Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅଭିଶପ୍ତ ଆଇନା
ଅଭିଶପ୍ତ ଆଇନା
★★★★★

© Deepak Sarangi

Crime Horror

9 Minutes   312    8


Content Ranking

ଅଭିଶପ୍ତ ଆଇନା

ଦୀପକ ଷଡଙ୍ଗୀ

ବିଶ୍ଵଜିତର ଥିଲା ଭୁବନେଶ୍ଵର ସହରରେ ଏକ ଘର ସାଜସଜ୍ଜା ସାମଗ୍ରୀର ଦୋକାନ । ତା ଦୋକାନରେ ପୁରୁଣା ସାମଗ୍ରୀ ଯେପରି ପୁରାତନ ମୁଦ୍ରା, ମୂର୍ତ୍ତି, ବାସନକୁସନ କାଠରେ ନିର୍ମିତ ଆସବାବପତ୍ର ଆଦି ଥିଲା । ପୁରାତନ ସାମଗ୍ରୀର ସେ ଥିଲା ଜଣେ ସଂଗ୍ରାହକ । ତା ଦୋକାନରେ ପୁରୁଣା ଜିନିଷ ସହିତ ନୂତନ ଧରଣର ହସ୍ତଶିଳ୍ପ କାରୁକାର୍ଯ୍ୟର ଥିଲା ଅପୂର୍ବ ସମ୍ଭାର । ଯେତେ ସବୁ ନୂଆ ଡିଜାଇନ୍ ବଜାରକୁ ଆସେ ଆଗ ତା ଦୋକାନ ରେ ହିଁ ଉପଲବ୍ଧ ହୋଇଥାଏ । ତା’ର କିଛି ଗ୍ରାହକ ଥିଲେ ଯେଉଁମାନେ କି ପୁରୁଣା ସାମଗ୍ରୀକୁ ମଧ୍ୟ ଆଦରରେ ନେଇ ତାକୁ ଭଲ ପଇସା ଦେଉଥିଲେ । ସେଥିପାଇଁ ବିଶ୍ଵ ଜିତ ଭାରତ ସାରା ବୁଲିବୁଲି ପୁରୁଣା ସାମଗ୍ରୀର ସନ୍ଧାନରେ ଥାଏ । ତା’ର ସମ୍ପର୍କ କିଛି ଐତିହାସିକ ଓ ଭୂତତ୍ଵବିତ୍ ମାନଙ୍କ ସହିତ ବି ଥିଲା । ସବୁବେଳେ ବିଶ୍ଵଜିତ ତାଙ୍କ ସହ ଫୋନରେ ବନ୍ଧୁତା ବନେଇ ରଖିଥାଏ । ଦିନେ ତା ପାଖକୁ ତା’ର ଏକ ବନ୍ଧୁ ଅମିତ ରାଜସ୍ଥାନରୁ ଫୋନ କରି କହିଲା “ଏଇଠି ଆମ ଅଫିସ ପାଖରେ କିଛି ଲୋକ ଖୋଳାଖୋଳି କରି ବହୁତ ଗୁଡିଏ ପୁରୁଣା ସାମଗ୍ରୀ ପାଇଛନ୍ତି, ତୁ ଯଦି ଆସନ୍ତୁ ତେବେ ତୋ ଦୋକାନ ପାଇଁ ମଧ୍ୟ କିଛି ସାମଗ୍ରୀ ମିଳିଯାଆନ୍ତା । ମୋର ଏଠିକାର ସୁପରଭାଇଜର ସହ ଭଲ ଘନିଷ୍ଠତା ଅଛି” । ବିଶ୍ଵଜିତ ଏ ସୁଯୋଗର ହାତଛଡା କରିବାକୁ ଚାହୁଁ ନଥିଲା । ତା’ପର ଦିନ ଦୋକାନରେ କାମ କରୁଥିବା ରାଜୁକୁ ଡାକି ତାକୁ ଦୋକାନ ଭାର ସମ୍ଭାଳିବାକୁ କହିଦେଇ, ଭୁବନେଶ୍ଵର ଏୟାରପୋର୍ଟରୁ ସିଧା ବାହାରିଲା ରାଜସ୍ଥାନର ଜୟପୁର । ଏୟାରପୋର୍ଟରୁ ଅମିତର ଘର ପ୍ରାୟ ୧୦ କିମି ଥିଲା । ଅମିତ ଆସି ବିଶ୍ଵଜିତକୁ ଏୟାରପୋର୍ଟରୁ ସିଧା ତା ଘରକୁ ନେଇଗଲା । ଦୁଇସାଙ୍ଗ କିଛି ସମୟ ବସି କଥାବାର୍ତ୍ତା ହେବା ପରେ ବିଶ୍ଵଜିତ ଅମିତକୁ କହିଲା “ଚାଲ୍ ଯିବା ଦେଖି ଆସିବା କଣ ସବୁ ଜିନିଷ ମାଟି ତଳୁ ବାହାରିଛି? ମୋର