Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arabinda Rath

Comedy

5.0  

Arabinda Rath

Comedy

ସୁକୁଟାସନ

ସୁକୁଟାସନ

13 mins
749


ଲେଖକ- ଅରବିନ୍ଦ ରଥ


ନିଦରେ ଟଳମଳ ହୋଇ ଯାଉଥିଲେ ମକ୍ରମ ଚମ୍ପତ୍ତିରାୟ ଓରଫ୍ ସୁକୁଟା। ତଥାପି ପାଦ ଘୋଷାରି କିଛି ବାଟ ଚାଲି ଲଥ୍ କରି ବସି ପଡିଲେ। କିଛି ସମୟ ମଧ୍ଯରେ ଖାଲି ଯାହା ଫୁଁ ଫାଁ ଆଓ୍ବାଜ୍ ଭାସି ଆସୁଥିଲା ଓ ଘରର ନୀରବତା ଖଣ୍ଡ ଖଣ୍ଡ ହୋଇ ଝଡି ପଡୁଥିଲା।

ମୁଲାୟମ ଗଦିରେ ଚାରି ଖୁରା ବିସ୍ତାରିତ କରି ହାଁ ଫୁଃ କରି ଚାଲିଥିଲେ ଧର୍ମପତ୍ନୀ ପେଚି ଦେଇ। ଗତରାତିରେ ସେ କଥା ଦେଇଥିଲେ ଯେ ସୁକୁଟାଙ୍କ ସହ ମିଶି ଯୋଗାଭ୍ଯାସ କରିବେ। କିନ୍ତୁ ରାତ୍ ଗୟି ବାତ୍ ଗୟି ନ୍ଯାୟରେ ସେ ମୁଣ୍ଡରେ ତକିଆ ମାଡି ନିଦ ମାଉସୀଙ୍କ କୋଳରେ ହଜି ଯାଇଥିଲେ। ସୁକୁଟା ଭଲରେ ଜାଣିଥିଲେ, ଏ ସମୟରେ ତାଙ୍କ ନିଦରେ କିଞ୍ଚିତ୍ ମାତ୍ର ବ୍ଯାଘାତ କଲେ ସାରା ଦିନ ସେ ଢଣଢଣା ମାଛି ପରି କାନ ପାଖରେ ଭିଣିଭିଣି ହୋଇ ତାଙ୍କ ଦୁଃଖ,ଦୁର୍ଦ୍ଦଶା ଓ କଷ୍ଟକର ଜୀବନଶୈଳୀ ବିଷୟରେ ଲକ୍ଷେ ଥର କହିବା ସହ, ସୁକୁଟାଙ୍କ ହାତ ଧରି ତାଙ୍କ ଜୀବନ କିପରି ଗୋବରଗଦା ରେ ପରିଣତ ହୋଇଛି ସେ କଥା ମଧ୍ଯ ଗାଇ ଚାଲିବେ। ଶୁଣିବାକୁ କାହାର ବା ଧୈର୍ଯ୍ଯ ରହିବ? ତେଣୁ ଭୋର ଚାରିଟାରୁ ଅଘଷା ପାଟିରେ ଯୋଗ ବିଛଣା ଧରି ସୁକୁଟା ବୈଠକଖାନାରେ ନିଜର ଯୋଗ ଆସର ଜମାଇଥିଲେ।

କପାଳଭାତି କରି ସୁକୁଟାଙ୍କର ପେଟ ଭିତର ରାମ୍ପି ବିଦାରି ହୋଇ ଯାଉଥିଲା। ତା ପରକୁ ଅନୁଲୋମ ବିଲୋମ, ଦଣ୍ଡବୈଠକ, ଭସ୍ରୀକା,ଧ୍ଯାନ ଆଦି ଅନେକ ପେଞ୍ଚୁଆ ବ୍ଯାୟାମ ନିଜ ନିଜର ପାଳି ପାଇଁ ଅପେକ୍ଷାରତ ଥିଲେ। ଟେଲିଭିଜନ ପରଦା ରେ ଦାଢିଆ ଯୋଗଗୁରୁ ଆଖି ମିଟିମିଟି କରି ଦଳେ ଶିଷ୍ଯଙ୍କୁ ଧରି ଯୋଗ ଶିଖାଇବାରେ ବ୍ଯସ୍ତ ଥିବାବେଳେ, ଅପଲକ ନୟନ ରେ ସୁକୁଟା ସେସବୁ କୁ ଗଳାଧଃକରଣ କରିଚାଲିଥାନ୍ତି। ଭାବୁ ଥାଆନ୍ତି, ଏ ଦାଢିଆ ବାବା ଙ୍କ ପାଇଁ କେତେ ଯେ ନିରିହ ଲୋକଙ୍କ ସୁଖନିଦ୍ରାରେ ନିଆଁ ଲାଗି ଯାଇଛି ତାହାର ହିସାବ ନାହିଁ।

କିଛି ଦିନ ତଳେ ଏହି ବାବା ତାଙ୍କ ସହରକୁ ଆସିଥିଲେ। ମୁଣ୍ଡ କୁ ତାଙ୍କର କି ଦୁର୍ବୁଦ୍ଧି ଜୁଟିଲା କେ ଜାଣି, ପେଚିଦେଇଙ୍କୁ ସାଙ୍ଗରେ ନେଇ ସେ ଶିବିର କୁ ଯାଇଥିଲେ। ମଞ୍ଚ ଉପରେ ବାବାଙ୍କ କାଣ୍ଡ କାରଖାନା ଦେଖି ତାଙ୍କ ପାଟି ମେଲା ହୋଇଗଲା। ସେ ଯୋଗ ଆସନ କରିବା ଛାଡି, ବାବା ଟା ମଣିଷ ନା ପ୍ଲାଷ୍ଟିକ୍ କଣ୍ଢେଇ ସେହି କଥା ଭାବିବାରେ ଲାଗିଥିଲେ। ବାବା କେତେବେଳେ ବେଙ୍ଗ ପରି ଡିଆଁ ଚିରା ମାରୁ ଥାନ୍ତି ତ କେତେ ବେଳେ ନାଗିନା ନାଚ ରେ ମଦୁଆ ଭୂଇଁରେ ଲୋଟିବା ପରି ଗୁଡେଇ ତୁଡେଇ ହେଉଥାନ୍ତି। ନିଶ୍ବାସ ବାହାରକୁ ଫୁତକାର କରି ଫିଙ୍ଗି, ପେଟକୁ ଏମିତି ଭିତରକୁ ଶୋଷାଡି ନେଉଥାନ୍ତି ଯେ, ତା ଉପରେ ବାଲି ଟ୍ରକ୍ ଟେ ପକେଇଲେ ବି ଯାଗା ଧରିଯିବ। ତାଙ୍କ ପେଟ ଓ ପିଠି ମଧ୍ଯରେ ଶରୀର ର କିଛି ଯନ୍ତ୍ରପାତି ଥିବ କି ନାହିଁ ସନ୍ଦେହ, କାରଣ ସଦାବେଳେ ତ ସେ ପେଟ କୁ ସାଙ୍କୁଡି ପିଠି ସହିତ ଲଗେଇବାରେ ଲାଗିଲେ, ସେ ଯନ୍ତ୍ରପାତି ଙ୍କ ଅବସ୍ଥା କଣ ହେଉଥିବ? ବିଚରା ଗୁଡା ଶୁଖିଶାଖି ଖଡଖଡା ହୋଇ ଯାଉଥିବେ। କେବଳ ସେତିକି ନୁହଁ, ତାଙ୍କ ଶିଷ୍ଯ ମାନଙ୍କୁ ସେ ବାଧ୍ଯ କରୁଥାନ୍ତି ତାଙ୍କ ପରି ଆସନ କରିବା ପାଇଁ। ପେଣ୍ଡୁ ପରି ଦିଶୁଥିବା ଶିଷ୍ଯ ମାନଙ୍କ ଅବସ୍ଥା ନ କହିବା ଭଲ। କାହାର ପିନ୍ଧା ବସନ ଫାଟି ଗଲାଣି, ତ କାହାର ଜିଭ ପାଟି ବାହାରେ ଲହଲହ ହେଲାଣି। ଅଧାରୁ ଅଧିକ ଶିଷ୍ଯ ମାନଙ୍କ ବେକରେ, କାନ୍ଧରେ, ଅଣ୍ଟାରେ ପବନ ଅଟକି ଯିବାରୁ ସେ ବୋପାଲୋ ମାଆଲୋ ରଡି ଛାଡି ଶିବିର ଛାଡି ଡିଆଁ ମାରିବାରେ ଲାଗିଥିଲେ। ଅନ୍ଯ କିଛି ଶିଷ୍ଯ ଶିଷ୍ଯା ମନଯୋଗ ଦେଇ ବ୍ଯାୟାମ କରିବା ଅବସରରେ, ତାଙ୍କ ପାଖରେ ବସିଥିବା ଲୋକଙ୍କୁ କହୁଣି ରେ ଠେସା ଦେଲେଣି, ତ କିଏ ଗୋଇଠା ପରେ ଗୋଇଠା ଲଦି ଚାଲିଲେଣି।

