Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banabihari Mishra

Others

4  

Banabihari Mishra

Others

ନବସାରଙ୍କ ଛତା

ନବସାରଙ୍କ ଛତା

5 mins
450


ନବସାର୍। ସେ କାଳର ମାଇନର ପାସ। ସେ ସମୟରେ ଇ.ଟି. ଟ୍ରେନିଂ କରି ଗାଁ ପ୍ରାଥମିକ ସ୍କୁଲରେ ଶିକ୍ଷକତା କରୁଥିଲେ। ଏବେ ବୟସ ଅଶୀ ପାଖାପାଖି। ଜଣେ ଆଦର୍ଶ ଶିକ୍ଷକ ଭାବରେ ତାଙ୍କର ସେ ଖଣ୍ଡମଣ୍ଡଳରେ ଭଲ ନାଁ ଅଛି। ଏବେ ବି ଶିକ୍ଷକତା ଛାଡ଼ି ନାହାନ୍ତି। ଗାଁରେ ଛୋଟଛୋଟ ପିଲାଙ୍କୁ ତାଙ୍କର ପେଶା ଆଉ ନିଶା। ସବୁଦିନ ସକାଳୁ ଗାଁ ଚଉପାଢୀରେ ହାଜର ହେଇଯାଆନ୍ତି। ପ୍ରାୟ ସବୁଦିନେ ନବସାର୍ ପିଲାଙ୍କୁ ଅପେକ୍ଷା କରନ୍ତି। ଜଣ ଜଣ ହୋଇ ପିଲାମାନେ ଆସନ୍ତି। ଅକ୍ଷର ଶିଖେଇବା, ବର୍ଣ୍ଣବୋଧ, ଟଙ୍କିଆ, ଆଉ ଛୋଟ ଛୋଟ ଗପ ମାଧ୍ୟମରେ ପିଲାଙ୍କୁ ନୈତିକ ଶିକ୍ଷା ଦେବା, ପ୍ରାୟ ସବୁ କ୍ଷେତ୍ରରେ ପିଲାମାନଙ୍କୁ ଭବିଷ୍ୟତରେ ଭଲ ମଣିଷ ଆଉ ବଡ ମଣିଷ କରିବା ପାଇଁ ତାଙ୍କର ଥାଏ ନିରଳସ ପ୍ରଚେଷ୍ଟା।

ଅନେକ ଦିନରୁ ନବସାରଙ୍କ ସ୍ତ୍ରୀ ସେପାରିକୁ ଚାଲିଯାଇଛନ୍ତି। ପିଲାଛୁଆ କେହି ନାହାନ୍ତି। ତେଣୁ ବୟସର ସାୟାହ୍ନରେ ନବସାର୍ ପୁରା ଏକୁଟିଆ। ହେଲେ ଗାଆଁଟା ଯାକ ତାଙ୍କର ଯତ୍ନ ନେବାପାଇଁ ତତ୍ପର। କାହାରି ଘରେ କିଛି ବି ବିଶେଷ ରୋଷେଇ ହେଲେ ଆଗ ନବସାରଙ୍କ ପାଇଁ ପଠାହେବାଟା ଥୟ। ପିଲାଏ ଆସନ୍ତି, ଘରଦ୍ୱାର ସଫାସୁତୁରା କରି ଦିଅନ୍ତି। ରୋଷେଇବାସ ତ କରିବା କେବେ ବି ଆବଶ୍ୟକ ପଡେନାହିଁ। କେବେହେଲେ ବି ନବସାରଙ୍କ ଦେହ ଖରାପ ହେବା କେହି ଦେଖିନାହାନ୍ତି। କୌଣସି ବଦଭ୍ୟାସ ବା ବିଶେଷ ଆବଶ୍ୟକତା ତାଙ୍କର ନଥିଲା କହିଲେ ଚଳେ। କେବଳ ଦୋକ୍ତା ଟିକିଏ। ସେଇ ପିଲାମାନଙ୍କ ଭିତରୁ କେହି କେହି ଯାହା ଟିଉସନ ପଇସା ଦିଅନ୍ତି ସେଇଥିରେ ଆଉ ନିଜ ପେନସନରେ ତାଙ୍କର ସମସ୍ତ ଆବଶ୍ୟକତା ପୂରଣ ହୋଇଯାଏ।

