Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others

3  

Prasanta kumar Hota

Others

ପରାମର୍ଶ

ପରାମର୍ଶ

7 mins
455


ନବ ଚୌଧୁରୀ ବିଜ୍ଞାନ ସାର୍ ହୋଇ ନୁଆ ନୁଆ ସ୍କୁଲ୍ କୁ ଆସିଥାନ୍ତି। ହେଡ୍ ସାର୍ ତାଙ୍କର ଭଲ କ୍ୟାରିଅର ସାର୍ଟିଫିକେଟ ରୁ ଦେଖି ବୁଝିଗଲେ। କଥାବାର୍ତ୍ତା କଲା ବେଳେ ତାଙ୍କର ବିଜ୍ଞାନ ରୁଚି ବାରି ହୋଇ ପଡୁଥାଏ। ବହୁତ ଚିନ୍ତା କରି ହେଡ୍ ସାର ତାଙ୍କୁ ନବମ ଦଶମ ଶ୍ରେଣୀର ପାଠ ପଢାଇବା ପାଇଁ କହିଦେଲେ।

ବଡ କ୍ଲାସରେ ପାଠ ପଢାଇବା ବି ଗୋଟିଏ ସମ୍ମାନର ବିଷୟ। ସ୍କୁଲ ରେ ଥିବା ଅନ୍ୟ ସାର୍ ମାନେ କିଛି କହି ନ ପାରିଲେ ବି ତାଙ୍କର ବ୍ୟବହାରରୁ ସେମାନେ ଯେ ଖୁସି ନୁହନ୍ତି ଜଣା ପଡି ଯାଉଥାଏ।

ନବ ଚୌଧୁରୀ ପ୍ରଥମେ ପ୍ରଥମେ ଏଥିପାଇଁ ଗର୍ବ ଅନୁଭବ କରୁଥିଲେ ଯେ ତାଙ୍କୁ ଆସୁ ଆସୁ ବଡ କ୍ଲାସରେ ପଢାଇବା ପାଇଁ ସୁଯୋଗ ଦିଆ ହେଇଛି । କିନ୍ତୁ ଆସ୍ତେ ଆସ୍ତେ ଏହା ମୁଣ୍ଡ ବିନ୍ଧା ର କାରଣ ହେବାକୁ ବସିଲା। ସେ ଆଜି ପର୍ଯ୍ୟନ୍ତ ଶୃଙ୍ଖଳିତ ଭାବରେ ଗୋଟିଏ ବି କ୍ଲାସ ଭଲରେ ପଢେଇ ପାରିଲେ ନାହିଁ। ତାଙ୍କର ଅବଶୋଷ ରହିଗଲା ସେ ଭଲ ଜାଣି ମଧ୍ୟ ପିଲାଙ୍କୁ ଭଲରେ ପଢାଇ ପାରୁ ନାହାନ୍ତି। ପିଲାମାନେ ଯେମିତି ପଢିବାକୁ ଅନିଛୁକ। ସଦାବେଳେ ପଢାଇବା ବେଳେ ବିଶୃଙ୍ଖଳା।

ସରକାରଙ୍କ ଦଣ୍ଡମୁକ୍ତ ଅଞ୍ଚଳରେ କାହାକୁ ହାତ ବି ଉଠାଇ ପାରୁ ନାହାନ୍ତି। ପିଲାମାନେ ଶ୍ରେଣୀ ଗୃହରେ ଏପରି ଭାବରେ କଥା ଫିଙ୍ଗା ଫିଙ୍ଗି ହୁଅନ୍ତି ଯେ ବାହାରେ କହିବା ପାଇଁ ଲାଜ ଲାଗେ। ଥରେ ଚାରୋଟି ପିଲାଙ୍କୁ କ୍ଲାସରୁ ବାହାର କରିଦେଲେ ଯେ ଅନ୍ୟ ପିଲାମାନେ ତାଙ୍କୁ ସହଯୋଗ କଲେ ଓ କିଛି ବି ପଚାରିବା ଆରମ୍ଭ କରିଦେଲେ - ସାର୍ ଆମେ କେତେବେଳେ ବାହାରକୁ ଯିବୁ। ବାହାରି ଥିବା ପିଲା ବାହାରେ ଏମିତି ପାଟିତୁଣ୍ଡ କଲେ ଯେ ତାଙ୍କୁ ଲାଗିଲା ଯେମିତି ସେମାନଙ୍କୁ ଏସବୁ କରିବାରେ କେହି ସହଯୋଗ କରୁଛି।