କଳିହୁଡୀ ମାଇପି ଶିଷ୍ଯା ମାନେ ଦାନ୍ତ ରଗଡି ନାଲି ଆଖି ଦେଖେଇ ପାଟି ଚିପିଚିପି କହୁଥାନ୍ତି-- – – ଏ ଦାଢିଆ ବାବା ମଞ୍ଚ ଉପରୁ ଯାଇ ସାରୁ, ତା ପରେ ତୋ ଅବସ୍ଥା କଣ କରିବି ଦେଖିବୁ। ବାଡିଖାଇ ମୋତେ ଗୋଇଠା ମାରୁଛୁ ନାଇଁ? ଖାଲି ବାହାରକୁ ଥରେ ଚାଲ୍, ତୋ ଚୁଟି ଉପାଡି ଯଦି ଲାଣ୍ଡି କରି ନ ଦେଇଛି ମୁଁ କି ମହାନ୍ତି ଘର ବୋହୂ। ଯୋଉ ଗୋଡରେ ମୋତେ ଗୋଇଠା ମାରିଲୁ ସେଇ ଗୋଡ ଦୁଇଟା କୁ ଓପାଡି ତୋ ବେକରେ ହାର କରି ପିନ୍ଧାଇ ଦେବି।

ପେଚିଦେଇ ଯୋଗାସନ କରିବାର ବହୁ ପ୍ରୟାସ କରି ବିଫଳ ହେବା ପରେ, ତାଙ୍କ ପାଖରେ ବସିଥିବା ଜବରଦସ୍ତି ପଡାର ଅଶାନ୍ତି କେରକେଟାଙ୍କ ସହ ଦୁଖସୁଖରେ ମାତି ରହିଲେ। ବିଚରା ସୁକୁଟା କିଂକର୍ତ୍ତବ୍ଯବିମୂଢ ହୋଇ ବ୍ଯାୟାମ କରିବାକୁ ଗୋଡହାତ ଛାଟିଲା ବେଳକୁ ତାଙ୍କ ଗୋଡ ସହରର ନାମୀ ଗୁଣ୍ଡା ହୟଗ୍ରୀବ ସିଂହ ଦେହରେ ଛୁଆଁଇ ହୋଇଗଲା। ତା ପରର ଅବସ୍ଥା ଅସମ୍ଭାଳ ହୋଇଗଲା। କୁମ୍ଭାଟୁଆ ପରି ଆଖି କରି ହୟଗ୍ରୀବ ସୁକୁଟାଙ୍କ ବେକରେ ହାତ ରଖି କହିଲା

- - -- ମାଲିକେ, ଟିକେ ବାଗେଇକି ଯୋଗ ଫୋଗ କର। ନହେଲେ ତୁମ ବେଲୁନ୍ ପରି ପେଟରେ ଏମିତି ରାମପୁରୀ ଚଲେଇବି ଯେ ସବୁ ମାଲ୍ ମସଲା ଏଇ ଯାଗାରେ ହରି ଓଁ ହୋଇଯିବ। ମୋ ନାଁଆରେ ଦଶଟା ମରଡ୍ କେସ୍ ଚାଲିଛି, ତୁମକୁ ମିଶାଇଲେ ଏଗାର ହେବ।

ଏତିକି ମଧୁର ବଚନ ଶୁଣିବା ପରେ ସୁକୁଟା, କଇଁଛ ପରି ଗୋଡ ହାତ ଜାକିଜୁକି ହୋଇ ବସି ରହିଲେ ଓ ଯୋଗ ଶିବିର ସରିବା ଉତ୍ତାରୁ ପେଚିଦେଇଙ୍କ ପଛରେ ଲୁଚି ରହି ଘରକୁ ଫେରିଲେ। ଯୋଗାସନ କରି ତାଙ୍କ ଛାତି ଭିତର ଟା ଯେତିକି ଧଡଧଡ ହେଉ ନ ଥିଲା, ହୟଗ୍ରୀବ ର କଥା ଶୁଣିବା ପରେ ତା ଅପେକ୍ଷା ଶହେ ଗୁଣ ଅଧିକ ଜୋର ରେ ହେଉଥିଲା।

କିଛି ସମୟ ପରେ ତାଙ୍କୁ ବଡ ଅଣନିଶ୍ବାସୀ ଲାଗିଲା। କି ଦୁଃର୍ଭାଗ୍ଯ ତାଙ୍କର - - ! ସାରା ଜଗତ ସ୍ବପ୍ନ ରାଜ୍ଯରେ ବିଚରଣ କଲା ବେଳକୁ ସେ ପେଟ ସାଙ୍କୁଡି, ଅଣ୍ଟା କୁ ମୋଡି, ଗୋଡ କଚାଡି ବ୍ଯାୟାମ କରିବାରେ ବ୍ଯସ୍ତ। ସେତିକି ବେଳକୁ ତାଙ୍କର ଭିଷଣ ମନ ହେଲା ଟିକେ ଶବାସନ କରିବା ପାଇଁ। ସବୁ ଆସନ ମଧ୍ଯରୁ ଏହି ଆସନ ଟି ତାଙ୍କର ସବୁଠାରୁ ପ୍ରିୟ। ପେଚିଦେଇଙ୍କ ରାଉରାଉ ରାବରେ ଶବାସନ ଭଗ୍ନ ହେଲା ଓ ସେ ଆଖି ମଳି ଦେଖିଲା ବେଳକୁ ପେଚିଦେଇ ହାତରେ ଝାଡୁ ଧରି ସମ୍ମୁଖରେ ଦଣ୍ଡାୟରତା।

ଦାନ୍ତ ନିକୁଟାଇ ସୁକୁଟା କହିଲେ-- ସବୁ ଆସନ ପରେ ଏଇ ଶବାସନଟା କଲେ ଦେହଟା ତୁଳା ପରି ହାଲୁକା ହୋଇଯାଏ ଓ ବ୍ଯାୟାମର କଷ୍ଟ ଜଣା ପଡେନି। ସେଇଥି ପାଇଁ.....

