Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବୁୁୁମେରାଂ
ବୁୁୁମେରାଂ
★★★★★

© Rasmi Rekha Tripathy

Tragedy Drama

8 Minutes   7.2K    14


Content Ranking

ଝିଅର ବେଡ୍ ପାଖରେ ସୁତପାକୁ ଦେଖି ଆଗକୁ ବଢୁଥିବା ପାଦ ଅଟକି ଗଲା ଅର୍ଜୁନର । ଆହୁରି ଆଶ୍ଚର୍ଯ୍ୟ ହୋଇଗଲା ସୁତପା ସାଙ୍ଗରେ ତାପସକୁ ଦେଖି । ସେ ଯେମିତି ମୂର୍ତ୍ତିଟିଏ ପାଲଟି ଯାଇଥିଲା । ସ୍ଥିର ହୋଇଯାଇଥିଲା ଯେମିତି ତା’ ଚାରିପାଖର ପୃଥିବୀ । ଏପରି ଅନୁଭବ ତାର କେବେ ବି ହୋଇ ନଥିଲା, ଏପରିକି ଝିଅ ସୁମନାର ଦୁର୍ଘଟଣା ହେବା ଦିନ ବି । ଏମିତି କାହିଁକି ହୁଏ? ମଣିଷ ଇଛା ନ କରୁଥିବା ମୁହୂର୍ତ୍ତ ସବୁ କାହିଁକି ଆସେ? ନ ଦେଖା ହେବାକୁ ଚାହୁଁଥିବା ଲୋକମାନଙ୍କ ସହ କାହିଁକି ଦେଖା ହୁଏ? ସେଥିପାଇଁ ବୋଧହୁଏ କିଏ କହିଥିଲେ, ପୃଥିବୀଟା ଗୋଲ । କେତେବେଳେ କାହା ସାଙ୍ଗରେ ହଠାତ୍ ସାକ୍ଷାତ ହୋଇଯିବ, କିଏ ବି ଜାଣେନା । 

: ଆରେ ଅର୍ଜୁନ ! ସେଠି କଣ ପାଇଁ ଠିଆ ହୋଇଛ? ଆସ ଭିତରକୁ ଆସ ।ସୁତପାର କଣ୍ଠ ସ୍ୱର ଏତେ ନିଥର, ନିଷ୍କମ୍ପ ହୋଇପାରେ ପ୍ରଥମ ଥର ପାଇଁ ଅନୁଭବ କଲା ଅର୍ଜୁନ । ଅଥଚ ତାରି ପାଇଁ ହିଁ ଦିନେ ସୁତପା ଜୀବନରେ ଆସିଥିଲା ଝଡ ।

ତାପସ ମୁହଁକୁ ଚାହିଁଲା ଅର୍ଜୁନ । ତାପସ୍ ଓ ସୁତପାର ମୁହଁ ମଧ୍ୟରେ ଅଦ୍ଭୁତ ସାମଞ୍ଜସ୍ୟ । ତେବେ କଣ ତାପସ୍ ସୁତପାର ପୁଅ? ସେଥିପାଇଁ କଣ ତାପସର ମୁହଁଟା ସେଦିନ ଏତେ ଚିହ୍ନା ଚିହ୍ନା ଲାଗୁଥିଲା ? ମନେ ମନେ ଥରି ଉଠିଲା ଅର୍ଜୁନ । କଣ ହେବ ତା ଝିଅର ଭବିଷ୍ୟତ? ୟା ପରେ ତାପସ୍ ଆ ଉ କଣ ତାକୁ ବାହା ହେବ? କେଉଁଠି ଅଛନ୍ତି ସୁଦୀପା ଅପା? ଆଜି ଯାଇ ତାଙ୍କୁ କ୍ଷମା ମାଗିବ ଅର୍ଜୁନ । ଆଜି ସିଏ ବୁଝି ପାରୁଛି, ସେ ଦିନ ସୁଦୀପା ଅପାଙ୍କ ମନ ଭିତରଟା କେମିତି କୋରି ହୋଇ ଯାଇଥିବ । ସେ କଣ ଜାଣି ନଥିଲା, ସାନ ଭଉଣୀ ସୁତପାକୁ ସୁଦୀପା ଅପା ନିଜ ଝିଅ ଭଳି ଦେଖୁଥିଲେ । ସେ କେମିତି ଭାବି ପାରିଲାନି ଯେ, ଯେଉଁ ସବୁ କଥାଗୁଡିକ ସେ ସେଦିନ ସୁତପା ବିଷୟରେ ସୁଦୀପା ଅପାଙ୍କୁ କହିଥିଲା, ସେ କଥାଗୁଡିକ ତାଙ୍କ ମନରେ କେତେ ଆଘାତ ଦେଇଥିବ! 

