Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମୋ ବୋଉ
ମୋ ବୋଉ
★★★★★

© Kulamani Sarangi

Inspirational Others

3 Minutes   7.0K    14


Content Ranking

ଅଠେଇଶ ବର୍ଷ ତଳର କଥା ।ସେତେବେଳେ ହାଇଦ୍ରାବାଦର ଅମୀର ପେଟ୍ ଅଞ୍ଚଳରେ ମୋ ସରକାରୀ ବାସ ଭବନରେ ରହୁଥିଲି। ବହୁ ଚେଷ୍ଟା ପରେ ବୋଉ ରାଜିହେଲା ଗାଁରୁ ଯାଇ ସେଠାରେ ମୋ ପାଖରେ କିଛିଦିନ ରହିବା ପାଇଁ।

ବୋଉ ମୋର ପାଠ ଘରେ ଶ୍ରୀଅକ୍ଷର ବରୁଣେଇ ପାହାଡ ।ଫେମିଲି ପେନସନ୍ ଆଣିବା ପାଇଁ ,ଟିପ ଦବା ବଦଳରେ ପାଞ୍ଚଟି ଓଡିଆ ବର୍ଣ୍ଣ ଲେଖି ଜାଣିଥିଲା "ସେବତୀ ଦେବୀ" ।ସେ ଅକ୍ଷର ଦୁଇଟି ବହୁ ପରିଶ୍ରମ କରି ମୋ ଭଉଣୀ ବୋଉକୁ ଶିଖେଇ ଥିଲା ।କିନ୍ତୁ ରୋଷେଇ ଓ ଘରକରଣା କାମରେ ତା ଭଳି ପାରଦର୍ଶୀ ମହିଳା ମୁଁ ଏ ପର୍ଯ୍ୟନ୍ତ ଦେଖିନି । ତା’ ହାତ ତିଆରି ଘୋରା ମଣ୍ଡା ,ଆଜି କାଲିର ପଞ୍ଚ ତାରକା ହୋଟେଲର ସେଫ୍ ମାନଙ୍କ ଦ୍ବାରା ପ୍ରସ୍ତୁତ ମେମୋ ଠାରୁ ହଜାର ଗୁଣ ସ୍ଵାଦିଷ୍ଟ ଥିଲା ।ଛ'ଛଅଟା ପିଲାଙ୍କୁ ସମ୍ଭାଳିବା ସଙ୍ଗେ ସଙ୍ଗେ ଧାନକୁଟା,ପାଣି ଅଣା,ବାଡି ବଗିଚା କାମ ସାରି ନନା(ବାପା)ଙ୍କ ସ୍କୁଲ୍ ଯିବା ପୂର୍ବରୁ କେମିତି ସେ ଛ ତିଅଣ,ନ ଭଜା କରି ଦେଇ ପାରୁଥିଲା,ଏବେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ ।ଦୁର୍ଗାଙ୍କ ଦଶ ବାହୁ ପରି ତାର ଅଦୃଶ୍ୟ ଦଶଭୂଜ ଥିଲା ବୋଧହୁଏ ।ପାଠ ନ ପଢି ଥିଲେ ମଧ୍ୟ,ହିସାବ ପତ୍ରରେ ତା ମୁଣ୍ଡ କମ୍ପ୍ୟୁଟର ପରି କାମ କରୁଥିଲା।