ନବସାରଙ୍କର ଏକ ବିଶେଷ ସାଥୀ ତାଙ୍କର ସେଇ ବିବର୍ଣ୍ଣପ୍ରାୟ କାଠବେଣ୍ଟିଆ ଛତା ଖଣ୍ଡକ। ଘର ଏରୁଣ୍ଡିରୁ ପଦାକୁ ପାଦ କାଢିଲେ ସେଇ ଛତାଟା ତାଙ୍କ ସାଥିରେ ଥାଏ। ଦିନସାରା ପିଲାଏ ସ୍କୁଲକୁ ଯାଆନ୍ତି। ନବସାରରଙ୍କର ସେଇଟା ଫୁରୁସତର ସମୟ। ସେଇ ସମୟଟାରେ ଗାଁ ଲୋକଙ୍କ ସହ ସମ୍ପର୍କରେ ରହିବା ତାଙ୍କର ଗୋଟେ ଅଭ୍ୟାସ। ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ସହ ସାରୁ ପରିବା ପରି ମିଶି ଯାଆନ୍ତି। ଗୋଲା ଘର ପିଣ୍ଡାରେ ବସି ତାସ ଖେଳିବା, ତା ପୁଣି ତାଙ୍କ ଠାରୁ ଯଥେଷ୍ଟ କମ୍ ବୟସର ପିଲାମାନଙ୍କ ସହ। ସମବୟସ୍କମାନଙ୍କ ସହ ପଶାପାଲି ଆଉ ଛୋଟ ପିଲାମାନଙ୍କ ସହ ଖେଳିବା ମଧ୍ୟ ତାଙ୍କର ସମୟ କଟାଇବାର ଏକ ଉପାୟ ଥିଲା। ହେଲେ ସବୁ ସମୟରେ ସେଇ ପୁରୁଣା କାଠବେଣ୍ଟିଆ ଛତାଟା କେବେହେଲେ ନବସାରଙ୍କଠୁ ଅଲଗା ହୁଏନାହିଁ। କେବେ କେମିତି କେହି ସେ ଛତା ବିଷୟରେ ପଚାରିଲେ ନବସାର୍ ହସିଦେଇ ପ୍ରଶ୍ନକୁ ଏଡେଇ ଯାଆନ୍ତି। ସତେ ଯେମିତି ସେଇଟା ଗୋଟେ ଗୁପ୍ତ ରହସ୍ୟ ଯାହାକୁ ସିଏ ଅନ୍ୟ କାହା ସହ ଭାଗ କରିବା ପାଇଁ ଚାହାନ୍ତି ନାହିଁ। ସେଇ ଗୁହ୍ୟାତ୍ ଗୁହ୍ୟତମ ପରଂ ରହସ୍ୟକୁ ନିଜ ଛାତି ଭିତରେ ବୋହି ଚାଲିଥାଆନ୍ତି।

ସେଦିନ ଥିଲା ରବିବାର। ସକାଳ ବେଳା ପିଲାଙ୍କୁ ପଢାଇବା ମରିଯାଇଥିଲା। ଏଥର ନବସାର୍ ଗାଧୋଇବା ପାଇଁ ବାହାରିଲେ। ଦେହରେ ତେଲ ମାଲିସ୍ କରିବ କାନ୍ଧରେ ନାଲି ଖୋର୍ଦ୍ଧା ଗାମୁଛା ଖଣ୍ଡକ ପକେଇ ଲମ୍ବା ଲମ୍ବା ପାହୁଣ୍ଡ ପକେଇ ଚାଲିଲେ ନଈ ଆଡେ। ଏ ସମସ୍ତ ଭିତରେ ତାଙ୍କ ହାତରେ ଥାଏ ସେଇ ଛତା ଖଣ୍ଡକ। ସତେ ଯେମିତି ନବସାରଙ୍କ ସାଙ୍ଗ ଛାଡ଼ିବାକୁ ଚାହେଁନି ଛତାଟି।

