ଧୂଳି
ଧୂଳି
ଚମ୍ପା ମାଉସୀ, ବୟସ ପଂଚାଵନ କି ଷାଠିଏ ହେବ। ଦେଖିବାକୁ ଚମ୍ପା ଫୁଲ ପରି କିନ୍ତୁ କାମ ବିଛୁଆତି, ନା ବିଛୁଆତି କହିଲେ ଭୁଲ ହେବ ବାଇଡଙ୍କ। କାରଣ ବିଛୁଆତି ସାଙ୍ଗରେ ଲାଗିଲେ ଦେହ କୁଣ୍ଡେଇ ହେବ କିନ୍ତୁ ବାଇଡଙ୍କ ଉଡି ଉଡି ଦେହରେ ଲାଗିବ ଏବଂ ତାର କୁଣ୍ଡେଇ ହେବା ଶକ୍ତି ପ୍ରବଳ। ଚମ୍ପା ମାଉସୀର ଗୁଣଟି ବି ସେମିତି ବାଇଡଙ୍କ ଭଳି। ଯିଏ ଦେଖିବ ପଛରୁ ହିଁ ମୁଣ୍ଡିଆ ମାରିବ। କଳି ଯୁଗର ନାରଦ, ମନ୍ଥରା ଯାହାବି କହିଲେ ଉପାଧିଟା କମ ପଡ଼ିବ।
ଚମ୍ପା ମାଉସୀଙ୍କର ବାରିପଟେ କିଛି ଦୂର ଛାଡି ଗୁଡ଼ିଆ ଘର। ଜାଗା କମ ଥିବାରୁ ସେମାନେ ଛୋଟ ଚାଳିଆ ଖଣ୍ଡେ କରି ରୋଷେଇ ବାସ, ଭଲ ମନ୍ଦ, ଖା ପିଆ ସେଠାରେ କରନ୍ତି। ଯଦି ନିଜ ଜାଗାରେ ପାଣି କିମ୍ବା ଜରି କାଠ କୁଟା ପଡେ ମହାଭାରତ କରିଦିଏ ଚମ୍ପା ମାଉସୀ।
ଏବେ କିଛିଦିନ ହେବ ଚମ୍ପା ମାଉସୀ ଘରର ପାଉଁଶ ପକାଉଛି ଠିକ ନିଜ ଜାଗାର ମଝା ମଝି। ଗୁଡ଼ିଆ ଘର ଗାଁରେ ସମସ୍ତଙ୍କୁ କହି କହି ଥକି ଗଲେଣି। ଚମ୍ପା ମାଉସୀର ଗୋଟିଏ ଜିଦ ମୁଁ ମୋ ଜାଗାରେ ଯାହା କଲି ତମର କଣ ଗଲା। ପୁଅ ଝିଅ ବି ଚମ୍ପା ମାଉସୀକୁ ବୁଝାଇ ବୁଝାଇ ଥକି ଗଲେଣି। ବେଳେବେଳେ ଛୋଟ ପିଲାଙ୍କ ଝାଡା ବି ପଡୁଛି ଚମ୍ପା ମାଉସୀ ଜାଗାରେ।
ଗୁଡ଼ିଆ ଘର ଶେଷରେ ନିଷ୍ପତି ନେଲେ ଶୁଖିଲା ପାଉଁଶ ଉପରେ ପାଣି ଢାଳିଦେଲେ ଆଉ ପବନରେ ଉଡ଼ିବ ନି। ଗୁଡ଼ିଆ ଘର ମାଉସୀ ପାଣି ଢାଳିଲା ବେଳେ ଭଗବାନଙ୍କୁ ଡାକି କହୁଥିଲେ "ଯିଏ ମୋ ଭାତ ଭାଣ୍ଡିରେ ଧୂଳି ଦେଉଛି, ଭଗବାନ ତା ଭାତ ହାଣ୍ଡିରେ ଧୂଳି ଦେଉ" କିନ୍ତୁ ଚମ୍ପା ମାଉସୀ କହୁଥିଲେ ପର ଉପରେ ଏଡ଼େ ଜବର କଣ ପାଇଁ।
ଦଶ ବର୍ଷ ପରେ ଗୁଡ଼ିଆ ଘର ଗାଡି ଘୋଡା ଭଲ ମନ୍ଦ ସବୁ ଅଛି କିନ୍ତୁ ଚମ୍ପା ମାଉସୀର କର୍ପୂର ଉଡିଯାଇଛି ଖାଲି କନା ପଡିଛି।