ଦୋକାନ ପାଇଁ କିଛି ଜିନିଷ ନବା ଯୋଗ୍ୟ ଅଛି ନା ନାହିଁ”? ଅମିତ ବିଶ୍ଵଜିତକୁ ନେଇ ସୁପରଭାଇଜର ମୋହନ ସହ ଚିହ୍ନାପରିଚିତ କରେଇ ଦେଲା ଆଉ କହିକିଗଲା ଯେ କାମ ସରିଲେ ଫୋନ୍ କରିଦବାକୁ ଡ୍ରାଇଭରକୁ କହିବି ତତେ ଯାଇ ନେଇଆସି ମୋ ଘରେ ଛାଡିଦେବ । ବିଶ୍ଵଜିତ ତା କଥାରେ ସମ୍ମତି ଜଣେଇ ମାଟିତଳୁ କଣ ସବୁ ଜିନିଷ ବାହାରିଛି ତାକୁ ଦେଖିବାକୁ ମୋହନ ସହ ଗଲା । ମୋହନ ତାକୁ ନେଇ ଗୋଟେ ଅସ୍ଥାୟୀ ଟିଣପକା ଘର ଭିତରକୁ ନେଇଗଲା ଏବଂ କହିଲା ଯେ “ଆପଣଙ୍କର ଯାହା ପସନ୍ଦ କିଛି ଜିନିଷ ନେଇ ଯାଆନ୍ତୁ ଏବଂ ଅବଶିଷ୍ଟ ସାମଗ୍ରୀ ଆମେ ରାଜସ୍ଥାନ ରାଜ୍ୟ ସଂଗ୍ରହାଳୟକୁ ପଠେଇଦବୁ । ଏତିକି କହି ମୋହନ ସେଠାରୁ ଚାଲିଗଲା ଏବଂ କହି କି ଗଲା ଯେ ଜିନିଷ ବାଛି ସାରିଲେ ତାକୁ ଫୋନ୍ କରିଦେବା ପାଇଁ । ବିଶ୍ଵଜିତ ସବୁ ଜିନିଷକୁ ତନ୍ନତନ କରି ପରଖୁ ଥାଏ । ସେ ଦେଖିଲା ଯେ ଜିନିଷ ଗୁଡିକ ଭିତରେ ଥିଲା କିଛି ତମ୍ବା ବା ଅନ୍ୟ କୌଣସି ଧାତୁରେ ନିର୍ମିତ ହୋଇଥିବା କିଛି ଅଜବ ପ୍ରକାରର ମୂର୍ତ୍ତି ନା କୌଣସି ଠାକୁରଙ୍କର ନା କୌଣସି ମଣିଷଙ୍କର । ପିତ୍ତଳରେ ତିଆରି ହେଇଥିବା କଂସାବାସନ ଯାହା ଉପରେ କିଛି ଗୋଟେ ଭାଷାରେ ଲେଖା ଯାଇଥିଲା ଯାହାକୁ ପଢିବା ବିଶ୍ଵଜିତ ପକ୍ଷରେ ମୁସ୍କିଲ ଥିଲା । ସବୁ ଜିନିଷ ଗୁଡିକ ଧୁଆଧୁଇ ହୋଇ ରଖା ଯାଇଥାଏ । ମୋହନର କହିବା ଅନୁସାରେ ଜିନିଷ ଗୁଡିକ ପ୍ରାୟ ଦୁଇଶହ ରୁ ତିନିଶହ ବର୍ଷ ତଳର ଜିନିଷ ଥିଲା । ବିଶ୍ଵଜିତର ଆଖିରେ ପଡିଲା ଗୋଟେ ଆଇନା । ବଡ ସୁନ୍ଦର ଆଇନାଟିଏ ହୋଇଥାଏ ପ୍ରାୟ ୪ ରୁ ୫ ଫୁଟ ହେବ ଉଚ୍ଚତା । ତା’ର ଚାରିପାଖରେ ମୋଟ କାଠର ଏକ ଫ୍ରେମ ଲାଗି ଥାଏ । ଆଇନାଟି ଦୁଇ ପାର୍ଶ୍ଵରୁ କାଠର ଷ୍ଟାଣ୍ଡ ଉପରେ ରଖା ହୋଇଥାଏ । ଯେପରି ଆଇନାଟି ତା ନିଜ ଅକ୍ଷ ଚାରିପଟେ ୩୬୦ ଡିଗ୍ରୀ ଘୁରିପାରିବ । ଯଦି ଆଇନାଠାରୁ ଜଣେ କିଏ ଗୋଟେ ହାତ ଦୂରରେ ଠିଆହେବ, ତେବେ ତାର ସମ୍ପୂର୍ଣ୍ଣ ଶରୀରକୁ ସେ ସେଥିରେ ଦେଖିପାରିବ । ଆଇନାଟି ବିଶ୍ଵଜିତର ଖୁବ୍ ପସନ୍ଦ ଆସିଲା । ମନେମନେ ସ୍ଥିର କଲା ଏହି ଆଇନାଟିକୁ ସେ ନିଜ ଦୋକାନ ପାଇଁ ନେବ । ସେ ଭାବିଲା ଯେ ଆଇନାଟିକୁ ଟିକେ ଭଲ କରି ଘଷିମାଜି ଦେଇ ଗୋଟେ ଭଲ ଷ୍ଟିକର୍ ଲଗେଇ ଦେଇ ୪୦୦ ରୁ ୫୦୦ ବର୍ଷ ପୁରୁଣା ଲେଖିଦେଲେ ନିଶ୍ଚୟ ସାତ/ଆଠ ହଜାରରୁ ଅଧିକ ଦାମରେ ବିକ୍ରି ହୋଇଯିବ । ବିଶ୍ଵଜିତ ଆଇନା ସହ ଆଉ ଦୁଇ ତିନୋଟି ଜିନିଷ ମଧ୍ୟ ପସନ୍ଦ କଲା । ମୋହନକୁ ଡାକି ତାକୁ କିପରି ଭୁବନେଶ୍ଵରରେ ସୁରକ୍ଷିତରେ ପହଞ୍ଚାଯାଇ ପାରିବ ସେ କଥା ତାକୁ ବୁଝେଇ ଦେଲା । ମୋହନ ସେ ଆଇନା ଏଠୁ ଚାଲିଯିବାର ଜାଣି ମନେମନେ ବହୁତ ଖୁସି ହେଲା ଓ କହିଲା “ ବିଶ୍ଵଜିତ ବାବୁ ଆପଣଙ୍କ ଜିନିଷ ଯାଇ ଆପଣଙ୍କ ପାଖରେ ଠିକ୍ ସମୟରେ ପହଞ୍ଚିଯିବ” । ମୋହନକୁ ସବୁ କଥା ବୁଝେଇ ଦେଇ ବିଶ୍ଵଜିତ ଅମିତକୁ ଫୋନ୍ କଲା । ଅମିତର ଡ୍ରାଇଭର ଆସି ତାକୁ ଅମିତ ଘରେ ଛାଡି ଦେଲା । ବିଶ୍ଵଜିତ ଅମିତକୁ ସେ ଆଇନା କଥା କହିଲା । ଅମିତ ମଧ୍ୟ ଅତି ଖୁସି ହେଇ କହିଲା “ତୁ ଗୋଟେ ଭଲ ଜିନିଷ ବାଛିଚୁ” । ବିଶ୍ଵଜିତ ଅମିତକୁ ପଚାରିଲା “ମୋର ଗୋଟେ କଥା ଜମା ବିଶ୍ଵାସ ହଉନି ଯେ ଏତେ ବର୍ଷ ପୁରୁଣା ହେଇ ମାଟିତଳେ ପୋତା ହେଇକି ମଧ୍ୟ ଆଇନାଟି ଭାଙ୍ଗିଲା ନାହିଁ କେମିତି ? ଅମିତ ହସିହସି କହିଲା “ଏ ଆଇନା ଏବେକାର ଆଇନା ନୁହେଁ ସେ କାଳରେ ରାଜା ମହାରାଜା ମାନେ ତାଙ୍କର ନିଜସ୍ଵ ପ୍ରଯୁକ୍ତିବିଦ୍ୟା ବଳରେ ଅଭଙ୍ଗା ଆଇନା ତିଆରି କରୁଥିଲେ । ତୁ ବଡ ଭାଗ୍ୟବାନ ଯେ ତୋ ହାତରେ ଏମିତି ଗୋଟେ ଅମୂଲ୍ୟ ଜିନିଷ ପଡିଲା । ଯାହାର ବଜାର ମୂଲ୍ୟ ଆଜିକା ତାରିଖରେ କମ ସେ କମ କୋଡିଏ ପଚିଶ ହଜାରରୁ କମ ହବନି” । ବିଶ୍ଵଜିତର ଆଇନା ପସନ୍ଦ ହବା ନେଇ ଅମିତ ବହୁତ ଖୁସି ହୋଇ ଯାଇଥିଲା ଯାହାକି ବିଶ୍ଵଜିତକୁ ଟିକେ ଅସ୍ଵାଭାବିକ ଲାଗୁଥିଲେ ମଧ୍ୟ ସେ ତାକୁ ବେଶି କିଛି ପଚାରି ପାରିଲାନାହିଁ । ଦୁଇଦିନ ପରେ ବିଶ୍ଵଜିତ ଅମିତ ଠାରୁ ବିଦାୟ ନେଇ ଭୁବନେଶ୍ଵରରେ ଆସି ପହଞ୍ଚିଲା ଏବଂ ଅମିତକୁ କହି କି ଆସିଥିଲା ଯେ ସେ ଯେମିତି ସୁରକ୍ଷିତ ଅବସ୍ଥାରେ ଆଇନାଟିକୁ ପଠେଇବାର ବନ୍ଦୋବସ୍ତ କରିବ । ସେ ଆସିବାର ଦଶଦିନ ପରେ କୋରିୟରରେ ଆଇନାଟି ଆସି ପହଞ୍ଚିଲା । ବିଶ୍ଵଜିତ ବହୁତ ଖୁସିଥାଏ । ରାଜୁକୁ ଡାକି କହିଲା “ଆଇନାଟିକୁ ଯତ୍ନ ସହକାରେ ନେଇ ଗୋଦାମ ଘରେ ରଖି ଦେ ପୋଛାପୋଛି କରି ରଙ୍ଗ ଦେଇ ସାରିଲେ ଆମେ ତାକୁ ଶୋରୁମ୍ ରେ ଆଣି ବିକ୍ରି ପାଇଁ ରଖିବା” ।

