Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

srutakirti Tripathy

Others

4.6  

srutakirti Tripathy

Others

ଉବୁଣ୍ଟୁ

ଉବୁଣ୍ଟୁ

3 mins
665


ଆଫ୍ରିକା ର ଏକ ଘଞ୍ଚ ଜଙ୍ଗଲରେ ଗଢ଼ିଉଠିଥିବା ଏକ ଗ୍ରାମରେ କିଛି ଚପଳମତି ,ନିରୀହ ଆଦିବାସୀ ପିଲାଙ୍କ ଗହଣରେ ଉପସ୍ଥିତ ଥିଲେ ଜଣେ ବିଖ୍ୟାତ ନୃତତ୍ତ୍ୱବିତ । ସେ ଆଦିବାସୀ ସମ୍ପ୍ରଦାୟର କଳା ,ସଂସ୍କୃତି ଓ ତାଙ୍କ ଦୈନନ୍ଦିନ ଜୀବନଶୈଳୀ ଉପରେ ଗବେଷଣା କରିବା ପାଇଁ ଆସି ସେହି ସ୍ଥାନରେ ବହୁତ ଦିନ ହେଲା ରହିଆସୁଥିଲେ । ତାଙ୍କ କାମ ଶେଷ ହୋଇଯାଇଥିଲା ଓ ସେ ପ୍ରତ୍ୟାବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ହଉଥିଲେ । ନିଜ ରହଣି କାଳର ଅନ୍ତିମ ଦିନରେ ସେ ଗ୍ରାମର କିଛି ପିଲାଙ୍କୁ ଦୌଡ ପ୍ରତିଯୋଗିତା କରିବା ପାଇଁ ପ୍ରସ୍ତାବ ଦେଲେ । ଗୋଟିଏ ଝୁଡି ରେ ସ୍ୱାଦିଷ୍ଟ ଫଳ ଭର୍ତ୍ତି କରି ଗୋଟିଏ ଗଛ ତଳେ ରଖିଦେଲେ ଏବଂ ପିଲାମାନଙ୍କୁ 100 ମିଟର ଦୂରତାରେ ଛିଡାହେବାକୁ ନିର୍ଦେଶ ଦେଲେ । ନିୟମ ଥିଲା ଯିଏ ବି ସର୍ବପ୍ରଥମେ ସେହି ଦୂରତା କୁ ଅତିକ୍ରମ କରି ଗଛ ନିକଟକୁ ପହଂଚିଯିବ ,ପୁରା ଝୁଡି ଟା ଯାକର ଫଳ ତାର ହୋଇଯିବ । ତା ପରେ ଦୌଡ ଆରମ୍ଭ ହେଲା ,କିନ୍ତୁ ଆଶ୍ଚର୍ଯ୍ୟ ର ବିଷୟ ସମସ୍ତ ପ୍ରତିଯୋଗୀ ନିୟମ ବିରୁଦ୍ଧରେ ଯାଇ ପରସ୍ପର ସହିତ ହାତ ମିଳାଇ ଏକାସାଙ୍ଗରେ ଲକ୍ଷ୍ୟସ୍ଥଳ ଆଡକୁ ଅଗ୍ରସର ହେଲେ । ନୃତତ୍ତ୍ୱବିତଜଣକ ପିଲାଙ୍କ ଉତ୍ସାହ ବଢେଇବା ପାଇଁ ହଉ କି ପିଲାଙ୍କୁ ପ୍ରଲୋଭନ ଦେଖାଇବା ପାଇଁ ପୁଣିଥରେ ଫଳଝୁଡି କଥା ମନେପକେଇଦେଲେ । ହେଲେ ତାଙ୍କ କଥା ଶୁଣିବାକୁ ପିଲାଙ୍କ ମନରେ ଟିକିଏ ହେଲେ ଆଗ୍ରହ ନ ଥାଏ । ସେମାନେ ଅତ୍ୟନ୍ତ ସହଜ ଓ ନିଶ୍ଚିନ୍ତ ହୋଇ ପ୍ରତିଯୋଗିତା ଟି କୁ ଶେଷ କଲେ । ସବୁ ପିଲା ଏକାସାଙ୍ଗରେ ଗଛତଳେ ପହଁଚିଲେ ଓ ପୁରସ୍କାର ସ୍ୱରୂପ ପୁରା ଝୁଡି ରେ ଥିବା ଫଳ କୁ ସମସ୍ତଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟିଦିଆଗଲା । ସମସ୍ତେ ଖୁସିରେ ମିଳିମିଶି ସ୍ୱାଦିଷ୍ଟ ଫଲତକ ଉପଭୋଗ କରିବାରେ ଲାଗିଲେ ।

