Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Children

3  

ଓଡ଼ିଆ ଗଳ୍ପ ଓ କବିତା - ୧

Children

ଜହ୍ନମାମୁଁ -28

ଜହ୍ନମାମୁଁ -28

3 mins
7.4K


ଭୁବନ ସୁନ୍ଦରୀ 1

ରାଜା ବର୍ଦ୍ଧନ ଫ୍ରିଜିୟା ଦେଶର ଟ୍ରୟ ନଗରୀରେ ଥା’ନ୍ତି । ତାଙ୍କ ରାଣୀଙ୍କର ପିଲାପିଲି ହେବାର ଥାଏ । ସେ ଦିନେ ସ୍ୱପ୍ନ ଦେଖିଲେ ତାଙ୍କ ପେଟରୁ ଏକ ଉଲ୍କା ଜନ୍ମ ହେଲା ଓ ତାହା ସାରା ଟ୍ରୟ ନଗରୀକୁ ଜାଳିପୋଡି ଭସ୍ମସାତ କରିଦେଲା । ସେ ଚିତ୍କାର କରି ନିଦରୁ ଉଠି ପଡିଲେ ଓ ରାଜାଙ୍କୁ ନିଜ ସ୍ୱପ୍ନ ବିଷୟରେ କହିଲେ ।

ବର୍ଦ୍ଧନଙ୍କ ପୁତ୍ରମାନଙ୍କ ମଧ୍ୟରୁ ଜଣେ ହେଉଛି ଭବିଷ୍ୟତ ବକ୍ତା । ରାଜା ତାକୁ ପଚାରିଲେ ଏହି ସ୍ୱପ୍ନର ଅର୍ଥ କ’ଣ ହୋଇପାରେ । ତା’ପରେ ଦରବାରରେ ଥିବା ବଡ ବଡ ଜ୍ୟୋତିଷଙ୍କୁ ମଧ୍ୟ ସ୍ୱପ୍ନର ଅର୍ଥ ବିଷୟରେ ରାଜା ପ୍ରଶ୍ନ ପଚାରିଲେ । ସେମାନେ କହିଲେ ଯେ ଜନ୍ମହେବାକୁ ଯାଉଥିବା ପିଲା ଯୋଗୁଁ ଟ୍ରୟ ନଗରୀ ଧ୍ୱଂସ ହେବ । ତେଣୁ ଉତ୍ତମ ହେବ, ଜନ୍ମ ହେବା ମାତ୍ରେ ତାକୁ ମାରି ଦିଆଯାଉ ।

ଦିନେ ସଂଧ୍ୟା ପରେ ରାଣୀ ପିଲାଟିଏ ଜନ୍ମ ଦେଲେ । ରାଜା ସେହି ପିଲାଟିକୁ ନେଇ ତାଙ୍କ ମେଷପାଳକ ହାତରେ ଦେଇ କହିଲେ, “ଏହାକୁ ପର୍ବତ ଉପରୁ ଫିଙ୍ଗି ଦେବ ।” ଏହାପରେ ସେ ସେହି ପିଲାକୁ ନେଇଗଲା ।

କିନ୍ତୁ ଏତେ ସୁନ୍ଦର ଛୁଆକୁ ମାରି ଦେବାକୁ ତା’ର ଇଚ୍ଛା ହେଲା ନାହିଁ । ରାଜାଙ୍କ ଆଜ୍ଞା ପାଳନ କରିବାକୁ ତ ହେବ । ତେଣୁ ସେହି ପର୍ବତ ଉପରେ ସେ ଛୁଆକୁ ଶୁଆଇ ଦେଇ ଚାଲି ଆସିଲା । କିନ୍ତୁ ଯାହାକୁ ଭଗବାନ ରକ୍ଷା କରିବେ ତାକୁ କିଏ ବା’ ମାରି ପାରିବ? କେଉଁଠୁ ଭାଲୁଟିଏ ଆସି ତାକୁ ଦୁଧ ଖୁଆଇ ପାଳିଲା ।

ପାଞ୍ଚଦିନ ପରେ ମେଷପାଳକ ଯାଇ ଦେଖିଲା ଯେ ସେହି ପିଲାଟିକୁ ଭାଲୁ ପାଳୁଛି, ପିଲାଟି ସମ୍ପୂର୍ଣ୍ଣ ସୁରକ୍ଷିତ । ସେ ବୁଝିଲା ଏହା ଭଗବାନଙ୍କର ମାୟା । ତେଣୁ ଭାଲୁ ବଣକୁ ଯିବାବେଳେ ସେ ସେହି ଛୁଆଟିକୁ ଧରି ନିଜ ଘରକୁ ଚାଲି ଆସିଲା । ଛୁଆଟି ଅତି ସୁନ୍ଦର ଥିଲା, ତେଣୁ ସେ ତା’ର ନାମ ମୋହନ ରଖିଲା ।

