ପ୍ରଥମ ସାଇକେଲ୍ ଶିଖା
ପ୍ରଥମ ସାଇକେଲ୍ ଶିଖା
ପଲ୍ଲବୀ ବିଧିମୟୀ ସ୍ୱାଇଁ
ପ୍ରାୟତଃ ଛୋଟବେଳୁ ସମସ୍ତେ ସାଇକେଲ୍ ଶିଖିଥା’ନ୍ତି । କେହିକେହି ପ୍ରଥମେ ଚାରି ଚକ , ତାହାପେର ତିନି ଓ ପରେ ଦୁଇଟି ଚକରେ ସାଇକେଲ୍ ଚଳାଇଥିବେ । ମୁଁ ମଧ୍ୟ ଚାରି ଚକରେ ଆରମ୍ଭ କରିଥିଲି ; କିନ୍ତୁ ପରେ ସେଇଟା ଭାଙ୍ଗିଯିବାରୁ ମୁଁ ତାକୁ ଆଉ ଚଲାଇଲି ନାହିଁ । ଏମିତି ରହି ରହି ସେଇ ସାଇକେଲ୍ଟା ଆଉ କାହାକୁ ଦିଆ ହୋଇଗଲା ଓ ତା’ ସାଙ୍ଗେ ସାଙ୍ଗେ ମୋର ମଧ୍ୟ ସାଇକେଲ୍ ଚଳାଇବାର ଇଚ୍ଛା ଛାଡ଼ିଗଲା ।
କିଛିଦିନ ପରେ ଆମର ଉପର ଘରେ ଗୋଟେ ପରିବାର ରହିବାକୁ ଆସିଲେ । ତାଙ୍କର ଦୁଇଟି ଝିଅ । ସେ ଝିଅମାନଙ୍କ ସାଙ୍ଗରେ ମୋର ବନ୍ଧୁତା ହୋଇଗଲା । ତାଙ୍କର ଗୋଟେ ସାଇକେଲ୍ ଥିଲା । ସେମାନେ ତାକୁ ପ୍ରତିଦିନ ଚଲାନ୍ତି । କେବେ କେବେ ମତେ ମଧ୍ୟ ଚଳାଇବାକୁ ଭାରି ଇଚ୍ଛା ହେଲା । ମୁଁ ମନେ ମନେ ସ୍ଥିର କରିନେଲି କି ପଡ଼ିବି ପଛେ ସାଇକେଲ୍ ଶିଖିବି । ସେତେବେଳକୁ ମୁଁ ଅଷ୍ଟମ ଶ୍ରେଣୀରେ ପଢୁଥିଲି । ତେଣୁ ସାଇକେଲ୍ରୁ ପଡ଼ିବା କଥା ଭାବି ମତେ ଟିକେ ଲାଜ ମଧ୍ୟ ଲାଗୁଥିଲା । ମୋ ଘର ପାଖରେ ଆଉ ଜଣେ ସାଙ୍ଗ ରହେ । ମୋ ସାଇକେଲ୍ ଚଲାଇବା ଇଚ୍ଛା କଥା ଶୁଣି ସେ ବହୁତ ଖୁସି ହେଲା । ତା’ ପାଖରେ ମଧ୍ୟ ଏକ ସାଇକେଲ୍ ଥିଲା । ସିଏ ମତେ ତା’ ସାଇକେଲ୍ ଉପରେ ବସି ଚଲେଇବାକୁ କହିଲା । ମାତ୍ର ମୋର ଡର ଥିବାରୁ ମୁଁ ମନା କରିଦେଲି । ସେ ମତେ ବହୁତ କହିଲା , କିନ୍ତୁ ମୁଁ ଜୋର୍ଦେଇ ମନା କଲି । ସେ ଆଉ ବାଧ୍ୟ ନ କରି ମତେ ନିଜେ ଏକ ସାଇକେଲ୍ କିଣିବାକୁ କହିଲା । ଏଣୁ ମୁଁ ମୋ ବାପାଙ୍କୁ , ମୋ ପାଇଁ ଗୋଟେ ସାଇକେଲ୍ କିଣିଦେବାକୁ ଅନୁରୋଧ କଲି । ଚାରି ପାଞ୍ଚ ଦିନ ପରେ ମୋର ଗୋଟେ ନୂଆ ସାଇକେଲ୍ ଆସିଲା । ମୋ ସାଙ୍ଗ ମତେ ପ୍ରତିଦିନ ସାଇକେଲ୍ ଚଲେଇବା ଶିଖାଏ । ମୁଁ ଗୋଟେ ଗୋଡ଼ରେ ପେଡାଲ୍ ମାରେ ଓ ଗୋଟେ ଗୋଡ଼ ତଳେ ରଖେ । ମୋର ସାଇକେଲ୍ ଚଲେଇବାର ଏତେ ଇଚ୍ଛା ଥିଲା ଯେ ମତେ ଯେତେବେଳେ ବି ସମୟ ମିଳେ ମୁଁ ଆମ ଘର ଆଗ ରାସ୍ତାରେ ସାଇକେଲ୍ ଚଲାଏ । ଏମିତି ଚାରି ପାଞ୍ଚ ଦିନ ଗଲା ।
ଥରେ ଆଉ ଦୁଇଜଣ ସାଙ୍ଗ ଆମକୁ ଦେଖା କରିବାକୁ ଆସିଲେ । ମୋ ସାଙ୍ଗ ସେମାନଙ୍କ ସାଙ୍ଗରେ କଥା ହେଉଥିବାବେଳେ , ମୁଁ ସେଠୁ ମୋର ସାଇକେଲ୍ ଚଳାଇବାର ଅଭ୍ୟାସ ପାଇଁ ପଳାଇ ଆସିଲି । କିଛି ବାଟ ପେଡାଲ୍ ମାରିଲା ପରେ ମୁଁ ଦୁଇ ଗୋଡ଼ ଉପରେ ଉଠାଇ ସନ୍ତୁଳନ ବନାଇବାକୁ ଚେଷ୍ଟା କଲି ଏବଂ ଆଶ୍ଚର୍ଯ୍ୟର କଥା ଯେ , ମୁଁ ସନ୍ତୁଳନ ବନାଇପାରିଲି ଏବଂ ବହୁତ ବାଟ ସେମିତି ସନ୍ତୁଳନ ବନାଇ ଚାଲିଗଲି । ପଛରେ ଥାଇ ମୋ ସାଙ୍ଗମାନେ ମୋତେ ଉତ୍ସାହିତ କରୁଥିଲେ । ସେ ଦିନଟା ମୋର ସବୁଠୁ ବଢ଼ିଆ ଓ ଅଭୁଲା ଅନୁଭବର ଦିନ ଥିଲା। ଏଣୁ କୌଣସି କଥାକୁ ଭୟ କରି , ହେବ ନାହିଁ ବୋଲି ନ ଭାବି ଆମେ ଯଦି ଆଗେଇଯିବା ଆଉ ଚେଷ୍ଟା ଜାରି ରଖିବା , ତେବେ ଦିନେ ନା ଦିନେ ଆମର ଚେଷ୍ଟା ସଫଳ ହେବ ।