Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଠାକୁରଙ୍କ ପାଇଁ ଫୁଲ
ଠାକୁରଙ୍କ ପାଇଁ ଫୁଲ
★★★★★

© Kamala Satpathy

Inspirational Others

9 Minutes   14.0K    10


Content Ranking

ନୂଆ କରି ନିଜ ହିସାବରେ ମୁମ୍ବାଇରେ ଯେତେବେଳେ ଘରଟିଏ ବନେଇବାର ସୁଯୋଗ ମିଳିଲା, ମୋ ସ୍ୱାମୀ ସଚ୍ଚିଦାନନ୍ଦ ଶତପଥୀଙ୍କୁ ବହୁତ କରି କହିଥିଲି, ଘରଟିର ଡିଜାଇନ୍ ଏପରି କରିବ, ଯେମିତି ଚେନାଏ ହଉ ପଛେ, ମାଟି ଜାଗାଟିଏ ଥିବ ଗଛବୃଚ୍ଛ ଲଗେଇବାକୁ, ଯାହା ମୁମ୍ବାଇରେ ଚିନ୍ତା କରିବାଟା ଏକ ଦିବାସ୍ଵପ୍ନ ଛଡା ଆଉ କିଛି ନୁହେଁ । ଦୈବାତ୍ ସେପରି ଏକ ସୁଯୋଗ ଆମକୁ ମିଳିଗଲା, ଆଉ ଆଗରେ ପଛରେ ହେଇ ଦି’ ହାତେ ମାଟି ଜାଗା ଥିବା ଘରଟିଏ ଆମର ବନିଗଲା । ମୋ ପରି ପ୍ରକୃତି ପ୍ରେମୀ ପାଇଁ ସେତିକି ମାଟି ବି ଥିଲା ଏକର ଏକର ଜମି ଠାରୁ ଅଧିକା । ଦୁଇ ହଜାର ତିନି ମସିହାରେ ଆମେ ସେ ଘରକୁ ସିଫ୍ଟ କଲାର କିଛି ଦିନ ପରେ ମତେ କଟକ ଆସିବାକୁ ପଡିଲା କୌଣସି କାମ ପାଇଁ । କଟକ ଆସିଲେ ନର୍ସରୀରୁ କିଛି ଭଲ ଭଲ ଗଛ ନେବାର ଅଭ୍ୟାସ ପ୍ରଥମରୁ ମୋର ଅଛି । ଏପରିକି ଫ୍ଲାଟ୍ ଘରେ ଥିଲା ବେଳେ ବି ମୋ ପାଖରେ କିଛି କମ୍ ଗଛ ନଥିଲା !

ସେତେବେଳେ ନବି ମୁମ୍ବାଇରେ ଜଗନ୍ନାଥ ମନ୍ଦିର ନିର୍ମାଣ ହୋଇନଥାଏ ସତ, ହେଲେ ସମସ୍ତଙ୍କ ମନରେ ଥାଏ ମନ୍ଦିରଟିଏ ନିଶ୍ଚୟ କରିବା । ସମସ୍ତେ ସବୁ ପ୍ରକାରର ଚେଷ୍ଟା କରୁଥାନ୍ତି, ହେଲେ କାହିଁକି କେଜାଣି ଠାକୁର ମନ କରୁନଥିଲେ ଆସିବାକୁ ସେଠିକୁ । ତେଣୁ ସମସ୍ତଙ୍କର ସବୁ ପ୍ରକାରର ପ୍ରୟାସ ସତ୍ତ୍ଵେ ବି ସଫଳତା ଶୂନ୍ୟ ରହିଥିଲା । ସମସ୍ତେ ମନ୍ଦିର ନିର୍ମାଣ କଥା ଭାବୁଥିଲା ବେଳେ, ମୁଁ ଭାବୁଥିଲି – ଆଜି ନହେଲେ କାଲି, ଜଗନ୍ନାଥଙ୍କ ମନ୍ଦିର ଏଠି ନିଶ୍ଚୟ ଗଢାଯିବ, ଠାକୁରଙ୍କ ରଥଯାତ୍ରା ହେବ, କିନ୍ତୁ ତାଙ୍କ ପ୍ରିୟ ଫୁଲ - ମାଳତୀ କୋଉଠୁ ଆସିବ ସେତେବେଳେ ? କାରଣ ମୁମ୍ବାଇରେ ଆଜି ଯାଏଁ ମାଳତୀ ଗଛ କୋଉଠି ଥିବାର ମୁଁ ଦେଖିନାହିଁ । ତେଣୁ ପ୍ରଭୁଙ୍କ କୃପାରୁ ଆମ ପାଖରେ ଗଛଟିଏ ଲଗେଇବାର ଜାଗାଟିଏ ଯେତେବେଳେ ଅଛି, ସେଥିରେ ତାଙ୍କରି ପାଇଁ ମାଳତୀ ଗଛଟେ ମୁଁ ନିଶ୍ଚୟ ଲଗେଇବି । ଭବିଷ୍ୟତରେ ଯେବେ ବି ମନ୍ଦିର ହୋଇଗଲେ ଆମେ ସ୍ୱାମୀ ସ୍ତ୍ରୀ ନିଜ ହାତରେ ଫୁଲ ତୋଳି ଠାକୁରଙ୍କୁ ଫୁଲ ଚଢେଇବୁ ।

