Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aravinda Das

Others

2  

Aravinda Das

Others

ଗ୍ରହ ନକ୍ଷତ୍ର

ଗ୍ରହ ନକ୍ଷତ୍ର

2 mins
7.4K


ବନ୍ଧୁ ଭେଙ୍କଟ ରାଓ'ର ବାହାଘରରେ ଯୋଗଦେଇ ତେଲୁଗୁ ବିବାହ ପରମ୍ପରାର ଗୋଟେ ନୂଆ ଦିଗ ଆବିଷ୍କାର କଲି ।

" ବାହାଘର ପରେ, ସନ୍ଧ୍ୟା ସମୟରେ ସ୍ୱାମୀ ,ସ୍ତ୍ରୀକୁ ଆକାଶରେ ପବିତ୍ର ନକ୍ଷତ୍ର "ଅରୁନ୍ଧତୀକୁ ଦେଖାଇବାର ଆମର ଏକ ପରମ୍ପରା ଅଛି । "

ଭେଙ୍କଟର କଥା ଶୁଣି ପଚାରିଲି,"କିନ୍ତୁ କାହିଁକି ?"

ଟିକିଏ ଗମ୍ଭୀର ହୋଇ ଭେଙ୍କଟ କହିଲା, " ଅରୁନ୍ଧତୀ ହେଉଛନ୍ତି ପବିତ୍ରତା, ପବିତ୍ରତା ,ନିଷ୍ଠାର ପ୍ରତୀକ । ବିଦୁଷୀ ଅରୁନ୍ଧତୀ ଓ ବିଦ୍ୱାନ ମହର୍ଷି ବଶିଷ୍ଠ, ଦମ୍ପତିଙ୍କ ନାମରେ ନାମିତ ,ଏଇ ଦୁଇ ନକ୍ଷତ୍ର , ଅନ୍ୟ ନକ୍ଷତ୍ର ଯୁଗଳଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଅନ୍ୟସବୁ ଦ୍ଵେତ ନକ୍ଷତ୍ରଙ୍କ ମଧ୍ୟରେ ଜଣେ ସ୍ଥିର ଓ ଅନ୍ୟ ନକ୍ଷତ୍ରଟି ପ୍ରଥମ ନକ୍ଷତ୍ର ଚାରିପଟେ ଘୁରି ବୁଲୁଥିଲା ବେଳେ, ଅରୁନ୍ଧତୀ ଓ ବଶିଷ୍ଠ, ଉଭୟେ ଉଭୟଙ୍କ ଚାରିପଟେ ଘୁରନ୍ତି । ସୁଖୀ ଦାମ୍ପତ୍ୟ ଜୀବନରେ ସ୍ୱାମୀ, ସ୍ତ୍ରୀ ମଧ୍ୟ ସେମାନଙ୍କ ଭଳି ଉଭୟ ଉଭୟଙ୍କୁ ଅନୁସରଣ କରିବା ଉଚିତ ବୋଲି ଆମକୁ କୁହାଯାଏ । ସମ୍ମାନ ସ୍ୱରୂପ ଅରୁନ୍ଧତୀଙ୍କ ନାମକୁ ପ୍ରଥମେ ନିଆଯାଏ, ପରେ ବଶିଷ୍ଠଙ୍କ ନାଁ । "

ଚକିତ ହୋଇ ଭାବିଲି ,କେତେ ନିଆରା ଏଇ ପରମ୍ପରା !

