Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଗୀତାବଦଳାଇ ଦେଲା ଜୀବନ ପଥ
ଗୀତାବଦଳାଇ ଦେଲା ଜୀବନ ପଥ
★★★★★

© Pranati Mahapatra

Inspirational

5 Minutes   7.2K    13


Content Ranking

ଅଜବ ଏ ଦୁନିଆ,ବିଚିତ୍ର ନିୟମ ଏଠି ।ସେ ନିୟମରେ ପେଶି ହୋଇ କିଏ ଶ୍ରୀହୀନ ହୋଇଯାଏ ତ ପୁଣି କିଏ ମୋକ୍ଷ ପାଇଯାଏ ।ଧନ୍ୟ ସେ ବିଶ୍ଵନିୟନ୍ତା,କିଏ ବା ବୁଝିବ ତା ଲୀଳା ।ସବୁରି ପଛରେ ସେ ହିଁ ଥାଏ,ଏକଥା କେହି ଆସ୍ତିକ ଅସ୍ଵୀକାର କରିବେ ନାହିଁ ।ସେହିଭଳି ବିଚିତ୍ର ସୃଷ୍ଟିର ଜୀବ ହୋଇ ମୁଁ ବା ବାଦ୍ ଯିବି କେମିତି?

ଗଡିଆ ତୁଠରେ ସାହିର କିଛି ମାଇପି ଲୋକଙ୍କର ସଭା ଚାଲିଥାଏ କହିଲେ ଅତ୍ୟୁକ୍ତି ହେବନାହିଁ ।କାରଣ ଘରକାମ ସାରିବା ପରେ ୟା’ ତା କଥାରେ ନାକ ନ ପୁରାଇଲେ ଏମାନଙ୍କୁ ଶାନ୍ତି ଲାଗେନାହିଁ ।ସବୁ କଥାକୁ ତିଳକୁ ତାଳ କରିବା ଏ ମାଇପି ଲୋକଙ୍କର ମୁଖ୍ୟ କାମ ।ତେଣେ ନିଜ ଘରେ ପଛେ ବୋଝେ ଅଳିଆ ।ପରକୁ ଆଙ୍ଗୁଠି ନିର୍ଦ୍ଦେଶ କରିବାକୁ ପଛାନ୍ତିନି।

କଥାରେ ନାହିଁ- ଚାଲୁଣି କହୁଛି

ଛୁଞ୍ଚିଲୋ - ତୋ ପଛରେ କଣ ଗୋଟେ କଣା ଦିଶୁଛି।

ଗାଁଆଟା ଯାକର କଥା ସେଇଠାରେ ହିଁ ଆଲୋଚନା ହୋଇଥାଏ ।ଆଉ ଏକଥା ବା ବାଦ୍ ପଡ଼ିବ କିଆଁ ; ସେଠାରେ ଉପସ୍ଥିତ ପ୍ରଥମ ସ୍ତ୍ରୀଲୋକ ଜଣେ ଆରମ୍ଭ କରି କହିଲା--ହଇଲୋ ହେ ରାଧି ନାନୀ,ଶୁଣିଲୁଣି ନା ନାହିଁବା,ଏ ଆମ ସିତୁ ମା’ ଖୁଡୀକୁ ବା ଲାଜ ସରମ ବୋଲି କିଛି ନାହିଁ ।ଝିଅଟାକୁ ଆସି ୨୫ଧରିଲାଣି,ହେଲେ ବାହା ସା କରିବାର ମନ ବଳଉ ନାହାନ୍ତି ଲୋ ।

ଅନ୍ୟ ଜଣେ ସ୍ତ୍ରୀଲୋକ--ମନ ବଳଉ ନାହାନ୍ତି କଣ ବା, ସେ ଝିଅଟାର ବାହା ରାଶି କାଳେ ଫିଟିନାହିଁ ବୋଲି ପା ସଫେଇ ଦେଉଛି ମାଆଟା।

