତେ ସାହାଯ୍ୟ କରି ପାଠ ପଢୁଛି । ଛୁଆ ଲୋକଟା । ପରୀକ୍ଷାରେ ଟିକେ ଖରାପ କରିଦେଲା ।ତା ମାନେ କଣ ଏତେ କଠୋର ତା । ନନା ନୀରବ ରହିଲେ । ବୋଉ ଜାଣିଛି ନନା ନୀରବ ମାନେ ଝିଅର ପରୀକ୍ଷା ଦେବା ବି ବନ୍ଦ ।

ବଡ ଭାଇନାର ସାହାଯ୍ୟରେ ବଡ ଭଉଣୀ ଆଉ ଥରେ ସବୁ ବିଷୟରେ ପରୀକ୍ଷା ଦେଲା ଏବଂ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାଶ୍ କଲା । ନନା ପରେ ବହୁତ ଖୁସି ହୋଇ ଗଲେ ଏବଂ ବୋଉକୁ କହିଲେ ଦେଖି ଲତ ମୋ କଠୋର ପଣ କେମିତି ତମ ବଡ ଝିଅର ପରୀକ୍ଷାରେ ସହାୟତା ହେଲା । ଶାସନ ମାନେ କଠୋର ହେବା ଉଚିତ୍। ଯେମିତି କଠିନ ଭୂମିରେ ମଂଜି ପୋତି ପାଣି ନ ଦେଲେ ବି ଚାରାଟି ଭୂମି ଫଟାଇ ପଦାକୁ ବାହାରି ଆସେ ।

ଏମିତି ଅନେକ ବାସ୍ତବ କାହାଣୀ ରେ ହଜି ଯାଇଛନ୍ତି ମୋ ନନା । ନନାଙ୍କର ଗୋଟିଏ ଗୋଟିଏ ଦିନର କଥା ଆମ ଭିତରେ କେତେ କାହାଣୀ ହୋଇ ରହିଛି । କୋଉ କଥା କେଉଁ ଠାରୁ କହିବି ।

ଆମେ ସବୁ ଆସ୍ତେ ଆସ୍ତେ ବଡ ହେଲୁ । ନନାଙ୍କ ଦରମା ପଇସା ଘର ଚଳିବାରେ ନିଅଣ୍ଟ ହେଲା । ତଥାପି ନନା ଭାଙ୍ଗି ପଡି ନଥିଲେ । ସଂଜ ବେଳେ ଘର ପିଂଢାରେ ଚା ଜଳଖିଆ ଦୋକାନ କଲେ । ବୋଉ ବାରଣ କରି କହିଲା ସ୍କୁଲ୍ ର ପ୍ରଧାନ ଶିକ୍ଷକ ହୋଇ ଶେଷ କୁ ତମେ------।

ଗାଁରେ କଣ ଭାବିବେ । ନନା କହିଲେ ପେଟ ପୋଷ୍ ନାହିଁ ଦୋଷ୍ । ଗାଁ ଲୋକ କଣ ମୋ ଅଭାବି ମାଣ ଭରିଦେବେ କି । ମୋ ପିଲା ଛୁଆଙ୍କ ପାଇଁ ମୁଁ କର୍ମ କରୁଛି। ଚୋରି କରୁନି ଯେ ଗାଁ ଲୋକଙ୍କୁ ଡରିବି । ବୋଉ ପାଟି ଏକା ଥରକେ ଚୁପ୍ ।

ନନାଙ୍କ ଦରମା ବହୁତ କମ୍ ଥିଲା । ଆମେ ଆଠ ଭାଇ ଭଉଣୀ। ସମସ୍ତେ ପାଠ ପଢି ଶିକ୍ଷିତ ହୋଇ ଆଜି ଭଲ ରେ ଅଛୁ । ହେଲେ ନନାଙ୍କ ନୀତି ରେ ଆମେ ଆମ ପିଲାମାନଙ୍କୁ ଗଢି ପାରିଲୁ ନାହିଁ । ନନା କେବଳ ଆମ ପାଇଁ ପିତା ନଥିଲେ ବରଂ ମା" ପରି ବହୁତ କରିଛନ୍ତି।

ଆମେ ସବୁ ପ୍ରାୟ ବର୍ଷେ ବଡ ସାନ ଭାଇ ଭଉଣୀ। ଦୁଇ ଭାଇ ଛଅ ଭଉଣୀ ଭିତରେ ମୁଁ ସାତ ନଂବର ଝିଅ । ମୋ ତଳେ ମଧ୍ୟ ଭଉଣୀ ।

