ଦାମ୍ପତ୍ଯ
ଦାମ୍ପତ୍ଯ
"ହେ ନୀତା ,ଶୁଣୁଛ ! ମୋର ସାଙ୍ଗ ଡାକୁଛି l ତମ ସାଙ୍ଗେ କଥା ହବ l "
ଫୋନ୍ ସ୍ପିପକରରେ ହାତ ରଖି ଡାକିଲେ ଅଜୟ l
କିଚେନରୁ ନୀତାର କଥା ଶୁଭୁଥିଲା l ବୋଧେ କାହାସାଙ୍ଗେ ଗପୁଥିଲା l ପୁରା ମିନିଟିଏ ଅପେକ୍ଷା ପରେ ଫୋନ୍ କାଟିଦେଲେ ଅଜୟ l ସତରେ ସ୍ତ୍ରୀ ଲୋକଗୁଡା ଭାରୀ ଫୁଲେଈ l ଯେତିକି କମ୍ ଇମ୍ପୋଟାନ୍ସ ଦବ ସେତିକି ଭଲ l
"କାଇଁ ,ଫୋନ୍ ଲଗା ତମ ସାଙ୍ଗଙ୍କୁ l ପୁଅର ଦେହ ଭଲ ନଥିଲା ନା ,ତ କାଲି ସ୍କୁଲ୍ ଯାଇ ନଥିଲା l ଆନୁଆଲ୍ ପରୀକ୍ଷା କମ୍ ଦିନ ଅଛି l କଣ ସବୁ ପଢା ହେଇଛି ବୁଝୁଥିଲି ତା ସାଙ୍ଗର ମାଆଙ୍କଠୁ l "
"ମୋ ସାଙ୍ଗ କଣ ଏ ଯାଏଁ ଲାଇନରେ ଥାନ୍ତା ତମ ସାଙ୍ଗେ କଥା ହବ ବୋଲି ନା କଣ ?"
"ହେ ହେ ,ସେଥିପାଇଁ ତ କହୁଛି ଫୋନ୍ ଲଗା ବୋଲି l "
"ତମେ ସେତେବେଳେ ଆସିଲନି l କଥା କଣ କୁଆଡେ ପଳଉଥିଲା ?"
"କଥା ଆଉ ପଳାନ୍ତା ବୋଲି ମୁଁ କୋଉଠି କହିଲି ? ସେଇଥିପାଇଁ ତ କହୁଛି ଫୋନ୍ ଲଗା l "
"ଆରେ ତମକୁ ତମ ସାଙ୍ଗଟା ବଡ l ମୋତେ ମୋ ସାଙ୍ଗ କେମିତି ଛୋଟ ଲାଗିବ ? ମୁଁ ମନା କରି ଦେଇଛି ତାକୁ l ଆଉ ଲଗେଇ ପାରିବିନି l "
"ସାଙ୍ଗ ବଡ ବୋଲି ମୁଁ କୋଉଠି କହିଲି ?ପୁଅର ପଢା କଥା ବୋଲି ନା......"
"ହଁ ରଖ ସେକଥା l ମୁଁ ଜାଣିଛି ତମ ସ୍ତ୍ରୀ ଲୋକମାନଙ୍କୁ ,ଚାନ୍ସ ପାଇଲେ ଖାଲି ଗପ !"
"ସ୍ତ୍ରୁ ଲୋକ ମାନେ ?ଠିକ୍ ଅଛି l ଏଥର ପୁଅର ପଢା କଥା ତମେ ବୁଝିବ l ମୋତେ କହିବନି l "ମୂହଁ ଝାଉଁଳି ଗଲା ନୀତାର l ଅଜୟ ଭାବୁଥିଲେ ଠିକ୍ ହେଇଛି l
ସନ୍ଧ୍ୟାରେ ପୁଅ ଟିଭି ଦେଖୁଛି ଜୋର୍ ସାଉଣ୍ତରେ l ଅଫିସ୍ ଫେରନ୍ତା ଅଜୟଙ୍କ ମୁଣ୍ଡ ଗରମ ହେଇଗଲା l
"କଣ କିରେ ପଢି ବସିନୁ ? ମାମା କୁଆଡେ ଗଲା ?"