କଟକରେ ଚଣ୍ଡୀ ମନ୍ଦିର ବାଟ ଦେଇ ଯାଉଥିଲା ବେଳେ ସେଠି ଫୁଲଚାରା ବିକ୍ରି ହେଉଥିବାର ଦେଖି ରିକ୍ସାରୁ ଓହ୍ଲେଇପଡି ପଚିଶ ଟଙ୍କା ଦେଇ ମାଳତୀର ଚାରାଟିଏ କିଣିନେଲି । ଦିନେ ଦୁଇ ଦିନ ପରେ ମୁମ୍ବାଇ ଫେରିଆସିଲି । ଗଛଟିକୁ ଦେଖି ଶତପଥୀ ବାବୁ ଖୁସି ତ ହେଲେ, କିନ୍ତୁ ପର ମୁହୂର୍ତ୍ତରେ ତାଙ୍କ ମନ ବିଷାଦରେ ଭରିଗଲା ଏକଥା ଭାବିକି ଯେ କାହିଁକି କେଜାଣି ଠାକୁର ମୁମ୍ବାଇ ଆସିବାର ନାଁ ଧରୁନାହାନ୍ତି । କେବେ ଆଉ ତାଙ୍କର ଇଚ୍ଛା ହେବ, କିଏ ଜାଣେ ! ମୁଁ କିନ୍ତୁ ଭାବିଲି, ମନ୍ଦିର ନହେଲେ ନାହିଁ, ଆମ ଘରେ ତ ଠାକୁର ଅଛନ୍ତି, ଫୁଲ ଫୁଟିଲେ ଆମେ ସେଇଠି ହିଁ ଚଢେଇବା ।

ଚାରାଟିକୁ ଘର ପଛପଟେ ନେଇ ଲଗେଇଲି, ଯତ୍ନର ସହ ପାଣି ଖତ ସବୁ ଦେଲି । ଖୁବ୍ ଶୀଘ୍ର ହାତ ଗୋଡ ମେଲେଇ ମାଳତୀ ବଢିବାକୁ ଲାଗିଲା । ଆଉ ବଢି ବଢି ଗ୍ରୀଲରେ ମାଡି ଛାତକୁ ଛୁଇଁବାକୁ ଲାଗିଲା । ନିତି ସକାଳୁ ଉଠିଲେ ମୋର ଧ୍ୟାନ ଯାଇ ମାଳତୀ ଗଛ ପାଖରେ ପହଞ୍ଚିଯାଏ । ବଡ ଛନଛନିଆ ହେଇ ବଢି ସାରିଲାଣି, ଏଥର ଅପେକ୍ଷା ଖାଲି ଫୁଲ ଫୁଟିବାର ।

ଜୁନ୍ ମାସ ଦଶ ତାରିଖ ପାଖାପାଖି ମୁମ୍ବାଇରେ ବର୍ଷା ଋତୁର ପ୍ରବେଶ ହୁଏ । ଆଉ ତା’ ପୂର୍ବରୁ ବିଭିନ୍ନ ପ୍ରକାରର ପ୍ରାକୃତିକ ସୂଚନା ଜନସାଧାରଣଙ୍କ ପାଖକୁ ବର୍ଷା ପଠେଇ ଦିଏ ଯେ ଏଥରକ ସତର୍କ ରୁହ ମୋ ଦ୍ୱାରା ହେବାକୁ ଥିବା ବିଭିନ୍ନ ପ୍ରକାରର ଅସୁବିଧାକୁ ଭୋଗ କରିବାକୁ । ଗରମ ଆଉ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ସହର ସାରା ଲୋକ ପ୍ରତୀକ୍ଷା କରିଥାନ୍ତି ବର୍ଷାର ପହିଲି ଆଗମନକୁ, ତେଣୁ ସମସ୍ତ ଅସୁବିଧା କଥା ଜାଣି ମଧ୍ୟ ଏ ସୂଚନା ସବୁକୁ ଅନ୍ତର ପ୍ରଦେଶରୁ ସ୍ବାଗତ ଜଣେଇଥାନ୍ତି ।

