ସାଦା କାଗଜ : ମଣିଷ
ସାଦା କାଗଜ : ମଣିଷ
ବୟସର ସଂଧ୍ୟାରେ ପହଞ୍ଚିଥିବା ମଧୁ ମାଷ୍ଟ୍ରେ ଦିନେ ଏକାନ୍ତରେ ବସି ନିଜର ପରିଚୟ ଖୋଜୁଥିଲେ । ଶିକ୍ଷକତା ସମୟର କଥା । ସାଦା କାଗଜ ଖଣ୍ଡିଏ କିପରି ତା'ର ପରିଚୟ ବଦଳାଇ ଦେଉଥିଲା,ସେଇକଥା ତାଙ୍କର ମନେ ପଡୁଥିଲା । କାଗଜରେ ଗୋଟେ ଚିଠି ଲେଖି ସେ ପିଲାମାନଙ୍କୁ ପଚାରୁଥିଲେ - ଦେଖିଲ ପିଲାଏ,ଏଇଟା କ'ଣ ?
- ଏଇଟା ଚିଠି, ସାର୍ । ଗୋଟେ କବିତା ଲେଖି ପଚାରୁଥିଲେ -ଏଇଟା କ'ଣ,ପିଲେ ?
- ଏଇଟା କବିତା, ସାର୍ । ଗୋଟେ ଘୋଡ଼ାର ଚିତ୍ର ଆଙ୍କିଦେଇ ପଚାରୁଥିଲେ ପୁଣି -ଏଇଟା କ'ଣ କିଏ କହିବ ?
-ଏଇଟା ଘୋଡ଼ା, ସାର୍ । କେହି କହୁ ନଥିଲେ, ସେଇଟା ସାଦା କାଗଜ ଖଣ୍ଡେ ।
ମଣିଷ କ'ଣ ସେମିତି ଖଣ୍ଡେ ସାଦା କାଗଜ ! ନିଜର ପରିଚୟ ଖୋଜିବା ଭିତରେ ମନେମନେ ସେ ଭାବୁଥିଲେ ଏଇକଥା ।
- କ'ଣ ଭାବୁଛ ? ପତ୍ନି ରମା ପାଖରେ ପହଞ୍ଚି ପଚାରିଲେ ।
-କାଗଜ ଖଣ୍ଡିକ କୋଉଠି ରଖିଲି, ସେଇକଥା ଭାବୁଛି । ମଧୁ ମାଷ୍ଟ୍ରେ କହିଲେ ।
- କାଗଜ ! କି କାଗଜ ?' ରମା ଆଶ୍ଚର୍ଯ୍ୟ ହୋଇ କହିଲେ ।
- ଛାଡ଼ ସେକଥା । କହିଲ ଏବେ ମୋ ପରିଚୟ କ'ଣ ?ବାପା, କକା,ମାମୁ, ଜେଜେ, ଅଜା,ଅଙ୍କଲ,ପୀଉସା,ମଧୁ ମାଷ୍ଟ୍ରେ ନା ଆଉ କିଛି ?' ସଚେତନ ହୋଇ ମଧୁ ମାଷ୍ଟ୍ରେ କହିଲେ ।
- ତୁମେ ଗୋଟେ ବୁଢ଼ା, ଆଉ କିଛି ନୁହେଁ । ହେଲା ?' ହାଲୁକା ଢ଼ଙ୍ଗରେ ଏତିକି କହିଦେଇ ରମା ଚାଲିଗଲେ ।
ଏହାପରେ ମଧୁ ମାଷ୍ଟ୍ରେ ଖଣ୍ଡେ କାଗଜ ଆଣି ନିଜର ଗୋଟେ ଚିତ୍ର ଆଙ୍କିଦେଲେ ।
ରମା ପୁଣି ପହଞ୍ଚି ପଚାରିଲେ - କାଗଜ ପାଇଲ ?
- ହଁ,ପାଇଲି । ଏଇ ଦେଖ ।
- ଏଇଟା କ'ଣ ? ଦେଖିବା ପରେ କହିଲେ ରମା ।
- ମୋର ପରିଚୟ : ବୁଢ଼ା ମଣିଷ ।
ଟିକେ ହସିଦେଇ ରମା କହିଲେ - ଆଉ କ'ଣ ତୁମକୁ କିଏ ଟୋକା କହିବ ?
ରମାଙ୍କ ହାତରୁ କାଗଜଟିକୁ ଛଡାଇନେଲେ ମଧୁ ମାଷ୍ଟ୍ରେ । ଭାବିଲେ ,ସାଦା କାଗଜ ପରିକା ଏ ମଣିଷଟା ସତରେ । ସେଥିରେ ଯାହା ଆଙ୍କିଦିଅ,ଲେଖିଦିଅ ଅବା ଗଢ଼ିଦିଅ,ତାହା ତା'ର ପରିଚୟ ।
ନିଜର ପରିଚୟ ଆଉ ଖୋଜୁନଥିଲେ ସେ । କାହିଁକି ଖୋଜିଥାନ୍ତେ !