Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମିସ୍ ମହାନ୍ତି
ମିସ୍ ମହାନ୍ତି
★★★★★

© ସତ୍ୟବତୀ ସ୍ୱାଇଁ

Inspirational

6 Minutes   1.1K    58


Content Ranking

ପ୍ରେତ୍ୟେକ ପେପର ଶିରୋନାମାରେ ମିସ୍ ମହାନ୍ତିଙ୍କ ଚାଞ୍ଚଲ୍ୟକର କାର୍ଯ୍ୟର ଖବର । ସେ କୁଆଡେ ଗୋଟିଏ ଯମ ଅପରାଧୀଙ୍କ ପାଇଁ । ଏକଥା ମିସ୍ ମହାନ୍ତିଙ୍କ କାନରେ ପଡିଲେ ସେ ହସି ଉଠନ୍ତି । ଆଉ ଖୋଜନ୍ତି ନିଜକୁ।ଟିକେ ପଛକୁ ଅନେଇଁଲେ ମିସ୍ ମହାନ୍ତି।ଏଇତ ଦିଶି ଜାଉଛି ଉଜୁଡା ଶୈଶବର ଲୋଭନୀୟ କ୍ଷେତ....

କଅଁଳ ଶୈଶବ ଖୋଜୁଥିଲା ମେଘ ମୁକ୍ତ ଆକାଶର ସକାଳ ଖରା । ବାବା ମାମାଙ୍କ ତୁ ତୁ ମେ ମେ ପଙ୍କରେ କେଉଁଠି ହଜିଯାଉଥିଲା ପିଲା ପଣ ସରଳିଆ ମନ ପଦ୍ମ ମିଷ୍ଟିର । ଅତି ପିଲା ଦିନୁ ସେ ଦେଖିଛି ବାବା ମାମା ଝଗଡା ହୁଅନ୍ତି । ମାମା ଗର ଗର ହୁଏ । କାନ୍ଦେ ବି । ମୁହଁ ମାଡି ଶୁଏ । ଖାଇବା ଟେବୁଲରେ ଖାଦ୍ୟ ପ୍ଲେଟ ଫିଙ୍ଗା ଫିଙ୍ଗି ହୁଅନ୍ତି ଦୁହେଁ । ଘରର ଆସବାସପତ୍ର ଭଙ୍ଗା ରୁଜା କରନ୍ତି ବି ସେମାନେ ।

ଯେବେ ବାବା କୌଣସି ଝିଅ ବନ୍ଧୁଙ୍କୁ ଆଣି ଘରକୁ ଆସନ୍ତି ।ପାଦ ଠିକ୍ ଭାବେ ପକାଇ ପାରୁ ନଥାନ୍ତି। ଝିଅ ମାନଙ୍କ କାନ୍ଧରେ ଭରା ଦେଇ ଆସନ୍ତି । ମୋତେ ଓ ମାମାକୁ ଆମ ବେଡ଼ ରୁମରୁ ବାହାରିବାକୁ ପଡେ । ମାମା ଓ ମୁଁ ଗେଷ୍ଟ ରୁମରେ ଶୋଉ । ମାମା କୁ ପଚାରିଲେ ମାମା କୁହନ୍ତି ସେ ବାବାଙ୍କ ଭଲ ସାଙ୍ଗ ନା ସେ କଣ ବାହାରେ ଶୋଇବେ!ଆମେ ଘର ଲୋକ ତ ,ଯେଉଁଠି ଶୋଇଲେ ବି ଚଳିବ ।

ମାମା କିନ୍ତୁ ସେଦିନ ରାତି ସାରା ଢେର କାନ୍ଦନ୍ତି । ମୁଁ ମାନେ ମିଷ୍ଟି କିନ୍ତୁ ବୁଝି ପାରେନି ମୋଠାରୁ ଆଉ ମୋ ମାମାଠାରୁ ଏତେ ବଡ଼ ସେଇ ଝିଅ ଗୁଡାକ କେମିତି!ମୋର ରାଗ ହୁଏ । ମନ କୁହେ ଯିବି ନଦି ପକାଇବି ତାଙ୍କୁ । ନ ପାରିଲେ କାମୁଡି ଆମ୍ପୁଡି ଦେବି । ମାମା କିନ୍ତୁ ଅଟକାଏ।

