Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Narayan chandra Senapati

Tragedy

3  

Narayan chandra Senapati

Tragedy

ମୋତେ ବି ଶ୍ମଶାନକୁ ନେଇ ଯା

ମୋତେ ବି ଶ୍ମଶାନକୁ ନେଇ ଯା

3 mins
784


ସେଦିନ ସମୁଦ୍ରର ଜୁଆରଟା ସତେ ଯେମିତି ଉପହାସ କରୁଥିଲା ସଞ୍ଜୁ ଓ ସଞ୍ଜନାକୁ।ନିଷ୍କପଟ, ନିରୀହ ପ୍ରେମୀ ଯୁଗଳ ଦୁଇଜଣ।ଜୁଆର ଓ ଭଟ୍ଟାର ଉତ୍ଥାନ ପତନ ପରି ତାଙ୍କ ପ୍ରେମ ଇତିହାସ କେତେବେଳେ କାନ୍ଦୁଥାଏ ତ କେତେବେଳେ ହସୁଥାଏ।ସଞ୍ଜନା ଉଚ୍ଚ ସମ୍ଭ୍ରାନ୍ତ ଓ କ୍ଷତ୍ରିୟ କୁଳର ଯୁବକ ମାତ୍ର ସଞ୍ଜୁ ବୈଶ୍ୟ ଓ ସାଧାରଣ ପରିବାରର ଝିଅଟିଏ।ଆକାଶ ପାତାଳ ଦୂରତା ଏ ସମ୍ପର୍କ।କେବଳ ଜଗତର ନାଥ ଜଗନ୍ନାଥ ହିଁ ସେମାନଙ୍କର ଯେମିତି ସାହା ଭରସା।

କଥାରେ ଅଛି,କାନ୍ଥ ବାଡ଼ର ବି କାନ ଅଛି,ପବନ ପରା ନାରଦ ମହର୍ଷି।ତା ପରେ ପ୍ରେମୀ ମାନେ ହିଁ ଅନ୍ଧ।କଥା ପହଁଚିଗଲା ସଂଜନାର ବାପାଙ୍କ କାନରେ।ସଂଜୁକୁ ଧମକ ଚମକ,ସଞ୍ଜନାକୁ ଚେତାବନୀ ଓ ବାରଣ ଦୁହିଙ୍କ ପ୍ରେମ ସମ୍ପର୍କରେ ଅନ୍ତରାୟ ସୃଷ୍ଟି କଲା।ଆଜି ଲୁଚି ଲୁଚି ଦୁହେଁ ସମୁଦ୍ର କୂଳରେ କିଛି ସମୟ କଟାଉଛନ୍ତି,ପୁଣି ଚାଲିଲେ ସେ ଜଗାକଳିଆ ପାଖକୁ।ସତେ ଯେମିତି ଜଗା କାଳିଆ ବି ନିଃସହାୟ ପରି ମୌନ ରହିଥାନ୍ତି ତାଙ୍କ ନିବେଦନକୁ ଶୁଣି।

ସଂଜନାର ଜିଦ୍ ଯଦି ମୁଁ ବିବାହ କରେ ସେଇ ସଞ୍ଜୁ କୁ ନହେଲେ ଆଦୌ ନୁହେଁ।ନଛୋଡବନ୍ଧା ଝିଅର ଜିଦ୍ ପୁଣି ବାପା ମାଆଙ୍କର ଅଲିଆଳି ଝିଅ,ତେଣୁ ବାପା ସଞ୍ଜୁକୁ ଡକାଇଛନ୍ତି କିଛି କଥା ହେବେ।

ସଞ୍ଜୁ,ତୁମେ ତ ଜାଣୁଛ ମୋ ଝିଅ କିଏ ଓ କିଭଳି ବଢିଛି,ତେଣୁ ତୁମେ ପ୍ରଥମେ ନିଜ ଗୋଡ଼ରେ ଛିଡା ହୁଅ,ମୋ ଝିଅକୁ ଭଲରେ ରଖିବା ଭଳି ଅବସ୍ଥାକୁ ପହଞ୍ଚ ମୁଁ ହସି ହସି ନିର୍ଦ୍ଦ୍ଵନ୍ଦରେ ମୋ ଝିଅକୁ ଟେକି ଦେବି ଏଭଳି କଥା କହିଥିଲେ ବିକ୍ରମ କେଶରୀ ଯେ କି ସଂଜନାର ବାପା।