- - ହଁ ମ, ତୁମ ବେହେଲ କେତେ ଦେଖିଛି। ଛଅ ଟାରୁ ଉଠି ତୁମ ଶବାସନ ଦେଖୁଛି ଆଉ ଛାତ ଉଡେଇ ଦେଲା ପରି ଘୁଙ୍ଗୁଡି ବି ଶୁଣୁଛି। ବୟସ ଆସି ପଚାଶ ଛୁଇଁଲା, ଏମିତି ପିଲାଙ୍କ ପରି ଠକୁଛ? ଏମିତି ଯଦି ଯୋଗାଭ୍ଯାସ ଚାଲିବ ତୁମ ଓଜନ ଦୁଇଶହ କୁ ଛୁଇଁବ। ସେଦିନ ଡାକ୍ତର କଣ କହିଲେ ଭୁଲି ଗଲ କି ? ତୁମ ଦେହରେ କି ରକ୍ତ ଅଛି ଯେ ତା ଚାପ ବଢି ଚାଲିଛି। ଡାକ୍ତର ପରା ତୁମ କାନେ କାନେ କହିଥିଲେ ଏମିତି ଅବସ୍ଥା ରହିଲେ ମୁଣ୍ଡ ଶିରା ଫଟାଇ ରକ୍ତ ବାହାରକୁ ଚାଲି ଆସିବ। ତା ସାଙ୍ଗକୁ ମଧୁମେହ ରୋଗ ବି ତୁମକୁ ଅଜଗର ପରି ଜାବୁଡି ଧରିଛି। ଓଜନ ନ କମେଇଲେ ତୁମର ତ କିଛି କ୍ଷତି ହେବନି, ମୋ ଜୀବନ ଟା ସର୍ବସ୍ବାନ୍ତ ହୋଇଯିବ। କେଡେ ସୁନ୍ଦର ପାଟ ଶାଢୀ ସବୁ ଆଲମାରୀ ରେ ସଢି ଯିବେ ଓ ମୋତେ ଧଳା ଲୁଗା ପିନ୍ଧି ହୀନିମାନ ହେବାକୁ ପଡିବ। ସୁନା ଗହଣା ସବୁ ଲକର ରେ ପଡିପଡି ପଚି ଯିବେ ଓ ମୁଁ ଫୁଙ୍ଗୁଳା ହାତରେ ଭାଗ୍ଯ କୁ ନିନ୍ଦୁଥିବି। ଦାଢିଆ ବାବାଙ୍କ ହିସାବ ରେ ଯୋଗବାଗ କରି ଖିଆପିଆ କୁ ଆୟତ୍ତ କଲେ ତୁମର ଅସୁବିଧା ହେବନି ବୋଲି ତୁମକୁ ଡାକ୍ତର ଚେତେଇ କହିଥିଲେ ପରା? ସେ କଥା ହେଜ ଅଛି ନା ଭୁଲି ଗଲ।

– – ତୁମ କଥା ଠିକ୍ ଯେ.....ମୁଁ ତ ସେଥି ପାଇଁ ଭୋର ଚାରି ଟାରୁ ଯୋଗ ବାଗ ଚଲେଇଛି। କିନ୍ତୁ...

– – ମୁହଁ କୁ ଲାଜ ନାହିଁ ଯାହା, ଶେଷକୁ ମୋତେ ଗାଲୁ ଭୁରୁଡି ମାାରୁଛ। ନିଜ ସୁବିଧା ଅନୁସାରେ ନୂଆ ଆସନଟେ ବାହାର କରିଛ ତୁମେ। ତା ନାମ ଟା ସୁକୁଟାସନ କାହିଁକି ରଖିଦେଉନ। ହେଇଟି, ଦଶ ଟା ବାଜିଲାଣି , ଆଜି ଅଫିସ୍ ଯିବ ନା ଆହୁରି ଶବାସନ କରିବାକୁ ମନ ଅଛି। ମୁହଁ କୁ ଛିଞ୍ଚାଡି କହିଲେ ପେଚି।

ସେଦିନ ଅଫିସ୍ ରେ ପହଞ୍ଚିବାରେ ଡେରି ହେବାରୁ ବହେ ଗାଳିମନ୍ଦ ଶୁଣିବାକୁ ପଡିଲା। ମନକୁ ଉଦାସିଆ କରି ବସି ସେ ଭାବି ଚାଲିଥିଲେ କିଛି ଦିନ ହେଲା ଘଟି ଚାଲିଥିବା ଘଟଣାବଳୀ ସବୁ।