ତାପର ଦିନ ଆରମ୍ଭ ହୋଇଯାଏ ଝଗଡା । ଏମିତି ପ୍ରାୟତଃ ହୁଏ । କାହିଁକି ହୁଏ ଏ କଥା ବୁଝି ପାରେନି ମୁଁ । ଏତିକି ବୁଝେ କିନ୍ତୁ ସେଇ ପୋଡାମୁହିଁ ଝିଅ ଗୁଡା ଏହାର କାରଣ । ଏହି ବାବାମାମାଙ୍କ ଝଗଡା ଝଡରେ ଭୀଷଣ ଆଘାତ ପାଏ ମୁଁ । ଭୟରେ ଥରେ ଗଡ଼ରେଜ୍ କି ବେଡ଼ ତଳେ ଲୁଚି ଭୟରେ ଆଖିବୁଜିଦିଏ । ଝାମ୍ପୁଲା ଚୁଟିକୁ ଡବ ଡବ ଆଖି ମୋର ବହୁତ କରୁଣ ଦିଶେ । ଅସହାୟତାର ଢେଉ ଲୁହ ହୋଇ ବହି ପଡେ । ମାମା ଦେହରେ ଜଡେଇ ହୋଇ କେବଳ ଆଖି ଦିଟା କଇଁଚ ପରି ବାହାରକୁ ବାହାର କରେ ଅତିଶୟ ପରିସ୍ଥିତି ହେଲେ । ମାମା ପଛେ ଲୁଚିକି ଦେଖେ ବାବାଙ୍କ ଭୟଙ୍କର ରୁପ ।

ଭିଷଣ ଘୃଣାଜନ୍ମେ ବାବାଙ୍କ ପାଇଁ।ସେ ଗେହ୍ଲେଇ କି ଡାକିଲେବି କେବେ ଯାଏନି ତାଙ୍କ ପାଖକୁ । ଅତଏବ ବାବା ମାନଙ୍କର ଯେଉଁ ବାତ୍ସଲ୍ୟ ସେହ୍ନ ମମତା ସେ ଘର ମୋର ଶୁନ୍ୟ ହୋଇଯାଏ । ମୁଁ ହୋଇଯାଏ ନିଷ୍ଠୁର,

ଘୋଠ ଖଣ୍ଡିଆ ପରି । ନା କାହା ସଙ୍ଗେ ମିଶେ ନା ହସେ ନା କହିପାରେ ନିଜ ସାଇତା କଷ୍ଟ । ବାବା ଅଫିସରୁ ଆସିଲା ମାନେ ମାମାକୁ ନେଇ କବାଟ କିଳି ଦିଅନ୍ତି।ମୁଁ ବସି ରୁହେ ଘରର ଗୋଟିଏ କୋଣେ ସ୍ଥିର ହୋଇ । ଘରୁ ବାହାରିଲା ବେଳୁ ମାମା ମୁହଁ ଯନ୍ତ୍ରଣାରେ ଫାଟି ପଡୁଥାଏ । ମୋତେ କୋଳେଇ ନେଇ ଢେର ସମୟ କାନ୍ଦେ।

ଯଦିଓ ମାମା ବାବାଙ୍କଠାରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରେ;କିନ୍ତୁ ପାରେ ନାହିଁ । ବାବା ସବୁ ଥର ଜିତି

ଯାଆନ୍ତି । ମାମାର ଗାଲ ଫୁଲେ,ବା ହାତ ଭାଙ୍ଗେ ନଲେ ଗୋଡ଼ ବା ମୁଣ୍ଡ ଫାଟେ । ମୁଁ କେବଳ ଭେଁ କରି କାନ୍ଦି ଯାହା ।