ଏସବୁ ଦେଖି ନବ ସାରଙ୍କ ମୁଣ୍ଡରେ କିଛି ବୁଦ୍ଧି ପଡୁନଥାଏ। ଥରେ ସେ ନିଜର ସହକର୍ମୀ ଶିକ୍ଷକ ମାନଙ୍କୁ ଏହି ବିଷୟରେ ଜଣାଇଲେ । କିନ୍ତୁ କେହି ଏତେ ଗୁରୁତ୍ବର ସହ ନେଲେ ନାହିଁ। କେହି କେହି କହିଲେ -ନୂଆ କରି ଆସିଛ ତେଣୁ ପିଲାମାନେ ସେମିତି ହେବେ। ଯଦି ପାରୁନ ହେଡ୍ ସାରଙ୍କୁ କହି ପ୍ରଥମେ ଛୋଟ କ୍ଲାସରେ ପଢାଅ। ତାପରେ ବଡ କ୍ଲାସକୁ ଆସିବ। ପରାମର୍ଶ ଭଲ ଲାଗିଲେ ବି ନବ ସାର୍ ନିଜର ଅସାମର୍ଥ୍ୟ ସ୍ଵୀକାର କରିବା ପାଇଁ ଚାହୁଁ ନଥିଲେ। ସେ ଏହି ଦ୍ଵିଧାରୁ ମୁକୁଳିବା ପାଇଁ ମନେ ମନେ ବହୁତ ଚିନ୍ତା କଲେ। ପିଲାମାନଙ୍କୁ ଗାଳି ଦେଲେ ପିଲାମାନେ ପ୍ରତ୍ୟୁତ୍ତର ଦେବାକୁ ପଛାଉ ନାହାନ୍ତି। ବାପା ମାଆ ଙ୍କୁ ଖବର ଦେଲେ କେହି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଉ ନାହାନ୍ତି। ସେ ବହୁତ ପ୍ରକାର ଚେଷ୍ଟା କଲେ। ସବୁ ଚେଷ୍ଟା ବିଫଳ ହେଲା। ଏଥରକ ସେ ଅନ୍ୟ ମାନଙ୍କର କ୍ଲାସ ଲୁଚି ଲୁଚି ଦେଖିବା ଆରମ୍ଭ କଲେ। ଆଶ୍ଚର୍ଯ୍ୟର ବିଷୟ ସେହି କ୍ଲାସର ପିଲାମାନେ ଅନ୍ୟ ଶିକ୍ଷକଙ୍କ ପଢାଇବା ଉଚ୍ଚ ମାନର ନହେଲେ ମଧ୍ୟ ତାଙ୍କ ପଢାଇବା ସମୟରେ ଚୁପ୍ ରହୁଛନ୍ତି।

ତାପରେ ଅନ୍ୟ ଶିକ୍ଷକଙ୍କ ପଢାଇବା ଶୈଳୀ ମଧ୍ୟ ଏମିତି କିଛି ନିଆରା ନଥିଲା ଯେ ସେ ଅନୁସରଣ କରିବେ। ନବ ଚୌଧୁରୀ ଏସବୁ ଭାବି ଭାବି ଶାନ୍ତି ରେ ଶୋଇ ପାରିଲେ ନାହିଁ।

ସଦାବେଳେ ସେ ଭାବୁଥାନ୍ତି କ୍ଲାସରେ ପିଲାମାନେ କାହିଁକି ଏମିତି ବିଶୃଙ୍ଖଳା କରୁଛନ୍ତି? ଭଲ ଭାବରେ ପଢାଇବା ପାଇଁ କାହିଁକି ସୁଯୋଗ ଦେଉ ନାହାନ୍ତି। ସବୁ ଆଡୁ ନିରାଶ ହେଲା ପରେ ସେ ହେଡ୍ ସାରଙ୍କୁ ଏ ବିଷୟରେ କହିଲେ। ସେ ମଧ୍ୟ ସହଯୋଗ କଲା ପରି ମନେହେଲେ ନାହିଁ। କହିଲେ ନୂଆ ନୂଆ ଆସିଛ। ଧର୍ଯ୍ୟର ସହ ପକାଅ। ପିଲାଙ୍କୁ କେମିତି ଶୃଙ୍ଖଳିତ କରାଯିବ ସେଇଟା ତୁମ ନିଜର ବିଚାର ଓ ଜଣେ ଭଲ ଶିକ୍ଷକ ହେବାର ପରିଚୟ। ଏହା କେହି କାହାକୁ ଦେଇ ପାରିବେ ନାହିଁ।