ଏଥରକ ଆମକୁ ପ୍ରକୃତିର ଅଭିନବ ସୂଚନା ମିଳିଲା ମାଳତୀ ଫୁଲ ମାଧ୍ୟମରେ । ଦିନେ ସକାଳୁ ସକାଳୁ ଦେଖିଲା ବେଳକୁ ଗଛ ସାରା କଢ ଭର୍ତ୍ତି । ମନ ଖୁସିରେ ଗଦ୍ ଗଦ୍ ହୋଇଉଠିଲା । ଏମିତିରେ ପ୍ରତ୍ୟେକ ଗଛରେ ମୋର ଫୁଲ ଧରିଲେ, କଷି ଧରିଲେ ଖୁସିରେ ମୁଁ ଆତ୍ମହରା ହେଇଯାଏ, କିନ୍ତୁ ମାଳତୀ ପାଇଁ ମନର ଖୁସି ଥିଲା ନିଆରା । ମାଳତୀ ଗଛରେ ଫୁଲ ଫୁଟିବା ପ୍ରକାରାନ୍ତରେ ଆମ ମନରେ ବିଶ୍ଵାସ ଜନ୍ମେଇ ଦେଲା ଯେ ପ୍ରଭୁଙ୍କର ନବି ମୁମ୍ବାଇ ଆସିବାରେ ଆଉ ବିଳମ୍ବ ହେବାର ନାହିଁ । ସେ ବର୍ଷ ଯେତିକି ଫୁଲ ଫୁଟିଲା, ଘରେ ରଖିଥିବା ଠାକୁରଙ୍କୁ ନିତି ଦିନ ଶତପଥୀ ବାବୁ ନିଜ ହାତରେ ତୋଳି ଲଗାନ୍ତି । ଆଉ ସବୁ ଦିନେ କୁହନ୍ତି, “ଏଇ ମାଳତୀ ଫୁଲର ବାସ୍ନା ସତରେ କେତେ ! ପୂରା ଘରଟା ମହକି ଯାଉଛି । କଳା ଠାକୁର ରସିକିଆ ବୋଲି ତ ସମସ୍ତଙ୍କୁ ଜଣା, ତେବେ ଏ ଫୁଲ ହିଁ କହିଦେଉଛି ବାସ୍ତବରେ ସେ କେତେ ସୁଗନ୍ଧ ପ୍ରିୟ ।“ ଠିକ୍ ସେଇ ଅନୁଭବ ମୋର ବି ହେଉଥିଲା । କାରଣ ସନ୍ଧ୍ୟା ହେଲା ମାତ୍ରେ ଘର ଭିତରେ ଅତର ଶିଶି ଢାଳିଗଲା ପରି ଘରଟା ମହକି ଉଠୁଥିଲା ।

ତା’ ପର ବର୍ଷ ଠିକ୍ ସେହି ସମୟରେ ଓଡିଶା ଯାଇ ଫେରିଲା ବେଳକୁ ଜାଣିଲି, ଏ ବର୍ଷ ଜଗନ୍ନାଥଙ୍କ ରଥଯାତ୍ରା କରାଯିବ । ଆରେ.. ବଡ ଆଚମ୍ବିତ କଥା ତ ! ଜଗନ୍ନାଥ ଶେଷରେ ଆସିବାକୁ ରାଜି ହୋଇଗଲେ ତା’ହେଲେ ! ହଁ, ଖାରଗର୍ ଅଞ୍ଚଳରେ ରାମ ପ୍ରସାଦ ମୁଦୁଲି ତାଙ୍କର ଗୋଟିଏ ଫ୍ଲାଟ୍ ଖାଲି କରି ସେଠି ଅସ୍ଥାୟୀ ମନ୍ଦିର କରିଛନ୍ତି, ଏବଂ ରଥଯାତ୍ରା ପାଇଁ ସବୁ ଓଡିଆ ଜୋର୍ ସୋର୍ ରେ ଅଣ୍ଟା ଭିଡିଛନ୍ତି । ଉତ୍ସାହର ଲହରିଟିଏ ସମସ୍ତଙ୍କ ଭିତରେ ବ୍ୟାପିଯାଇଛି । ଆମେ ସ୍ୱାମୀ ସ୍ତ୍ରୀ ବି ସେଇ ଲହରିରେ ନିଜକୁ ସାମିଲ କରିନେଲୁ । ରଥଯାତ୍ରା ଦିନ ମାଳତୀ ଫୁଲର ହାର କରି ତିନି ଠାକୁରଙ୍କ ବେକରେ ଲମ୍ବେଇ ଦେଲୁ । ଅନେକ ଦିନର ମାନସିକ ମୋର ପୂରଣ ହେଲା ।

ତା’ପରେ ବି ମଝିରେ ମଝିରେ ଯେତେବେଳେ ମନ୍ଦିର ଯାଉ, ଗଛରେ ଫୁଲ ଥିଲେ ନେଇକି ଚଢେଇକି ଆସୁ । କାଳକ୍ରମେ ଆଉ ଗୋଟିଏ ମନ୍ଦିର ପ୍ରତିଷ୍ଠା କରାଗଲା ସେଇ ଖାରଗର୍ ଅଞ୍ଚଳରେ ହିଁ, ଆଉ କିଛି ଓଡିଆ ଲୋକଙ୍କ ଦ୍ୱାରା । ଜାଗାଟି ନବି ମୁମ୍ବାଇର ଡେଭଲପମେଣ୍ଟ୍ ଅଥରିଟି ‘ସିଡକୋ’ ପାଖରୁ କିଣାଗଲା, ଯୋଉଠି ଶତପଥୀ ବାବୁ ସେତେବେଳେ କାମ କରୁଥିଲେ ।

