Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Soumya Shubhadarshinee

Drama Others

3  

Soumya Shubhadarshinee

Drama Others

ନାଟକର ଶେଷ ଦୃଶ୍ୟ

ନାଟକର ଶେଷ ଦୃଶ୍ୟ

6 mins
582



  ନାଟକ ସବୁବେଳେ ଏମିତି ବୋଧେ ;  ଟିକେ ଅଡୁଆ , ଟିକେ ତଡୁଆ , ଟିକେ ରାସାଣିଆ ଆଉ ବେଶ ମନଜିଣା ।


*****


 ଏଡ଼େ ଜୋରରେ ଚଟକଣି ଟେ ପକେଇଲା ବୁଲା ଦା' ଯେ ଗାଲ ନାଲି ପଡିଗଲା ଟିକୁର । ସେ ବୋଉଲୋ କହି ଚିଲ୍ଲେଇ ପକେଇଲା । ତଥାପି ବୁଲା ଦା' ଛାଡିଲାନି ଆହୁରି ଯୋଡ଼େ ବିଧା ପକେଇଲା ଆଉ ମୋବାଇଲ ଛଡେଇ ନେଲା ।


 ଟିକୁ ଧକେଇ ଧକେଇ କାନ୍ଦିଲା ବାରିପଟ କଇଁଆ ଗଛମୂଳେ ହେଲେ ବୋଉ ଆଗରେ ଫେରାଦି ହେଲାନି । ଆଉ କୋଉ ଦିନ ହେଇଥିଲେ ବୋଉକୁ କହି ତୁମ୍ବିତୋଫାନ କରି ପକେଇଥାନ୍ତା । ବୁଲା ଦା' ର ଖାଇବା ବନ୍ଦ କରେଇ ପକେଇଥାନ୍ତା । କିନ୍ତୁ ନାହିଁ ଆଜି କିଛି କହିବ ନାହିଁ । କାରଣ ସେ ଯାହା କରୁଥିଲା ଯଦି ବୁଲା ଦା' କହିଦିଏ ତେବେ ସଭିଏଁ ମିଶିକି ଆହୁରି ଉତ୍ତମ ମଧ୍ୟମ 

ଚଢେଇବେ । ବୋଉ ତ ବାଡେଇକି ଗଇଁଆ କରିଦବ ।


 ସିଏ କିନ୍ତୁ ସେମିତି ନୁହେଁ ମଁ , ଖାଲି ଯାହା ସେ ଦିପୁ ଭାଇ ସାଙ୍ଗରେ ପଡିକି ବିଗିଡି ଯାଉଛି ନା । ଦିପୁ ଭାଇ କହୁଥିଲା ଝିଅଙ୍କ କଥା ଏମିତି ସେମିତି । ମୋବାଇଲରେ ଦିଶୁଛି କେତେ କ'ଣ । ସେଥିପାଇଁ ସେ ବି ଟିକେ , ଛାଡ଼ ତା ' ବେଳା ଖରାପ ପଡିଲା ବୁଲା ଦା ' ହାବୁଡ଼ରେ ।


 ''ହେ ମା' ବୁଢ଼ୀ ମଙ୍ଗଳା ଲୋ , ବୁଲା ଦା' ଏକଥା ବୋଉକୁ ଜମା ନକହୁ । ମୋତେ ଏ ବିପଦରୁ ଉଦ୍ଧାର କର । '' 


 ବୁଲା ଦା' ନିଜେ ଦେଖିବ କେତେ କ'ଣ , ଟିକୁ ଦେଖିଛି ଲୁଚିକି । ସେଗୁଡା ଖରାପ ଭିଡିଓ । ତାକୁ କିନ୍ତୁ କେହି ଚଟକଣି ପକେଇବେ ନାହିଁ । ସେ କିନ୍ତୁ ନିର୍ଘାତିଆ ମାଡ଼ ଖାଇବ , ହୁଁ । ବଡ଼ ଲୋକ ସବୁ ଏମିତି ଗଉଁଆ , ମନମାନି କରୁଥିବେ । ସେ ପିଲାଲୋକ ବୋଲି ସବୁ ସହିବ । ଛାଡ଼ ତା କପାଳ ଲିଖନ ତ ଏମିତି !


