Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Senapati

Others

4  

Prasant Kumar Senapati

Others

ଭଙ୍ଗା ଚଷମା

ଭଙ୍ଗା ଚଷମା

5 mins
14.6K


ଭଙ୍ଗା ଚଷମା-:

 

ଅସ୍ତଗମୀ ସୂର୍ଯ୍ୟ ସୁନେଲି ରଙ୍ଗର କିରଣ ସହିତ ସହର ବଜାର, ଗଗନ ଚୁମ୍ଭି ଅଟ୍ଟାଳିକା ଓ ଗଛଲତାଙ୍କୁ ପଛରେ ଛାଡିଦେଇ ଧୀରେ ଧୀରେ ଲୁଚି ଯାଉଥିଲେ ଦରିଆ ସେପାଖରେ । ଅନ୍ୟପଟେ କୋମଳ ବାଳକ ପରି ନିଜର ଅସ୍ତିତ୍ୱକୁ ସମ୍ପୂର୍ଣ୍ଣ ରୂପେ ଫେରିବା ପାଇଁ ଜହ୍ନ ବାଦଲ ମାଳା ଭିତରୁ ନିଜ ମୁହଁ ଦେଖାଉଥିଲା । ସୂର୍ଯ୍ୟ ରହିଲେ ଜହ୍ନ କେବେ ସମ୍ପୁର୍ଣ୍ଣରୁପେ ନିଜ ଅସ୍ତିତ୍ୱକୁ ଫେରିପାରେନା । ସଂଧ୍ୟା ହେବା କ୍ଷଣି ପକ୍ଷୀମାନେ ଚିଁ ଚିଁ କରି ନିଜ ବସାକୁ ଫେରିବାରେ ବ୍ୟସ୍ତ । ଦ୍ୱିପ୍ରହରର ବର୍ଷା ପୂର୍ବରୁ ତାଙ୍କୁ ଯେତିକି ଆହାର ମିଳିଥିଲା, ସେତିକିରେ ସେମାନେ ସନ୍ତୁଷ୍ଟ ଥିଲେ । କାରଖାନାର କାରିଗର ବି ଘରମୁହାଁ ହେଲେଣି । ବର୍ଷାର ପ୍ରଭାବରେ ସହରର ମଧ୍ୟବର୍ତ୍ତୀ ଏକ ପାର୍କରେ ଜନଗହଳି ଦେଖାଯାଉନାହିଁ । କାଁ ଭାଁ ପାର୍କ ମଧ୍ୟରେ ଜଣେ ଅଧେ ଦେଖିବାକୁ ମିଳୁଛି । କିନ୍ତୁ ପାର୍କର ଏକ କୋଣ ବେଞ୍ଚରେ ଜଣେ ବୃଦ୍ଧ ବସି ଚିନ୍ତାମଗ୍ନ ଥିଲେ । 

 

ତାଙ୍କର ଅନ୍ତରଆତ୍ମା ଆଜି ସ୍ଥିର କରି ପାରୁନଥିଲା ଘରକୁ ଫେରିବେ କି ନାହିଁ ? ଆଜି ଭଳି ପୀଡା କେବେ ସେ ଅନୁଭବ କରିନଥିଲେ ଯାହା ଆଜି ତାଙ୍କୁ ଭୋଗିବାକୁ ପଡୁଛି । ତାଙ୍କ ସ୍ତ୍ରୀ ଥିବା ସମୟରେ ଏପରି କେବେ ସେ ଅନୁଭବ କରିନଥିଲେ । ତାଙ୍କ ସ୍ତ୍ରୀ ବଞ୍ଚିଥିବା ପର୍ଯ୍ୟନ୍ତ ପରିବାରର ନାଆ ରୂପକ ମଙ୍ଗକୁ ଠିକ୍ ଦିଗରେ ଚଳାଇ ପାରିଥିଲେ । ବୋଧେ ସେ ଅକ୍ଷମ ଥିଲେ ପରିବାର ଚଳାଇବା ପାଇଁ । ତିନିମାସ ପୂର୍ବରୁ ସବୁଦିନ ପାଇଁ ଦୁନିଆରୁ ତାଙ୍କୁ ଏକା କରି ଚାଲିଯାଇଛି ସେ । ସ୍ତ୍ରୀ ବିନା ଏତେ ଶିଘ୍ର ସେ ଭାଙ୍ଗଯିବେ ବୋଲି କେବେ କଳ୍ପନା କରିନଥିଲେ । ପୁଅ ବୋହୁ ଯାହାଙ୍କୁ ସେ ଅତି ନିଜର ଭାବୁଥିଲେ, ସେମାନେ ଆଜି କଥା କଥାକେ ତାନା ମାରୁଛନ୍ତି । 

 