ମହାରାଷ୍ଟ୍ର ଓଡିଆ ୱେଲଫେୟାର ଆସୋସିଏସନ୍ (ମୋୱା) ନାମକ ସଂସ୍ଥା ଏହି ମନ୍ଦିରଟି ନିର୍ମାଣ କରିବାକୁ ଅଣ୍ଟା ଭିଡିଲା । ତେବେ ଠାକୁରଙ୍କ ମନଲାଖି ଜାଗାଟିଏ ପାଇବା ସହଜ ନଥିଲା । ସଂସ୍ଥାର କର୍ମକର୍ତ୍ତାମାନେ ଖାରଗର୍ ଅଞ୍ଚଳରେ ସବୁଆଡେ ବୁଲାବୁଲି କରି ଦେଖି ଦେଖି ହାଲିଆ ହେଇଗଲେ ପଛେ, ହେଲେ ସମସ୍ତେ ସୁବିଧାରେ ଆସି ପହଞ୍ଚିଲା ଭଳିଆ ସ୍ଥାନଟିଏ ପାଇ ପାରିଲେ ନାହିଁ । ସିଡକୋ ଯୋଉ ସ୍ଥାନ ତାଙ୍କୁ ଦେବ ବୋଲି କହୁଥିଲା, ସେସବୁ ଏତେ ଦୂର ଥିଲା ଯେ ନିଜର ଗାଡି ମଟର ନଥିବା ଲୋକ କେବେ ବି ସେଠିକୁ ଯିବାକୁ ଚାହିଁବ ନାହିଁ । ଠାକୁରଙ୍କୁ ସେପରି ଜାଗାରେ ପ୍ରତିଷ୍ଠା କରିବାରେ କିଛି ମାନେ ନଥିଲା ।

ତେଣୁ ଦିନେ ସେମାନେ ଶତପଥୀ ବାବୁଙ୍କ ପାଖକୁ ଆସିଲେ ସେ ବିଷୟରେ ଆଲୋଚନା କରିବାକୁ । ଉପ ସଭାପତି ଶ୍ରୀ ବ୍ରଜ ପଟ୍ଟନାଯକ, ବଳରାମ ପାତ୍ର ଏବଂ କୋଷାଧ୍ୟକ୍ଷ ମନୋଜ ନାଏକ ଆସି ୟା’ଙ୍କ ପାଖରେ ପହଞ୍ଚି କହିଲେ, “ଆଜ୍ଞା, ଠାକୁରଙ୍କ ପାଇଁ ଜାଗାଟିଏ ଦରକାର, ହେଲେ ଯୋଉଠି ଦେଖିଲେ ବି ମନକୁ ପାଉନି । ଆଉ ଯୋଉଠି ପାଉଛି, ସେଠି ଖାଲି ନାହିଁ ବୋଲି ସିଡକୋ କହୁଛି । ଆପଣ ଟିକିଏ ଆମକୁ ଦେଖିକି କୁହନ୍ତୁ, କୋଉ କୋଉ ଜାଗା ଖାଲି ଅଛି, ଯୋଉଠି ଆମେ ପାଇ ପାରିବୁ ।“

ସିଡକୋରେ ଥିବାରୁ, କୋଉ କୋଉ ଜାଗା ସବୁ ସୋସିଆଲ୍ ଅର୍ଗାନାଇଜେସନ୍ ମାନଙ୍କୁ ମିଳିବାକୁ ଅଛି, ତାହାର ଗୋଟେ ମ୍ୟାପ୍ ଶତପଥୀ ବାବୁ ସଂପୃକ୍ତ ଅଧିକାରୀଙ୍କ ପାଖରୁ ଯୋଗାଡ କରିକି ଆଣିଲେ । ମ୍ୟାପ୍ ଅନୁସାରେ ସଂସ୍ଥାର କର୍ମକର୍ତ୍ତାମାନଙ୍କ ସହିତ ବୁଲି ବୁଲି ସେମାନଙ୍କୁ ଭିନ୍ନ ଭିନ୍ନ ଜାଗା ଦେଖେଇ ଦେଲେ । କିନ୍ତୁ କୋଉଠି କିଛି ଠିକ୍ ଲାଗୁନଥିଲା । ସାଧାରଣ ଲୋକଙ୍କ ସୁବିଧାକୁ ଚାହିଁ, ସୀମିତ ସମ୍ବଳ ଭିତରେ ଭଲ ପ୍ଲଟଟିଏ କୋଉଠି ବି ନଥିଲା ।