ସେଦିନ ବିଶ୍ଵଜିତ ସନ୍ଧ୍ୟା ବେଳକୁ କିଛି କାମରେ ଦୋକାନ ରୁ ଶୀଘ୍ର ବାହାରିଗଲା । ରାଜୁ ରାତି ଦଶଟା ବେଳକୁ ଦୋକାନ ବନ୍ଦ କରିବା ପାଇଁ ସଟର ପକେଇଲା ବେଳକୁ ତାକୁ କିଛି ଗୋଟେ ଜୋରରେ ଧଡଧଡ ହେବାର ଶବ୍ଦ ଗୋଦାମ ଘରୁ ଆସୁଥିବାର ମନେ ହେଲା । ସେ ଭବିଲା ମୂଷା କି ବିରାଡି ଏମିତି କରୁଥିବ ବହୁତ ଗୁଡିଏ ନୂଆ ପୁରୁଣା ସାମାନ ରଖା ହେଇଛି ନା । କିଛି ସମୟ ପରେ ପୁଣି ଜୋରରେ କିଛି ଜିନିଷ ପଡିବାର ଶବ୍ଦ । ଏଥର ରାଜୁ ଲାଇଟ୍ ଜଳେଇ ଗୋଦାମ ଭିତରକୁ ଗଲା । ଦେଖିଲା ବେଳକୁ କୋଉଠି କିଛି ନାହିଁ ସବୁ ଠିକଠାକ୍ ଅଛି । ଅଥଚ ଏ ଶବ୍ଦ କେଉଁଠୁ ଆସୁଛି ? ହଠାତ୍ ତା ଆଖି ପଡିଲା ସେଇ ଆଇନାଟି ଉପରେ । ତା ଉପରେ ଗୋଟେ କଳା କପଡା ଘୋଡା ହେଇ କି ରଖା ହୋଇଥାଏ । କୌତୁହଳବଶତଃ ସେ ଆଇନା ଉପରୁ କପଡାଟି କାଢିଦେଲା । ଆଉ କପଡା ବାହାରିଯିବା ପରେ ଆଇନା ଭିତରୁ ବାହାରିଲା ଏକ ବିଭତ୍ସ ବିକଟାଳ ଚିତ୍କାର । ସେ ଜାଣିପାରୁ ନଥିଲା ଚିତ୍କାରଟା ଗୋଟେ ସ୍ତ୍ରୀର କି ପୁରୁଷର । କିନ୍ତୁ ଚିତ୍କାରର ତୀବ୍ରତା ବଢିବଢି ଚାଲି ଥାଏ । ତାକୁ ମନେହେଉଥାଏ ଯେପରି ତାର କାନର ଶିରାପ୍ରଶିରା ସବୁ ଫାଟି ଯିବ । ହାତ କାନରେ ଦେଇ ଦେଇଦେଲା ଓ ଚଟ୍ କରି ନେଇ କପଡା ଟି ପୁଣି ତା ଉପରେ ଘୋଡେଇ ଦେଲା । ସଙ୍ଗେସଙ୍ଗେ ଚିତ୍କାର ବନ୍ଦ ହେଇଗଲା । ରାଜୁ ସ୍ଥାଣୁ ପାଲଟି ଯାଇଥାଏ । ଡରିକି ସେ ନା ଆଗକୁ ଯାଇ ପାରୁ ଥାଏ ନା ପଛକୁ । କେମିତି ସେ ଗୋଦାମ ଘରୁ ବାହାରିବ ସେଇ କଥା ଚିନ୍ତା କରୁଥାଏ । ପୁଣି ହଠାତ୍ ଆଇନାଟି ତା’ର ଅକ୍ଷ ଚାରିପଟେ କାଠର ଫ୍ରେମ୍ ଭିତରେ ଆପେ ଆପେ ଘୂରିବାକୁ ଲାଗିଲା । କଳା କପଡାଟି ଖସିଯିବା ପରେ ରାଜୁର ପୁରା ଶରୀର ସେଥିରେ ଦେଖା ଯାଉଥାଏ । ଆଇନାଟି ଘୁରିଘୁରି ହଠାତ୍ ସିଧା ହୋଇ ରହିଗଲା । କିନ୍ତୁ ଏ କଣ ତା ପଛରେ ଜଣେ କିଏ ଛିଡା ହୋଇଛି ଆଉ ତା ହାତଦୁଇଟା ରାଜୁର ବେକ ଆଡକୁ ମାଡି ଆସୁଛି । ରାଜୁ ଭୟରେ ପଛକୁ ଅନେଇଲା ବେଳକୁ କେହି କୁଆଡେ ନାହାଁନ୍ତି । ରାଜୁ ପୁଣି ଆଇନାରେ ଦେଖିଲା ବେଳକୁ ହାତ ଦୁଇଟି ତା’ର ବେକ ଚାରିପଟେ ଗୁଡେଇ ହେଇ ଶକ୍ତ ହେବାକୁ ଲାଗିଲାଣି । ସେ ଅନୁଭବ କରି ପାରୁଥାଏ ତା ପାଦ ଭୂମି ଉପରୁ ଉଠିଲା ଭଳି । ସେ ଯେତେ ମୁକୁଳିବାକୁ ଚେଷ୍ଟା କରୁଥାଏ ତା ବେକ ସେତେ ଜୋରରେ ଚିପି ହୋଇ ଯାଉଥାଏ । ଆଇନାରେ ନିଜକୁ ସେ ଦେଖିଲା ବେଳକୁ ସେ ଚଟାଣ ଠାରୁ ଫୁଟେ ଉଚରେ ଥାଏ ଏବଂ ଗୋଟେ ବିଭତ୍ସ ଭୟଙ୍କର ଚେହେରା ତା ଆଡକୁ ମାଡି ଆସୁଥାଏ । ରକ୍ତିମ ଆଖି, ପୁଙ୍ଗୁଳା କେଶ କି ଭୟାନକ ଚେହେରା । ଦେଖିବାକୁ ତା’ର ଆଉ ସାହସ ନ ଥାଏ । ଆଖିବୁଜି ଦେଇଥାଏ ସେ । ହାତର ବନ୍ଧନ ତା ବେକ ଚାରିପଟେ ଫାଶୀ ଦଉଡି ଭଳି ଗୁଡେଇ ହୋଇ ଯାଇଥାଏ । ତାକୁ ଲାଗିଲା ଆଉ କିଛି ସମୟ ପରେ ତା’ର ଜୀବନ ଚାଲିଯିବ । ଶେଷରେ ତା ମୁହଁରୁ ବାହାରି ଆସିଲା “ଜୟ ହନୁମାନ” । କଚାଡି ହୋଇ ରାଜୁ ତଳେ ପଡିଲା ।