ନବ ଚୌଧୁରୀ ଉତ୍ତର ଶୁଣି ମନେ ମନେ ଦୁଃଖିତ ହେଲେ। ଭାବିଥିଲେ କିଛି ପରାମର୍ଶ ପାଇଥାନ୍ତେ କିନ୍ତୁ ପରାମର୍ଶ କେବଳ ପ୍ରତିକ୍ରିୟାରେ ରହିଗଲା। ସେ ପୁଣି ଥରେ ଅନୁରୋଧ କରି କହିଲେ -ସାର ମୁଁ କ୍ଲାସ ନେଲା ବେଳେ ଆପଣ ଥରେ ନିରୀକ୍ଷଣ କରିବା ପାଇଁ ଆସିଲେ ଭଲ ହୁଅନ୍ତା। ଆପଣ ପିଲାଙ୍କ ଦୁଷ୍ଟାମି ଦେଖି ପାରନ୍ତେ ଓ ମୋର ଯଦି କିଛି ଭୁଲ ଥାଏ ମୋତେ ବି କହି ପାରନ୍ତେ।

ହେଡ୍ ସାର୍ କଥା ଶୁଣି ବିରକ୍ତରେ କହିଲେ - ସରକାରୀ ସ୍କୁଲରେ ପ୍ରଧାନ ଶିକ୍ଷକଙ୍କ କେତେ ପ୍ରକାରର କାମ ଅଛି ଜାଣିଛ ! ଆମର ପିଲାଙ୍କୁ ପଢାଇବା କାମ ଯେତିକି ତାଠୁ ଢେର ଅଧିକ ଅନ୍ୟାନ୍ୟ କାମ। ତା ଭିତରେ ତମ ଭଳିଆ ଶିକ୍ଷକ ମାନେ ଯଦି ଆମକୁ ତାଙ୍କ କାମରେ ଲଗାଇବେ ତାହେଲେ ଆମେ ଆଉ ପ୍ରଧାନ ଶିକ୍ଷକ କାହିଁକି ଚପରାସୀ ହୋଇ ଯିବାଟା ଭଲ।

ନବସାର୍ ତୁରନ୍ତ କଥାକୁ ବଦଳାଇବା ପାଇଁ ସରି ସରି କହି ନିଜର ଭୁଲ୍ ପ୍ରକାଶ କଲେ। ନିଜର ଭୁଲ୍ କଣ ଜାଣି ପାରୁ ନଥିଲେ ବି ପରିସ୍ଥିତି ତାଙ୍କୁ ଭୁଲ୍ ମାଗିବା ପାଇଁ ବାଧ୍ୟ କଲା।

ପ୍ରଧାନ ଶିକ୍ଷକ ପ୍ରଧାନ ହେବାର ଗୁରୁତ୍ବକୁ ରଖି କହିଲେ - ଭଲ ହେଲା, ନିଜ ଭୁଲ୍ ବୁଝି ପାରିଲ। ନିଜ କ୍ଲାସ ନିଜେ ସମ୍ଭାଳ ନଚେତ୍ ଶିକ୍ଷକ ବୃତ୍ତି ଛାଡ଼ି ଦିଅ।

କଥାଟା ନବ ଚୌଧୁରୀଙ୍କୁ ବହୁତ ବାଧିଲା। ସେ ଚେଷ୍ଟା କରିବି କହି କୋଠରୀ ଭିତରୁ ବାହାରି ଆସିଲେ। ତାଙ୍କୁ କୌଣସି ବୁଦ୍ଧି ବାଟ ଦିଶୁ ନଥାଏ। ଦଣ୍ଡ ଦେଇ ଦୋଷ ଦୂର କରିବା ଦୁରୂହ ବ୍ୟାପାର। କାରଣ ଏଇଟା ଆଉ ସେହି ପୁରୁଣା ଯୁଗ ହେଇ ନାହିଁ ଯେ ଦୁଷ୍ଟାମି କଲେ ବେତରେ ପ୍ରହାର କରିବେ ବା ଆଙ୍ଗୁଠି ମଝିରେ ପେନସିଲ ରଖି ଯନ୍ତ୍ରଣା ଦେଵେ। ଦଣ୍ଡ ମୁକ୍ତ ଅଞ୍ଚଳରେ ଦୈବାତ ଦଣ୍ଡ ଦେଲେ ମଧ୍ୟ ନିଜକୁ ଏହାର ପରିଣାମ ଭୋଗିବାକୁ ପଡିବ।