ତୃତୀୟ ସ୍ତ୍ରୀଲୋକ - ଫିଟିନାହିଁ ନା ଆଉ କଣ, ଆଲୋ ସିଏ ମନେମନେ କାହାକୁ ଭଲ ପାଉଛି ପରା ଲୋ ।ସୁଯୋଗ ଉଣ୍ଡି ପଳେଇବ ।ସେ ଖାଲି ସେତିକି ସୁଯୋଗ ପାଉନାହିଁ ।ଆଲୋ ,ମୁଁ ଏକଥା କହୁନାହିଁ ବା,ଏକଥା ଆର ସାହିରେ ସେ ଟୋକି ତା ସାଙ୍ଗ ପାରକୁ କହୁଥିବାର ମୁଁ ନିଜେ ଶୁଣିଛି।

ଚତୁର୍ଥ ସ୍ତ୍ରୀଲୋକ - ଆଁ ଆ ଆ,ଖାଲି ସେ ଟୋକା ଗୁଡାଙ୍କ ସାଥିରେ ହେଁ ହେଁ,ଫେଁ ଫେଁ ହବାକୁ ଖାଲି ସୁଯୋଗ ପାଉଛି। ଏକଥା କାହାକୁ କହିବନି, ସେ ଝିଅ ପରା କାହା ଆଡୁ ମାଆ ହେଇଥେଲା,ଏଇନେ ସେ ଟୋକା କୁଆଡେ ରାଜି ନାହିଁ, ୟା’କୁ ନେବାପାଇଁ।

ପ୍ରଥମ ସ୍ତ୍ରୀଲୋକ - ଆଉ ମାଆ ଭାଇ ନାହିରେ ତେଲ ଦେଇ ଶୋଇଛନ୍ତି ।ଏଣିକି ଦୋବେଇ ବରକୁ ଦେଇ ଦେଉନାହାନ୍ତି । ନା ଏଥିରେ କିଛି ଅଛି କି।

ଦ୍ଵିତୀୟ ସ୍ତ୍ରୀଲୋକ - କାଲି ବି ଆମ ସାହି ନରିଆ ଭାଇ ଝିଅକୁ ଏକଥା କହୁଥିଲା ।ମୁଁ ନିଜେ ନିଜ କାନରେ ଶୁଣିଛି।

ତୃତୀୟ ସ୍ତ୍ରୀଲୋକ -ଆଲୋ ଏତେ ଦୁର୍ନାମ ଶୁଣି କେମିତି ଖାଇପିଇ ରହୁଛନ୍ତି ଯେ ।

ସେ ମାଆ ଭାଇ ଟିକେ ବିଷଦେଇ ଦେଉନାହାନ୍ତି ସେ ଟୋକିକୁ।

ଚତୁର୍ଥ ସ୍ତ୍ରୀଲୋକ - ତା ପାଇଁ ଆମ ଘରର ଝିଅ ଗୁଡା ବି ଖରାପ ହେବେ।

ସିତୁ ମାଆ ଠିକ୍ ଏହି ସମୟରେ ଆସି ପହଞ୍ଚିଲେ ।ସବୁ କଥା ବି ତା ଉପସ୍ଥିତିରେ ବି ତାଙ୍କ ଝିଅ ନାମରେ କହିବାକୁ ଟିକିଏ ବି କୁଣ୍ଠାବୋଧ କଲେ ନାହିଁ ମାଇପି ଲୋକ ଗୁଡା।

ଆଉ ସହି ନପାରି ସିତୁ ମା କହିଲେ...

ସିତୁ ମାଆ - ଆଲୋ ହେ, ସେ ଡାହା ମିଛ କଥା ଗୁଡା କାହିଁକି ଯେ ମୋ ଝିଅ ନାଆଁରେ କହୁଛ ,ମୁଁ କିଛି ବୁଝିପାରୁ ନାହିଁ ।ମୋ ଝିଅର ବାହା ରାଶି ଫିଟିନାହିଁ ବୋଲି ତୁମେ ଏତେ ସବୁ ଅପବାଦ ଦେଉଛ । ବାପ ଛେଉଣ୍ଡ ଝିଅଟାର ଏମିତି ଦୁର୍ନାମ ଗାଇ କି ଲାଭ ପାଉଛ ।ମୋ ଝିଅ କଣ ଦେଖିବାକୁ ଅସୁନ୍ଦର,ନା ପାଠରେ ନା ଶାଠରେ,ନା କାମରେ ଦାମରେ କେଉଁଥିରେ ଉଣା ।ହିନୀକପାଳୀଟା କପାଳରେ ସୁଖ ଟିକେ ଲେଖାନାହିଁ ବୋଧେ ।କହି କହି ଆଖିରୁ ଲୁହ ପୋଛି ପୋଛି ଚାଲିଗଲେ ଗଡିଆ ତୁଠରୁ।

