ଓଡ଼ିଆ ଗଳ୍ପ ଓ କବିତା - ୧

Children


2  

ଓଡ଼ିଆ ଗଳ୍ପ ଓ କବିତା - ୧

Children


ଜହ୍ନମାମୁଁ -138

ଜହ୍ନମାମୁଁ -138

2 mins 7.1K 2 mins 7.1K

ରାଜହଂସ - ୨

ନିଜ ପରିବାରର ଦୁଇଟି ପକ୍ଷୀ ଏପରି ହାରି ଯାଇଥିବାରୁ ରାଜହଂସର ମନରେ ଦୁଃଖ ହେଲା । ସେ ସେହି ଅପମାନ ସହି ନ ପାରି ସ୍ୱୟଂ ଉଡିବା ପାଇଁ ମନସ୍ଥ କଲା । ଅପୂର୍ବ କ୍ଷୀପ୍ରଗତିରେ ରାଜହଂସ ଉଡି ଉଡି ଆକାଶରେ ସୂର୍ଯ୍ୟଙ୍କ ପାଖରେ ଯାଇ ପହଁଚିଲା ଏବଂ ପଲକ ମଧ୍ୟରେ ସେ ସୂର୍ଯ୍ୟମଣ୍ଡଳ ଟପି ଉପରକୁ ଉଠିଗଲା । ସେ କେବଳ ଏତିକି ଜାଣିବାକୁ ଚାହୁଁଥିଲା ଯେ ସୂର୍ଯ୍ୟଙ୍କ ଶକ୍ତି କେତେ କିନ୍ତୁ ସୂର୍ଯ୍ୟଙ୍କ ସହିତ ପ୍ରତିଯୋଗିତା କରିବା ପାଇଁ ନୁହେଁ । ତେଣୁ ସେ କିଛି ସମୟ ପାଇଁ ସେଠାରେ ବୁଲାବୁଲି କରି ପୁଣି ପୃଥିବୀ ଉପରକୁ ଫେରି ଆସି କାଶୀ ରାଜ୍ୟରେ ପହଁଚିଲା ।

ଅନେକ ଦିନ ହେବ ରାଜହଂସର ଦେଖା ପାଇବା ପାଇଁ କାଶୀରାଜ ବହୁତ ବ୍ୟାକୁଳ ହୋଇଥିଲେ । ରାଜହଂସକୁ ଦେଖି ତାଙ୍କର ଆନନ୍ଦର ଆଉ କୌଣସି ସୀମା ନାହିଁ । ରାଜା ରାଜହଂସକୁ ନେଇ ନିଜର ସ୍ୱର୍ଣ୍ଣ ସିଂହାସନରେ ବସାଇଲେ ଓ ସୂର୍ଣ୍ଣ ପାତ୍ରରେ କ୍ଷୀରି ଓ ସ୍ୱର୍ଣ୍ଣ କଳସରେ ସୁମିଷ୍ଟ ଜଳ ଦ୍ୱାରା ତା’ର ଅତିଥିସତ୍କାର କରିଲେ । ସେ ରାଜାଙ୍କ ଆତିଥ୍ୟ ସ୍ୱୀକାର କରି ନିଜର କ୍ଳାନ୍ତି ହରଣ କଲା । ତା’ପରେ ସମସ୍ତ ଘଟଣା ରାଜାଙ୍କୁ ସେ ବିସ୍ତାରିତ ଭାବରେ ଶୁଣାଇଲା ।

ସାରା ବୃତାନ୍ତ ଶୁଣି ରାଜା ରାଜହଂସର ଅଲୌକିକ ଶକ୍ତି ଦେଖି ଆହୁରି ଅଧିକ ଖୁସି ଦେଲେ । ପୁଣି ସେ ରାଜହଂସକୁ ଅନୁରୋଧ କରି କହିଲେ କି, “ହେ ପକ୍ଷୀରାଜ, କୃପାକରି ଆପଣଙ୍କର ଅଲୌକିକ ଶକ୍ତିରୁ ଆମକୁ କିଛି ଦେଖାନ୍ତୁ । ସେପରି କିଛି ଦେଖିବାକୁ ମୋର ପ୍ରବଳ ଇଚ୍ଛା ହେଉଛି ।”

ରାଜହଂସ ରାଜାଙ୍କୁ ନିଜର ଶକ୍ତିର ପରିଚୟ ଦେବାକୁ ସ୍ୱୀକୃତ ହୋଇ କହିଲା, “ମହାରାଜ, ଆପଣଙ୍କ ରାଜ୍ୟରୁ ଚାରିଜଣ ଧନୁର୍ଦ୍ଧାରୀଙ୍କୁ ଏଠାକୁ ଆଣନ୍ତୁ ଯେଉଁମାନଙ୍କର ତୀରର ଗତି ବିଜୁଳିଠାରୁ ମଧ୍ୟ କ୍ଷୀପ୍ର ।”