ବୋଉ ଏତେ ଛୋଟ ପିଲାଙ୍କୁ ଧରି କୌଣସି ପର୍ବ ପର୍ବାଣୀ କରିପାରେ ନାହିଁ। ତେଣୁ ସବୁ ପର୍ବ ପର୍ବାଣୀରେ ଆମ ନନା ହିଁ ସବୁ କରନ୍ତି। ଏମିତି କେଉଁ ପିଠା ନାହିଁ ନନାଙ୍କୁ ଆମର ନ ଆସେ ।ଏମିତି କେଉଁ ପର୍ବ ନାହିଁ ଆମ ଘରେ ନ ହୁଏ । ବୋଉ ଯଦି ଏଇଟା ଆମ ଘରେ ନାହିଁ ହବନି କହେ । ନନା କହନ୍ତି ପୂଜା ନ ହେଉ। ପିଠା ପଣା ଖେଚୁଡି କଲେ କ୍ଷତି କଣ । ଆମ ପିଲା ଖାଇବେ । ନହେଲେ ପିଲାମାନେ ଆ ଦୁଆରେ ତା ଦୁଆରେ ନାକେଇବେ ।

ନନା ଥିଲେ ଭାରି ଖାଦ୍ୟ ପ୍ରିୟ ମଣିଷ।

ନିଜେ ଖାଉଥିଲେ ଓ ଆମକୁ ଖୁଆଉ ଥିଲେ ।

ବହୁତ କଷ୍ଟରେ ଆମକୁ ମଣିଷ କରିବା ବେଳକୁ ନନାଙ୍କର ଅବସର ନେବାର ସମୟ ହୋଇ ଯାଇଥିଲା। ଅବଶ୍ୟ ଅବସର ବେଳେ କୁ ବଡ ଭାଇନା ଚାକିରୀ କରି ସାରିଥିଲେ। ହେଲେ ବି ନନା ନିଜ ଭିତରେ ଅବସର ନେଇ ପାରିଲେ ନାହିଁ। ଘର ପିଂଢାରେ କରିଥିବା ସଂଜବେଳ ଚା ଜଳଖିଆ ଦୋକାନଟିକୁ ବଜାରକୁ ଉଠାଇ ନେଇ ବଡ ଆକାରରେ କଲେ । ମୁଁ ସେତେବେଳେକୁ ଅଷ୍ଟମ କ୍ଳାସ୍ ରେ ପଢୁଥିଲି । ନନାଙ୍କୁ ଦୋକାନ କାମରେ ସାହାଯ୍ୟ କଲି ।

ନନା ସେତେବେଳେ କୋଇଲା ଆଂଚରେ ଦୋକାନ ଚଳାଉ ଥିଲେ । ଖରାବେଳେ ଆଂଚ ଖାଲି ଯାଏ ବୋଲି ନନା ଜାଳ ନଷ୍ଟ ନ କରିବା ପାଇଁ ଘର ରୋଷେଇ ସେଇଠି କରୁଥିଲେ । ନିଜେ ଗରମ ଗରମ ଖାଇ ଅବଶିଷ୍ଟ ଖାଦ୍ୟ ଝୁଡିରେ ପୁରାଇ ମୁଂଡରେ ମୁଂଡାଇ ଘରେ ନେଇ ବୋଉକୁ ଦେଇ ଆସୁଥିଲେ।

ଜୀବନର ଅଧେ ବୟସ ଗଲାଣି ସତ ହେଲେ ମୋ ନନାଙ୍କ ପରି ବିରଳ ବାପାର ମହାନତା ଆଉ ଦେଖୁନି । କେବଳ ଏତିକି ଅନୁଭବ କରୁଛି ଯେଉଁ ଘରେ ମା’ଠାରୁ ବାପା ମାନେ ବେଶି ନୀତିବାନ୍ ସେ ଘରର ଛୁଆ କେବେ ବି ଅବାଟରେ ଯାଇ ପାରନ୍ତି ନାହିଁ।

ସେତେବେଳ ଚାକିରୀରେ ଫ୍ୟାମିଲ୍ ପେନସନ୍ ନ ଥିଲା। ତଥାପି ଅବସର ନେବା ପରେ ନନା ଆମକୁ ଅଭାବ କଣ ଜାଣିବାକୁ ଦେଇନଥିଲେ କି ପେନସନ୍ ନାହିଁ ବୋଲି କେବେ ଚିନ୍ତା କରି ନ ଥିଲେ । ବରଂ ଜଳଖିଆ ଦୋକାନ କରି ପରିବାର ଚଳାଇବା ପାଇଁ ଅଣ୍ଟା ଭିଡିଥିଲେ। ବୋଉର ଅନେକ ବାଧ୍ୟ ପରେ ନନା ଥରେ ବଡ ଭାଇନାଙ୍କ ପାଖକୁ ଚିଠି ଲେଖିଲେ କିଛି ପଇସା ପଠାଇବା ପାଇଁ। ହେଲେ ଭାଇନାଙ୍କ ଉତ୍ତର ଯାହା ଥିଲା ବୋଉ ବି ସ୍ତଂବିଭୂତ ହୋଇଗଲା ।

ଭାଇନା ଲେଖିଥିଲେ :--

ନନା ।

ଚିଠି ପଢି ଘରର ପରିସ୍ଥିତି ବିଷୟରେ ସବୁ ଜାଣିବାକୁ ପାଇଲି। ହେଲେ ଘରଭଡା ଦେଇ ସାରି । ହୋଟେଲ ରେ ଚାରିଥର ଖାଇବା ପରେ ମୋ ଦରମା ପଇସା ଅଣ୍ଟୁନାହିଁ । ପୁଣି ସାଙ୍ଗ ସାଥି ଅଛନ୍ତି।

ଏଇ କଥା ଜାଣିବା ପରେ ସାନ ଭାଇ ସାହସର ସହିତ ନନାଙ୍କୁ କହିଲେ ।

ନନା ମୁଁ ଯେବେ ଭାଇନାଙ୍କ ପାଖକୁ ଯାଇ ଥିଲି ଦେଖିଲି ଭାଇନାର ସାଙ୍ଗ ସାଥି ଅଧିକ। ଭାଇନା ସାଙ୍ଗ ମାନଙ୍କ ପାଇଁ ବହୁତ ପଇସା ଖର୍ଚ୍ଚ କରୁଛନ୍ତି। ଏମିତି କି ସବୁ ସପ୍ତାହରେ ସିନେମା ଦେଖିବାକୁ ଯାଉଛନ୍ତି।

ଏହା ଶୁଣିବା ପରେ ନନା ବୋଉକୁ ପ୍ରଶ୍ନ କଲେ :--

ଏଥର କୁହ ମୋ ଚଟି ଖାତାର ହିସା ବି ଜୀବନ ଭଲ ନା ତୁମ ବଡ ପୁଅର ବେପରୁଆ ଜୀବନ ଭଲ ।

ହିସାବ ନ ଥିଲେ ଜୀବନ ମୂଲ୍ୟ ହୀନ।ତା ବ୍ୟତିତ ପୁଅ ଯଦି କାହା ପାଖରେ ମେସ୍ ରେ ରହି ନିଜ ହାତରେ ରୋଷେଇ କରି ଖାଇବା ଶିଖିବନି ଏମିତି ଚାକିରୀ କରି କିଛି ଲାଭ ନାହିଁ ।

ଆଉ ରହିଲା ସାଙ୍ଗ ସାଥି ଓ ସିନେମା ଦେଖା ।

ମୋ ହିସାବରେ ଚୋରମାନେ ସାଙ୍ଗ ସାଥି ହୁଅନ୍ତି ଚୋରି କରିବା ପାଇଁ ।

ଆଉ ସମୟ ମିଳିଲେ ଖରାପ ଜିନିଷ ଦେଖିବାକୁ ଇଚ୍ଛା ହୁଏ । ଏସବୁ ମୋ ଆଦର୍ଶରୁ ବର୍ହିଭୂତ କଥା । ଯାହା ଯାହା କହିଲି ପୁଅକୁ ଚିଠି ଲେଖି ସବୁ ବୁଝାଇ ଦିଅ ନଚେତ୍ ମୁଁ ମଲା ପରେ ବହୁତ ଦୁଃଖ ପାଇବ ।

ନନା ସିନା ବୋଉକୁ ଏମିତି ସହଜରେ ଚିଠି ଲେଖିବା ପାଇଁ କହି ଦେଲେ ହେଲେ ସେଦିନ ସେ ଭାରି ଅନ୍ୟମନସ୍କ ଲାଗୁଥିଲେ । ମୋତେ ସାଙ୍ଗରେ ନେଇ ଜଳଖିଆ ଦୋକାନ କୁ ବାହାରିଲେ । ବାଟରେ ଗଲା ପରେ ପୁରା ଚୁପ୍ ଚାପ୍ । ସବୁ ଦିନ ମୋ ହାତ ଧରି ରୋଡ୍ ପାସ୍ ହୁଅନ୍ତି ହେଲେ ସେଦିନ ଏକା ଚାଲିଗଲେ ରୋଡ୍ ସେପଟକୁ । ମୁଁ ରୋଡ୍ ପାସ୍ କଲା ପୂର୍ବରୁ ଏକ କାର ଆସି ଶକ୍ତ ଧକ୍କା ଦେଇଥିଲା ନାନାଙ୍କୁ । ନାନା ବଡ ପାଟିରେ ବୋଉକୁ ଡାକୁଥି ବା ନାମରେ କୃଷ୍ଣ କହି ଚିତ୍କାର କରି ନୀରବି ଗଲେ ଆଉ ମୁଁ ନନା ଡାକିବା ପରେ ଘଟଣା କଣ ଘଟିଲା ବୋଲି ଜାଣି ପାରି ଲି ନାହିଁ ।