ଘରେ ପହଞ୍ଚି ବହେ କାନ୍ଦିଲେ ।ତାଙ୍କ କାନ୍ଦ ଦେଖି ସିତୁ ବଡ଼ ବ୍ୟସ୍ତ ବିବ୍ରତ ହୋଇପଡିଲା।

ଘରେ ମାଆ ଝିଅ ଦୁଇଜଣ ।ଦୁହେଁ ଦୁହିଁଙ୍କ ଦୁଃଖ ସୁଖରେ ସାଥି ।ପୁଅ ଦୁହେଁ ବାହାରେ ।ମାଆର ଏତାଦୃଶ ଅବସ୍ଥା ଆଉ ସହି ନ ପାରି ମାଆଙ୍କୁ ପଚାରିଲା ସିତୁ ....

ସିତୁ - ଏ ମାଆ ତୋର କଣ ହୋଇଛି? ଗାଧୁଆ ତୁଠରୁ ଆଇଲା ପରଠାରୁ ଏମିତି କାନ୍ଦୁଛ ଯେ,

ଏମିତି କାନ୍ଦୁଛ ଯେ,ମୋ ଛାତି ଫାଟିପଡୁଛି ।ମୁଁ ଜମ୍ମା ସହିପାରୁନି ଲୋ ।ବାପା ଚାଲିଗଲା ବେଳେ ବି ଏମିତି କାନ୍ଦ ଦେଖିନାହିଁ ।ଏଡ଼େ ବକଟେ ବକଟେ ହୋଇଥିଲୁ ,ବାପା ଆମକୁ ଛାଡି ଚାଲିଗଲେ, ତୁ ବାରଦୁଆର ବୁଲି, ଦୁଃଖ କଷ୍ଟ କରି ମଣିଷ କରିଛୁ ।ତୁ ତ ମଣିଷ ନୁହେଁ, ତୁ ଆମ ପାଇଁ ସାକ୍ଷାତ ଚଳନ୍ତି ଠାକୁରାଣୀ ।ତୋ ଆଖିରେ ଆଜି ଲୁହ ଆସିଛି ମାନେ କିଛି ଗୋଟିଏ ଅଘଟଣ ଘଟିଛି ।କଣ ହୋଇଛି ମାଆ ମୋତେ କହ ।କହଲୋ ମାଆ ।ତୁ ପରା ଆମପାଇଁ ତୋ ଛାତି କୁ ପଥର କରିଦେଇଛୁ ।ହେଲେ ଆଜି ତୋ ଆଖିରେ ଏ ଝଡ଼ ବର୍ଷା କାହିଁକି?ବଡ଼ ବିକଳରେ ମାଆଙ୍କୁ ପଚାରି ଚାଲିଥାଏ ସିତୁ ।ଅମାନିଆ ଲୁହ ତାଙ୍କର କିଛି ବାଧା ମାନୁନାହିଁ ଆଜି ।ନିଜ ଝିଅଟାର ଦୁର୍ନାମ କୋଉ ମାଆ ସହିପାରେ ; ରାଗ ଅଭିମାନ ସ୍ଵରରେ କହିଲେ ସିତୁର ମାଆ-

ସବୁ ତୋରି ପାଇଁ ।କଣ ଆଉ ହେବ ।ତୁ ପୋଡା ମୁହିଁ ବାହା ହେଉନୁ ଯେ, ଯେତିକି ଦୁର୍ନାମ ସମସ୍ତଙ୍କୁ ଦେଉଛୁ,ଯେତିକି ଅଶାନ୍ତି ଏ ଘରକୁ ଆଣୁଛୁ ।ଯା'ଶୁଣିବୁ ଯା' ,ସାଇ ମାଇପେ କେମିତି ଟୁପୁରା ଟୁପୁରି ହେଉଛନ୍ତି।

