Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -୮୦
ଜହ୍ନମାମୁଁ -୮୦
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

3 Minutes   7.2K    14


Content Ranking

ବୀର ହନୁମାନ - ୧

ମୈନାକ ପର୍ବତଙ୍କର କଥା ଶୁଣି ହନୁମାନ ବଡ ସନ୍ତୁଷ୍ଟ ହେଲେ ତା’ପରେ ସେ କହିଲେ, “ମୋ ପ୍ରତି ତୁମର ଏହି ପ୍ରିୟଭାବହିଁ ମୋ ପାଇଁ ଯଥେଷ୍ଟ ଏବଂ ତାହାହିଁ ମୋ ପ୍ରତି ଆତିଥ୍ୟ । କିନ୍ତୁ ତୁମ କଥା ମୁଁ ଏବେ ସ୍ୱୀକାର କରିପାରିବି ନାହିଁ । ତୁମେ ମୋତେ ଭୁଲ୍ ବୁଝିବ ନାହିଁ । ମୁଁ ଆଉ କ୍ଷଣେ ମାତ୍ର କାଳବିଳମ୍ବ କରିବାକୁ ଚାହେଁ ନାହିଁ । ତା’ପରେ ମୋ ସାଥୀ ବାନରମାନଙ୍କୁ ମୁଁ କଥା ଦେଇଛି ଯେ ଆଜି ସୂର୍ଯ୍ୟାସ୍ତ ପୂର୍ବରୁ ମୁଁ ଫେରି ଆସିବି । ତେଣୁ ମୁଁ କେଉଁଠି ହେଲେବି ରହିପାରିବି ନାହିଁ ।”

ଏତିକି କହି ସେ ମୈନାକକୁ ସ୍ପର୍ଶ କରି ପୁଣି ଉଚ୍ଚକୁ ଉଠି ଲଙ୍କା ଅଭିମୁଖରେ ଉଡି ଚାଲିଲେ ।

ମୈନାକ ହନୁମାନଙ୍କୁ ଆଶୀର୍ବାଦ କରି କହିଲେ – “ତୁମ କାର୍ଯ୍ୟରେ ତୁମେ ସାଫଲ୍ୟ ଲାଭ କର” । ସେତେବେଳକୁ ହନୁମାନ ବହୁ ଦୂରକୁ ଉଡି ଗଲେଣି । ସେମାନଙ୍କ କଥାବାର୍ତ୍ତା ଶୁଣି ଦେବତା, ଗନ୍ଧର୍ବ, କିନ୍ନର, ଯକ୍ଷ ଓ ସିଦ୍ଧଗଣ ହନୁମାନଙ୍କୁ ଓ ମୈନାକଙ୍କୁ ଅନେକ ଅନେକ ପ୍ରଶଂସା କରୁଥିଲେ ।

ସେତେବେଳେ ଇନ୍ଦ୍ର ସୁବିଧା ପାଇ ମୈନାକଙ୍କୁ କହିଲେ, “ଦେବକାର୍ଯ୍ୟ ପ୍ରତି ତୁମର ସମ୍ମାନ ଅଛି ଦେଖି ମୁଁ ବହୁତ ଖୁସି ହେଲି । ଏବେ ଭବିଷ୍ୟତରେ ମୁଁ ତୁମର ଆଉ କୌଣସି କ୍ଷତି କରିବି ନାହିଁ, ନିଶ୍ଚିନ୍ତ ରୁହ ।” ଇନ୍ଦ୍ରଙ୍କ କଥା ଶୁଣି ମୈନାକ ଆଶ୍ୱସ୍ତ ହେଲେ ଓ ତାଙ୍କୁ ପ୍ରଣାମ କରି ସେ ପୁଣି ସମୁଦ୍ରରେ ଡୁବିଗଲେ ।

