Prakash Sahoo

Inspirational


3  

Prakash Sahoo

Inspirational


ପଣତକାନି

ପଣତକାନି

3 mins 622 3 mins 622

ଆଜି ଶେଷ ଦିନ ଛୁଟି ସରିବା ପରେ,ଆଜି ମତେ ଯିବାକୁ ହେବ ମୋ କର୍ମକ୍ଷେତ୍ରକୁ ଘରୁ ବିଦାୟ ନେଇ ଗାଁ ପାଖ ଷ୍ଟେସନରୁ ଟ୍ରେନ ଧରିଲି।ଗାଁର ବିପରୀତ ଦିଗରେ ଟ୍ରେନ ଟି ଯେତେବେଳେ ଦୁଇ ପାର୍ଶ୍ଵର ସବୁଜ ଧାନ ବିଲକୁ ଚିରି ଆଗେଇ ଚାଲି ଥାଏ ସେତେବେଳେ ଟ୍ରେନର ଦୁଆରପାଖେ ଛିଡା ହୋଇ ମୋ ଗାଁର ପ୍ରତିଛବିକୁ ଦେଖୁ ଦେଖୁ ହୃଦୟ ବିଦାରି ହୋଇଉଠେ ଯେପରି ମୁଁ ମୋ ମାର ସବୁଜ ପଣତକାନିକୁ ଚିରି କେଉଁ ଏକ ଇଲାକାକୁ ଚାଲିଯାଉଛି ମୋ କର୍ମକ୍ଷେତ୍ରକୁ।

ଠିକ ସେହି ସମୟର କିଛି ବର୍ଷ ତଳର ଏକ ଘଟଣା ଆଜି ମନେ ପଡିଯାଉଛି।ପୁଅଟି ତାର କିଶୋର ବୟସ ନ ପୁରୁଣୁ ଭାରତୀୟ ସେନା ବାହିନୀରେ ଚାକିରୀ ପାଇଁ ଟ୍ରେନ ଧରେ।ଗାଁ ମୁଣ୍ଡର ଶେଷ ରାସ୍ତାରେ ମା ତାର ଛୋଟ ଭାଇ ଭଉଣୀ ଙ୍କୁ ଧରି ପଣତକାନିରେ କାନ୍ଦୁଆ ମୁହଁକୁ ଘୋଡାଇ ନିର୍ଲିପ୍ତନୟନରେ ଗାଡି ଅଦୃଶ୍ୟ ହେବା ପର୍ଯ୍ୟନ୍ତ ଚାହିଁରହିଥାଏ।ସତରେ କି ବେଦନା ସେ ମାତୃତ୍ୱର।ମା ଠାରୁ ଦୃଢ଼ ସେ ପୁଅ ଯିଏ ନିଜ ଭାଇ ଭଉଣୀ ଙ୍କ ମୁହଁରେ ଗୁଣ୍ଡାଏ ଭାତ ଦେବା ପାଇଁ ନିଜର ମମତାମୟୀ ମା ଠାରୁ ଦୂରେଇ ଯାଉଛି ଏକ ବିଶାଳ ମାର ପଣତକାନିକୁ ସୁରକ୍ଷା ଦେବା ପାଇଁ,ଦେଶମାତୃକାର ସେବା ପାଇଁ।ପ୍ରକୃତରେ ଏହି ତ ପ୍ରକୃତ ସଂସ୍କାର ମା ପଣତକାନିର।