ସକାଳ ନଅ ଟା ବେଳକୁ ଆସି ବିଶ୍ଵଜିତ ଦେଖିଲା ବେଳକୁ ଦୋକାନ ସଟର ଅଧା ଖୋଲା ହୋଇପଡିଛି । ବିଶ୍ଵଜିତ ଭାବିଲା ଯେ ବୋଧେ ରାତିରେ ଦୋକାନରୁ ଚୋରି ହୋଇଛି ବୋଲି । ଭୀତତ୍ରସ୍ତ ହୋଇ ଭିତରକୁ ଗଲା । ସେ ଦେଖିଲା ବେଳକୁ ରାଜୁ ଗୋଦାମ ଘରେ ବେହୋସ ହେଇ ପଡିଛି । ପାଣି ଆଣି ତା ମୁହଁ ଉପରେ ଛାଟିଲା । ରାଜୁର ଚେତା ଫେରିବା ପରେ ସେ ବିଶ୍ଵଜିତକୁ ସବୁ କଥା କହିଲା । ଆଉ କହିଲା ଯେ “ବାବୁ ଯେ ପର୍ଯ୍ୟନ୍ତ ଏ ଆଇନାକୁ ଆପଣ ବାହାରକୁ ନ ଫୋପାଡିଛନ୍ତି ସେ ପର୍ଯ୍ୟନ୍ତ ମୁଁ ଆଉ ଦୋକାନକୁ ଆସିବିନି”। ଏତିକି କହି ସେ ଦୋକାନ ଛାଡି ଦଉଡି କି ପଳେଇଲା । ବିଶ୍ଵଜିତ ଆଇନା ଆଡକୁ ଚାହିଁଲା ଦେଖିଲ ଆଇନା ଯେମିତି ଆସିଥିଲା ସେମିତି କଳା କପଡା ଘୋଡା ହେଇ କି ରଖା ହୋଇଛି । ସେ କପଡା ଆଇନା ଉପରୁ କାଢି ତାକୁ ଭଲ କରି ପୋଛାପୋଛି କରିଦେଲା । ମନେମନେ ରାଜୁକୁ ସେ ଗାଳି ଦେଉଥାଏ “ଠକ କୋଉଠିକାର ରାତିରେ ଗୋଦାମ ଘରେ ଶୋଇ ପଡିଛି ଆଉ ସକାଳୁ ମୋ ଆଗରେ ଭୁତ ଗପ ଶୁଣଉଛି । କହୁଛି କଣ ନା ଆଇନା ଭିତରୁ ଭୂତ ବାହାରୁଛି” । ତଥାପି ନିଜ ମନକୁ ଠିକ୍ ସେ ବୁଝେଇ ପାରୁ ନ ଥାଏ ବିଶ୍ଵଜିତ । ଆଜକୁ ପାଞ୍ଚ ବର୍ଷ ହେଲାଣି ରାଜୁ କାମ କରୁଛି ଏଠି କଣ ପାଇଁ ସେ ଏମିତି କହିବ ? ପ୍ରକୃତରେ କଣ ଆଇନା ଭିତରେ ଭୂତ ଅଛି । ଆସି କି ନିଜ ଚେୟାରରେ ବସିଲା । ସେଦିନ ତାକୁ ଜମା ଭଲ ଲାଗୁ ନ ଥାଏ । ଘଡି କି ଘଡି ଯାଇ ଗୋଦାମ ଘର ଭିତରେ ଆଇନାକୁ ଦେଖି କି ଆସୁଥାଏ । ସେଦିନ ବେପାର ବି କିଛି ଖାସ୍ ହେଲାନି । ମନ ଭାରାକ୍ରାନ୍ତ ହୋଇ ଯାଉଥାଏ ବିଶ୍ଵଜିତର । ରାତି ୧୦ ଟା ବେଳକୁ ଦୋକାନ ବନ୍ଦ କରିବା ପାଇଁ ଗଲା ବେଳକୁ ତାକୁ ଲାଗିଲା ଯେପରି ଗୋଦାମ ଘରେ କେହି ଜଣେ ସ୍ତ୍ରୀ ଲୋକର ପାଉଁଜି ପିନ୍ଧି ଚାଲିବାର ଶବ୍ଦ । ନିଜର ମନର ଭ୍ରମ ବୋଲି ଭାବି ସଟର ଟାଣିବାକୁ ଗଲା ବେଳକୁ ଏଥର ଗୋଟେ ସ୍ତ୍ରୀ ଲୋକର କାନ୍ଦିବାର ଶବ୍ଦ ଗୋଦାମ ଘରୁ ଆସୁଛି ଯାହାକି ସେ ସ୍ପଷ୍ଟ ଶୁଣିପାରୁ ଥାଏ । କାନ୍ଥଘଣ୍ଟାକୁ ଅନେଇଲା ଦେଖିଲ ରାତି ସାଢେ ଦଶଟା । ସାହସ କରି ଗୋଦାମ ଭିତରକୁ ଗଲା । ଦେଖିଲା ଆଇନାଟି ସେମିତି କଳା କପଡା ଭିତରେ ଘୋଡା ହେଇ କି ରଖା ହୋଇଛି । ସବୁ ତ ଠିକଠାକ୍ ଅଛି । ହଠାତ ଦୁମ୍ କରି ଗୋଟେ ଶବ୍ଦ ହେଲା । ଚମକି