Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradipta Kumar Behera

Others

2.5  

Pradipta Kumar Behera

Others

ସ୍ୱପ୍ନ ସରିଯିବା ପରେ......

ସ୍ୱପ୍ନ ସରିଯିବା ପରେ......

11 mins
767


                          ସ୍ୱପ୍ନ ସରିଯିବା ପରେ...

         ସିଏ ଥିଲା ସମସ୍ତଙ୍କ ଠାରୁ ଅଲଗା Iଛିଣ୍ଡା କମ୍ବଳଟା ଘୋଡେଇ ହୋଇ ପଡିବା ପରେ ଯଦିଓ ସେ ମିଶି ଯାଉଥିଲା ଅନ୍ୟମାନଙ୍କ ସହିତ,ତଥାପି କେବେ କେମିତି ନିଆରା ନିଆରା ଲଗେ ଅନ୍ୟମାନଙ୍କଠୁ I

            ଦେହରେ ଦାମୀ ପ୍ୟାଣ୍ଟସାର୍ଟ,ଅଣ୍ଟାରେ ବେଲ୍ଟ ,ଆଖିରେ ଚଷମା ଆଉ ହାତରେ ଅର୍ଦ୍ଧାଙ୍ଗିନୀଙ୍କ ହାତ ଥିବା ପୁରିଲା ପୁରିଲା ବାବୁମାନଙ୍କୁ ଦେଖିଦେଲେ ତାର ଜାତି ଭାଇମାନେ ଉଚ୍ଚାଟ ହୋଇ ପଡୁଥିଲେ—ବାବୁ ଏ ଗରିବକୁ କିଛି ସାହାଯ୍ୟ କରନ୍ତୁ ବାବୁ,ଭଗବାନ ଆପଣଙ୍କର ମଙ୍ଗଳ କରିବେ Iବାବୁ...ବାବୁ…I

           ସିଏ କିନ୍ତୁ ଚୁପ୍‍ଚାପ୍‍ Iକାହାକୁ ହାତପତେଇ କିଛି ମାଗେନି Iଆଗରେ ଗୋଟେ ଛିଣ୍ଡା କପଡା ପାରିଦେଇ ଅଧାକାନ୍ଥିଟାକୁ ଆଉଜି ପଡି କମ୍ବଳ ଭିତରୁ ଖାଲି ଜୁଳୁ ଜୁଳୁ କରି ଅନେଇ ରହେ ମୁହଁ ଛିଞ୍ଚାଡି ଚାଲି ଯାଉଥିବା ବାବୁମାନଙ୍କୁ Iକେହି ଆଠଣା କି ଟଙ୍କାଟେ ଫିଙ୍ଗିଦେଲେ ଆଶୀର୍ବାଦ କରିବାର ନାହିଁ କି ମୁହଁ ଛିଞ୍ଚାଡି ଚାଲିଗଲେ ଅଭିଶାପ ଦେବାର ନାହିଁ I

           “କିରେ ସତୁ ତୁ ମୁହଁ ଖୋଲି ମାଗୁନୁ ! ନ ମାଗିଲେ କେହି କ’ଣ ଭିକ ଦିଏ ?” ---ପାଖରେ ବସିଥିବା ସନିଆ ଭାଇ କହେ Iକିଛି ଉତ୍ତର ଦିଏନି ସେ Iଖାଲି ସେମିତି ଅନେଇ ରହେ Iବୋଧହୁଏ କଥା କହିବା ଭୁଲି ଯାଇଛି କେବେଠୁ I

          ବଡଦାଣ୍ଡ ପାଖରେ ଥିବା ଭିକାରୀ ବସ୍ତିରେ ରହେ ସେ Iଯେଉଁଦିନ ସେ ପ୍ରଥମ କରି ବସ୍ତିକୁ ଆସିଲା,ସେଦିନ ଅନେକ ଲୋକ ଘେରିଯାଇଥିଲେ ତାକୁ Iତୋ ନାଁ କ’ଣ,ଘର କୋଉଠି,କେତେ ବର୍ଷ ହେଲାଣି ବଡ ରୋଗ ଭୋଗିଲୁଣି ଇତ୍ୟାଦି ଅନେକ ପ୍ରଶ୍ନରେ ସେ ଛଟପଟ ହୋଇ ପଡୁଥିଲା I

         ସବୁ ପ୍ରଶ୍ନର ଉତ୍ତରରେ ସେ କେବଳ ଗୋଟିଏ ପଦ କହିଥିଲା--- ମୋ ନାଁ ସତୁ I ବାସ୍‍ ସେବେଠୁ ଚୁପ୍‍ I

         ଦୋଳ,ଦଶହରା,ଦୀପାବଳି ଆଦି ପର୍ବରେ ଭିକାରୀ ବସ୍ତିରେ ମଧ୍ୟ ଖୁସିର ଜୁଆର ଉଠେ Iସତେ ଯେମିତି ଏଇ ସମାଜର ଏକ ଅଙ୍ଗ ସେମାନେ,ବାସନ୍ଦ ନୁହଁନ୍ତି Iଅଧା କଟି ଯାଇଥିବା ହାତ ଗୋଡ ଯେମିତି ପୁଣି ଥରେ କଅଁଳି ଉଠେ Iଏସବୁ ଚୁପ୍‍ଚାପ୍‍ ଦେଖେ ସତୁ Iତା ଅଜାଣତରେ ତା’ ମୁହଁରୁ କମ୍ବଳଟା ଖସିପଡି ବେକ ପର୍ଯ୍ୟନ୍ତ ଆସିଯାଏ ଆଉ ମୁହଁରେ ଖେଳିଯାଏ ଛୋଟିଆ ଚେନାଏ ହସ Iସତର୍କ ହୋଇଉଠେ ସେ Iମୁହଁ ଘୋଡେଇ ପକାଏ I

         ଏ ସବୁ କିନ୍ତୁ ପୀର ବୁଢା ଆଖିକୁ ଫାଙ୍କି ଦେଇ ପାରେନି Iବୁଢା ଭାବେ ସତୁକୁ ପଚାରିବ Iପୁଣି କ’ଣ ଭାବେ କେଜାଣି ଚୁପ୍‍ ରହିଯାଏ,ତାକୁ କିଛି ପଚାରି ପାରେନି Iତା’ ଆଖିର ଭାଷା ବୁଝିବାକୁ ଚେଷ୍ଟା କରେ,ପାରେନା Iହାରିଯାଏ ସବୁଥର Iକିନ୍ତୁ ତା’ ଅନୁଭବ କହେ ସତୁ କୌଣସି ବଡଘରର ପିଲା I

