Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବ୍ୟବଧାନ
ବ୍ୟବଧାନ
★★★★★

© SIPRA NAMTA

Drama Tragedy

5 Minutes   7.1K    18


Content Ranking

ସିପ୍ରା ନାମତା (ନମ୍ରତା )

ବାରନ୍ଦାରେ ବସି ବସି ମୋହନ ବାବୁ ଚାହିଁଥାନ୍ତି ତାଙ୍କ ଅଗଣାର ବଉଳରେ ଝାଙ୍କି ହୋଇ ପଡ଼ିଥିବା ଆମ୍ବଗଛଟିକୁ । ଈଷତ

ପୀତ ଧବଳ ବର୍ଣ୍ଣର ବକୁଳ ସହିତ ସବୁଜ ପତ୍ରର ସମନ୍ୱୟ ତାଙ୍କ ପତ୍ନୀ ରାଧିକା ପରିଧାନ କରୁଥିବା ବସ୍ତ୍ରର ଭ୍ରମ ସୃଷ୍ଟି କରୁଥିଲା ତାଙ୍କୁ । ଉଦିତ ସୂର୍ଯ୍ୟର କଅଁଳ ରଶ୍ମୀରେ କେମିତି ଚିକ ଚିକ କରୁଛି । ଧୀରେ ଧୀରେ ଆସି ସେ ଗଛମୂଳେ ଠିଆ ହୋଇ ହାତ ପାଆନ୍ତା ଶାଖା ପତ୍ରଟିକୁ ସ୍ପର୍ଶ କଲେ । ରାତିର ଶିଶିର ପଡି ସାମାନ୍ୟ ଆର୍ଦ୍ର ଲାଗୁଛି ହାତକୁ । ସୁନାମୁଖୀ ହଳଦୀ ଗାରୁ ଗାରୁ ହଳଦୀବସନ୍ତଟି ପଲ୍ଲବିତ ବଉଳ ଶାଖା ମଧ୍ୟରେ ଡେଇଁ ବୁଲୁଛି । କେତେ ନିଡ଼ ଗଢି ଉଠେ ଏଇ ଗଛରେ । ଶାବକଙ୍କ କିଚିରି ମିଚିରି ଶବ୍ଦରେ ପୂର୍ଣ୍ଣ ହୁଏ ତାଙ୍କ ଅଗଣା । ପୁଣି ସେଇ ଶାବକଙ୍କ ପକ୍ଷ ଗଜୁରେ, ଉଡା ଶିଖିବା ପରେ କିନ୍ତୁ ଉଡି ଯାଆନ୍ତି ...ତାଙ୍କ ଇଚ୍ଛାରେ ଅନ୍ୟ କୋଉଠି ନିଡ଼ ରଚନା କରିବାକୁ । ଆଖିପତା ଆର୍ଦ୍ର ହୋଇଉଠେ ଏଇକଥା ଭାବିଲେ । ତାଙ୍କର ଓ ରାଧିକାଙ୍କ ନିଡ଼ ବି ତ ଏମିତି ଗଢିଉଠିଥିଲା । ନିଜ ପିଲା ସହ ପଡିଶାର ପିଲାମାନେ ମିଶି କେମିତି ଘୋ ଘା କରୁଥିଲେ । କେତେ କଳିଗୋଳ ,ମାରା ପିଟା ହୋ ହଲ୍ଲା ହେଉଥିଲେ ଏଇ ଅଗଣାରେ । ବଡ ହେଲାପରେ ସମସ୍ତେ ଯିଏ ଯୁଆଡେ ନିଜ ନିଜର ଭବିଷ୍ୟତ ସଜାଡିବା ପାଇଁ ଚାଲିଗଲେ ଯେମିତି ତାଙ୍କ ପୁଅ ସୁବ୍ରତ ବି କଲା । ନିଜ ପସନ୍ଦରେ ଭଲପାଇ ବିବାହ କରି ନିଜ ବସାଟିଏ ଗଢିବାକୁ ଉଡ଼ିଗଲା ।

ଆଜି ସବୁ ଶାନ୍ତ ନିରବ ହୋଇଯାଇଛି ପରିବେଶ । ନିଜ ବ୍ୟସ୍ତ ବହୁଳ ଜୀବନର କର୍ମ ଜଞ୍ଜାଳ ଭିତରେ ବୁଡିଯାଇ ଆପଣାର