ଖାରଗରର ସେକ୍ଟର ପାଞ୍ଚରେ ଚିନ୍ମୟ ମିଶନ୍ ଦ୍ୱାରା ନିର୍ମିତ ଏକ ଭବ୍ୟ ଲକ୍ଷ୍ମୀ ମନ୍ଦିର ରହିଛି, ଯାହାର ପାଖ ପ୍ଲଟଟି ଅନ୍ୟ ଏକ ସଂସ୍ଥା ନେବା ପାଇଁ ଆବେଦନ କରିଥିଲା । ସିଡକୋ ଦେବାକୁ ରାଜି ମଧ୍ୟ ଥିଲା, କିନ୍ତୁ ସେ ପର୍ଯ୍ୟନ୍ତ ବି ସେମାନେ ନେଇନଥିଲେ । ଦିନେ ବ୍ରଜ ପଟ୍ଟନାୟକ ସିଡକୋ ଅଫିସ୍ ଆସିଥିଲେ ଶତପଥୀ ବାବୁଙ୍କ ପାଖରୁ ସେହି ଜାଗା ବିଷୟରେ ବୁଝିବା ପାଇଁ । ସେ ତାଙ୍କୁ ସେଇ ଜାଗାଟି ବିଷୟରେ କହିଲେ, “ସେକ୍ଟର ପାଞ୍ଚର ସେହି ଜାଗାଟି ପାଇଁ ଆପଣ ସିଡକୋକୁ କୁହନ୍ତୁ ।“

ବ୍ରଜ ପଟ୍ଟନାୟକ ଅବିଶ୍ୱାସ ଭରା ସ୍ୱରରେ କହିଲେ, “ଆଜ୍ଞା, ସେ ଜାଗାଟା କ’ଣ ଆମକୁ ମିଳିପାରିବ ? ଏତେ ପ୍ରାଇମ ଲୋକେସନ୍ ରେ ଅଛି, ସେମାନେ ଆମକୁ କାହିଁକି ଦେବାକୁ ଯିବେ ?”

ସେଠୁ ଶତପଥୀ ବାବୁ କହିଲେ, “ସେକଥା ଆପଣ ସ୍ଥିର କରିବାକୁ କିଏ ସେ ? ଜଗନ୍ନାଥଙ୍କ କାମ, ସେ ଚାହିଁଲେ ହେବ । ତାଙ୍କ କଥା, ସେ ନିଜେ ସ୍ଥିର କରନ୍ତୁ !”

କଥାଟା ତାଙ୍କ ମନକୁ ବେଶ୍ ପାଇଗଲା । ସିଡକୋରେ ଦରଖାସ୍ତ ପକେଇଦେଲେ ସେ । କେଜାଣି କାହାର ମହିମା ଥିଲା – ଠାକୁରଙ୍କ ଇଚ୍ଛା ଥିଲା ଆସିବାକୁ, କି ମା’ ଲକ୍ଷ୍ମୀ ଚାହିଁଲେ ତାଙ୍କୁ ପାଖକୁ ଆଣିବାକୁ, ଜାଗାଟି ଖୁବ୍ କମ୍ ଦିନ ଭିତରେ ସଂସ୍ଥାକୁ ମିଳିଗଲା । ଆଉ ଦୁଇ ହଜାର ଦଶର ଅକ୍ଷୟ ତୃତୀୟା ଦିନ ସେଠି ଭୂମିପୂଜନ କରାଯାଇ ମନ୍ଦିରର ଶୁଭାରମ୍ଭ କରାହେଇଗଲା । ନାମ ରଖାଗଲା ‘ନୀଳାଚଳ ଧାମ’ । ଯାଗ ଯଜ୍ଞର ସହ, ବିଧିବଦ୍ଧ ଭାବରେ କଳା ଠାକୁର ଦୁଇ ହଜାର ଏଗାର ଜାନୁଆରୀ ତେଇଶ ତାରିଖ ଦିନ ନବି ମୁମ୍ବାଇକୁ ନିଜର ଘର ଭାବରେ ସ୍ୱୀକାର କରିନେଲେ ।