       ବଡଦାଣ୍ଡରେ ଧାଡି ହୋଇ ବସି ଭିକ ମାଗିବା ବେଳେ ସେ ସବୁବେଳେ ସତୁ ପାଖରେ ହିଁ ବସେ I ବାବୁମାନେ ଫିଙ୍ଗୁଥିବା ପଇସାକୁ ଗୋଟେଇ ଅନ୍ୟମାନେ ହିସାବ କରିବାରେ ବ୍ୟସ୍ତ ଥିବାବେଳେ ବୁଢା ଚେଷ୍ଟା କରେ ସାଉଁଟିବାକୁ ସତୁ ଆଖିର କଥା Iକିଛି ବୁଝେ କିଛି ବୁଝେନା Iପୁଣି କିଛି ବୁଝିବାକୁ ଚେଷ୍ଟା କରୁ କରୁ ଯାହା ବୁଝିଥାଏ ତାକୁ ବି ଭୁଲିଯାଏ I

      ସତୁ ଜାଣେ ପୀର ବୁଢାର ମନକଥା,ହେଲେ କିଛି ବି କହେନି Iକହିବା ଦରକାର ବି ପଡେନି I

      ବଡଦାଣ୍ଡରେ ସଞ୍ଜ ଆସେ Iଶ୍ରୀମନ୍ଦିରରେ ଆଳତି ଉଠେ Iମିଞ୍ଜି ମିଞ୍ଜି ଆଲୁଅ ଜଳେ ଭିକାରୀ ବସ୍ତିରେ I ବୁଢା ଢୁଳେଇ ପଡେ Iବିତିଯାଏ ଆଉ ଗୋଟେ ଦିନ Iଜୀବନ ଠାରୁ ମୃତ୍ୟୁର ଦୂରତା କମିଯାଏ ଆଉ ଗୋଟିଏ ପାହାଚ I

       ସେଦିନ ଭିକାରୀମାନଙ୍କ ଆନନ୍ଦ କହିଲେ ନ ସରେ Iକେହି ଜଣେ ବଡ ବାବୁ,ବାବୁଆଣୀ ଆସିବେ, ଖୋଲା ହାତରେ ଦାନ ଦେବେ ସେମାନଙ୍କୁ Iମନ୍ଦିର ତରଫରୁ ଜଣେ ବାବୁ ଆସି ସେମାନଙ୍କୁ ସତର୍କ କରିଦେଇଛନ୍ତି--- ଯେମିତି କେହି ହଟ୍ଟଗୋଳ ନ କରନ୍ତି,ଠେଲା ପେଲା ନ ହୁଅନ୍ତି Iଚୁପ୍‍ ଚାପ୍‍ ନିଜ ଜାଗାରେ ବସିବେ ଆଉ ଦାନ ନେବେ I

       ଦିଆ ଯାଇଥିବା ସମୟ ଠାରୁ ତିନି ଘଣ୍ଟା ବିଳମ୍ବରେ ଆସି ପହଞ୍ଚିଲେ ବାବୁ ବାବୁଆଣୀ Iଆଗରେ ପଛରେ ପୁଲିସ ଗାଡି Iନାଲି ରଙ୍ଗର ଚିକ୍‍ ଚିକ୍‍ କରୁଥିବା କାର ଭିତରୁ ଆସିଲେ ବାବୁ,ବାବୁଆଣୀ ଓ ଗୋଟେ ଛୋଟ ପରୀ I

      ଦାନ ଦେଇ ଚାଲିଲେ,କାହାକୁ ଟଙ୍କା ପଇସା ତ କାହାକୁ ଶାଢୀ ଧୋତି Iଦାନ ଦେବା ସମୟରେ କାହା କାହା ସହ ପଦେ ଅଧେ କଥା ମଧ୍ୟ ହେଉଥାନ୍ତି Iଏମାନଙ୍କ ଆନନ୍ଦ କହିଲେ ନ ସରେ Iଦାନ ଗ୍ରହଣ କରି କୃତ୍ୟ କୃତ୍ୟ ହୋଇ ପଡୁଥାନ୍ତି Iଖଣ୍ଡିଆ ହାତରେ ନମସ୍କାରଟିଏ ପକାଇ ଆଶୀର୍ବାଦ ଅଜାଡି ପକାଉଥାନ୍ତି I

     ବାବୁଆଣୀ ଠିଆ ହୋଇଥାନ୍ତି ସତୁ ସାମନାରେ Iହାତରେ ଗୋଟେ ଧୋତି ଓ ତା’ ଉପରେ ଗୋଟେ ଶହେ ଟଙ୍କିଆ ନୋଟ Iସତୁ ନିଶ୍ଚଳ Iଖାଲି ଯାହା କମ୍ବଳ ଭିତରୁ କଲବଲ କରି ଚାହୁଁଥାଏ ବାବୁଆଣୀଙ୍କୁ, ସମସ୍ତଙ୍କୁ ସବୁଦିନ ଯେମିତି ଚାହେଁ Iବାବୁଆଣୀ ଧିରେ ଧିରେ ବିରକ୍ତ ହେବା ପରି ଲାଗୁଥାନ୍ତି Iପୀର ବୁଢା କଣ କହି ଆସୁଥିଲା,ହେଲେ ତା’ ପୂର୍ବରୁ ମୁହଁ ଖୋଲିଲା ଗୁଲୁରୁ ଗାଲୁରୁ ପରୀ-“ଅଙ୍କଲ୍,ତୁମର କ’ଣ ଆଉ ଟଙ୍କା ଦରକାର ?”