ନବ ଚୌଧୁରୀ ଭାବନାରେ ଭାରାକ୍ରାନ୍ତ ହୋଇ ନିଜ କ୍ଲାସ ରୁମ ଭିତରେ ପଶିଲେ । ମନେ ମନେ ସ୍ଥିର କଲେ ଆଜି ଯିଏ ବିଶୃଙ୍ଖଳା କରିବ ସିଏ ଯାଇ ପଡିଆରେ ଠିଆ ହେବ। ତାଙ୍କର ସଂକଳ୍ପ ସରିଛି କି ନାହିଁ କାହାର ବିଦ୍ରୁପ ଭରା ପାଟି ଶୁଭିଲା - କଲମ ନଵ-ଅଅଅ କିରେଏ--। ସମସ୍ତେ ହସି ଉଠିଲେ ଓ ସେହି ପିଲା ଆଡେ ଦେଖିବାକୁ ଲାଗିଲେ । ନବ ସାର୍ ରାଗରେ ଛାତ୍ର ପାଖକୁ ଆସି କହିଲେ, ରବି ତୋର କଣ ପାଠ ପଢିବା ପାଇଁ ଇଛା ନାହିଁ

ରବି ବଡ କୋମଳ କଣ୍ଠରେ କହିଲା - ଅଛି ସାର୍

ନବ ସାର୍ ବୁଝି ପାରୁଥିଲେ କଣ୍ଠରେ କୋମଳତା କେତେ ଓ କୃତ୍ରିମତା କେତେ। କିନ୍ତୁ କିଛି କରି ପାରୁ ନଥିଲେ। ରାଗ ଚଢି ଚଢି ଯାଉଥିଲା। ବିରକ୍ତରେ ସେ କହିଲେ- ପଢିବାର ଯଦି ଇଛା ନାହିଁ ବାହାରକୁ ଚାଲି ଯାଅ।

ରବି ପୁଣି ତାର କୋମଳ କଣ୍ଠକୁ ବଜାୟ ରଖି କହିଲା -ମୋର ଇଚ୍ଛା ଅଛି ସାର୍

ନବ ସାର୍ ଆଉ କିଛି କହି ନପାରି ହୋଉ ବସ ବୋଲି କହିଲେ। ପଛକୁ ବୁଲିବା ଆରମ୍ଭ ମାତ୍ର କରିଛନ୍ତି ପୁଣି କାହାର ପାଟି ଶୁଭିଲା - ବହି ନଵ-ଅଅଅ କିରେ।

ଏଥରକ ନବ ସାର୍ ବହୁତ ଯୋରରେ ରାଗିଯାଇ ରବିକୁ କହିଲେ -ବାହାରି ଯା କ୍ଲାସରୁ।

ରବି କାକୁସ୍ଥ ହୋଇ ପଚାରିଲା-ମୋର ଭୁଲ୍ ସାର୍।

- ତୋର ଭୁଲ କଣ ତୁ ଜାଣିନୁ, ଏବେ ତୁ କଣ କହୁଥିଲୁ। ରବି ପୁଣି ସେହି ବିନମ୍ରତାର ଠାଣିରେ ପଚାରିଲା -କଣ କହୁଥିଲି ସାର୍?

-ତୁ କଣ ଜାଣିନୁ ?