ଆଜି ଯେଉଁ ଅନୁଭବଟି ଲେଖିବାକୁ ଯାଉଛି, ତାହା ଏହି ମନ୍ଦିର ସହିତ ଜଡିତ ।

ମନ୍ଦିର ହେଇସାରିଲା ପରେ ସେ ବର୍ଷ ମାଳତୀର ପଥମ ଫୁଲଟି ନେଇ ମନ୍ଦିରରେ ଚଢେଇ ଆସିବା କଥା ସ୍ଥିର ଥିଲା । ତାଙ୍କ ଅଫିସ୍ ଠାରୁ ଜଗନ୍ନାଥ ମନ୍ଦିର ଆହୁରି ପାଞ୍ଚ କିଲୋମିଟର ଦୂର ହେବ । ଯିବା ଆସିବାକୁ ସାମାନ୍ୟ ଅଧିକ ସମୟ ଲାଗେ, କାରଣ ମନ୍ଦିରକୁ ଯାଇଥିବା ରାସ୍ତାଟା ଭାରି ଖରାପ ଥାଏ ସେତେବେଳେ । ବର୍ଷା ହେଲା ବେଳେ ସେ ରାସ୍ତାରେ ଗାଡି ଚଲେଇ କି ଯିବା ଖାଲି କଠିନ ନୁହେଁ, ବିପଦଜନକ ମଧ୍ୟ । ହାତରେ ସମୟ ନ ଥିଲେ ଶୀଘ୍ର ଗାଡି ଚଲେଇକି ଯିବା ଆଦୌ ସମ୍ଭବ ହୁଏନା । ସେ ବର୍ଷ ମାଳତୀର ପ୍ରଥମ ଫୁଲ ବୁଧବାରରେ ଫୁଟିଲା । ମୁଁ ତାଙ୍କୁ ପଚାରିଲି, “ଏଥରକ କ’ଣ ପ୍ରଥମ ଫୁଲ ମନ୍ଦିରରେ ଚଢେଇବାକୁ ଯିବନି କି?”

ସେ ନିଜର ଅସମର୍ଥତା ପ୍ରକାଶ କରି କହିଲେ, “ଆଜି ଅଫିସ୍ ରେ ପ୍ରବଳ କାମ ଅଛି । ମିଟିଙ୍ଗ୍ ଉପରେ ମିଟିଙ୍ଗ ଅଛି । ଫୁରସତ୍ ଜମା ନାହିଁ । ତେଣୁ ଏଥର ଘର ଠାକୁରଙ୍କୁ ଚଢେଇ ଦଉଛି । ଶନିବାର ଟିକିଏ ବେଳାବେଳି ବାହାରି ଯାଇ ଦେଇଦେବି ।“

ଶୁକ୍ରବାର ରାତିରେ ତାଙ୍କ ଅଫିସ୍ ର ବାର୍ଷିକୋତ୍ସବ ଥିଲା ଆଉ ଜୁନ୍ ଦଶ ତାରିଖ ହେଇଥିବାରୁ ସେଦିନ ବର୍ଷା ଆରମ୍ଭ ହେଇଗଲା । ପ୍ରତି ବର୍ଷ ଆରମ୍ଭରୁ ଅଳ୍ପ ଅଳ୍ପ ବର୍ଷା ହୁଏ । କିନ୍ତୁ ସେ ବର୍ଷ ହଠାତ୍ ବର୍ଷାଟା ପ୍ରବଳ ବେଗରେ ଆରମ୍ଭ ହେଇ ବନ୍ଦ ହେବାର ନାଁ ହି ଧରିଲାନି । ରାତିରେ ଫେରୁ ଫେରୁ ବହୁତ ବିଳମ୍ବ ହେବାରୁ ଶନିବାରରେ ଉଠିବାକୁ ଡେରି ହେଇଗଲା । ଯୋଗକୁ ସେହି ଶନିବାର ଦିନ ତାଙ୍କର ସାଢେ ଦଶଟା ସୁଦ୍ଧା ଅଫିସ୍ ରେ ନିଶ୍ଚୟ ପହଞ୍ଚିବାକୁ ଥିଲା, ଆଉ ଘରୁ ବାହାରୁ ବାହାରୁ ଡେରି ହେଇ ସାରିଥିଲା । ଖାଲି ସେତିକି ନୁହେଁ, ନାହିଁ ନଥିବା ବର୍ଷା ରାତିରୁ ଲାଗି ରହିଥିଲା । ମୁମ୍ବାଇରେ ବର୍ଷା କେମିତି ହୁଏ, ତାହା କେବଳ ଦେଖିଲା ଲୋକ ହିଁ ଅନୁମାନ କରିପାରିବ । ମୁଁ କିନ୍ତୁ ସେଇ ବର୍ଷାରେ ବି ଛତା ଧରି ଧରି ଚାଙ୍ଗୁଡି ଭର୍ତ୍ତିକରି ଫୁଲ ତୋଳି ସାରିଥିଲି । କାରଣ ପୂର୍ବ ଯୋଜନାନୁଯାୟୀ ଶନିବାର ଯେମିତି ହେଉ ସେ ମନ୍ଦିର ଯିବେ । ଏଥର ମନ୍ଦିରକୁ ପ୍ରଥମ ଫୁଲ ନେଇଯିବାରେ ବିଳମ୍ବ ହୋଇ ସାରିଲାଣି । ଆଉ ଅଧିକ ବିଳମ୍ବ କରିବାକୁ ନଥିଲା ।

କିନ୍ତୁ ଜଳଖିଆ ଖାଇଲା ବେଳକୁ ଶତପଥୀ ବାବୁ କହିଲେ, “ଆଜି ବି ସମ୍ଭବ ହେବ ନାହିଁ । କାରଣ ସାଢେ ଦଶଟା ବେଳେ ଜଣେ ଲୋକ ପୁନାରୁ ଆସିବ, କାମ ଅଛି । ଠାକୁରଙ୍କ ପାଖକୁ ଯିବା ମାନେ ମୋର ଆହୁରି ବିଳମ୍ବ ହେଇଯିବ । ଏମିତି ବି ଏତେ ବର୍ଷାରେ ସେ ରାସ୍ତାରେ ଗାଡି ଚଲେଇବା ଭାରି କଷ୍ଟକର । ତେଣୁ ଗୋଟେ କାମ କର, ଆଜି ଏ ଫୁଲକୁ ଘରେ ଚଢେଇ ଦିଅ, କାଲି ମୁଁ ମନ୍ଦିର ନେଇଯିବି ।“