     ସତୁର ଉତ୍ତରକୁ ଅପେକ୍ଷା ନ କରି ‘ମାମା’ର ଭ୍ୟାନିଟ୍‍ରୁ ହାତ ପୁରେଇ ଉଠେଇ ଆଣିଲା ଗୋଟିଏ ପାଞ୍ଚ ଶହ ଟଙ୍କିଆ ନୋଟ ଆଉ ତାକୁ ରଖିଦେଲା ‘ମାମା’ ଧରିଥିବା ଧୋତି ଉପରେ Iପୁଣି ସବୁତକ ‘ମାମା’ ହାତରୁ ନେଇ ଆସି  କହିଲା—“ଏଥର ନିଅ ଅଙ୍କଲ୍ I”

     କମ୍ବଳ ଭିତରେ ସତୁର ହାତ ଖୁଜୁରୁ ବୁଜୁରୁ ହେଲା ପରି ଲାଗିଲା Iଏତିକି ବେଳେ ପୀର ବୁଢା କହିଲା-“ସେଇଠି ତା’ ଆଗରେ ରଖିଦିଅ ପରୀ ମା’ Iସିଏ କେବେ ବି ହାତ ବଢେଇ କାହାଠାରୁ କିଛି ନିଏନି କି କାହାକୁ କିଛି କହେନି I”

     “କାହିଁକି,ଅଙ୍କଲ୍ କ’ଣ କଥା କହି ପାରନ୍ତିନି କି ?”ପରୀ ଆଖିରେ ଅନୁସନ୍ଧିତ୍ସା I

      ସେତେବେଳକୁ ବାବୁ ଆସି ସେଠି ପହଞ୍ଚି ଗଲେଣି I“ଚାଲ ଚାଲ ଆଗକୁ ଚାଲ,ଡେରି ହେଉଛି I”

‘ପାପା’ଙ୍କ କଥା ମାନି ଧୋତି ଓ ଟଙ୍କାକୁ ସତୁ ଆଗରେ ରଖି ଦେଇ ପରୀଟି ଚାଲିଲା ଆଗକୁ Iଯେତେ ଯେତେ ଆଗକୁ ଯାଉଥାଏ,ସେତେ ବୁଲି ବୁଲି ସତୁକୁ ଚାହୁଁଥାଏ Iକମ୍ବଳ ଭିତରୁ ସତୁର ପାଟି କିଛି କହୁ ନଥାଏ Iକିନ୍ତୁ ତା’ ଆଖିରେ ଅନେକ କଥା,ଅନେକ ରଙ୍ଗ,ଅନେକ ଭାବ Iକିଛି ଲୁଚି ନଥିଲା ପୀର ବୁଢା ଆଖିରୁ I

      ସେଦିନ ରାତିରେ ଭିକାରୀ ବସ୍ତିରେ ଅଦିନରେ ଗୋଟିଏ ବେନାମୀ ପର୍ବ ପାଳନ ହେଲା Iଚାରିଆଡେ ଖୁସିର ଜୁଆର I

      ସତୁ ସେମିତି ବସିଥାଏ ଚୁପ୍‍ଚାପ୍‍ ସବୁଦିନ ପରି Iପୀର ବୁଢା ଆଉ ସମ୍ଭାଳି ପାରିଲାନି Iନିଜ ଜାଗାରୁ ଉଠି ଆସି ବସିଲା ସତୁ ପାଖରେ Iପଚାରିଲା-“ସତୁ,ମୁଁ ଜାଣେ ମୋର ପଚାରିବାର କିଛି ଅଧିକାର ନାହିଁ I ତଥାପି ନିଜକୁ ନିଜେ ସମ୍ଭାଳି ପାରୁନି Iବସ୍ତିକୁ ଆସିବା ଦିନ ଠାରୁ ତୁ ଚୁପ୍‍ Iଆଜି କିନ୍ତୁ ସେ ଛୋଟ ଝିଅଟି କଥା କହିବା ବେଳେ ମୁଁ ଲକ୍ଷ୍ୟ କରିଛି ତୋ ଆଖିକୁ Iସେ ଆଖିରେ ଖେଳୁଥିଲା ଅନେକ ରଙ୍ଗ Iଅବଶ୍ୟ ମୁଁ କିଛି ବୁଝି ପାରିଲିନି ସେଥିରୁ Iକିନ୍ତୁ ମୋ ଅନୁଭବ କହୁଛି,ତୁ କୌଣସି ଛୋଟ ଘରର ପିଲା ନୁହେଁ Iଆଉ ସେଇଥିପାଇଁ ବୋଧହୁଏ ତୁ କାହାକୁ ପାଟି ଫିଟେଇ କିଛି ମାଗୁନା Iଦେଖ୍‍,ମୁଁ ତୋ ଠାରୁ ବୟସରେ ବହୁତ ବଡ Iତତେ ବାଧ୍ୟ କରୁନି,ଅନୁରୋଧ କରୁଛି,ମୁହଁ ଖୋଲି କିଛି କହ Iତତେ ଚୁପଚାପ ଏମିତି ବସିବାର ଦେଖିଲେ ମୋ ଛାତି ଭିତରଟା କ’ଣ ହେଇଯାଏରେ I”ଏମିତି କହୁ କହୁ କମ୍ବଳ ଭିତରେ ଥିବା ସତୁର ହାତ ଉପରେ ହାତ ରଖିଲା ବୁଢା Iଆଖିରେ ଅନେକ ଅନୁନୟ I

       ସମ୍ଭାଳି ପାରିଲାନି ସତୁ Iକମ୍ବଳ ଭିତରୁ ହାତ କାଢି ବୁଢା ହାତକୁ ଧରିଲା ନିଜ ହାତରେ,ଆଖିରେ ଲୁହର ଲହଡି I

      “କ’ଣ କହିବି ପୀର ଅଜା ?”

       ସତୁକୁ ମୁହଁ ଖୋଲିବାର ଦେଖି ଉତ୍ସାହିତ ହୋଇପଡିଲା ପୀର ବୁଢା I”କିଛି ହେଲେ ବି କହ Iକହ ତୋ ଘର କେଉଁଠି,କହ ତୋ ପରିବାର ବିଷୟରେ,କହ ତୋ ଜୀବନ ବିଷୟରେ..........”