ଆଦ୍ୟ ପଣତକାନିକୁ ଛାଡି ଥିବାକୁଆଁରୀର ବିବାହ ସମୟରେ ଯେଉଁ ଶାଢ଼ୀର ପଣତକାନି ଓଢଣା ସାଜି ଶୋଭାବର୍ଦ୍ଧନ କରେ,ଘର କଣର କର୍ମ ଜୀବନ ଅତିବାହିତ ହେଉ ହେଉ ତାହା ପଣତକାନିରେ ପରିଣତ ହୁଏ।ମାର ପଣତକାନି ଆଉ ତା ମାତୃତ୍ୱ ଅଙ୍ଗାଙ୍ଗି ଭାବେ ଜଡ଼ିତ।କେବେ ପଣତକାନି ଅଣ୍ଟାରେ ଭିଡି ସନ୍ତାନର ଦୁଃଖ ବୁଝେ ତ କେବେ ପିଲାଙ୍କର ଅଳିଅର୍ଦ୍ଧଳିକୁ ପଣତକାନିରେ ସାଉଁଟି ପୋଛିଦିଏ।ମାର ପଣତକାନି କେବେ ପ୍ରଚଣ୍ଡ ଗ୍ରୀଷ୍ମ ତାପରୁ ଛାଇ ଦିଏ।ଚନ୍ଦ୍ର ଆଲୋକ ପରି ଶୀତଳ ତ କେବେ ହାଡଭଙ୍ଗା ଶୀତରୁରକ୍ଷ୍ୟା ପାଇବା ପାଇଁ ସୂର୍ଯ୍ୟରଶ୍ମି ଠାରୁ ଟାଣ।ମାର ସେହି ପଣତକାନିର ପରଶ ଶୀତ ସଖାଳର କଅଁଳିଆ ଖରା ପରି।

ମା ପଣତକାନିର ସ୍ନେହ ଓ ମମତା ସାଗର ଥୁ ମଧ୍ୟ ଗଭୀର।ବାପା ଙ୍କର ଆକଟ ଓ ମାଡ଼ରୁରକ୍ଷ୍ୟା ପାଇଁ ମାର ପଣତକାନି ମଜବୁତ କାନ୍ଥ ପରି।ଧୂଳିଧୁସର ହୋଇ ଦାଣ୍ଡରୁ ଫେରିଲେ,ମା ତା ପଣତକାନିରେ ଝାଡିଦିଏ ।ଏମିତି କେହି ନାହିଁ ଯେ ଖାଇସାରି ଦୌଡ଼ିଆସି ମା ପଣତକାନିରେ ମୁହଁ ହାତ ପୋଛି ନାହିଁ।ମାଘ ମାସର ଶୀତକୁ ଭ୍ରୁକ୍ଷେପ ନ କରି ମଧ୍ୟ ମା ନିଜ ପିଲା ଉପରେ ପଣତ କାନି ଢାଙ୍କି ଦିଏ।ପିଲାବେଳେ ଡର ଲାଗିଲେ ମା ପଣତକାନି ତଳେ ମୁହଁ ଘୋଡାଇ ଦେଲେ ଛାତିରେ ସତସିଂହର ଦମ୍ଭ ମିଳେ।ମା ନିଜ ଅନ୍ତରର କଷ୍ଟକୁ ବକ୍ଷ ତଳେ ଦବାଇ ,ନିତ୍ୟ ଜୀବନର ଦୁଃଖ,ଲୁହ ଆଉ କୋହକୁ ନିଜ ପଣତକାନିରେ ଲୁଚାଇ ସନ୍ତାନର ସୁଖସ୍ୱାସ୍ଥନ୍ଦ ପାଇଁ ଅବିରତ କାମ କରି ଚାଲି ଥାଏ।

କି ଖରା କି ବର୍ଷା ମା ଗରିବ ହେଲେ ମଧ୍ୟ ମନରେ ତାର ଅଦ୍ୟମ ସାହସ ପିଲାମାନ ଙ୍କ ମୁହଁରେ ଦୁଇ ଗୁଣ୍ଡା ଭାତ ଓ ହାତରେ କାଳି କଲମ ଦେଇ ଦି ଅକ୍ଷର ପଢ଼ାଇ ସମାଜରେ ଭଲ ମଣିଷ କରି ଗଢିବା ତାର ଉଦେଶ୍ୟ ।ମନେ ଅଛି ସେହି ବିଦ୍ୟାଳୟ ଯିବା ପୂର୍ଵରୁ ମାର ତରବରିଆ ଖାଦ୍ୟ ପ୍ରସ୍ତୁତି।ଆଜି ଯେତେ ନୂଆ ନୂଆ ଖାଦ୍ୟର ଆବିଷ୍କାର ହେଉଛି,ମାର ସେହି ବିନା ତେଲ ମସଲା,ଦର ସିଝା ତରକାରୀକୁ କିଏ ସରିହେବ।ମା ପଣତକାନିର ତ ଏହି ଅନନ୍ୟ ପ୍ରେମ।