********


 '' ବେଲାଏ ପଖାଳ ଉଦରସ୍ଥ କଲୁ , ପୁଣି ପିଜୁଳି ଯୋଡ଼ାକ ଖାଇଲୁ , ତା ପରେ ତୋତେ ଆହୁରି ଭୋକ ହାଁ ! ଆଲୋ ସେଇଟା ତୋ ପେଟ ନା ଘୁମ ବା ?''

ଚିଡୁଥିଲା ଖୁଡି ମାନୀ ହୁଣ୍ଡୀ ଉପରେ । 


 ସେଇ ମାନୀ ହୁଣ୍ଡୀ ଯିଏ ସବୁବେଳେ ପାଟି ଚଲଉ ଥାଏ , ମୁଣ୍ଡରେ ମନ୍ଦାର ଫୁଲ କି ପତ୍ରୀ ଗେଣ୍ଡୁ ଯାହା ମିଳେ ଖୋସି ପକାଏ , ଆଲୁରୀ ବାଲୁରୀ ଦିଶୁଥାଏ , ନାକ ସିଂଘାଣୀ ସଡ଼ ସଡ଼ ହେଇକି ବୁଲୁଥାଏ । ସଭିଏଁ କୁହନ୍ତି ହୁଣ୍ଡି ଟାଏ । ସତରେ ତାକୁ କିଛି ବୁଝା ପଡେନି । ସବୁବେଳେ ସାଇ ପିଲାଙ୍କ ସହ ଖେଳୁଥାଏ ଯଦିଓ ତା' ବୟସ ଖେଳ ସମୟ ପାର କରିଗଲାଣି ଢେର ଦିନୁ । 


 ଭେମ୍ବା ରଡି ପକେଇ ଗୋଡ଼ ଛିଞ୍ଚାଡି କାନ୍ଦିବା ଆରମ୍ଭ କଲେ ସାଇ କମ୍ପି ଯାଏ । କେହି ତାକୁ ବୁଝେଇ ପାରେନି କେବଳ ଖୁଡୀ ଛଡା । ଖୁଡୀ ତାକୁ ଧନଲୋ ସୁନାଲୋ କହି ସାଥିରେ ନେଇ ଯାଏ । ଖୋଇ ପେଇ ଶୁଏଇ ଦିଏ । ଏଡୁଟେ ହେଲାଣି ଆସି ତଥାପି ସେ ଛୁଆ ଏମିତି ହୁଏ ସବୁବେଳେ । 


 ଟିକୁ ଆଉ ଦୀପୁ ଭାଇ ଭାରିକା କ୍ରିକେଟ ଖେଳିଲା ବେଳେ ତାଙ୍କ ସହ ଖେଳିବାକୁ ଜିଦ କରେ ଯେ ଖେଳ ବନ୍ଦ ହୁଏ । ତାକୁ କିଏ ଖେଳେଇବ ରେ ବାବା । ଏଡୁଟେ ହେଲାଣି ଖେଳିବ ଧେତ୍ । 


 ଯେତେବେଳେ ଦେଖିବ ଚିରା ଫଟା ଫ୍ରକଟେ ପିନ୍ଧିଥାଏ ମାନୀ ହୁଣ୍ଡୀ । ଗରୀବ ଘର ତାଙ୍କର , ଅଭାବୀ ଲୋକ । ଖୁଡୀ ପର ଘରେ ପାଇଟି କରି ଯେତିକି ଆଣେ ସେଥିରେ ଘର ଚଳେ । କାହୁଁ ଆଣିବ ଯେ ଭଲ ବେଶ ପୋଷାକ । ଟିକୁ ଘରକୁ ବି ଆସେ ଖୁଡୀ କାମକୁ । ବୋଉ ଡେ଼ଜି ଅପା ର ପୁରୁଣା ଡ୍ରେସ୍ ଦେଇଦିଏ । ହୁଣ୍ଡୀ ଡ୍ରେସ୍ ପିନ୍ଧି ମସିଆ ଦାନ୍ତ ଦେଖେଇ ହସେ । ନିରୋଳା ହସ । ଭାରି ମାନେ ତା' ନିରୀହ ମୁହଁକୁ ସେଇ ହସ । 