ବେଳେବେଳେ ସେ ଅନୁଭବ କରୁଥିଲେ ଭୁଲ ବୋଧେ ନିଜର ଥିଲା । ସମୁଦି ଆଗରେ ଏପରି ଭଙ୍ଗା ଚଷମା ବିଷୟରେ କହି ସେ ଠିକ୍ କରିନଥିଲେ । କଥାରେ କଥାରେ ସେ ନିଜ ସମୁଦିକୁ କହିଥିଲେ ମାସେ ହେଲା ଚଷମାଟା ମୋର ଭାଙ୍ଗିଗଲାଣି, କାହାରିକୁ ସମୟ ହେଉନାହିଁ ନୂଆ ଚଷମାଟେ ଆଣିବା ପାଇଁ କିମ୍ଭା କାଚ ବଦଳ କରିଦେବା ପାଇଁ । ସେ ପୁଅ ବୋହୁଙ୍କ ମୁଣ୍ଡ ତଳକୁ କରିବା ଉଦ୍ଦେଶ୍ୟରେ କହିନଥିଲେ । କିନ୍ତୁ ଦୈନନ୍ଦିନର ଖବରକାଗଜ ପଢି ପାରୁନଥିବା ଦୁଃଖକୁ ସେ ପ୍ରକାଶ କରିଥିଲେ । ସ୍ତ୍ରୀର ମୃତ୍ୟୁ ପରେ ଖବରକାଗଜ ତାଙ୍କର ଏକମାତ୍ର ସାଥି ଥିଲା ।

 

କିନ୍ତୁ ଭୁଲବଶତଃ ହେଉପଛେ ଏକଥାଟି ତାଙ୍କ ପାଟିରୁ ବାହାରିବା ଆଜି ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଶାଶୁ ଥିବା ସମୟରେ ଯେଉଁ ବୋହୁ ପଦେ ବି ଓଲଟାଇ କହି ପାରୁନଥିଲା, ଆଜି ସେ ନିଜ ମନରେ ଥିବା ସମସ୍ତ ଅଗ୍ନୀକୁ ଜ୍ବାଳାମୁଖି ପରି ଉଦ୍ଗିରଣ କରିଥିଲା ତାଙ୍କ ଉପରେ । କେତେ ଦୁଃଖ କଷ୍ଟ ସହି ତୁମମାନଙ୍କ ପାଇଁ ମରିପଡି ଦିନରାତି କାମ କରେ, ମୋ ପାଇଁ ତୁମର କେଉଁ ଆବଶ୍ୟକତା ଅଧୂରା ରହିଯାଏ ଓ ମୋ ସ୍ୱାମୀର ରୋଜଗାରରେ ତୁମ ପାଇଁ ମାସକୁ କେତେ ଖର୍ଟ୍ଟ ହୁଏ, ସମସ୍ତ ଚିଠା ସବିସ୍ତାରେ ବର୍ଣ୍ଣନା କରିଥିଲା ବୋହୁ ।

 

ବାପା ଆପଣ ଜାଣିଥିବେ ମୁଁ ଆଜିକାଲି କେତେ ଖରାପ ସ୍ଥିତିରେ ଗତି କରୁଛି । ଝିଅର କଲେଜରେ ନାମ ଲେଖାଇବା ପାଇଁ ଦିନରାତି କଲେଜରୁ ଘର, ଘରରୁ କଲେଜ ଦୌଡୁଛି । ଯଦି ତୁମର କିଛି ଆବଶ୍ୟକ ଥିଲା ଆମକୁ କହିଥାନ୍ତେ, ତାର (ବୋହୁ) ବାପାଙ୍କୁ କହିବା କଣ ଦରକାର ଥିଲା ? ପୁଅ ନିଜ ସପକ୍ଷରେ ମତ ରଖିଲା । 

 