କେତେ ଆଗ୍ରହ ନେଇ ଅପା ସେଦିନ ଆସିଥିଲେ ତା ପାଖକୁ, ତା ପାଇଁ ସୁତପାର ପ୍ରସ୍ତାବ ନେଇ । ଏମିତି ଝିଅ ଥିଲେ, ପୁଅ ଥିଲେ କେତେ ପ୍ରସ୍ତାବ ଆସେ । କିନ୍ତୁ ଠିକ୍ ହୁଏ କେବଳ ଗୋଟିଏ ଜାଗାରେ । ସେ ଦିନ ସେ ଅନ୍ୟ କିଛି ବାହାନା ଦେଖାଇ ମନା କରି ଦେଇଥିଲେ ହୁଏତ ଅପା ଏତେଟା ଆଘାତ ପାଇ ନଥାନ୍ତେ । ଅପାଙ୍କୁ ସେଦିନ ଜାଣି ଶୁଣି ଏମିତି ଆଘାତ କେମିତି ଦେଇ ପାରିଲା? ଆଜି ନିଜକୁ ପ୍ରଶ୍ନ ପଚାରୁଛି ଅର୍ଜୁନ ।

: ଅପା! ମୁଁ ସୁତପାକୁ ଜୀବନସଙ୍ଗିନୀ ଭାବରେ କେବେ ବି ଗ୍ରହଣ କରି ପାରିବିନି । ସିଏ ଏମିତିରେ ଟିକେ ବୟସ୍କା ବୟସ୍କା ଲାଗେନି ? ଅର୍ଜୁନର ଏଭଳି ବକ୍ତବ୍ୟରେ ସେଦିନ ହତବାକ୍ ହୋଇଯାଇଥିବେ ସୁଦୀପା ଅପା । ହୁଏତ ଭାବୁଥିବେ ଇଏ ସେହି ଅର୍ଜୁନ ତ, ଯିଏ କି ଭଗବାନଙ୍କ ସମସ୍ତ ସୃଷ୍ଟିକୁ ସୁନ୍ଦର ବୋଲି ଯୁକ୍ତି ସ୍ଥାପନ କରି ପୁରସ୍କୃତ ହୋଇଥିଲା । କହିବା ଆଉ କରିବା ଭିତରେ କେତେ ଫରକ ସତରେ? ଆଜି ଯଦି ତା ଝିଅଠାରୁ ମୁହଁ ବୁଲେଇ ନିଏ ତାପସ? ଆଉ ଭାବି ପାରିଲାନି ଅର୍ଜୁନ ।