ମକ୍ରମ ଚମ୍ପତ୍ତି ରାୟ ଏକଦା ଜଣେ ଠୁଣୁଠୁଣିଆ ସୁଦୃଶ୍ଯ ଯୁବକ ଥିଲେ ବୋଲି ଲୋକେ କୁହାକୁହି ହେବା ଆମ କାନ ରେ ପଡିଛି। ତାଙ୍କ ରୂପ ତେଣିକି ଯାହା ଥାଉ, ସରକାରୀ ଚାକିରିର ପାଣି ଦେହ ରେ ପଡିଯିବା ପରେ ତାଙ୍କ ରୂପ ଟା ଦାଉଦାଉ ହୋଇ ଜଳିବାରେ ଲାଗିଥିଲା। ସେଇ ରୂପ ରେ ଟାଣି ହୋଇ ପେଚି ଦେଇଙ୍କ ପିତାଶ୍ରୀ ତାଙ୍କ ଏକ ମାତ୍ର କନ୍ଯାକୁ ଟେକି ଦେଇଥିଲେ ମକ୍ରମଙ୍କ ହାତରେ। କହିବା ବାହୁଲ୍ଯ, ସେ ସମୟରେ ସମୁଦାୟ ଚାଳିଶି କେଜି ଓଜନ ବିଶିଷ୍ଟ ମକ୍ରମ ଙ୍କୁ ଗାଁଆରେ ସମସ୍ତେ ସୁକୁଟା ବୋଲି ଡାକୁଥିଲେ। ତାଙ୍କ ନଡନଡିଆ ରୂପ ରେ ବିମୋହିତ ହୋଇ, କେହି କେହି କାଠି, କେର୍କଣ୍ଟ,ଚମ୍ପେଇନେଉଳ, ଧେଡ, ଠେଙ୍ଗିଣୀ ଆଦି ନାମରେ ମଧ୍ଯ ନାମିତ କରିଥିଲେ। କଲେଜ୍ ଯିବା ସମୟରେ ନଳି ପ୍ଯାଣ୍ଟ ଖସି ଯିବା ଭୟରେ ସୁକୁଟା ଦୁଇ ତିନିଟି ଲୁଙ୍ଗି ପିନ୍ଧି ପ୍ଯାଣ୍ଟ ପିନ୍ଧନ୍ତି। ନିତମ୍ବ ନାମକ ଅଙ୍ଗ ତାଙ୍କ ଶରୀରରେ ବେଶ୍ କିଛି ବର୍ଷ ଯାଏଁ ବିକଶିତ ହୋଇ ପାରି ନ ଥିଲା। ଚାକିରି କଲା ପରେ ସେ ଭୋଜରାଜ ସିଂହାସନ ରେ ବସି ବିଭିନ୍ନ ଖାଦ୍ଯ ଅଖାଦ୍ଯ ଗ୍ରହଣ କରିବା ପରେ ହିଁ ସେ ଅଙ୍ଗର ବିକାଶ ଉଛୁଳା ନଦୀ ପରି ହେଲା । ବର୍ତ୍ତମାନ ସମୟରେ ତାକୁ ପ୍ଯାଣ୍ଟ ରେ ଆବଦ୍ଧ କରିବା କାଠିକର ପାଠ ହୋଇ ଗଲାଣି। କେବଳ ସେତିକି ନୁହଁ ପେଟର ଆକାର ମଧ୍ଯ ଦିନ କୁ ଦିନ ବଢି ଚାଲିଥିଲା। ଚୌକି ରେ ବସିଲା ବେଳେ ପେଟ ଟି ଟେବୁଲ୍ କୁ ଠେଲି ପକାଇବା ଚେଷ୍ଟାରେ ଅବିରତ ଲାଗି ରହୁଥିଲା। ସାର୍ଟ ବୋତାମ ସବୁ ହପ୍ତାର ଛଅ ଦିନ କାଳ ବୋପା କୁ ମଉସା ଡାକି ପେଟ କୁ ଆୟତ୍ତରେ ରଖିବାକୁ ଚେଷ୍ଟା ଚଳାଉଥିଲେ। ଛୁଟି ଦିନରେ ସୁକୁଟା ଧୋତି ଖଣ୍ଡେ ଗୁଡେଇ ହୋଇ ଘରେ ରୁହନ୍ତି। ସେଦିନ ତାଙ୍କର ଅନାବୃତ୍ତ ପେଟଟି ବାହାରକୁ ସଗର୍ବେ ଝୁଲି ରହିଥାଏ। ଛଅ ମାସ ତଳେ ଓଜନ ମାପି ଥିଲେ, ଦେଢ କ୍ବିଣ୍ଟାଲ ପାଖାପାଖି ଥିଲେ। ତା ପରଠାରୁ ଓଜନ ମାପିବାର ସାହାସ ସେ କୁଳାଇ ପାରୁ ନ ଥିଲେ। ବଢନ୍ତା ଓଜନ ପାଇଁ ନାନା ରୋଗ ବଇରାଗ ହାତ ଧରାଧରି ହୋଇ ତାଙ୍କ ଦେହ ରେ ଘର ବାନ୍ଧି ସାରିଥିଲେ। ଉଚ୍ଚ ରକ୍ତଚାପ, ମଧୁମେହ, ବାୟୁଦୋଷ, ବିଭିନ୍ନ ପ୍ରକାର ବାତ ଓ ଆଣ୍ଠୁ ଗଣ୍ଠି ପୀଡାପ୍ରଦାୟୀ ରୋଗ ରେ ସେ ଘାଣ୍ଟି ହେଉଥିଲେ। କିଛି ବାଟ ଚାଲିବା ପରେ ମଇଁଷି ପରି ଧଇଁସଇଁ ହେବା ସହିତ ନିଶ୍ବାସ ମଧ୍ଯ ନେଇ ପାରୁ ନ ଥିଲେ। ଏ ଅବସ୍ଥା ଦେଖି ଜଣେ ସାଙ୍ଗ ଦାଢିଆ ବାବାଙ୍କ ଯୋଗ ଶିବିର ତାଙ୍କ ସହର ରେ ପଡିଥିବା କଥା କହିଲା। ସେ କୁଆଡେ ଲକ୍ଷ ଲକ୍ଷ କାଠ ଗଣ୍ଡି କୁ ଦିଆସିଲି କାଠି ପରି ସରୁଆ କରି ଦେଉଥିଲେ। ପତଳା ହେବା ଆଶା ରେ ବିଚରା ଶିବିର କୁ ଯାଇଥିଲେ, କିନ୍ତୁ ହୟଗ୍ରୀବ ତାଙ୍କ ଗ୍ରୀବା ମୋଡିଦେବା ଭୟରେ ସେ ଶିବିରରୁ ନିଷ୍ଫଳ ଫେରିଲେ। ସେହି ଦାଢିଆ ବାବାଙ୍କ ଯୋଗ ପାଠ ଟେଲିଭିଜନ୍ ରେ ପ୍ରସାରିତ ହେଉଛି ଜାଣିବା ପରେ ସେ କିଛି ଦିନ ହେଲା ଘରେ ଯୋଗାଭ୍ଯାସ ଚଳାଇଥିଲେ । କିନ୍ତୁ ସବୁଦିନ ଶବାସନ କରିବା ହେତୁ, ଲାଭ ଅପେକ୍ଷା କ୍ଷତି ଅଧିକା ହେଉଥଲା। ତେଣେ ଡାକ୍ତର ଙ୍କ ଚେତାବନୀ ତାଙ୍କ ଜୀବନ ଦୁର୍ବିସହ କରି ଦେଉଥିଲା। ଏମିତି ଯଦି ଓଜନ ବଢି ଚାଲିବ, ସେ ହୃଦଘାତ ର ଶିକାର ହୋଇ ପାରନ୍ତି ବୋଲି ଜାଣିବା ପରେ, ନିଜକୁ ପତଳା କରିବାର ଚେଷ୍ଟା ସେ ବହୁଗୁଣିତ କରି ଦେଇଥିଲେ। ତାଙ୍କ ବିଶାଳ ଶରୀର କୁ ଓଲଟାଇ, ଡିଆଁଇ, ମୋଡାମୋଡି କରାଇ ବ୍ଯାୟାମ କରିବା ନିହାତି କାଠିକର ପାଠ ବୋଲି ହୃଦୟଙ୍ଗମ କରିବା ପରେ, ସେ ଫୁଁ ଫାଁ ଯୋଗାଭ୍ଯାସରେ ମନୋନିବେଶ କରିଥିଲା। କିଛି ସମୟ ଫୁଁ ଫାଁ କରି ଶବାସନ କରି ସେ ନିଘୋଡ ନିଦରେ ଶୋଇ ପଡୁଥିଲେ ଓ ପେଚି ଦେଇଙ୍କ ତାଡନା ଶୁଣି ଅଫିସ୍ ଦୌଡୁଥିଲେ। ତାଙ୍କୁ ପତଳା କରିବା ପାଇଁ ଦୃଢ ନିଶ୍ଚିତ ଥିବା ପେଚି ଦେଇ, ଘରେ କେବଳ ତେଲ,ଲୁଣ,ମସଲା ବିହୀନ ରୋଷେଇ କରୁଥିଲେ। ସମୁଦାୟ ଦିନର ଖାଦ୍ଯ କୁ ମିଶାଇଲେ ଗୋଟେ ପିମ୍ପୁଡି ର ପେଟ ପୁରିବ କି ନାହିଁ ସନ୍ଦେହ। ତଥାପି ପତଳା ହେବା ନିଶା ରେ ସୁକୁଟା କୌଣସି ମତେ ଚଳାଇ ନେଉଥିଲେ।