ଭାବେ.. କାନ୍ଦୁଛୁ କେବଳ ମୁଁ ବା ମାମା କାହିଁକି?କାହିଁକି

ବାବା ନୁହନ୍ତି!ବହୁତ କାହିଁକି.. କାହିଁକି ପ୍ରଶ୍ନ ଜାଲରେ ଛନ୍ଦି ହୋଇଯାଏ ମୋ ଉଜୁଡା ଶୈଶବ ।

ଆଶ୍ଚର୍ଯ୍ୟ ହୁଏ ସେଇ ବାବା ଶ୍ରୀଯୁକ୍ତ ବିସ୍ମୟ ମହାନ୍ତି ଡାକ୍ତରଙ୍କ ପାଖକୁ ମୋ ମାମା ନୂତନ ମହାନ୍ତି ନେଇ ଯାଆନ୍ତି। ଔଷଧ ଖୁଆନ୍ତି।ରାନ୍ଧି ବାଢି ମାମାର ମନ ନେବାକୁ ଚେଷ୍ଟା କରନ୍ତି।ମାମା ରୁଷେ,ମୁହଁବୁଲାଏ,

କେବଳ କାନ୍ଦେ ଆଉ କାନ୍ଦେ । ବାବା ପିଠି ସାଉଁଳେଇ କୁହନ୍ତି" ନିତୁ କେତେ ଥର କହିଛି ମୋ କଥାରେ ମୁଣ୍ଡ

ପୁରେଇବ ନାହିଁ।ତୁମକୁ ଖରାପରେ ରଖିଛି କେଉଁ

ଥିରେ?? ଖାଇବା,ପିନ୍ଧିବା,ଗହଣା ଗାଣ୍ଠି,ଚାକର ବାକର!!ମୁଁ ପୁରୁଷ ପୁଅ ହେଲା ଅବା ସୁନ୍ଦରୀ ଝିଅଟିଏ ଦେଖିଲେ ମୁହଁ ମାରିଲି,ସେଥିରେ ତୁମର କଣ ଯାଏ??

ମୁଁ ନିଜକୁ ପଚାରେ ଏଇ ମୁହଁ ମାରିବା ଟା କଣ!!କଣ ପୁରୁଷ ପୁଅ!! ଏଇ ବଡ଼ବୋଲାଉଥିବା ଲୋକେ ଭଲ କାହାକୁ କୁହନ୍ତି??

ଖାଇବା !

ପିନ୍ଧିବା !

ଗାଡି !

କୋଠା !

ଚାକର ବାକର !

ଯେଉଁଠି ଭଲ ପାଇବା ନାହିଁ ଏସବୁ ଥାଇ କଣ ହେବ??ଏ କଥା ମାମା ବୁଝି ପାରନ୍ତି ନାହିଁ କାହିଁକି??

ଦିନେ ସାହସ କରି ପଚାରିଲି"ବାବା!ମାମାକୁ ମାର କାହିଁକି??" ସେ ଅଚିହ୍ନା ଝିଅ ଗୁଡାକ ଆମ ଘରକୁ ଆସନ୍ତି କାହିଁକି??କାହିଁକି ମୋ ଜାଗା ମୋ ମାମା ଜାଗାରେ ସେ ଅଚିହ୍ନା ବାଜେ ଝିଅ ଗୁଡା ଶୁଅନ୍ତି।କାହିଁକି ତୁମେ ପ୍ରତିଦିନ ପିଉଛ।କାହିଁକି ବାବା କାହିଁକି??ବାବା କିଛି ନକହି ଚୁପ୍ ରୁହନ୍ତି । ମୋତେ ଠେଲି ଦେଇ କୁହନ୍ତି ଧେତ!ଯା ଏଠୁ । ମାମା ପାଇଁ ଓକିଲାତି କରିବାକୁ ଆସିଲା ମେଞ୍ଚଡ଼ଟା ।

