Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଫୁଲ ବଉଳବେଣୀ
ଫୁଲ ବଉଳବେଣୀ
★★★★★

© Amiya Bej

Others

5 Minutes   7.3K    19


Content Ranking

{୧}

ହପ୍ତାକର ତପସ୍ୟା । ଚାନ୍ଦ ଆଗେ କେତେ ଆକୁଳ ମନାସ । ମନପବନ ଘୋଡା ପିଠିରେ , ମନପୁରୁଷ ବସି , ଏଇ ପୂନିଆଁ ଚାନ୍ଦ ଭିତରୁ , ଡେଇଁ ପଡନ୍ତାନି କୁଆଁରୀ ପସରାକୁ? ଚୋରିକରି ନେଇଯା'ନ୍ତା କଅଁଳ ମନକୁ ?

ଆଉ କ’ଣ ଲୋଡା କି? ମନଜିଣା ସୁପୁରୁଷଟେ' ତ଼ ଖାଲି !

{୨}

କାଳୁ - କାଳିଆ - କାଳନ୍ଦୀ , ଏ' ସବୁଯାକ ନାଁ ଶ୍ରଦ୍ଧାରେ ନୁହେଁ , ତା' ଦେହର ବିଟି ବିଟି କଳାରଙ୍ଗ ପାଇଁ , ବୁଢୀମା' ଦେଇଥିଲା । ମନ ବୁଝେଇବାକୁ , କହେ ଖାଲି କାଳିଆ ଠାକୁରଙ୍କୁ ସୁମରଣା କରି ସ୍ଵର୍ଗକୁ ଯିବା ଲାଗି ତା'ର ଏଇ ବେବସ୍ଥା !

ବୁଢ଼ୀ ମଲା ପରେ କେଯାଣି କୁଆଡ଼େ ଗଲା , କିନ୍ତୁ କିଏ ତାକୁ କାଳୁ ଡାକିଦେଲେ , ମନେମନେ ପରସ୍ତେ ଶୋଧେ ସେ ବୁଢ଼ୀକୁ ।

- କାଳୁ! ମୋ'ଲାଗି ସେ ନୀଳକଇଁ ଯୋଡେ ଆଣିଦେନା !

ଅନୁରୋଧ ରେ କି' ଅଧିକାର ରେ କେଜାଣି , ରୀନୁ କହେ କାଳୁକୁ !

- ହଁ ହଁଅଁ ଆଣିଦେଉଛି କହି , ଗାମୁଛାଟା' କଚ୍ଛା ମାରିଦେଇ , କାଳୁ ଡେଇଁ ପଡେ କଇଁ ଗଡିଆକୁ ।

ମୋ' ସହ ଯେତେ ଆମେ , ସବୁ ଭେଲେକା ହେଇ ଚାହିଁ ଥାଉ ତାକୁ । ଗୋଛାଏ ଲମ୍ବା ନାଡ ଲଗା କଇଁ ପିଠିରେ ଲଦି କୂଳରେ କାଳୁ ପହଞ୍ଚିଲା ବେଳକୁ , ରୀନୁ କେମିତି ଗୋଟେ କୁରୁଳୁ ଥାଏ ଖୁସିରେ ।

ମୋ' ଦେହ ଯାକ ଛୁଞ୍ଚି ଫୋଡି ହୋଇଯାଏ ଏସବୁ ଦେଖି !

ଦୁର୍ଭାଗ୍ୟ ଯେ, ନା' ମୋତେ ପହଁରା ଆସେ , ନା' ଟିକେ ସାହାସ ଥାଏ । କଇଁ ଫୁଲ ନେଇ , ରୀନୁ ଚାଲିଗଲା ପରେ, କାଳୁ ସହ ବଚସା ହୁଏ ମୋର ।

- ଶଃ! ଟୋକିଟା କହିଦେଲା ବୋଲି , ପାଣିକୁ ଡେଇଁ ପଡୁଛୁ , ନାଇଁରେ ? ଜାଣୁ ସେ ନୀଳକଇଁ ଦଳ ତଳେ ପାଣିତମ୍ପ ଛପିଥାଏ । ଡରନାହିଁ ଜମା ?

- ଡର ?? ସାପ ପା' ସବୁଠୁଁ ଡରୁଆ ଜାତି । ବୁଝିଲୁ ? ରୀନୁ କହିଯାଇଛି , ପୟାଖାଡି ଆଣି ଦେବାକୁ । ଚାଲେଏ ।

- ଭାରି ରସିକଟେ ଆଉ ?

- ନାଁ ମଁ ! ସାହାଯ୍ୟ ।

- ଆଁ ?