       ସତ୍ୟକାମ ମହାନ୍ତି Iବାପାଙ୍କ ନାଁ ସୁଧୀର ମହାନ୍ତି Iବୋଉ ମମତା ମହାନ୍ତି Iତାକୁ ଛାଡି ଦେଲେ ଘରେ ଗୋଟିଏ ଭଉଣୀ ସୌମ୍ୟା ସମ୍ପର୍ଣ୍ଣା Iବାପା ଉଚ୍ଚପଦସ୍ଥ ସରକାରୀ ଅଫିସର Iବୋଉ ସରକାରୀ ବିଦ୍ୟାଳୟର ଶିକ୍ଷୟିତ୍ରୀ Iସେମାନେ ସମସ୍ତେ ରୁହନ୍ତି କଟକ ତୁଳସୀପୁର ନିଜ ଘରେ I

       ବାପା ବୋଉଙ୍କ ସ୍ୱପ୍ନର ଇନ୍ଦ୍ରଧନୁରେ ରଙ୍ଗ ଦେଇ ତାକୁ ଆହୁରି ଗାଢ କରିବାରେ ବ୍ୟସ୍ତ ସତ୍ୟ Iଉତ୍କଳ ୟୁନିଭରସିଟିରେ ପଦାର୍ଥ ବିଜ୍ଞାନର ଛାତ୍ର Iଆଜି ପର୍ଯ୍ୟନ୍ତ ଦ୍ୱିତୀୟ ସ୍ଥାନ ଅଧିକାର କରିବାର ଦୁର୍ଯୋଗ କେବେ ତା’ର ଆସିନି Iଅନ୍ତରୀକ୍ଷ ବିଜ୍ଞାନୀ ହୋଇ ଭାରତକୁ ମହାକାଶରେ ଉଡେଇବାର ଲକ୍ଷ୍ୟ ତା’ର ସ୍ଥିର Iବାପା ମା’ ଗର୍ବିତ ତା’ ପାଇଁ Iବାପା ମା’ଙ୍କ ସ୍ୱପ୍ନ,ଅନ୍ତରୀକ୍ଷ ବିଜ୍ଞାନୀ ହେବାର ସ୍ୱପ୍ନ ବୁଣୁ ବୁଣୁ ସାଥୀଟିଏ ପାଇଥିଲା ସତ୍ୟ—ଚୈତ୍ରା I

       ଚୈତ୍ରା  ଥିଲା ତା’ର ପ୍ରେରଣା ଦାତ୍ରୀ Iସ୍ୱପ୍ନ ପଛରେ ଧାଉଁ ଧାଉଁ କେବେ କେମିତି ଝୁଣ୍ଟି ପଡିଲେ ଚୈତ୍ରା  ବଢାଇଦିଏ ସାହାଯ୍ୟର ହାତ,ସତର୍କ କରିଦିଏ Iତା’ ସ୍ୱପ୍ନ,ତା’ ଜୀବନ ସଙ୍ଗୀତର ସାତ ସୁର ଥିଲା ଚୈତ୍ରା I ଖରା ସାଥିରେ ଛାଇ ପରି ପିଲାଦିନରୁ ଚୈତ୍ରା ଥିଲା ତା’ ସହିତ Iଚୈତ୍ରା ବିନା ବଞ୍ଚିବା ଶିଖି ନଥିଲା ସେ I

       ତଥାପି ତାକୁ ବଞ୍ଚିବାକୁ ପଡିବ ଚୈତ୍ରା ବିନା,ସ୍ୱପ୍ନ ସବୁକୁ ପୁରା କରିବାକୁ ହେବ ପରା !

      “ଚୈତ୍ରା,ତୁମ ବିନା ମୁଁ ସେଠି ପଢିପାରିବି ତ ?” 

      “ଆଉ କ’ଣ ଏଇଠି ମୋ ପାଖରେ ବସି ବସି ସ୍ପେସ୍‍ ସାଇଣ୍ଟିଷ୍ଟ ହେଇଯିବ ?ଦେଖ ସତ୍ୟ,ପିଲାଳିଆମୀ କରନା Iତୁମ ଜୀବନର ସବୁଠୁ ବଡ ଏବଂ ଏକମାତ୍ର ଲକ୍ଷ୍ୟ ଇଏ,ମଉସା ମାଉସୀଙ୍କର ବି Iଯାହା ହେଲେ ବି ତୁମକୁ ଏହା ପୂରଣ କରିବାକୁ ହେବ Iଏଥିପାଇଁ ଗୋଟିଏ ଚୈତ୍ରା କ’ଣ,ଯଦି ହଜାରେ ଚୈତ୍ରାକୁ ବି ପଛକୁ ଠେଲିଦେବା ପାଇଁ ପଡେ,ତେବେ ବି ଖୁସି ମନରେ ସେଇଆ କର Iତା’ପରେ କୋଉ ସବୁଦିନ ପାଇଁ ଆମେ ଦୂରେଇ ଯାଉଛେ ଯେ !ମାତ୍ର ବର୍ଷ ଦୁଇଟା Iଚାହୁଁ ଚାହୁଁ ବିତିଯିବନି !!”

      “ନା ସେକଥା ନୁହଁ ଯେ ...”

      “ଆଉ କୋଉ କଥା ଯେ....ବେଶି ରଙ୍ଗ ଦେଖେଇବା ଦରକାର ନାହିଁ Iଚୁପଚାପ ପେଡି ପୁଟୁଳା ବାନ୍ଧ ଆଉ କାଲି ସକାଳୁ ସକାଳୁ ଫୁଟ I”

      ଓଜନିଆ ମନ ନେଇ ଉଠୁଥିଲା ସତ୍ୟ Iତା’ ହାତ ଧରି ପୁଣି ଟାଣି ବସେଇଦେଲା ଚୈତ୍ରା I“ସତ୍ୟ,ତୁମେ ସେଠିକି ଯାଇ ମତେ ଭୁଲି ଯିବନି ତ ! ସେଠି ତ ତୁମକୁ ଅନେକ ଝିଅ ସାଙ୍ଗ ମିଳିବେ I”

     “ମିଳିବେ ଯେ,ବର୍ଷା କି ବୈଶାଖୀ ମିଳିବେ Iହେଲେ ଆଉ ଗୋଟେ ଚୈତ୍ରା ମୁଁ କୋଉଠୁ ପାଇବି ?”

     “ଯଦି ଆଉ ଗୋଟେ ଚୈତ୍ରା  ମିଳେ....?”