ମୁଁ କିନ୍ତୁ ଉତ୍ତର ଖୋଜୁ ଖୋଜୁ ନଅବର୍ଷର ହୋଇ ଗଲି । ଡିଏଭି ଛାତ୍ରୀ।ସାଧାରଣ ପିଲାଙ୍କ ଠାରୁ ଅପେକ୍ଷା କୃତ ବେଶୀ ସ୍ମାର୍ଟ ଏଠିକା ପିଲା । ମୋର କଥା ତ ଅଲଗା।ମୋ ନଷ୍ଟ ପରିବେଶ ମୋତେ ସମସ୍ତଙ୍କ ଠାରୁ ଅଲଗା କରି ଗଢୁଥିଲା।ମୁଁ ବହୁତ କିଛି ଶିଖିଯାଉଥିଲି ଆପେ ଆପେ।

ହଠାତ ଯେମିତି ବଡ଼ ହୋଇଗଲି ମୁଁ।ବାବା ମରା ମରି କଲା ବେଳେ ଅଟକାଇଲି । ଏଥିପାଇଁ ମାମା ଭାଗର ମାଡ଼ ମୋ ପିଠି କି ଗାଲରେ ବାଜେ । ହଁ ବେଶୀ ନ ହେଲେବି ଅଳ୍ପ ବୁଝିଲେଣି ମୁଁ ଦୁନିଆଁ । ମନ ବିଦ୍ରୋହ କରେ।ମ୍ୟାଜିକ ବଳରେ ଅମାପ ବଳଶାଳୀ ହୋଇ ମୋ ବାବା ପରି ଲୋକମାନଙ୍କୁ ସାବାଡ଼ କରିବାକୁ ଭିତରେ କିଏ ଯେପରି ଉସ୍କାଏ । ଝିଅ ଛୁଆ ହୋଇ ବି ଜୁଡୋ କରାଟୋ ଓ ଅନ୍ୟାନ୍ୟ ଦୁଃଶାହସିକ କାର୍ଯ୍ୟ କରିବାକୁ ତିଳେ ବି କୁଣ୍ଠା ବୋଧ କରେ ନାହିଁ । ଏଣୁ ମୋ ବୟସ ତୁଳନାରେ ବହୁତ ଅଭିଜ୍ଞ ଓ ପକ୍ଵ ହୋଇଯାଏ ।

ଗୋଟିଏ କଥା କିନ୍ତୁ ବୁଝି ପାରେ ନାହିଁ ଏତେ ମାଡ଼ ଗାଳି,ଖାଇ ମାମା ବାବା ପାଖେ ରହିଛି କାହିଁକି??ମୋ ସାଙ୍ଗ ମାନେ ବି କୁହନ୍ତି ମୋ ବାବାଟା ଭଲ ମଣିଷ ନୁହନ୍ତି । ତାଙ୍କ ଝିଅ ହିସାବରେ ମୋ ସାଙ୍ଗେ କେହି ସାଙ୍ଗ ହୁଅନ୍ତୁ ବୋଲି ତାଙ୍କ ବାବା ମା ଚାହାନ୍ତି ନାହିଁ । ଏଣୁ ମୋର ସାଙ୍ଗ ବି କେହି ନାହାନ୍ତି କହିଲେ ଚଳେ ।