ଇତିମଧ୍ୟରେ ହନୁମାନ ଆହୁରି ଦୂରକୁ ଚାଲିଗଲେଣି । ଦେବତାମାନେ ହଠାତ୍ ଭାବିଲେ ଯେ ହନୁମାନଙ୍କର ଶକ୍ତି ଓ ପରାକ୍ରମ ଯେପରି ହେଉ ସବୁ ପରୀକ୍ଷା କରାଯିବ । ସେମାନେ ନାଗମାତା ସୁରସାଙ୍କୁ ଡାକି କହିଲେ, “ହେ ମାତେ, ତୁମେ ତ ଇଚ୍ଛାନୁସାରେ କାୟାବିସ୍ତାର କରିପାରିବ । ଏବେ ହନୁମାନ ସୀତାଠାବ ପାଇଁ ଲଙ୍କା ଦିଗରେ ଉଡି ଯାଉଛନ୍ତି, ତାଙ୍କର ଶକ୍ତି ପରୀକ୍ଷା କରିବା ହେଲା ତୁମର କାମ । ଆମେ ଦେଖିବାକୁ ଚାହୁଁ ଯେ ସେ ତୁମକୁ ଲଙ୍ଘନ କରି ଯାଉଛନ୍ତି ନା ତୁମକୁ ଦେଖି ଭୟଭୀତ ହୋଇ ଫେରି ଯାଉଛନ୍ତି ।”

ଦେବତାଙ୍କ ଅନୁରୋଧରେ ନାଗମାତା ସୁରସା ନିଜର କାୟା ବିସ୍ତାର କରି ଏକ ଭୟଙ୍କର ରାକ୍ଷସୀର ରୂପ ଧାରଣ କଲେ ଓ ସମୁଦ୍ର ଉପରକୁ ଯାଇ ହନୁମାନଙ୍କର ପଥ ଓଗାଳିଲେ । ସେ ହନୁମାନଙ୍କୁ କହିଲେ, “ତୁମକୁ ଆଜି ଦେବତାମାନେ ମୋତେ ଆହାର ଭାବରେ ଅର୍ପଣ କରିଛନ୍ତି । ମୁଁ ଏବେ ତୁମକୁ ଖାଇ ମନ ଶାନ୍ତ କରିବି । ତୁମେ ବିନା ଦ୍ୱିଧାରେ ମୋ ପାଟି ଭିତରକୁ ଚାଲିଆସ ।” ଏତିକି କହି ସେ ତାଙ୍କର ପାଟି ମେଲାଇଲେ ।

ହନୁମାନ ଚୁପ୍ଚାପ୍ ଗତି ବନ୍ଦ କରି ସୁରସାଙ୍କର କଥା ଶୁଣିଲେ । ମୁହଁରେ ତାଙ୍କର ଭୟର କୌଣସି ଚିହ୍ନବର୍ଣ୍ଣ ନାହିଁ; ବରଂ ସେ ଅତି ଧୀର ଓ ଶାନ୍ତ ଭାବରେ କହିଲେ, “ପ୍ରଥମେ ମୋ କଥା ଶୁଣନ୍ତୁ ତା’ପରେ ଯାହା କରିବେ । ଦଶରଥ ପୁତ୍ର ଭଗବାନ୍ ଶ୍ରୀରାମ ତାଙ୍କ ପିତାଙ୍କ ସତ୍ୟପାଳି ବଣରେ ପତ୍ନୀ ସୀତା ଓ ଅନୁଜ ଲକ୍ଷ୍ମଣ ସହିତ ରହୁଥିଲେ । ଲଙ୍କାର ରାଜା ରାବଣ ଛଳ କରି ମାତା ସୀତାଙ୍କୁ ହରଣ କରି ନେଇଗଲା । ଶ୍ରୀରାମ ଏବେ ବହୁତ ବିଚଳିତ; ମୁଁ ତାଙ୍କର ଦୂତ ହୋଇ ସୀତା ମାତାଙ୍କର ଖବର ଆଣିବାକୁ ଲଙ୍କା ଯାଉଛି । ଏ ପୂଣ୍ୟ କାର୍ଯ୍ୟରେ ତୁମେ ବରଂ ସାହାଯ୍ୟ କର, କାହିଁକି ବାଧା ସୃଷ୍ଟି କରୁଛ? ତଥାପି ମଧ୍ୟ ତୁମ କଥା ଅନୁସାରେ ମୁଁ ତୁମ ମୁହଁ ମଧ୍ୟକୁ ନିଜେହିଁ ଆସିଯିବି । କିନ୍ତୁ ଏ ପୂଣ୍ୟ କାର୍ଯ୍ୟ କରିବାକୁ ପ୍ରଥମେ ମୋତେ ଛାଡିଦିଅ, ମୋ ଉପରେ ବିଶ୍ୱାସ ରଖ । ମୋ କାମ ଶେଷ ହେବା ପରେ ମୁଁ ତୁମ ପାଖକୁ ଲେଉଟି ଆସିବି ଓ ତୁମର ଆହାର ହେବି ।”