     “ଗୋଟେ କାହିଁକି ଯଦି ଶହେଟା ବି ମିଳନ୍ତି,ତା’ହେଲେ ସମସ୍ତଙ୍କୁ ଧରି ଆସିବି Iକାହିଁକି ନା ମୋର କେବଳ ଚୈତ୍ରା ହିଁ ଦରକାର,ବର୍ଷା କି ବୈଶାଖୀ ନୁହେଁ I”

     “କ’ଣ କହିଲ ?”କହି ସ୍ନେହ ଆଉ ଅଭିମାନରେ ଫେଣ୍ଟାଫେଣ୍ଟି ବିଧାଗୁଡା ଚୈତ୍ରା ଲଦି ଦେଇଗଲା ସତ୍ୟ ପିଠିରେ I

     ଖଡଗପୁର ଆଇ.ଆଇ.ଟି.ରୁ ସ୍ପେସ୍‍ ସାଇନ୍‍ସର ବେଷ୍ଟ ଷ୍ଟୁଡେଣ୍ଟ ସତ୍ୟକାମ ମହାନ୍ତି ଯୋଗଦେଲା ଇସ୍ରୋରେ I

       ରାତି ପାହିଗଲା Iପୁଣି ଥରେ ଆସିବାର ପ୍ରତିଶ୍ରୁତି ଦେଇ ମଥାରେ ଓଢଣା ଟାଣି ପଛ ଦରଜା ଦେଇ ଖସିଗଲା ଅଭିସାରିକା ନିଦ Iସାଥିରେ ନେଇଗଲା କିଛି କ୍ଷଣ ପାଇଁ ହେଲେ ବି ହୃଦୟକୁ ଛୁଇଁଯାଇଥିବା ସ୍ୱପ୍ନର ପଳାଶ ଫୁଲକୁ I

       ବର୍ଷା ଛାଡି ଯାଇଥିଲା କେବେ ଠାରୁ Iଦିବାକର ନିଜ ଦୃଢ ଉପସ୍ଥିତିକୁ ଜାହିର କରୁଥିଲେ ଦୂର ଦିଗ୍‍ବଳୟ ତଳେ Iଲିଭି ଲିଭି ଯାଉଥିଲା ସପ୍ତରଙ୍ଗର ବର୍ଣ୍ଣାଳୀ I

       ସ୍ୱପ୍ନ ନ ଥିଲେ ଜୀବନ ନ ଥାଏ Iତେବେ ସ୍ୱପ୍ନ ସରିଗଲେ କ’ଣ ଜୀବନ ସରିଯାଏ...?

       ସତ୍ୟ ବାପା ମା’ଙ୍କୁ ଅନୁରୋଧ କଲା କିଛି ଦିନ ତା’ ପାଖରେ ରହି ବାଙ୍ଗାଲୋର ବୁଲି ଯିବା ପାଇଁ I ସୌମ୍ୟା ତ ରହୁଥିଲା ହଷ୍ଟେଲରେ Iପୁଣି ଆଗକୁ ପରୀକ୍ଷା Iତେଣୁ ତାକୁ ଛାଡି ଦେଇ ବାପା ମା’ ଆସି ରହିଲେ ସତ୍ୟ ପାଖରେ Iସତ୍ୟ ସେମାନଙ୍କୁ ବୁଲେଇ ଦେଖେଇଲା ଆଖପାଖର ବିଭିନ୍ନ ଦର୍ଶନୀୟ ସ୍ଥାନ I ସବୁ ବୁଲାବୁଲି ସରିବା ପରେ ସେମାନେ ବାହାରିଲେ ଫେରିଯିବା ପାଇଁ Iଆଉ କିଛି ଦିନ ରହିଯିବା ପାଇଁ ସେମାନଙ୍କୁ ବାଧ୍ୟ କରି ବିଫଳ ହେଲା ସତ୍ୟ I

      ବାପା ମା’ଙ୍କୁ ଷ୍ଟେସନରୁ ବିଦାୟ ଦେଇ ସେ ପୁଣି ଫେରିଗଲା ନିଜର କର୍ତ୍ତବ୍ୟ ଓ କର୍ମର ବଳୟ ମଧ୍ୟକୁ I

      ‘ପ୍ରଶାନ୍ତି ଏକ୍‍ସପ୍ରେସ ଭୟଙ୍କର ଦୁର୍ଘଟଣା ଗ୍ରସ୍ତ’ ଟିଭିରୁ ସମାଚାର ଶୁଣି ତା’ ଛାତିରୁ ଅତଡା ଖସି ପଡିଲା I

      ଯାହା ହେବାର ଥିଲା,ତାହା ହୋଇ ସାରିଥିଲା Iବାପା ମା’ଙ୍କୁ ଶେଷ ବିଦାୟ ଜଣେଇ ସାରିଥିଲା ସତ୍ୟ I ଦୁର୍ଘଟଣା ସ୍ଥଳରେ ପହଞ୍ଚି କେବଳ ପାଇଥିଲା ସେମାନଙ୍କ ମୃତ ଶରୀର I

     ଛିଡି ପଡୁଥିବା ଆକାଶର ବୋଝକୁ ସହିବାର ଶକ୍ତି ନଥିଲା ତା’ ପାଖରେ Iସେଇଠି ସେମିତି ଶବ ପାଖରେ ବସି ଲୁହ ଗଡଉଥିଲା,ଆଖିରୁ ଲୁହ ସରିବା ପର୍ଯ୍ୟନ୍ତ Iହେଲେ ଆଖିରୁ କ’ଣ ଲୁହ ସରେ !

     ଚୈତ୍ରାର ବାପାଙ୍କ ସହିତ ସୌମ୍ୟା ଓ ଚୈତ୍ରା  ଆସି ପହଞ୍ଚିଲେ ଦୁର୍ଘଟଣା ସ୍ଥଳରେ Iସେମାନଙ୍କ ମୃତ ଶରୀରକୁ ନେଇ ସବୁ କର୍ମ ଶେଷ କଲେ I

     ଭାଙ୍ଗି ପଡିଲା ସତ୍ୟ Iଯୁଆଡେ ଚାହିଁଲା ସିଆଡେ ଖାଲି ନଥିବା ନଥିବା ଭାବ Iସେଠି ଆକାଶ ମିଶୁଥିଲା ପୃଥିବୀ ସହିତ,ଆଉ ତା’ ସେପାଖରେ ବାପା ବୋଉଙ୍କ ଉଜ୍ଜ୍ୱଳ ମୁହଁ I

     କାନ୍ଧରେ କାନ୍ଧ ମିଶେଇ ଠିଆ ହେଲା ଚୈତ୍ରା Iସାହସ ଦେଲା ପୁଣି ଥରେ ଦୃଢ ହୋଇ ଠିଆ ହେବା ପାଇଁ Iସେ ତ କେବଳ ଏକା ହୋଇ ନାହିଁ,ତା’ ଉପରେ ସୌମ୍ୟାର ଭାର Iବାପା ମା’ ଯେତେ ଦିନ ଥିଲେ,ସେତେଦିନ କଲେ Iବଡ ଭାଇ ହିସାବରେ ଏବେ ତ ସବୁ ଦାୟିତ୍ୱ ତା’ ମୁଣ୍ଡ ଉପରେ I