 ଟିକୁକୁ ଭଲ ଲାଗେ ମାନୀ ହୁଣ୍ଡୀ । ଦିନେ ଦିନେ ତାକୁ ବସେଇ ଗପ ଶୁଣାଏ ହୁଣ୍ଡୀ , ହରିଣ ଆଉ ନାରାୟଣ ଗପ । କେମିତି ପଡିଗଲା ମା' ହରିଣ ବଣ ନିଆଁରେ । 

ହୁତୁହୁତୁ ନିଆଁ , ଲହଲହ ନିଆଁ , ସାଇଁସାଇଁ ନିଆଁ ଧିଅରେ ବିକଳ ହେଲା ତା କୁନି ଛୁଆ ।ମା ହରିଣ ନେହୁରା ହେଲା ନାରାୟଣ ଙ୍କୁ ,''ହରି ରଖ , ହରି ରଖ ।''


 ଟିକୁ ଶୁଣେ ହୁଣ୍ଡୀ ର ଗପ । ସେଇ ଗପ ଯେଉଁ ଗପ ସରେନି କେବେ କାରଣ ସରିବା ଆଗରୁ ସେ ଉଠି ପଳାଏ ତା' ମା' ସାଙ୍ଗରେ । ତଥାପି ଟିକୁ ଶୁଣେ ଖୁସି ହୁଏ ଆଉ ହସିଦିଏ ହୁଣ୍ଡୀ କୁ ଦେଖି ।


******


 --''ଦୀପୁ ଭାଇ ତୁ ପାଗଳା ହେଲୁ କିରେ ?''


--'' ଚଲ , ଟିକୁ ତୁ ହବୁନି ଆଉ ବୁଝିଲୁ , ମୁଁ ଯାହା କହୁଛି ଏକଦମ ଠିକ ।''


--'' ନା' ନା' ମୋର ଜମାରୁ ଇଚ୍ଛା ନାହିଁ ।"


--" ଠିକ ଅଛି ମୁଁ ମାଗୁ କୁ ସାଥିରେ ନେଇଯିବି ତା'ର ବହୁତ ଇଚ୍ଛା ।''


--'' ହେ , ଧରା ପଡିଲେ କି ଅବସ୍ଥା ହବ ଜାଣିଛୁ ଟି ?''


-- '' ଚୋପା ହବ , ଡ଼ରୁଆ କଉଠିକାର । ଆମେ ସବୁ ଛୋଟ ପିଲା ଆମର କିଛି ହବନି ତୁ ଜାଣିନୁ ।"


--'' ଆଉ ତୁ ବେଶି ଜାଣିଚୁ ନୁହେଁ ? ଖରାପ କାମ କଲେ ପୋଲିସ ବି ଧରିବ ମୁଁ ଯେମିତି ଜାଣିନି ।''


--'' କିଏ କହିବ ହୁଣ୍ଡୀ ........ ଧେତ୍ ତାକୁ କ'ଣ ବୁଝାପଡ଼େ କିଛି ?''


--'' ନା ନା ସେ ହୁଣ୍ଡୀ ବୋଲି ଆମେ ଛି ଛି ଦୀପୁ ଭାଇ ତୁ ଏମିତି ବେଇମାନିଆ କଥା କହନା ରେ ଠାକୁର ରାଗିବେ ।''


--'' ଯା ବେ ଛେରୁଆ , ତୁ ରାଜି କି ନାହିଁ କହ , ନହେଲେ ତୋ ହାଲତ ବିଗାଡିବି ସତ କହୁଛି ।''