ବାବା କୁଆଡ଼େ ସବୁବେଳେ ଝିଅ ମାନଙ୍କୁ ପଟେଇ କୁଆଡେ କୁଆଡେ ନେଇ ଫୁର୍ତ୍ତି କରନ୍ତି । ଯେଉଁଟା ମାମାର ଆଦୌ ପସନ୍ଦ ନୁହେଁ।ସେଇଟା ବାବା ମାମାଙ୍କ କଳିର ମୂଳ । ପୁଣି ଘରକୁ ଆସିଲେ ମାମା ସଙ୍ଗେ ବି ଟଣା ଓଟରା ଚାଲେ ସେଇ ଫୁର୍ତ୍ତି ପାଇଁ । ଏକଥା ଅନେକ ଥର ମାମା ଙ୍କୁ ପଚାରିଲା ପରେ କହିଥିଲେ।ଏଇଟା ବି କହିଥିଲେ ମୁଁ କୁଆଡେ ବଡ଼ ହେଲେ ଏ ସବୁ ଆପେ ବୁଝିଯିବି ଫୁର୍ତ୍ତି କଣ??କିନ୍ତୁ ଏତିକି ବୁଝେ ମୋ ବାବା ଜଣେ ଖରାପ ଲୋକ।ଫୁର୍ତ୍ତି ଟା ଗୋଟେ ନଷ୍ଟ କରୁଥିବା ଚିଜ,ଯାହା ପାଇଁ ମୋ ମାମା କାନ୍ଦେ ।

ମନ ଭିତରେ ଦାନା ବାନ୍ଧେ ବଡ଼ ହେଲେ ଏଇ ଫୁର୍ତ୍ତି କରୁଥିବା ବ୍ୟକ୍ତିଙ୍କୁ ଦେବି ନିଶ୍ଚେ ପାନେ ।

କିନ୍ତୁ କେବେ ମୁଁ ବଡ଼ ହେବି??ସେ ଯାଏ ମୋ ମାମା କଣ ମାଡ଼ ଗାଳି ଖାଉଥିବ!! ନା ମୋତେ କିଛି କାରିବାକୁ ପଡ଼ିବ । ଦିନେ କହିଲି ମାମା ଚାଲେ ଏ ଘର ଛାଡ଼ି ପଳେଇବା...

ମାମା ଅତି କରୁଣ ହୋଇ କହିଲା କେଉଁଠିକୁ ଲୋ ମା।

କେଉଁଠି ରହିବା, କଣ ଖାଇବା?କିଏ ଦେବ ଆମକୁ ସୁରକ୍ଷା ।

ମୁଁ ଦେବି ମାମା ।

ମାମା ମୋତେ କୋଳରେ ଚାପି ଧରି ଭୋ ଭୋ କାନ୍ଦି ପକାଇଲା । ଧନ! ମୋ ସୁନା! ତୁ ବି କଣ କରି ପାରିବୁ।ତୁ ତ ମୋ ପରି ଗୋଟେ ଝିଅ ନା....

ଝିଅ ! କଣ ହେଲା ସେଇଠୁ। ଦେଖିବ ମୁଁ କେବେ ମାଡ଼ ଖାଇ ସହିବିନି।ପ୍ରତିବାଦ କରିବି । ମୋ ସାଙ୍ଗ ସୁନି ମାମା ତା ପାପାଙ୍କୁ ଡିଭୋର୍ସ ଦେଇଛନ୍ତି । ଏବେ ସେମାନେ ବହୁତ ଖୁସିରେ ଅଛନ୍ତି । କିନ୍ତୁ ତୁମେ...ଛାଡ଼ ତୁମ ଦେଇ ହେବନି।ଯାହା କରିବି ମୁଁ । ମୋ ଭିତର କିନ୍ତୁ ଦୋହଲି ଯାଏ "ତୁ ବି ତ ଗୋଟେ ଝିଅ" କଥାରେ । ଏଣୁ କାଢି ଫିଙ୍ଗି ଦେଇଥିଲି ଝିଅ ଖୋଳପା ମୋ ଦେହ ମନ ଆତ୍ମାରୁ।

ମୁଁ ପୁଅ ବି ହେବାକୁ ଚାହୁଁ ନଥିଲି । ଚାହୁଁଥିଲି ଭିନ୍ନ।ସ୍ଵନ୍ତନ୍ତ୍ର ହେବାକୁ । ଦେଖିବ ମାମା ମୁଁ ନୂଆ ସୂର୍ଯ୍ୟଟିଏ ହେବି ।

ମାମା ମୋ କଥା ଶୁଣି କାଠ ହୋଇଗଲା । ମାତ୍ର ନଅ ବର୍ଷର ଝିଅ ଏତେ ଦୃଢ଼,ଏତେ ସ୍ୱାଭିମାନି,ଏପରି ସ୍ୱାଧୀନ ଚେତା!