ପଡି ପଛକୁ ଚାହିଁଲା ବେଳକୁ ପୁରୁଣା ମୂର୍ତ୍ତି ଗୋଟେ ତଳେ ପଡି ଚୁରମାର୍ ହୋଇଗଲା । ବିଶ୍ଵଜିତ ସାହସ ସଞ୍ଚୟ କରି ନିଜକୁ ପ୍ରକୃତିସ୍ଥ କରି ଛିଡାହେଲା । ସଙ୍ଗେସଙ୍ଗେ ଗୋଦାମ ଘରର ଆଲୁଅ ଗୁଡା ସବୁ ଲିଭିଗଲା । ଆଉ ସେ ଦେଖିଲା ଆଇନା ଭିତରୁ ଗୋଟେ ଆଲୁଅ ଜଳିଲା ଭଳି । ଏକଦମ ଡରି ଯାଇଥିଲା ବିଶ୍ଵଜିତ । ପାଦ ଚିପିଚିପି ଆଇନା ପାଖକୁ ଗଲା ଏବଂ ଧୀରେଧୀରେ ତା ଉପରୁ କଳା କପଡାଟା କାଢି ଦେଲା । ସଙ୍ଗେ ସଙ୍ଗେ ମନେ ହେଲା ତାକୁ ଯେପରି ଆଇନା ଭିତରକୁ କିଏ ଟାଣି ନେଉଛି । ଆଉ ଏକ ବିକଟାଳ ପ୍ରଚଣ୍ଡ ଶବ୍ଦରେ ତା କାନ ଫାଟିପଡିଲା ପରି ଲାଗୁଛି । ହଠାତ୍ ଆଇନା ଉପରେ ଗୋଟେ ଚିତ୍ର ଆସିଲା ଭଳି ତାକୁ ଲାଗିଲା ଆରେ ସେ ଆଇନା ଆଗରେ ଏ ସବୁ କଣ ଦେଖୁଛି ଗୋଟେ ସ୍ତ୍ରୀ ଲୋକ ସେହି ଆଇନା ଆଗରେ ଛିଡା ହେଇ ସିନ୍ଦୁର ପିନ୍ଧୁଛି ଏବଂ ହଠାତ ଦୁଇ ଜଣ ମୁଖାପିନ୍ଧା ଦୁର୍ବୁତ୍ତ ଆସି ତା ପେଟକୁ ଛୁରା ମାରି ହତ୍ୟା କରୁଛନ୍ତି । ସ୍ତ୍ରୀ ଲୋକଟି ତଳେ ପଡି ଚିତ୍କାର କରି ପାଟି କଲା ବେଳକୁ ତାକୁ ଛୁରୀରେ ସେମାନେ ଭୂଷି ଚାଲିଛନ୍ତି । ତାକୁ ସାହାଯ୍ୟ କରିବା ପାଇଁ ତା ସ୍ଵାମୀ ଆସି ସେ ଦୁର୍ବୁତ୍ତ ଦୁଇଜଣଙ୍କୁ ମାଡି ବସୁଛି । ଧସ୍ତାଧସ୍ତିରେ ମୁଖାଟା ସେ ଦୁଇଜଣଙ୍କ ମୁହଁରୁ ଫିଟି ଯାଉଛି । କିନ୍ତୁ ଏ କଣ ମୁଖା ଭିତରେ ଥିବା ଦୁଇଜଣ ଦୁର୍ବୁତ୍ତ କଣ ମୋହନ ଆଉ ଅମିତ? ମୋହନ ସେ ସ୍ତ୍ରୀ ଲୋକର ସ୍ଵାମୀକୁ ପଛରୁ ମାଡି ବସୁଛି ଆଉ ଅମିତ ସେହି ଛୁରାରେ ସେ ଲୋକର ପେଟକୁ ଭୁଶିବାରେ ଲାଗିଛି। ଛୁରା ଭୁସିଲା ବେଳେ ସେଇ ରକ୍ତଛିଟା ଆସି ସେ ଆଇନା ଉପରେ ପଡି ଆଇନାଟିକୁ ପୁରା ଲାଲ୍ କରି ଦେଉଛି । ମୋହନ ହସିହସି ଅମିତ କୁ କହୁଛି “ଯାହା ହଉ ଏବେ ଆମ ବିରୁଦ୍ଧରେ ଆଉ କେହି ସାକ୍ଷୀ ଦେଇ ପାରିବେନି ଦୁଇ ଜଣଙ୍କୁ ତ ଖତମ କରି ଦେଲେ ଚାଲ୍ ଆମେ ନେଇ ଏମାନଙ୍କୁ ଟ୍ରେନ ଲାଇନ୍ ରେ ପକେଇ ଦେଇ ଆସିବା ଲୋକ ଜାଣିବେ ଯେ ଟ୍ରେନ ଦୁର୍ଘଟଣାରେ ମରି ଯାଇଛନ୍ତି ବୋଲି” । ତା’ପରେ ବିଶ୍ଵଜିତକୁ ଲାଗିଲା ଯେ କେହି ଯେପରି ତାକୁ ଠେଲି ସେଇ ଆଇନା ଭିତରକୁ ବାହାର କରି ଦେଉଛି ଏବଂ ଆଇନା ଭିତରୁ କେହି କହୁଛି “ମତେ ନେଇ ମୋ ଜାଗାରେ ରଖି ଦେଇ ଆସ ନ ହେଲେ ତୁ ବି ମରିବୁ ତାଙ୍କ ସହ ମୁଁ ସେମାନଙ୍କୁ ଛାଡିବିନି” ।