ନୃତତ୍ତ୍ୱବିତ ଜଣକ ସେମାନଙ୍କୁ ଏହାର କାରଣ ପଚାରିଲେ ,"ତମମାନଙ୍କ ମଧ୍ୟରୁ ଯିଏ ସର୍ବପ୍ରଥମେ ଗଛ ପାଖରେ ପହଁଚିଯାଇଥାନ୍ତା ,ସେ ପୁରା ଝୁଡିଟା ଯାକ ଫଳ ଏକା ନେଇ ଯାଇଥାନ୍ତା , ଏବେ ତ ଅଳ୍ପ ଅଳ୍ପ ପରିମାଣର ଫଳ ଖାଇବାକୁ ମିଳିବ ?" ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ତାଙ୍କର ଉତ୍ତର କଣ ଥିଲା ? ସେମାନେ ଉତ୍ତରରେ କହିଲେ , 'ଉବୁଣ୍ଟୁ '.. ଯାହାର ଅର୍ଥ ," ଜଣେ ଏକାକୀ କେମିତି ଖୁସି ରେ ରହିପାରିବ ଯେତେବେଳେ ବାକିମାନେ ଦୁଃଖ ରେ ଥିବେ ?"

ଆଫ୍ରିକାବାସୀଙ୍କ ଭାଷାରେ 'ଉବୁଣ୍ଟୁ ' ଶବ୍ଦଟିର ଅର୍ଥ ଅତ୍ୟନ୍ତ ବିଶାଳ । " I am because we are."

ଜଣେ ବ୍ୟକ୍ତି ସମୂହରେ ରହିଲେ ହିଁ ସତ୍ତା ଲାଭ କରେ । ଦଳକୁ ଛାଡି ଏକଚାଟିଆ ହୋଇ ରହିଲେ କୌଣସି ପ୍ରକାରର ପ୍ରଗତି ସମ୍ଭବ ହୁଏ ନାହିଁ ।

' ମୁଁ ' କୁ ପରିତ୍ୟାଗ କରି ଅନ୍ୟମାନଙ୍କ ପାଇଁ ଯତ୍ନଶୀଳ ହେବ। ,ସେହି ଆଦିବାସୀ ସଭ୍ୟତା ର ମୂଳମନ୍ତ୍ର । ଯଦି ପ୍ରତ୍ୟେକ ବ୍ୟକ୍ତି ନିଜ ସାଥୀମାନଙ୍କ ପାଇଁ ସଚେତନ ହୋଇଯାଏ ,ତେବେ ସ୍ୱତଃ ସମସ୍ତେ ଏକତା ସୂତ୍ରରେ ବାନ୍ଧି ହୋଇଯିବେ ।

ନିଜର ସମ୍ପ୍ରଦାୟର ଲୋକଙ୍କ ସକାଶେ ସୁହାନୁଭୂତି ଓ ସମ୍ବେଦନଶୀଳତା ରହିଲେ ପ୍ରତ୍ୟେକେ ଅନ୍ୟର ଦୁଃଖ ଓ ଆବଶ୍ୟକତା ବିଷୟରେ ଅବଗତ ହୋଇପାରିବେ ଏବଂ ଦଳବଦ୍ଧ ହୋଇ ରହିଲେ କୌଣସି ବାହ୍ୟଶତ୍ରୁ କିଛି କ୍ଷତି ମଧ୍ୟ କରିପାରିବ ନାହିଁ ।

