କାନ୍ଦ : ସୁଖ ଓ ଦୁଃଖର
କାନ୍ଦ : ସୁଖ ଓ ଦୁଃଖର
ଗୋଟାକ ପରେ ଗୋଟିଏ ପ୍ରଶ୍ନ ପଚାରି ପଚାରି ମୁଣ୍ଡଟା ସଫା କରି ସାରିଲାଣି ତଥାପି ତ୍ରାହି ନାହିଁ l ଅସହାୟ ହୋଇ ମାନିକୁ ଡାକିଲି ..... ମାନି ! ତୋ ଝିଅକୁ ଟିକେ ଡାକ l ମୋ ମୁଣ୍ଡକୁ ଟିକେ ଦୟା କର l ଆଉ କିଛି ନାହିଁ l ତୋ ଝିଅ ଚାଟି ଚାଟି ସବୁ ସଫା କରି ଦେଲାଣି ......
: ଏଲି ! ଅଜାଙ୍କୁ କାହିଁକି ବିରକ୍ତ କରୁଛୁ ? ହୋମ୍ ୱାର୍କଂ ସବୁ ସରି ଯାଇଛି ?
: ନା ମମ୍ମି କିଛି ବିରକ୍ତ କରୁନି l ମାନି ପାଟି ଶୁଣି ଟିକିଏ ଚୁପ୍ ହୋଇଗଲା l
ଠିକ୍ ଗୋଟେ ମିନିଟ୍ ପରେ ମୋ କାନ ପାଖରେ ମୁହଁ ରଖି ପଚାରିଲା – ଅଜା ଗୋଟେ ସିମ୍ପଲ୍ କ୍ୱେଶ୍ଚିନ୍ l
: ହଉ ପଚାର l
: କହିଲ ଅଜା ! ତୁମେ ଆଈଙ୍କୁ ବାହା ହେଲ, ପାପାଙ୍କୁ ମମ୍ମି ବାହା ହେଲା l ତା’ ହେଲେ ମୋତେ କିଏ ବାହା ହେବ ?
ଟିକିଏ ହସି ଉତ୍ତର ଦେଲି – ତୁ ମୋତେ ବାହା ହୋଇ ପଡ l
ଆରେ ବାପରେ l ରାଗିକରି ମୋ ଚୁଟିକୁ ଧରି କହିଲା – ତୁମେ ଗୋଟେ ମୂର୍ଖ l ମୁଁ ପରା ପ୍ରିନ୍ସେସ୍ l ତମ ଭଳିଆ ଗୋଟେ ବୁଢାକୁ କ’ଣ ବାହା ହେବି ? ବାପରେ ବାପ୍ ! ତା’ର ଚଣ୍ଡି ରୂପ ଦେଖି ହସି ହସି ଗଡି ଯାଇଥିଲି ସେ ଦିନ l
ଆଜି ସେଇ ଏଲି ବଡ ହୋଇ ଯାଇଛି l ଆଜି ତା’ର ବାହାଘର l କାନ୍ଦି କାନ୍ଦି ଆଖି ଦୁଇଟା ଫୁଲି ଗଲାଣି ମାନିର l ଲୁହ ପ୍ରତି ଖାତିର ନାହିଁ l ଲୁହ ପୋଛି ପୋଛି ସବୁ କାମ କରି ଚାଲିଛି l ଝିଅ ବାହାଘର l ଟିକେ ଅବ୍ୟବସ୍ଥା ହେଲେ ବର ଯାତ୍ରୀଙ୍କୁ ସମ୍ଭାଳିବା କଷ୍ଟ l ଜ୍ୱାଇଁବାବୁଙ୍କ ଅବସ୍ଥା ବି ସେୟା l କିଏ କାହାକୁ ସମ୍ଭାଳିବ ? ମନେ ପଡିଲା ମାନି ବାହାଘର କଥା l କେତେ କାନ୍ଦି ଥିଲି ସେ ଦିନ l ବଧୂ ବେଶରେ ମାନିକୁ ଦେଖି ଛାତି ଭିତରଟା ଯେମିତି କୋରି ହୋଇ ଯାଇଥିଲା l ମାନି ବୋଉ କାନ୍ଦି କାନ୍ଦି କହିଲେ – ଝିଅକୁ ବାହା ଦେବ ବୋଲି ଆଖିରେ ତ ନିଦ ନ ଥିଲା l ଏବେ କାହିଁକି କାନ୍ଦୁଛ ? ସତରେ ଏ କି ସଂସାର ? ବୟସ ହୋଇଗଲେ ଯାହାକୁ ଏତେ ଭଲ ପାଉଥିବ, ତା’କୁ ବିଦାୟ କରିବାକୁ ବାପା ମାଆଙ୍କ ଆଖିରୁ ନିଦ ହଜିଯାଏ l ଆଉ ଯେତେବେଳେ ବିଦାୟ ହୁଏ ??? କେତେ କାନ୍ଦିଥିଲି ସେ ଦିନ l ଆଜି ଠିକ୍ ସେ ଭଳିଆ ଲାଗୁଥାଏ l ଲୁହକୁ ଅଟକାଇ ପାରିଲିନି l କେତେବେଳେ ଝିଅ ବିଦା ସମୟ ହୋଇଗଲା ଜାଣି ପାରିଲିନି l
ସାହସ ହେଲାନି କେମିତି ତା’ ମୁହଁକୁ ଚାହିଁବି ? ହଠାତ୍ ସମସ୍ତଙ୍କ ଭିତରୁ ବାହାରି ଆସିଲା ଏଲି l ସିଧା ମୋ ପାଖୁ ଆସି କୁଣ୍ଢେଇ ପକେଇ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା l ତା’ ପରେ ମୋ ଲୁହ ପୋଛି ଦେଇ କହିଲା - କ’ଣ ଅଜା ! ତୁମକୁ ବାହା ହେଲିନି ବୋଲି ମନ ଦୁଃଖ କରୁଛ ? ଏତେ ଦୁଃଖରେ ବି ହସି ପକାଇଲି
ମୁଁ l