ତୋ ପାଇଁ ତ କେତେ ଓଷା ବାର ବ୍ରତ କରି କରି ଥକି ପଡିଲିଣି,କଣ ଆଉ କରିବି ତୋ ପାଇଁ, ଯେତେ ଦିଅଁ ଦେବତା ସବୁ ପୂଜା କରି କରି ହତାଶ ହୋଇ ପଡିଲିଣି ଲୋ ।ମତେ ଟିକେ ଶାନ୍ତିରେ ରହିବାକୁ ଦେ ।କାହାକୁ ଯଦି ରାଜି ଅଛୁ କହ ହେଲେ, ତା ହାତ ସଙ୍ଗେ ତୋ ହାତ ଛନ୍ଦିଦେଇ ଏ ବୁଢୀଟା ଟିକେ ଶାନ୍ତିରେ ନିଶ୍ଵାସ ମାରିବ।

ଛାଡ଼୍ ,ମୋ ଭାଗ୍ୟ ତ ଖରାପ, ମୁଁ କହିବି କାହାକୁ?

ସିତୁ - ଏ ମାଆ, ତୁ କାହିଁକି ସେମାନେ କଥା ଶୁଣୁଛୁ କହିଲୁ ।ଆ,ଖାଇବା ଆ।

ମାଆ - ନାହିଁ, ମୁଁ ଖାଇବିନି ।ଜମ୍ମା ଖାଇବିନି ।ଗାଧୁଆ ତୁଠରେ ସାହି ମାଇପେ ଏତେ ଖାଇବାକୁ ଦେଇଛନ୍ତି ଯେ ତିନିଦିନ ଯାଏ ଆଉ ଭୋକ ହେବନାହିଁ ।ତୁ ଯା ଖାଇଦେବୁ ।

ବଡ଼ ଝିଅକୁ ବାହା ଦେଲି ଯେ,ଖୋଜାନାହିଁ,ଲୋଡାନାହିଁ,ସହଜରେ ବାହାଘର ହୋଇଗଲା ।ଆଉ ଏ ପୋଡା ମୁହିଁ ।ବାପା ମରିଗଲେ ଯେ ଯେତିକି ଦୁଃଖ ମୋହରି କାନିରେ ବାନ୍ଧି ଦେଇଗଲେ।

ସିତୁ- ଆସେ ଲୋ ମାଆ, ଗଣ୍ଡ ଖାଇଦେବୁ, ପେଟ ଶାନ୍ତି ହୋଇଗଲେ ତୋ ରାଗ ଶାନ୍ତି ହେଇଯିବ।

ମାଆ - ନାହିଁ ମୁଁ ଖାଇବିନି, ତୁ ଯା ମୋ ଆଗରୁ ସିଆଡେ।

ମାଆର ରାଗ ଆଜି ମଥାକୁ ଚଢି ଯାଇଛି ।କଣ କରିବ ବିଚାରୀ ।ନିଜେ ବି ନଖାଇ ରହିଲା।

ରାତିରେ ବି ମାଆ, ଝିଅ ଦୁହେଁ କିଛି ନଖାଇ ଶୋଇଗଲେ ।ନିଜ ଜୀବନ ଉପରେ ଆଉ ଆଶା ନ ଥାଏ ସିତୁର ।ଚିନ୍ତା କଲା, ଏ ନିଲଠା ଜୀବନ ରଖି କି ଲାଭ ।ଯାହା ପାଇଁ ମାଆ ଆଜି କେତେ କାନ୍ଦିଛି ।ଆଜି ବିଷ ଖାଇ ଏ ଜୀବନ ହାରିବି।

ଯାହାକୁ ମନପ୍ରାଣ ଦେଇ ଭଲପାଇଲି ସେ ଯେ କୁଆଡେ ଗଲେ, କି ମୋତେ ଭୁଲି ଆଉ କାହାକୁ ନେଇ ସଂସାର କଲେ, ତାଙ୍କର କିଛି ଠିକଣା ମୋ ପାଖରେ ନାହିଁ ।ସତରେ ଏ ଜୀବନରେ ଆଉ ଆଶା ନାହିଁ।