ସଞ୍ଜୁର ମନ ଟିକେ ହାଲୁକା ଲାଗିଲା।ହେଲେ ଚିନ୍ତା କଲା କେମିତି କଣ କରିବ,କିପରି ଏତେ ଟଙ୍କା ରୋଜଗାର କରିବ।ଯାହେଉ ପଛେ ସେ ନିଶ୍ଚୟ ସଞ୍ଜନାକୁ ଯେମିତି ପାଇବ।ସେଥିପାଇଁ ସମୁଦ୍ରକୁ, ଜଗନ୍ନାଥଙ୍କୁ ସାକ୍ଷୀ କରି,ଆଶିଷ ନେଇ ଆସିଲା,ବହୁତ ବୁଝାଇଲା ସଞ୍ଜୁକୁ, ଖୁବ୍ ଶୀଘ୍ର ସେ ଫେରି ତାକୁ ବୋହୁ କରି ନେଇଯିବ।ଆଖିରୁ ଲୁହ ପୋଛି ମନର କୋହକୁ ଚାପି ସଞ୍ଜନା ହସି ହସି ବିଦାୟ ଦେଲା ସଂଜୁକୁ।

ଦିନ ପରେ ଦିନ,ବର୍ଷ ପରେ ବର୍ଷ ବିତିଗଲା।ସଞ୍ଜୁ ଏକ ସଚ୍ଚୋଟ ବୋଲି ଭଲ ପୋଷ୍ଟ ବି ମିଳିଲା।ରୋଜଗାର କରି ଭଲ ଘର ଖଣ୍ଡେ କଲା।ଟିକିଏ ଟିକିଏ ଉନ୍ନତିରେ ସଞ୍ଜନାକୁ ଲାଗେ ଯେମିତି ପାହାଡ଼କୁ ଚଢ଼ିଲା ପରି।ଅନେଇ ଥାଏ ସଞ୍ଜୁ କେତେବେଳେ ପହଂଚିବ ତା ଜୀବନର ଶେଷ ପାହାଚ।ଏଇ ରଥଯାତ୍ରା ବେଳେ ଦୁହିଁଙ୍କର ଦେଖା ହୋଇଥିଲା।ସଞ୍ଜୁ ବି କହିଥିଲା,ଏ ସଞ୍ଜନା...ଆଉ କେଇଟା ଦିନ ରହିଯା.... ମନ ଉଣା କରନା ।

ସେଇ ଦିନୁ ଯାଇଛି ଯେ ଯାଇଛି,ସଞ୍ଜନା ଅନେଇ ରହିଛି ସଞ୍ଜୁର ଚାଲିବା ବାଟକୁ ଜଗନ୍ନାଥଙ୍କୁ ସାକ୍ଷୀ କରି।