ଏତେ ଚେଷ୍ଟା ପରେ ମଧ୍ଯ ତାଙ୍କ ଓଜନ କମୁ ନ ଥିଲା। ଶେଷରେ ନାନା ବ୍ଯାୟାମ ସମ୍ପର୍କିତ ଯନ୍ତ୍ରପାତି କିଣି ସେ ଝଡିବାକୁ ପ୍ରୟାସ କଲେ। କିଛିଦିନ ପରେ ସେଥିରେ ଲୁଗା, ଗାମୁଛା ଶୁଖାଯିବାର ଘଟଣା ଦୃଷ୍ଟିକୁ ଆସିଲା। ପ୍ରାତଃ ଭ୍ରମଣ ପାଇଁ ଜୋତା ଓ ବାଡି ମଧ୍ଯ କିଣା ହେଲା। କିନ୍ତୁ ଜୋତା ଭିତରେ ବେଙ୍ଗ ପିଲା ପିଚିକା ଧରି ଘର ବାନ୍ଧିବା ଦେଖାଗଲା। ବାଡି ଟି ବୁଲା କୁକୁର ଓ ବିଲେଇଙ୍କୁ ଘଉଡାଇବାରେ ବେଶ୍ କାମ ଦେଲା। ଏଠାରେ କହି ରଖିବା ଯଥାର୍ଥ ହେବ ଯେ, ଏହି ସବୁ ବିଲକ୍ଷଣ ପାଇଁ ସୁକୁଟାଙ୍କର କୌଣସି ଦୋଷ ନ ଥିଲା। ଯେଉଁ ଦିନ ସେ ବ୍ଯାୟାମ ଯନ୍ତ୍ରରେ ବ୍ଯାୟାମ ଆରମ୍ଭ କଲେ, ତାଙ୍କ ବେକରେ ପବନ ଅଟକି ଗଲା। ଏମିତି ଅଟକିଲା ଯେ ପନ୍ଦରଦିନ ଯାଏଁ ସେ ସୂର୍ଯ୍ଯମୁଖୀ ଫୁଲ ସୂର୍ଯ୍ଯଙ୍କ ଆଡକୁ ଆଖି ତରାଟି ରହିବା ପରି, ଗୋଟିଏ ଦିଗ କୁ ଚାହିଁ ରହିଲେ। ଦଉଡି ଡିଆଁ ରେ ଦୁଇଥର ଡିଆଁ ମାରିବା ବେଳକୁ ଆଣ୍ଠୁ ଭାଙ୍ଗି ତଳେ ପଡିଲେ। ଖାଲି ପଡିଥିଲେ ଚଳିଥାନ୍ତା, କିନ୍ତୁ ପଡିଲା ବେଳେ ଶ୍ବଶୁରଘର ପ୍ରଦତ୍ତ ପୁରୁଣା କାଳିଆ କାରୁକାର୍ଯ୍ଯ ଖଚିତ ମାଟି ସୁରେଇ ଉପରେ ପଡିଲେ। ପେଚିଦେଇ ଆଖିରୁ ଅଶୃବର୍ଷା କରି ଭଙ୍ଗା ସୁରେଇର ଖପରା ଗୋଟାଇବା ଅବସରରେ ସୁକୁଟାଙ୍କ ମୁଣ୍ଡରେ କେତୋଟି ସୁଦୃଶ୍ଯ ପେଣ୍ଡୁ ଜନ୍ମ କରାଇବା ସହିତ ଆଖି ଚାରିପଟ କୁ କଲାଜାମୁଳା କରି ପକାଇଥିଲେ। ଅବଶ୍ଯ ଅଚାନକ ଅତିଥିଙ୍କ ଆଗମନ ହେତୁ ସେ ସୁକୁଟାଙ୍କ ପିଠିରେ ଦୁଇଟି ଝାଡୁ ଭାଙ୍ଗି ପାରିଥିଲେ, ନୋହିଲେ ସେଦିନ ଖଡିକା,ପାତିଆ,ଚଟୁ,ଡଙ୍କି ମାନଙ୍କର ହସ୍ତାକ୍ଷର ତାଙ୍କ ପିଠିରେ ନିହାତି ହୋଇ ଥାନ୍ତା। ପରିସ୍ଥିତି ର ଗମ୍ଭୀରତା କୁ ଶୁଙ୍ଘିଦେଇ ଅତିଥି ସୁକୁଟାଙ୍କ କାନରେ କିଛି ଫୁସଫୁସ କରି କହିଲେ ଓ ସେ ବେଶ୍ ଉଲ୍ଲସିତ ହୋଇଗଲେ। ସେ ଗୁପ୍ତ କଥାଟି ଆପଣ ମାନଙ୍କ ଗୋଚରାର୍ଥେ ଜଣାଉଛି।

ଅତିଥି କହିଲେ-- ଓଜନ କମାଇବା ପାଇଁ ଏମିତି ହନ୍ତସନ୍ତ ହେବା ଅପେକ୍ଷା ଥରେ ହଗ୍ରମ୍ ବାବାଙ୍କୁ ସାକ୍ଷାତ କରିନେଲେ ଉତ୍ତମ ହେବ। ତାଙ୍କୁ ଖୁବ୍ କମ୍ ଲୋକ ଜାଣିଛନ୍ତି, କିନ୍ତୁ ତାଙ୍କ ପାଖରେ ମେଦହ୍ରାସ କରିବାର ଅମୋଘ ଅସ୍ତ୍ର ଅଛି।

ବାବାଙ୍କ ନାମକରଣ ବିଷୟରେ ଅନିସନ୍ଧିତ୍ସୁ ହୋଇ ସୁକୁଟା ପଚାରିବାରୁ ଅତିଥି ଟିକେ ବିରକ୍ତ ହୋଇ କହିଲେ-- ଆପଣ ପିଠା ଖାଇବା ଲୋକ, ବିନ୍ଧ କାହିଁକି ଗଣୁଛନ୍ତି?