ଏମିତି କାମ କେମିତି ସିଏ କରିଥିଲା, ଭାବିଲେ ନିଜ ପ୍ରତି ଘୃଣା ଆସୁଛି ତାର । ସୁଦୀପା ଅପାଙ୍କୁ ସିଏ କେମିତି ଆଘାତ ଦେଇପାରିଲା? ଏଇ ଦିନ ପାଇଁ କଣ ସୁଦୀପା ଅପା ତାକୁ ମଣିଷ କରିଥିଲେ? ରାତି ରାତି ବସି ତା ପାଇଁ ନୋଟ୍ ପ୍ରିପାୟାର୍ କରୁଥିଲେ? ନିଜର ପକେଟ୍ ମନି ସଞ୍ଚୟ କରି ତାର ଫର୍ମ ଫିଲପ୍ କରୁଥିଲେ? ବେକର ଚେନ୍କୁ ବିକ୍ରି କରି ତାକୁ କୋଚିଙ୍ଗ୍ ନେବା ପାଇଁ ଉତ୍ସାହିତ କରିଥିଲେ? ନିଜ ପାଦ ତଳେ ମାଟି ପାଇଯିବା ପରେ ସେ ଏତେ ନିଷ୍ଠୁର ହୋଇ ପାରିଲା କେମିତି? ସେଦିନ କଣ ସିଏ ସୁଦୀପା ଅପାଙ୍କୁ ସ୍ୱାର୍ଥପର ବୋଲି ଭାବି ନ ଥିଲା? ତାଙ୍କର ସ୍ୱାର୍ଥ ପାଇଁ ତାକୁ ଇମୋସ୍ନାଲି ବ୍ଲାକ୍ମେଲ୍ କରୁଛନ୍ତି ବୋଲି ମନେ ହୋଇଥିଲା ତାର । ସୁଦୀପା ଅପାଙ୍କ ଆକ୍ଷିର ଲୁହ ତା ମନରେ ଟିକେ ବି ପ୍ରଭାବ ପକେଇପାରି ନଥିଲା ସେଦିନ । ଅଥଚ ସୁଦୀପା ଅପା କଣ ସତରେ ସ୍ୱାର୍ଥପର ଥିଲେ . . . . . . .? ନିଜ ଭଉଣୀ ପାଇଁ ତାକ ପ୍ରପୋଜ୍ କରିବା କଣ ସ୍ୱାର୍ଥପରତା ଥିଲା? ଆଜି କଣ ସିଏ ତା ଝିଅ ପାଇଁ ତାପସର ସହମତି ଆଶା କରୁନି? ଅଥଚ ତାପସ ଭଳି ସୌମ୍ୟ ଦର୍ଶନ ଯୁବକ ପାଖରେ ତାର ଅର୍ଦ୍ଧଦଗ୍ଧ ଝିଅ ସୁମନ କେତେ ବେଖାପ୍ ଲାଗିବ, ସେ କଥା କଣ ସିଏ ଅନୁଭବ କରିନି?

କଣ ପାଇଁ ମଣିଷର ଏତେ ଗର୍ବ? ଜୁଇରେ ଶୋଇଗଲା ପରେ ସବୁ ସମାନ । ଏ ନିଷ୍ଠୁର ସତକୁ ସେଦିନ କାହିଁକି ବୁଝି ପାରି ନ ଥିଲା ଅର୍ଜୁନ? କାହିଁକି . . . . . . .???

ତା ମନ ଭିତରେ ଶତ ବୃଶ୍ଚିକର ଦଂଶନ । ଖଟ ଉପରେ ଶାୟିତା ସୁମନାକୁ ଚାହିଁଲା ସିଏ । ଇଏ କଣ ତାର ଝିଅ ସୁମନା? କେଉଁଠି ଲୁଚି ଯାଇଛି ତା ମୁହଁର ଲାବଣ୍ୟ? ମୁହଁର ମାଂସ ସବୁ ସିଝି ଯାଇ ବଡ ବୀଭତ୍ସ ଦେଖା ଯାଉଛି ମୁହଁଟା । ଆଉ ନିଜକୁ ଆୟତ୍ତରେ ରଖି ପାରିଲାନି ଅର୍ଜୁନ । ଆକ୍ଷିର ଲୁହ ସବୁ ବରକୋଳିଆ ଟୋପା ପରି ଟପ୍ ଟପ୍ ହୋଇ ଗଡି ପଡିଲା । ସୁତପାର ଇସାରାରେ ତାପସ୍ ତାକୁ ବାହାରକୁ ନେଇ ଆସିଲା । ସୁତପା ବି ଚାଲି ଆସିଲା ବାହାରକୁ । 

: ତୁମେ ଏଠି? ଅର୍ଜୁନ ପଚାରିଲା ସୁତପାକୁ । 

: ତାପସ ମୋ ପୁଅ । ସ୍ଥିର କଣ୍ଠରେ କହିଲା ସୁତପା । ତା ମୁହଁକୁ ଚାହିଁଲା ଅର୍ଜୁନ । ମାତୃତ୍ୱର ମହିମାରେ ସେ ଝଲମଲ ଦେଖା ଯାଉଥିଲା । ସୁତପା ଏତେ ସୁନ୍ଦର ଦେଖାଯାଇପାରେ ବୋଲି ଆଜି ପ୍ରଥମ ଥର ପାଇଁ ଅନୁଭବ କଲା ଅର୍ଜୁନ । ଏବଂ ପ୍ରଥମ ଥର ପାଇଁ ଏୟା ବି ଅନୁଭବ କଲା ଯେ ସୁନ୍ଦରତା ରୁପରେ ନଥାଏ । ଥାଏ ଗୁଣରେ । କିନ୍ତୁ କଣ ହେବ ତା ଝିଅର ଭବିଷ୍ୟତ ? ଆତଙ୍କରେ କଳା ପଡିଗଲା ମୁହଁ ତାର । ଭଲ ହେଇଛି, ତା ମାଆ ମରି ଯାଇଛି । ନହେଲେ ଏତେ ବେଳକୁ ଅଧା ମରି ସାରନ୍ତାଣି ସିଏ , ଯେମିତି ଜୀଅନ୍ତା ମରୁଛି ଅର୍ଜୁନ ।