ପଣତକାନିର ମହତ୍ୱ ସେହି ଜାଣେ ଯେଉଁ ମା ଅଭାବଗ୍ରସ୍ଥ ହୋଇ ପୋଖରୀ ତୁଠରେ ଅଧା ଓଦା ଲୁଗା ଦେହରେ ଗୁଡ଼ାଇ ଅଧା ଓଦା ଲୁଗା ଖରାରେ ସୁଖାଏ।ଯେଉଁ ମା ଅନ୍ୟ ଘରେ ପାଉଟି କରି ଗଉଣୀଏ ଚାଉଳ ଓ କେରାଏ ମଦରଙ୍ଗା ଶାଗ ପଣତକାନିରେ ଗଣ୍ଠିଲି କରି ଆଣେ ନିଜ ସନ୍ତାନ ପାଇଁ ।ସେହି ମାର ଅନାବିଳ ପ୍ରେମ ଅତୁଳନୀୟ।ଯେତେ ଚେଷ୍ଟା କଲେ କଣ ମା ଆଉ ତା ପଣତକାନିର ଋଣ ସୁଝିପାରିବା?

ପ୍ରକୃତରେ ମା ଶବ୍ଦର ଉଚ୍ଚାରଣ କେତେ ଯେ ଆବେଗପୁର୍ଣ, ଆହୁରି ଆବେଗଭରା ତା ପଣତକାନି ।ଯେପରି ମା ସେପରି ଗାଁ ଯାହାର ଋଣ କେବେ ସୁଝି ହେବ ନାହିଁ।ଆମେ ସମସ୍ତେ ସେହି ମାର ସେବାଯତ୍ନ,ସୁଖ ପାଇଁ ସର୍ବଦା ତପ୍ତର ଏବଂ କର୍ମନିଷ୍ଠା।ହେଲେ ଆମେ କେବେ ନିଜ ମନକୁ ପଚାରିଲେ ,ସ୍ପର୍ଶ ଉତ୍ତର ମିଳେନାହିଁ।ସନ୍ଦେହ ହୁଏ କାଳେ କେଉଁ କର୍ତ୍ତବ୍ୟରେ ଅବହେଳା ହେଉଛି କି?

ଯଦିଓ ମାର ପଣତକାନିର ଆଢୁଆଳରେ ସବୁ ବେଳେରହିବା ସମ୍ଭବ ନୁହେଁ।ବାସ୍ତବରେ ତା ପଣତକାନିର ସ୍ନେହ ,ମମତା,ସଂସ୍କୃତିରେ ଆମ ଆତ୍ମା ବନ୍ଧା।ଆମେ ଯେଉଁଠିରହିଲେ ମଧ୍ୟ ରାତ୍ରୀରେ ଶୟନ ମୁଦ୍ରାକୁ ଗଲାବେଳେ ମାର ମୁହଁ ଭାସି ଉଠେ ସାମ୍ନାରେ।ଅଦୃଶ୍ୟ ପଣତକାନିର ସ୍ପର୍ଶ ବାରି ହୋଇ ଉଠେ।

ଯେଉଁ ମା ନିଜ ବକ୍ଷର କ୍ଷୀର ଦେଇ ବଡ କରିଛି।ତା ପଣତକାନିରେ ପୋଛି ଦେଇଛି ଝାଳ,ମୂତ୍ର ଆଜି ଆଉ ସେହି ମାର ପଣତକାନି ଆମ ହାତ ଧୁଆ ପାଣିରେ ଓଦା ହେଉନାହିଁ।କେବଳ ତା ଜରାଜୀର୍ଣ୍ଣ ଶରୀରର ଶୁଖିଲା ଆଖି ଓଦା ହେଉଛି।

ଏମିତି ଭାବୁ ଭାବୁ ମୋତେ କେବେଠୁ ନିଦ ଲାଗିସାରିଥିଲା ଟ୍ରେନରେ।ଚା ଚା ଚିକ୍ତାର ଶୁଣି ହାତ ବଢ଼ାଇ ଦେଲି ଚା କପ ଟେ ପାଇଁ..

ପ୍ରକାଶ ସାହୁୁ


Rate this content
Originality
Flow
Language
Cover Design