ମୋହନ କ୍ରମେ ବଡ ହେଲା । ପିଲାଦିନରୁହିଁ ସେ ସୁନ୍ଦର, ଗୁଣବାନ୍ ଓ ବଳବାନ୍ ଥିଲା । ଥରେ ବାଳକ ଅବସ୍ଥାରେ ତାଙ୍କ ପଶୁ ଚୋରି କରୁଥିବା ଏକ ବଡ ଚୋର ଦଳକୁ ଧରି ଜବତ କରି ପଶୁମାନଙ୍କୁ ସେ ଉଦ୍ଧାର କଲା । ବଳଦମାନଙ୍କର ଲଢାଇ ସେ କରାଉଥାଏ । ପ୍ରାୟତଃ ତା’ରି ବଳଦ ଜିତେ । ତେବେ ସେତେବେଳେ ଯିଏ ଜିତେ ତା’ର ସିଂଘରେ ଫୁଲମାଳ ବନ୍ଧା ହୁଏ । ସେ ଜଣେ ସାଧାରଣ ମେଷ ପାଳକ ହୋଇଥିଲେ ମଧ୍ୟ ତା’ର ପାଳକ ପିତା ଜାଣୁଥିଲା ଯେ ସେ ଜଣେ ଯୋଗଜନ୍ମା । ଦିନକୁ ଦିନ ତା’ର ରୂପ, ଗୁଣ, ବିକଶିତ ହେଲା । ସ୍ୱର୍ଗରେ ଦେବତାମାନେ ମଧ୍ୟ ମୋହନ ବିଷୟରେ ଆଲୋଚନା କରନ୍ତି । ହୁଏତ ଦେବତାମାନଙ୍କର କୌଣସି ଇଚ୍ଛାକୁ ଫଳବତୀ କରିବାକୁ ତା’ର ଜନ୍ମ । ମୋହନ ତା’ର ଦୈନନ୍ଦିନ କାମ କରି ବଡ ଆନନ୍ଦରେ ଥାଏ । ସେ ସାରା ଗ୍ରାମର ନୟନ ପିତୁଳା ଥିଲା । ସମସ୍ତିଙ୍କର ସେ ଆଦରର ପାତ୍ର । ସମସ୍ତେ ତାକୁ ନିଜର ପୁଅ ପରି ଖୁବ୍ ଭଲ ପାଆନ୍ତି ।

ଏଡା ପର୍ବତ ଉପରେ ମୋହନ ଯେତେବେଳେ ମେଣ୍ଢା ଚରାଉଥାଏ, ସେତେବେଳେ ଦେବଲୋକରେ ଏକ ବିଚିତ୍ର ଘଟଣା ଘଟିଲା । ସେଠାରେ ଗୋଟିଏ ବିବାହ ଉତ୍ସବ ହେଉଥିଲା । କଳହପ୍ରିୟ ନାମକ ଜଣେ ଦେବତା ସେଠାରେ ସୁବର୍ଣ୍ଣର ଫଳଟିଏ ପକାଇ ଦେଲେ । ସେଥିରେ ଲେଖାଥିଲା, “ଯିଏ ସର୍ବଶ୍ରେଷ୍ଠ ସୁନ୍ଦରୀ କେବଳ ସେହିଁ ଏହି ଫଳର ଅଧିକାରୀ ।” ସେହି ଉତ୍ସବରେ ତିନିଜଣ କିନ୍ନରୀ ଅତି ସୁନ୍ଦରୀ ଥିଲେ; ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ କିଏ ସେକଥା ଜାଣିବା ବଡ କଷ୍ଟ । ସେମାନେ ଥିଲେ ଭୂକନ୍ୟା, ବୁଦ୍ଧିମତି ଓ କାମିନୀ । ସେଠାରେ ଉପସ୍ଥିତ ଥିବା ଦେବତାମାନେ କିଛି ହେଲେବି ନିର୍ଣ୍ଣୟ କରି ପାରିଲେ ନାହିଁ । ତେଣୁ ସେହି ତିନିଜଣଯାକ ଇନ୍ଦ୍ରଙ୍କ ନିକଟକୁ ଯାଇ ତାଙ୍କୁ ପ୍ରଶ୍ନ କଲେ ଯେ ସେମାନଙ୍କ ମଧ୍ୟରୁ ସର୍ବଶ୍ରେଷ୍ଠ ସୁନ୍ଦରୀ କିଏ?