କିଛିଦିନ ପରେ ଅତିଥି ସୁକୁଟାଙ୍କୁ ହଗ୍ରମ୍ ବାବାଙ୍କ ଦୁଆରେ ଛାଡିଦେଇ ଚମ୍ପଟ ମାରିଲେ। ପାଦ ଘୋଷାରି ସେ ଭିତରକୁ ଯାଇ ଦେଖିଲେ ବାବା ଓ ଚେଲା କିଛି ଗୋଟାଏ ଗମ୍ଭୀର ଆଲୋଚନା ରେ ବ୍ଯସ୍ତ ଥିଲେ। ତାଙ୍କୁ ଦେଖି ସହାସ୍ଯ ବଦନ ରେ ପାଛୋଟି ନେଇ କହିଲେ-- ମୋର ଭକ୍ତ ଟେଙ୍କାରୁ ପଣ୍ଡା ଆପଣଙ୍କ ସମସ୍ଯା ବିଷୟରେ ମୋତେ ସବିଶେଷ ତଥ୍ଯ ଦେଇଛନ୍ତି।ଏକ ସାନ ବୋତଲରେ କିଛି ତରଳ ପଦାର୍ଥ ତାଙ୍କ ହାତ କୁ ବଢାଇ ଦେଇ ପୁଣି କହିଲେ- - - ବତ୍ସ୍ଯ, ପ୍ରଭୁ ଙ୍କୁ କୃପାରୁ ମୁଁ କେତେ ହିମାଳୟ ପର୍ବତଙ୍କୁ ଇଟା କରି ପକାଇଛି ତାହାର ହିସାବ ନାହିଁ। ବୋତଲ ଭିତରେ ଥିବା ପଦାର୍ଥଟି ତୁମ ମୋଟାପା କମାଇବା ପାଇଁ ଏକ ଅବ୍ଯର୍ଥ ଓୌଷଧ। ମୁଁ ଚାଳିଶି ବର୍ଷ କାଳ ଘୋର ତପସ୍ଯା କରି ଏ ପଦାର୍ଥ ହାସଲ କରିଛି। ଅବଶ୍ଯ ଓୌଷଧର ଦାମ୍ ଟିକିଏ ଅଧିକା, କିନ୍ତୁ ସେତିକି ଦାମ୍ ତୁମ ପରି ଥିଲାବାଲା ଲୋକଙ୍କ ହାତର ମଳି ସହ ସମାନ୍। କେବଳ ଗୋଟିଏ କଥା ମନେ ରଖିବ, ଏ ଓୌଷଧ ସେବନ କରିବା ସମୟରେ ଡାକ୍ତର ଙ୍କ ପାଖକୁ କଦାପି ଯିବ ନାହିଁ। ନୋହିଲେ ସେମାନେ କିଛି ଏଲୋପାଥିକ ଓୌଷଧ ଦେଲେ ମୋ ଓୌଷଧ ଭୀଷଣ କ୍ଷୁବ୍ଧ ହୋଇ ବିସ୍ଫୋରଣ କରିଦେବ। ତୁମ ଜୀବନ ଟି ଅଯଥାରେ ବିପଦରେ ପଡିଯିବ। ମୋ ଓୌଷଧ ସେବନ କରିବା ପରେ ଦେହର ଚର୍ବି ମହମ ପରି ତରଳି ଶରୀରରୁ ନିଷ୍କାସିତ ହୋଇଯିବ। କିନ୍ତୁ ମନେରଖ ବତ୍ସ୍ଯ ଦିନକୁ ଡଜନେ କଞ୍ଚା ଅଣ୍ଡା ଖାଇବାକୁ ହେବ। ଅଣ୍ଡା ଫଟେଇ ଗିଲାସ ରେ ଢାଳି ଆଖି କାନ ବନ୍ଦ କରି ଢୋକି ଦେବ, ଅରୁଚି ଲାଗିଲେ ମୋ ନାମ ଜପ କରି ଚାଲିବ। ଅଣ୍ଡା ସେବନ କରି ସାରିବା ପରେ ଗରମ ପାଣିର ପଟି ପେଟ ଉପରେ କିଛି ସମୟ ଦେବାକୁ ହେବ ଓ କମ୍ବଳ ଘୋଡାଇ କିଛି ସମୟ ରହିଯିବ। ତା ପରେ ଯାହା ସବୁ ହେବ ନିଜେ ଅନୁଭବ କରିବ ଓ ମୋତେ ମନେ ପକାଉଥିବ। ସାତ ଦିନ ଭିତରେ ତୁମ ଶରୀର ର ପରିବର୍ତ୍ତନ ଦେଖି ନିଜେ ଯଦି ଆଚମ୍ବିତ ନ ହୋଇଯିବ, ମୋ ନାମ ବଦଳାଇ ହଗ୍ରମ ବାବାରୁ ଠଗ୍ରମ୍ ବାବା ରଖି ଦେଲେ ମୋର ଆପତ୍ତି ରହିବନି।

ହଗ୍ରମ ବାବାଙ୍କ ଚେଲା ହାତରେ ପନ୍ଦର ହଜାର ଟଙ୍କା ଧରାଇ ଅତି ଆନନ୍ଦରେ ଓୌଷଧ ନେଇ ସେ ଘରକୁ ଫେରିଲେ। ସାଙ୍ଗରେ ଅଣ୍ଡା ପେଟିଏ ଓ ଗୋଟିଏ ନୂଆ କମ୍ବଳ। କମ୍ବଳ ଦେଖି ପେଚିଦେଇ ଚିହିଁକି ଉଠି କହିଲେ-- କିହୋ ତୁମ ମୁଣ୍ଡରେ ଶାଗୁଣା ପର ଝାଡିଛି ନା କଣ ଯେ? ଏ ଗରମ ଦିନରେ କମ୍ବଳ ଘେନି କୁଆଡେ ଆସିଛ। ପୁଣି ଏ ଅଣ୍ଡା ଆଣିବାକୁ ତୁମକୁ କିଏ କହିଲା? ତୁମେ କଣ ଖାଇବ ସେ କଥା ମୁଁ ନିଷ୍ପତ୍ତି ନେବି, ମୋତେ ନ ପଚାରି ଅଣ୍ଡା କଣ ପାଇଁ ଆଣିଲ ଆଗ କୁହ।

ସୁକୁଟା ସମଗ୍ର ବିଷୟ ବିସ୍ତାରିତ କରି ବୁଝାଇବା ପରେ ପେଚି ଦେଇ ଶାନ୍ତ ହେଲେ। ଅଭିମାନ ମଧ୍ଯ କଲେ ଯେ କାହିଁକି ତାଙ୍କୁ ବାବାଙ୍କ ସାକ୍ଷାତ କରାଇଲେ ନାହିଁ। ପତଳା ହେବାର ସବୁ କିଛି ବ୍ଯବସ୍ଥା ସରିଥିଲା। ଶୋଇବା ଘରେ ଗରମ ପାଣି ବାଲଟି ମଧ୍ଯ ରଖାଗଲା, ପେଟରେ ସେକ ଦେବା ପାଇଁ। ସୁକୁଟା ଭାବିଲେ ସେଦିନ ରାତିରେ ହିଁ ଓୌଷଧ ସେବନ ଆରମ୍ଭ କରିଦେବେ। ତାଙ୍କ ମନଟା ଛକପକ ହେଉଥାଏ ପତଳା ହେବା ପାଇଁ। ସେ ପତଳା ହେଲେ କେମିତି ଦିଶିବେ, ଅଫିସ୍ ଲୋକେ ତାଙ୍କୁ ଦେଖି କେମିତି ମାଟି କାମୁଡି ପଡିବେ, ଟାହି ଟାପରା କରୁଥିବା ଲୋକ ଙ୍କ ମୁହଁ କେମିତି ବିରୁଡି ବିନ୍ଧିଲା ପରି ଦିଶିବ ଓ ସେ କେମିତି ନୂଆ ଜାମା ପ୍ଯାଣ୍ଟ୍ ପିନ୍ଧି ହିରୋ ମାର୍କା ବୁଲିବେ, ସେ କଥା ଭାବି ମନ ଭିତରଟା ରୋମାଞ୍ଚିତ ହୋଇ ଉଠୁଥାଏ। ପେଚି ଦେଇ ବିଛଣା ଧରିବା ପରେ ସେ ନିଜ ଚିକିତ୍ସା ଆରମ୍ଭ କରିଦେଲେ। ଗୋଟିଏ ବଡ କଂସା ରେ ଡଜନେ ଅଣ୍ଡା ବାଡେଇ ସେଥିରେ ଟିକେ ଲୁଣ ପକେଇ ଆଖି କାନ ବନ୍ଦ କରି ପିଇ ଚାଲିଲେ। ଆଇଁଷିଆ ଗନ୍ଧରେ ବାନ୍ତି ଉଠାଇ ଆସୁଥିଲା , କିନ୍ତୁ ମନେ ମନେ ହଗ୍ରମ୍ ବାବାଙ୍କୁ ସ୍ମରଣ କରି ସେ ନୀଳକଣ୍ଠ ଗରଳ ପିଇବା ପରି ଅଣ୍ଡା ତକ ଢୋକି ଦେଲେ। କିଛି ସମୟ ଉତ୍ତାରୁ ଓୌଷଧ ବୋତଲ ଖୋଲି ଭାବିଲେ - - ସାତ ଦିନ ଅପେକ୍ଷା କରିବା ବଡ କଷ୍ଟକର ହେବ। ଏବେ ଅଧା ବୋତଲ ଓୌଷଧ ଟେକି ଦେଲେ ସକାଳ କୁ କିଛି ଓଜନ ନିହାତି କମି ଯାଇଥିବ। ବୋତଲ ସରିଗଲେ ଆଉ ଆସିବ, ସେଥିପାଇଁ ପରବାୟ ନାହିଁ। ଭାବନା ସରିବା ବେଳକୁ ଅଧା ବୋତଲ ଓୌଷଧ କୁ ସୁକୁଟା ଉଦରସ୍ଥ କରି ସାରିଥିଲେ। କିଛି ସମୟ ପେଟରେ ଗରମ କପଡାର ସେକ ଦେଇ,, ଆପାଦମସ୍ତକ କମ୍ବଳ ଘୋଡି ସେ ଶୋଇଗଲେ।