କଥାଟା ଯଦିଓ ଠିକ୍ ଥିଲା, ତେବେ ମନଟା ମୋର ମରିଗଲା । ମୁଁ କହିଲି, “ଠାକୁରଙ୍କ ପାଇଁ ତୋଳିଥିଲି, ନେଇ ଯାଇଥିଲେ ଭଲ ହେଇଥାନ୍ତା ।“

ସେ କହିଲେ, “ଦେଖୁଛ ତ ବର୍ଷାର ଅବସ୍ଥା । ନହେଲେ ମୁଁ କ’ଣ ଯିବାକୁ ମନା କରୁଥିଲି ?”

ସେ ଚାଙ୍ଗୁଡି ଭର୍ତ୍ତି ଫୁଲକୁ ଚାହିଁଲି, ଆଉ ଚାହିଁଲି ଆକାଶକୁ । କହିଲି, “ଠିକ୍ ଅଛି, ରଖିଦେଉଛି । କିନ୍ତୁ କାଲି ଯେମିତି ହେଲେ ଯିବ ।“

ପର ମୁହୂର୍ତ୍ତରେ କିନ୍ତୁ ତାଙ୍କ ମନକୁ କ’ଣ ଆସିଲା କେଜାଣି, ଜଳଖିଆ ଖାଇସାରି ବାହାରିଲା ବେଳକୁ କହିଲେ, “ହଉ ଦିଅ ନହେଲେ, ଚେଷ୍ଟା କରିବି ଯିବା ପାଇଁ ।“

ତାଙ୍କ ହାତକୁ ଫୁଲ ଚାଙ୍ଗୁଡିକୁ ବଢେଇ ଦେବା ସମୟରେ ଆମ ଘରଠୁ ଅଳ୍ପ ଦୂରରେ ରହୁଥିବା ତାଙ୍କର ଜଣେ କଲିଗ୍ ଭେଙ୍କଟ୍ ଫୋନ୍ କରି କହିଲା, “ସାର୍‌ ଏତେ ବର୍ଷା ହେଉଛି .. କାଲି ମୋ ଗାଡିଟା ଅଫିସ୍ ରେ ଛାଡି ମୁଁ ଫଙ୍କସନ୍ କୁ ଯାଇଥିଲି । ତେଣୁ ଆପଣଙ୍କ ସାଙ୍ଗରେ ଟିକେ ଅଫିସ୍ ଯିବି, ଗାଡିଟା ଆଣିବାକୁ ।“

ତାକୁ ନେବାର ଅର୍ଥ ଥିଲା ଆହୁରି ପନ୍ଦର ମିନିଟ୍ ର ବିଳମ୍ବ । ଏଣେ ହାତଘଣ୍ଟାକୁ ଚାହିଁଲେ ବେଳକୁ ଦଶଟା ବାଜି ସାରିଲାଣି । ତଥାପି ସେ ଭାବିନେଲେ, ଠାକୁରଙ୍କ ପାଇଁ ତୋଳା ହେଇଛି ମାନେ, ଯେମିତି ହେଲେ ନେଇକି ଯିବି ।

ଭୀଷଣ ବର୍ଷା ଆଉ ଖରାପ ରାସ୍ତା ସତ୍ତ୍ଵେ ଭେଙ୍କଟ୍ କୁ ସାଙ୍ଗରେ ଧରିକି ସେ ଗଲେ । ଅଫିସ୍ ପାଖରେ ପହଞ୍ଚିଲା ପରେ ଭେଙ୍କଟ୍ କୁ ଓହ୍ଲେଇ ଯିବାକୁ କହିଲାରୁ ସେ କହିଲା, “ଆପଣ ମନ୍ଦିର ଯାଉଛନ୍ତି ତ, ଚାଲ, ମୁଁ ବି ସାଙ୍ଗରେ ଯାଇ ଠାକୁର ଦର୍ଶନ କରିଆସିବି ।“

ରାସ୍ତା ଏତେ ଖରାପ ହେବା ସତ୍ତ୍ୱେ ବି ସାଢେ ଦଶଟା ପୂର୍ବରୁ ସେ ଯାଇ ମନ୍ଦିରରେ ପହଞ୍ଚିଗଲେ । ସେତେବେଳକୁ ବର୍ଷା ସାମାନ୍ୟ କମି ଆସିଥିଲା । ହେଲେ ସେଦିନ ଗୋଟିଏ ବହୁତ ବଡ ଆଶ୍ଚର୍ଯ୍ୟର କଥା ମନ୍ଦିରରେ ତାଙ୍କ ପାଇଁ ଅପେକ୍ଷା କରୁଥିଲା ।