ଏଣେ ଇନ୍ଦ୍ର ମହା ଅଡୁଆରେ ପଡିଲେ । ଇନ୍ଦ୍ର ଶେଷକୁ କହିଲେ, “ମୁଁ ତ ତୁମ ପ୍ରଶ୍ନର କୌଣସି ସଠିକ୍ ସିଦ୍ଧାନ୍ତରେ ପହଁଚି ପାରୁନାହିଁ କିନ୍ତୁ ଏଡା ପର୍ବତ ଉପରେ ଥିବା ମେଷପାଳକ ମୋହନ ତୁମ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ପାରିବ । ସେ ବହୁତ ଚତୁର ଓ ତା’ର ଦୈବୀ ଶକ୍ତି ଅଛି । ତୁମେମାନେ ସେହିଠାକୁ ଯାଇ ନିଜର ଇଚ୍ଛା ତାକୁ ଜଣାଇବ । ସେ ଚାହିଁଲେ ତୁମ ସମସ୍ୟାର ସମାଧାନ କରିପାରିବ ।”

ତିନିଜଣ କିନ୍ନରୀ ଏଡା ପର୍ବତ ଖୋଜି ଖୋଜି ଯାଇ ମୋହନ ପାଖରେ ପହଁଚି ତାକୁ କହିଲେ, “ମୋହନ, ଆମ ତିନିଜଣଙ୍କ ମଧ୍ୟରେ ଯିଏ ସର୍ବଶ୍ରେଷ୍ଠ ସୁନ୍ଦରୀ, ସେହିଁ ଏହି ଫଳଟି ପାଇବ; ଏକଥା ତୁମେ କହିପାରିବ ବୋଲି ଇନ୍ଦ୍ର ଆମମାନଙ୍କୁ ତୁମ ନିକଟକୁ ପଠାଇଛନ୍ତି ।”

ମୋହନ ଅଳ୍ପ ହସି କହିଲା, “ଇଏ ଇନ୍ଦ୍ରଙ୍କର କି ପ୍ରକାରର ଆଜ୍ଞା, ଯାହା ସେ ନିଜେ କରି ପାରିଲେ ନାହିଁ, ସେକଥା ମୁଁ କରିବି କିପରି? ପୁଣି ମୁଁ ଜଣେ ଅତି ସାଧାରଣ ମେଷ ପାଳକ । କହିବ ଯଦି ଫଳଟିକୁ ତିନିଭାଗ କରି କାଟି ତୁମ ତିନିଜଣଙ୍କୁ ବାଂଟି ଦେବି ସିନା, ହେଲେ ଶ୍ରେଷ୍ଠ ସୁନ୍ଦରୀ ନିର୍ଣ୍ଣୟ କରିବା ବଡ କଷ୍ଟ ।”

ସେମାନେ କହିଲେ, “ଇନ୍ଦ୍ରଙ୍କ ଆଜ୍ଞାକୁ ଉଲ୍ଲଙ୍ଘନ କରିବାର ସାହସ ତୁମେ କିପରି କରୁଛ? ସେପରି କଲେ ପରିଣାମରେ ତୁମର ଅମଙ୍ଗଳ ହେବ ।” ଏକଥା କ’ଣ ବୁଝିପାରୁ ନାହଁ? ତୁମର ସେପରି ଶକ୍ତି ଓ ସାମର୍ଥ୍ୟ ନଥିଲେ ଇନ୍ଦ୍ର କାହିଁକି ଆମମାନଙ୍କୁ ତୁମ ନିକଟକୁ ପଠାଇଥା’ନ୍ତେ?

ମୋହନ କହିଲା “ତେବେ ତ ମୁଁ ଅବଶ୍ୟ ଚେଷ୍ଟା କରିବି । କିନ୍ତୁ ଶୁଣ, ମୁଁ ଯାହା କହିବି ତାହା ତୁମେମାନେ ମାନିଯିବ । ମୋ ଉପରେ ଆଉ କ୍ରୋଧ କରିବ ନାହିଁ । ମୁଁ ଯାହା କହିବି ତାହା ହୁଏତ ଭୁଲ୍ ବି ହୋଇପାରେ ।”

ତିନିଜଣ ଯାକ ତା’କଥାରେ ସ୍ୱୀକୃତ ହେଲେ । ପୁଣି ମୋହନ କହିଲା, “ତୁମ ତିନିଜଣଙ୍କୁ ଏକାଠି ଦେଖି ମୁଁ କିଛି ବୁଝିପାରୁ ନାହିଁ । ତୁମେ ତିନିଜଣ ଟିକିଏ ଦୂରକୁ ଯାଇ, ସେଠାରୁ ଜଣ ଜଣ କରି ଆସ ।”


Rate this content
Log in

Similar oriya story from Children