ଲୋକଙ୍କୁ ଭୁଲିଯାଇଛନ୍ତି ସେମାନେ । ପୂର୍ବର ସେ ଯୋୖଥ ପରିବାର ନାହିଁ କି ସେ ସ୍ନେହ ଶ୍ରଦ୍ଧା ମଧ୍ୟ ନାହିଁ । ତାଙ୍କରି ପରି କେଇଜଣ ସାଙ୍ଗ ସାଥୀ ବୟସର ଅପରାହ୍ନରେ ଏକା ପଡିଯାଇଛନ୍ତି ।

--"ବାପା ,ତମେ ଏଇଠି ଠିଆ ହୋଇଛ । ମୁଁ କେତେଆଡୁ ଖୋଜିଆସିଲିଣି । ଓଃ କେତେ ବଉଳ ଆସିଛି ଦେଖୁଛ । ଏଥର ବହୁତ ଆମ୍ବ ହେବ ...ନା .. ବାପା । ହଉ ଥଣ୍ଡା ହେଇଯିବ ,ନେଲ.. ନେଲ ତମ ଚାହା ଟା ।"

--"ହଉ ଦେ ...ଚାହା କପଟି ନେଇସାରି "ତୁ କଣ ଭାବିଛୁ ସବୁତକ ବଉଳ କଷି ଧରିବ ? ଯଦି ବା ଧରେ ସବୁ କଷି କଣ ଗଛରେ ରହିବ ? ବାୟଣୀ ଟା ,...ଆରେ ଦେଖିଲୁ ବୁଟୁ ମଉସା ଆସିଲେଣି ।" ଗେଟ ଆଡକୁ ନଜର ଲମ୍ବାଇ କହିଲେ ସେ । ବୈକୁଣ୍ଠ ବାବୁ (ବୁଟୁ )ଙ୍କୁ ସ୍ୱାଗତ କରି ସେଇ ବାରନ୍ଦାକୁ ଆସି ଚେୟାରରେ ବସିଲେ ଦୁହେଁ ।

--"ଏ ମା' ଜାହ୍ନବୀ ...ମଉସାଙ୍କ ପାଇଁ ଚାହା ଆଣିବୁ" । କହିଲେ ମୋହନ ବାବୁ । ଜାହ୍ନବୀ ଚାହା ଆଣିଦେଲା ଓ ପ୍ରଣାମ କଲା । ଗୁଡ଼ାଏ ଆଶୀର୍ବାଦ ଦେଇ ବୈକୁଣ୍ଠ ବାବୁ ତା'ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ବାକି ଭଲମନ୍ଦ କଥା ବୁଝିଲେ । ଜାହ୍ନବୀ ତା'ର

ନର୍ସିଂ ଟ୍ରେନିଂ ସରିଯାଇଛି ଓ ଘର ପାଖ ଏନ ଏ ସି ଭିତରେ ତା' ପୋଷ୍ଟିଂ ହେଇପାରିବ ବୋଲି ଆଶ୍ୱାସନା ଦେଇଛନ୍ତି ତା'ର ଜଣେ ବାନ୍ଧବୀର ମାମୁଁ ଏକ ଉଚ୍ଚ ପଦାଧିକାରୀ,, ବୋଲି ଜଣାଇଲା ପରେ ଜଳଖିଆ ଖାଇକରି ଯିବା ପାଇଁ କହି ରୋଷେଇ ଘରକୁ ପ୍ରସ୍ଥାନ କଲା ।

--" ରାଧିକା ଭାଉଜ ବଞ୍ଚିଥିଲେ କେତେ ଖୁସି ନ ହୋଇଥାନ୍ତେ ।ଦେଖୁ ଦେଖୁ ଜାହ୍ନବୀର ଏ ଘରେ ଦଶ ବର୍ଷ ବିତିଗଲାଣି ଜଣା ପଡୁଛି ?"କହିଲେ ବୈକୁଣ୍ଠ ବାବୁ ।