ପାଣି କୂଳରେ ଛତାଟି ଥୋଇଦେଇ ନବସାର୍ ଗାଧୋଇବା ପାଇଁ ପାଣି ଭିତରକୁ ପଶିଲେ। ଆଉ ଏତିକି ବେଳେ କୋଉଠି ଥିଲା ସେ ଦୁଷ୍ଟ ମନୁଆ, ଝପଟି ଆସି ଉଠେଇ ନେଲା ନବସାରଙ୍କ ପ୍ରାଣ ପ୍ରିୟ ଛତାଟିକୁ। ନବସାର୍ ପାଣିରେ ବୁଡ ପକେଇ ଆସିଲା ବେଳକୁ ଛତାଟି ନଦାରଦ। ଚାରିଆଡକୁ ବିକଳରେ ଚାହିଁ ନଈ ବନ୍ଧ ଉପରେ ମନୁଆ ଛତାଟିକୁ ଧରି ଭୁଇଁରେ ପିଟୁଥିବାର ଦେଖିଲେ। ସତେ ଯେମିତି ତାଙ୍କ କଲିଜା ଉପରେ କେହି ହାତୁଡିରେ ପିଟୁଛି। ସେଇମିତି ଲାଗୁଥିଲା ନବସାରଙ୍କୁ। ବିକଳରେ ଆର୍ତ୍ତଚିତ୍କାର କରିଉଠିଲେ ନବସାର୍। "ମନୁଆ, ମନୁଆରେ, ସୁନାପିଲାଟା ପରା। ଛତାଟା ରଖିଦେ ବାପା, ଭଲପିଲା ଏମିତି ଦୁଷ୍ଟାମୀ କରନ୍ତିନି।" ଗୋଟିଏ ସାଧାରଣ ଛତା ପାଇଁ ଏତେ ବୟସ୍କ ଲୋକ ଜଣେ ଛୋଟ ପିଲାଙ୍କ ପରି ବିକଳରେ କାନ୍ଦ କାନ୍ଦ ହେଇଯିବା ଟିକେ ଅଡ଼ୁଆ ଲାଗୁଥିଲା। ଏଇଥିରୁ ଭଲ ଭାବରେ ଜାଣି ହେଉଥିଲା ଯେ ସେ ଛତା ପଛରେ ନବସାରଙ୍କ କୌଣସି ନା କୌଣସି କରୁଣ ରହସ୍ୟ ରହିଛି ଯାହା ନବସାରଙ୍କ ଦୁର୍ବଳତମ ତନ୍ତ୍ରୀ ସହ ସଂଯୁକ୍ତ। କିନ୍ତୁ ନବସାର୍ ଯେ ପର୍ଯ୍ୟନ୍ତ ସେ ରହସ୍ୟକୁ ଉନ୍ମୋଚନ ନ କରିଛନ୍ତି, ସେ ପର୍ଯ୍ୟନ୍ତ ସେଇଟା ରହସ୍ୟ ହେଇ ରହିଥିବ। ଆଉ ଅପେକ୍ଷା କରିଥିବ ନବସାରଙ୍କ ଦେହାନ୍ତ ସହ ସବୁଦିନ ପାଇଁ ରହସ୍ୟ ହେଇ ରହିଯିବାକୁ।

ପାଣିରୁ ଉଠି ଓଦାଲୁଗା ସହ ନସର ପସର ହେଇ ନବସାର୍ ଏକରକମ ଧାଇଁଲେ ମନୁଆ ପାଖକୁ। ସେତେବେଳକୁ ମନୁଆ ଛତାଟିର ଦୁରାବସ୍ଥା କରିସାରିଥିଲା। ଖଣ୍ଡ ଖଣ୍ଡ ହେଇ ପୁରୁଣା ଛତାଟି ଫୋପାଡି ଦେଇ ଦୌଡି ପଳାଇଥିଲା। ଜୀବନରେ କୌଣସି ପରିସ୍ଥିତିରେ କ୍ରୋଧିତ ହେଇ ନଥିବା ନବସାର୍ ସେଦିନ ଅସମ୍ଭବ ଭାବେ ରାଗି ଯାଇଥିଲେ। ଆଗରୁ ତାଙ୍କର ଧୋତି ବ୍ଲେଡ଼ରେ କାଟି ଦେଇଥିବା ପିଲା ଉପରେ କିମ୍ବା ଚେୟାରରେ କଣ୍ଟା ବାଡେଇ ତାଙ୍କ ପିଚାରୁ ରକ୍ତ ବାହାର କରିଦେଇଥିବା ବେଳେ ମଧ୍ୟ ସେ କେବେ ବି ରାଗି ନଥିଲେ। ନବସାର୍ ଏବେ ଏତେ ରାଗି ଯାଇଥାଆନ୍ତି ଯେ କିଛି କଥା କହିପାରୁ ନଥାନ୍ତି। କିନ୍ତୁ କିଛି କରି ନ ପାରିବାର ଅସହାୟତା ହେତୁ କଇଁ କଇଁ ହୋଇ ଛୋଟ ପିଲାଙ୍କ ପରି କାନ୍ଦି ଉଠିଥିଲେ।