ଅଥଚ ମୋ ମାମା!ତେତିଶି ବର୍ଷ ସ୍ନାତକ ପାସ କରିଥିବା ଝିଅ ଏତେ ଦୁର୍ବଳ,ଡରକୁଳି!!ନିଜ ଭିତରେ ସାମର୍ଥ୍ୟ ସଞ୍ଚୟ କରି ସାହସ ବାନ୍ଧିଲା ସେ।ବାବାଙ୍କୁ ଆଉ କୌଣସି କଥାରେ ପ୍ରତିବାଦ କଲାନି । ବରଂ ଭିତରେ ଭିତରେ ଶକ୍ତ ହେଉଥିଲା । ନିଜ ମନ ଓ ପାଦକୁ ମଜଭୁତ କରୁଥିଲା।ମୁକୁଳା ଜୀବନ ପାଇଁ ପାଗ ଭିଡୁଥିଲା।

ଆଃ ଖୋଲା ଆକାଶ ପବନ, ମୋତେ ଓ ମାମାକୁ ମେଞ୍ଚାଏ ମହକ ଦେଲା।ଦେଲା ମନରେ ଗଦାଏ ବଳ । ମାମା ମୋତେ କହିଲା "ଏତେ ଛୋଟ ହୋଇ ମୁଁ ତାର ଆଖି ଫିଟାଇ ଦେଇଛି" । ଲୋକେ କଣ କହିବେ ଭୟକୁ ତଣ୍ଟିଆ ମାରି ବାହାର କରିଦେଲା ନିଜ ଭିତରୁ ମୋ ମାମା । ତାର ଗୋଟିଏ ଜୀବନ ଅଛି । ବଞ୍ଚିବା ଅଧିକାର ଅଛି।ସମାଜର ଧରା ବନ୍ଧା ଶଗଡ଼ ଗୁଳାରେ ସେ ଯେ ଆଉ ଚାଲି ପାରିବନି,ଏକଥା ବୁଝି ଗଲା ।

ସ୍ୱାମୀ,ଈଶ୍ୱର,ପରମେଶ୍ୱର ତାଙ୍କ ପାଇଁ ସାରା ଜୀବନ ମାଡ଼ ଗାଳି ଖାଇ ଉତ୍ସର୍ଗ କରିଦେବା, ସମର୍ପିତ ହୋଇଯିବା ମୁଲ୍ୟହୀନ କଥା ବୋଲି ବୁଝିଗଲା । ବୁଝି ଗଲା କିଛି ବାକ୍ୟ ବହିରେ ପଢିବାକୁ ଭଲ ଲାଗେ । କିନ୍ତୁ ଅଙ୍ଗେ ଲିଭେଇ ଜୀଇଁବା କେତେ ଯେ ଦୁଃଶହ ତାପରି ସ୍ତ୍ରୀ ମାନେ ହି କେବଳ କହି ପାରିବେ ।