ଏଇ ପଦକ କଥା ମୋହନ ବାବୁଙ୍କୁ ପୁଣି ଟାଣିନେଲା ଅତୀତର ସେଇ ଭୟାନକ ମୁହୂର୍ତ୍ତ ଗୁଡିକ ପାଖକୁ । ଆର ଆଇ ଚାକିରୀରେ ଥରେ ଗୋଟେ ଗାଁର କାମ ସାରି ଫେରିବା ବେଳକୁ ଯଥେଷ୍ଟ ବିଳମ୍ବ ହୋଇଯାଇଥାଏ । ସାଙ୍ଗରେ ବୈକୁଣ୍ଠ ବାବୁ ଥାନ୍ତି ତାଙ୍କ କହିବାନୁସାରେ ସର୍ଟ କର୍ଟ ରାସ୍ତା ଧରି ଶୀଘ୍ର ପହଁଚିବା ପାଇଁ ମୁଖ୍ୟ ରାସ୍ତାରୁ ତଳକୁ ତିନିଶହ ମିଟର ଖଣ୍ଡେ ଯାଇଛନ୍ତି କି ନାହିଁ ଛୋଟ ଛୋଟ ଗଛ ଦି'ଟା ସନ୍ଧିରୁ କ୍ଷୀଣ ଆର୍ତ୍ତନାଦ ଶୁଣିବାକୁ ପାଇ ଚମକି ପଡିଲେ ଦୁହେଁ । ଗାଁ ଗୋହିରୀ ରାସ୍ତା । ରାସ୍ତା ତ ନୁହେଁ ଅମଡା ବାଟ ,ଖାଲି ବେଳବୁଡା ପାଇଁ ସିନା ତରତର । ଭୟରେ ସମଗ୍ର ଶରୀର ଶିତେଇଗଲାଣି । ଯାନ ବାହନ ବୋଇଲେ ସାଇକେଲ ଦି'ଟା । ତଥାପି ଦୁଇଜଣ , ବୋଲି ସାହସ ବାନ୍ଧି ଆଗେଇଲେ ଦୁଇ ଜଣ । ପହଁଚିବା କ୍ଷଣି ଆର୍ତ୍ତନାଦ ନୀରବ ହୋଇଯାଇଥିଲା । ଅଳ୍ପ ବୟସର ଝିଅଟିଏ ରକ୍ତାକ୍ତ ଅବସ୍ଥାରେ ପଡିଥାଏ । ବୁଝିବାକୁ ଆଉ ବାକି ରହିଲାନି ଯେ, ଦୁର୍ବୁର୍ତ୍ତ ପାଷାଣ୍ଡ କେହି ଦୁଷ୍କର୍ମ ଘଟାଇ ଫେରାର ହୋଇଯାଇଛନ୍ତି କୋମଳ ଝିଅଟିକୁ ମରଣ ମୁହଁକୁ ଠେଲିଦେଇ, ସଂଜ୍ଞାହୀନ ଝିଅଟିକୁ କୌଣସି ପ୍ରକାରେ ଉଦ୍ଧାର କରି ଉପଯୁକ୍ତ ଚିକିତ୍ସାର ବ୍ୟବସ୍ଥା କରିବା ପରେ ତାର ପ୍ରକୃତ ପରିବାରକୁ ଫେରିବା ନିମନ୍ତେ ଯେତେ ପ୍ରକାରେ ଥାନା କଚେରୀ ଦୌଡି

ଶେଷରେ ଵିରକ୍ତ ହୋଇଗଲେ ମୋହନ ବାବୁ । ତେଣୁ ବୈକୁଣ୍ଠ ବାବୁଙ୍କ ପରାମର୍ଶ ଓ ଅନୁରୋଧ କ୍ରମେ ଅଜ୍ଞାତ ଝିଅଟିକୁ ସପତ୍ନୀକ କୋଳେଇ ନେଲେ । ପୁଅ ଚାକିରୀ କରି ତା ଚାକିରୀ ଜାଗାରେ ଥାଏ । ଘର ଓ ହୃଦୟ କନ୍ୟା ସନ୍ତାନର ଉପସ୍ଥିତିରେ ପୁରି ଉଠିଲା ତାଙ୍କର । ପାଖ ପଡିଶା କେତେଜଣ ତାତ୍ସଲ୍ୟ କରୁଥିଲେ ମୋହନ ବାବୁଙ୍କୁ । କିନ୍ତୁ ସେସବୁକୁ ନୀରବରେ ସହିଯାଇଥିଲେ ସେ ।ଅନାବିଳ ସ୍ନେହ ଦେବାରେ କୁଣ୍ଠିତ ହୋଇ ନଥିଲେ ସେ ଓ ସ୍ତ୍ରୀ ରାଧିକା ।