ସେ କାହିଁକି ଭବିଷ୍ୟତକୁ ଦେଖିପାରିଲାନି? ସେ କାହିଁକି ଭାବି ପାରିଲାନି ଯେ ସବୁଦିନେ ତା ଜୀବନରେ ମୌସୁମୀ ବହିବନି ବୋଲି? ସୁତପାକୁ ଆଗ୍ରାହ୍ୟ କରି ଯେଉଁଦିନ ସେ ରୀନାକୁ ବାହା ହେଲା, ସେ ଦିନ କଣ ଜାଣିଥିଲା କି ତା ଜୀବନରେ ଏମିତି ଏକ ବିପର୍ଯ୍ୟୟ ଘଟିଯିବ ବୋଲି? ସେଦିନ ସେ କେତେ ଖୁସୀ ଥିଲା । ରୀନା ମୃତ୍ୟୁ ପରେ ସୁମନା ହିଁ ତା ପାଇଁ ସବୁ କିଛି ଥିଲା । ତା ପାଟିରୁ କଥା ଖସିବା ମାତ୍ରେ ଆଲ୍ଲାଦିନ୍ର ଜୀନ ଭଳି ସବୁ ଇଛା ତାର ପୁରଣ କରିବାକୁ ଚେଷ୍ଟା କରୁଥିଲା ଅର୍ଜୁନ । ଯେଉଁ ଦିନ ତାପସ୍ କଥା ଶୁଣିଲା ସେ ଦିନ ତାର ଖୁସୀର ସୀମା ନଥିଲା । ତାପସ ଭଳି ଗୋଟିଏ ରତ୍ନକୁ କିଏ ବା ନିଜ ଝିଅ ଦେବାକୁ ଇଛା ନ କରିବ? ସୁମନାକୁ ନିଜେ ଗାଡି ଦେଇ ପଠେଇଥିଲା, ତାପସ ଓ ତା ମାଆଙ୍କୁ ଡାକି ଆଣିବା ପାଇଁ । ଆଉ କଣ ସେ ଯୁଗ ଅଛି? ଝିଅକୁ ବରଘର ଦେଖିବାକୁ ଆସିବେ । ସେ ଚଉଦ ହାତ ଲମ୍ବର ଶାଢୀ ଘୋଡେଇ ହୋଇ ବସିବ ସେମାନଙ୍କ ସାମ୍ନାରେ । ସେ ଯୁଗ ଗଲାଣି କେବେ ଠୁଁ । ତାପରେ ସୁମନା ତ ତାପସର ମାଆଙ୍କ ସହ ଆଗରୁ ପରିଚିତ । ଯାହା କେବଳ ବାକି ଥିଲା ଅର୍ଜୁନ ସହିତ ଔପଚାରିକ କଥାବାର୍ତ୍ତା । ଅନେକ ସମୟ ବିତି ଯାଇଥିଲା । ଅପେକ୍ଷା କରି ଅର୍ଜୁନର ଧୈର୍ଯ୍ୟର ସୀମା ଟପି ଯାଇଥିଲା । ସୁମନା କିମ୍ବା ତାପସ୍, କାହାରି ବି ଦେଖା ଦର୍ଶନ ନ ଥିଲା । କିଛି ସମୟ ପରେ ତାପସ୍ ର ଫୋନ୍ ଆସିଲା । ସେମାନଙ୍କୁ ନେଇ ଆସିବା ସମୟରେ ସୁମନା ତା ମାଆଙ୍କୁ ନେଇ ମନ୍ଦିରକୁ ଯାଇଥିଲା । ଅସାବଧାନତାବଶତଃ ଆଳତୀ ନିଆଁ ଲାଗି ତା ଦେହର ଷାଠିଏ ଭାଗ ପୋଡି ଯାଇଛି । ସ୍ତବ୍ଧ ହୋଇ ଗଲା ଅର୍ଜୁନ । କେମିତି ଯାଇ ଝିଅ ପାଖରେ ପହଞ୍ଚିଥିଲା ସିଏ ହିଁ ଜାଣେ । ଝିଅର ମୁହଁକୁ ଦେଖି ଥରି ଉଠିଥିଲା ତା ଅନ୍ତର । ଏତେ ବୀଭତ୍ସ ଦେଖାଯାଇପାରେ ତାର ସୁନ୍ଦରୀ ଝିଅ, ସିଏ କଳ୍ପନା ବି କରି ପାରି ନଥିଲା ।