{୩}

ଗୋବର ଲିପା ଦାଣ୍ଡ ଚଉଁରା ଆଗରେ , କାଉଁରିଆ ଖାଡିରେ ଛକ ଛକ କରି ଖଞ୍ଜିଖାଞ୍ଜି ବନାହୁଏ , କୁଆଁର ପୁନେଇଁ ଠାକୁର । କଇଁ ଫୁଲ ମାଳରେ ବନାହେଇଥିବ ମେଢ । ନାନା ଝୋଟି ମୁରୁଜ ଆଉ ଫୁଲ ରଙ୍ଗୋଲିରେ , ଚମକୁଥାଏ ଗାଁ ଦାଣ୍ଡ । ଓପାସିଆ ମୁହଁ ଧରି , ଫୁରୁଫୁରୁ ମୁକୁଳା ବାଳରେ , ନୂଆ ଜାମା ପିନ୍ଧି , କନକନ ହେଉଥିବେ ଗାଁ କୁଆଁରୀ । ତାଳସଜ ପୁର ଦିଆ ପାଣି ମଣ୍ଡାରେ , ମହମହ ବାସୁଥିବ ସମସ୍ତଙ୍କ ରୋଷେଇଶାଳ ।

ସଞ୍ଜ ହେଉହେଉ , ଉଚ୍ଛନ୍ନ ହୁଏ , କୁଆଁରୀ ମନ । ଚାନ୍ଦ ବନ୍ଦେଇବାକୁ କଇଁଗଡିଆ ହୁଡା ଉପରକୁ ମେଳି କରି ଗଲାବେଳେ , ପାଉଁଜି ରୁଣୁଝୁଣୁ ଶବ୍ଦରେ , ଛନ୍ଦାୟିତ ହୋଇପଡେ ଗାଁ ଦାଣ୍ଡ । ଖିଲିଖିଲି ହସ ସାଙ୍ଗକୁ , କୁଆଁରୀ ବାସ୍ନାରେ , ଭରି ଉଠେ ମନ ପ୍ରାଣ ।

ସତ କହୁଛି ଏ ସମୟରେ , ନିଜ ଗାଁ ଛାଡ଼ି କୁଆଡ଼େ ଯିବାକୁ ଇଚ୍ଛା ହୁଏନି ଯମା !

ପୂନେଇଁ ଚାନ୍ଦ ବି ଆକୁଳା ହୋଇ , ସମୟ ଆଗରୁ ହୋଇଯାଏ ହାଜର । ଦେଖିବା , ଦେଖେଇ ହେବାକୁ କା'ର ମନ ନଥାଏ ଯେ' ?

ଆଖି ବୁଜି ସାରା ପୃଥିବୀର କୁଆଁରୀ ମାନେ ନିଜ ମନ ଅଳି , ଚାନ୍ଦ ଦେବତାଙ୍କୁ ଜଣାନ୍ତି । ଆଶା ଅସୁମାରୀ । ସମସ୍ତଙ୍କର ସୁଇଚ୍ଛା ! ସୁନ୍ଦର ବର ଟିଏ ଲୋଡା । ଚାନ୍ଦ ତା' କୋମଳ ପରଶରେ ବୋଧେ ସଭିଙ୍କୁ ଆଶ୍ୱାସନା ଟିଏ ନିଶ୍ଚେ ବାଣ୍ଟୁଥିବ !

ଦୁନିଆର ସବୁଯାକ ଚାନ୍ଦ ପୂଜିଥିବା ବିବାହିତା ମହିଳା ହିଁ କହିପାରିବେ , କେତେ ମାତ୍ରାରେ ମନକଥା ଚାନ୍ଦ ରଖିପାରିଛି !!!

{୪}

ରୀନୁ ସେଇମିତି । ଛଳଛଳି । କା'ସହ କଥା ପଦେ ହୋଇଗଲେ , ସେ' ଭାବିନେବ ଯେ' ରୀନୁ ସହ ଭଲପାଇବା ହୋଇଗଲା ! ମୁଁ ଜୋଡିମୋଡି ଢେର୍ ଗପେ ତା'ସହ । କିନ୍ତୁ ତା'ପାଇଁ କଇଁଫୁଲ ତୋଳି ପାରେନା । ପ୍ରେମ କରିବାକୁ ହେଲେ , ପହଁରା ଜାଣିବା ନିହାତି ଜରୁରୀ ।

ଯିଏ ପାରେ , ସେ କାଳୁ । କିନ୍ତୁ ରୀନୁ ପରି ଅପରୂପା , କ’ଣ କାଳୁକୁ ମନଦେଇ ପାରେ ?? ଏକଥା କଳନାର ବାହାରେ । କାଳୁର ଖୁସି ହେବା , ଅନ୍ୟମନସ୍କ ହେବା ଆଦି ହାବଭାବରୁ କିନ୍ତୁ ମୋର ଢେର୍ ସନ୍ଦେହ ହୁଏ ।

ନିଜ ଗାଁ ର ସୁନ୍ଦରୀ ମାନେ , ପର ଗାଁକୁ ବା'ହେଇ ଚାଲିଗଲେ , ସତରେ ଗାଁଟା' ଭାରି ଅଭାବି ହୋଇଯାଏ !