ନବସାରଙ୍କ ଏପରି ବିକଳ ହେଇ କାନ୍ଦିବା ଦେଖି ଆଉ ସମ୍ଭାଳି ପାରିନଥିଲି ମୁଁ । ପଚାରିଦେଲି,"କ'ଣ ହେଲା ସାର୍, ପୁରୁଣା ହେଇଯାଇଥିଲା ଛତାଟା। ଦୁଷ୍ଟ ପିଲାଟା, ଭାଙ୍ଗିଦେଲା ତ' ଭାଙ୍ଗିଦେଲା ଏମିତି କାନ୍ଦୁଛନ୍ତି କାହିଁକି? ଆଉ ଗୋଟେ ନୂଆ ଆସିବ।" ସେଇ କାନ୍ଦ କାନ୍ଦ ହେଇ ନବସାର କହିଲେ,"ସେ ଗୋଟେ ଅତି ସମ୍ବେଦନଶୀଳ କଥା। ମୋର ଚାକିରୀରୁ ଅବସର ନେବାର ମାତ୍ର କେଇଟା ବର୍ଷ ହେଇଥାଏ। ମଞ୍ଜୁ, ମୋ ସ୍ତ୍ରୀ ସେତେବେଳକୁ କୋଉ ଗୋଟେ ଅଜଣା ରୋଗରେ ପୀଡିତା। ନିୟମିତ ଔଷଧ ଖର୍ଚ୍ଚ ମୋରି ପେନସନ୍ ଟଙ୍କାରୁ ତୁଲେଇବାକୁ ପଡୁଥାଏ। ବଡ଼ ଆର୍ଥିକ ସଙ୍କଟ ଭିତରେ ମୁଁ ଥାଏ। କୌଣସିମତେ ଟଙ୍କା କେଇଟା ଯୋଗାଡ଼ କରି ମଞ୍ଜୁ ହାତରେ ଦେଇଥିଲି। କହିଥିଲି ଆର ସାହି ଗୋବିନ୍ଦକୁ ଡକେଇ ତା' ହାତରେ ଔଷଧ ମଗାଇନେବାକୁ। କିନ୍ତୁ ମଞ୍ଜୁ ଜାଣିସାରିଥିଲା କି କ'ଣ, ଯେ ସେ ଆଉ ଏ ଦୁନିଆରେ ବେଶି ଦିନର ଅତିଥି ନୁହେଁ। ସେଇଥିପାଇଁ ସିଏ ଗୋବିନ୍ଦ ହାତରେ ଔଷଧ ନ ମଗେଇ ମଗେଇଥିଲା ଏ ଛତାଟି। ଖରାବର୍ଷାରେ ମୋତେ ପେନସନ୍ ପାଇଁ ଯିବାର ଆଉ ହାଟବାଟକୁ ଯିବାର ଦେଖି ଏପରି ପଦକ୍ଷେପ ସେ ନେଇଥିଲା। ଆଉ ମୋତେ ଛତାଟି ଉପହାର ଦେଇଥିଲା ଯେତେବେଳେ ସେତେବେଳେ ଯାଇ ମୁଁ ଜାଣିଥିଲି ଯେ ମଞ୍ଜୁ ଔଷଧ କିଣିନାହିଁ। ଔଷଧର ନିୟମିତ ସେବନ ନ ହେବାରୁ ମଞ୍ଜୁର ବେମାରୀଟା ଅଧିକ ଭୟଙ୍କର ଭାବେ ବଢ଼ିଗଲା ଆଉ ସେଇଥିରେ ସେ ଆରପାରିକୁ ଚାଲିଗଲା ମୋତେ ପୁରାପୁରି ଏକୁଟିଆ କରିଦେଇ। ସେତେବେଳେ ଯାଇ ମୁଁ ଅନୁଭବ କଲି ସିଏ ମୋତେ କେତେ ଭଲପାଉଥିଲା। ମୋ ଜୀବନରେ ତା'ର ଗୁରୁତ୍ୱ କେତେ ଥିଲା ସେକଥା ମୁଁ ତା'ର ଅବର୍ତ୍ତମାନରେ ହିଁ ଅନୁଭବ କରିପାରିଲି। ଜୀବନଟା ଖାଁ ଖାଁ ଲାଗୁଥିଲା। ସେଇ ଛତା ଖଣ୍ଡକ ଥିଲା ତା'ର ଶେଷ ସନ୍ତକ ଆଉ ତାକୁ ମନେପକେଇବାର ଏକ ସ୍ମୃତି ଆଉ ମାଧ୍ୟମ। ଅନେକ ଥର ଏ ଛତାଟି ଖରାପ ହୋଇଛି ଆଉ ସମସ୍ତ ଅସୁବିଧା ସତ୍ତ୍ୱେ ମୁଁ ତାକୁ ବାରମ୍ବାର ସଜାଡିଛି। ଏ ଛତାଟି ପାଖରେ ଥିଲା ପର୍ଯ୍ୟନ୍ତ ମୁଁ ମଞ୍ଜୁର ଉପସ୍ଥିତି ଅନୁଭବ କରିପାରୁଥିଲି। କିନ୍ତୁ ଆଜି ସେତକ ବି ଗଲା। ଆଜି ମୁଁ ସତରେ ଏକୁଟିଆ ହେଇଗଲି। ନିତାନ୍ତ ଏକୁଟିଆ। ଏଇ ସ୍ମୃତି ଟିକକ ମୋତେ ବଞ୍ଚିବା ପାଇଁ ପ୍ରେରଣା ଯୋଗାଇ ଆସୁଥିଲା। ଆଜି ......."