ଆଫ୍ରିକା ର ଜଙ୍ଗଲରେ ବସବାସ କରୁଥିବା ,ଆଧୁନିକତା ଠାରୁ ବହୁ ଦୂର ,ଅର୍ଥନୈତିକ ରୂପେ ଅନଗ୍ରସର ଆଦିବାସୀ ମାନେ ମଧ୍ୟ ଏକତା ,ଦଳବଦ୍ଧ ଜୀବନଯାପନ ବିଷୟରେ ଅବଗତ । ତା ସହିତ ନିଜ ବନ୍ଧୁମାନଙ୍କ ପାଇଁ ସେମାନେ ସମ୍ବେଦନଶୀଳ ଓ ଯତ୍ନଶୀଳ ,ମାତ୍ର ଭାରତ,ପ୍ରଗତି ର ଅଗଧାଡ଼ିରେ ଥିବା ରାଷ୍ଟ୍ରଗୁଡିକ ମଧ୍ୟରେ ଏକ ରାଷ୍ଟ୍ର ହୋଇ ମଧ୍ୟ ଆମ ମଧ୍ୟରେ ଏହି ପ୍ରକାର ଏକତା ଏବେ ଯାଏ ଉଦ୍ରେକ ହୋଇପାରିନି । ଦୁଃଖ ର ବିଷୟ ଯେ ଜଣେ କେହି ଯଦି ଆଗକୁ ଦୁଇପାଦ ବଢି ନିଜ ଲୋକଙ୍କ ପାଇଁ କିଛି କରିବାକୁ ଚେଷ୍ଟା କରୁଛି ,ତାକୁ ସାହାଯ୍ୟ କିମ୍ବା ସହଯୋଗ ତ ଦୂରର କଥା ସେ କାମରୁ ବିରତ କରିବା ପାଇଁ ବିଭିନ୍ନ ଷଡଯନ୍ତ୍ର କରାଯାଉଛି ।

ଆଫ୍ରିକୀୟ ଦର୍ଶନଶାସ୍ତ୍ର ଅନୁସାରେ ' ଉବୁଣ୍ଟୁ ' ର ପ୍ରକୃତ ଅର୍ଥ ସମସ୍ତେ ମିଳିମିଶି ପରସ୍ପର ମଧ୍ୟରେ ପ୍ରେମ ,ସତ୍ୟ ,ଶାନ୍ତି ଓ ସଦ୍ ଭାବ ନେଇ ଚଳିବା ;ଯାହା ସେମାନଙ୍କୁ ଆଜିପର୍ଯ୍ୟନ୍ତ ଅନୁପ୍ରାଣିତ କରିଆସୁଛି । ସେହି ମାର୍ଗଦର୍ଶନ ଯଦି ପୃଥିବୀ ର ପ୍ରତିଟି ଦେଶ ର ଅଧିବାସୀ ଗ୍ରହଣ କରିନିଅନ୍ତେ ,ତା ହେଲେ ଅନୁଶୋଚନା କରିବାର ଆଉ କିଛି କାରଣ ରୁହନ୍ତା ନାହିଁ ।

ତା ହେଲେ ଅସନ୍ତୁନା ,ଆମେ ସମସ୍ତେ ମଧ୍ୟ 'ଉବୁଣ୍ଟୁ 'ଜୀବନ ବଞ୍ଚିବାପାଇଁ ଚେଷ୍ଟା କରିବା ।

( ଏକ ଆଫ୍ରିକୀୟ ଲୋକକଥା ଉପରେ ଆଧାରିତ )

ଶୃତକିର୍ତ୍ତୀ ତ୍ରିପାଠୀୀ


Rate this content
Log in