ଏମିତି ଚିନ୍ତା କରୁକରୁ କେତେବେଳେ ଯେ ନିଦ ହୋଇଛି ସେ ଜାଣେନା।

ସ୍ଵପ୍ନରେ ଦେଖୁଛି, ଘରେ ଥିବା ତାଳପତ୍ର ପୋଥି ର ଗୀତା ଟିକୁ ମୂଷା କାଟିଦେଇଛି ।ଆଉ ସେ ଗୀତା ଭିତରୁ ଅସ୍ପଷ୍ଟ ସ୍ଵରରେ ଶିଶୁ ଟିଏ କହୁଛି, ମୋତେ ରକ୍ଷାକର,ମୋତେ ସୁରକ୍ଷା ଦେ ।ଆଉ ମୋର ପୁନରୁଦ୍ଧାର କଲେ ତୋର ସବୁ ସମସ୍ୟା ଦୂରେଇ ଯିବ ।ଏମିତି ଏମିତି ଭାବରେ ଲଗାତାର ତିନି ଚାରିଦିନ ସେହି ଏକା ପ୍ରକାର ସ୍ଵପ୍ନ ଦେଖିଲା ସିତୁ। ସେସବୁ ସ୍ଵପ୍ନକୁ ନେଇ ଚିନ୍ତା କରି ସେଦିନ ରାତିରେ ଶୋଇଗଲା ।ହଠାତ୍ ପୁଣି ସେଇ ସ୍ଵପ୍ନ ।ସ୍ଵପ୍ନରେ ସେହି ଛୋଟ ପିଲାଟି ଭାଗବତ ଗାଦିରୁ ଗୀତାଟିକୁ ସିତୁକୁ ବଢେଇ ଦେଇ କହିଲା, ନେ,ଏ ଗୀତାଟିକୁ ଗୋଟିଏ ଖାତାରେ ଲେଖିବୁ ।ତୋର ଆଉ କିଛି ଅସୁବିଧା ରହିବନି, ମୁଁ ସବୁ ଠିକ କରିଦେବି । ନେ ନେ,ମୋ ପାଖରୁ ଏ ଗୀତା ନେ।ସିତୁ ହାତ ବଢେଇ ଗୀତା ନେଲା ।ଏହି ସମୟରେ ତାର ନିଦ ଭାଙ୍ଗିଗଲା।

ବଡ଼ ଭାବ ବିହ୍ୱଳ ହୋଇଗଲା ସିତୁ ।ରାତିସାରା ସେହି ଚିନ୍ତା କରୁକରୁ କାଉ କୋଇଲି ମାନଙ୍କର ଡାକରେ ଉଠିଲା ।ସଅଳ ସଅଳ ଗାଧେଇ ପଡି ଭାଗବତ ପୋଥି ପାଖରେ ଫୁଲତୁଳସୀର ଭକ୍ତି ନୈବେଦ୍ୟ ଅର୍ପଣ କଲା ।ଭାଗବତ ପୋଥିକୁ ମହିଳା ମାନେ ପୂଜା କରନ୍ତିନି ବୋଲି ଜାଣି ବି ପରମ ଭକ୍ତିରେ ସେଦିନ ଠାରୁ ଲେଖା ଆରମ୍ଭ କଲା ।ଲେଖିବାର ଦୁଇଦିନ ପରେ ବାହାଘର ପ୍ରସ୍ତାବ ଆସିଲା, ଲେଖା ସରିବାର ଚାରିଦିନ ପୂର୍ବରୁ ଲଗ୍ନ ସ୍ଥିର ହୋଇଗଲା ବାହାଘର ପାଇଁ ।ବାହାଘର ପୂର୍ବରୁ ଲେଖା ବି ସରିଗଲା ।ହେଲେ ସିତୁ କେବେବି ସେଦିନ ରାତି କୁ ଭୁଲି ପାରିବ ନାହିଁ ।ଆଜି ସିତୁ ସେହି ଗୀତ ଭଗବାନଙ୍କ ଆଶିଷରୁ ଜଣେ ଭଲ ଲେଖିକା, କବି ହୋଇପାରିଛି । ଆଉ ସର୍ବଜନ ପରିଚିତ ହୋଇପାରିଛି।

ପ୍ରଣତି ମହାପାତ୍ର

ବାଲେଶ୍ଵର

ଅଜବ ବିଚିତ୍ର ସ୍ତ୍ରୀଲୋକ

Rate the content


Originality
Flow
Language
Cover design

Comments

Post

Some text some message..