ମୋର ଚେତା ଫେରି ସାରିଥିଲା । ନନାଙ୍କ ଚିତା ବି ଲିଭି ସାରିଥିଲା ।ହେଲେ ବୋଉ ହାତରେ ଶଙ୍ଖା ନ ଥିଲା କି ମୁଂଡରେ ଦାଉ ଦାଉ ଜଳୁଥିବା ସିନ୍ଦୁର ଟୋପାଟା ଦେଖା ଯାଉ ନ ଥିଲା । ଛିଟ ଲୁଗା ବଦଳେ ବୋଉ ପିନ୍ଧିଥିଲା କସ୍ତା ଧଳା ଲୁଗା । ବୋଉ ଚାରିପଟେ ସମସ୍ତେ ଘେରି ବସି ଥିଲେ । ଏସବୁ ଭିତରେ ମୁଁ ପରିସ୍ଥିତି ବୁଝିବା ବଦଳେ ସେଦିନ ର କାର୍ ଧକ୍କା ର କଥା କୁ ମନେ ପକାଇ ଜୋର୍ ରେ କାନ୍ଦି ଉଠି ମୁକ ହୋଇ ଯାଉଥିଲି ।

ବଡ ଭାଇନା ନନା ମରିବାର ସାତ ଦିନରେ ଘରେ ପହଞ୍ଚିଲେ । ସାଙ୍ଗରେ ପୁଣି ଥିଲେ ଭାଉଜ। ଭାଇନାଙ୍କୁ ଦେଖି ବୋଉ ଜୋର୍ ରେ କାନ୍ଦିଥିଲା । ପଦିଏ ମାତ୍ର କହିଲା ଯୋଗ୍ୟ ପୁଅ ବୋଲି ପ୍ରମାଣ ଦେଲୁ ନନା ମରିବାର ସାତ ଦିନରେ ଆସି । ପୁଣି ସାଙ୍ଗରେ ------।

ଆଉ କିଛି କହିବା ପୂର୍ବରୁ ଭାଇନାଙ୍କ ସାଙ୍ଗରେ ଆସିଥିବା ଭାଉଜଙ୍କୁ ସମସ୍ତେ ବୁଝି ସାରିଥିଲେ------।

ମୋ ବୟସ ସେତେବେଳେ ହୋଇ ଥିଲା ବାରବର୍ଷ। ମୋତେ ଦାଂଡରେ ଯିଏ ଦେଖିଲା ଖାଲି ପଚାରିଲା । ଆଲୋ ମିଲି , ତୁ ତ ସାଙ୍ଗରେ ଥିଲୁ ନନାଙ୍କୁ କାର କେମିତି ଧକ୍କା ଦେଲା ।

ମୁଁ ସେ ସବୁ କଥାକୁ ମନେ ନ ପକାଇ ଖାଲି ଏତିକି କହୁଥିଲି । ଜାଣିଛ ନା ।

ଆମ ନନା ମରି ଯାଇଛନ୍ତି ମୁଁ ନୂଆ ଜାମା ପେଣ୍ଟ ପିନ୍ଧି ବି !

ସେଦିନ ର କଥା ଆଜି ମନେ ପଡିଲେ ଦେହ ଶୀତେଇ ଉଠେ । ବୟସର ତାରତମ୍ୟ ତାରେ ସେଦିନ ଯେତିକି ନନାଙ୍କ ମୃତ୍ୟୁ ବ୍ୟଥିତ କରିନଥିଲା ଆଜି ବୟସର ମଝି ଅଗଣାରେ ନନାଙ୍କ କଥା ଭାବିଲେ ହୃଦୟରେ ଝଡ ସୃଷ୍ଟି ହେଉଛି।

ସତରେ ଏମିତି ବି ଅନେକ ବାପା ଥିବେ ଦୁନିଆରେ। ଯେଉଁଠି ପିଲା ଗର୍ବ କରିବ ଇଏ ତ ମୋ ବାପାର କଥା ।

ମନୋରମା ମିଶ୍ର।

340/2181 ।ଶକ୍ତି ନଗର ।

ଶିଶୁପାଳ ଗଡ । ଭୁବନେଶ୍ବର।


Rate this content
Log in

Similar oriya story from Inspirational