-ଜାଣିଛି ସାର୍। ଆପଣ ବୁଝାଇ ଦିଅନ୍ତୁ ମୁଁ କଣ ଖରାପ କହିଲି।

ନବ ସାର୍ ଆହୁରି ଜୋରରେ ରାଗି କହିଲେ - ତୁ ନିଜେ କହ କଣ କହିଲୁ।

ରବି ପୂର୍ବ ବିନମ୍ରତା ବଜାୟ ରଖି କହିଲା - ସାର୍ ମୁଁ ରାଜୁ କୁ କହିଲି ବହି ନବଅ କିରେ।

ସମସ୍ତେ ପୁଣି ହସି ଉଠିଲେ।

ନବ ସାର ରାଗକୁ ସଂଯତ କରି ଚୁପ୍ ରହିଲେ। କୌଣସି ପ୍ରକାରେ ପିରିୟଡ ଶେଷ କରି ବାହାରି ଆସିଲେ।

ମନରେ ଅନେକ ଅଶାନ୍ତି ଧରି ନବ ତା ଜେଜେଙ୍କ ପାଖରେ ଯାଇ ପହଞ୍ଚି ସବୁ କଥା ଖୋଲି କହିଲେ।

ଜେଜେ ସବୁ ଶୁଣି ଟିକିଏ ହସି ଦେଲେ, କହିଲେ ଇୟେ ଗୋଟେ କଥା!

ଭଗବାନଙ୍କ ସୃଷ୍ଟିରେ ମଣିଷ ହେଉଛି ଶ୍ରେଷ୍ଠ ଜୀବ। ତା ଭିତରେ ପ୍ରଚଣ୍ଡ ବୁଦ୍ଧି ଭର୍ତ୍ତି ହୋଇ ରହିଛି। ଆମେ ତାକୁ ନିଜ ଅହଂକାର, ଅସହନଶୀଳ ଓ ଅଭାଗିଦାରିତା ଦ୍ଵାରା ଘୋଡାଇ ରଖିଛେ। ଥରେ ମୁକ୍ତ ହୋଇଗଲେ ସବୁ ରାସ୍ତା ଆପେ ଆପେ ଦିଶିଯାଏ।

-କିନ୍ତୁ ମୋତେ ଦିଶୁନି ଜେଜେ

ପ୍ରଥମେ ତୁ ତୋର ଅହଂକାର କୁ ତ୍ୟାଗ କର--।

ଜେଜେଙ୍କୁ ଅଟକାଇ ନବ ପ୍ରଶ୍ନ କଲା ମୋର କୋଉଠୁ ଅହଂକାର ଆସିଲା। ମୁଁ କଣ ଅହଂକାର କଲି?

ଜେଜେ କହିଲେ - ସବୁ ଅହଂକାର ଜଣା ପଡେ ନାହିଁ। ବେଳେବେଳେ ପ୍ରଚଣ୍ଡ ଆତ୍ମବିଶ୍ୱାସ ମଧ୍ୟ ଅହଂକାର ରୂପ ନେଇ ଯାଏ। ତେଣୁ ତୁ ପ୍ରଥମେ ସେଥିରୁ ମୁକ୍ତ ହୋଇ ଯା ଅର୍ଥାତ୍ ତୋର ବିଜ୍ଞାନ ଓ ଗଣିତ ବିଷୟରେ ବହୁତ ଜ୍ଞାନ ଅଛି ବୋଲି ନିଜର କୌଣସି ବ୍ୟବହାର ଦ୍ଵାରା ପ୍ରକଟ ହେବା ଉଚିତ୍ ନୁହେଁ। ବରଂ ନିଜେ ଛୋଟ ହେବାର ଅଭିନୟ କରି ଅନ୍ୟଠାରୁ ଜ୍ଞାନ ଶିଖିବାର ବାହାନା କରିବାର ଅଛି। ଏଥିରେ ଅନ୍ୟମାନଙ୍କୁ ସନ୍ତୋଷ ମିଳେ ଓ ନିଜର ଅହଂକାର ଲୋପ ପାଇଯାଏ। ଦିତୀୟ କଥା ଅସହନଶୀଳ ଅର୍ଥାତ୍ ପିଲାମାନେ ଯାହା ବି କରିବେ ସହିବାର ସାମର୍ଥ୍ୟ ଥିବା ଦରକାର ତୃତୀୟରେ ଅଭାଗିଦାରିତା ଅର୍ଥାତ୍ ମୋ ପାଖରେ ଯାହା ବି ପ୍ରଭୁଙ୍କ ଦୟାରୁ ଅଛି ମୁଁ କେତେ ପରିମାଣରେ ଅନ୍ୟମାନଙ୍କ ସହ ଭାଗ କରି ପାରୁଛି। ଯେମିତି ତୋ କାମ ହେଲା ପାଠ ପଢେଇବା । ତୁ ନିଜେ ଭଲ ପାଠ ପଢିଛି। ଯାହା ଭଗବାନଙ୍କ ଆଶିର୍ବାଦରୁ ତୋତେ ମିଳିଛି। ବର୍ତ୍ତମାନ ସେଇଟା ଅନ୍ୟମାନଙ୍କ ସହ ସେୟାର କରି ପାରିଲେ ଅଭାଗିଦାରିତା ଆଉ ରହିବ ନାହିଁ। ତୋ ସମସ୍ୟା ସମାଧାନ ହୋଇପାରିବ।