କେଉଁଠି ଅଛନ୍ତି ସୁଦୀପା ଅପା? ତାଙ୍କୁ ଯାଇ କ୍ଷମା ମାଗିବ ସିଏ । ମ୍ଲାନ ହସିଲା ସୁତପା । ତୁମେ ଆଉ ଅପାକୁ କେଉଁଠି ପାଇବ ଅର୍ଜୁନ? ତୁମର ଧକ୍କାକୁ ସିଏ ସହି ପାରି ନଥିଲା । ତଥାପି ବି ଲାଗି ପଡି ମୋ ବାହାଘର କରିଥିଲା । ମୁଁ ଜାଣିଥିଲି ଅପା ମୋ ପାଇଁ ଯାହା କରିବ, ଭଲ ହିଁ କରିବ । ବହୁତ ଭଲ ଘରେ ମୋର ବାହାଘର ହୋଇଛି । ମୋ ସ୍ୱାମୀ, ଶାଶୁ, ଶ୍ୱଶୁର ! ସମସ୍ତଙ୍କର ମୁଁ ଆକ୍ଷିର ମଣି । ମୁଁ ତ ତୁମକୁ ଭୁଲି ଯାଇଥିଲି । ଏମିତି ପୁଅ ଥିଲେ, ଝିଅ ଥିଲେ କେତେ ପ୍ରସ୍ତାବ ଆସେ । କିନ୍ତୁ ଅପା ଭୁଲି ପାରି ନ ଥିଲା ତୁମର ସ୍ୱାର୍ଥପରତାକୁ । ଉପରକୁ ଜଣା ପଡୁ ନଥିଲେ ବି ଭିତରେ କୋରି ହୋଇଯାଉଥିଲା ସିଏ । ଏହି ସମୟରେ ଜନ୍ମ ହେଲା ତାପସ୍ ।ତାପସ୍ ଅପାର ହିଁ ପୁଅ । କିନ୍ତୁ ଅପାର ମୃତ୍ୟୁ ପରେ ମୁଁ ତାକୁ ଟାଣି ଆଣିଥିଲି କୋଳକୁ। 

: ଅପାର ମୃତ୍ୟୁ ମାନେ . . . . . । ସୁଦୀପା ଅପା ମରିଯାଇଛନ୍ତି?କ୍ଷୀଣ ଚିତ୍କାର କରି ଉଠିଲା ଅର୍ଜୁନ ।