{୫}

ସମୟ ବଢିଲେ , ଧିରେ ଧିରେ ଦାୟିତ୍ୱ ବଢେ । ପ୍ରାଣପ୍ରିୟ ଗାଁ ମାଟିକୁ ଛାଡ଼ିବାକୁ ହୁଏ । ପୁଅମାନେ ନିଜ ଘର ସମ୍ଭାଳିବାକୁ , ଝିଅମାନେ ପର ଘର ବସାଇବାକୁ । ଏଇତ ନିୟମ !

ଯା' ଆଶା କରୁଥିଲି ସେୟା ହେଲା । ମୁଁ ପରେ ଖବର ପାଇଲି , ରୀନୁର ବା'ଘର ବେଳେ , ସେ' କାଳୁକୁ ଭାରି ଅପଦସ୍ତ କରିଥିଲା ପରା । ନିରୋଳାରେ କାଳୁକୁ ଡାକି ଏୟା କହିଗଲା ଯେ'

- ବର୍ଷ ବର୍ଷ ଧରି ମୋର ଚାନ୍ଦ ପୂଜିବାର ଫଳ କଣ ତୁ' ?? କେବେ ନିଜକୁ ଭଲକି ଦେଖିନେ କାଳୁ । ଯୋଡ଼ି କ’ଣ ଏମିତି ହୁଏ ? ମୋ' ପିଛାକରିବା ଛାଡ଼ିଦେ । ସୁନା ପାଲିଙ୍କିରେ ଆସିବ ମୋ' ରାଜକୁମାର । ଗାଁ ସାହି ଲୋକଙ୍କ ଖୋସିହୋଇଯିବ ଆଖି ।

କାଳୁ କେମିତି ସମ୍ଭାଳିଥିବ କେଯାଣି ? କିନ୍ତୁ ମୁଁ ଶୁଣିଲି ରୀନୁ ବା'ଘରରେ ବି ସେ ଖୁବ୍ କରିଥିଲା ସାହାଯ୍ୟ !!

{୬}

ଖାଲି କଣ ସହର ବଜାରରେ ? ଆମ ଗାଁ ଗଣ୍ଡା ରେ ବି ଢେର ହୁଏ ପ୍ରେମ ପ୍ରତାରଣା । ଘୃଣା ଥିଲେ ପ୍ରେମ , ପ୍ରେମ ଥିଲେ ଘୃଣା , ରହିବ ଈ ରହିବ ।

ରୀନୁ , କାଳୁକୁ ପ୍ରତ୍ୟାଖ୍ୟାନ କରିବାଟା' ଗୋଟେ ବିଚିତ୍ର କଥାନଥିଲା , କିନ୍ତୁ କାଳୁ ମନରେ ଗୋଟେ ଭଲପାଇବାର ଆଶାଟିଏ ଜନ୍ମିବା , ନୀଳକଇଁ ତୋଳିଲା ପରି ଗୋଟେ ସାହାସିକ ପଦକ୍ଷେପ ନୁହେଁକି ? ମୁଁ କାଳୁର ଏଇ ଦୁର୍ଭାଗ୍ୟ ପାଇଁ ଭିତରେ ଭିତରେ ଢେର୍ ଖୁସି ହେଉଥିଲି । ସେ' ବାଟ ଓଗାଳିନଥିଲେ , ମୋ' ଜୀବନର ଆଦ୍ୟ ପ୍ରେମ ଖୁବ୍ ସୁନ୍ଦର ହୋଇଥାନ୍ତା ପରି ମୁଁ ଭାବେ । ଯଦିଓ ୟା'ରି ଭିତରେ ମୁଁ ଢେର୍ ପ୍ରେମ ଭୋଗି ସାରିଥିଲି ।

{୭}

ସମୟକ୍ରମେ ଗାଁ କଥା ଢେର୍ ପୁରୁଣା ହୋଇଯାଏ । ସହରାଭିମୁଖୀ ମଣିଷ , ଅନିଚ୍ଛାରେ ବି ଏଥିପାଇଁ ବାଧ୍ୟ ହୋଇଯାଏ ।