କିନ୍ତୁ ସେ ଜାଣିଥିଲେ ଏପରି ଦିନ ତାଙ୍କୁ ଦେଖିବାକୁ ପଡିବ । ବର୍ଷ ବର୍ଷ ଧରି ସାନ୍ତ ଚିତ୍ତରେ ବହିଯାଉଥିବା ନଦୀ ଯେତେବେଳେ ସାଗରରେ ମିଶେ ତାର ମୁହାଣରେ ଅଳିଆ ଜମା ହେବା ନିଶ୍ଚିତ । ସେ ଏପରି ଅଇଳା ଭିତରେ ଛନ୍ଦି ହୋଇ ଦେହ ତ୍ୟାଗ କରିବାକୁ ଚାହୁଁନଥିଲେ । ଯୁବକ ଅବସ୍ଥାରେ ଯେତେବେଳେ ନୂଆ ନୂଆ ଚାକିରି ଆରମ୍ଭ କଲେ ତାଙ୍କର ଜଣେ ମିତ୍ର ଆସି କୌଣସି ଏକ ସ୍କିମ୍ ଦେଖାଇ କହିଥିଲେ ମାସକୁ ମାସ କିଛି ପଇସା ସଞ୍ଚୟ କର, ଯାହା ତୁମ ବୃଦ୍ଧ ଅବସ୍ଥାରେ ସହାୟତା କରିବ । କିନ୍ତୁ ମିତ୍ର ପେନସନ୍ ତ ମିଳିବ ସେ ସମୟରେ, ସେ ହସି ହସି କହିଥିଲେ ।  ଭାଇ ପେନସନ୍ ପରିବାର ପାଇଁ । ତୁ ନିଜ ପାଇଁ କିଛି ସଞ୍ଚୟ କର । ସେଦିନର ମିତ୍ର କଥା ମାନି କିଛି କିଛି ପଇସା ସଞ୍ଚୟ କରିଥିଲେ ଯାହାକି ଆଜି ସାତ ଆଠଲକ୍ଷ ଟଙ୍କା ହେବ । ସେ ନିଶ୍ଚିତ କରିନେଲେ ଏଠାରେ ସବୁକିଛି ଛାଡି ଗାଁକୁ ଚାଲିଯିବେ । ନିଜର ବଳକା ଜୀବନ ସାନ୍ତିରେ ବଞ୍ଚିବ । କାହା ଉପରେ ବୋଝ ହେବାକୁ ସେ ଚାହୁଁନଥିଲେ ।

 

ସେ ସମସ୍ତ ଯୋଜନା କରିନେଲେ । ସପ୍ତାହ ଶେଷ ସୁଦ୍ଧା ଟିକଟ ବୁକିଂ ହୋଇଗଲା । ପୁଅ ବୋହୁକୁ ବି ଗାଁରେ ଯାଇ ରହିବା କଥା ଜଣାଇଲେ । ପୁଅ ପ୍ରଥମେ ମନା କରୁଥିଲା କିନ୍ତୁ ବାପାଙ୍କ ଦୃଢ ନିଷ୍ପତ୍ତି ଓ ସଞ୍ଚିତ ପଇସା କଥା ଶୁଣିବା ପରେ ଆଉ ବାଧ୍ୟ କଲାନାହିଁ ।

 

ଆସନ୍ତାକାଲି ସଂଧ୍ୟାରେ ଟ୍ରେନ୍ ଥିଲା ଓ ସେ ତାର ସମସ୍ତ ଜିନିଷପତ୍ରକୁ ସଜାଡି ଝାଡିଝୁଡି ଏକତ୍ର କରିବାରେ ବ୍ୟସ୍ତ । ସଂଧ୍ୟାରେ ପୁଅ କି ବୋହୁ କେହି ଠିକରେ ବି କଥା ହେଲେ ନାହିଁ । ସ୍ତ୍ରୀର ଫଟୋକୁ ସୁଟକେସ୍ ରେ ରଖୁ ରଖୁ ଅଜାଣତେ ଦୁଇବୁନ୍ଦା ଲୁହ ବହିଗଲା । ଠିକ୍ ଏହି ସମୟରେ ପୁଅକୁ ଆସିବାର ସେ ଦେଖିଲା ।

 

ମୁଁ କାଲି ସଂଧ୍ୟା ଟ୍ରେନ୍ ରେ ଚାଲିଯିବି । ତୁ ସମସ୍ତଙ୍କ ଯତ୍ନ ନେବୁ, ସେ ପୁଅକୁ କହିଥିଲେ । 

ବାପା, ସେ ....ପୁଅ କହୁକହୁ ଅଟକି ଗଲା ।

କଣ ହେଲା କୁହ । ସେ ନିଜ ପୁଅକୁ ନିଜ ପାଖକୁ ଟାଣି ଆଣି କୋଳରେ ବସାଇ ପଚାରିଲେ ।

ବାପା, ଆମକୁ କ୍ଷମା କରିଦିଅନ୍ତୁ । ଆପଣଙ୍କୁ କେଉଁଠିକି ଯିବାର ଆବଶ୍ୟକତା ନାହିଁ । ଆଗତ ଭବିଷ୍ୟତରେ ଏପରି କୌଣସି ଭୁଲର ସୁତ୍ରପାତ ହେବନାହିଁ ।

ସେ ଅନୁଭବ କଲେ ପୁଅ କିଛି କହିବାକୁ ଯାଇ କହିପାରୁନି ।

କଣ ହୋଇଛିି ମୋତେ ଖୋଲାଖୋଲି କୁହ ?