ରାଜା ସେହିପରି ଚାରିଜଣ ଧନୁର୍ଦ୍ଧାରୀଙ୍କୁ ଆଣିଲେ । ରାଜାଙ୍କ ବଗିଚାରେ ଗୋଟିଏ ଚତୁଷ୍କୋଣ ସ୍ତମ୍ଭ ଥାଏ । ରାଜହଂସ ଚାରିଜଣ ଧନୁର୍ଦ୍ଧାରୀଙ୍କୁ ସ୍ତମ୍ଭର ଚାରି କୋଣରେ ଠିଆ କରାଇ ଦେଲା ଓ ନିଜେ ଗଳାରେ ଏକ ଛୋଟ ଘଂଟି ବାନ୍ଧିବା ପରେ ଯାଇ ସ୍ତମ୍ଭ ଉପରେ ବସିଲା ।

ରାଜହଂସ ସେ ଧନୁର୍ଦ୍ଧାରୀମାନଙ୍କୁ କହିଲା “ମୋଠାରୁ ସଙ୍କେତ ପାଇବା ମାତ୍ରେ ତମେ ଚାରିଜଣ ନିଜ ନିଜ ଧନୁରୁ ଶର ନିଷ୍କାସନ କରିବ । ମୁଁ ଚାରୋଟି ତୀରକୁ ଉଡି ଉଡି ଯାଇ ନେଇ ଆସି ତୁମକୁ ଦେବି । ମାତ୍ର ଉଡିବା ବେଳେ ତମେ ମୋତେ ଦେଖିବାକୁ ପାଇବ ନାହିଁ । କେବଳ ମୋ କଣ୍ଠରେ ବନ୍ଧାଥିବା ଘଂଟିର ଧ୍ୱନିରୁହିଁ ମୋର ଗତି ବିଷୟ ଜାଣି ପାରିବ ।”

ନିଜ କଥା ଅନୁସାରେ ରାଜହଂସ ଚକ୍ଷୁର ପଲକରେ ସମସ୍ତ କାର୍ଯ୍ୟ ସମାଧାନ କଲା । ରାଜା ଓ ତାଙ୍କର ପରିବାର ଏସବୁ ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ଓ ମୁଗ୍ଧ ହେଲେ ।

ତା’ପରେ ରାଜହଂସ କହିଲା, “ମହାରାଜ, ଆପଣ ମୋର ଯେଉଁ ଗତି ଆଜି ଦେଖିଲେ ତାହା ମୋର ନିମ୍ନତମ ଗତି । ସେଇଥିରୁ ଅନୁମାନ କରିବେ ମୋର ସର୍ବୋତ୍ତମ ଗତି କିପରି ।”

ରାଜା କହିଲେ, “ହେ ପକ୍ଷୀରାଜ, ଆପଣଙ୍କର ଗତି ଓ ତା’ର ବେଗ ବିଷୟରେ ମୋର ଯଥେଷ୍ଟ ଜ୍ଞାନ ହୋଇଛି । କିନ୍ତୁ କହିପାରିବେ କି ଆପଣଙ୍କ ଅପେକ୍ଷା ଅଧିକ ବେଗବାନ୍ ଆଉ କିଏ ଥାଇପାରେ?”

“କାହିଁକି ନୁହେଁ? ମୋ ଅପେକ୍ଷା ଅନନ୍ତଗୁଣ ଅଧିକ ବେଗବାନ୍ ଓ ଗତିଶୀଳ ହେଲା ମହାଶକ୍ତିସମ୍ପନ୍ନ କାଳ ନାମକ ସର୍ପ । ସେହି କାଳସର୍ପ ପ୍ରତିକ୍ଷଣରେ ବିଶ୍ୱର ଜୀବମାନଙ୍କୁ ଅବର୍ଣ୍ଣନୀୟ ବେଗରେ ନଷ୍ଟ କରୁଛି ।”

ଏକଥା ଶୁଣି ସେ ରାଜା ଭୟରେ ଖାଲି କମ୍ପି ଉଠିଲେ । ସେତେବେଳେ ରାଜହଂସ ରୂପୀ ବୋଧିସତ୍ୱ କାଶୀରାଜାଙ୍କୁ ତତ୍ତ୍ୱଉପଦେଶ ଦେଇ କହିଲେ, “ମହାରାଜ, ଯିଏ କାଳସର୍ପ ବିଷୟ ସର୍ବଦା ସ୍ମରଣ ରଖେ, ତା’ର ଡରିବାର କ’ଣ ଅଛି? ଆପଣ ଯେପର୍ଯ୍ୟନ୍ତ ନୀତି ଓ ଧର୍ମକୁ ପାଳନ କରି ଶାସନ କରିବେ, ସେପର୍ଯ୍ୟନ୍ତ ଭୟର କିଛି କାରଣ ନାହିଁ । ତେଣୁ ଆପଣ ବିଧିପୂର୍ବକ ନିଜର କର୍ତ୍ତବ୍ୟହିଁ କରି ଚାଲନ୍ତୁ ।”

ତା’ପରେ ବୋଧିସତ୍ୱଙ୍କ ଉପଦେଶାନୁସାରେ ଧର୍ମମାର୍ଗ ଦ୍ୱାରା ଶାସନ କରି ରାଜା ବ୍ରହ୍ମଦତ ଅପାର ଯଶ ଲାଭ କଲେ ।


Rate this content
Originality
Flow
Language
Cover Design