 ଟିକୁ ସକେଇ ସକେଇ କାନ୍ଦିଲା ହେଲେ ରାଜି ହେବା ଛଡା ଆଉ ଦୋଷରା ବାଟ ନଥିଲା । ଦୀପୁ ଭାଇ ପାଖରେ ପଧାନ ବୁଢାର କୁକୁଡ଼ା ଚୋରୀ ଠୁ ଚେମା ବୁଢ଼ୀ ଘର ଆଖୁ କିଆରୀ ଗୁମର ଯାଏଁ ସବୁ ଚିଠା । ସେ ଯଦି ମୁହଁ ଖୋଲିବ ତାଏଲେ ଟିକୁର ଟିକଟ କଟା ହେଇଯିବ ହଷ୍ଟେଲ । ସେଠି ବିଚରା ଜିଅଲ ଭିତରେ ପଶି ପେଷି ହେଇଯିବ । 


*********


  ମକର ଆଜି ଗୁଡି ଉଡା ହବ ବଡ ପଡିଆଠି । ଗାଁ ଗୋଟାକ ସେଠି ହାଉଜାଉ ହେଉଥିବେ ନିଜ ନିଜ ଗୁଡି ଟି ଧରି । ଗୁଡି ଉଡା ଜାତ ଦେଖିବାକୁ ଭାରି ମନ ମାନୀର । ଟିକୁ କହିଛି ସାଥିରେ ନେଇକି ଯିବ । ବୋଉ ତ କାମକୁ ପଳେଇବ , ତା' ପାଖରେ ଟିକିଏ ବେଳ ନାହିଁ । ସେ 

କେବେ ନିଏନି ମେଳା ମଉଛବକୁ । ଏ ସନ କିନ୍ତୁ ବଡ଼ ମଜା , ଟିକୁ ଆଉ ତା' ସାଂଗ ସୁଙ୍ଗାଙ୍କ ସାଥିରେ ବୁଲିବ ମାନୀ । 


  ମାନୀ ହୁଣ୍ଡୀ ହାତରେ ଗୁଡି ଗୋଟାଏ ଧରେଇ ଦେଇଛି ଦୀପୁ ଭାଇ । ମାଗୁ ବି ଆସିଛି ସାଥିରେ । ମାଗୁକୁ ଦେଖିକି ଟିକୁ ରାଗିକି ପଞ୍ଚମ । ସ୍କୁଲର ସବୁଠୁ ଛତରା ଏଇ ମାଗୁ । ତାଙ୍କ ଠୁ ବୟସରେ ବଡ଼ ବି ହେବ । ଅଷ୍ଟମ ଶ୍ରେଣୀରେ ଦୁଇ ଥର ଫେଲ ହେଇକି ବୁଢା ବସିଛି । 


 ମାନୀଟା ହୁଣ୍ଡୀ କାହିଁକି ହେଲା କେଜାଣି ? ବୁଝି ପାରୁନି ଏଇ ମାଗୁ ଆଉ ଦୀପୁ ଭାଇର ମନ୍ଦ ଉଦ୍ଦେଶ୍ୟ । ଟିକୁର ମନ ହାଇଁପାଇଁ ହେଉଥିଲା । ମାନୀ ହୁଣ୍ଡୀ ତାଙ୍କ ଘରକୁ ଆସେ , କେମିତି ମସିଆ ଦାନ୍ତ ଦେଖେଇ ନିରୀହ ହସ ହସେ , ବୋଉ ପାଖରୁ ମୁଢି ମୁଆଁ ଖାଏ । ଗୋଟି ଗୋଟି ମନେ ପଡୁଥିଲା । ଖରାପ ଲାଗୁଥିଲା ତାକୁ ଆଉ ସେଇଥିପାଇଁ ସେ ଟିକେ ଦୁରେଇ ଦୁରେଇ ଚାଲୁଥିଲା । ହେଲେ ହୁଣ୍ଡୀ ତା' ହାତକୁ ଭିଡି ଧରିଲା ଆଉ କହିଲା , '' ହଜିଯିବୁ ତୁ ମେଳାରେ , ମୋ ବୋଉ କୁହେ ଏମିତି । ମୋ ହାତ ଟିକେ ଧରିଥା ରେ ।''


 ଟିକୁ ଜାବୁଡି ଧରିଲା ମାନୀ ହୁଣ୍ଡୀର ହାତ ଆଉ ନେଇଗଲା ତୋଟାକୁ ।.........