ବିଶ୍ଵଜିତ ଗଛ କଟିଲା ଭଳି ମୂର୍ଛା ହୋଇ ଟଳି ପଡିଲା ସେଇଠି । ପରଦିନ ସକାଳୁ କୋରିଅର ବାଲାଙ୍କୁ ଡାକି କାହାକୁ କିଛି ନ ଜଣେଇ ଆଇନାକୁ ଯେମିତି ଆଣିଥିଲା ସେମିତି ବନ୍ଧାବନ୍ଧି କରି ରାଜସ୍ଥାନ ପଠେଇ ଦେଲା । ଆଉ ସେ ଖବର ସେ ମୋହନ କି ଅମିତକୁ ଜଣେଇଲା ନାହିଁ । ରାଜୁକୁ ମଧ୍ୟ ଦୋକାନକୁ ପୁଣି ଫେରେଇ ଆଣିଲା । ସେ ଘଟଣାର ମାସେ ପରେ ସେ ଜାଣିବାକୁ ପାଇଲା ଯେ ଅମିତ ଆଉ ମୋହନ ଦୁଇଜଣଙ୍କୁ କିଏ ଜଣେ ଭଙ୍ଗାକାଚରେ ଗଳାକାଟି ହତ୍ୟା କରିଛି । ଆଉ ସେଇ ଦିନ ରାତିରେ ସେ ସ୍ଵପ୍ନ ଦେଖିଲା ଯେ ସେହି ସ୍ତ୍ରୀ ଲୋକ ଆସି ତାକୁ ସ୍ଵପ୍ନରେ କହୁଛି “ମୋହନର ଚରିତ୍ର ବହୁତ ଖରାପ ଥିଲା । ସେ ଆମ ଗାଁର ଜଣେ ବିଧବା ମହିଳାକୁ ଅନ୍ତଃସତ୍ଵା କରି ମାରିଦେଇ ଥିଲା ଏବଂ ତା ହତ୍ୟାର ମୁକସାକ୍ଷୀ ମୁଁ ଥିଲି । ତାକୁ ଏ ସବୁ ଖରାପ କାମ କରିବା ପାଇଁ ଅମିତ ମଧ୍ୟ ସାହାଯ୍ୟ କରୁଥିଲା । ସେମାନେ ମିଶି ସେ ବିଧବାକୁ କୂଅରେ ପକେଇ ମାରି ଦେଇଥିଲେ ଆଉ ସେ କାଣ୍ଡ ମୁଁ ମୋ ନିଜ ଆଖିରେ ଦେଖିଥିଲି । ସେଥିପାଇଁ ସେମାନେ ପୁଲିସ୍ କବଳରୁ ନିଜକୁ ରକ୍ଷା କରିବା ପାଇଁ ମୋତେ ହତ୍ୟା କଲେ । କିନ୍ତୁ ମୋ ନିର୍ଦୋଷ ସ୍ଵାମୀଙ୍କୁ ସେମାନେ କାହିଁକି ହତ୍ୟା କଲେ? ଆଉ ସେଇ ପ୍ରତିଶୋଧ ନେବା ପାଇଁ ମୋ ଆତ୍ମା ଅମୋକ୍ଷ ହୋଇ ସେଇ ଆଇନା ଭିତରେ ରହିଥିଲା । କାରଣ ସେହି ଆଇନା ମୋ ପାଇଁ ମୋ ସ୍ଵାମୀ ଆଣିଥିଲେ ଯାହାକି ମୋର ସବୁ ଠାରୁ ପ୍ରିୟ ଜିନିଷ ଥିଲା । ସେମାନେ ବହୁତ ଚେଷ୍ଟା କରି ଥିଲେ ଏ ଆଇନାଟିକୁ ନଷ୍ଟ କରିଦେବା ପାଇଁ କିନ୍ତୁ ମୁଁ ତାହା ହବାକୁ ଦେଉ ନଥିଲି ଶେଷରେ ସେମାନେ ଗୋଟେ ତାନ୍ତ୍ରିକକୁ ଆଣି ତା’ର ପରାମର୍ଶରେ ଏହି ଆଇନାକୁ ସେ ଜାଗାଠାରୁ ଦୂରେଇ ଦେବାକୁ ଚେଷ୍ଟା କରୁଥିଲେ ଏବଂ ସେଥି ଯୋଗୁଁ ତୁମ ବନ୍ଧୁ ଅମିତ ମୋ କବଳରୁ ମୁକ୍ତି ପାଇବା ପାଇଁ ତୁମକୁ ରାଜସ୍ଥାନକୁ ପୁରୁଣା ଜିନିଷ ମିଳିବା ବାହାନା କରି ଡକେଇ ଥିଲା ” । ଚାଉଁକିନା ଭାଙ୍ଗିଗଲା ବିଶ୍ଵଜିତର ନିଦ । ଫୁଲ୍ ଏ ସି ରେ ବି ସେ ପୁରା ଝାଳରେ ଭିଜି ଯାଇଥିଲା । ପରଦିନ ବିଶ୍ଵଜିତ ଦୋକାନ ଦାଇତ୍ଵ ରାଜୁକୁ ଦେଇ ମନର ଶାନ୍ତି ପାଇଁ କିଛି ଦିନ ପାଇଁ ଚାଲିଗଲା ବୈଷ୍ଣଦେବୀଙ୍କ ଦର୍ଶନ କରିବାକୁ ।

ସହକାରୀ ଅଧ୍ୟାପକ

ରୋଲାଣ୍ଡ୍ ଫାର୍ମାସୀ ମହାବିଦ୍ୟାଳୟ

ଖୋଡାସିଙ୍ଗୀ,ବ୍ରହ୍ମପୁର-୧୦

ବିଶ୍ଵଜିତ ଆଇନା ଦୋକାନ

Rate the content


Originality
Flow
Language
Cover design

Comments

Post

Some text some message..