-କିନ୍ତୁ ମୁଁ କରିବି କଣ। ନବ ବ୍ୟସ୍ତ ହୋଇ ପଚାରିଲା

ଯଦି ଏତିକି ବୁଝି ପାରିଲୁ ତାହେଲେ ମୁଁ କହିବି।

ହଁ ଜେଜେ, ମୁଁ ବୁଝିଛି। ତମେ କୁହ

ଜେଜେ କହିଲେ -ଶୁଣ୍, ପ୍ରତ୍ୟେକ ପ୍ରାପ୍ତି ପାଇଁ କିଛି ତ୍ୟାଗ ଓ କିଛି ସମର୍ପଣ ଭାବ ଦରକାର। କାରଣ ସବୁ ପରିଶ୍ରମରେ ଭଗବାନଙ୍କ ଆଶିର୍ବାଦ ରହିଲେ କାମଟା ସହଜ ହୋଇଯାଏ।

-ମୁଁ କଣ ତ୍ୟାଗ କରିବି ତାହେଲେ। ନବ ପଚାରିଲା।

ତୋ ପାଠ ବିଶୃଙ୍ଖଳା କାରଣରୁ କ୍ଲାସରେ କେହି ଶୁଣୁ ନାହାନ୍ତି। କିଛି ପିଲା ଅକାରଣରେ ଦୋଷ ନଥାଇ ତୋ ପାଠରୁ ବଞ୍ଚିତ ହେଉଛନ୍ତି। ତେଣୁ ତୁ କ୍ଲାସରେ ପିଲାମାନଙ୍କୁ କହିଦେ ଯେ ପାଟି ତୁଣ୍ଡ କାରଣରୁ ମୁଁ ଯେହେତୁ ପାଠ ଠିକ୍ ଭାବରେ ପଢେଇ ପାରୁ ନାହିଁ ତେଣୁ ଯେଉଁ ମାନଙ୍କର ପାଠ ପଢିବାରେ ଆଗ୍ରହ ଅଛି ସେମାନେ ଘରକୁ ସକାଳେ ବା ରାତିରେ ଗୋଟିଏ ସମୟରେ ଆସି ବୁଝି ପାରିବେ। ମୁଁ କ୍ଲାସ ର ସମସ୍ତଙ୍କୁ ବିନା ମୂଲ୍ୟରେ ଟ୍ୟୁସନ କରିବି। ଦେଖିବୁ ପଢିବା ପିଲାମାନେ ଘରକୁ ଆସିବା ଆରମ୍ଭ କରିବେ ଓ ତୋର ପଢାଇବାର କ୍ଷମତା ବାହାରେ ପ୍ରକାଶ କରିବେ। ତାପରେ ଦେଖିବୁ ଆସ୍ତେ ଆସ୍ତେ ଅନ୍ୟ ପିଲାମାନେ ବି ଆସିବା ଆରମ୍ଭ କରିବେ ଓ ତୋର ଖ୍ୟାତି ବଢିଯିବ। ତୋତେ କିନ୍ତୁ ଏତିକି ତ୍ୟାଗ କରିବାକୁ ପଡ଼ିବ ଓ ପୂର୍ଣ ସମର୍ପଣ ଭାବ ସହିତ।