ଭେଙ୍କଟର ମା’ଙ୍କୁ ଏକୁଟିଆ ପାଇ ପଚାରିଲି, "ଆଣ୍ଟି, ଏଇ ନକ୍ଷତ୍ର କଥା କଣ ସତ ? ପ୍ରକୃତରେ କଣ ଆପଣଙ୍କ ଦାମ୍ପତ୍ୟ ଜୀବନରେ ଅରୁନ୍ଧତୀ, ବଶିଷ୍ଟ ଭଳି ଅନୁଭୂତି ଆସିଛି ? "

ଆଖିକୁ ବଡ଼ ବଡ଼ କରି ଲକ୍ଷ୍ମୀ ଆଣ୍ଟି କହିଲେ,"ନକ୍ଷତ୍ର କଥା ଜାଣିନି । ଥରେ ତୋ ଅଙ୍କଲ ଆକାଶରେ ଚନ୍ଦ୍ରକୁ ଦେଖାଇ ମୋତେ କହିଥିଲେ, ତୁ ମୋ ଜୀବନର ଚାନ୍ଦ । ଭାରି ଖୁସି ହୋଇଯାଇଥିଲି । ହେଲେ ପରେ ବୁଝିଲି ,ସିଏ ପୃଥିବୀ ଓ ମୁଁ ତାଙ୍କ ଉପଗ୍ରହ ଚନ୍ଦ୍ର । ଜୀବନ ସାରା ତାଙ୍କ ଆଦେଶରେ ତାଙ୍କ ଚାରିପଟେ ବୁଲୁଛି । "

ରାତିରେ ଛାତ ଉପରେ ରାଓ ଅଙ୍କଲ ଚୁପଚାପ ସିଗାରେଟ ପିଉଥିବାର ଦେଖି ପାଖକୁ ଯାଇ କହିଲି, " ମୋତେ ଟିକେ ଅରୁନ୍ଧତୀ,ବଶିଷ୍ଠ ନକ୍ଷତ୍ର ଚିହ୍ନାଇ ଦେବେ ?ଆଛା ଅଙ୍କଲ,ସତରେ କଣ ଆପଣ ଏଇ ନକ୍ଷତ୍ର ପରମ୍ପରାକୁ ବିଶ୍ବାସ କରନ୍ତି ?"

ଠୋ ଠୋ ହୋଇ ହସି ଅଙ୍କଲ କହିଲେ,"ପାଗଳ ହେଲୁକି ? ତୁ କଣ ସତରେ ଭାବୁଛୁ ବିବାହିତ ପୁରୁଷ କେବେ ନକ୍ଷତ୍ର ହୋଇପାରିବ ?ତୋ ଆଣ୍ଟି କହିବା ଅନୁଯାୟୀ ମୁଁ ଗୋଟେ ଗ୍ରହ,'ପୃଥିବୀ' ଭଳି । ଆଉ ଆମ ଘର ଲୋକସବୁ ମଧ୍ୟ ଗୋଟେ ଗୋଟେ ଗ୍ରହ,ଗଳ ଗ୍ରହ । ଯାହାଙ୍କ ପାଇଁ ସେ ସାରା ଜୀବନ ହନ୍ତସନ୍ତ ହେଉଛି ବୋଲି ଅଭିଯୋଗ କରେ । ସତ କଥା ହେଲା,ଆମ ପରିବାର'ର ସୌର ମଣ୍ଡଳରେ ତୋ ଆଣ୍ଟି ହେଉଛି ସୂର୍ଯ୍ୟ ଏବଂ ଆମେ ସବୁ ଗ୍ରହ ତା ଚାରିପଟେ ବୁଲୁଛୁ, ତା'ରି ନିର୍ଦ୍ଦେଶରେ । ଦେଖୁନୁ, ସିଗାରେଟ ବି ଲୁଚାଇ ପିଇବାକୁ ପଡୁଛି । ତେଣୁ କିଏ ଅସଲ ନକ୍ଷତ୍ର ବିଚାର କର । "

ଦୀର୍ଘ ନିଶ୍ଵାସ ଛାଡି ଆକାଶକୁ ଅନାଇ ଭାବୁଥିଲି ,ବାହାଘର ପରେ ମୋ ଜୀବନକୁ , 'ଗ୍ରହ' ଅବା 'ନକ୍ଷତ୍ର' ,କିଏ ଆସିବ କେଜାଣି ??

(ଅରବିନ୍ଦ ଦାସ)


Rate this content
Log in