: ହଁ ତୁମର ପ୍ରତ୍ୟାଖ୍ୟାନ ପରେ ଅପା ପୁରା ପୃଥିବୀ ଉପରୁ ବିଶ୍ୱାସ ହରେଇ ଦେଇଥିଲା । ନିଜ ଉପରେ ବି ତାର ବିଶ୍ୱାସ ନ ଥିଲା । କୌଣସିଥିରେ ତାର ଆଗ୍ରହ ନ ଥିଲା । ଆସ୍ତେ ଆସ୍ତେ ସେ ଦୁର୍ବଳ ହୋଇ ଯାଉଥିଲା । ଅନେକ ଡାକ୍ତର ଦେଖା ହୋଇଛି । ସମସ୍ତେ କହୁଥିଲେ, ରୋଗଟା ଶାରୀରିକ ନୁହେଁ । ମାନସିକ । ତାପସକୁ ଜନ୍ମ ଦେଇ ସେଇ ଲେବର ବେଡ୍ ରେ ହିଁ ଆକ୍ଷି ବୁଜିଥିଲା ଅପା । କିନ୍ତୁ ମରିବା ପର୍ଯ୍ୟନ୍ତ ସିଏ ତୁମକୁ ହିଁ ଖୋଜୁଥିଲା । ସବୁବେଳେ ତା ମନରେ ତୁମର ପ୍ରତ୍ୟାଖ୍ୟାନଜନିତ ଆଘାତ ତାଜା ହୋଇ ରହିଥିଲା । ତୁମେ ଯେ ମୋ ରୂପ ପାଇଁ ମୋତେ ପ୍ରତ୍ୟାଖ୍ୟାନ କରିବ, ଏ କଥା ସିଏ କଳ୍ପନା ବି କରି ପାରି ନଥିଲା । ସବୁବେଳେ ଭାବୁଥିଲି, ଯଦି କେବେ ଦେଖା ହେବ, ତୁମକୁ ପଚାରିବି ଏମିତି କଣ ପାଇଁ କଲ? ଆଜି କିନ୍ତୁ ଦୟା ଆସୁଛି ତୁମ ଉପରେ । ଭାବୁଛି ଅପାର ଦୀର୍ଘଶ୍ୱାସ ହିଁ ଆଜି ତୁମ ପାଇଁ ଅଭିଶାପ ପାଲଟିଯାଇଛି । ଅର୍ଜୁନ ନିର୍ବାକ ହୋଇ ଯାଇଥିଲା । ସେ ଅନୁଭବ କରୁଥିଲା କେତେ ବଡ ଭୁଲଟିଏ ସିଏ କରିଦେଇଛି । ନିଜ ଅଜାଣତରେ ସେ ଆଜି ହତ୍ୟାକରୀ ପାଲଟି ଯାଇଛି । କୃତଘ୍ନତାର ଚରମ ସୀମା ଟପିଗଲା ବେଳେ କେମିତି ତା ବିବେକ ତାକୁ ବାଧା ଦେଲାନି ଆଜି ସିଏ ଭାବୁଛି? ସଫଳତାର ସିଡି ଚଢି ଚଢି ଗଲା ବେଳେ ସେ କେବେ ଥରେ ପଛକୁ ଚାହିଁଛି କି?ଯାହା କାନ୍ଧରେ ପାଦ ରଖି ସେ ଆକାଶର ସୀମାକୁ ଛୁଇଁବାକୁ ଚେଷ୍ଟା କରିଥିଲା, ଆକାଶକୁ ଛୁଇଁପାରିବା ପରେ ସେ କାନ୍ଧକୁ ନିର୍ମମ ଭାବେ ଆଡେଇ ଦେବା ବେଳେ ଥରଟେ କଣ ଥରି ଉଠିଛି କି ତା ଛାତି? ଏତେ ବର୍ଷ ଭିତରେ ସିଏ ଥରଟେ ବି ମନେ ପକେଇନି ସୁଦୀପା ଅପାଙ୍କୁ । ଅଥଚ ସୁଦୀପା ଅପା ପାଇଁ ହିଁ ତାର ଅସ୍ତିତ୍ୱ ।

: ମୁଁ ଏବେ କଣ କରିବି? ଅସହାୟ ଭାବେ ସୁତପାର ମୁହଁକୁ ଚାହିଁ କହିଲା ଅର୍ଜୁନ ।

: କଣ କରିବ ମାନେ . . . . . ? ଓଲଟା ତାକୁ ପ୍ରଶ୍ନ କଲା ସୁତପା ।

ଅର୍ଜୁନ ବୁଝିପାରିଲା ତା ପ୍ରଶ୍ନଟା କେତେ ଅବାନ୍ତର ଥିଲା । ୨୮ ବର୍ଷ ତଳେ ସୁତପାର ସ୍ଥୂୁଳ ଶରୀର ଓ ସାଧାରଣ ଚେହେରା ଯୋଗୁଁ ସେ ତାକୁ ପାଦରେ ଆଡେଇ ଦେଇଥିଲା । ଆଜି କେମିତି ସେ ଆଶା କରୁଛି ଯେ, ନିଆଁରେ ଜଳି କୁରୂପା ହୋଇଯାଇଥିବା ତା ଝିଅକୁ ତାପସ୍ ଗ୍ରହଣ କରିବ ବୋଲି? ତାପସ୍ କଣ, କେଉଁ ପୁଅ ବା ରାଜି ହେବେ ଆଜି ସୁମନାକୁ ଗ୍ରହଣ କରିବା ପାଇଁ? ସିଏ ପାରିଥାନ୍ତା କି? ତା ଆକ୍ଷିରୁ ଟପ୍ ଟପ୍ ହୋଇ ଲୁହ ଗଡିଲା । 