ତୁମ ନାତୁଣିକୁ ଡକ୍ଟର ପଢାଇବା ପାଇଁ ସହରର ଏକ ନାମୀଦାମୀ କଲେଜରେ ସିଟ୍ ମିଳିଛି । ବହୁତ ବଢିଆ କଲେଜ୍ ।

ହଁ ବହୁତ ଭଲ କଥା । ଝିଅ ଆମର ଡକ୍ଟର ହେବ ।

କିନ୍ତୁ ବାପା କଲେଜ୍ କତ୍ତୃପକ୍ଷ ଦଶଲକ୍ଷ ଟଙ୍କା ଡୋନେସନ ମାଗୁଛନ୍ତି । ଦୁଇ ତିନି ଲକ୍ଷ ହୋଇଥିଲେ ମୁଁ ବ୍ୟବସ୍ଥା କରିଦିଅନ୍ତା । କିନ୍ତୁ ଦଶଲକ୍ଷ....ଯଦି ଆପଣ କିଛି ....?

ସେ ମନକୁ ମନ ବହୁତ ଯୋରେ ହସିଲା । ନିଜର ଅସହାୟତା ଉପରେ, ପୁଅର ଅସହାୟ ଅବସ୍ଥା ଉପରେ, ସଂସାରରେ ଚାଲିଆସୁଥିବା ଅବ୍ୟବସ୍ଥା ଉପରେ, ଯାହାକି ଶେଷ ମୁହୁର୍ତ୍ତରେ ମଧ୍ୟ ନିଜ ସଞ୍ଚୟ ଅର୍ଥକୁ ପରିବାରର ଖୁସିରେ ଆତ୍ମଦାହ କରିବାକୁ  ବାଧ୍ୟ କରୁଛି । 

ବାବାରେ, ମୁଁ କହିଥିଲି ନା ବାପା ହେବାର କଷ୍ଟ ଓ ଦାୟିତ୍ବ ତୁମେ ସେତେବେଳେ ବୁଝିବ ଯେବେ ତୁମେ ନିଜେ ନିଜକୁ ଭୂଲି ସନ୍ତାନର ଖୁସିରେ ଖୁସି ହେବା ଶିଖିବ । 

ବାପା, ଆପଣଙ୍କୁ ଆଉ କେବେ ବି ଦୁଃଖ ଦେବା ପରି କାମ କରିବୁ ନାହିଁ । 

କିଛି ନାହିଁ । ସକାଳୁ ସେ ଉଠି ବ୍ୟାଙ୍କ ଗଲା ଓ ସମସ୍ତ ଟଙ୍କା କ୍ୟାସ୍ ରୁପେ ଉଠାଇ ଆଣି ପୁଅ ହାତରେ ଧରାଇଦେଲା । ପୁଅ ପାଖରେ ଆଉ କିଛି କାରଣ ନଥିଲା ଯେ ସେ ବାପାଙ୍କ ଆଖିରେ ଆଖି ମିଶାଇ କଥା କହିପାରିବ । ସେ ଲାଜ ସରମରେ ଜଳି ଯାଉଥିଲା ବୃଦ୍ଧ ସମୟରେ ଯାହାଙ୍କୁ ପୋଷିବା କଥା ସେ ଆଜିବି ମୋତେ ପୋଷୁଛନ୍ତି ।

 

ସଂଧ୍ୟାରେ  ଝିଅର ଆଡ୍ମିସନ କରି ଫେରିବା ସମୟରେ ତାର ମୁହଁ ଖୁସିରେ ଝଲକ ଦେଖାଯାଉଥିଲା ଓ ମନରେ ପଶ୍ଚାତାପର ଧାରା ପ୍ରବାହିତ ହେଉଥିଲା । ଝିଅକୁ ବାରମ୍ବାର ବୁଝାଇ କହିଥିଲା ଘରେ ପହଞ୍ଚିବା ମାତ୍ରେ ବାପାଙ୍କ ପାଦ ଛୁଇଁ ଆଶୀର୍ବାଦ ନେବୁ ଓ ତାଙ୍କୁ ଧନ୍ୟବାଦ ଜଣାଇବୁ ।

କିନ୍ତୁ ଘରେ ପହଞ୍ଚିବା ପରେ ସବୁକିଛି ଶୁନଶାନ୍ ଥିଲା । ସଂଧ୍ୟା ଟ୍ରେନରେ ବାପା ଯାଇସାରିଥିଲେ । ଟେବୁଲ୍ ଉପରେ ରଖାଯାଇଥିବା ଭଙ୍ଗା ଚଷମାଟି ଖତେଇ ହୋଇ କହୁଥିଲା ବାପା କାହାର ବୋଝ ହେବାକୁ ଚାହାନ୍ତି ନାହିଁ । ତାଙ୍କର କିଛି ବି ଆବଶ୍ୟକ ନାହିଁ , ନା ଚଷମା ଆବଶ୍ୟକ ନା ଧନ୍ୟବାଦ୍  ।


Rate this content
Log in