ରୂପାନ୍ତର
ରୂପାନ୍ତର
ସମ୍ପର୍କ ମାନେ ସବୁବେଳେ ନିର୍ଦ୍ଦିଷ୍ଟ ଦିଗବଳୟରେ ଆବଦ୍ଧ ନୁହଁନ୍ତି । ଦିଗବଳୟ ସେ ପାଖେ ବି ପ୍ରତିକ୍ଷା କରୁଥାଏ ସମ୍ଭାବନା !
"ରୁଚି ନାନୀ ତୁ ଏମିତି କାହିଁକି କଲୁ ଯେ , ଯା' ତୋ ଉପରେ ମୁଁ ରାଗିଛି !".....
ଫୋନ୍ ରେ ଥିଲା ଛୁଆ ଭାଇ । ଅଝଟ କରୁଥିଲା ରୁଚି ସହ , କିନ୍ତୁ ରୁଚି ଥିଲା ନିରୁପାୟ।
******
ସୁନ୍ଦରୀ ଛୋଟ ଝିଅଟେ ଜିଦ୍ କରୁଥାଏ କାର୍ଟୁନ ରାକ୍ଷୀ ଲାଗି।ଆମୋଦିତ ହେଲା ରୁଚି ସେଇ ଝିଅକୁ ଦେଖି । ନିଜ ଭିତରେ ଥିଲା ସେଇ ଝିଅର ପ୍ରତିଫଳନ।
ଖୁବ୍ ଛୋଟ ଥିଲା ଯେବେ ରୁଚି ଗୋଟେ ଭାଇ ଲାଗି ସବୁବେଳେ ବ୍ୟାକୁଳ ହେଉଥିଲା । ଆଉ ନିଜ ଠାରୁ ଦଶ ବର୍ଷ ସାନ ଛୁଆ ଭାଇ ଆସିବା ପରେ କୋଟିନିଧି ମିଳି ଗଲା ତାକୁ । ସେବେଠୁ ରାକ୍ଷୀ ଦିନଟିକୁ କେବେ ମିସ୍ କରିନି ସେ ଆଜି ଯାଏଁ।କିନ୍ତୁ ଏଥର ସବୁକିଛି ବ୍ୟତିକ୍ରମ!
********
ବିନି ସହ ମାର୍କେଟରେ ବୁଲୁ ଥିଲା ସମୟରେ ଫୋନ୍ ରେ ଭଲରେ କଥା ହେଇ ପାରିଲା ନାହିଁ ଭାଇ ସହ। ମନ ଉଦାସ ହେଇଗଲା। ସେଇ ପ୍ରତିକ୍ଷୀତ ମୁହୂର୍ତ୍ତ ଆସିଯିବ କାଲି ହେଲେ ସେ ଭାଇଠୁ ଦୂରରେ ଜୀବନରେ ପ୍ରଥମ ଥର , ଓଃ !
*****
ସାରା ମାର୍କେଟରେ ରଙ୍ଗର ପସରା ମେଲେଇ ବସିଛି କେତେ ରୂପରେ ଭାଇ ପାଇଁ ପ୍ରିତୀ ସ୍ଵାକ୍ଷର।ସବୁଠି ଆଖି ଲାଗିଗଲା ପରି ଭିଡ଼ ଭଉଣୀ ମାନଙ୍କର।
କେହି କଣ ରାକ୍ଷୀ ସେମିତି ବାନ୍ଧି ଦିଏ , ମିଠା ବିନା ? କେବେ ନୁହେଁ। ଡେରିମିଳ୍କ ଫାମିଲି ପ୍ୟାକ ସବୁଠୁ ପସନ୍ଦ ଭାଇର। ହେଲେ ଏଠି ଦିଲ୍ଲୀ ସହରରେ ମିଠାର ସମାରୋହ କେତେ ରୂପ କେତେ ବାସ୍ନା ଆଉ ଲୋଭନୀୟ ପ୍ୟାକେଟ ଭିତରେ। ସବୁଠି ରାକ୍ଷୀର ରାଜୁତି।
********
ରାକ୍ଷୀର ସପ୍ତାହେ ଆଗରୁ ରୁଚି ଘରେ ଯାଇ ପହଂଚି ଭାଇକୁ ଦେଇଦେଲା ସୁନ୍ଦର ଗୋଟେ ଗିଫ୍ଟ ପ୍ୟାକ
ଭାଇ ଯେବେ ଖୋଲିଲା ସେଥିରେ ଥିଲା ରାକ୍ଷୀ।
"ଆଜି ତୁ ନେଇକି ଆସିଲୁ ରାକ୍ଷୀ କାହିଁକି? " ଛୁଆ ଭାଇ ଆଖିରେ ଅଶ୍ୱର୍ଯ୍ୟ!
"ମୁଁ ଦିଲ୍ଲୀ ଯାଉଛି ଟ୍ରେନିଂରେ ନଥିବି ରେ ରାକ୍ଷୀରେ" ଉଦାସ ଥିଲା ରୁଚିର ସ୍ୱର। କିନ୍ତୁ କଣ କରିବ ସରକାର ଡାକିଛନ୍ତି ଯେବେ।
*******
ମାର୍କେଟରୁ କିଣିନେଲା ରୁଚି ସୁନ୍ଦର ରାକ୍ଷୀଟେ ଆଉ ଦିଲ୍ଲୀ ଲଡୁର ପ୍ୟାକେଟ। ସାଥିରେ ଆସିଥିବା ବିନି ପଚାରିଲା ଅଶ୍ୱର୍ଯ୍ୟରେ "ଅପା ଏଠି ଏସବୁ କଣ କିଣିଲେ ? କାହା ପାଇଁ?"
ରୁଚି କହିଲା ," ଭାଇ ପାଇଁ ,କେବଳ ସେଇ ସମ୍ପର୍କ ତ ବନ୍ଧା ଏଇ ଡୋରୀ ରେ।"
ଗେଷ୍ଟ ହାଉସରେ ପହଂଚିବାରେ ଟିକେ ବିଳମ୍ବ ହେଇଯାଇଥିଲା ବୁଲୁ ବୁଲୁ।ମୋବାଇଲରେ ଗୋଟିଏ ଅଜଣା ନମ୍ବରରୁ କଲ୍ ଦେଖି ରୁଚି କଥା ହେଲା। ଗେଷ୍ଟ ହାଉସର ସେଇ ଆଟେଣ୍ଡାଣ୍ଟ ପିଲା ନନ୍ଦନ କହିଲା , " ଅପା ଶୀଘ୍ର ଆସ ଖାଇବା ସରିଯିବ, ମୁଁ ଅପେକ୍ଷା କରିଛି ଯେ !"
ସେ ସ୍ୱର ଯେମିତି ଠିକ ଛୁଆ ଭାଇର ସ୍ୱରର ରୂପାନ୍ତରଣ ଥିଲା । ସେଥିରେ ଥିଲା ଠିକ ସେମିତି ଆବେଗର ସ୍ପର୍ଶ।
ରୁଚିର ରାକ୍ଷୀ ଲାଗି ନୂଆ ଠିକଣାଟେ ମିଳିଗଲା।
ସୌମ୍ୟା