ପୁଅ ସୁବ୍ରତ ସହ ସମ୍ପର୍କ ଆଉ ଟିକେ ଦୁରେଇଯିବା ପରି ଲାଗିଲା । ଯେତେବେଳେ ସେ ତା ଅଫିସରେ ଥିବା ସହକର୍ମୀକୁ ପ୍ରେମ ବିବାହ କଲା । ରାଧିକା ଗଭୀର ଅସନ୍ତୋଷରେ ବୁଡି ରହିଲେ । ଯେତେ ବୁଝେଇଲେ ବି ବୁଝିବାକୁ ଅରାଜି । ଧୀରେ ଧୀରେ ସ୍ୱାସ୍ଥ୍ୟର ଅବନତି ହେଲା ଓ ଦୁଇ ତିନିବର୍ଷ ପରେ ସେ ଏକ ରକମ ଶଯ୍ୟାଶାୟୀ ହୋଇଗଲେ । ଜାହ୍ନବୀ ସେତେବେଳେ ପନ୍ଦର କି ଷୋହଳ ବର୍ଷ ହେଇଥିବ ,କଣ ନ କରିଛି ମଳ ମୂତ୍ର ଠୁଁ ଆରମ୍ଭ କରି ସବୁ ସେବା ଯତ୍ନ । ପୁଅର ସେତେବେଳେ ସମୟ ହେଲା ନାହିଁ ଟିକେ ଆସି ମାଆକୁ ଦେଖିଯିବା ପାଇଁ,ଏମିତି ପଡି ପଡି ଦିନେ ତାଙ୍କର ସ୍ୱର୍ଗବାସ ହୋଇଗଲା । କେବଳ ଦଶାହରେ ଆସି ଯୋଗ ଦେଇ ପୁଅ ପୁଣି ଫେରିଗଲା ପତ୍ନୀଙ୍କ ଦେହାନ୍ତ ହେବାରୁ ହୃଦୟର ସମ୍ପର୍କରେ ପୂର୍ଣ୍ଣଛେଦଟିଏ ପଡିଲା । ହଁ, ସାଙ୍ଗରେ ଯିବାକୁ ଡାକିଥିଲା ଏବଂ ସେ ଯାଇଥିଲେ ମଧ୍ୟ । କିନ୍ତୁ ପୁଅ ବୋହୂଙ୍କର ଚାକିରୀ ସହିତ ନାତିର ସ୍କୁଲ ସମୟ ସକାଳୁ ସଞ୍ଜ ପର୍ଯ୍ୟନ୍ତ । ଭେଟ ଘାଟ ହେବା ମୁସ୍କିଲ ବେଳେ ବେଳେ ସମସ୍ତଙ୍କ ସହିତ। ସେଇ ଗୋଟେ ଛୁଟି ଦିନରେ ବି ସାଙ୍ଗ ହୋଇ ଖାଇବାର ଭାଗ୍ୟ ଜୁଟେନି । ଦିଲ୍ଲୀ ଭଳି ମହାନଗରୀରେ ଜୀବନ କିନ୍ତୁ ଖାଲି ଦୌଡରେ କଟିଯାଏ । ଏ ଯୁଗରେ ଯିଏ ଯାହାର ମୋବାଇଲ, ଲାପଟୋପ,କମ୍ପୁଟରରେ ବ୍ୟସ୍ତ ରହିଲେ,ତାଙ୍କ ଭଳି ଲୋକଙ୍କ ପାଇଁ ସେମାନଙ୍କ ପାଖରେ ସମୟ କାହିଁ ?ପାଖରେ ରହିଲେ ବି ବିରାଟ ବ୍ୟବଧାନ ମନର.. ହୃଦୟର । ଆତ୍ମୀୟ ସ୍ୱଜନଙ୍କ ସହିତ ଅନେକ ବ୍ୟବଧାନ ଆଜି । ଭାବନା ପ୍ରତିହତ ହେଲା ଜାହ୍ନବୀର ଡାକରେ ।-"ମଉସା ଏଇତକ ଖାଇକରି ଯିବେ" ।କିଛି ଗରମ ପକୁଡି ଓ ମିଠା ଥିଲା ପ୍ଲେଟରେ ।