ନବ କହିଲା - ଜେଜେ ମୁଁ ବୁଝିଗଲି।

ସତକୁ ସତ ନବ ବିଶୃଙ୍ଖଳା କାରଣରୁ ପଢି ପାରୁ ନଥିବା ପିଲାଙ୍କୁ ଘରକୁ ଡାକି ପାଠ ପଢାଇଲା। ଆସ୍ତେ ଆସ୍ତେ ନବ ସାର ଭଲ ପାଠ ପଢାଉଛନ୍ତି ବୋଲି କଥା ବ୍ୟାପିବାକୁ ଲାଗିଲା। ଧିରେ ଧିରେ ପିଲାଙ୍କ ସଂଖ୍ୟା ବଢିଲା। ପ୍ରଥମରୁ ଯେଉଁମାନେ ବିନାମୂଲ୍ୟରେ ପଢୁଥିଲେ ସେମାନଙ୍କ ବାପାମାନେ ଆସି ଜବରଦସ୍ତି ଟଙ୍କା ଦେଇ କହିଲେ ବିନା ମୂଲ୍ୟରେ ପାଠ ପଢିଲେ ତାଙ୍କ ପିଲାଙ୍କର ମଙ୍ଗଳ ହେବ ନାହିଁ ତେଣୁ ରଖନ୍ତୁ। ପରୀକ୍ଷା ପାଖେଇ ଆସିଲା ବେଳକୁ ବିଶୃଙ୍ଖଳା କରୁଥିବା ପିଲାମାନେ ଦିନେ ରାତିରେ ଆସି ବାପାମାନଙ୍କ ସହ ପହଞ୍ଚିଲେ । ନବ ସାର୍ ଘରେ ସମସ୍ତଙ୍କୁ ଦେଖି ଚମକି ଗଲେ କିନ୍ତୁ ପରକ୍ଷଣରେ ସମସ୍ତଙ୍କୁ ପାଖକୁ ଡାକି କୁଣ୍ଢାଇ ପକାଇଲେ। ପିଲାମାନଙ୍କ ବାପାମାନେ କିଛି ବୁଝି ପାରିଲେ ନାହିଁ। ସେମାନେ କିଛି କହିବା ପୂର୍ବରୁ ଯେମିତି ସେମାନଙ୍କର ସବୁ ସମାଧାନ ହୋଇଗଲା। ପିଲାମାନଙ୍କ ବାପାମାନେ କହିଲେ ସାର୍ କିଛି ଶିକ୍ଷକ ଜାଣି ଶୁଣି ଆପଣଙ୍କୁ ସହି ନପାରି ପିଲା ମାନଙ୍କୁ ଅସ୍ତ୍ର କରିଥିଲେ। ତାଙ୍କର ଡର ଥିଲା ତାଙ୍କର ଟ୍ୟୁସନ କମି ଯିବ। ସେଥିପାଇଁ ଆମ ପିଲାମାନଙ୍କୁ ସେମାନେ ନିଜର ଅସ୍ତ୍ର କରି ବ୍ୟବହାର କରୁଥିଲେ।

ମୁଁ ସବୁ ଜାଣିଛି। ନବ ଚୌଧୁରୀ କହିଲେ । ଏହା ଦ୍ଵାରା ମୋର ବି ବହୁତ ଲାଭ ହେଇଛି। ତେଣୁ ଆପଣଙ୍କ ପିଲାମାନଙ୍କୁ ଓ ସେହି ସାର ମାନଙ୍କୁ ମୁଁ ମନେ ମନେ ବହୁତ ଧନ୍ୟବାଦ ଜଣେଇ ସାରିଛି।

ରବି ପାଖକୁ ଆସିବାରୁ ନବ ସାର୍ କହିଲେ ଯେତେ ଆଗ୍ରହରେ ତମେ ମୋ ସାଙ୍ଗରେ ଅଭିନୟ କରୁଥିଲ ସେତିକି ଆଗ୍ରହ ଦେଖାଇଲେ ମୁଁ ତମର ରେଜଲ୍ଟ ପୁରା ଠିକ୍ କରିଦେବି। ଅନ୍ୟମାନେ ହସିଲେ

ସାରଙ୍କ ଠାରୁ ବିଦାୟ ନେଲା ବେଳେ ବାପା ମାନେ କୁହାକୁହି ହେଉଥିଲେ ଯାହା ହେଉ ସାର କିଛି ମାଇଣ୍ଡ କଲେ ନାହିଁ। ବହୁତ ବଢିଆ ଲୋକ। କିନ୍ତୁ ବୁଝି ହେଲା ନାହିଁ ଯେ ଆମ ପିଲାମାନେ ତାଙ୍କର କଣ ଭଲ କଲେ।

ହଁ ହଁ। ସତ କଥା । ଅନ୍ୟମାନେ କହିଲେ।


Rate this content
Log in