ଯିବା ପୂର୍ବଦିନ ସବୁ ଜିନିଷ ସାଇତା ସାଇତି କରି ତା କନା ମୁଣିରେ ରଖିଲା ।ଲୁଗାପଟା ଛଡା,ପାନ,ଗୁଆ,ଗୁଣ୍ଡି,କେତକୀ ଖଇର,ଦି’ମାସ ପାଇଁ ଡବାରେ ଡବେ ଗୁଡାଖୁ ଏବଂ ତା ସଙ୍ଗେ ସଙ୍ଗେ ପ୍ରଥମ ଥର ପାଇଁ କିଣିଥିବା କଲଗେଟ୍ ବ୍ରସ୍ ଓ ଜିଭଚିରା ମଧ୍ୟ ସାଇତି ରଖିଲା ।କିନ୍ତୁ ସେ ସାମଗ୍ରୀ ଭିତରେ ସବୁଠୁ ଯାହା ମତେ ବେଶି ଆଶ୍ଚର୍ଯ୍ୟ କରିଥିଲା,ତା'ହେଲା ଡାବର ଲାଲ୍ ଦନ୍ତ ମଞ୍ଜନ ଡବାଟି ।ବୋଉକୁ ପଚାରିଲି "କଲଗେଟ୍ ପେଷ୍ଟ ପରା ଅଛି,ଏଇଟା କାହିଁକି କିଣିଚୁ?"ବୋଉ କହିଲା "ଗୁଡାଖୁ ଶେଷ ହେଲେ ଲାଲ୍ ଦନ୍ତ ମଞ୍ଜନ ଘସିବି ।ତୁ ସେଠି ଗୁଡାଖୁ କୁଆଡୁ ଆଣିବୁ ।"ହସ ଲାଗିଲା ।ବୋଉ ଭାବୁଥିଲା ସେ ଭାରତ ବାହାରକୁ ଯାଉଚି ନା କ’ଣ।

ହାଇଦ୍ରାବାଦରେ ପହଞ୍ଚି ବୋଉ ବଡ ନିସଙ୍ଗ ଅନୁଭବ କଲା ।ଗାଁରେ ଥିବା ପୁଅ,ବୋହୂ,ନାତି ନାତୁଣୀ ସମସ୍ତେ ମନେ ପଡିଲେ ।ମୋ ପୁଅ,ଝିଅ ସେମାନଙ୍କ ସ୍ଥାନ ପୂରଣ କରି ପାରିଲେ ନାହିଁ ବୋଧହୁଏ ।ସକାଳେ ଦଶଟା ପର୍ଯ୍ୟନ୍ତ ସେମାନଙ୍କ ସାଙ୍ଗରେ ଖୁସିରେ ଥାଏ ।ସେମାନେ ସ୍କୁଲ୍ ଗଲା ପରେ ଆଉ ମୁଁ ଅଫିସ ଗଲା ପରେ ବୋଧହୁଏ ତାର ନିସଙ୍ଗତା ବଢିଯାଏ ।ତା'ର ନିସଙ୍ଗତା ଦୂର କରିବାକୁ ଆମେ ବହୁତ ଚେଷ୍ଟା କଲୁ ।ତାର ସବୁ,ସୁବିଧା ଅସୁବିଧା ବୁଝିବା ସତ୍ତ୍ଵେ ଜଣାଗଲା ଯେମିତି ସେ କାହାକୁ ମନେମନେ ଖୋଜୁଛି।

ଟିକିଏ ମୁଣ୍ଡରେ ଜୋର୍ ଦେଇ ମୁଁ କାରଣଟା ଜାଣି ପାରିଲି ।ଗାଁରେ ସେ ତାର ସମବୟସ୍କା ଶିବ ବୋଉଙ୍କ ସହିତ ସବୁ ଦିନ କଥା ଭାଷା ହୋଇ ମନକୁ ସରସ ରଖୁଥିଲା ।ମୁଁ ଏଠି ଶିବ ବୋଉଟିଏ କୋଉଠୁ ଆଣିବି?