-"ହଉ ହଉ ଦେ ,ନାହିଁ କଲେ ପୁଣି କେତେବେଳେ ଖାଇବାକୁ ମିଳିବ କିଏ ଜାଣେ ? ଏବେ ତ ତୋ ମାଉସୀ ଚାକିରିଆ ବୋହୁର ସେବା ପାଇଁ ରୋଷେଇ ଘରେ ବ୍ୟସ୍ତ ଥିବ । ଠିକ୍ ସମୟରେ ରୋଷେଇ ନ ସରିଲେ ପୁଣି କର୍ମ ସ୍ଥଳୀରେ ବିଳମ୍ବ ହେବ ତା'ସହିତ କେତେ ମହାଭାରତ ମଧ୍ୟ ଆରମ୍ଭ ହେବାରେ ଡେରି ଲାଗିବନି । ହେଲେ କଣ ହେବ ..ରାତିରେ ତ ଅଡୁଆ । ଏମିତି କୁନ୍ଥେଇବ ଯେ ଦେହ ହାତ ବିନ୍ଧା ଶୁଳିଆରେ । ଫେଏରେ ଟିକେ ଟିପା ଟିପି କରିଦେଲେ ଯାଇ ଶୋଇବ । ସେ କଥା ବୁଝିବାକୁ କେହି ନାହାନ୍ତି ।କିଛି କହି ହେଉନି କି ସହି ହେଉନି "। ଦୀର୍ଘଶ୍ଵାସଟିଏ ଛାଡି ପ୍ଲେଟରେ ହାତ ମାରିଲେ ବୈକୁଣ୍ଠ ବାବୁ । ମୋହନ ବାବୁଙ୍କ ଆଖିରୁ କେଇବୁନ୍ଦା ଲୋତକ

ଟପ ଟପ ହୋଇ ଖସି ପଡୁଥିଲା । ବୈକୁଣ୍ଠ ବାବୁ ଅନେକ ବେଳୁ ଚାଲିଗଲେଣି । ତାଙ୍କ କଥା ଓ ନିଜ କଥାକୁ ତୁଳନା କରୁଥିଲେ

କିଛି ଭିନ୍ନ ନୁହେଁ.... ଅବସ୍ଥାରେ । ଏମିତି ଚିରଦିନ ନିଃସଙ୍ଗତାରେ ଅହରହ ଜଳୁଥିବ ମନର ଜୁଈ । ନରମ ହାତରେ ଲୁହ ପୋଛି ଦେଇ ଜାହ୍ନବୀ ମୋହନ ବାବୁଙ୍କୁ କହିଲା -"ବାପା ମୁଁ ଅଛି ତୁମ ପାଶେ ପାଶେ । ତୁମକୁ ଛାଡି ମୁଁ କୁଆଡେ ବି ଯିବିନି ।

ମୁଁ ତୁମର ସବୁ ଦୁଃଖରେ ଛାଇ ହେଇ ରହିବି ବାପା ..." ପ୍ରାଣ ତା'ର ଛଟପଟ ହେଉଥିଲା,, କହିବାକୁ ଇଛା ହେଉଥିଲା ତୁମ ସବୁ ଯନ୍ତ୍ରଣା, ବ୍ୟଥା ,ବେଦନାକୁ ସାଉଁଟି ନେବି ବାପା ......ମୋ ଜୀବନର ପ୍ରତିଟି ରକ୍ତ ବିନ୍ଦରେ ତୁମରି ନିଃସ୍ୱାର୍ଥପର ପ୍ରେମ ଧାର ଆଉ ପିତୃତ୍ବର ଗାରିମାରେ ଉଜ୍ଜ୍ୱଳ ପ୍ରତିମୂର୍ତ୍ତିଟିକୁ କେବେହେଲେ ଅବହେଳାର ବ୍ୟବଧାନରେ ଦୁରେଇ ଦେଇ ପାରିବିନି ।

#########

ମୋହନ ବାବୁ ବୈକୁଣ୍ଠ ବାବୁ ଜାହ୍ନବୀ

Rate the content


Originality
Flow
Language
Cover design

Comments

Post

Some text some message..