 ହାଟ ପଡିଆ ପାଖ ଆମ୍ବ ତୋଟା , ଭାରି ଘଞ୍ଚ । କେତେନା କେତେ ଗଛ ସେଠି । ବଣୁଆ ଆଉ ଅନ୍ଧାରିଆ । ସେଠିକି ଯିବାକୁ ଡର ଲାଗେ ପିଲାଙ୍କୁ । ହେଲେ ମାଗୁ ଠିକ କରିଛି ସେଇ ଜାଗା । ହୁଣ୍ଡୀଟା କିଛି ବୁଝୁନି ଚାଲିଛି ସେଇଆଡ଼େ ଦୁମଦୁମ ହେଇକି । ଗୁଡି ଉଡେଇ ଉଡେଇ , ଦାନ୍ତ ଦେଖେଇ ଦେଖେଇ । 


*******


 ମାଗୁ ଚେମେଡିଆ ପିଲାଟେ ଖାଲି ଶିଆଳ ଆଖିରେ ଅନେଇଛି ମାନୀ ହୁଣ୍ଡୀକୁ । ତା' ଛିଣ୍ଡା ସ୍କଟ ବ୍ଲାଉଜ ଭିତରୁ ଝାଂକୁଛି ସଇତାନ ଆଖିରେ । ହୁଣ୍ଡୀ ଆମ୍ବ ଖାଇବ ବୋଲି ଜିଦ କରୁଛି । ଦୀପୁ ଭାଇ ବୁଝେଇ କହୁଛି ।

 '' ତୋଳିବି ମୁଁ ଏବେ ଆମ୍ବ ହେଲେ ନେବୁ କେମିତି । ଖୋଲ ତୋ ବ୍ଲାଉଜଟା ସେଥିରେ ବାନ୍ଧିକି ନେବୁ ।''


 ହୁଣ୍ଡୀ କହୁଛି , '' କି ମୋ ଘାଗରାରେ ପକେଇ ଦେ ମୁଁ ଗୋଟେଇ ନେବି ।''

ଦୀପୁ ଭାଇ ତା' ବ୍ଲାଉଜ ଭିଡୁଛି ଆଉ ସେ ଦାନ୍ତ ଦେଖେଇ ହସିହସି କହୁଛି , " କୁତୁକୁତୁ କରନା ମୋତେ ହସ ମାଡୁଛି ।''


 ଟିକୁକୁ ଏବେ କାନ୍ଦ ମାଡୁଥିଲା । ଇଚ୍ଛା ହେଉଥିଲା କହିବ , '' ହରି ରଖ , ହରି ରଖ "........


 ପିଲାଙ୍କ ଏଇ ହରକତ ଦେଖୁଥିଲା ଗୋଟେ ଲୋକ ଦୂର ବୁଦା ଆହୁଡାରେ ବସି ।ଆସିଥିଲା ବୋଧେ କାଠ ଗୋଟେଇବାକୁ । ବୁଝିସାରିଥିଲା ଉଦ୍ଦେଶ୍ୟ । ଆଉ ଜାଗେଇ ସାରିଥିଲା ନିଜ ଭିତରର ହିଂସ୍ର ବାଘକୁ । ଛୋଟ ପିଲାଙ୍କୁ ତାଡି ଦେଇ ନିଜ ଲାଳସା ଚରିତାର୍ଥ କେରିବାକୁ ତୟାର ହେଉଥିଲା ଭିତରେ ଭିତରେ । 


ନାରାୟଣ ବୋଧେ ଆଉ ଶୁଣୁ ନଥିଲେ ହରିଣର ଡାକ।.........