ସେଦିନ ରାତିରେ ସଞ୍ଜୁ ଶୋଇଛି।ହଠାତ୍ ଏକ ରାକ୍ଷସୀ କଳା ମଚ ମଚ ରଙ୍ଗ,ବଡ଼ ବଡ଼ ଦାନ୍ତ ଲମ୍ବା ଲମ୍ବା ନଖ,ହାତରେ କାଳି ବୋଳି ମାଡି ଆସିଲା ତା ଆଡ଼କୁ।କି ଅଟ୍ଟାହାସ୍ୟ !କି ଉନ୍ମାଦନା ! ସେ ଯେତେ କାକୁତି ମିନତୀ ହେଲା,ହେଲେ ରାକ୍ଷସୀ ମାରିବାକୁ ଚିତ୍କାର କରି ମାଡି ଆସୁଥାଏ ତା ଆଡ଼କୁ।ଖାଲି ସେତିକି ନୁହଁ, କହି କହି ଆସୁଥାଏ ସେ,ତୋ ସର୍ବସ୍ୱ ଜାଳିଦେବି, ଅଙ୍ଗାର କରିଦେବି,ଧ୍ବଂସ କରିଦେବି। ଦେହରୁ ନିଗିଡି ପଡୁଥିଲା ଗମ ଗମ ଝାଳ।ସେ ଜଗନ୍ନାଥଙ୍କୁ ଡାକିଲା,ଜଗନ୍ନାଥ କହିଲେ, ମୁଁ ନାଚାର,ଏ ରାକ୍ଷସୀ ପରା ମୋତେ ବି ଅନେକ ଯନ୍ତ୍ରଣା ଦେଲାଣି। ହଠାତ୍ ନିଦଟା ଭାଙ୍ଗିଗଲା। ଏ ସତ ନା ଦୁସ୍ଵପ୍ନ ! ଦୁଇ ଗ୍ଲାସ ପାଣି ଢ଼କ ଢକ କରି ପିଇ ଗୁମ ମାରି ବସିଲା।ମନେ ପଡ଼ିଲା,ଘର ଦ୍ୱାର,ଗାଁ,ସଞ୍ଜନା ଓ ତା ପ୍ରତିଜ୍ଞା ମୁହୂର୍ତ୍ତମାନ।ଟି.ଭି.ଟା ଖୋଲି ଦେଖିଲା, ଓଡିଶାକୁ ଆସୁଛି ଫୋନି।ବହିବ ୨୧୦କି.ମି.ବେଗରେ ପବନ।ହେବ ମହାବାତ୍ୟା।ସତର୍କ ସୂଚନା,ସଜାଗ ହୁଅ,ସମୁଦ୍ର କୂଳବାସୀ ଓ ପାଖ ଜିଲ୍ଲାର ଅଧିବାସୀ।ତା ଘର ପୁରୀ ସମୁଦ୍ର ଠାରୁ ଅଳ୍ପ କେତେ ଦୂର ଆଉ ସଞ୍ଜନା ଘର ତ ପୁରା କୂଳରେ।କଣ କରିବ ଡାକୁଥାଏ ଜଗନ୍ନାଥଙ୍କୁ।ହେ ପ୍ରଭୁ,ମୋ ସଞ୍ଜନା ମୋ ଗ୍ରାମବାସୀ,ଓଡ଼ିଶାର ଲୋକଙ୍କୁ ସହାୟ ହୁଅ।ଏ ବାପା ମାଆ ଛେଉଣ୍ଡ ଅନାଥଟାର ତୁମେ ହିଁ ନାଥ ପ୍ରଭୁ।