ଦଶ ମିନିଟ୍ ଉତ୍ତାରୁ ପେଟ ଭିତରେ ଘୂଡୁଘୁଡୁ, ଖୁଟୁଖୁଟୁ, ପିଁ ପିଁ, କୁଁ କୁଁ, ଟ୍ଯଁ ଟ୍ଯଁ ଆଔ୍ବାଜ୍ ଶୁଭିଲା। ସେ ନିଶ୍ଚିତ ହୋଇଗଲେ ଯେ ଚର୍ବି ତରଳିବା କାମ ଆରମ୍ଭ ହୋଇଗଲା। ବେଳ କୁ ବେଳ ପେଟ ଭିତରେ ଶୁଭୁଥିବା ଶବ୍ଦ ସବୁ ପ୍ରଚଣ୍ଡତର ହେଲା ଓ ପେଟ ଟି ମୋଡି ହେଲାପରି ଲାଗିଲା। ଓୌଷଧ ସେବନ ରେ କିଛି ଅନୁଲୋମ ବିଲୋମ ହୋଇଛି ଭାବି ସେ ବାକି ଓୌଷଧ କୁ ଢୋକି ଦେଇ ପେଟରେ ପୁଣି ଗରମ ପାଣି ସେକ ଦେଇ କମ୍ବଳ ଢାଙ୍କି ଦେଲେ। ହଠାତ୍ ଏକ ବିରାଟ ହେଉଡି ପାଟି ମେଲା କରି ଜବରଦସ୍ତି ବାହାରକୁ ଡେଇଁ ପଡିଲା। ଓଃ କି ଆଇଁସିଣିଷା ଗନ୍ଧ ସେ ହେଉଡି ର। ସୁକୁଟା ନାକରେ ହାତ ରଖି ଦେଲେ। କେଇ ସେକେଣ୍ଡ ପରେ ପଛ ପଟରୁ ଏକ ବିରାଟ ହେଉଡି ବାହାରି ଖଟ କୁ କମ୍ପମାନ କରିଦେଲା। ତାହା ଏତେ ଦୁର୍ଗନ୍ଧଯୁକ୍ତ ଥିଲା ଯେ ଘରେ କାଁ ଭାଁ ଉଡୁଥିବା ମଶା ମାନେ ଅଚେତ୍ ହୋଇ ତଳେ ପଡିଗଲେ। ଏଥର ପାଟିରୁ ଓ ପଛ ପଟରୁ ମିଳିତ ଭାବରେ ହେଉଡି ମାନେ କିଳିକିଳା ରାବ ଦେଇ ବାହାରିବାକୁ ଲାଗିଲେ। ସତେ କି ରେଳ ଇଞ୍ଜିନ୍ ରୁ ଧୂଆଁ ବାହାରୁଛି। କେଇ ମିନିଟ୍ ଭିତରେ ଘର ଭିତରଟା ଦୁର୍ଗନ୍ଧିଆ ବାୟୁରେ ଫାଟି ପଡିବା ପରି ଲାଗିଲା।

ଘୋରଘର୍ଘର ନାଦରେ ଅତିଷ୍ଠ ହୋଇ ପେଚିଦେଇ ଆଖି ଖୋଲିଲା ବେଳକୁ ଘରର ଅବସ୍ଥା ଦେଖି ଚେତା ବୁଡିଗଲେ। ସୁକୁଟା ଙ୍କ ଅଠେଇଶି ପୁରୁଷ ଉଦ୍ଧାର କରି କହିଲେ-- କିଓ ମଇଁଷି ମଢ ଖାଇ ଆସିଛ ନା କଣ, କି ଗନ୍ଧ....ତାଙ୍କ କଥା ସମ୍ପୂର୍ଣ୍ଣ କରିବା ପୂର୍ବରୁ ବାନ୍ତି ଲାଗିବାରୁ ସେ ଗାଧୁଆ ଘରକୁ ଦୌଡିଲେ। ସେତେବେଳକୁ ସୁକୁଟା ପିନ୍ଧା ବସନରେ କିଛି ଉଷୁମ୍ ତରଳ ପଦାର୍ଥ ନିସୃତ ହେବାର ଅନୁଭବ କରି ପରୀକ୍ଷା କରି ଦେଖିଲା ବେଳକୁ ତାଙ୍କ ଧୋତିଟି ପୀତ ବର୍ଣ୍ଣ ଧାରଣ କରି ସାରିଥିଲା। ବିଳମ୍ବ ନ କରି ସେ ଗାଧୁଆ ଘରୁ ପେଚି ଦେଇଙ୍କୁ ଅଧାବାନ୍ତିଆ ଅବସ୍ଥାରେ ଟାଣି ଆଣି କବାଟ ଦେଇ ପଶିଗଲେ। ଖରକା ଖୋଲି ଧୂପ ଲଗେଇଲା ବେଳକୁ ପେଚିଦେଇଙ୍କୁ ଶୁଭିଲା ସୁକୁଟାଙ୍କ କରୁଣ ଆର୍ତ୍ତନାଦ।

– – ମରିଗଲି ଲୋ ମାଆ, ମୋ ପେଟ କଣ ହେଇ ଯାଉଛି। ମୁଁ ଝାଡାବାନ୍ତି ରେ ପଡିଗଲି ଲୋ ମାଆ.. ମୋତେ ବାଡି ଠାକୁରାଣୀ ଗ୍ରାସ କରି ହଇଜା କରେଇ ଦେଲେ ଲୋ ପେଚି। ମୋତେ ରକ୍ଷା କର।

କିଛି ଗୋଟେ ଅସୁବିଧା ହୋଇଛି ମନେ କରି ପେଚି ଦେଇ ଇତଃସ୍ତତଃ ଚାହିଁଲା ବେଳକୁ ଦେଖିଲେ, ଡଜନେ ଅଣ୍ଡାର ଖୋଳପା, ଖାଲି ଓୌଷଧ ଶିଶି ଓ ପୀତବର୍ଣ୍ଣୀ ବିଛଣା।