ମୁଁ ପିଲାମାନଙ୍କୁ ନେଇ ମୁମ୍ବାଇରେ ପ୍ରାୟ ସ୍ଥାୟୀ ହୋଇସାରିଥିଲି ।

ଗାଁ ପାଇଁ ଗୋଟେ ଲମ୍ବା ଛୁଟି ଦର୍କାର ପଡେ । କିନ୍ତୁ ଯନ୍ତ୍ର ଜୀବନରେ ଛୁଟି କାଇଁ ? ଖୁସିରେ ନୁହଁ , କେବଳ ଦୁଃଖ ପଡିଲେ ଯାଇ ମଣିଷ ସମୟ କାଢେ ଗାଁ ପାଇଁ ।

ବୋଉ କହିଲା ଏଥର ପୂଜାରେ ସମସ୍ତିଙ୍କୁ ନେଇ ଆସେଏ । ବହୁ ଦିନ ହେଲାଣି ଦେଖିନି ଛୁଆଙ୍କୁ । ପୂଜାଛୁଟି ବି ଏଥର ଲାଗିଲୁଗି ଦଶଦିନ । ସୁତରାଂ ଗାଁ କୁ ଆସିଲୁ ।

ଠିକ୍ ଛୁଟି ସରି ଆସିଲା ବେଳେ ଲକ୍ଷ୍ମୀପୂଜା । ଆଜି କୁଆଁରପୂନେଇଁ ବୋଲି ମନେ ନଥିଲା । ସେଇ ଏକା ପୁରୁଣା ମହକ ଆଉ କୁଆଁରୀଙ୍କ କଳରବ ମୋତେ ପଛକୁ ଫେରାଇନେବାକୁ ବାଧ୍ୟ କଲା ।

କେବେ ଏବାବଦରେ ଜାଣିନଥିବା ମୋର ଏକମାତ୍ର ଅଲି ଅଳି ଝିଅ ଖୁସି' ବି କହିଲା ଓଷା କରିବ ବୋଲି । ଘର ସାରା ଆମେ ଖୁବ୍ ଉତ୍ସାହୀ ହୋଇଗଲୁ ଝିଅପାଇଁ । ଏଇତ ପ୍ରକୃତ ଜୀବନ । ସଅଳ ସହଜରେ ଆନନ୍ଦ ମିଳିଯାଏ ଗାଁରେ ।

ମୋ ଝିଅ ଚାନ୍ଦ ବନ୍ଦାଇବାର ମୁହୂର୍ତ୍ତ ସବୁଙ୍କୁ ସାଇତି ରଖିବାର ପ୍ରୟାସ କରୁଥିବା ବେଳେ, ମୋ ମୋବାଇଲର କ୍ୟାମେରା ପରିସୀମା ଭିତରକୁ ଆସିଗଲା ଗୋଟେ କୁନି କୁନୁମୁନି ଝିଅ । ଠିକ୍ କଣ୍ଢେଇଟିଏ ପରି !

କ୍ୟାମେରା ବନ୍ଦ କରି ଝିଅଟିକୁ ଭଲକି ଆଖି ପୁରାଇ ଦେଖିବାକୁ ମନ କଲାବେଳେ , ମହିଳା ଜଣେ ଆସି କୋଳାଇ ନେଲେ ପିଲାଟିକୁ । ଆଉରି ଚମକିଲି ମୁଁ । କିଏ ଇୟେ ? କା' ପରିବାର ? ଆମ ଅଖ୍ୟାତ ପଲ୍ଲୀରେ କିଏ ୟେ' ଅନିତ୍ୟ ସୁନ୍ଦରୀ ?

- ମୋ' ସଂସାର ! କେବେଠାରୁ ଆସିଲୁଣି ?

ପଛପଟୁ ମୋ କାନ୍ଧରେ ହାତ ଚାପି କାଳୁ କହୁଥିଲା !

ମୁଁ ପ୍ରକୃତିସ୍ଥ ହୋଇ ତା' ଆଡକୁ ସନ୍ଦେହ ରେ ଚାହିଁବାରୁ ହସିଦେଇ କାଳୁ କହିଲା -

- ବୁଝିଲୁ ଏ ଝିଅଙ୍କ ପରି , ପୁଅ ମାନଙ୍କର ବି ଗୋଟେ ଓଷା ହେବା ଦର୍କାର ସାଙ୍ଗ ।।।

✿ ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର ✿

ତପସ୍ୟା କାଳୁ କାଳିଆ

Rate the content


Originality
Flow
Language
Cover design

Comments

Post

Some text some message..