ଏମିତି କିଛିଦିନ ବିତିଗଲା ।ଦିନେ ଅଫିସ୍ ରୁ ଫେରି ମୁଁ, କଲୋନି ଭିତରେ ଥିବା କଇଁଆ ଗଛ ମୂଳେ ଥିବା ସିମେଣ୍ଟ ବେଞ୍ଚ ଉପରେ ଗୋଟିଏ ଅଦ୍ଭୁତ ଦୃଶ୍ୟ ଦେଖିଲି ।ବେଞ୍ଚରେ ମୋ ବୋଉ ପାଖରେ ଆପା ରାଓ ବାବୁଙ୍କ ଜେଜେମା ବସି ଗପ ସପ ହେଉଛନ୍ତି ।ଉଭୟେ ସମବୟସ୍କା, ଲାଗ ପାଟ ଅଶି ବର୍ଷର ଦୁଇ ମହିଳା ନିଜ ନିଜ ଭାଷାରେ କଥୋପକଥନ ହେଉଛନ୍ତି ।ରାଓ ବାବୁଙ୍କ ଜେଜେମା ତେଲୁଗୁ ଛଡା ଅନ୍ୟ କୌଣସି ଭାଷା ବୁଝି ପାରନ୍ତିନି କି ମୋ ବୋଉ ଓଡିଆ ବ୍ୟତିତ ଅନ୍ୟ କୌଣସି ଭାଷା ବୁଝେନି ।କୌତୁହଳ ସମ୍ବରଣ ନକରିପାରି ,ସେମାନଙ୍କ ଅଜ୍ଞାତରେ କଥୋପକଥନ ଶୁଣିବାକୁ ଚେଷ୍ଟାକଲି ।ବୋଉ ପ୍ରାଞ୍ଜଳ ଓଡିଆରେ ହାତ ଠରାଠରି କରି କହୁଥିଲା" ଆଜି ଘରେ ଆମର ବଡି ବେସର,ଛୁଇଁ ଭଜା ହେଇଥିଲା ।ତମର କଣ ହେଇଥିଲା?"ଆପ ରାଓ ବାବୁଙ୍କ ଜେଜେମା ତେଲୁଗୁରେ କଣ ଗୁଡାଏ କହି ଯାଉଥାନ୍ତି,ମୁଁ ସିନା ବୁଝି ପାରୁନଥିଲି,ବୋଉ କିନ୍ତୁ ଠାରରୁ ସବୁ ବୁଝି ପାରିଲା ପରି ଜଣା ଯାଉଥିଲା ।ସେମାନଙ୍କ ହସ ଖୁସିରେ ବାଧା ନଦେଇ ଘରକୁ ଚାଲି ଆସିଲି ।ଶ୍ରୀମତୀଙ୍କ ଆଗରେ ଏ କଥା ଜଣାଇବାରୁ ସେ କହିଲେ “ଇଏ କଣ ଆଜି?,କେତେଦିନ ହେଲା ସେମାନେ ଠରାଠରି ହେଇ କଥା ହଉଚନ୍ତି ନା" ।ଆଖିରେ ମୋର ଲୁହ ଆସିଗଲା । ଭାବିଲି,ଏତେ ଚେଷ୍ଟାକରି ବୋଉକୁ ଯେଉଁ ଖୁସି ଟିକକ ଦେଇ ପାରିନଥିଲେ,

ସେ ନିଜେ ତାହା ଖୋଜି ପାଇଛି ।ତାପରେ ମୁଁ ଦେଖିଛି ପ୍ରାୟ ସବୁ ଦିନ ସଂଧ୍ୟା ସମୟରେ କଇଁଆ ଗଛ ମୂଳ ବେଞ୍ଚରେ ବସି ସେ ଦୁଇଜଣ ସାଙ୍କେତିକ ଭାଷାରେ ଭାବ ବିନିମୟ କରୁଥିଲେ।

ବୋଉର ଗାଁ ମନେ ପଡିଲା ।ଫେରିବା ଦିନ ପାଖେଇ ଆସିଲା । ଲୁଗାପଟା ସାଇତିଲା ବେଳେ ଦେଖିଲି ,ଗୁଡାଖୁ ଡବା ଯେମିତି ଆସିଥିଲା ସେମିତି ଅଛି । କିଛି ସେଥିରୁ ବ୍ୟବହୃତ ହେଇନି।

ବୋଉ ତା ଗୁଡାଖୁ ଘସା ଅଭ୍ୟାସ ପୂରା ଛାଡି ଦେଇଥିଲା।

ଷ୍ଟେସନକୁ ଯିବାପାଇଁ ଗାଡିରେ ବସିବାବେଳେ ବୋଉ ସେହି କଇଁଆ ଗଛ ମୂଳକୁ ଚାହିଁଲା ।ଆଖି ତାର କାହାକୁ ଖୋଜୁଥିଲା ।ଆଖି କଣରେ ଦି ଟୋପା ଲୁହକୁ ସମସ୍ତଙ୍କ ଅଜାଣତରେ ଲୁଗା କାନିରେ ପୋଛି ଦେବାଟା ,ମୋ ଆଖିରେ ଧରାପଡି ଯାଇଥିଲା।

ବୋଉ ଶ୍ରୀଅକ୍ଷର ପାହାଡ

Rate the content


Originality
Flow
Language
Cover design

Comments

Post

Some text some message..