କବାଟ ଭାଙ୍ଗି ସୁକୁଟାଙ୍କୁ ଗାଧୁଆ ଘରୁ ଉଦ୍ଧାର କରାଗଲା। ଗାଧୁଆଘରେ ସେ ଝାଡା ଓ ବାନ୍ତିର ସମୁଦ୍ରରେ ନିର୍ବସ୍ତ୍ର ହୋଇ ପହଁରୁଥିବା ଅବସ୍ଥାରେ ପାୟାଗଲେ। କବାଟ ଭାଙ୍ଗିଥିବା ପଡୋଶୀ ଦୁଆର ପାଖରେ ଚେତା ବୁଡି ପଡିଗଲେ ଓ ତାଙ୍କ ଘର ଲୋକ ତାଙ୍କୁ ଟେକିନେଇ ଘରକୁ ଦୌଡି ପଳାଇଲେ। ଏତେ ତୀବ୍ର ଦୁର୍ଗନ୍ଧରେ ବୁଢିଆଣୀ,ଅସରପା, ଝିଟିପିଟି ଜାତୀୟ କ୍ଷୁଦ୍ର ଜୀବ ମାନେ ତଳେ ପଡି ସୁକୁସୁକୁ ହେଉଥିଲେ। ଆମ୍ବୁଲାନସ୍ ରେ ସୁକୁଟା ଡାକ୍ତରଖାନା କୁ ବୁହା ହୋଇଗଲେ। ମେହେନ୍ତର ମାନେ ତାଙ୍କୁ ଟେକି ନେବା ପାଇଁ ପ୍ରଥମେ ଅମଙ୍ଗ ହେଲେ, ମାତ୍ର ଜଣ ପିଛା ହଜାରେ ଟଙ୍କା ଦେବାରୁ ମୁହଁରେ ଗାମୁଛା ଭିଡି ସେ ସୁକୁଟା ଙ୍କୁ ଅଖାବସ୍ତା ପରି ଘୋଷାରି ନେଲେ। ଡାକ୍ତରଖାନା ରେ ସାଲାଇନ ଗେଞା ଖାଇ ସୁକୁଟା ପାଖାପାଖି ମାସେ କାଳ ରହିଲେ । କିଛି ଦିନ ଅଚେତ ରହିବା ପରେ ତାଙ୍କ ଚେତା ଫେରିଲା। ଡାକ୍ତରୀ ଅନୁସନ୍ଧାନରୁ ଜଣା ପଡିଲା ଯେ ଓୌଷଧ ବୋତଲରେ ଘୋଡା ପାଇଁ ଦିଆ ଯାଉଥିବା ଜୁଲାପ ଥିଲା, ଯାହାକୁ ହଗ୍ରମ୍ ବାବା ପନ୍ଦର ହଜାର ଟଙ୍କାରେ ସୁକୁଟା ଙ୍କୁ ଚୂନ ମାରି ଦେଇଥିଲା। ଏକା ଥରକେ ଡଜନେ କଞ୍ଚାଅଣ୍ଡା ଖାଇବା, ପେଟରେ ଗରମ ପାଣି ସେକ ଦେବା ଓ କମ୍ବଳ ଘୋଡି ଶୋଇବା ଫଳରେ ପେଟ ଭୀଷଣ ଗରମ ହୋଇ ଏପରି ଅବସ୍ଥା ହୋଇଥିଲା। ଶେଷରେ ସୁକୁଟାଙ୍କର ଯାହା ହେଲା ସାରା ଜଗତ ଜାଣିଲା ଓ ଶୁଙ୍ଘିଲା।

ମାସେ ପରେ ଘରକୁ ଫେରିଲେ ସୁକୁଟା। ସେତେବେଳକୁ ଦେହରେ ବଳ ନ ଥିଲା କି ମୁଣ୍ଡରେ ବାଳ ନ ଥିଲା। ଆଖି ଦୁଇଟା କୋଟରଗତ ହେବା ସାଙ୍ଗକୁ ଗାଲର ହାଡ ଦିଶୁଥିଲା। ପେଟ ନାମକ ଚିଜଟି ଅଦୃଶ୍ଯ ଥିଲା କହିଲେ ଚଳିବ। ହାତ ଗୋଡ ସବୁ ବାଉଁଶ ଡାଙ୍ଗ ପରି ଦୃଶ୍ଯ ହେଉଥିଲେ। ସେତିକି ଦିନରେ ତାଙ୍କ ଶରୀର ର ଓଜନ ଆଶାତୀତ ଭାବରେ କମି ଯାଇଥିଲା ଓ ଭୟଙ୍କର ଦୁର୍ବଳତା ହେତୁ ସେ ଭଲରେ କଥା ମଧ୍ଯ କହି ପାରୁ ନ ଥିଲେ।

ହଗ୍ରମ ବାବାଙ୍କ ଠିକଣା ଦେଇଥିବା ଅତିଥି ତାଙ୍କୁ ଦେଖିବାକୁ ଆସି କହିଲେ-- ହାଃ ହାଃ ହାଃ , କେମିତି ଅଛନ୍ତି ଆଜ୍ଞା। ଏବେ ପୁରା ସୁସ୍ଥ ତ? କିନ୍ତୁ ହଗ୍ରମ୍ ବାବା ଏତେ ଠକ ବୋଲି ମୁଁ ଜାଣି ନ ଥିଲି। ଓୌଷଧ ନାଁଆରେ ଲୋକଙ୍କୁ ଘୋଡା ଜୁଲାପ ଦେଇ ଭଣ୍ଡାଉଥିଲା । ଭଲ ହେଲା, କିଛି ଦିନ ହେଲା ସେ କୁଆଡେ ଉଭାନ୍ ହୋଇ ଯାଇଛି। କିନ୍ତୁ ଗୋଟେ କଥା ମାନିବାକୁ ପଡିବ, ତା ଓୌଷଧ ଖାଇ ଆପଣଙ୍କ ଓଜନ ଟା ଏକଦମ୍ କମି ଗଲା। ବେଲୁନ୍ ରୁ ପବନ ଚାଲିଗଲେ ଯେମିତି ଦିଶେ ଏବେ ଆପଣ ଠିକ୍ ସେମିତି ଦେଖା ଯାଉଛନ୍ତି। ଏ ଅବସ୍ଥାରେ ଆପଣଙ୍କୁ ନୂଆ ଦେଖିବା ଲୋକ ଭାବିବା ପାଳଭୂତ ବସିଛି। ସେଥିପାଇଁ ଆପଣ ମୋତେ ଧନ୍ଯବାଦ୍ ଦେବା କଥା। ହାଃ ହାଃ ହାଃ

ସୁକୁଟା ଘର ସାରା ନଜର ବୁଲାଇ ଗୋଟେ ଠେଙ୍ଗିଣୀ ବାଡି ଖୋଜୁଥିଲେ। ଅତିଥି ମହାଶୟଙ୍କୁ ତଳେ ପକେଇ ପାଞ୍ଚହାତିଆ ଠେଙ୍ଗିଣୀରେ ବହେ ଛେଚିଦେବା ପାଇଁ ତାଙ୍କ ଇଚ୍ଛା ପ୍ରବଳତର ହେଉଥିଲା। ମନରେ ପିଲା ଦିନରୁ ଶିଖିଥିବା ଯାବତୀୟ ଗାଳି ଉବୁଟୁବୁ ହେଉଥିଲେ ବି ତାଙ୍କ ପାଖରେ ପାଟି ଖୋଲି ଗାଳି ଦେବାର ଶକ୍ତି ନ ଥିଲା। କେବଳ ଦାନ୍ତ କଡମଡ କରି ସେ ଅତିଥି ଙ୍କ ଆଡକୁ ଚାହିଁ ରହିଥିଲେ। ଏତେ ସବୁ ଘଟଣା ପରେ ସେ ବାବାର ନାମ କାହିଁକି ହଗ୍ରମ୍ ବାବା ହୋଇଛିି ସେ ଭଲରେ ବୁଝି ପାରିଥିଲେ। ସେ ମନସ୍ଥ କରି ସାରିଥିଲେ ଯେ ଓଜନ କମାଇବା ପାଇଁ ସେ ସୁକୁଟାସନ କୁ ଆଜୀବନ ଆବୋରି ଧରିବେ ସିନା, କିନ୍ତୁ ଏ ଭଣ୍ଡ ବାବା ମାନଙ୍କ ହାବୁଡରେ ଆଉ କେବେ ପଡିବେନି।

**************


Rate this content
Log in

Similar oriya story from Comedy