     ସତ୍ୟ  ଫେରିଲା ତା’ କର୍ମସ୍ଥଳୀକୁ Iସୌମ୍ୟାର ପଢା ସରିବା ପରେ ତାକୁ ବି ନେଇ ଆସିଲା ପାଖକୁ I

      ସମୟର ସୁଅରେ ଅତୀତ ଭାସି ଯାଇଥିଲା ଅନେକ ଦୂରକୁ Iସୌମ୍ୟା ଏବେ ଆମେରିକାରେ Iତା ମନର ମଣିଷ  ସହ ଡେଣାରେ ଡେଣା ମିଶେଇ ଉଡିବାରେ ତା’ର ଆନନ୍ଦ Iତା’ ସଂସାର ନେଇ ସେ ଖୁସୀ I

      ଯାହା କିଛି ବାପା ବୋଉ ଥିଲେ କରିଥାନ୍ତେ,ବଡ ଭାଇ ଭାବରେ ସେସବୁ ସେ କରିଥିଲା Iକାହାକୁ ମୁହଁ ଖୋଲିବାର ସୁଯୋଗ ବି ଦେଇନଥିଲା Iଏବେ ସମୟ ଆସିଛି ନିଜ ସଂସାର ବିଷୟରେ ଧ୍ୟାନ ଦେବା ପାଇଁ I

      ଚୈତ୍ରା ସହିତ ଅନେକ ଦିନ ହେଲା ଦେଖା ହୋଇନି Iଯାହା ଦେଖା ହେଇଥିଲା ସେଇ ସୌମ୍ୟା ବାହାଘର ସମୟରେ Iତା’ ପରେ ସେ ଚାଲିଗଲା ବର୍ଲିନ,ଉଚ୍ଚତ୍ତର ଜ୍ଞାନ ଆହରଣ କରିବା ପାଇଁ I

      ବହୁଦିନରୁ ଖାଲି ପଡିଥିବା ଘରର ତାଲା ଫିଟେଇ ଭିତରକୁ ପଶୁ ପଶୁ ଆସି ପହଞ୍ଚିଲା ଚୈତ୍ରା Iଅବଶ୍ୟ ଆସିବା ପୂର୍ବରୁ ସେ ଜଣେଇ ଦେଇଥିଲା ଚୈତ୍ରାକୁ I

     “ସତ୍ୟ,ତୁମେ ଯଦି ଆମ ବାହାଘର ବିଷୟ ନେଇ ଆସିଥାଅ ତେବେ ଫେରିଯାଅ I”

     “କୁଆଡେ,କ’ଣ ହିମାଳୟ ?ବୟସ ଅଠେଇଶି ପୁରି ଅଣତିରିଶି ଚାଲିଲାଣି ଯେ...”

     “ମୁଁ ମଜା କରୁନି ସତ୍ୟ Iବି ସିରିୟସ Iତୁମ ସହିତ ମୋ ବିବାହ ହୋଇ ପାରିବ ନାହିଁ I”

     “କାହିଁକି,ମୁଁ ଏମିତି କି ଦୋଷ କରି ପକେଇଲି କି !”

     “ଦୋଷ ତୁମର ନୁହେଁ,ମୋର Iତୁମେ ଏଠିକୁ ଆସିବା ପୂର୍ବରୁ,ବାପା ତୁମର ଆଉ ମୋର ଜାତକ ପଣ୍ଡିତକୁ ଦେଖେଇଥିଲେ Iପଣ୍ଡିତ କହିଲେ,ଏଠି ବିବାହ ହେଲେ ମୋର ବୈଧବ ଯୋଗ ଅଛି I”

      “ଏ ଯୁଗରେ ବି ତୁମେ ଏ କଥାକୁ ବିଶ୍ୱାସ କରୁଛ ?”

      “ବିଶ୍ୱାସ ଅବିଶ୍ୱାସ ଅଲଗା କଥା Iକିନ୍ତୁ ମୋ ଯୋଗୁଁ ତୁମେ...” ଆଉ କହି ପାରିଲାନି ଚୈତ୍ରା Iଆଖିରେ ଲୁହର ପ୍ଲାବନ I

      ଯେତେ ବୁଝେଇଲେ ବି ବୁଝିଲାନି ସେ Iମନେ ମନେ ରାଗିଗଲା ସତ୍ୟ Iଇଛା ହେଉଥିଲା କହିଦେବ—ଏତେ ଦିନର ଭଲପାଇବା,ଏତେ ଭରସା,ଏତେ ବିଶ୍ୱାସ କ’ଣ ଏଇ ତାଳପତ୍ର ପାଖରେ ଏତେ ଛୋଟ ?ଯଦି ଏଇ ତାଳପତ୍ର ଉପରେ ଏତେ ବିଶ୍ୱାସ,ତେବେ ଭଲପାଇବା ପୂର୍ବରୁ ଜାତକ ଦେଖେଇ ଭଲ ନ ପାଇଲ କାହିଁକି ?

       କିନ୍ତୁ ପାରିଲାନି Iସେ ତ ସବୁଦିନ ଏମିତି Iଟାଣ କରି କାହାକୁ ପଦେ କହିବା ତା’ ସାଧ୍ୟ ବାହାରେ I ସବୁତକ ରାଗ ଅଭିମାନକୁ କବର ଦେଇଦେବ ନିଜ ଛାତି ଭିତରେ ଆଉ ନିଜେ ଜଳିବ ନିଜ ଛାତିର କୁହୁଳା ନିଆଁରେ I

       ଅଦୃଷ୍ଟ ହସୁଥିଲା ଉପରେ I

       ସତ୍ୟ ଯଦି ବୁଝି ପାରିଥାନ୍ତା ଚୈତ୍ରା କୁ.......