"ମାମା ରାନ୍ଧୁଛି l କହିଛି ପାପା ଆସିଲେ ପାଠ ପଢେଇ ଦେବୋ"
"ଏତେବେଳୁ କଣ ରାନ୍ଧୁଛ ?"
"ଆମ ସ୍ତ୍ରୀ ଲୋକ କାମ କରୁଛି ପରା l "
"ଆରେ ସକାଳ କଥା ଧରିକି ବସିଛ ?ଏମିତି ମଜାରେ କହି ଦେଲି ନା ?"
"ମିଛ କୁହନି l ମଜାରେ ହେଇଥିଲେ ତମେ ଫୋନ ଲଗେଇ ଥାନ୍ତ l ମୁଁ ତ ସେଇଆ କରିଥାନ୍ତି l ସ୍ତ୍ରୀ ଲୋକ କି ପୁରୂଷ ବୋଲି ଆଭଏଡ୍ କରି
ନ ଥାନ୍ତି ତ l ପୁଅ ପାଇଁ ଟ୍ୟୁଟର ରଖ l "
ଚା କପ୍ ଟେବୁଲ୍ ଉପରେ ରଖୁ ରଖୁ ନୀତା କହିଲା l
"ଆରେ ତମ ଭଳି ସେ କଣ ପଢେଇ ପାରିବ ? "
"ହେଲେ ପଢେଇବା କାମ କଣ ସ୍ତ୍ରୀ ଲୋକର ? ତମେ ପଢା ନହେଲେ l "
"ଭାରୀ ଜିଦିଆ ମଣିଷଟେ ତମେ l ସାମାନ୍ୟ କଥାଟେ ଧରିକି ବସିଛ l "
"ହଁ ପାଠ ପଢିଥିବା ସ୍ତ୍ରୀ ଦରକାର l ଆଉ କାହା କଥା ପଡିଲେ ନାରୀ ପୁରୁଷ ସମାନ ବୋଲି କହିବ l ହେଲେ ଚିରାଚରିତ ତମ ଅଭ୍ୟାସ ଯିବନି l ଫୋନରେ ତମେ ମନଇଚ୍ଛା ଗପି ପାର l ମୋ ବେଳକୁ ମାଈକିନା ଅଭ୍ଯାସ ଖରାପ କହିବ l ସ୍ତ୍ରୀ ଲୋକ ବି ପୁରୁଷ ଲୋକ ଭଳି ମଣିଷଟେ l ବୁଝିଲ ?ମୋ ପୁଅକୁ ମୁଁ ନିଶ୍ଚୟ ପଢେଇବି l ଜାଣିଜାଣି ତା ଭବିଷ୍ୟତ ଖରାପ ହବାକୁ ଦେବିନି l କିନ୍ତୁ ତମର ସେଇ ନାରୀ ପୁରୁଷଜନିତ ଭାଷଣ
ଶୁଣି ପାରିବିନି l ମୁଁ ଜାଣିଛି କୌଣସି ଗୁରୁ ଦାୟିତ୍ବ ତମେ ନେଇ ପାରିବନି l "
"ଓଃ ,ବନ୍ଦ କର l ଅଫିସରୁ ଫେରି ତମ ଭାଷଣ ଶୁଣି ପାରିବିନି l ମଣିଷ ଜୀବନରେ ବାହା ହେଲା ଦିନୁ ଶାନ୍ତି ନାଇଁ ହୋ l "
ଅଜୟ ବାଥରୁମ ଆଡେ ଯାଉଥିଲେ l
"ବାହାଘର ଆଗରୁ ମୋର ବି ସୁନ୍ଦର ଜୀବନଟେ ଥିଲା ମ l "ନୀତା କିଚେନ ଆଡେ ଗଲା l ଦୁହେଁ ବୋଧେ ଜାଣି ନଥିଲେ ପୁଅ ସବୁ କଥା
ଶୁଣୁଥିଲା l ଦଶ ବର୍ଷର ପୁଅ କଣ ଭାବୂଥିଲା କେଜାଣି ?