ସେ ପହଞ୍ଚିଲା ବେଳକୁ ମନ୍ଦିରର ସଭାପତି ଶ୍ରୀଯୁକ୍ତ ଭଗବାନ ପଣ୍ଡା ରାଗରେ ମନ୍ଦିରର ନନାମାନଙ୍କୁ ଖୁବ୍ ପାଟି କରୁଥିଲେ । ଆଉ ତାଙ୍କ ଡ୍ରାଇଭର୍ ସହିତ ଜଣେ ନନାଙ୍କୁ ପଠାଉଥିଲେ ଫୁଲ ଆଣିବାକୁ । କାରଣ ସେଦିନ ଠାକୁରଙ୍କ ପାଇଁ ଫୁଲ ଆସିନଥିଲା । ଠାକୁର ବିନା ଫୁଲରେ ପୂଜା ହେଇ ବସିଥିଲେ । ୟା’ଙ୍କୁ ଦେଖୁ ଦେଖୁ ପଣ୍ଡା ବାବୁ କହିଲେ, “ଦେଖନ୍ତୁ ଆଜ୍ଞା ! କ’ଣ କହିବି ଏମାନଙ୍କୁ ! ଠାକୁରଙ୍କ ପାଇଁ ଫୁଲ ଆସିନି ବୋଲି ମତେ ଟିକିଏ ଖବର ଦେବାକୁ ନାହିଁ ! କହି ଦେଇଥିଲେ, ଆସିଲା ବେଳେ ବାଟରୁ କିଛି ଫୁଲ କିଣିକି ନେଇ ଆସିଥାନ୍ତି ମୁଁ । ଏତେ ଡେରି ହୋଇଗଲାଣି, ଠାକୁରେ ସେମିତି ବସିଛନ୍ତି !!”

ଶତପଥୀ ବାବୁ ପଣ୍ଡା ବାବୁଙ୍କୁ କହିଲେ, “ଆଜ୍ଞା, ବ୍ୟସ୍ତ ହୁଅନ୍ତୁନି । ମୁଁ ଫୁଲ ନେଇକି ଆସିଛି ।“ କହୁ କହୁ ନନାଙ୍କ ହାତକୁ ମାଳତୀ ଫୁଲର ଚାଙ୍ଗୁଡିଟି ବଢେଇଦେଲେ ସେ । ଫୁଲ ଦେଖୁ ଦେଖୁ ନନା ଖୁସିରେ କହିଉଠିଲା, “ଠାକୁର ଆଜି ତାଙ୍କ ପ୍ରିୟ ଫୁଲ ଲାଗିହେବେ ବୋଲି ଚାହୁଁଥିଲେ, ସେଥିପାଇଁ ଫୁଲ ଆସି ପାରିଲାନି ନା ! ନହେଲେ ଆଜି ଯାଏଁ ଏପରି କଥା ତ କେବେ ବି ହେଇନି !”

ପୁଣି ଶତପଥୀ ବାବୁଙ୍କ ଆଡକୁ ଚାହିଁକି କହିଲେ, “ଆଜି ତାଙ୍କର ମନ ଥିଲା ଆପଣଙ୍କ ହାତରୁ ହିଁ ଫୁଲ ପାଇବାକୁ ।“

ଠାକୁରଙ୍କ ଆଡକୁ ଚାହିଁ ରହିଗଲେ ଶତପଥୀ ବାବୁ । ଆଖରୁ ଝର ଝର ଲୁହ ଝରିଆସିଲା । ମନେ ମନେ ଭାବିଲେ ସତରେ ଠାକୁର ଆଜି ମନ କରିଥିଲେ ବୋଲି ସିନା, ନହେଲେ ଏତେ ବର୍ଷା ଆଉ ଜରୁରୀ କାମ ସତ୍ତ୍ଵେ ମୁଁ ଆସିଗଲି କେମିତି ! ମନ ତାଙ୍କର ଆନନ୍ଦରେ ଉଦବେଳିତ ହୋଇଗଲା ।

ଫେରିକି ଆସିଲା ବେଳେ ବାଟରେ ଭେଙ୍କଟ୍ କୁ ସେଇ କଥା ଶୁଣେଇ ଦେଲେ ସେ । ଆଶ୍ଚର୍ଯ୍ୟ ହୋଇଗଲା ସେ ଶୁଣିକି । କହିଲା, “ସତରେ, ତୁମ ଜଗନ୍ନାଥ ହେଉଛନ୍ତି ଭାବରେ ବନ୍ଧା ଠାକୁର !!”

ଜୟ ଜଗନ୍ନାଥ !

-0-

ସଚ୍ଚିଦାନନ୍ଦ ମନ୍ଦିର ଜଗନ୍ନାଥ

Rate the content


Originality
Flow
Language
Cover design

Comments

Post

Some text some message..