        ଚୈତ୍ରା ତ କେବେ ବି ସତ୍ୟର ଅମଙ୍ଗଳ ଚାହିଁନି Iସବୁବେଳେ ଚାହିଁଛି ସିଏ କେମିତି ଉପରକୁ ଯାଉ I ଛୁଇଁ ଯାଉ ଆକାଶକୁ,ଜହ୍ନକୁ,ତାରାକୁ Iଆଉ ଏବେ ନିଜର ଏତେ ଟିକିଏ ସୁଖ ପାଇଁ ସିଏ କେମିତି ବାଜି ଲଗେଇଥାନ୍ତା ସତ୍ୟର ଜୀବନକୁ—ଜାତକ କଥା ସତ ହେଉ କି ମିଛ I

        ଅତି ନିଜର ଲୋକର ଅମଙ୍ଗଳ ବିଷୟରେ ଏତେ ଟିକିଏ ଶୁଣିଲେ(ସିଏ ସତ ହେଉ କି ମିଛ),କଥା କାନ ପାଖରୁ ଯାଇ ଛାତି ପାଖରେ ପହଞ୍ଚିବା ବେଳକୁ ହିମାଳୟର ରୂପ ଧାରଣ କରି ସାରିଥାଏ Iନ ହେଲେ କ’ଣ ପାଇଁ ଏ ଯୁଗରେ ବି ପନ୍ଥେଇ ପୂଜା ଠାରୁ ଆରମ୍ଭ କରି ସାବିତ୍ରୀ ବ୍ରତ ପର୍ଯ୍ୟନ୍ତ ପାଳନ କରାଯାଏ ?

        ସତ୍ୟ କିନ୍ତୁ ଭାଙ୍ଗି ପଡିଥିଲା Iଭାଙ୍ଗି ପଡୁଥିଲା ତା’ ଛାତି ଭିତରେ ସାଇତିଥିବା ସ୍ୱପ୍ନର ପ୍ରାସାଦ Iଆଉ ସେ ଭଙ୍ଗାରୁଜା ଶବ୍ଦର ତୀବ୍ରତାରେ ଟ୍ରେନର ଶବ୍ଦ ବି ଲୁଚି ଯାଉଥିଲା Iଟ୍ରେନର ଝରକା ଦେଇ ଭିତରକୁ ଆସୁଥିବା ଥଣ୍ଡା ପବନ ତାକୁ ଲାଗୁଥିଲା ଯେମିତି ଝଡର ସର୍ବଗ୍ରାସୀ ଅଣଚାଶ I

        ସବୁଦିନ ପାଇଁ ଛାଡି ଚାଲି ଆସିଲା ତା’ର ଜନ୍ମ ସ୍ଥାନକୁ Iକାହିଁକି ବା ରହିଥାନ୍ତା?କିଏ ବା ଆଉ ଥିଲା ସେଠି ?? ବାପା ବୋଉ ତ ଗଲେ,ଭଉଣୀ ତ ବିଦେଶରେ Iଆଉ ଯାହା ପାଇଁ ଘରଟା ଅପେକ୍ଷା କରିଥିଲା,ସିଏ ବି ନାହିଁ କରିଦେଲା ଘରର ଏରୁଣ୍ଡି ଡେଇଁବାକୁ Iସବୁକିଛି ବନ୍ଦ ରହିଗଲା ବୁଢୀ ମା’ କାହାଣୀ ପେଡିରେ...

        କଥାରେ କହନ୍ତି ବିପଦ ଯେତେବେଳେ ଆସେ,ସେତେବେଳେ ଏକା ଆସେନି Iଆସେ ନିଜର ସାଙ୍ଗସାଥୀ ଧରି ରୋଷଣି କରି I

       ସତ୍ୟ ପୁଣି ନିଜ କାମରେ ମନଦେଲା Iସେ କିନ୍ତୁ ଆଉ ପୂର୍ବର ଚଳଚଞ୍ଚଳ ସତ୍ୟ ନ ଥିଲା Iହୋଇ ଯାଇଥିଲା ଅନେକ ପରିମାଣରେ ଗମ୍ଭୀର ଓ ଅନ୍ୟମନସ୍କ I

       ଦୁଇ ତିନି ମାସ ଯାଇଛି କି ନାହିଁ ତାକୁ ପୁଲିସ ଗିରଫ କଲା ତା’ସରକାରୀ କ୍ୱାର୍ଟରରୁ,ଦେଶଦ୍ରୋହ ଅଭିଯୋଗରେ Iଇସ୍ରୋର ଗୁପ୍ତ ତଥ୍ୟ ବିଦେଶକୁ ପଠାଉଥିବା ଅଭିଯୋଗରେ I

       ସ୍ଥାଣୁ ହୋଇଗଲା ସତ୍ୟ Iଅନ୍ତର ତା’ର ଚିତ୍କାର କରୁଥିଲା—ମୁଁ ନିର୍ଦ୍ଦୋଷ,ମୁଁ ନିର୍ଦ୍ଦୋଷ Iମୁଁ କ’ଣ ଏଇ ସ୍ୱପ୍ନ ଦେଖିଥିଲି ପିଲାଟି ଦିନରୁ Iସାହାଯ୍ୟ ଭିକ୍ଷାରେ ହାତ ଲମ୍ବି ଯାଉଥିଲା ଆଗକୁ—“ଚୈତ୍ରା ମତେ ସାହାଯ୍ୟ କର ଚୈତ୍ରା Iମତେ ସାହସ ଦିଅ,ଯେମିତି ସାହାଯ୍ୟ କରୁଥିଲ ସବୁବେଳେ Iଖାଲି ମୋ ହାତରେ ହାତ ଟିକିଏ ରଖ,ଦେଖିବ ମୁଁ ପୁଣି ଉଠି ଠିଆ ହେବି I”

       ନାଃ,ହୁଏତ ଚୈତ୍ରା ସେତେବେଳକୁ ଆଉ କାହାର ହାତ ଧରି ସାରିଥିଲା Iବିକଳ ହୋଇ ସତ୍ୟ  ଚାହୁଁଥିଲା ଇଆଡକୁ ସିଆଡକୁ,ଆକାଶକୁ Iବୋଧହୁଏ ଡାକୁଥିଲା ସୌମ୍ୟାକୁ,ବାପାଙ୍କୁ,ବୋଉକୁ I

       କିଏ ବା ତା’ ଡାକ ଶୁଣିଥାନ୍ତା!ସୌମ୍ୟା ତ ବିଦେଶରେ,ବାପା ବୋଉ ତ ଅପହଞ୍ଚ ଇଲାକାରେ I

         ଅଳ୍ପଦିନ ମଧ୍ୟରେ ଜେଲ୍‍ରୁ ମୁକ୍ତି ମିଳିଗଲା ତାକୁ,ଅତୀତରେ ଇସ୍ରୋ ପାଇଁ ତା’ର ଅବଦାନ ଦୃଷ୍ଟିରୁ I କିନ୍ତୁ ତା’ ଉପରେ ଲାଗୁ ହୋଇଥିଲା ଅନେକ କଟକଣା Iବସ୍ତୁତଃ ନଜରବନ୍ଦୀରେ ଥିଲା ସେ I