ମୁହୂର୍ତ୍ତ ପରେ ମୁହୂର୍ତ୍ତ,ଶୁଣୁଥାଏ ସମ୍ବାଦ,ପୁରୀ ଧ୍ୱସ୍ତ ବିଧ୍ୱସ୍ତ ହେଉଛି ଫୋନିର ଉତ୍ପାତରେ।କେନ୍ଦ୍ରାପଡା,ଖୋର୍ଦ୍ଧା କାନ୍ଦୁଛି ଚିତ୍କାର କରି।ସେ ସମୟରୁ ପୂର୍ବ ଦିନ ଗୁଡିକୁ ସ୍ମରଣ କଲା ସଞ୍ଜୁ।ସେ ଗାଁ ପଟା,ଧୂଳିଘର,ସାଥୀମେଳ,ସଞ୍ଜନା ସହ ମଧୁର ଦିନ,ତା ସ୍ୱର୍ଗବାସୀ ମାଆ ବାପାଙ୍କୁ ଦିଆ ବଚନ,ଆଉ କେଇ ଦିନ ପରେ ସଞ୍ଜନାକୁ ଆଣିବ ବୋହୁ କରି,ତା ସ୍ବପ୍ନ,ତା ହାଡ଼ଭଙ୍ଗା ପରିଶ୍ରମ,ତା ଭବିଷ୍ୟତ କେମିତି ହସିବ ତା ଚିତ୍ର,ସବୁ ଉଙ୍କି ମାରୁଛି ମନରେ।କାଲିର ଦୁସ୍ଵପ୍ନ ସତରେ କଣ ଭାଙ୍ଗିଦେବ କି ମୁଁ ଦେଖିଥିବା ସୁନେଲି ସ୍ୱପ୍ନ !ଆଜି ଗଲା ନାହିଁ ପ୍ଲାଣ୍ଟକୁ।ମନ କାହିଁକି ଗୁରେଇ ପୁରେଇ ହେଲା।ଶୁଣୁଥିଲା ଫୋନିର ତାଣ୍ଡବଲୀଳା।ଛାତି ଧକ ଧକ ହେଉଥାଏ।ଏଇମିତି ଦିନସାରା ଗଲା।ରାତି ବାରକୁ ଥମିଲା ତୋଫାନ।ଶୁଣିଲା ପୁରୀ ଧୋଇ ହୋଇ ଯାଇଛି ଫୋନିରେ।ରାତିରେ ଆଉ ନିଦ ନାହିଁ,କେମିତି ପହଂଚିବ,ଫୋନ୍ ସେବା ତ ଧ୍ୱସ୍ତ ପ୍ରାୟ।ସକାଳ ଭୋରରୁ ଚାଲିଲା ଟ୍ରେନ ରେ ତାମିଲନାଡୁରୁ ଓଡିଶା ଅଭିମୁଖେ ଯାତ୍ରା।ପୁରୀକୁ ଗମନାଗମନ, ଯୋଗାଯୋଗ ବିଛିନ୍ନ।ଗୋଟେ ଭଡା କାର୍ କରି ପହଂଚି ଗଲା ପୁରୀରେ।ଆଖିକୁ ଵିଶ୍ଵାସ କରି ପାରିଲା ନାହିଁ।ସମୁଦ୍ର କୂଳରେ ତା ଭଙ୍ଗାଘର ତାକୁ ଯେମିତି ହାତ ଠାରି ଡାକି ଥକି ଶୋଇଯାଇଛି।ସଂଜନାର ଘରଦ୍ୱାର ଚିହ୍ନ ବର୍ଣ୍ଣ ନାହିଁ।ଚାରିଆଡେ କୁଢ଼ କୁଢ଼ ଶବ।ଜ୍ଞାତି କୁଟୁମ୍ଭଙ୍କ ଆର୍ତ୍ତଚିତ୍କାର।ହୃଦ ଫାଟିଗଲା ତାର।ସବୁଠି ବିଭତ୍ସ ଦୃଶ୍ୟ।ମହାନଗର ନିଗମ ଵାଲା ଗାଡ଼ିରେ ନେଇ ନିଆଁ ଲଗାଇ ଜାଳୁଛନ୍ତି ଏସବୁକୁ।ବହୁତ ଖୋଜିଲା ସଞ୍ଜନାକୁ,ତା ବାପାଙ୍କୁ,ସେ ସମୁଦ୍ରବେଳା ଓ ଜଗନ୍ନାଥଙ୍କ ପବିତ୍ର ଭୁଇଁରେ ଦେଇଥିବା କଥାକୁ।ଜଗ୍ସନ୍ନାଥ ସତେ ଯେମିତି କହୁଥିଲେ, ଆରେ ସଞ୍ଜୁ ମୁଁ ମୋ ପତିତପାବନ ବାନା କୁ ବି ରଖିପାରିଲି ନାହିଁ।ବଡ଼ ନିଷ୍ଠୁର ସେ ରାକ୍ଷସୀଟା।ପାରିଲି ନାହିଁ ରେ ତୋ ଅମାନତକୁ ଆଶ୍ରୟ ଦେଇ,ସୁରକ୍ଷା କରି।ସେଇ ନିଆଁ ଭିତରେ ସତେ ଯେମିତି ସେ ଦେଖୁଥିଲା ସଞ୍ଜନାର ଆଖିର ଲୁହ,ଶୁଭୁଥିଲା,ଏ ସଞ୍ଜୁ ତୁମେ ବହୁତ ଡେରି କରିଦେଲ।ଆଉ ରାକ୍ଷସୀ ଫୋନିର ବିକଟାଳ ରୂପ ଓ ଅଟ୍ଟହାସ୍ୟ,ଆଉ ତା ଦୁଇ ହାତରେ ସେ କଳା, ଆଉ କହୁଥାଏ,ବୁଲେଇ ଦେଇଛି କଳାକନା।ଯାହା ଦେଖିବ ସେଥିରୁ ହିଁ ପାଇବ ଆଙ୍ଗାର।

ରଡି ଛାଡି କାନ୍ଦୁଥିଲା ସଞ୍ଜୁ।ମନେ ମନେ କହୁଥିଲା, ସବୁ ସାରିଦେଲୁରେ ନିର୍ଦ୍ଦୟ ପ୍ରଳୟ।ତୋତେ ଧର୍ମ ସହିବ ନାହିଁ।।ମୋତେ କାହିଁ ରଖିଲୁ,ପାରୁଛୁ ଯଦି ମୋତେ ବି ଶ୍ମଶାନକୁ ନେଇ ଯା।


Rate this content
Log in

Similar oriya story from Tragedy