: ଆରେ ଏତେ ବ୍ୟସ୍ତ କଣ ହେଉଛି? ଡାକ୍ତର ତ କହିଛନ୍ତି ରିକଭରି ହୋଇଯିବ ବୋଲି । ସାନ୍ତ୍ୱନା ଦେଉଥିଲା ସୁତପା । 

: କିନ୍ତୁ ମୋ ଝିଅ . . . . . . . . ମୋ ଝିଅର କଣ ହେବ? କିଏ ତାକୁ ଆଉ ବାହା ହେବ ? ମୁଁ ତୁମ ପ୍ରତି ଯେଉଁ ଅନ୍ୟାୟ କରିଥିଲି, ସୁଦୀପା ଅପାଙ୍କ ଭାବନାକୁ ଆଘାତ ଦେଇଥିଲି, ତାର ଦଣ୍ଡ ମୋତେ ଆଜି ମିଳୁଛି । ଗୋଟିଏ ଅସହାୟ ବାପା ତା ଭୁଲର ସ୍ୱୀକାରୋକ୍ତି କରିଥିଲା । 

: ତୁମେ ଏବେ ବି ବୁଝିପାରିଲନି ଅର୍ଜୁନ । ସୁନ୍ଦରପଣଟା ରୂପରେ ନ ଥାଏ । ଥାଏ ଗୁଣରେ । ତାପସ ପାଇଁ ସୁନ୍ଦରୀ ଝିଅଙ୍କ ଅଭାବ ନ ଥିଲା । କିନ୍ତୁ ସିଏ ସୁମନାକୁ ପସନ୍ଦ କରିଥିଲା ତା ଗୁଣ ଯୋଗୁଁ । ଆଉ ତା ମାଆର ମୃତ୍ୟୁର କାରଣ ତୁମେ ବୋଲି ସିଏ ଜାଣିଛି । ମୁଁ କହିଛି ତାକୁ । ଏ ସବୁ ସତ୍ତ୍ୱେ ବି ସିଏ ସୁମନାକୁ ଭଲ ପାଏ ଓ ବାହା ହେବାକୁ ଇଛା କରେ। ସ୍ୱର୍ଗର ଚାନ୍ଦ ଯେମିତି ପାଇଗଲା ଅର୍ଜୁନ ।

: ମୋତେ କ୍ଷମା କରିଦିଅ ସୁତପା । ସୁମନାର ପ୍ଲାଷ୍ଟିକ୍ ସର୍ଜରୀ କରି ପୂର୍ବ ଚେହେରା ଅଣାଯାଇ ପାରିବ ବୋଲି ଡାକ୍ତର କହିଛନ୍ତି । ଯାହା ପଇସା ଲାଗିବ ମୁଁ ଖର୍ଚ୍ଚ କରିବି । 

: ଏଇଠି ଆପଣ ଭୁଲ କରି ଦେଲେ ମଉସା । ଏବେ ବି ଆପଣଙ୍କ ପାଖରେ ରୂପ ଆଉ ପଇସାର ମହତ୍ତ୍ୱ ବେଶୀ । ମୋ ବାବା ମାମାଙ୍କ ପାଖରେ ଧନର ପ୍ରାଚୁର୍ଯ୍ୟ ଆପଣଙ୍କ ଭଳି ନ ଥାଇ ପାରେ । କିନ୍ତୁ ସୁମନାର ପ୍ଲାଷ୍ଟିକ୍ ସର୍ଜରୀ ପାଇଁ ଆମେ ଖର୍ଚ୍ଚ ବହନ କରି ପାରିବୁ ବୋଲି ମୁଁ ଆଶା କରୁଛି । 

ପୁଣି ଥରେ ହାରିଗଲା ଅର୍ଜୁନ । ତଥାପି ବି ସେ ହାରିବାରେ ଦୁଃଖ ନ ଥିଲା । ହୁଏତ ଏ ହାରିବାରେ ହିଁ ସୁଦୀପା ଅପାଙ୍କ କ୍ଷମା ଲୁଚି ରହିଛି ତା ପାଇଁ . . . . .

ସୁତପା ଅର୍ଜୁନ ତାପସ ସୁଦୀପା

Rate the content


Originality
Flow
Language
Cover design

Comments

Post

Some text some message..