  ଲୋକଟା ଭୁସ କି ପଶି ଆସିଲା ପିଲାଙ୍କ ଭିତରକୁ । ଭିଡି ନେଲା ଦୀପୁ ଭାଇର ହାତ ଆଉ ଛିଞ୍ଚାଡି ଦେଲା ତାକୁ ଦୂରକୁ । ଦୀପୁ ବିଚରା ମୁହଁ ମାଡି ପଡିଗଲା ଭୂଇଁ କାମୁଡି । ଏକଦମ ହଡ଼ବଡ଼ ହେଇଗଲେ ସଭିଏଁ । ଲୋକଟା ନିଜର ସମସ୍ତ ବଳ ଲଗେଇ ଘୋଷାଡି ନେଲା ହୁଣ୍ଡୀକୁ । ହୁଣ୍ଡୀ କିନ୍ତୁ ଚିଲ୍ଲେଇଲା '' ମୋ ଦୀପୁକୁ ମାଇଲୁ ମାଙ୍କଡ ମୁହାଁ '' ଆଉ ଜୋରରେ କାମୁଡ଼ି ପକେଇଲା ଲୋକଟାର ହାତ । ଲୋକଟା ପ୍ରବଳ ଯନ୍ତ୍ରଣାରେ ହାତ ଛିଞ୍ଚାଡି ନେଲା । ହୁଣ୍ଡୀ ଦେହରେ ମେଞ୍ଚେ ବଳ , ସେ ଲୋକଟାକୁ ବିଧା ଚାପୁଡ଼ା ଲଗେଇ ଘାଇଲା କରିପକେଇଲା । ଟିକୁ ଏସବୁ ଦେଖି ଧାଇଁ ଆସିଲା ଆଉ ପାଖରେ ପଡିଥିବା ଆମ୍ବ ଡାଳଟେ ଧରି ପାହାରେ ପକେଇଲା ଲୋକଟା ଉପରେ । ଦୀପୁ ବି ମିଶିଗଲା ତାଙ୍କ ସହିତ ଆଉ ତିନିହେଁ ମିଶି ନିର୍ଘାତ ବାଡେଇଲେ ଲୋକଟାକୁ ।  ମାଗୁ କିନ୍ତୁ ସେତେବେଳକୁ ଆଉ ନଥିଲା ସେଠି ।


 ଲୋକଟା ଏଇ ଅତର୍କିତ ଆକ୍ରମଣରେ ଘାଇଲା ହେଇ ଦୌଡ଼ି ପଳେଇଗଲା । ଦୀପୁ ଭାଇର ମୁଣ୍ଡ ଫାଟି ଯାଇ ରକ୍ତ ବୋହୁଥିଲା ।ହୁଣ୍ଡୀ ନିଜ ଘାଗରା ଛିଣ୍ଡେଇ କପଡା ଖଣ୍ଡେ ବାନ୍ଧି ପକେଇଲା ତା' ମୁଣ୍ଡରେ । ହାଉଁ ହାଉଁ ହେଇକି କାନ୍ଦୁଥିଲା ହୁଣ୍ଡୀ ଅଉ କହୁଥିଲା , '' ଦୀପୁ ତୋର କିଛି ହବନି ମୁଁ ଅଛି ଚାଲ ଯିବା ଡାକତର ଦେଖେଇକି ଓଷଦ କିଣିବା ।''


 ହୁଣ୍ଡୀ ହାତ ଧରି ଏଇନେ ଦୀପୁ ଭାଇ ଚାଲୁଥିଲା ଥିରଥିର । ଟିକୁ ଦେହ ମାଡ଼ ହେଇକି ଭାରି କାଟୁ ଥିଲା କିନ୍ତୁ ମନ ବଡ଼ ଖୁସି ଥିଲା । ନାରାୟଣ ହରିଣ ଡାକ ଶୁଣନ୍ତି ବୋଲି ବିଶ୍ୱାସ ଆସିଯାଇଥିଲା ଆଜି ।

  

       

  



Rate this content
Log in

Similar oriya story from Drama