ଏତକ କହିବା ପରେ ନବସାର୍ ଏକରକମ ସଂଜ୍ଞାହୀନ ହେଲାପରି ସେଇ ଓଦା ଲୁଗାରେ ନଈ ବାଲି ଉପରେ ବସିପଡିଲେ ଯେ ଆଉ ଉଠିପାରିଲେ ନାହିଁ। ଟେକାଟେକି କରି ଘରକୁ ସାରଙ୍କୁ ଘରକୁ ନେଇଆସିଲୁ। ତାଙ୍କ ଘରେ ତାଙ୍କୁ ଶୁଆଇ ଦେଇ ଆମେ ଚାଲି ଆସିଲୁ। ନବସାରଙ୍କର ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଙ୍କୁ ଡାକି ଆଣିବା ପାଇଁ ଲୋକ ପଠେଇ ମୁଁ ଆମ ଘରକୁ ଆସିଲି। ଘରେ ପହଞ୍ଚିଛି କି ନାହିଁ, ପଛେ ପଛେ ଖବର। ଆସି ପହଞ୍ଚିଗଲା ନବସାର୍ ଆଉ ନାହାନ୍ତି। ମୁଁ କିନ୍ତୁ ଏକଥା ବିଶ୍ବାସ କରିପାରୁ ନଥିଲି। ନିଜ ଗାଡିରେ ତାଙ୍କୁ ନେଇଯାଇଥିଲି ପାଖ ଡାକ୍ତରଖାନାକୁ। ଡାକ୍ତର ତାଙ୍କୁ ସମସ୍ତ ପରୀକ୍ଷା କଲାପରେ ଜଣେଇଦେଲେ ଯେ ପ୍ରଚଣ୍ଡ ହୃଦଘାତରେ ତାଙ୍କର ଦେହାନ୍ତ ହେଇଯାଇଥିଲା।

ମୁଁ ବୁଝିଯାଇଥିଲି ନବସାରଙ୍କ ହୃଦଘାତର କାରଣ ଆଉ ଏକଥା ମଧ୍ୟ ଜାଣିଯାଇଥିଲି ନବସାରଙ୍କ ଜୀବନରେ ସେ ଛତା ଖଣ୍ଡକର ମହତ୍ତ୍ଵ କ'ଣ ଥିଲା।


Rate this content
Log in