ବହୁତ ଏକା ହୋଇ ଯାଇଥିଲା ମାମା ଏ ଭିଡ଼ ମଣିଷ ନାମୀ ପଶୁ ମାନଙ୍କ ଭିତରେ । କାଢି ଫିଙ୍ଗିଦେଲା ଫାଶୀଦଉଡ଼ି ରୂପକ ମଙ୍ଗଳସୁତ୍ର,ପୋଛି ଦେଲା ମୁଣ୍ଡରେ ବୋହି ଚାଲୁଥିବା ସିନ୍ଦୁର ବୋଝ । ଉତ୍ତାରି ଦେଲା ହାତକଡ଼ିର ଜଞ୍ଜିର ଚୁଡ଼ି । ଉଡି ଆସିଲା ନିଜ ସଂସାର ପଞ୍ଜୁରୀ ଖୋଲି ଖୋଲା ଆକାଶେ ନିଃଶ୍ବାସ ନେବାକୁ । ସବୁ କଳା କାରନାମା ମିଷ୍ଟି ବାବାର ମହିଳା କମିଶନର ଆଗେ କହିଲା ମିଷ୍ଠି ମାମା । ଜେଲ ହାୱା ଖାଉଛନ୍ତି ମିଷ୍ଟର ବିସ୍ମୟ ମହାନ୍ତି । ଡିଭୋର୍ସ ବି ସହଜରେ ମିଳିଗଲା ନୂତନ ଓରଫ ମୋ ମାମାକୁ । ଗୋଟିଏ ଅଫିସିରେ ସେ ଚାକିରି କରି ଗୁଜୁରାଣ ମେଣ୍ଟାଇଲା ମୋତେ ମଣିଷ କରିବା ତପସ୍ୟା କରି ।

ଆଉ ମୁଁ ମିଷ୍ଟି ମହାନ୍ତି ନିଜକୁ ନିଜେ ଗଢିଲି । ମାମାର ବଳ, ଖୁସି,ହସ,ବଞ୍ଚିବା ମାଧ୍ୟମ ହୋଇ । ମୋ ଭିତର ତିକ୍ତତା,ପ୍ରତିଶୋଧ,ଘୃଣା ରୁ ଜନ୍ମ ନେଲା ଗୋଟିଏ କଠୋର,ନିଷ୍ଠୁର,ସୁଦକ୍ଷ ଆଇପିଏସ୍ ଅଫିସର । ଯାହା ନାଁ ଶୁଣିଲେ ଥରନ୍ତି ପ୍ରତ୍ୟେକ ଅସାମାଜିକ ବ୍ୟକ୍ତି । ହଇ ଚଇ ହୋଇଯାଏ ଯେଉଁ ଅଫିସ୍ କୁ ଯାଏ ମିସ୍ ମିଷ୍ଟି ମହାନ୍ତି ।

ମୋ ଜୀବନର ବ୍ରତ ଗୋଟିଏ ଆସାମୀ ଖସି ନଯାଉ ଦୋଷ କରି । ଦୁଷ୍କର୍ମ କରୁଥିବା ବ୍ୟକ୍ତି ପାଇଁ ମୁଁ ଯମ । କାଟିଦିଅ ତାର ଗୋଡ଼ ହାତ । ଫୁଟାଇ ଦିଏ ତାର ଆଖି । ଆଉ କେଉଁ ମିଷ୍ଟିର ନ ଉଜୁଡୁ କଅଁଳ ଶୈଶବ, କୋମଳ ଜିଜ୍ଞାସା କୈଶୋର କି ଭାଵ ପ୍ରବଣ ଯୌବନ । କୋୖଣସି ମାମା ନ ସହନ୍ତୁ ଅକଥନୀୟ ଅତ୍ୟାଚାର।କେଉଁ ନାଁ ବାଳିକା ନଝରୁ ଅବଳେ ।

ମୁଁ ମିସ୍ ମହାନ୍ତି ମୋତେ ଆହୁରି ଆଗକୁ ଯିବାର ଅଛି।ନାରୀ କଣ ବାର୍ତ୍ତା ଦେବାକୁ ଅଛି । ମୁଁ ଭୀଷ୍ମ ପ୍ରତିଜ୍ଞା କରିଛି ନିଶ୍ଚୟ ବଜାଇବ ପରିବର୍ତ୍ତନର ପଞ୍ଚ ଜନ୍ୟ।

ସତ୍ୟବତୀ ସ୍ଵାଇଁ,ବାଲିକୁଦା,ଜଗତସିଂହପୁର

ଶିରୋନାମା ଖବର ମିସ୍ ମହାନ୍ତି

Rate the content


Originality
Flow
Language
Cover design

Comments

Post

Some text some message..