ସୁରସା କହିଲେ, “ଦେଖ ମୋତେ ଅତିକ୍ରମ କରି କେହିବି ଯାଇ ପାରିବ ନାହିଁ ବୋଲି ମୋତେ ବରଦାନ ମିଳିଛି ।” ଏତିକି କହି ପୁଣି ସେ ତାଙ୍କ ମୁହଁ ଖୋଲି ଧରିଲେ । ଖୋଲା ମୁହଁଟା ଗୋଟାଏ ବଡ ଗୁମ୍ଫା ପରି ଦିଶୁଥାଏ । ହନୁମାନ ହଠାତ୍ ନିଜ ଦେହକୁ ଏକବାରେ ଛୋଟ କରିଦେଲେ ଓ ସୁରସାଙ୍କ ମୁହଁ ଭିତରକୁ ଯାଇ ପୁଣି ବାହାରକୁ ଆସି ସେ କହିଲେ, “ହେ ଦକ୍ଷକନ୍ୟା, ତୁମେ ମୋର ନମସ୍କାର ନିଅ । ମୁଁ ତୁମ କଥା ଅନୁସାରେ ତୁମ ମୁହଁ ମଧ୍ୟକୁ ପଶିଯାଇ ପୁଣି ବାହାରି ଆସିଲି । ଏବେ ତୁମେ ମୋତେ ମୋ କାମରେ ଯିବାକୁ ଦିଅ । ଭଗବାନ୍ ଶ୍ରୀରାମଙ୍କ କାମରେ ବାଧାସୃଷ୍ଟି କରନାହିଁ ଏତିକି ମୋର ଅନୁରୋଧ ।”

ତତ୍କ୍ଷଣାତ୍ ସୁରସା ରାକ୍ଷସୀ ରୂପ ତ୍ୟାଗ କରି ନିଜ ରୂପ ଧରି କହିଲେ, “ହନୁମାନ୍ ଯାଅ, ଏବେ ତୁମକୁ ଆଉ କେହିବି ବନ୍ଦ କରିବ ନାହିଁ । ଦେବତାମାନେ ତୁମର ବଳ ପରୀକ୍ଷା କରିବାକୁ ମୋତେ ପଠାଇଥିଲେ । ତୁମ ଗତିରୋଧ କରିବା ମୋର ଉଦ୍ଧେଶ୍ୟ ନୁହେଁ । କେବଳ ପରୀକ୍ଷା ପାଇଁ ମୁଁ ଅନ୍ୟରୂପ ନେଇଥିଲି । ମୁଁ ନାଗମାତା ସୁରସା । ତୁମର ମହତ୍ ଉଦ୍ଧେଶ୍ୟ ସାଫଲ୍ୟ ମଣ୍ଡିତ ହେଉ ଏହି ଆଶୀର୍ବାଦ ମୁଁ ତୁମକୁ ଦେଉଛି ।”


ମୈନାକ ଲଙ୍କା ହନୁମାନ

Rate the content


Originality
Flow
Language
Cover design

Comments

Post

Some text some message..