         ନା ସାଙ୍ଗ,ନା ସାଥୀ,ନା କେହି ଆତ୍ମୀୟ Iଏତେ ବଡ ଘରଟାରେ ସମ୍ପୂର୍ଣ୍ଣ ନିଃସଙ୍ଗ Iଘରେ ଘରଭର୍ତ୍ତି ବହଳ ଅନ୍ଧାର Iଚାରିଆଡେ ମହାଶୂନ୍ୟର ନିରବତା Iନିସ୍ତବ୍‍ଧ ଅନ୍ତରୀକ୍ଷର ଛାତି ଚିରି ବାହାରକୁ ଆସିବାରେ ବିଫଳ ସତ୍ୟର ଓଁକାର I

         ଜୀବନର ଅନ୍ତରୀକ୍ଷରେ ବାଟବଣା ହୋଇଗଲା ଅନ୍ତରୀକ୍ଷ ବିଜ୍ଞାନୀ ସତ୍ୟକାମ ମହାନ୍ତି Iଜୀବନରେ ଥରେ ହେଲେ ବି ଆଖି ଉଠେଇ ଚାହିଁ ନ ଥିବା ମଦିରାକୁ ଢକ ଢକ କରି ପିଇ ଯାଉଥିଲା ପାଣି ଭଳି I

         ସେଦିନ ନିଶାସକ୍ତ ଅବସ୍ଥାରେ ଗ୍ୟାସ୍‍ ଚୁଲ୍ଲାରେ ନିଆଁ ଧରଉ ଧରଉ ନିଆଁ ଧରେଇ ଦେଲା ନିଜ ସାର୍ଟରେ Iବାସ୍‍,ସେବେଠୁ ବେହୋସ Iଯେବେ ହୋସ ଆସିଲା,ସେବେ ଜାଣିଲା ତା’ ବିରୁଦ୍ଧରେ ଅଭିଯୋଗ ସବୁ ମିଥ୍ୟା,ଅମୂଳକ ପ୍ରମାଣିତ ହୋଇସାରିଛି Iସେ ଏବେ ମୁକ୍ତ I

         କିନ୍ତୁ ଝଡ ଛାଡି ଯାଇଥିଲା ତା’ ସ୍ୱାକ୍ଷର Iନିଆଁରେ ପୋଡି ହୋଇ ତା’ ହାତର ଆଙ୍ଗୁଠି ସବୁ ହୋଇ ଯାଇଥିଲେ ବୃନ୍ତଚ୍ୟୁତ Iସେ ଦିଶୁଥିଲା କୁଷ୍ଠ ରୋଗୀଟିଏ ପରି Iଦେହ ସାରା ଠା’ଠା’ ଧଳା ଧଳା କ୍ଷତର ଚିହ୍ନ I

         ଖୁବ୍‍ ହସିଥିଲା ସେଦିନ ସତ୍ୟ,ମନଖୋଲା ହସ,ଜୀବନ ସାରାର ହସ Iତା’ ପରେ ସବୁ ଚୁପ୍‍ଚାପ୍‍ I

         ନିଜର ଯାହା କିଛି ଥିଲା,ସେ ସବୁକୁ ଏକ ଅନାଥାଶ୍ରମକୁ ଦାନ କରିଦେଇ ଘୁରି ବୁଲିଲା ଘୂର୍ଣ୍ଣିବାତ୍ୟା ଭଳି Iଯେବେ ପୁଣି ଟିକେ ସୁସ୍ଥ ମସ୍ତିଷ୍କକୁ ଫେରିଲା,ସେତେବେଳକୁ ହରେଇ ସାରିଥିଲା ସବୁକିଛି Iପହଞ୍ଚି ଯାଇଥିଲା ଶ୍ରୀକ୍ଷେତ୍ର ପୁରୀରେ,ବଡଦାଣ୍ଡରେ Iବନ୍ଧୁ ବାନ୍ଧି ସାରିଥିଲା ଭିକାରୀ ମାନଙ୍କ ସହ I

         ଏବେ ତା’ ପାଖରେ ଦୁଇଟା ବାଟ—ହୁଏତ ଆତ୍ମହତ୍ୟା କରି ଚାଲିଯିବ ନିଜ ସ୍ୱପ୍ନର ଦୁନିଆକୁ,      ନ ହେଲେ ଏମାନଙ୍କ ସହ ଜଣେ ହୋଇ ରହିବ I

    --- ନା, ସେ ମରିବନି,ସେ ବଞ୍ଚିବ Iଆତ୍ମହତ୍ୟା କରିବା ପରା ମହାପାପ ବୋଲି ସେ ବହିରେ ପଢିଛି I ସବୁ ନୀତିଶିକ୍ଷାକୁ ପରା ଅକ୍ଷରେ ଅକ୍ଷରେ ପାଳନ କରିଛି Iତା’ ପରେ କିଛି ହିସାବ କରିବାର ଅଛି ଯେ କାହା ସହିତ !ଅନ୍ତରୀକ୍ଷ ବିଜ୍ଞାନୀରୁ ଭିକାରୀ ତ ହୋଇ ସାରିଲାଣି,ଆଉ ଡରିବ କାହାକୁ ?

        ସେ ଲଢିବ,ସେ ସହିବ Iଦେଖାଯାଉ ଜଗତର ନାଥ ଜଗନ୍ନାଥ କେତେ ଦୁଃଖ ଦେଇପାରୁଛନ୍ତି ଆଉ ସେ କେତେ ସହିପାରୁଛି ! ହିସାବ କରୁ କରୁ,ସବୁ ଦୁଃଖକୁ,ସବୁ କଷ୍ଟକୁ ସହୁ ସହୁ ଆଜି ଚୈତ୍ରା ଆଉ ତା’ ଝିଅ ହାତରୁ ବି.....

        ପୀର ବୁଢା ଆଖିରେ ଲୁହ Iଭିକାରୀଟିଏ ତା’ ଭଙ୍ଗା ଚାଳିଆ ଭିତରୁ ଗାଉଥିଲା ପୁରୁଣା ଭଜନଟିଏ---

              “ନା’ ତୋର ହାତ ଅଛିରେ

                                  ତୋତେ ହାତ ପାତିବି

               ନା’ ତୋର ପାଦ ଅଛିରେ

                                  ତୋ ପାଦେ ଶରଣ ନେବି....”

 

 

                                                           ……………………… ଇଂ ପ୍ରଦୀପ୍ତ ବେହେରା

 


Rate this content
Log in